Unknown

 

 

 

 

 

 

 

 

 

 

 

 

ଚିନାଏ ବିଷ

 

ହାପୁରୁଷ ହେବାପାଇଁ ଯେଉଁ ସାଧନା ଓ କଠୋର ନିଷ୍ଠାର ଆବଶ୍ୟକତା ମୋର ନାହିଁ । ତେଣୁ ମୋର ଜୀବନୀ ଲେଖିବା, ଜୀବନ କାହାଣୀ ଅନ୍ୟମାନଙ୍କୁ ପଢ଼ି ଶୁଣାଇବା ପ୍ରବୃତ୍ତି ମଧ୍ୟ ମୋର ନାହିଁ । କେହି ଯେ ଦିନେ ଲେଖିବ ତା’ର ସମ୍ଭାବନା ମଧ୍ୟ ନାଇଁ । ଲକ୍ଷ ଲକ୍ଷ ଜନସାଧାରଣ; କିନ୍ତୁ ମୋର ଓ ଏଇମାନଙ୍କ ମଧ୍ୟରେ ପାର୍ଥକ୍ୟ ଯେ ନିଶ୍ଚୟ ଅଛି, ଏଥିରେ ଅବକାଶ ନାହିଁ । ମୋର ଓ ସେମାନଙ୍କ ମଧ୍ୟରେ ‘ପାର୍ଥକ୍ୟ ମୋର’ ମାନ ସମ୍ମାନ ସେମାନଙ୍କ ପାଖରେ ନାହିଁ ।

 

ସେ ଦିନ ମୋତେ ପୋଲିସ୍ ଆସି ଘେନିଗଲା । କୌଣସି କଥାର ଜବାବ ନାହିଁ । ମୋର ଦୋଷର କାରଣ କ’ଣ । ମୁଁ କ’ଣ ସତରେ ଦୋଷୀ; କିନ୍ତୁ ହାତରେ ହାତକଡ଼ା । ମୋ ବୋଉ ବେହୋସ୍ ହୋଇ ତଳେ କଚାଡ଼ି ହୋଇ ପଡ଼ିଲା ।

 

ସମାଜର ଅଦ୍ଭୁତ ତାଡ଼ନା ।

Image

 

ଏକ

 

ମୁଁ କୌଣସି ମହାପୁରୁଷ ନୁହେଁ । ମୋର ଜୀବନର କାହାଣୀ କେହି ଲେଖି ରଖିନି । କୌଣସି ଦିନ ଯେ କିଏ ଲେଖିବ, ତାର ମଧ୍ୟ ସମ୍ଭାବନା ନାହିଁ ।

 

ଯେଉଁ ସ୍ମରଣୀୟ ମହାପୁରୁଷମାନେ ସେମାନଙ୍କର କୀର୍ତ୍ତିଦ୍ୱାରା, ମହିମାଦ୍ଵାରା ଦେଶକୁ ଗୌରବର ସିଂହାସନରେ ବସେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ କେହି ନୁହେଁ । ଦେଶ ବା ଜାତି ପାଇଁ ମୁଁ ସେଭଳି କିଛି କାମ କରିନି । ଦେଶ ତ ଦୂରର କଥା, ଆମର ଛୋଟ ସଂସାରଟା ମଧ୍ୟ ମୋଠାରୁ କିଛି ପାଇନି । ଏକାବେଳେ ଯେ ପାଇନି, ସେ କଥା କହିଲେ ଠିକ୍ ହେବନି, ସେମାନେ କିଛି ପାଇଛନ୍ତି । ଅଜା, ଆଈ, ବୋଉ, ଭାଇ, ଭଉଣୀ ସମସ୍ତଙ୍କ ମୁହଁରେ ମୁଁ ମେଞ୍ଚାଏ ମେଞ୍ଚାଏ କାଦୁଅ ବୋଳି ଦେଇଚି । ସେ କାଦୁଅର ତିଳକ ଏବଂ ଦୁର୍ଗନ୍ଧ କୌଣସି ଦିନ ପୋଛି ହେବନି । ଘୃଣାରେ, ଲଜ୍ଜାରେ ଏବଂ ଧିକ୍କାରରେ ସେମାନେ କେଉଁଠି ଯାଇ ଆତ୍ମଗୋପନ କରିବେ ଭାବି ପାରନ୍ତିନି । କେବଳ ଅଜା, ଆଈ, ବୋଉ ତ ନୁହେଁ, ମୋ ଚାରିପାଖେ ଯେଉଁମାନେ ଘେରି ରହିଥିଲେ, ସେ ସମସ୍ତଙ୍କୁ ମୁଁ ରାସ୍ତାର ଧୂଳି ସଙ୍ଗେ ମିଶେଇ ଦେଇଚି । ଅଥଚ ସେମାନେ ମୋଠାରୁ ଅନେକ କିଛି ପ୍ରତ୍ୟାଶା କରୁଥିଲେ ।

 

ଅଜା, ଆଈ, ଭାଇ–ଭଉଣୀ, ବୋଉ ସମସ୍ତଙ୍କ କଥା କହିଲି କିନ୍ତୁ ନନାଙ୍କ କଥା କହିପାରିନି, ଅବଶ୍ୟ କହିବି ।

 

ମୋ ଭଳି ମଣିଷକୁ କେହି ସ୍ମରଣ କରେନି, ଘୃଣାଛଡ଼ା ମତେ ଆଉ କିଛି କରିବା ଉଚିତ ନୁହେଁ । ମୋ ଜୀବନର କାହାଣୀ କିଏ ଲେଖିବ ?

 

ଏ ଦେଶର ଲକ୍ଷ ଲକ୍ଷ ସାଧାରଣ ମଣିଷଙ୍କ ଭିତରୁ ମୁଁ ଜଣେ । ସାଧାରଣ ବିଶେଷଣଟା ଅବଶ୍ୟ ମୋ ସମ୍ବନ୍ଧରେ ଖାଟେନି । ସାଧାରଣଙ୍କ ସଙ୍ଗେ ଗୋଟାଏ ଧାଡ଼ିରେ ବସିବାକୁ ଗଲେ ସେମାନଙ୍କର ମାନହାନୀ ହେବ । ସମ୍ମାନରେ ଆଞ୍ଚ ଆସିବ ।

 

ମୋର କାହାଣୀ ଲେଖିବା ଯେ ଅନୁଚିତ, ସେ କଥା ମୋ ଅପେକ୍ଷା ଆଉ ଭଲ ଭାବେ କିଏ ଜାଣନ୍ତା ! ତଥାପି ଜୀବନର ଶେଷ ପର୍ବରେ ପହଞ୍ଚି ବେଳେ ବେଳେ ପଛକୁ ଫେରି ଯିବାପାଇଁ ଇଚ୍ଛା ହୁଏ । ଅନେକ ଜବାବ୍ ନ ମିଳିବା ପ୍ରଶ୍ନର ସୁଆଲ ଦେବାକୁ ଇଚ୍ଛା ହୁଏ । କେହି ଟିକିଏ ସହାନୁଭୂତି ଜଣାଉ ଅଥବା ସମବେଦନା ପ୍ରକାଶ କରୁ, ସେଥିପାଇଁ ମୁଁ ତିଳେ ହେଲେ ଲାଳାୟିତ ନୁହେଁ । ନିଜ ଜୀବନ କଥା ଭାବୁ ଭାବୁ କେତେବେଳେ ରାଗିବା, କେତେବେଳେ ଚିଡ଼ି ଉଠିବା, କେତେବେଳେ ବିମର୍ଷ ହୋଇ ପଡ଼ିବା କିମ୍ବା ଉନ୍ମାଦ ହୋଇ ଯିବାକୁ ମତେ ଭଲ ଲାଗେ । ସେଥିପାଇଁ ମୋର ଏ ସ୍ମୃତିଚାରଣ ।

 

ଏମିତି କେହି ସୂତ୍ରଧର ନାହିଁ, ଯେ କି ମୋ ଜୀବନର ସବୁ କଥାର ସବୁ ଘଟଣାର ଖିଅ ଧରେଇ ଦେଇପାରେ । ସୁତରାଂ ମୋ କଥା ମତେ ହିଁ କହିବାକୁ ପଡ଼ିବ ।

 

ନିଜର କଥା ନିଜେ କହିବାରେ ଅନେକ ଅସୁବିଧା; କିନ୍ତୁ ମୁଁ ଉପାୟଶୂନ୍ୟ । ପରିଚୟ ଦେଉଚି, ମୋ ନାମ ନରସିଂହ ରଥ । ନନା ଅର୍ଥାତ୍ ବାପା–ବିମ୍ବାଧର ରଥ । ବୋଉ ଅର୍ଥାତ୍ ମାଆ–ସୁଲୋଚନା ଦେବୀ । ଆମେ ଚାରି ଭାଇ, ତିନି ଭଉଣୀ ।

 

କୁଳୀନ ବ୍ରାହ୍ମଣ ପରିବାରରେ ମୋର ଜନ୍ମ । ଆଜିକାଲି ‘ବ୍ରାହ୍ମଣ’ ଶବ୍ଦଟା ତାର ଉଜ୍ଜ୍ୱଳତା ହରେଇ ଘଷରା ପଇସା ଭଳି ନିଷ୍ପ୍ରଭ ହୋଇଯାଇଚି । କିନ୍ତୁ ମୋର ଏ କାହାଣୀ ହେଉଚି ଚାରିଯୁଗ ଆଗକାର । ସେତେବେଳେ ଲର୍ଡ଼ ଚେମସ୍ ଫୋର୍ଡ଼ ହେଉଛନ୍ତି ଭାରତର ଭାଇସରାୟ । ଊଣେଇଶ ଶହ ଊଣେଇଶ ସାଲର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକଟ ସେତେବେଳକୁ ନୂଆହୋଇ ଚାଲୁଥାଏ-। ଗାନ୍ଧିଜୀ ସେତେବେଳକୁ ମହାତ୍ମା ଭୂଷଣରେ ଭୂଷିତ ହୋଇ ନ ଥାନ୍ତି । ଜାଲିଆନା ବାଗର ନିଷ୍ଠୁର ହତ୍ୟାକାଣ୍ଡରେ ସେତେବେଳେ ସମଗ୍ର ଭାରତବାସୀ ଉଦ୍‍ବେଳ ହୋଇ ଉଠିଥାଆନ୍ତି-

 

କହିବାକୁ ଗଲେ, ଏ ଶତାବ୍ଦୀଟା ସେତେବେଳକୁ ନାବାଳକ । ନାଆଁକୁ ବିଂଶ ଶତାବ୍ଦୀ, ନ ହେଲେ ରୁଚି ଆଉ ଆଚାର ବିଚାରରେ ଏବଂ ସମାଜ ବ୍ୟବସ୍ଥାର ବିଗତ ଶତାବ୍ଦୀର ପ୍ରଭାବଟା ଗଭୀର ଭାବେ ଛାପି ହୋଇ ରହିଥିଲା ।

 

ସେ ଯୁଗର, ଏ ଶତାବ୍ଦୀର ସେଇ ଶୈଶବରେ, ଦେବତା ବ୍ରାହ୍ମଣଙ୍କଠାରେ ମଣିଷଙ୍କର ଭକ୍ତି ସେତେବେଳେ ଶିଥିଳ ହେବାକୁ ଆରମ୍ଭ କରିଥାଏ । ତଥାପି ଚାରିବର୍ଣ୍ଣ ଭିତରେ ଶ୍ରେଷ୍ଠ ହେବାର ସୁଯୋଗରେ ବ୍ରାହ୍ମଣମାନେ ସମାଜ ନିକଟରୁ ସେମାନଙ୍କର ପାଉଣା ଷୋଳ ଅଣା ସ୍ଥାନରେ ଚବିଶ ଅଣା ଆଦାୟ କରି ନେଉଥାଆନ୍ତି ।

 

ଆମର ଆଦିନିବାସ ଥିଲା ପୁରୀ ଜିଲ୍ଲାର ସତ୍ୟବାଦୀରେ । ପିତୃ ଭୂମିରେ ଆମେମାନେ କୌଣସି ଦିନ ରହିନୁ । ରହିଥିଲୁ ନିରାକାରପୁରରେ । ନିରାକାରପୁର ମୋର ମାମୁଁ ଘର ।

 

ପୁରୁଷାନୁକ୍ରମେ ମାମୁଁ ଘର ଗୁରୁବଂଶ । ଗୁରୁଗିରି ଛଡ଼ା ସେମାନେ ସଂସ୍କୃତ ଅଧ୍ୟାପନା ବି କରନ୍ତି । ଏହାହିଁ ଥିଲା ସେମାନଙ୍କର ଜୀବିକା ।

 

ନାଆଁକୁ ଅବଶ୍ୟ ମାମୁଁ ଘର । ମୋର ମାମୁଁ ନ ଥିଲେ । ବୋଉ ଥିଲା ଅଜାଙ୍କର ଏକମାତ୍ର ସନ୍ତାନ । ମାମୁଁ ଘରେ ଅଜା, ଆଈ, ବୋଉ, ମୁଁ ଆଉ ଦୁଇଟି ଛୋଟ ଭାଇ ଭଉଣୀ–ଏତିକି ବୋଲି ଆମର ସଂସାର । ଆମେମାନେ ଅଜାଙ୍କର ଆଶ୍ରିତ ଥିଲୁ ।

 

ସମସ୍ତଙ୍କ କଥା ତ ମନେ ପକାଉଚି; କିନ୍ତୁ ହୃତ୍‍ପିଣ୍ତରେ ଆଉ ରକ୍ତଧାରାରେ ପ୍ରତି ମୁହୂର୍ତ୍ତରେ ଯାହାଙ୍କ ଦତ୍ତ ପ୍ରାଣ ବହନ କରି ଚାଲିଚି, ସେଇ ନନାଙ୍କ କଥା ତ ଥରକ ପାଇଁ ଭାବୁନି ! ତେବେ ଏତିକି କହିବା ଭଲ, ଯେଉଁ ମଣିଷଟିର ସଙ୍ଗେ ମୋର ରକ୍ତର ସମ୍ପର୍କ ନିକଟତମ, ତାଙ୍କୁ ମୁଁ ବିଶେଷ ଦେଖିନି । ଯାହାଙ୍କୁ ସର୍ବାପେକ୍ଷା ଅଧିକ ଚିହ୍ନିବା ଉଚିତ ଥିଲା, ସେଇ ଆମମାନଙ୍କ ପାଖରେ ପରମ ଅପରିଚିତ ଭାବରେ ରହିଯାଇଚନ୍ତି । ନନାଙ୍କ ଭଳି ରହସ୍ୟମୟ ମଣିଷ ମୋର ଅର୍ଦ୍ଧ ଶତାବ୍ଦୀର ଜୀବନରେ ଆଉ କେବେ ହେଲେ ବି ଦେଖିନି ।

 

ନିରାକାରପୁରରେ ବେଶିଦିନ ଆମ୍ଭେମାନେ ରହି ନ ଥିଲୁ । ମୋ ପିଲା ବେଳୁ ନିରାକାରପୁର ଛାଡ଼ି ଆମେ ସମସ୍ତେ ଦଳେଇଘାଟ ଚାଲି ଆସିଥିଲୁ । ନ ଆସିବାକୁ ଆଉ ଉପାୟ ନ ଥିଲା ।

 

ଗୁରୁଗିରି ଏବଂ ସଂସ୍କୃତ ଅଧ୍ୟାପନାର ସମ୍ମାନ ସେତେବେଳେ ବି ବଜାୟ ରହୁଥିଲା–ଗୋଟିଏ ଆସନ୍ନ ମୃତ୍ୟୁମୁଖୀ ରୋଗୀ ଭଳି । ନ ହେଲେ ନିଲାମରେ ବିକ୍ରି ହୋଇ ଯାଇଥିବା ସମ୍ପତ୍ତିର ଦଲିଲ ଭଳି ଜୀବିକାଟା କ୍ରମଶଃ ଅନ୍ତଃସାରହୀନ ହୋଇଯିବାକୁ ଆରମ୍ଭ କରିଥାଏ । ଏ ସବୁରୁ ଅଜାଙ୍କର ଯାହା ଆୟ ହୁଏ, ସେଥିରେ କୌଣସି ପ୍ରକାରେ ସଂସାର ଚଳିପାରୁ ନ ଥିଲା ।

 

ଗୁରୁଗରିରୁ ତ ଉପାର୍ଜନ କମିଯାଇଥିଲା, ପଣ୍ଡିତପଣିଆ ବି ଆଉ ଚଳୁ ନ ଥିଲା । ଶତାବ୍ଦୀ ଆରମ୍ଭରୁ ଇଂରାଜୀ ଭାଷା ପ୍ରାୟ ଘୋଡ଼ା ଦଉଡ଼େଇ ଦିଗ୍‍ବିଜୟରେ ବାହାରିଥିଲା । ଚାରିଆଡ଼େ ତାର ରାଜସୂୟର ଆୟୋଜନ ଚାଲିଥିଲା, ଆଉ ତାର ତୋପ ମୁହଁରେ ନିରୀହ ସଂସ୍କୃତ ଆଉ ସ୍ମାର୍ତ୍ତ–ନୈୟାୟିକ ଦଳ ପ୍ରାୟ ଉଡ଼ି ଯାଇଚନ୍ତି । ବୁଲି ପଡ଼ି କିଛି ସମୟ ପାଇଁ ଠିଆ ହୋଇ ଯେ ପ୍ରତିବାଦ କରିବେ, ସେ ଶକ୍ତି, ସାହସ ବା ପ୍ରକୃତି–କିଛି ଆଉ ନ ଥିଲା ।

 

ସେଥିପାଇଁ ଏତେକାଳ ଯୋଉ ନିୟମରେ ଅଜାଙ୍କର ବଂଶଧାରାଟା ଗଡ଼ି ଆସିଥିଲା, ଏ କାଳର ତୋରଣ ପାଖରେ ଆସି ସେଇଟା ମୁହଁ କଚାଡ଼ି ହୋଇ ପଡ଼ିଥିଲା । ତଥାପି ଅଜା ଜନ୍ମମାଟି କାମୁଡ଼ି ପଡ଼ି ରହିବାର ଉଦ୍ୟମ କରିଥିଲେ । ସେଥିପାଇଁ ସେ କଣ ନ କରିଚନ୍ତି ? ଗୁରୁଗିରି–ପଣ୍ଡିତଗିରି ସାଙ୍ଗକୁ ବିବାହ ମଧ୍ୟସ୍ଥି, ଜ୍ୟୋତିଷ ପଣିଆ ଏମିତିକି କବିରାଜି ମଧ୍ୟ ଚଳେଇଥିଲେ । କିନ୍ତୁ ଏତେ ଗୁଡ଼ାଏ ଉପାୟ ଅବଲମ୍ବନ କରି ମଧ୍ୟ ସେ ସଂସାରଟାକୁ ପୂରାପୂରି ସଚଳ ରଖି ପାରିଲେନି । ତେଣୁ ଦିନେ ଆମମାନଙ୍କର ହାତଧରି ଏକୂଳ ସେକୂଳ ହୋଇ ହୋଇ ଶେଷକୁ ଆସି ଏଇ ଦଳେଇଘାଟରେ ପହଞ୍ଚିଲେ ।

 

ଇଂରେଜ ଅମଳର ଆରମ୍ଭରୁ ଏ ଦେଶର ନଗର ଗମନ ଆରମ୍ଭ ହୋଇଥିଲା । ବିଂଶ ଶତାବ୍ଦୀର ଉଷା ଆଗମନୀଠାରୁ ସେଇ ଗମନ ଗତି ଘାଇଭଙ୍ଗା ସ୍ରୋତ ଭଳି ହୋଇ ଉଠିଲା । ସେ ସ୍ରୋତ ମୁହଁରୁ ନିଜକୁ ସମ୍ଭାଳି ନେବା ପାଇଁ ଅଜାଙ୍କର ମୋଟେ ସାମର୍ଥ୍ୟ ନ ଥିଲା ।

 

ଇଂରେଜ ରାଜତ୍ୱର ଯେତେଗୁଡ଼ିଏ ଅବଦାନ ଅଛି, ତା ମଧ୍ୟରୁ ଶ୍ରେଷ୍ଠ ଯେଉଁଟା ସେଇଟା ହେଉଚି ସମାଜରେ ଗୋଟାଏ ନୂଆ ବର୍ଣ୍ଣର ସୃଷ୍ଟି । ବ୍ରାହ୍ମଣ–କ୍ଷତ୍ରିୟ ପ୍ରଭୃତି ତ ଥିଲେ, ପଞ୍ଚମଟି ହେଲା କିରାଣୀ । ମୋର ଅଜା, ଗୁରୁବଂଶର କୁଳପ୍ରଦୀପ । କିରାଣୀ ହୋଇ ନୂଆ ବର୍ଣ୍ଣରେ ଏକାକାର ହୋଇଗଲେ ।

 

ନିଜ ବିଷୟରେ ନିଜେ କହିବାକୁ ଯାଇ ଆମ୍ଭମାନଙ୍କ ସଂସାରର ସଂକ୍ଷିପ୍ତ ଭୂମିକା କରିବା ସଙ୍ଗେ ସଙ୍ଗେ କହିବି ଯେ–ଯାହା ଜାଣେ, ଯାହା ଅଙ୍ଗେ ନିଭେଇଚି, ଯାହା କହିବାକୁ ଯାଉଚି, ସେଇଟା ମୋ ପାଇଁ ସବୁ ସତ । ତେଣୁ କିଛି ଲୁଚେଇବି ନି, କାହା ମନରେ ବିକାରବିତୃଷ୍ଣା ଆସିଲେ ବି ନୁହେଁ ।

 

ଦୁଇ

 

ମୋ କଥା କିଭଳି କୋଉଠୁ ଆରମ୍ଭ କରିବି ? ମନୋରମାର ପ୍ରସଙ୍ଗରୁ ? କି ମାନସୀ କଥାରୁ ? କିମ୍ବା ଜେଲଖାନାରେ ଯେଉଁ ସାତଟା ବର୍ଷ କଟେଇଚି, ସେ ଘଟଣାରୁ ଆରମ୍ଭ କରିବି ? କିଛି ବୁଝିପାରୁନି ।

 

ନିଜ କଥା କହିବାକୁ ଗଲାବେଳେ ମନୋରମା କିମ୍ବା ମାନସୀର କଥା ମନେ ପଡ଼ୁଚି କାହିଁକି ? ମନେପଡ଼ିବା ସ୍ଵାଭାବିକ । ବିଚ୍ଛିନ୍ନ ଭାବରେ ଗୋଟାଏ ମଣିଷର ଅସ୍ତିତ୍ଵ ଆଉ କେତେ ହୁଅନ୍ତା ? ନିଜ ସୃଷ୍ଟ ଗୋଟିଏ ଦୁନିଆ ମଝିରେ ଚାରିପଟେ କାନ୍ଥ ଟେକି ଦେଇ କେହି ତ ଆଉ ଏକୁଟିଆ ବସବାସ କରିପାରେନି । ତେଣୁ ମୋ କଥା କହିବା ମାନେ ମାନସୀ ପ୍ରଭୃତିଙ୍କ କଥା କହିବା । ମୋର ଚାରିପାଖେ ଯେଉଁମାନେ ଘେରି ରହିଥିଲେ, ସେମାନଙ୍କ କଥା ବି, ଯେମିତି ସେମାନଙ୍କ କଥା ବି ମୋ କଥା ।

 

ନା ମାନସୀ ନୁହେଁ, ମନୋରମା ବି ନୁହେଁ–ଏକାବେଳେ ମୂଳରୁ ଆରମ୍ଭ କରିବାକୁ ହେବ । ସେଇ ଆରମ୍ଭ ଟିକକ ଭିତରେ ଯାହା ଅଛି ସେଇଟା ଦଳେଇଘାଟ, ଅଜା, ଆଈ, ଭାଇଭଉଣୀ, ପ୍ରକ୍ଷିପ୍ତ ଭାବରେ କିଛିଟା ମୋର ନନା ଏବଂ ମୋର ଶୈଶବର କଥା ।

 

ଦଳେଇଘାଟ ଆଦିକାଳର କୌଣସି ସହର ନୁହେଁ, ନୂଆ ନଗରୀ ।

 

ଊଣେଇଶ ଶହ ଶତାବ୍ଦୀର ଶେଷ ଭାଗରେ ଶିଳ୍ପ ବିପ୍ଳବର ଯେଉଁ ଆବହାୱା ଏ ଦେଶ ଦେହରେ ଲାଗିଥିଲା, ତାରି ଫଳରେ ଦଳେଇଘାଟର ଜନ୍ମ । ତିନିଟା ଖଣ୍ଡେ ଲୁଗା କଳ, ଗୋଟିଏ କାଗଜକଳ, ଛୋଟ ଧରଣ ବଢ଼େଇ କମାର କାରଖାନା, ଏମିତି ଆଉ କେତେଟା କଳ କାରଖାନା ଧରି ସହରଟାର ବିସ୍ତାର । କଳ କାରଖାନାରେ ଯେଉଁମାନେ କାମ କରନ୍ତି, ସେମାନଙ୍କୁ ତ ପୁଣି କୋଉଠି ରହିବାକୁ ହେବ ! ସେଇ ଆବଶ୍ୟକ ଦୃଷ୍ଟିରୁ ଦଳେଇଘାଟର ସୃଷ୍ଟି ।

 

ଏ ସହରର ଅତୀତ ନାହିଁ, ଐତିହ୍ୟ ନାହିଁ, କୌଣସି ବିସ୍ମୟକର ଇତିହାସ ମଧ୍ୟ ନାହିଁ । ତେବେ ଖୁବ୍ ପ୍ରବଳ ଆଉ ବେଗବାନ ଗୋଟାଏ ବର୍ତ୍ତମାନ ଅଛି । କାରଖାନାର ପୁଙ୍ଗା, ଓଭରଟାଇମ୍, ମାସ ଶେଷରେ କଞ୍ଚା ପଇସା, ବ୍ୟସ୍ତତା ପ୍ରଭୃତିର ଚାରିପାଖେ ଏ ସହରଟା ଅନବରତ ପ୍ରଦକ୍ଷିଣ କରି ଚାଲିଛି । କୌଣସି ଦିଗକୁ ଚାହିଁବା ପାଇଁ ତାର ଅବକାଶ ନାହିଁ । ଅର୍ଥ ନାମରେ ଊର୍ଦ୍ଧ୍ଵଶ୍ଵାସ ହୋଇ ଗୋଟାଏ ମାୟାମୃଗ ପଛରେ ସେ କେବଳ ଧାଇଁଚି, ଧାଇଁଚି ଆଉ ଧାଇଁଚି । ଆଉ କାରଖାନା ନଗରୀର ଯେଉଁ ରୀତି, ସେଥିରେ ବର୍ତ୍ତମାନ ଯେଉଁ ଛାଞ୍ଚ ତିଆରି କରିଦିଏ, ଭବିଷ୍ୟତ ସେଇ ଛାଞ୍ଚ ଦେହରେ ଢଳେଇ ହୋଇଯାଏ । ସେ ଦିଗରୁ ଦେଖିଲେ ଦଳେଇଘାଟି କୌଣସି ବ୍ୟତିକ୍ରମ ନୁହେଁ । ଅନାୟାସରେ କହିହେବ, ଉତ୍ତେଜକ ଗୋଟାଏ ବର୍ତ୍ତମାନ ବ୍ୟତୀତ ଏ ଅର୍ବାଚୀନ ନଗରୀରେ ଆଉ କିଛି ନାହିଁ ।

 

ଦଳେଇଘାଟରେ ମିନାର ନାହିଁ, ଗମ୍ବୁଜ ନାହିଁ, କୌଣସି କୀର୍ତ୍ତିସ୍ତମ୍ଭ କେହି ଏଠି ରଖିଯାଇ ନାହାନ୍ତି । ନଗରୀର ପଶ୍ଚିମ ପ୍ରାନ୍ତକୁ ଲାଗି ଦଲଦଲିଆ କ୍ଷତଭଳି ସାହି ପରେ ସାହି ବସିଚି । ଅର୍ଦ୍ଧପଶୁ ଗଠନ କୌଣସି ଆଦିମ ମଣିଷର ଏଗୁଡ଼ାକ ଉପନିବେଶ ଯେମିତି । ଘା ଉପରେ ମାଛ ଭଳି ସାହିଗୁଡ଼ାକ ଭିତରେ ଦେଶୀ ମଦର ଦୋକାନ, କିଲିବିଲି ହେଉଥିବା ଅଂଶେଇ ଭଳି ଦେହ ବ୍ୟବସାୟୀଙ୍କ ଚକର । ଧୂଆଁରେ–ଧୂଳିରେ, ଚିତ୍କାରରେ ଆଉ ଆବର୍ଜନା ଏବଂ ଦୁର୍ଗନ୍ଧରେ ସେଠିକାର ପବନ ଅସହ୍ୟ ବିଷାକ୍ତ ହେଇପଡ଼ିଚି । ଅବଶ୍ୟ ଦଳେଇଘାଟର ଆଉ ଗୋଟାଏ ଦିଗ ଅଛି । ଦକ୍ଷିଣ ପ୍ରାନ୍ତକୁ ଲାଗି, ଯେଉଁ ସାହିଗୁଡ଼ା, ସେଗୁଡ଼ାକ ଟିକିଏ ସୁସ୍ଥକର । ଘରଗୁଡ଼ାକ ସବୁ ପକ୍କା । ରାସ୍ତାଗୁଡ଼ାକ ଯେମିତି ଚଉଡ଼ା ସେମିତି ପରିଷ୍କାର । ମ୍ୟୁନିସିପାଲିଟି ସେ ରାସ୍ତା କଡ଼ରେ ଗୋଟାଏ ଗୋଟାଏ ଯାଗାରେ କିରାସିନି ଜଳା ବତୀଖୁଣ୍ଟ ବସେଇ କର୍ତ୍ତବ୍ୟ ଆଉ ବାହାଦୁରୀ ଦୁଇଟାଯାକ ଦେଖେଇଚି ।

 

ଏଇ ଦକ୍ଷିଣ ପଟ ସାହିଗୁଡ଼ିକର ଗୋଟାଏ ଭଡ଼ାଘରେ ଆମ୍ଭେମାନେ ରହୁ । ଆଗରୁ କହିଚି, ଆମର ସଂସାରରେ ଅଜା, ଆଈ, ବୋଉ ଆଉ ଭାଇ ଭଉଣୀଙ୍କ ବ୍ୟତୀତ କେହି ନ ଥିଲେ । ସେମାନଙ୍କୁ ପରିଚିତ କରେଇ ଦେବା ଅର୍ଥ ମୋ କଥା ସଙ୍ଗେ ପରିଚିତ କରେଇବା, କାରଣ, ସେମାନଙ୍କ କଥା ବି ମୋ କଥା ।

 

ନନାଙ୍କ ସହିତ ମୋର ଖୁବ୍ ସାମାନ୍ୟ ପରିଚୟ, ମୋ ଜୀବନକାଳ ଭିତରେ ତାଙ୍କୁ ସାତ ଆଠ ଥରରୁ ବେଶି ଦେଖିଚି ବୋଲି ମନେ ହୁଏନି । ଆମମାନଙ୍କ ପାଖରେ ସେ ରହୁ ନ ଥିଲେ । ତଥାପି ସଂସାରର କଥା ଭାବିବାକୁ ଯାଇ ପ୍ରାୟ ଅପରିଚିତ ଏ ରହସ୍ୟମୟ ମଣିଷଙ୍କ କଥା ପ୍ରଥମରୁ ମନେ ପଡ଼ୁଚି ।

 

ସତ୍ୟବାଦୀରେ ଯେତେବେଳେ ଥିଲୁ, ସେତେବେଳ କଥା ଜାଣେନି । ଜୀବନର ଅନ୍ୟ ମେରୁ ଆସି ମୋର ସ୍ମୃତି ସୁଦୂର–ଧୂସର ସେଇ ଅତୀତ ପର୍ଯ୍ୟନ୍ତ ପହଞ୍ଚି ପାରୁନି, ତେବେ ଦଳେଇଘାଟକୁ ଯେତେବେଳେ ଆସିଥିଲୁ, ସେଇବେଳଟାକୁ ମୋର ଚେତନାର ପ୍ରତ୍ୟୁଷ ବୋଲି କହିବାକୁ ହେବ । ସେଇଠୁ ମୋର ଯାହା କିଛି ମନେ ପଡ଼ୁଚି ।

 

ପ୍ରତିଦିନ ସକାଳୁ ଅଜା ମତେ ଡାକି ଉଠେଇ ଦିଅନ୍ତି । କିନ୍ତୁ ହଠାତ୍ ଦିନେ ଦିନେ ଗୋଟାଏ ଅପରିଚିତ ସ୍ୱର ନିଦ ଭାଙ୍ଗିବା ମାତ୍ରେ ଶୁଣିପାରେ, ‘ଉଠରେ ବାପା’ ।

 

ପିଲାଦିନର ଗୋଟାଏ ଅଭ୍ୟାସ, କୌଣସି ପ୍ରକାରେ ଉଠିବାକୁ ଇଚ୍ଛା କରେନି । ଆଣ୍ଠୁ ଦୁଇଟାକୁ ଛାତି ପାଖକୁ ଜାକି ଆଣି କୁକୁର ପିଲା ଚେକି ବାନ୍ଧିଲା ପରି ପଡ଼ି ରହିଥାଏ ।

 

ଅଚିହ୍ନା ସ୍ଵରଟା ପୁଣି ଶୁଣାଯାଏ, ‘ଉଠିପଡ଼ ବାପା, କେତେ ଗୁଡ଼ାଏ ବେଳ ହୋଇଗଲାଣି, ଖରା ପଡ଼ିଲାଣି ପରା ।’ ସ୍ଵରଟା ଯେମିତି ସ୍ନେହସୁଧା ବୋଳା ।

 

ଦୁଇ ଚାରିଥର ଡକାଡ଼କି କରିବା ପରେ ଆଖି ଫିଟାଇ ଯାହାଙ୍କୁ ଦେଖେ, ମୋର ସ୍ମୃତିରେ କୌଣସିଠାରେ ତାଙ୍କର ଛବି ନ ଥିଲା । ମୁଣ୍ଡସାରା ଅଲରା ବଲରା ବାଳଗୁଡ଼ା, କିଛିଟା ରଙ୍ଗ ଛାଡ଼ି ଗଲାପରି ମନେହୁଏ । ମୁହଁସାରା କେତେଦିନର ଦାଢ଼ି ନିଶ ଠିଆ ହେଇଚି, ଚଉଡ଼ା କପାଳଟାରେ ଗାଢ଼ କଳା ପେନ୍‍ସିଲର ଟାଣି ଦେଲାଭଳି କେତେଟା ଗାର, ଲମ୍ବା ଗଣ୍ଠି ଗଣ୍ଠିଆ ଆଙ୍ଗୁଠି, ଠାକରା ଗାଲ, ନାକଟା ଖୁବ୍ ତୀକ୍ଷ୍ଣ, ଦେହର ଚମଡ଼ା ଖରାରେ ସିଝି ସିଝି ତମ୍ବାଳିଆ ଦିଶୁଚି-। ଦୀର୍ଘକାୟ ଶରୀରଟା ଯାକ ଖାଲି ହାଡ଼ମୟ, ମାଂସ ନାହିଁ ବୋଲି କହିଲେ ଚଳିବ । ଦିନେ ହୁଏତ ସୁଦର୍ଶନ–ସୁ–ପୁରୁଷ ଥିଲେ, ମୋର ସେଇ ଶୈଶବରେ ତାଙ୍କର ଶରୀର ସାରା ଧ୍ଵଂସର ସ୍ମୃତିଛଡ଼ା ଆଉ କିଛି ସଜେଇ ହେଇ ନ ଥିଲା ।

 

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର ଜିନିଷ ହେଉଚି, ତାଙ୍କର ଆଖି ଦୁଇଟା । ହୁଏତ ଉଦାସୀନ, ଅନ୍ୟମନସ୍କ କିମ୍ବା ଆତ୍ମହରା । ସେଇ ମଗ୍ନତାର ଭିତରେ ବି ଆଖି ଦୁଇଟା ବିଚିତ୍ର ଉଜ୍ଜ୍ଵଳ ଜଣାପଡ଼ୁଥିଲା । ପ୍ରାଣ ଭିତରେ କେଉଁଠି ବୋଧହୁଏ ଦୀପାଧାର ଥିଲା, ସେଥିରୁ ତେଲ ଶୋଷି ଶୋଷି ଦୃଷ୍ଟିଟା ସଦାବେଳେ ପ୍ରଦୀପ୍ତ ରହିଚି ।

 

ଅବାକ୍ ହେଇ ବିସ୍ମୟରେ ତାଙ୍କ ମୁହଁକୁ ଚାହିଁ ରହିଥାଏ । ସ୍ନେହ କୋମଳ ମୁହଁଟାକୁ ସେ ତଳକୁ କରିନିଅନ୍ତି । ହସିଦେଇ କହନ୍ତି–“ମତେ ଚିହ୍ନି ପାରୁନୁ ବାପା ?”

 

କୌଣସି ଉତ୍ତର ଦିଏନି, ଅଚିହ୍ନା ଆଗନ୍ତୁକଙ୍କଆଡ଼କୁ କେବଳ ଅପଲକ ଦୃଷ୍ଟିରେ ଚାହିଁ ରହିଥାଏ ।

 

ଏଥର ଦୁଆର ମୁହଁ ପାଖରେ ଆଈଙ୍କ ପାଟି ଶୁଣାଯାଏ । ଖୁବ୍ ନିମ୍ନସ୍ୱରରେ ସେ କହନ୍ତି,–“ତୋ ନନା ପରା, ମୁଣ୍ଡିଆ ମାର ।”

 

ଏଇ ଅପରିଚିତ ମଣିଷ ହେଉଚନ୍ତି ମୋର ନନା ! ସେଇ ପିଲା ଦିନର ଅନୁଭୂତିରେ କି ଧରଣର ରୋମାଞ୍ଚ ଦେଖା ଦେଇଥିଲା; ସେ କଥା ଆଜି ଆଉ ମନେ ନାହିଁ । କେବଳ ଏତିକି ମନେ ଅଛି, ଆଈଙ୍କ ନିର୍ଦ୍ଦେଶ ଅନୁସାରେ ବିଛଣାରୁ ଧୀରେ ଧୀରେ ଉଠି ଆସିଥିଲି । ନନାଙ୍କ ଗୋଡ଼ତଳେ ମୁଣ୍ଡିଆ ମାରିବାକୁ ଯାଇ ତାଙ୍କ ହାତରେ ଧରା ପଡ଼ି ଯାଇଥିଲି । ଦୁଇଟି ଦୀର୍ଘ ବାହୁ ଦ୍ଵାରା ନନା ମତେ ବକ୍ଷ ଭିତରେ ବନ୍ଦୀ କରିପକାନ୍ତି । ତାଙ୍କ ବକ୍ଷରେ ବିଲୁପ୍ତ ହୋଇ ଯାଉ ଯାଉ ମୋ ରକ୍ତର ନିକଟତମ ମଣିଷଟିର ହୃଦୟ ସ୍ପନ୍ଦନ ଅନୁଭବ କରି ପାରୁଥିଲି ।

 

ଦିନେ ଦିନେ ନିଦରୁ ଉଠି ହଠାତ୍ ଯେମିତି ନନାଙ୍କୁ ଦେଖିବାକୁ ପାଏ, ସେମିତି ଦିନେ ଦିନେ ଉଠି ଦେଖେ, ନନା କୁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଇଚନ୍ତି । କୁଆଡ଼େ ଯାଇଚନ୍ତି, କେହି ଜାଣନ୍ତି ନାହିଁ । କାହାରିକୁ କିଛି ନ କହି, କୌଣସି ଠିକଣା ନ ଦେଇ ଚୁପଚାପ୍ ଚାଲି ଯାଇଚନ୍ତି । ଠିକଣା କଣ, ଏମିତି କିଛି ସେ ରଖି ଯାଇ ନାହାନ୍ତି, ଯେଉଁ ଚିହ୍ନଧରି ତାଙ୍କୁ ଖୋଜା ଯାଇପାରେ । ସେଇ ପିଲାଦିନୁ ମୁଁ ଭଲ ଭାବରେ ବୁଝି ପାରିଚି, ନିଜେ ଆସି ଦେଖା ନ ଦେଲେ ନନାଙ୍କ ଦେଖା ପାଇବା ଅସମ୍ଭବ ।

 

ବଡ଼ ହେବା ପରେ ଅଜାଙ୍କଠାରୁ ନନାଙ୍କ ବିଷୟରେ ଅନେକ କଥା ଶୁଣିଚି । ଶୁଣି ଯେତିକି ଆଶ୍ଚର୍ଯ୍ୟ ହେଇଚି, ତା ଅପେକ୍ଷା ହଜାର ଗୁଣ ରୋମାଞ୍ଚିତ ହେଇଚି ।

 

ନନା ସେ ଅମଳର ପାଟନା ବିଶ୍ଵବିଦ୍ୟାଳୟର ଉଚ୍ଚ ଡିଗ୍ରୀଧାରୀ ଥିଲେ । ଦୂର ସମ୍ପର୍କୀୟ କେତେଜଣ ଆତ୍ମୀୟସ୍ୱଜନ ଛଡ଼ା ତାଙ୍କର ଆଉ କେହି ନ ଥିଲେ । କହିବାକୁ ଗଲେ ସେତେବେଳେ ସେ ଏକ ପ୍ରକାର କକ୍ଷଚ୍ୟୂତ ଗ୍ରହ ଭଳି ଘୂରୁଥିଲେ । ଆତ୍ମୀୟମାନେ ସେମାନଙ୍କର ଉପଯୁକ୍ତ କାମ କରିଥିଲେ । ବାପା, ମାଆ, ଭାଇ, ଭଉଣୀ ହୀନ ପିଲାଟାର ପୈତୃକ ଜମିବାଡ଼ି, ଘର ବାହାର ସବୁ ଲେଖେଇ ନେଇଥିଲେ ।

 

ନନା ଅସାଧାରଣ କୃତି ଛାତ୍ର ଥିଲେ । ସ୍କୁଲ କଲେଜ କୌଣସିଠାରେ ତାଙ୍କୁ ଦରମା ଦେବାକୁ ପଡ଼ିନି । ସ୍କୁଲ ଜୀବନରେ ଜଣେ ସହୃଦୟ ପ୍ରଧାନ ଶିକ୍ଷକ ତାଙ୍କ କପାଳକୁ ଜୁଟି ଯାଇଥିଲେ । ସେଇ ନନାଙ୍କର ସବୁ ଦାୟିତ୍ଵ ନେଇଥିଲେ । ନିଜ ଘରେ ରଖି ଘରର ପୁଅ ଭଳି ତାଙ୍କୁ ମଣିଷ କରିଥିଲେ । କଲେଜ ବିଷୟରେ ଅବଶ୍ୟ ଦୁଶ୍ଚିନ୍ତା ଥିଲା । ସେଠି କଣ ପ୍ରଧାନ ଶିକ୍ଷକଙ୍କ ଭଳି କୌଣସି ସହୃଦୟ ବ୍ୟକ୍ତି ଅଛନ୍ତି ? ତା ଛଡ଼ା ଗାଁ ଠାରୁ ଅନେକ ଦୂର ସହରରେ ଯାଇ ରହିବାକୁ ପଡ଼ିବ ।

 

ଦୁର୍ଭାବନାଟା ଅବଶ୍ୟ ସ୍ଥାୟୀ ହେଇ ନ ଥିଲା । ମାଟ୍ରିକ୍ୟୁଲେଶନ ପରୀକ୍ଷା ପରେ ପ୍ରଧାନ ଶିକ୍ଷକ ମହୋଦୟ ନନାଙ୍କୁ ସାଙ୍ଗରେ ନେଇ କଲେଜରେ ଭର୍ତ୍ତି କରିଦେଇ ଆସିଥିଲେ । ନିଜର କୃତିତ୍ଵ ବଳରେ ନନା ମାଗଣା ପଢ଼ିବାର ସୁବିଧା ତ ପାଇଥିଲେ, ତା ଛଡ଼ା ପ୍ରଧାନ ଶିକ୍ଷକଙ୍କର ସାମାନ୍ୟ ଧରାଧରି ଫଳରେ ମାଗଣାରେ କଲେଜର ହଷ୍ଟେଲରେ ରହିବାର ବ୍ୟବସ୍ଥା ମଧ୍ୟ ହୋଇ ଯାଇଥିଲା ।

 

ଅନାୟାସରେ ଏବଂ ଖୁବ୍ କୃତିତ୍ଵର ସହିତ ନନା କଲେଜ ପାଠ୍ୟ ଶେଷ କରିଥିଲେ । ବିଶ୍ଵବିଦ୍ୟାଳୟର ଯେଉଁ ଲାଙ୍ଗୁଡ଼ ତାଙ୍କ ନାଆଁ ପଛରେ ଝୁଲେଇ ଦିଆଯାଇଥିଲା–ତାରି ବଳରେ ସେ, ସେ ଅମଳରେ ସହଜରେ ଜୀବନର ଉଚ୍ଚତମ ପ୍ରଦେଶରେ ପହଞ୍ଚି ପାରି ଥାଆନ୍ତେ । କିନ୍ତୁ ଜ୍ଞାନକୁ ଅର୍ଥକରି କାମରେ ଲଗେଇଲା ଭଳି ବୁଦ୍ଧି ଅଥବା ମାନସିକ ଗଠନ କୌଣସିଟା ତାଙ୍କର ନ ଥିଲା ।

 

ଜୀବନ ସମ୍ପର୍କରେ ନନାଙ୍କର କିଛି ନିଜସ୍ଵ ପ୍ରଶ୍ନ ବୋଧହୁଏ ଥିଲା । ଏମ୍: ଏ: ପାଶ୍ କରିବା ପରେ ସେ ଚାକିରି କରିବାକୁ ଗଲେନି, ବ୍ୟବସାୟ ବି କଲେନି । ଯାହା କଲେ ଜୀବନକୁ ଆରାମ ଭୋଗ, ବିଳାସରେ ପରିତୃପ୍ତ କରିହୁଏ ସେ ରାସ୍ତାରେ ତାଙ୍କର ପଦକ୍ଷେପର ସମ୍ଭାବନା ନ ଥିଲା ।

 

ସେ ଯୁଗ ପାଇଁ ବିଦ୍ୟାର ଯେଉଁ ମୂଳଧନ ତାଙ୍କ ହାତରେ ଥିଲା, ସେଇଟା ଢେର । କିନ୍ତୁ ବିଶ୍ଵବିଦ୍ୟାଳୟର ସାର୍ଟିଫିକେଟ୍ ଭଙ୍ଗେଇ କଞ୍ଚା କଞ୍ଚା ଫଳଲାଭ ନ କରି ନନା ବାହାରି ପଡ଼ିଥିଲେ । ବିଶାଳ ପୃଥିବୀରେ ବିପୁଳ ଜଳଧି ଅଛି, ଅସୀମ ପ୍ରାନ୍ତର ଅଛି, ଗହନ ବନାନୀ ଅଛି, ଦୂର ବିସ୍ତୃତ ଆକାଶ ଅଛି, ଅନ୍ତହୀନ ଗିରିମାଳା ଅଛି । ସର୍ବଶ୍ରେଷ୍ଠ ଯାହା ଅଛି, ସେଇଟା ହେଲା ବିଚିତ୍ର ମାନବର ଅରଣ୍ୟ । ଏମାନଙ୍କ ଭିତରେ ବୁଲି ବୁଲି ନନା କିଛି ଗୋଟାଏ ଯେମିତି ସନ୍ଧାନ କରିବାରେ ଲାଗିଥିଲେ ।

 

ତାଙ୍କ ରକ୍ତ ଭିତରେ ଗୋଟାଏ ଅଦ୍ଭୁତ ଯାଯାବର ବୃତ୍ତି ଥିଲା । ଖାଇବା–ପିଇବା–ଶୋଇବା–ବିଶ୍ରାମ କରିବା, କୌଣସିଟାରେ ତାଙ୍କର ସ୍ଥିରତା ନ ଥିଲା । କିଛି ମିଳିଲେ ଖାଆନ୍ତି, ନ ପାଇଲେ ଦୁଃଖ କରନ୍ତି ନି । କ୍ଳାନ୍ତିବୋଧ କଲେ ଗଛତଳେ କିମ୍ଵା କାହାର ବାରଣ୍ଡା ଉପରେ ଟିକିଏ ଶୋଇପଡ଼ନ୍ତି । ନ ହେଲେ ମୁଣ୍ଡ ଉପରେ ସୀମାହୀନ ଆକାଶକୁ ରଖି, ଖରା–ବର୍ଷା–ଝଡ଼ କୌଣସିଟାକୁ ଖାତିରି ନ କରି ଚାଲିଥାଆନ୍ତି–ଚାଲିଥାଆନ୍ତି ଆଉ ଚାଲିଥାଆନ୍ତି । ଯୌବନର ମଧ୍ୟ କାଳଠାରୁ ନନା ଥିଲେ ପଦାତିକ । ଚାଲୁ ଚାଲୁ କେତେବେଳେ ଋତୁ ବଦଳ ହେଇଗଲା, କେବେ ଯେ ଗୋଟାଏ ବର୍ଷ ଶେଷ ହୋଇଗଲା, କୌଣସି ବିଷୟରେ ତାଙ୍କର ଖିଆଲ ନ ଥାଏ ।

 

ନନା ମାନସ ସରୋବରର ଆଦିମ ହଂସ ଥିଲେ । ବୁଲି ବୁଲି ଦିନେ ମାମୁଁ ଘର ଗାଁଆରେ ଅର୍ଥାତ୍ ନିରାକାରପୁରରେ ଆସି ପହଞ୍ଚିଥିଲେ । ଅସୁସ୍ଥ ଅବସ୍ଥାରେ ଆସିଥିଲେ–ଦେହରେ ଜ୍ଵର ଭର୍ତ୍ତି ହେଇଥିଲା । ଗାଁଆ ଭିତରକୁ ଆସି ଗୋଟାଏ ବରଗଛ ତଳେ ଶୋଇ ପଡ଼ିଥିଲେ ।

 

ଖବର ପାଇ ଅଜା ଧାଇଁ ଯାଇଥିଲେ । ଗଛତଳୁ ନନାଙ୍କୁ ଉଠେଇ ନିଜ ଘରକୁ ନେଇ ଆସିଥିଲେ । ତା ପରେ ରୁଗ୍‍ଣ ପ୍ରାୟ ଅଚେତନ ମଣିଷଟିର ସମସ୍ତ ଦାୟିତ୍ଵ ମୋ ବୋଉ ହାତରେ ଦେଇଦେଲେ ।

 

ବୋଉ ସେତେବେଳକୁ ଷୋହଳ ପାର ହେଇ ସତରରେ ଗୋଡ଼ ଦେଇ ସାରିଥାଏ । ସତର ବର୍ଷ ହେଇ ଯାଇଥିଲେ ମଧ୍ୟ ସେ ପର୍ଯ୍ୟନ୍ତ ତାର ବିବାହ ହେଇ ନ ଥିଲା । ଏ ବୟସରେ ସେତେବେଳେ କୌଣସି ବ୍ରାହ୍ମଣ କନ୍ୟା କୁମାରୀ ଅବସ୍ଥାରେ ରହିବା କୌଣସି ଦିଗରୁ ଶୋଭନୀୟ ନୁହେଁ । ଯାହା ହେଉ, ମୋର ତରୁଣୀ ବୋଉ ଅକ୍ଳାନ୍ତ ସେବାରେ ନନାଙ୍କୁ ସୁସ୍ଥ କରି ପାରିଥିଲା ।

 

ଜର ଛାଡ଼ିଯିବା ପରେ ନନା ଚାଲିଯିବା ପାଇଁ ବାହାରିଥିଲେ । କିନ୍ତୁ ଅଜା ତାଙ୍କୁ ଛାଡ଼ିଲେନି; ଏକ ପ୍ରକାର ଜୋରକରି ତାଙ୍କୁ ରଖିନେଇ ଥିଲେ । ପୁରାଭାବରେ ଅସୁସ୍ଥତା କଟିଯିବା ପରେ ଅଜା ଖୋଳି ତାଡ଼ି ନନାଙ୍କର ସବୁକଥା ବାହାର କରିଥିଲେ । ସବୁକଥା ଶୁଣିବା ପରେ ଯେତିକି ଆଶ୍ଚର୍ଯ୍ୟ ହେଇଥିଲେ, ତା ଅପେକ୍ଷା ଅନେକ ବେଶୀ କ୍ଷୁବ୍ଧ ହେଇଥିଲେ । ଗୋଟିଏ ସୁଶିକ୍ଷିତ ସୁଦର୍ଶନ ଯୁବକ ଏମିତି ଲକ୍ଷ୍ୟହୀନ ଉଦଭ୍ରାନ୍ତ ଭଳି ଦେଶ ଦେଶାନ୍ତରେ ଘୂରି ବୁଲିପାରେ, ଅଜାଙ୍କ ପକ୍ଷରେ ସେଇଟା ଯେମିତି ପରମ ଅବିଶ୍ୱାସ, ଅକଳ୍ପନୀୟ ଥିଲା । ବିମୁଢ଼ଙ୍କ ଭଳି କହିଥିଲେ, “ଏଭଳି ଜୀବନଟାକୁ ନଷ୍ଟ କରୁଚନ୍ତି କାହିଁକି ?”

 

ନନା କହିଥିଲେ, “କିଏ କହିଲା ନଷ୍ଟ କରୁଚି !”

 

ମଣିଷ ଆଉ ନିଃସର୍ଗ ସାରା ଭୁବନବ୍ୟାପୀ ଯେଉଁ ବିଚିତ୍ର ପ୍ରଦର୍ଶନୀ ସଜ୍ଜା ହେଇ ରହିଚି, ତା’ରି ଭିତରେ ମୁଗ୍ଧ ଆଗନ୍ତୁକ ଭଳି କଦମ୍ ପକେଇ ପକେଇ ସେ ଜୀବନର ରହସ୍ୟକୁ ଜାଣିବାର ଚେଷ୍ଟା କରୁଚନ୍ତି । ଏଇକଥା ସେ ଅଜାଙ୍କୁ ବୁଝେଇବାର ଚେଷ୍ଟା କରିଥିଲେ ।

 

ଯେଉଁ ଯାଯାବରର ସ୍ଵପ୍ନ ରାଜ୍ୟରେ ନନାଙ୍କର ସଞ୍ଚରଣ ସେଇଟା ଅଜାଙ୍କର ବୁଝିବା ଶକ୍ତିର ବାହାରେ ଥିଲା । ପାଠଶାଠ ପଢ଼ି; ବିଶ୍ଵ ବିଦ୍ୟାଳୟର ମାର୍କା ଧରି ପିଲାମାନେ ରୋଜଗାର କରିବେ–ମୋଟା ମୋଟି ସେ ଏଇ ହିସାବଟା ବୁଝୁଥିଲେ । ଗଛତଳୁ ଗୋଟେଇ ଆଣି ସୁସ୍ଥ କରିଥିବା ହେତୁ ସମ୍ଭବତଃ ନନାଙ୍କ ଉପରେ ତାଙ୍କର କିଛିଟା ଦାବୀ ଦେଖା ଦେଇଥିଲା । ତାଛଡ଼ା ଲକ୍ଷ୍ୟ କରିଚନ୍ତି, ଏଇ ଲଗାମଛଡ଼ା ଦୂର ମନସ୍କ ସୁଦର୍ଶନ ପିଲାଟା ତାଙ୍କର ସପ୍ତଦଶବର୍ଷିଆ କନ୍ୟାର ପ୍ରାଣରେ ଗାଢ଼ ରଙ୍ଗର ଗୋଟାଏ କିଛି ରେଖା ଟାଣି ଦେଇଚି । ପିଲାଟିଆଡ଼େ ଚାହିଁ ଝିଅର ମୁହଁରେ ଯେଉଁ ଭାବର ଆଲୋକ ନାଚି ଉଠେ, ଆଖିର ମଣିଗୁଡ଼ାକ ଯେଭଳି ମୁଗ୍ଧ ହୋଇଯାଏ । ଏ ସବୁର ଅର୍ଥ ଯେ କଣ ହେଇପାରେ ସଂସ୍କୃତ ନାଟକ ଆଉ କାବ୍ୟ ଧରି ଯେ ଜୀବନ କଟେଇଚନ୍ତି–ସେଇ ଅଜାଙ୍କ ପକ୍ଷେ ଏଗୁଡ଼ା ନିଶ୍ଚୟ ଦୁର୍ବୋଧ୍ୟ ହୋଇ ନ ଥିବ । ସର୍ବାପେକ୍ଷା ବଡ଼ କଥା ହେଉଚି ପିଲାଟି ହେଉଛି ସ୍ୱଜାତିର ଏବଂ ଉଚ୍ଚ ବଂଶ ଜାତ । ତେଣୁ ଅଜା ପିଲାଟିର ବିକ୍ଷିପ୍ତ ବିଶୃଙ୍ଖଳ, ଦିଗନ୍ତ ବିସ୍ତୃତ ଜୀବନଟାକୁ ସଙ୍କୁଚିତ କରି ଗୋଡ଼ରେ କଡ଼ା ପକେଇ ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ । ପ୍ରଥମେ ୟାକୁ ତାକୁ ଧରାଧରି କରି ସରକାରୀ ଦପ୍ତରରେ ଗୋଟାଏ ଭଲ ଚାକିରି ଯୋଗାଡ଼ କରି ଦେଇଥିଲେ । ମାସକୁ ଅଶିଟଙ୍କା ଦରମା । ସେତେବେଳ ସମୟରେ ଦରମାର ଏଇଟା ସାଧାରଣ ସ୍ତରରେ ସର୍ବୋଚ୍ଚ ବୋଲି ଧରାଯାଉ ଥିଲା । ଚାକିରି ପାଇବାର କିଛିଦିନ ପରେ ଗୋଟାଏ ଶୁଭ ତିଥିରେ ଅଜା ନିଜ ଝିଅ ସଙ୍ଗେ ବିବାହ ଦେଇଥିଲେ ।

 

ଅବଶ୍ୟ ବିବାହ ଏବଂ ଚାକିରି–ଏକ ସଙ୍ଗେ ଦୁଇ ଦୁଇଟି ଶିକୁଳି ନନା ଯେ ଖୁବ୍ ନିର୍ବିବାଦରେ ମାନି ନେଇଥିଲେ, ସେ ଭଳି ମନେ ହେଉ ନଥିଲା । ତେବେ ଗୋଟାଏ ନୂଆ ଅଭିଜ୍ଞତା ହିସାବରେ ସାମାନ୍ୟ କୌତୁକର ସହିତ ସମ୍ଭବତଃ ଏ ଦୁଇଟାକୁ ମୁଣ୍ଡ ନୁଆଁଇ ଦେଇଥିଲେ । ଅର୍ଥାତ୍ ଏଇ ଶୃଙ୍ଖଳିତ ଜୀବନର ସ୍ଵାଦ କେମିତି ସେଇଟା ଜାଣିବାର ଚେଷ୍ଟା କରୁଥିଲେ; କୌଣସି ବନାନୀର ସ୍ନିଗ୍ଧ ଛାୟାରେ ଟିକିଏ ବିଶ୍ରାମ କରିବା ପାଇଁ ଲାଳାୟିତ ହୋଇ ପଡ଼ିଥିବେ । ସେ ଛାୟାଟା ଅଜା ଆଈଙ୍କର ସ୍ନେହ ରୂପେ ଦେଖା ଦେଇଥିଲା । ଦେଖା ଦେଇଥିଲା ବୋଉର ନିବିଡ଼ ଆକର୍ଷଣ ଭାବରେ ।

 

ଖୁବ୍ ପିଲା ବେଳୁ ବାପା ମାଆଙ୍କୁ ହରେଇ ନନାଙ୍କର ସ୍ନେହ ଶ୍ରଦ୍ଧାର ଅଭିଜ୍ଞତା ଆଦୌ ଅର୍ଜ୍ଜନ କରିପାରି ନ ଥିଲେ । ଆଜା ଆଈଙ୍କର ସ୍ନେହ ଶ୍ରଦ୍ଧା ଏବଂ ବୋଉଠାରୁ ସେବାଯତ୍ନ ପାଇ ନନା କିଛି ସମୟ ପାଇଁ ବିଗଳିତ ଆଚ୍ଛନ୍ନତା ମଧ୍ୟରେ ବୁଡ଼ି ଯାଇଥିଲେ ବୋଧହୁଏ ।

 

ଏଇ ସଂସାର ନିଶାରେ ଟଳଟଳ ହେଇ ନନା ଘରଠାରୁ ସାତ ମାଇଲ ଦୂର ସେଇ ସରକାରୀ ଦପ୍ତରର କାମ କରିଯାଉ ଥିଲେ, ବୋଉ ଅବଶ୍ୟ ଅଜାଙ୍କ ପାଖେ ଦଳେଇଘାଟରେ ରହୁଥିଲା, ଛୁଟି ହେଲେ ନନା ସେଠିକି ଆସୁଥିଲେ, ଦୁଇ ଚାରିଦିନ ରହି ପୁଣି ତାଙ୍କର କର୍ମକ୍ଷେତ୍ରକୁ ଫେରି ଯାଉଥିଲେ ।

 

କିନ୍ତୁ ନନାଙ୍କର ଏଇ ଆଚ୍ଛନ୍ନତାର ଆୟୁ ମାତ୍ର ଚାରିମାସ ଥିଲା । ସଂସାର ହେଉ, ଚାକିରି ହେଉ, ସ୍ତ୍ରୀ ହେଉ ବା ଛୁଆପିଲା ହୁଅନ୍ତୁ- କୌଣସି ଗୋଟାଏ କେନ୍ଦ୍ର ବିନ୍ଦୁର ଚାରିପାଖେ ଆଜୀବନ ଏପାଖ ସେପାଖ ହୋଇ ବୁଲିବା ତାଙ୍କର ସ୍ୱଭାବ ବିରୁଦ୍ଧ ଥିଲା । ଯେଉଁ ଜୀବନ ଏତେ କାଳ ଦୂର ଦିଗନ୍ତରେ, ଆକାଶର ଅସୀମ ନୀଳିମାରେ, ସୁବିଶାଳ ପ୍ରାନ୍ତରରେ ଖେଳେଇ ହେଇଥିଲା ତାକୁ ସେ ଗୋଟାଏ ଛୋଟ ବୃତ୍ତ ମଧ୍ୟରେ ଚାରିମାସ ଧରି ଜାକିଜୁକି ରଖିଥିଲେ । ସେଇ ସଂହତ ସଙ୍କୁଚିତ ସତ୍ତା ହଠାତ୍ ଦିନେ ବିଦ୍ରୋହ କରି ବସିଲା । ରକ୍ତକଣା ଭିତରୁ ଅଦୃଶ୍ୟ ଯାଯାବର ତା ପୁଣି ଗୁମୁରିବାକୁ ଲାଗିଲା । ଦୂର ଦିଗନ୍ତ, ଅଜଣା ନଦୀର ଉତ୍ସ କିମ୍ଵା ଅଚିହ୍ନା ଜଳଧି ପୁଣି ତାଙ୍କୁ ହାତଠାରି ଡାକିଲା । ସେ ଆହ୍ଵାନକୁ ଉପେକ୍ଷା କଲା ଭଳି ଶକ୍ତି ନନାଙ୍କର ନଥିଲା । ଅଜା ଖୁବ୍ ଯତ୍ନର ସହିତ ସୁକୌଶଳରେ ତାଙ୍କ ପାଇଁ ଯେଉଁ ସୁନାର ପଞ୍ଜୁରିଟା ତିଆରି କରିଥିଲେ । ଦିନେ ନନା ସେଇଟା ଭାଙ୍ଗି ଉଡ଼ିଗଲେ । ଯିବା ଆଗରୁ କାହାରି କି କିଛି କହି ଗଲେନି ।

 

ନନା ଚାରିମାସ ଚାକିରି କରିଥିଲେ; ଦରମା ପାଇଥିଲେ ଅଶିର ଚାରିଗୁଣ ଅର୍ଥାତ୍ ତିନିଶହ କୋଡ଼ିଏ ଟଙ୍କା । ଶୁଣିଚି ସାରା ଜୀବନରେ ଚାକିରି କାଳ ହେଲା ଏଇ ଚାରିମାସ; ଆଉ ରୋଜଗାର ଏଇ ତିନିଶହ କୋଡ଼ିଏ ଟଙ୍କା ।

 

ଗୋଟାଏ ମଣିଷ ସାରା ଜୀବନ ଭିତରେ ମାତ୍ର ତିନିଶହ କୋଡ଼ିଏ ଟଙ୍କା ରୋଜଗାର କରିଚି, ଏଇଟା ଶୁଣିବାକୁ କେମିତି ଲାଗୁଥିଲା । ଯାହା ହେଉ, ନନା ସେ ଯେଉଁ ଚାଲିଗଲେ ତାପରେ ପାଞ୍ଚବର୍ଷ କଟିଗଲା ପରେ ଆସିଲେ । ସାତଟା ଦିନ ରହି ପୁଣି ଅନ୍ତର୍ଦ୍ଧାନ ହୋଇଗଲେ । ପୁଣି ଆସିଲେ ତିନିବର୍ଷ ପରେ । ନନା ଆସନ୍ତି କିନ୍ତୁ ଦଶବାର ଦିନରୁ ବେଶି ରହନ୍ତି ନି । ତାଙ୍କର ଏଇକ୍ଷଣ ଦାମ୍ପତ୍ୟର ଅଭିଜ୍ଞାନରୁ ଗୋଟି ଗୋଟି ହୋଇ ଭାଇ ଭଉଣୀ ଆମେ ପୃଥିବୀକୁ ଆସିଚୁ । ଜ୍ଞାନ ହେବା ପରେ ନନାଙ୍କର ଏଇ ଯିବା ଆସିବା ଖେଳ ନିଜ ଆଖିରେ ଦେଖିଚି । ସେ ମଧ୍ୟ ସେତେ ବେଶି ନୁହେଁ, ମାତ୍ର ସାତ ଆଠଥର ।

 

ମୋଟା ମୋଟି ଏଇଟା ନନାଙ୍କ ବିଷୟରେ ଗୋଟାଏ ରେଖାଚିତ୍ର । ସାଧାରଣ ଦୃଷ୍ଟିରେ ନିହାତି ଅପଦାର୍ଥ ଦାୟିତ୍ଵ ଜ୍ଞାନହୀନ, ନିର୍ବୋଧ । ହୁଏତ ଉନ୍ମାଦ ମଧ୍ୟ । କିନ୍ତୁ କେତେଟା ଘଟଣା କିମ୍ଵା ଚିରାଚରିତ ସାମାଜିକ ଧାରଣାଦ୍ଵାରା ତାଙ୍କୁ ବୋଧହୁଏ ସମ୍ପୂର୍ଣ୍ଣ ଭାବରେ ବୁଝି ହୁଏନି । ନନାଙ୍କୁ ପୁରାପୁରି ବୁଝିବାକୁ ହେଲେ ଆହୁରି ବ୍ୟାପକ ଭାବରେ ତାଙ୍କର ଜୀବନକୁ ବିଶ୍ଳେଷଣ କରିବାକୁ ପଡ଼ିବ ।

 

ଆଗରୁ କହିଚି ମୋ ବୋଉ ନାଆଁ ସୁଲୋଚନା । ନାଆ ସାଙ୍ଗେ ରୂପର ସାମଞ୍ଜସ୍ୟ ଖୁବ୍ କ୍ଵଚିତ୍ ଦେଖାଯାଏ–ଦୁଇଟା ଭିତରେ ଯେମିତି ଅନେକ ଦିନର ଅପଡ଼ । କିନ୍ତୁ ବୋଉଠାରେ କେବଳ ନାଆଁଟା ସାର୍ଥକ ହେବନି, ସବୁ ଅର୍ଥକୁ ବଳେଇ ଆଉ କିଛି ଅଧିକା ମହିମା ତାଠାରେ ବୋଧହୁଏ ଥିଲା । ବୋଉର ଆଖି ଦୁଇଟା ଏବେ ବି ମୁଁ ଭୁଲି ପାରିନି–ପାରିବିନି ମଧ୍ୟ । ଯେମିତି ବିଶାଳ ସେମିତି ଟଣା ଟଣା ଡୋଳା ଦି’ଟା ଯେମିତି ଦୁଇଟା ଗାଢ଼କଳା କାଚର ଗୋଲି । କାହାଆଡ଼େ ଯେତେବେଳେ ଚାହେଁ, ମନେହୁଏ, ଦୃଷ୍ଟିଟା ହୃତ୍‍ପିଣ୍ଡ ଭିତରେ ଫୋଡ଼ି ହୋଇଯାଉଚି ।

 

ଆଖିଭଳି ବୋଉର ସର୍ବାଙ୍ଗରେ ଚାପର ଢେଉ ନାଚୁଥିଲା । ସାମାନ୍ୟ ଡିମ୍ବାକୃତି ମୁହଁ କୁଞ୍ଚିତ ଘନ କେଶରାଶି ପିଠିସାରା ଖେଳେଇ ହୋଇ ପଡ଼ିଥାଏ । ପାଚିଲା ଧାନ ପରି ଦେହର ରଙ୍ଗ-। କିନ୍ତୁ ଧାନ ଭଳି ଖାସୁରା ନୁହେଁ, ଖୁବ୍ ଉଜ୍ଜଳ ଆଉ ମସୃଣ । ଫଳରେ ସେ ଦୀପ୍ତବର୍ଣ୍ଣା ଥିଲା-। ଏ ଦେଶର ଝିଅ ତୁଳନାରେ ସେ ଥିଲା ଦିର୍ଘାଙ୍ଗୀ । ହଠାତ୍ ଦେଖିଲେ ବିଦେଶିନୀ ଭଳି ମନେ ହୁଏ-

 

ଏଇ ରୂପ ବଳରେ ବୋଉ ଅନାୟାସରେ କବିର ଧ୍ୟାନ ଅଥବା ଶିଳ୍ପୀର ହୃଦୟେଶ୍ୱରୀ ହୋଇପାରି ଥାଆନ୍ତା କିନ୍ତୁ ଜ୍ଞାନ ହେବା ପରଠାରୁ କୌଣସି ଦିନ ବୋଉକୁ ବେଶଭୂଷା ହେବାର ଦେଖୁନି । ଏଡ଼େ ସୁନ୍ଦର ବାଳ–ନିବିଡ଼ ଆଉ ଘନ–ଅଜସ୍ର ଏବଂ କୁଞ୍ଚିତ, ଅଥଚ ଭୁଲରେ ବି ଖୋଷା ବାନ୍ଧେନି । ବିନା ତେଲରେ, ପାନିଆ ଅଭାବରେ–ଅଯତ୍ନ ଆଉ ଅବହେଳାରେ, ସେଗୁଡ଼ାକ ଅଡ଼ୁଆ ତଡ଼ୁଆ ହେଇ ଜଟ ବାନ୍ଧି ଯାଇଥାଏ । ଦୁଇହାତରେ ଦି’ମୁଠା ପାଣିକାଚ ବ୍ୟତୀତ ଧାତୁବୋଲି ଦେହରେ କିଛି ନ ଥାଏ । ନାକ ଆଉ କାନରେ ସରୁକାଠି ଖଣ୍ଡେ ଖଣ୍ଡେ ଲାଗିଚି । ଅଥଚ ବାହାଘର ବେଳେ ଅଜା ହାର, କାନଫୁଲ, ସୁନାକାଚ, ସୁନାବାଲା, ନାକମାଛି ସବୁ ଦେଇଥିଲେ । ବୋଉ ସେ ସବୁ ଟ୍ରଙ୍କ ଭିତରେ ରଖି ଦେଇଚି ।

 

ଲାଲ୍ କିମ୍ବା ନୀଳ ରଙ୍ଗର ମୋଟା ପଟା ଧଡ଼ିଆ ମିଲ୍‍ଶାଢ଼ୀ ଆଉ ବଗଡ଼ା କନାର ବ୍ଲାଉସ୍ ବ୍ୟତୀତ ବୋଉ ଆଉ କିଛି ପିନ୍ଧେନି । ଶୀତଦିନେ ଗୋଟାଏ ମୋଟା ଖଦଡ଼ ଛାପା ଚଦର ତା’ଉପରେ ପକେଇ ଦିଏ । ତେବେ ବଡ଼ କଥା ହେଉଛି, ଆଗର ତମ୍ବା ଅଧଲା ଭଳି, ମୁଣ୍ଡରେ ଗୋଟାଏ ବଡ଼ ସିନ୍ଦୂର ଟିପା ଲଗାଏ ଆଉ ସୁନ୍ଥାରେ ମୋଟା ସିନ୍ଦୂର ଧାରଟା ପ୍ରାୟ ମୁଣ୍ଡ ଅଧା ପର୍ଯ୍ୟନ୍ତ ଚାଲିଯାଏ ।

 

ବୋଉ ଖୁବ୍ କମ୍ କଥା କହେ । ତାକୁ ହସିବାର କ୍ଵଚିତ୍ ଦେଖିଚି । ସଦାବେଳେ ମନେ ହୁଏ, ଗୋଟାଏ ଧୂଷର କୁହୁଡ଼ି ଘେରା ବିଷର୍ଣ୍ଣ ଜଗତରେ ସେ ଯେମିତି ରହିଚି, ସେଥିପାଇଁ ସ୍ପଷ୍ଟ ଭାବରେ ତାକୁ ବୁଝି ହେଉନି ।

 

ନନା ଦୂରରେ ଥାଆନ୍ତି ବୋଲି ଅପରିଚିତ । ବୋଉ ପାଖରେ ଥାଇ ମଧ୍ୟ ଅଚିହ୍ନା ରହିଥାଏ ।

 

ଅନେକ ସମୟରେ ଦେଖେ, ବୋଉ ଓଠ ଦୁଇଟା ଦୃଢ଼ବଦ୍ଧ, ଆଖି ଛାୟାଛନ୍ନ, ସଦାବେଳେ ଖଟି ଚାଲିଛି । ରନ୍ଧାବଢ଼ା, ଧୂଆପୋଛା, ଘଷାମଜା, ସଂସାରରେ ଯାବତୀୟ କାମ ସେ ଏକା ହାତରେ କରେ । ଆଈ ଯଦି କିଛି କରିବାକୁ ଯାଏ ତାହେଲେ ବୋଉ ରାଗିଯାଏ । ହଠାତ୍ ଦେଖିଲେ ମନେହୁଏ, ସେ ଅଜାଙ୍କର ଏକମାତ୍ର ଝିଅ ନୁହେଁ । ଯେମିତି ପିଲା ଛୁଆକୁ ଧରି କୌଣସି ଆତ୍ମୀୟ ଘରେ ବୋଝ ଭଳି ରହିଚି ଏବଂ ହାଡ଼ ଗୋଡ଼େ ଖଟି ଖଟି ସେମାନଙ୍କୁ ଖୁସି କରି ଏଠାରେ ରହିବାର ଅଧିକାର ପାଇଚି ।

 

ଦିନସାରା ଧାଇଁ ଧପଡ଼ି ଚକ୍ରଭଳି ବୁଲି ବୁଲି ବୋଉ କାମ କରେ ଆଉ ମୁଁ ଠିକ୍ ଭାବରେ ପଢ଼ାଶୁଣା କରୁଚି କି ନାଇଁ ତା ଉପରେ କଡ଼ା ନଜର ରଖିଥାଏ । ବହି ଉପରୁ ଟିକିଏ ମନୋଯୋଗ ଶିଥିଳ ହେବାମାତ୍ରେ ପିଠି ଉପରେ ଦୁମକରି ଗୋଇଠା ଆସି ବସିଯାଏ । କେବଳ ପଢ଼ାଶୁଣା ପାଇଁ ନୁହେଁ, ଯେତେବେଳେ ଇଚ୍ଛା ସେତେବେଳେ କାରଣ–ଅକାରଣରେ ବୋଉ ମତେ ଏବଂ ଭାଇଭଉଣୀମାନଙ୍କୁ ମାଡ଼ ଦିଏ । ଖୁବ୍ ନିଷ୍ଠୁର ମାଡ଼ । ମାଡ଼ ଖାଇ ଖାଇ କେତେଥର ଯେ ଲହୁ ଲୁହାଣ ହେଇ ଯାଇଚି ତାର ହିସାବ ନାହିଁ ।

 

ମନେ ପଡ଼ୁଚି, ମାଡ଼ଖାଇବାଟା ଆମମାନଙ୍କର ନିୟମିତ ଏବଂ ଦୈନନ୍ଦିନ ହୋଇ ପଡ଼ିଥିଲା । ମାଡ଼ ଖାଇଲାବେଳେ ଅଜା କିମ୍ବା ଆଈ ଯଦି ଛଡ଼େଇ ଦେବାକୁ ଆସନ୍ତି, ତାହେଲେ ବୋଉ ଭୟଙ୍କର ହୋଇଉଠେ, ମୁହଁକୁ ଯାହା ଆସେ ତା’ କହି ପକାଏ । ବୋଉ ବୁଝେଇଦିଏ ତାର ପିଲାମାନଙ୍କ ବିଷୟରେ କାହାରି କିଛି କହିବାର ଅଧିକାର ନାହିଁ । ଆମମାନଙ୍କୁ ସେ ମାରିବ, ହାଣିବ ଯାହା ଇଚ୍ଛା ତା କରିବ । କେହି ଅଲଗା ଆଦର ଦେଖେଇଲେ ସେ ସହି ପାରିବନି ।

 

ଆମମାନଙ୍କ ପ୍ରତି ବୋଉର ନିଷ୍ଠୁରତାର ଅନ୍ୟ କି ଅର୍ଥ ଥିଲା । ସେଇଟା ପିଲାଦିନେ ବୁଝିପାରି ନ ଥିଲି । ବଡ଼ ହେବା ପରେ ଭାବି ଦେଖିଚି । ଜ୍ଞାନଶୂନ୍ୟ ଭଳି ଆମମାନଙ୍କୁ ମାଡ଼ ଦେଇ ବୋଉ ଯେମିତି କୌଣସି ଅଦୃଶ୍ୟ କାହା ଉପରେ ଆକ୍ରୋଶ ମେଣ୍ଟାଉଥିଲା ।

 

ଲକ୍ଷ୍ୟ କରିଚି ଘରକୁ ଭଲ ଭଲ ଖାଇବା ପିଇବା ଜିନିଷ ଆସିଲେ ବୋଉ ସେ ସବୁ ଅଜା ଆଈଙ୍କୁ ଖାଇବାକୁ ଦେଇଦିଏ । ସେମାନେ ଆପତ୍ତି କଲେ ମଧ୍ୟ ବୋଉ ମୋଟେ ଶୁଣେନି । ପାଟି କରେ । ଆମ ଭାଇ ଭଉଣୀଙ୍କ ଭାଗ୍ୟରେ ସେଇ ଭାତ ଡାଲି ଆଉ କେତେବେଳେ କେମିତି ଟିକିଏ ସନ୍ତୁଳା ଜୁଟେ । ଅତି ସାଧାରଣ । ପ୍ରତିଦିନ ସେଇଗୁଡ଼ାକ ଖାଇ ଖାଇ ଅରୁଚି ଆସି ଯାଇଥିଲା । ମନେ ପଡ଼ୁଛି ଖୁବ୍ କମ୍ ଦିନ ବୋଉ ଆମମାନଙ୍କୁ ପେଟପୂରା ଖାଇବାକୁ ଦିଏ । ତା ଫଳରେ ଆମ୍ଭମାନଙ୍କ ଶରୀରରେ ପୁଷ୍ଟି ନଥିଲା, ବୃଦ୍ଧି ନଥିଲା, ଆମେମାନେ ରୁଗ୍‍ଣ, ଦୁର୍ବଳ, କୃଶ ଏବଂ କରୁଣ ଥିଲୁ ।

 

କେବଳ ଆମମାନଙ୍କ ପ୍ରତି ବୋଉର ନିଷ୍ଠୁରତା ନ ଥିଲା, ତା ନିଜ ପ୍ରତି ବି ସେ ନିଷ୍ଠୁର ଥିଲା । ନିଜକୁ ଏମିତି ଅନାଦର ଆଉ ଅଯତ୍ନ କରିବା ମୋର ଏଇ ଷାଠିଏ ବର୍ଷର ଜୀବନ ଭିତରେ କାହାରିକୁ ଦେଖିନି । ଆଗରୁ କହିଚି ସେ ମୁଣ୍ଡରେ ତେଲ ଲଗାଏ ନି, ପାନିଆ ବ୍ୟବହାର କରେନି । ‘ବେଶଭୂଷା’ ଶବ୍ଦଟା ତା ପାଖେ ଯେମିତି ନିତାନ୍ତ ଅପରିଚିତ ଥିଲା । ସେଇ ବୋଉ ମୋର ସକାଳ ଓଳି ଦି’ଟା ଭାତ ଖାଏ, ରାତିରେ ଦୁଇଟା ମୁଢ଼ି କିମ୍ବା ଚୁଡ଼ା ଚୋବେଇ ପାଣି ପିଇ ଶୋଇ ପଡ଼େ । ଆଶ୍ଚର୍ଯ୍ୟର କଥା, ସେଥିରେ ବି ତାର ସ୍ଵାସ୍ଥ୍ୟ ନଷ୍ଟ ହେଇ ନ ଥିଲା ।

 

ମୋର ପିଲାଦିନେ ବୋଉ ଅବିକଳ ଗୋଟିଏ ସନ୍ୟାସିନୀ ଭଳି ଦେଖା ଯାଉଥିଲା । ସିନ୍ଦୂର ଆଉ ହାତର ଚୁଡ଼ି ଉପରେ ଦୃଷ୍ଟି ନ ପଡ଼ିଲେ ହଠାତ୍ ବିଧବା ବୋଲି ଧାରଣା ହେବ । କିନ୍ତୁ ଆମେମାନେ ଜାଣୁ, ବୋଉ ସେସବୁ କିଛି ନ ଥିଲା । ସେ ଆତ୍ମ ପୀଡ଼ନର ଅନ୍ୟ ଅର୍ଥ ଥିଲା ।

 

ମନେ ପଡ଼ୁଚି ବୋଉର ସାଙ୍ଗ ସୁଖ କିଛି ନ ଥିଲା । ଜୀବନର ଅନେକ ଗୁଡ଼ାଏ ବର୍ଷ ଦଳେଇଘାଟରେ କଟେଇବା ଭିତରେ, କୌଣସିଦିନ ବୋଉକୁ ଘର ଭିତରୁ ବାହାରିବାର ଦେଖିନି । ଦିନସାରା ନିଜକୁ ସେ ଘର ଭିତରେ ବନ୍ଦୀ କରି ରଖିଥାଏ । ନିଜେ ତ ଘର ଭିତରେ ପଶିଥାଏ, ଆମମାନଙ୍କୁ ବି ବାହାରକୁ ଛାଡ଼େନି । ଖେଳିବା ବୁଲିବା ସବୁ ଆମର ବନ୍ଦ ।

 

ବୋଉ ଘର ଭିତରେ ଗୋଟାଏ ଗୁରୁଗମ୍ଭୀର, ଶ୍ଵାସରୁଦ୍ଧ ଆବହାୱା ଖେଳେଇ ଦେଇଥାଏ ।

 

ମନେଅଛି, ଜ୍ଞାନ ହେବା ପରଠାରୁ ବୋଉ ବାରମ୍ବାର ଗୋଟାଏ କଥା କହେ ‘ଦଶବର୍ଷ ସମୟ ହେଉଚି, ଏହା ଭିତରେ ମାଟ୍ରିକ୍ ପାଶ୍ କରି ଚାକିରି କରିବାକୁ ହେବ । ତୁ ଚାକିରି କଲାପରେ ମୁଁ ଆଉ ଦିନେ ବି ଏ ଘରେ ରହିବି ନି । ଅଲଗା ଘରଭଡ଼ା କରି ରହିବା ।

 

ବୋଉର ଏ କଥାଟା ଉଠିଲେ, ବସିଲେ, ଚାଲିଲେ, ବୁଲିଲେ କେତେଥର ଯେ ଶୁଣିବାକୁ ହୁଏ, ତାର ହିସାବ ନାହିଁ । ଶୁଣି ଶୁଣି ଏମିତି ହେଇଯାଇଥିଲା, ବୋଉ ନ କହିଲେ ବି ମନେହୁଏ, କାନ ପାଖେ ଅବିରାମ ସେ ଶବ୍ଦ ଶୁଭୁଚି । ବୋଉର ସେ କଥାଗୁଡ଼ାକୁ ଅଲଙ୍ଘ୍ୟ ଆଦେଶ ବୋଲି ଭାବୁଥିଲି ।

 

ଅଜାଙ୍କ ସଂସାର ଉପରେ ବୋଉର ଏ ପର୍ବତ ପ୍ରମାଣ ବିତୃଷ୍ଣା ଯେ କାହିଁକି ଦେଖା ଦେଇଥିଲା, ସେଇଟା ସେତେବେଳେ ବୁଝିପାରି ନ ଥିଲି । ଅନେକ ଦିନ ପରେ ବୁଝିଥିଲି ।

 

ପିଲାଦିନେ ବୋଉକୁ ମୋର ନିଷ୍ଠୁର, ପ୍ରବଳ ଆଉ ବ୍ୟକ୍ତିତ୍ୱମୟୀ ବୋଲି ମନେ ହୁଏ । ମନେହୁଏ ଅନେକଗୁଡ଼ାଏ ପରସ୍ପର ବିରୋଧୀ ସ୍ରୋତ ତା ଭିତର ଦେଇ ଯେମିତି ଛୁଟିବାରେ ଲାଗିଚି । ପିଲାବେଳର ଅସ୍ଫୁଟ ଅପରିଣତ ଚେତନାରେ ଯେତିକି ମାତ୍ର ବୁଝି ପାରିଚି ସେଥିରେ ନିଷ୍ଠୁରତା ମଲାଟ ତଳେ ମୋର ରାଗୀ ବୋଉକୁ ସେତେବେଳେ ଯେମିତି ଖୁବ୍ ଅସୁଖୀ ବୋଲି ମନେ ହେଉଥିଲା ।

 

ବୋଉକୁ ଆମେମାନେ ଭୟ କରୁଥିଲୁ । କେବଳ ଆମେ ନୁହଁ, ଅଜା, ଆଈ ବି ଭୟ କରନ୍ତି । ଯେତେଦୂର ସମ୍ଭବ ତା ପାଖରେ ପଶନ୍ତିନି । ଭୟ କରୁଥିଲେ ମଧ୍ୟ ବୋଉ ସମ୍ବନ୍ଧରେ ମୋର କଅଁଳ ପ୍ରାଣରେ ବି ଗୋଟାଏ ଦୁର୍ବାର କୌତୂହଳ ଥିଲା ।

 

ମୋର ଅଜାଙ୍କ ନାଆଁ ଥିଲା ଦାମୋଦର ବିଦ୍ୟାଭୂଷଣ । ଦଳେଇଘାଟ ଆସିବା ପରେ ବିଦ୍ୟାଭୂଷଣ ଉପାଧିଟାକୁ ବର୍ଜନ କରି ନାଆଁ ଶେଷରେ ସେ କୁଳପଦବୀ ମହାପାତ୍ରଟାକୁ ଯୋଡ଼ି ଦେଇଥିଲେ । ଟୋଲ୍ ନାହିଁ, ଯଜନ ଯାଜନ ବା ଅଧ୍ୟାପନା କୌଣସିଟା ନାହିଁ । ତେଣୁ ବିଦ୍ୟାଭୂଷଣଟା ତ ନିଷ୍ଫଳା ଶବ୍ଦ ମାତ୍ର; ଖାଲି ଗୋଟାଏ କଥାର କଥା । ସେଇଟା ଆଉ ଦରକାର କଣ ? ଶିଳ୍ପାଞ୍ଚଳ ଦଳେଇଘାଟରେ ବିଦ୍ୟାଭୁଷଣର ଜୋର୍ ଟାଣିବା ନିତାନ୍ତ ଅହେତୁକ ବୋଲି ତାଙ୍କର ମନେ ହେଇଥିଲା ।

 

ଅଜା ଥିଲେ ହାସ୍ୟ–ରସ ସମୁଜ୍ଜ୍ଵଳ । ଖାଦ୍ୟପ୍ରେମୀ । ଗୁଡ଼ାଏ ଅସୁର ଭଳି ଗଳିଯିବା ସ୍ଵଭାବ ତାଙ୍କର ନ ଥିଲା । ଭଲ ଭଲ ଲୋଭନୀୟ ଖାଦ୍ୟ ପ୍ରତି ଆସକ୍ତି ଥିଲା । ଅଜା ରସିକତାର ସୁନାଖଣି ଥିଲେ । କେବଳ ନାତି ନାତୁଣୀଙ୍କୁ ନେଇ ହସ ପରିହାସ ନୁହେଁ, ସବୁଠି ସବୁ କ୍ଷେତ୍ରରେ ସେ ଥିଲେ ଖୋଲା ଖୋଲି ରସିକ, ତାଙ୍କର ପରିହାସରେ ପଞ୍ଚସ୍ତରୀ ଭାଗ କେବଳ ତାଙ୍କ ନିଜକୁ ଘେରି ରହିଥିଲା ।

 

ମାମୁଁ ଘର ବଂଶଟା ରୂପ ପାଇଁ ବିଖ୍ୟାତ ଥିଲା । ମୋର ନିଜର ଅବଶ୍ୟ ମାମୁଁ ନ ଥିଲେ, କିନ୍ତୁ ବୋଉକୁ ତ ଦେଖିଚି । ବୋଉର କକେଇ ପୁଅ, ଦଦେଇ ପୁଅମାନଙ୍କୁ ମଧ୍ୟ ଦେଖିଚି । ସମସ୍ତେ ମିଶି ଯେମିତି ଗୋଟାଏ ରୂପର ହାଟ ବସେଇଥିଲେ । କେବଳ ବଂଶର ପୁଅଝିଅମାନେ ନୁହଁନ୍ତି, ଅନ୍ୟ କୁଳରୁ ଯେଉଁମାନେ ଏ ଘରକୁ ବୋହୂହେଇ ଆସନ୍ତି ରୂପଦୃଷ୍ଟିରୁ ସେମାନେ ଖାଣ୍ଟିସୁନା କହିଲେ ଚଳେ । କିଛି ଅଚଳା ଅଚଳ ସମ୍ପତ୍ତି ଲୋଭରେ ରୂପସୀମାନେ ଏ ଘରକୁ ବୋହୂ ହୋଇ ଆସନ୍ତି ନି । ଆସନ୍ତି କେବଳ ରୂପ ଭଣ୍ଡାରର ଲୋଭରେ ।

 

ଯାହାହେଉ ବଂଶର ଧାରା ଅନୁସରଣ କରି ଅଜାଥିଲେ ରୂପବାନ, ସୁପୁରୁଷ, ଦେହର ରଙ୍ଗ ଠିକ୍ ମୋ ବୋଉପରି । ତେବେ ବୟସର, ଆଧିକ୍ୟ ସେଥିରେ କିଛିଟା ମଳିନତା ଆଣି ଦେଇଥିଲା । ଦୀର୍ଘ ଉଜ୍ଜ୍ଵଳ ଆଖି, ଧାରୁଆ ନାକ–ପ୍ରତିଟି ପ୍ରତ୍ୟଙ୍ଗରେ ସୌନ୍ଦର୍ଯ୍ୟ ଆଉ ସୁଷମା ଯେମିତି ତାର ମେଳା ସଜାଡ଼ି ରଖିଥିଲା ।

 

ଦିନେ ଯେ ଅଜା ଗୁରୁଗିରି କରିଚନ୍ତି, ଟୋଲ ଚଳେଇଚନ୍ତି କିନ୍ତୁ ଗୁରୁ କହିଲେ, ପଣ୍ଡିତ କହିଲେ ଯେଉଁ ରୂପଟା ଆଖି ଆଗରେ ଫୁଟି ଉଠେ ଅଜାଙ୍କ ସହିତ ତାର ତିଳେହେଲେ ସାମଞ୍ଜସ୍ୟ ନ ଥିଲା । ହୋ ହା–ଘୋଘା କରି ଚାରିକରେ ଗୋଟିଏ ରଙ୍ଗିନ ଉତ୍ସବ ଜମେଇ ତାରି ଭିତରେ ଦିନ କଟାଇବାରେ ଆନନ୍ଦ ପାଉଥିଲେ । ଅବଶ୍ୟ ଦଳେଇଘାଟର ବିସ୍ତୀର୍ଣ୍ଣ ଜୀବନରେ ନିଜକୁ ସେ ଖେଳେଇ ଦେଇ ନାହାନ୍ତି, ଯାହାର ଯେମିତି ମନ: ନିଜର ଛୋଟ ସଂସାର, ସ୍ତ୍ରୀ–କନ୍ୟା–ନାତି ନାତୁଣୀ, ଏଇମାନଙ୍କୁ ନେଇ ସେ ଉଜ୍ଜ୍ଵଳ ହେବାକୁ ଇଚ୍ଛା କରିଛନ୍ତି । ପୁଷ୍ପିତ ହେବାକୁ ଇଚ୍ଛା କରିଚନ୍ତି-। ହସ–ପରିହାସରେ ସମସ୍ତଙ୍କୁ ପ୍ରଫୁଲ୍ଲିତ କରିବାକୁ ଇଚ୍ଛା କରିଚନ୍ତି ।

 

କୌଣସି ଦିନ ଅଜାଙ୍କୁ ବୟସ୍କ ବୋଲି ମନେହୁଏନି । ଅବଶ୍ୟ ନାତି ଆଉ ଅଜାର ବୟସ ଚିରଦିନ ସମାନ । ହେଲା ଏବେ ନାତିନାତୁଣୀଙ୍କ ପାଖେ ବୟସର ହିସାବ ନ ଥାଏ କିନ୍ତୁ ଜଗତର ସମସ୍ତଙ୍କ ସଙ୍ଗେ ଅଜା ସମବୟସୀ ହୋଇ ଯାଆନ୍ତି । ମୁହଁଟା କେମିତି ଅଲଗା ପ୍ରକାରର ଥିଲା; କିଛି ତାଙ୍କର ଜିଭ ଆଗରେ ବାନ୍ଧିହୋଇ ଯାଏନି । ପ୍ରାଣକୁ ଯାହା ଆସେ ସେକଥା କହି ପକାନ୍ତି । ତାଙ୍କର ରସିକତାର ପ୍ରାୟ ସବୁଗୁଡ଼ା ଆଦିରସର ପ୍ରାନ୍ତରେ ପହଞ୍ଚି ଯାଉଥିଲା ।

 

ସର୍ବାପେକ୍ଷା ଯେଉଁଟା ମତେ ବିଶେଷ ମୁଗ୍ଧ କରିଥିଲା, ସେଇଟା ହେଉଚି ଆଈଙ୍କ ସଙ୍ଗେ ଅଜାଙ୍କର ଗଭୀର ସମ୍ପର୍କ । ବିବାହିତ ଜୀବନର ପ୍ରାୟ ଚାଳିଶି ବର୍ଷ କଟେଇ ଦେବାପରେ ବି ଆଈଙ୍କ ସମ୍ଵନ୍ଧରେ ତାଙ୍କର ଆକର୍ଷଣ ତିଳେ ହେଲେ ଶିଥିଳ ହେଇ ନ ଥିଲା । ବରଂ ଯେତେଦିନ କଟୁଥିଲା ସେତେଦିନ ସେଇଟା ତୀବ୍ର ହେଉଥିଲା, ପ୍ରବଳ ହେଉଥିଲା ।

 

ଅଫିସ ସମୟତକ ଛାଡ଼ିଦେଲେ ପ୍ରାୟ ଦିନସାରା ଅଜା ଆଈଙ୍କ ପଛରେ ଲଙ୍ଗର ପଙ୍ଗର ହୋଇ ବୁଲୁଥାଆନ୍ତି । କଥା କଥାକେ ହସ, କଥା କଥାକେ ଅଭିମାନ । ମୁହୂର୍ତ୍ତେ ଅବିଚ୍ଛେଦ୍ୟ ଭାବ ତ ମୁହୂର୍ତ୍ତେ ଅଭିମାନର ଗମ୍ଭୀରତା । ଛାଇ ଆଲୁଅ ଭିତର ଦେଇ ଅଜା ଆଉ ଆଈ ଯେମିତି ସଦାବେଳେ ଝୁଲୁଛନ୍ତି ।

 

ସକାଳ ଓଳି ଅବଶ୍ୟ ସେମିତି ସମୟ ମିଳେନି । କିନ୍ତୁ ଅଫିସ ଛୁଟି ହେବାମାତ୍ରେ ଅଜା ଆଉ ବାହାରେ ନ ରହନ୍ତି । ଘରକୁ ଫେରି ପ୍ରଥମେ ନାତି–ନାତୁଣୀମାନଙ୍କ ସଙ୍ଗେ ଲାଗନ୍ତି । କିଛି ସମୟ ଆମ ସଙ୍ଗେ ହସ ଖୁସି ହେବାପରେ ଆଈ ପଛରେ ଲାଗିଯାଆନ୍ତି । ନିଜ ଆଖିରେ ଦେଖିଚି, ଅଜା ଆଈଙ୍କର ମୁଣ୍ଡ ବାନ୍ଧିଦିଅନ୍ତି । ମୁହାଁ ମୁହିଁ ବସି ଲୁଡ଼ୁ କିମ୍ବା ତାସ ଖେଳନ୍ତି । ଆଉ ଏଇ ମୁଣ୍ଡ ବନ୍ଧା ଏବଂ ଖେଳ ବିଷୟରେ ସେମାନଙ୍କ ମଧ୍ୟରେ ଯେଉଁ ତେଢ଼ା ତେଢ଼ି ଖେଳଲାଗେ ସେଗୁଡ଼ା ଅନେକ ଥର ଦେଖିଚି । ଏ ତେଢ଼ା ତେଢ଼ି ଗୁଡ଼ା ଯେ ଏକାବେଳେ ମିଛ, ବରଂ ଭଲ ପାଇବାର ଯେ ସେଇଟା ଆଉ ଗୋଟାଏ ରୂପ ସେ କଥା ମୋ ବ୍ୟତୀତ ଆଉ କିଏ ଭଲ ଭାବରେ ଜାଣିବ ! ରାତିରେ ଶୋଇ ଶୋଇ ବୈଦେହୀଶ ବିଳାସ ଆଉ ଲାବଣ୍ୟବତୀର ରସପୂର୍ଣ୍ଣ ଛାନ୍ଦଗୁଡ଼ାକ ଅଜା ଗୁଣୁ ଗୁଣୁ ହୋଇ ଆଈଙ୍କୁ ଶୁଣାନ୍ତି ।

 

ଶୁଣିଚି ଅଜା କିଶୋର ବୟସରେ ବିବାହ କରିଥିଲେ । ଏବଂ ବିବାହଟା ଭଲ ପାଇବାରୁ ସୃଷ୍ଟି ହୋଇଥିଲା । ବିବାହ ପରେ ଅଜା ତିନିଯୁଗରୁ ଊର୍ଦ୍ଧ୍ଵକାଳ ପହଁରି ପହଁରି ଜୀବନର ବିପରୀତ ମେରୁରେ ପହଞ୍ଚି ଯାଇଥିଲେ କିନ୍ତୁ ତାଙ୍କର ପ୍ରେମର ବୟସ ବଢ଼ୁ ନ ଥିଲା । ପୌଢ଼ତ୍ୱର ସୀମାନ୍ତରେ ପହଞ୍ଚି ମଧ୍ୟ କିଶୋର ପ୍ରେମର ମଧୁର ସ୍ନିଗ୍ଧତାର ଭିତରେ ସେ ଯେମିତି ବିଭୋର ହେଇ ଉଠିଥିଲେ ।

 

ଏ ଧରଣର ଖୋଲା ରସିକ–ପ୍ରେମିକ ଅଜା, ବୋଉର ମୁହାଁ ମୁହିଁ ହେଲେ ଏକାବେଳେ ବିଷର୍ଣ୍ଣ ବିବ୍ରତ ହୋଇ ପଡ଼ନ୍ତି । ଆମମାନଙ୍କୁ ନେଇ ତାଙ୍କର ଯେତେ ପରିହାସ ଆଈଙ୍କ ସଙ୍ଗେ ଯେତେ ରଙ୍ଗରସ–ସବୁଗୁଡ଼ା ବୋଉ ଦୃଷ୍ଟିର ଅନ୍ତରାଳରେ ଚାଲିଥାଏ । ଏଇ ଲୁଚା ଛାପା ରହସ୍ୟ ବିଷୟ ପିଲାବେଳେ ବୁଝିପାରି ନ ଥିଲି ବୁଝିଲି ଅନେକ ପରେ–ବଡ଼ ହେବା ପରେ ।

 

ଆଈ ବିଷୟରେ ସ୍ଵତନ୍ତ୍ର ଭାବରେ କିଛି କହିବାର ନାହିଁ । ତାଙ୍କର ନିଜର ବୋଲି କିଛି ଗୋଟାଏ ମତ ନ ଥିଲା, ଭାବନା ନ ଥିଲା, ବୁଝିବା ସତ୍ତା ମଧ୍ୟ ନ ଥିଲା । ଅଜାଙ୍କ ମତ ହେଉଛି ତାର ମତ, ଅଜାଙ୍କର ଭାବନା ହିଁ ତାର ଭାବନା, ଅଜାଙ୍କର ଅସ୍ତିତ୍ଵ ହିଁ ତାର ଅସ୍ତିତ୍ଵ । ଅଜାଙ୍କର ପ୍ରତ୍ୟେକ କଥାରେ ପ୍ରତ୍ୟେକ ଅଭିମାନରେ ପ୍ରତିଟି ତେଢ଼ା ତେଢ଼ିରେ ତାଳ ଦେଇ ଆଈ ବାଜିଉଠନ୍ତି-। ମନେହୁଏ ଅଜାଙ୍କ ପାଇଁ ମନଲାଖି ହୋଇ ଆଈ ଯେମିତି ସୃଷ୍ଟି ହେଇଥିଲେ । ଗୋଟାଏ କଥାରେ କହିବାକୁ ଗଲେ ଗୋଟିଏ ଅଖଣ୍ଡ ସତ୍ତାକୁ ଦୁଇଭାଗରେ ଭାଗକଲେ ଗୋଟିଏ ଯଦି ଅଜା ହୁଅନ୍ତି ସେଇ ତାହେଲେ ଅପର ଭାଗଟା ହେବେ ଆଈ ।

 

ଗୋଟାଏ ଯାଗାରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଟିକିଏ ଅମେଳ ଥିଲା । ଅଜା ହସିଲା ବେଳେ ବଡ଼ ପାଟିରେ ହସି ପକାନ୍ତି । ଯେମିତି ଗୋଟାଏ ହସର ଝଡ଼ ଉଠିଚି । କିନ୍ତୁ ଆଈ ଖୁବ୍ ଧୀର ଭାବରେ ନିଶବ୍ଦ କିମ୍ବା ସାମାନ୍ୟ ଶବ୍ଦ ନିର୍ଗତ ହୁଏ । ମନେହୁଏ ଧୀରେ ଧୀରେ କୋମଳ ଛନ୍ଦରେ ଜଳ ତରଙ୍ଗ ବାଜୁଚି ।

 

Unknown

ତିନି

 

କେଉଁ ଘଟଣାରୁ ପ୍ରଥମେ ମୋ କଥା ଆରମ୍ଭ କରିବି ? ବର୍ତ୍ତମାନ ପ୍ରଥମ ହୋଇ ଯେଉଁଦିନ ସ୍କୁଲକୁ ଗଲି ସେଇ ଦିନଟା ମନେପଡ଼ୁଚି । ସେ ଦିନଟା ଅନେକ ଦିଗରୁ ମୋ ପାଖରେ ସ୍ମରଣୀୟ ହେଇ ରହିଚି । କାରଣ, ସେଇ ଦିନ ହିଁ ଘରର ବାହାର ମାଟିରେ ପ୍ରଥମ ଥର ପାଇଁ ଗୋଡ଼ ଦେଇଥିଲି; ସେଇଦିନ ହିଁ ପାଇଥିଲି ପ୍ରଥମ ବନ୍ଧୁ । ଆଉ ମାନସୀ ବି ସେଇଦିନ ହିଁ ଜୀବନର ଦିଗନ୍ତରେ ନିଃଶବ୍ଦ ଭାବରେ ଆସି ଠିଆ ହେଇଥିଲା ।

 

ପିଲାଦିନେ ବୋଉ ଯୋଗୁଁ ‘ବାହାର’ ବୋଲି ମୋ ପକ୍ଷେ କିଛି ନ ଥିଲା । ଦିନସାରା ଘର ଭିତରେ ବନ୍ଦୀ ହୋଇଥାଏ । ମନେପଡ଼ୁଚି ସେଦିନ ସ୍କୁଲରେ ନାଆଁ ଲେଖା ହେବ ବୋଲି, ଘର ବାହାରକୁ ବାହାରିବି ବୋଲି ଖୁବ୍ ଭୋରରୁ ଉଠିପଡ଼ି ଥିଲି । ଉତ୍ତେଜନାରେ ପୂର୍ବଦିନ ରାତିରେ ମତେ ଭଲ ନିଦ ହୋଇ ନ ଥିଲା । ସେଦିନ ଶୋଇବା ମୋର ଚାଉଁକା ନିଦ ଭିତରେ କଟିଯାଇ ଥିଲା ।

 

ଅଜା ଯାଇ ମୋର ନାଆଁ ଲେଖେଇ ଦେଇ ଆସିବେ । ସେଥିପାଇଁ ସେଦିନ ସେ ଅଫିସରୁ ଛୁଟି ନେଇ ଥାଆନ୍ତି । ଯାହାହେଉ ନଅଟା ଭିତରେ ଗାଧୋଇ–ଖାଇ ଅଜାଙ୍କ ହାତଧରି ବାହାରି ପଡ଼ିଥିଲି । ଯିବା ଆଗରୁ ଆଈ ମୋ ମୁଣ୍ଡରେ ଚନ୍ଦନ ସିନ୍ଦୂରର ଟିପା ପିନ୍ଧେଇ ଦେଇ କିଛି ସମୟ ପାଇଁ କୁଣ୍ଢାଇ ଧରିଥିଲେ ଆଉ ବୋଉ ମତେ ଗୋଟାଏ ନିରୋଳା ଯାଗାକୁ ଡାକି ନେଇ ମୋ ମୁହଁକୁ ଚାହିଁ ଗମ୍ଭୀର ଭାବରେ କହିଥିଲା, “ଆଜିଠାରୁ ଦଶବର୍ଷ ସମୟ ଦେଲି । ଗୋଟି ଗୋଟି କରି ମୁଁ ଦିନଗଣୁ ଥିବି । ଯେମିତି ଦଶବର୍ଷ ହେଇଯିବ ସେମିତି ଆଉ କୌଣସି କଥା ଶୁଣିବିନି । ଚାକିରି ଯୋଗାଡ଼ କରି ଅଲଗା ଘରେ ଯାଇ ରହିବାକୁ ହେବ । ଏକଥା ଯେମିତି ଭୁଲି ନଯାଉ ।”

 

ସେତେବେଳେ ବୋଉ କଥାର ଅର୍ଥ କିଛି ବୁଝି ପାରି ନ ଥିଲି । କେବଳ ତା ମୁହଁକୁ ଚାହିଁ ବୋକାଙ୍କ ଭଳି ମୁଣ୍ଡ ଟୁଙ୍ଗାରି ଦେଇଥିଲି ।

 

ମନେଅଛି, ମନୁ ଆଉ ମୁଁ ଏକାଦିନେ ଏକା ସ୍କୁଲରେ ଦ୍ଵିତୀୟ ଶ୍ରେଣୀରେ ନାଆଁ ଲେଖାଇଥିଲୁ । ମୁଁ ଅଜାଙ୍କ ହାତଧରି ସ୍କୁଲକୁ ଯାଇଥିଲି; ମନୁ ଆସିଥିଲା ଘୋଡ଼ାଗାଡ଼ିରେ ତା ନନାଙ୍କ ସାଙ୍ଗରେ ।

 

ଗୋଟାଏ ସାହିରେ ଆମମାନଙ୍କ ଘର । ମନୁଙ୍କର ହଳଦିଆ ରଙ୍ଗର ବିଶାଳକାୟ ଦୁଇ ମହଲା କୋଠାଟା ସାହିର ପୂର୍ବ ମୁଣ୍ଡରେ ଠିଆ ହେଇଚି । ତାର ବିପରୀତ ଅର୍ଥାତ୍ ସାହିର ପଶ୍ଚିମ ପ୍ରାନ୍ତରେ ଥିବା ଆମ ଭଡ଼ା ଘରର ଏକମହଲା ଛାତ ଉପରେ ଠିଆହେଲେ ତାଙ୍କ କୋଠାର କିଛି ଅଂଶ ଦେଖାଯାଏ । ଏତେଦୂରରୁ ସେଇଟା କଣ ବୋଲି ସ୍ଥିର କରିପାରେନି, ତେଣୁ କେମିତି ଗୋଟାଏ ରହସ୍ୟମୟ ଭଳି ମନେ ହୁଏ ।

 

ଦଳେଇଘାଟ ନାମକ ଏଇ ନୂଆ ଅର୍ବାଚୀନ ନଗରର ଘରଦ୍ୱାର ବାଟ ଘାଟ ପ୍ରାୟ ନୂଆ ବୋଲି କହିଲେ ଚଳେ; ବୟସ ମାପିଲେ କୋଡ଼ିଏ କି ତିରିଶ ଖଣ୍ଡେ ହେବ । କଳ କାରଖାନାର ମେଳା ବସିବା ଆଗରୁ ଦଳେଇଘାଟ ଯେତେବେଳେ କେବଳ ଖଣ୍ଡେ ଛୋଟ ଗାଆଁରେ ପରିଚିତ ହେଉଥିଲା, ସେତେବେଳକୁ ମନୁଙ୍କର ଏ କୋଠାଟା ଏଠାରେ ଅଛି । ମନୁଙ୍କ କୋଠାଟା ଦଳେଇଘାଟର ଅନ୍ୟ ସମସ୍ତଙ୍କ ଅପେକ୍ଷା ପ୍ରାଚୀନ, ବୟସ୍କ ଏବଂ ବିଶାଳ ।

 

ଯାହାହେଉ ନାଆଁ ଲେଖେଇବା ପରେ ମନୁ ମୋ ସଙ୍ଗେ ପ୍ରଥମେ କଥାବାର୍ତ୍ତା କରିଥିଲା, “ତମ ନାଆଁ କଣ– ?”

 

ବୋଉ ଯୋଗୁଁ ସବୁଦିନେ ମୁଁ ଭୀରୁ, କୁଣ୍ଠିତ, ଲାଜକୁଳା । ମୋର ସ୍ଵଭାବର ଅନେକଗୁଡ଼ାଏ ଅଂଶ ତା ଯୋଗୁଁ ବିକଶିତ ହୋଇ ପାରିନି । ଅଜାଙ୍କ ହାତକୁ ଜୋରରେ ମୁଠେଇ ଧରି ଥଙ୍ଗ ଥଙ୍ଗ ହୋଇ ମୋ ନାଆଁ କହିଥିଲି ।

 

ମନୁ କିନ୍ତୁ ଖୁବ୍ ସ୍ୱଚ୍ଛନ୍ଦ ଥିଲା । ତାର ସ୍ଵଭାବରେ କୌଣସି ଅଂଶରେ ସଙ୍କୋଚତା ନ ଥିଲା । ଆପେ ଆପେ କହିଥିଲା, “ମୋ ନାଆ ଚୀନାଏ ବିଷ ମନୁ; ଏଇଟା ଡାକ ନାଆଁ । ଭଲ ନାଆଁ ହେଉଚି ଶ୍ରୀ ମନମୋହନ କର । ଆମେ ଦି ଜଣ ଏକାଶ୍ରେଣୀରେ ପଢ଼ିବା, ଆଜିଠୁ ତୁମେ ମୋର ସାଙ୍ଗ ହେଲ । ମନେ ରହିଲା ?”

 

ମୁଁ କୌଣସି ଉତ୍ତର ଦେଇ ନଥିଲି । କେବଳ ଭୀରୁ ଭାବରେ ମନକୁ ଚାହିଁ ରହିଥାଏ । ତାର ଦାମୀ ଗରମ କନାର ପ୍ୟାଣ୍ଟ, ଚକଚକିଆ ବେଲ୍‍ଟ ସିଲିକ୍ କାମିଜ ଉପରେ ଆକାଶୀ ରଙ୍ଗର ସ୍ୱେଟର, ସଯତ୍ନ ଲାଳିତ ଚିକ୍‍କଣ ଦେହ ଆଉ ସୁନ୍ଦର ସ୍ୱାସ୍ଥ୍ୟର ପାଖାପାଖି ତୁଳନା ମୂଳକ ଭାବରେ ମୋର ଦଉଡ଼ିବନ୍ଧା ଖାକିପ୍ୟାଣ୍ଟ, ଆଉ ଡୋରିଆ ଶସ୍ତା କାମିଜ, ଅଯତ୍ନ ଅବହେଳାରେ ବର୍ଦ୍ଧିତ କର୍କଶ ରୁମ ଶ୍ରୀବର୍ଜିତ ଦେହଟା ବାରମ୍ବାର ମନେପଡ଼ି ଯାଉଥିଲା । ମୁଁ ଆହୁରି ସଙ୍କୁଚିତ ହୋଇ ଯାଉଥିଲି; ଗୋଟାଏ ଅଦ୍ଭୁତ ସ୍ଵର୍ଶ କାତରତା ମତେ ଯେମିତି ଆହୁରି ଛୋଟ କରି ଦେଉଥିଲା ।

 

ମନୁ ମତେ କହିଥିଲା, “ଆଜିତ ସ୍କୁଲରେ ପଢ଼ିବାକୁ ହେବନି । ଆମ ଘରକୁ ଯିବ । ଚାଲ ।”

 

ମୁଁ ନୀରବ ।

 

ମନୁ ମତେ ଏଥର ଲୋଭ ଦେଖେଇଥିଲା, “ମୋର ଅନେକ ଛବି ବହି ଅଛି, ବଲ୍ ଅଛି, ଖେଳନା ବି ଅଛି–” କହି ମୋରି ଗୋଟିଏ ହାତ ଧରି ପକେଇଥିଲା ।

 

ଯେତେ ଯାହା ହେଲେ ମଧ୍ୟ ସେତେବେଳେ ଲୋଭ ଆଉ ମୋହକୁ ଜୟକରି ପାରି ନ ଥିଲି । ଏବେବି କୋଉ ପାରିଚି ! ଏଥର ମୁଁ ଅଜାଙ୍କ ମୁହଁକୁ ଚାହିଁଲି । ଅର୍ଥାତ୍ ମନୁଙ୍କ ଘରକୁ ଯିବାପାଇଁ ସେ କି ମତାମତ ଦେବେ ? ଟିକିଏ ତାଙ୍କର ମୁଣ୍ଡ ହଲି ଗଲେ ମୁଁ ମନୁଙ୍କ ଘରକୁ ଯାଇ ପାରନ୍ତି ।

 

କିନ୍ତୁ ଅଜା ଚିନ୍ତିତ ହୋଇ ପଡ଼ିବାର ଦେଖିଲି । ଧୀରେ ଧୀରେ ସେ କହିଲେ, “ପିଲାଟି ଏତେକରି ଯେତେବେଳେ କହୁଚି, ନ ଗଲେ ଖରାପ ଦେଖାଯିବ । କିନ୍ତୁ ତୋ ବୋଉ ?”

 

ଛବିବହି, ଖେଳନା, ବଲ ପ୍ରଭୃତିର ଯେଉଁ ସୁନ୍ଦର ଲୋଭନୀୟ ଛବିଟା ମନୁ ମୋ ଆଗରେ ଝୁଲେଇ ଦେଇଥିଲା–ପଲକ ମାତ୍ରେ ସେଇଟା ଅଦୃଶ୍ୟ ହୋଇଗଲା । ବୋଉ–ବୋଉର ବିନା ଅନୁମତିରେ କୌଣସିଆଡ଼େ ଯିବା ମୋର ନିଷିଦ୍ଧ । ଏମିତିକି ବୋଉର ଇଚ୍ଛା ଅନିଚ୍ଛାକୁ ନାକଚ କରିଦେଲାଭଳି ସାହସ ସ୍ଵୟଂ ଅଜାଙ୍କର ବି ନଥିଲା ।

 

ଏ ପଟେ ମନୁ ଜିଦ୍ ଧରିଚି, “ଏମିତି ଚାହିଁଚୁ କଣ ! ଚାଲୁନ ଆମ ଘରକୁ ଯିବା, ଯିବନି-?”

ମନୁର ନନା ତା ପଛରେ ଠିଆ ହୋଇଥିଲେ । ଆଗରୁ ଆସି ଟିକିଏ ହସିଦେଇ ଅଜାଙ୍କୁ କହିଥିଲେ, “ପିଲାଟା ବଡ଼ ଜିଦିଆ, ଥରେ ଯେତେବେଳେ ଜିଦ୍ ଧରିଲାଣି ସେତେବେଳେ ଘରକୁ ନନେଲା ପର୍ଯ୍ୟନ୍ତ ଆଉ ଥୟ ହେବନି । ପିଲାଟି ଆପଣଙ୍କର କଣ ହୁଏ ?”

ଅଜା କହିଥିଲେ, “ନାତି ।”

“ମୁଁ ତାକୁ ଆମ ସାଙ୍ଗରେ ନେଇ ଯାଉଚି । ଟିକିଏ ଖେଳାଖେଳି କରି ଉପର ବେଳାଆଡ଼କୁ ଚାଲିଯିବ । ମୁଁ ନେଇ ଛାଡ଼ିଦେଇ ଆସିବି ।”

ମନୁର ଜିଦ୍‍ ଦେଖି ଆଉ ମନୁ ନନାଙ୍କ ପାଖେ ଭଦ୍ରତା ଦୃଷ୍ଟିରୁ ଗୋଟାଏ ଅକଳ୍ପନୀୟ ପରିମାଣର ବୋଝ ମୁଣ୍ଡକୁ ନେଇ ଅଜାଙ୍କୁ ଅଗତ୍ୟା କହିବାକୁ ପଡ଼ିଥିଲା, “ଆଚ୍ଛା, ଯାଉ ତାହାଲେ ।

ମନୁର ନନା ଏଥର ପଚାରିଥିଲେ, “ଆପଣଙ୍କ ଘରଟା କେଉଁଠି ?

ଅଜା ଘରର ଠିକଣା କହିଥିଲେ ।

ସ୍କୁଲ ହତା ଭିତରେ ଥିବା ଝଙ୍କା ଆମ୍ବଗଛ ତଳେ ଗୋଟାଏ ସୁଦୃଶ୍ୟ ଘୋଡ଼ାଗାଡ଼ି ଠିଆ ହେଇଥିଲା । ମନୁ ମୋର ଗୋଟାଏ ହାତ ଧରିଥିଲା । ମତେ ଟାଣି ଟାଣି ନେଇ ସେ ଘୋଡ଼ାଗାଡ଼ିରେ ବସେଇଲା ।

 

ଏ ଘୋଡ଼ାଗାଡ଼ିଟା ଆଗରୁ ବି ଦେଖିଛି । ଚୂଳଲଗା ଟୋପି ପିନ୍ଧି ଗୋଟିଏ ମୁସଲମାନ ପୌଢ଼ ସପାସପ୍ ଚାବୁକ ଫୁଟେଇ ସେଇଟା ଚଳାଏ । ବଡ଼ କଳା ରଙ୍ଗର ଘୋଡ଼ାଟା କେଶର ହଲେଇ ଟପାଟପ୍ କରି ଯେତେ ଧାଏଁ ସେତେବେଳେ ଦଳେଇଘାଟର ବଙ୍କା ଟଙ୍କା ଅଣ ଓସାରିଆ ରାସ୍ତାଗୁଡ଼ିକ ହଠାତ୍ ଯେମିତି ଖୁବ୍ ଆତ୍ମମର୍ଯ୍ୟାଦା ସମ୍ପନ୍ନ ହୋଇ ଉଠେ ।

 

ଦିନେ ଦିନେ ଛାତ ଉପରକୁ ଉଠିଥିଲା ବେଳେ ଏଇ ଘୋଡା ଗାଡ଼ିରେ ବସି ମନୁ ପ୍ରଭୃତି ବୁଲିବାର ଦେଖିଚି । ‘କିନ୍ତୁ କୌଣସିଦିନ ଏଇଟାରେ ଚଢ଼ିବାର ସୌଭାଗ୍ୟ ହେବ, ସେଇଟା ଥିଲା ମୋର ସୁଦୂର କଳ୍ପନା, ସ୍ୱପ୍ନର ବାହାରେ ।

 

ଯାହା ହେଉ, ଘୋଡ଼ାଗାଡ଼ିଟାରେ ମନୁର ଖୁବ୍ ପାଖରେ ବସି ମୁଁ ଝାଳେଇ ଉଠୁଥିଲି ।

 

ତରତର ହୋଇ ମନୁ ମତେ କେତେଗୁଡ଼ାଏ କଥା କହି ଯାଉଥିଲା । କିଛି ଯେମିତି ବୁଝିପାରୁ ନ ଥିଲି, କିଛି ଯେମିତି ଶୁଣିପାରୁ ନ ଥିଲି । ଦୁରନ୍ତ ଆକର୍ଷଣରେ ମନୁ ସଙ୍ଗେ ଚାଲି ଆସିଲି ସତ କିନ୍ତୁ ଘୋଡ଼ା ଗାଡ଼ିଟାରେ ଉଠିବାପରେ ଗୋଟାଏ ଅହେତୁକ ଭୟରେ ଗୋଡ଼ହାତ ମୋର ଯେମିତି କାଠ ହେଇ ଯାଉଥିଲା ।

 

ନିଜର ଛୋଟ ଏକମହଲା ଘରଟାର ସୀମା ପାର ହୋଇ ଏହା ପୂର୍ବରୁ ମୁଁ କେବେ କୌଣସିଆଡ଼େ ଯାଇ ନ ଥିଲି । ଘର ଭିତରୁ ବାହାରିବାର କୌଣସି ସୁବିଧା ସୁଯୋଗ ନ ପାଇ ବାହାରର ପୃଥିବୀ ସମ୍ବନ୍ଧରେ ମୋ ପ୍ରାଣରେ ଗୋଟାଏ ଅଜଣା ଭୟ ବସା ବାନ୍ଧି ଯାଇଥିଲା ।

 

ଯଦି ଓ ଖୁବ୍ ପାଖାପାଖି ଏବଂ ଗୋଟାଏ ସାହିର ଏ ମୁଣ୍ଡ ଆଉ ସେ ମୁଣ୍ଡ । ତଥାପି ବୋଉ ଭାଇ ଭଉଣୀମାନଙ୍କୁ ଛାଡ଼ି ଅନ୍ୟ କୌଣସିଆଡ଼େ ଯିବାର ସେଇ ମୋର ପ୍ରଥମ ଅଭିଜ୍ଞତା ।

 

କିଛି ସମୟ ଦଳେଇଘାଟ ରାସ୍ତାରେ ଧୂଳି ଉଡ଼େଇ ଉଡ଼େଇ ଘୋଡ଼ା ଗାଡ଼ିଟା ଆସି ମନୁଙ୍କ ଘର ପାଖରେ ପହଞ୍ଚିଲା । ଆଗରୁ ଜାଣିଥିଲି, ମନୁ ନନା ହେଉଛନ୍ତି ବଡ଼ ଲୋକ । ଅଜା କିମ୍ବା ଅନ୍ୟ କାହା ମୁହଁରୁ ହୁଏତ ଶୁଣିଥିଲି । କି ଶୁଣିନି, ଦୂରରୁ ଏମାନଙ୍କର ବିଶାଳ କୋଠା ଘରଟା ଆଉ ପିଚୁ ରାସ୍ତା ଉପରେ ସୁନ୍ଦର ଘୋଡ଼ାଗାଡ଼ି, କେଶର ଝୁଲା ବଡ଼ କଳା ଘୋଡ଼ାଟା ଦେଖି ଏଭଳି ଧାରଣା କରି ନେଇଥିଲି ।

 

ମନୁଙ୍କ ଘର ଭିତରକୁ ଯିବା ପରେ ମତେ ଭାରି ଭଲ ଲାଗିଥିଲା । ସେମାନଙ୍କର ଅବସ୍ଥା ଭଲ, ଏଇ ଟିକକ କେବଳ ଜଣାଥିଲା । ଅବଶ୍ୟ ଦଳେଇଘାଟରେ ସେମାନଙ୍କ ଅପେକ୍ଷା ହଜାର ଗୁଣ ବଡ଼ ଲୋକ ଥିଲେ । ଯେମିତି କଳ କାରଖାନାର ମାଲିକ ନୂଆ ମାରୱାଡ଼ି, ବିଲାତି ଆଉ ଆମେରିକାନ୍ ସାଇବ । ସେମାନେ କେହି କେହି ଏଠି, ବି ଘର କରି ଅଛନ୍ତି ।

 

ଅନେକ ବଡ଼ ଲୋକ ଥିଲେ, କିନ୍ତୁ ମନୁର ନନା ଭଳି ଜଣେ ସଉକିନିଆ ମଣିଷ ସେ ଖଣ୍ଡମଣ୍ଡଳରେ କେହି ନ ଥିଲେ । ଘରଟାର ସର୍ବାଙ୍ଗରେ ସୌଖିନତାର ଛାପ ଥିଲା । ଅନ୍ୟମନସ୍କ ଦୃଷ୍ଟିରେ ବି ସେଗୁଡ଼ା ଦେଖି ହେଉଥିଲା ।

 

ମନୁଙ୍କର ଘରଟା ପୁରୁଣା ଅମଳର ହେଲେ ବି ଚିତ୍ରରେ ଅଙ୍କା ଯାଇଥିବା ଭଳି ଦେଖାଯାଏ । ମନେ ଅଛି, ପ୍ରଥମେ ଯେଉଁ ଦିନ ଗଲି ତାର କିଛିଦିନ ଆଗରୁ ତାଙ୍କ କୋଠାରେ ରଙ୍ଗ ଦିଆ ଯାଇଥିଲା ।

 

ଘର ଚାରି କରେ ଉଚ୍ଚ ପାଚେରୀ ଘେରି ରହିଥିଲା । ଭିତରେ ଘରର ଠିକ୍ ଆଗରେ ଗୋଟିଏ ସୁନ୍ଦର ବଗିଚା । ଗେଣ୍ଡୁ, ସଦାବିହାରୀ, ...ଗୋଲାପ, କାଠଚମ୍ପା, ଏସବୁ ପରିଚିତ ଫୁଲଗଛ ଭିତରେ ଅନେକ ଗୁଡ଼ିଏ ଦୁର୍ଲଭ ଅପରିଚିତ ଫୁଲଗଛ ମଧ୍ୟ ଥିଲା । ଆଉ ଗୋଟାଏ କଡ଼କୁ ଗୁଡ଼ାଏ ଝାଉଁ ଗଛ ଥିଲା । ସେଇ ଝାଉଁଗଛ ଭିତରେ ମଝିରେ ମଝିରେ ଲାଲ୍ ସିମେଣ୍ଟର ବେଞ୍ଚମାନ ବସିବା ପାଇଁ ହେଇଥିଲା । ଘର ପଛଆଡ଼େ ପୋଖରୀ ଏବଂ ଫଳ ବଗିଚା । ଅଧିକାଂଶ ଦେଶୀ ଫଳର ଗଛ–ଆମ୍ବ, ଜାମୁ, ଆତ, ପିଜୁଳି ଏବଂ କେତେଟା ସପେଟା ଗଛ । ପୋଖରୀ ଚାରିପାଖେ ନଡ଼ିଆ ଆଉ ଧାଡ଼ି ଧାଡ଼ି ସପୁରୀ ଗଛ ଘେରି ରହିଥାଏ । ଘରର ପଛ ପାଖର ଖବର ସେତେବେଳେ ମତେ ଜଣା ନ ଥିଲା, ଅନେକ ଦିନ ପରେ ଜାଣିଥିଲି ।

 

ଯାହା ହେଉ ଝାଉଁ ଗଛଗୁଡ଼ାକ ପାଖେ ଘୋଡ଼ା ଗାଡ଼ିଟା ଆସି ଠିଆ ହେବା ସଙ୍ଗେ ସଙ୍ଗେ ଡେଇଁ ପଡ଼ି ମନୁ ଓହ୍ଲାଇ ପଡ଼ିଥିଲା । ତାପରେ ଧାଇଁ ଧାଇଁ ଘର ଭିତରେ ଅଦୃଶ୍ୟ ହେଇ ଯାଇଥିଲା । ମାତ୍ର କେତୋଟି ମୁହୂର୍ତ୍ତ । ତା ପରେ ତା ବୋଉର ହାତ ଧରି ଟାଣି ଟାଣି ନେଇ ଆସିଥିଲା ।

 

ମନୁର ବୋଉ କହୁଥିଲେ, “ଆରେ ବାପା, ଛାଡ଼–ଛାଡ଼, ମୁଁ ଯାଉଚି ପରା ।”

 

ମନୁ କୌଣସି କଥା ଶୁଣି ନ ଥିଲା । ଏକାବେଳେ ଘୋଡ଼ାଗାଡ଼ି ପାଖକୁ ହାତଧରି ଆଣିଥିଲା । ମତେ ଦେଖେଇ ମନୁ କହିଲା, “ଏଇ ମୋର ନୂଆ ସାଙ୍ଗ ।”

 

ମନୁର ବୋଉ ମୋଆଡ଼େ ଚାହିଁ ସସ୍ନେହରେ କହିଥିଲେ, “ତମେ ତାହେଲେ ଆମ ମନୁର ନୂଆ ବନ୍ଧୁ । ଆସ, ଓହ୍ଲାଇ ଆସ ।”

 

ମନୁର ନନା ସେ ଯାଏ ଘୋଡ଼ାଗାଡ଼ିରେ ବସିଥିଲେ । ଦ୍ୱାର ଖୋଲି ଓହ୍ଲାଉ ଓହ୍ଲାଉ କହୁଥିଲେ, “ପିଲାଟି ଆଜି ମନୁର କ୍ଲାସରେ ନାଆଁ ଲେଖେଇଚି । ସେ ପାଖରେ ଯେଉଁ ଘର ସେଇ ଘରଟାରେ ରହନ୍ତି । ମନୁ ଜିଦ୍ ଧରିଲା, ଘରକୁ ଆଣିବ ବୋଲି, ପୁଅ କେମିତିଆ ଜିଦଖୋର, ଜାଣିଚ ତ । କଣ ଆଉ କରାଯାଏ, ନେଇ ଆସିଲି ।”

 

“ଜିଦିଆ ହେବନି ତ ଆଉ କଣ ହେବ । ତମରି ପୁଅଟି ।” ମନୁର ବୋଉ ସ୍ୱାମୀଙ୍କଆଡ଼େ କେମିତି ଭାବରେ ଚାହିଁ ଟିକିଏ ହସିଥିଲେ । ତାପରେ କହିଥିଲେ, “ଆଣିଚ, ଭଲ କରିଚ ।”

 

ମନୁର ନନା ଆଉ କିଛି କହିଲେନି, ସେ ବି ହସି ଦେଇଥିଲେ ।

 

ଏଥର ମନୁର ବୋଉ ମତେ ଚାହିଁ କହିଥିଲେ, “ଏ ପୁଅ, ଏବେ ବି ବସିଚ, ଆସ୍ତେ ଗାଡ଼ିରୁ ଓହ୍ଲାଇ ଆସ ।”

 

ମୁଁ ଓହ୍ଲାଇ ନଥିଲି, ଭାରି ଲାଜ ଲାଗୁଥିଲା । ଚୁପ୍‍ଚାପ୍ ମୁହଁ ତଳକୁ କରି ବସିଥିଲି ।

 

ଆଉ ଠିକ୍‍ ସେତିକିବେଳେ ମନୁ ବୋଉଙ୍କ ପାଖରୁ କିଏ ଯେମିତି ଗୁଲୁଗୁଲୁ ହୋଇ କହି ଉଠିଲା, “ଭାଇନାର ସାଙ୍ଗଟା କ’ଣ ମ, ମୁହଁ ଟେକୁନି କି ଗାଡ଼ିରୁ ବି ଓହ୍ଲାଉ ନି ।

 

ମନୁ, ମନୁର ବୋଉ ଏବଂ ନନା–ସମସ୍ତେ ବଡ଼ ପାଟିରେ ହସି ପକେଇଥିଲେ । ସଙ୍ଗେ ସଙ୍ଗେ ମୁହଁ ଉଠାଇ ଦେଖିଲି, ମନୁର ବୋଉଙ୍କ ପାଖକୁ ଲାଗି ଚାରି ପାଞ୍ଚ ବର୍ଷର ଝିଅଟିଏ ଠିଆ ହେଇଚି । ବଡ଼ ବଡ଼ ଟଣା ଆଖି, ମୁଣ୍ଡରେ ଖୋଲା ଖୋଲା ବାଳ, ଦେହରେ ଗୋଟାଏ ହଳଦିଆ ରିବନର ଫୁଲ ପଡ଼ିଚି । ଗୋଲାପ ଫୁଲ ରଙ୍ଗର ଦେହ । ଶୁଆ ଥଣ୍ଟ ରଙ୍ଗର ଦୁଇଟା ଓଠ । ଯେମିତି ମନେ ହେଉଥିଲା ଗୋଟାଏ ଜାପାନୀ ରବର କଣ୍ଢେଇ ଠିଆ ହେଇଚି । କୁନ୍ଦି ଦେଲା ପରି ଦେହ ଉପରେ ହଳଦିଆ ସିଲ୍‍କର ଖଣ୍ଡେ ଫ୍ରକ । ଗୋଡ଼ରେ ହଳେ ପତଳା ଚପଲ ।

 

ମତେ ଥରେ ଚାହିଁ ଦେଇ ଆଖି ଫେରେଇ ନେଇଥିଲା । ବେକ ବଙ୍କେଇ କେମିତି ହସୁଥିଲା–ଆଜି ସେଇଟା ଭାବି ପାରୁନି । ସେତେବେଳେ କଣ ଜାଣିଥିଲି, ସେଇ ସମୟରେ ମୋର ଜୀବନ ଦୀଗନ୍ତରେ ଅଦୃଶ୍ୟ ହାତର ଗୋଟାଏ ରେଖା ପଡ଼ି ଯାଇଥିଲା ।

 

ମନୁର ବୋଉ ଏଥରକ ଆଗେଇ ଆସି ଘୋଡ଼ାଗାଡ଼ିର ଦ୍ଵାର ଫିଟାଇ ମତେ ଓହ୍ଲାଇ ଦେଇଥିଲେ । କହିଥିଲେ, “ଦେଖୁଚି–ପୁଅଟି ଭାରି ଲାଜକୁଳା ।”

 

ସେହି ଝିଅଟି ପୁଣି କହି ଉଠିଥିଲା, “ଲାଜକୁଳା ନା ଆଉ କିଛି, ତୋ ଠାରୁ ଟିକିଏ ଆଦର ପାଇବ ବୋଲି ସେମିତି ବସିଥିଲା ନା ।”

 

ଝିଅଟିର କଥା ଶେଷ ନ ହେଉଣୁ ପୁଣି ହସର ଢେଉ ଉଛୁଳି ଉଠିଥିଲା ।

 

ମନେ ପଡ଼ୁଚି ସେ ଦିନସାରା ଦି’ପହରଟା ମନୁଙ୍କ ଘରେ କଟେଇ ଦେଇଥିଲି । ଆଉ ଏଇ ଗୋଟାଏ ଦି’ପହର ଭିତରେ ସେ ଘରର କିଛି କିଛି ବିଷୟ ଜାଣି ପାରିଥିଲି । ସେ ଘରର ସେ ଦୁଇଟି ସନ୍ତାନ । ମନୁ ଆଉ ସେଇ ଜାପାନୀ ରବର କଣ୍ଢେଇ ଭଳି ଝିଅଟା ଯାହାର ନାଆଁ ମାନି, ଭଲ ନାଆଁ ମାନସୀ–କୁମାରୀ ମାନସୀ କର । ସେଇ ସାମାନ୍ୟ ସମୟ ରହଣି ଭିତରେ ଆଉ ଗୋଟାଏ କଥା ଦେଖିପାରି ଥିଲି । ସେଇଟା ହେଉଚି ମନୁର ନନା ଆଉ ବୋଉଙ୍କ ଭିତରର ଗୋଟାଏ ବିଚିତ୍ର ଖେଳ । କିନ୍ତୁ ବର୍ତ୍ତମାନ ନୁହେଁ, ପରେ । ସେକଥା ବିସ୍ତୃତ ଭାବେ କହିବାକୁ ହେବ-। ତେବେ ଏତିକି କହିବା ଦରକାର ଏ ଘରେ ପ୍ରଥମେ ଗୋଡ଼ ଦେବା ଦିନ ସେ ଖୋଳଟା ମତେ ଆଚ୍ଛନ୍ନ କରି ପକେଇଥିଲା । ଆଉ ବାରମ୍ଵାର ସେମାନଙ୍କ ସଙ୍ଗେ ସଙ୍ଗେ ମୋ ନିଜର ନନା ବୋଉଙ୍କ କଥା ମନେ ପଡ଼ିଯାଉଥିଲା । ତା ସଙ୍ଗେ ସଙ୍ଗେ ଗୋଟାଏ କଷ୍ଟଦାୟକ ଆବେଗ କ୍ରମଶଃ ସ୍ଫୀତ ହୋଇ ତାର ଶ୍ଵାସ ରୁନ୍ଧି ରୁନ୍ଧି ହୋଇ ଯାଉଥିଲା ।

 

ସେ ଦିନ ଦି’ପହର ବେଳଟା କିଭଳି ଭାବରେ କଟିଚି, ଏତେଦିନ ପରେ ଗୋଟି ଗୋଟି ହୋଇ ସବୁ ମନେ ପଡ଼ୁନି । ତେବେ ଏତିକି ମନେ ଅଛି, ଦିପହର ସାରା ଆମେ ଲୁଡ଼ୁ ଖେଳିଥିଲୁ, ମୁଁ ଆଗରୁ କୌଣସି ଦିନ ଖେଳି ନ ଥିଲି । ମନୁ ପ୍ରଥମେ ମତେ କେମିତି ଖେଳିବାକୁ ହୁଏ ବତେଇ ଦେଇଥିଲା । ମନୁର ସମସ୍ତ ଐଶ୍ୱର୍ଯ୍ୟ–ଏୟାରଗନ୍, କାଠ ଘୋଡ଼ା, ହାତୀ, ଟିଣର ମୋଟର, ରବର ବଲ୍ ଆଉ ଛବି ବହି ପ୍ରଭୃତି ବାହାର କରି ମୋ ଆଗରେ କୁଢ଼େଇ ଦେଇଥିଲା । ଠିକ୍ ମନେ ପଡ଼ୁଚି, ପରମ ଉଦାରତାରେ ମନୁ ମତେ ଖଣ୍ଡେ ସୁନ୍ଦର ଛବି ବହି ଉପହାର ଦେଇଥିଲା ।

 

କିନ୍ତୁ ମନୁ ଯେତିକି ଉଦାର, ଯେତେ ଖେଲାଖୋଲି, ମାନି ଅର୍ଥାତ୍ ମାନସୀ ନୁହେଁ । ଘୋଡ଼ାଗାଡ଼ିରୁ ଓହ୍ଲାଇବା ଆଗରୁ ସେ ଯାହା ପଦେ ଅଧେ କହିଥିଲା, ସେତକ ପୁଣି ମୋ ସାଙ୍ଗେ ନୁହେଁ । ତାର ନନା ଆଉ ବୋଉଙ୍କ ସାଙ୍ଗରେ । ଆମେମାନେ ଅର୍ଥାତ୍ ମନୁ ଆଉ ମୁଁ ଯେତେବେଳେ ଲୁଡ଼ୁ ଖେଳୁଥିଲୁ, ଟିଣ ମୋଟରରେ ଚାବି ଦେଇ ଚଳୋଉଥିଲୁ–ଛବି ବହି ଦେଖୁଥିଲୁ, ମାନି ବୁଲି ବୁଲି ଆସି ଆମମାନଙ୍କୁ ଦେଖି ଯାଉଥିଲା । ଠିକ୍ ଆମମାନଙ୍କୁ ନୁହେଁ, ମତେ ଦେଖି ଯାଉଥିଲା । ନାକପୁଡ଼ା ଦୁଇଟା ତାର କେମିତି ଫୁଲିଲା ଭଳି ଦେଖାଯାଉଥିଲା । ଆଉ ଚାହାଣୀଟା ଥିଲା ଗୋଇନ୍ଦାଙ୍କ ଭଳି ଅର୍ଥାତ୍ ଭାଇନାର ସାଙ୍ଗ ସହିତ ସାଙ୍ଗ ହେବା ଉଚିତ କି ନୁହେଁ, ସେତେବେଳେ ସେଇଟା ହିଁ ତାର ଭାବନାର ବିଷୟ ଥିଲା । ତାର ଆଖି ଦୁଇଟା ତା ଭାଇନାକୁ ଯେତେ ସହଜରେ ଚିହ୍ନି ପାରୁଥିଲା ଜାଣି ପାରୁଥିଲା, ମତେ ସେତେ ସହଜରେ ନୁହେଁ । ଏତେ ସହଜରେ ସେ ନିଜକୁ ମେଲେଇ ଦେଇ ପାରିବନି । ଆଗେ ପରୀକ୍ଷା କରିବ, ବୁଲେଇ ବାଲେଇ ଭଲ ଭାବରେ ଦେଖିବ, ମୁଁ ପିଲାଟା କେମିତିକା ? ତା ପରେ କଥାବାର୍ତ୍ତାର ପ୍ରଶ୍ନ ଉଠିପାରେ, ସାଙ୍ଗ ହେବା ତ ଅନେକ ଦୂର କଥା ।

 

ଦି’ପହରଟା ସ୍ୱପ୍ନ ଦେଖିଲା ଭଳି କଟିଗଲା । ଉପରବେଳା ପୁରି, ତରକାରୀ, ମହନ ଭୋଗ ଖାଇବା ପରେ ମନୁର ନନା କହିଥିଲେ, “ଚାଲ ଏଥର, ତୁମକୁ ଛାଡ଼ିଦେଇ ଆସିବି ।”

 

ମୁଁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହେଇଗଲି ।

 

ମନୁର ବୋଉ କହିଥିଲେ, “ପୁଣି ଆସିବ ।”

 

ଏ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା । ଆସିବି କି ନାଇଁ ସେ ଉତ୍ତର ରହିଚି ବୋଉ ହାତରେ । ତେଣୁ ଚୁପ୍ ରହି ଯାଇଥିଲି ।

 

ମନୁର ବୋଉ ପୁଣି ପଚାରିଥିଲେ, “କଣ, ଆସିବଟି ?”

 

କିନ୍ତୁ ପ୍ରତିଶ୍ରୁତି ଦେବାଭଳି ଶକ୍ତି ମୋର ନ ଥିଲା ।

 

ମନୁର ବୋଉ କଣ କହିବାକୁ ଯାଉଥିଲେ । ତା ଆଗରୁ ମାନସୀ କହି ପକାଇଲେ, “କେତେ ପଚାରୁଚ ମ ବୋଉ । ଦେଖିବୁ–ଆସିବେ । ଭାଇନା ଛବିବହି ଦେଇଚି ପରା । ସେଇ ଲୋଭରେ ପୁଣି ଆସିବେ ।”

 

ହାବୁକାଏ ପବନ ଭଳି ତାଳଦେଇ ସମସ୍ତେ ହସି ଉଠିଥିଲେ । ଆଖି ଦେଖେଇ ମନୁର ବୋଉ ସସ୍ନେହ ହସି ହସି ଝିଅକୁ ତାଙ୍କର ଶାସନ କରିଥିଲେ । “ଅଲାଣ୍ଡିଟା, ଏମିତି କଥା କହନ୍ତି ?” କହି ମାନସୀ ପିଠିକୁ ଥାପୁଡ଼େଇ ଦେଇଥିଲେ । ଆଉ ମୁଁ ଲାଜରେ ଏତେ ଟିକିଏ ହେଇ କୋଉଠି ଲୁଚିବି, ଭାବି ପାରୁ ନ ଥିଲି ।

 

ଯାହାହେଉ ମନୁର ନନା ମତେ ବଞ୍ଚେଇ ଦେଇଥିଲେ । କହିଥିଲେ, “ଚାଲ ଯିବା ।”

 

ଝାଉଁ ଗଛ ପାଖରେ ସେଇ ଘୋଡ଼ାଗାଡ଼ିଟା ଥୁଆ ହେଇଥିଲା । ମନୁ ନନାଙ୍କ ପଛେ ପଛେ ଆସି ମୁଁ ସେ ଗାଡ଼ିରେ ବସିଥିଲି । ମନୁ ମଧ୍ୟ ଗାଡ଼ି ଭିତରକୁ ଉଠି ଆସିଲା ।

 

ମନୁର ନନା ତା ଆଡ଼େ ଚାହିଁ ପଚାରିଥିଲେ “ତୁ ପୁଣି କୁଆଡ଼େ ବାହାରିଲୁ ?”

 

“ନରସିଂହଙ୍କ ଘରକୁ ।”

 

ସେଠିକି ଯାଇ ପୁଣି ଯେମିତି ଆଉ ଗଣ୍ଡଗୋଳ ନ କରୁ । ମୁଁ ତାଙ୍କୁ ଛାଡ଼ିଦେଇ ଚାଲି ଆସିବି ।”

 

ନନାଙ୍କର ଏ କଥାରେ ସେମିତି କିଛି ଗୁରୁତ୍ଵ ଦେଇଛି ବୋଲି ମନୁର ଭାବଭଙ୍ଗୀରୁ ଜଣା ପଡ଼ୁ ନ ଥିଲା । କିଛି ଗୋଟାଏ କହିବାକୁ ହେବ ବୋଲି ସେ କହିଥିଲା “ହଉ ।” ତାପରେ ମୋ ଆଡ଼କୁ ଚାହିଁ ପଚାରିଲା, “ଏ ଭାଇ, ତୋର ଡାକ ନାଆଁ କିଛି ନାହିଁ ?”

 

“ଅଛି ।”

 

“କଣ ?”

 

“ନରି ।”

 

“ମୁଁ ସେଇ ନରି ବୋଲି ଡାକିବି ।”

 

ମୁଁ କିଛି କହିଲି ନି । ଚୁପ୍ ରହିଯାଇ ଡାକ ନାଆଁ ଧରି ଡାକିବାକୁ ଅନୁମୋଦନ କରିଥିଲି-

 

ଅଳ୍ପ ସମୟ ପରେ ମନୁଙ୍କର ଘୋଡ଼ାଗାଡ଼ିଟା ଆସି ଆମର ଭଡ଼ା ଘର ଦୁଆର ଆଗରେ ଛିଡ଼ାହେଲା । ଘୋଡ଼ାଗାଡ଼ିରୁ ଓହ୍ଲାଇ ଭିତରକୁ ଯାଉ ଯାଉ ଅଜ୍ଞାତ ଆଶଙ୍କାରେ ମୋ ଛାତି ଭିତରଟା ସେତବେଳକୁ ଧଡ଼୍ ଧଡ଼୍ କରୁଥିଲା । ଶୀତଶେଷକୁ କଅଁଳିଥିବା ଓସ୍ତ ପତ୍ର ଭଳି ହଠାତ୍ ପବନରେ ପ୍ରାଣଟା ଥରୁଚି । ବୋଉର ବିନା ଅନୁମତିରେ ସାରା ଦି’ପହରଟା କଟାଇଦେଇ ଆସିଲି-। ତାର ପରିଣାମ କଣ ଯେ ହେବ ସେଇ ଭାବନାରେ ମୁଁ ଦିଗଶୂନ୍ୟ ଭାବରେ ଅସ୍ଥିର ହୋଇ ପଡ଼ିଲି-

 

ଘର ଭିତରେ ଗୋଡ଼ ଦେବା ମାତ୍ରେ ଦେଖିଲି, ଅଜା ମୋର ଛୋଟ ଭାଇ ଭଉଣୀ ଦୁହିଁଙ୍କ ପାଖରେ ବସିଚନ୍ତି । ଆଈଙ୍କର ଦେଖା ନଥିଲା । ବୋଉ ବରଣ୍ଡା ସେପାଖେ କୂଅ ମୂଳେ ଗଦାଏ ବାସନ ନେଇ ମାଜିବାକୁ ବସିଛି । ମତେ ଦେଖି ତୀବ୍ର ରେଖାରେ ଉଠି ଠିଆ ହେଇ ପଡ଼ିଲା, ମୁହଁଟା ନିଆଁଭଳି ଡହକୁଥାଏ, ଆଖି ଦୁଇଟା ଜଳୁଥିଲା, ଅସ୍ଵାଭାବିକ ଭାବରେ ଓଠ ଦୁଇଟା ଥରୁଥିଲା । ରାଗିଗଲେ ବୋଉର ଓଠ ଦୁଇଟା ଏମିତ ଥରିଉଠେ ।

 

ଦୁର୍ଯ୍ୟୋଗ ଯେ ଆସନ୍ନ ସେଇଟା ଜାଣିବାକୁ ମତେ ଏତେ ଟିକିଏ ବି ଡେରି ହେଇ ନଥିଲା । ସଂସ୍କାର ଏବଂ ଅଭ୍ୟାସ ଦୃଷ୍ଟିରୁ ଶରୀରର ସମସ୍ତ ପେଶୀକୁ ଟାଣ କରିବା ଆରମ୍ଭ କରିଥିଲି । ବୋଉ ହିଁ ମୋ ପାଖେ ସର୍ବାପେକ୍ଷା ଉଚ୍ଚ ବିଚାରାଳୟ । ସେ ଯେଉଁ ଶାସ୍ତି ଦେବ ତା ଉପରେ ଆଉ କୋଉଠି ଅପିଲ ଚଳିବ ନାହିଁ ।

 

ଦାନ୍ତ ଚିପି ବୋଉ ପଚାରିଥିଲା “ସ୍କୁଲରେ ନାଆଁ ଲେଖାଇଲା ପରେ ଘରକୁ ଆସିଲୁନି କାହିଁକି ?”

 

କିଛି ଗୋଟିଏ କହିବି ବୋଲି ଚେଷ୍ଟା କରୁଥିଲି, କିନ୍ତୁ ମୁହଁ ଖୋଲିଲାନି । ମେଞ୍ଚାଏ ମଇଦା ଅଠାରେ ପାଟିଟା ଯେମିତି ଲାଗିଯାଇଛି ଶୁଖିଲା ଶୁଖିଲା ଲାଗୁଥିଲା ।

 

କୂଅ ମୂଳରୁ ବୋଉ ଧୀରେ ଧୀରେ ମୋ ଆଗକୁ ଆଗେଇବା ଆରମ୍ଭ କରି ଦେଇଥିଲା-। ମୋ ଦୁର୍ବଳ ଦେହର ପେଶୀଗୁଡ଼ାକ କ୍ରମଶଃ ଆହୁରି ଟାଣ ହେଉ ଯାଉଥିଲା ।

 

ଏପଟେ ବାରଣ୍ଡା ଉପରୁ ଗୋଟାଏ କୁଦାରେ ଅଜା ତଳକୁ ଆସି ବୋଉ ଆଗରେ ଦୁଇହାତ ମେଲାଇ ପାଟିକଲେ, “ରହ ରହ ଝିଅ ।”

 

ବୋଉ ନିର୍ଦ୍ଦୟ ବିରକ୍ତ ଭାବରେ କହିଥିଲା “ତମେ ତୁନି ହୁଅ ନନା, ତାର ପୁଣି ଏଡ଼େ ସାହସ ଯେ ମତେ ନ ଜଣେଇ ଚାରିଘଣ୍ଟା ବାହାରେ କଟେଇ ଦେଇ ଆସିଲା । ମୁଁ ଆଜି ତାକୁ ଦେଖୁଛି ।”

 

ଅଜା ମତେ ବଞ୍ଚେଇବା ପାଇଁ ପୁଣି କହିଥିଲେ, “ରହ ଝିଅ ମୋ କଥାଟିକେ ଶୁଣ୍‍– ।”

 

“କଣ ତମ କଥା ଶୁଣିବି । ତମେ ଉଠିଯା–” ଅଜାଙ୍କୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ବୋଉ ମୋ ଆଡ଼କୁ ଆଗେଇ ଆସୁଥିଲା ।

 

ଅବଶ୍ୟ ଅଜା ତା ପଛେ ପଛେ ଆସୁଥାଆନ୍ତି । ଆଉ କହୁଥାନ୍ତି, “ସେ ତ ନିଜେ ଯାଉ ନ ଥିଲା, ମୁଁ ତାକୁ ଯିବାକୁ କହିଥିଲି । ଯଦି କିଛି ଅନ୍ୟାୟ ହେଇଥାଏ । ମୋର ହେଇଚି । ଯାହା କହିବୁ ମତେ କହ । ମାରିବୁ ତ ମତେ ମାର ।”

 

ବୋଉ ବୋଧହୁଏ ଅଜାଙ୍କ କଥା ଶୁଣି ପାରୁ ନ ଥିଲା । ମୋ’ଆଡ଼କୁ କଟମଟ କରି ଚାହିଁ ନିଷ୍ଠୁର ଭାବରେ ମାଡ଼ି ଆସୁଥିଲା ।

 

ନିଶ୍ଚୟ ଅଚାନକ ମାଡ଼ର ବର୍ଷା, ବର୍ଷିଯାଇ ଥାଆନ୍ତା । କିନ୍ତୁ ତା ଆଗରୁ ଗୋଟାଏ ନାଟକୀୟ ଘଟଣା ଘଟିଗଲା । ମନୁ ଧାଇଁ ଆସି ବୋଉର ଗୋଟାଏ ହାତକୁ ଧରି ପକେଇ କହିଥିଲା, ‘‘ମାଉସୀ, ମାଉସୀ ନରି କି ମାରନି ।”

 

ମୋ ସଙ୍ଗେ ମନୁ ଯେ ଘୋଡ଼ାଗାଡ଼ିରୁ ଓହ୍ଲେଇଚି, ସେଇଟା ଜାଣି ନ ଥିଲି । ବୋଉର ପ୍ରଳୟଙ୍କରୀ ଅବତାର ଏବଂ ଅଜାଙ୍କ ସହିତ ତାର କଥାବାର୍ତ୍ତା ଶୁଣି, ମୋ କାନ, ପିଠି, ଗାଲ–ଏ ସବୁର ଅବସ୍ଥା କୋଉ ସ୍ତରରେ ଯାଇ ପହଞ୍ଚିବ, ସେଇଟା ସେ ସଙ୍ଗେ ସଙ୍ଗେ ବୁଝି ପାରିଥିଲା । ବୁଦ୍ଧି ପ୍ରଖର ଏବଂ ସ୍ୱଭାବଟା ସାବଲୀନ ବୋଲି ବୋଧହୁଏ ଧାଇଁ ଆସି ‘ମାଉସୀ’ ବୋଲି ବୋଉର ହାତଟା ଧରି ପକେଇଥିଲା ।

 

ବୋଉ ସେତେବେଳକୁ ଥକ୍କା ହୋଇ ଠିଆ ହେଇ ପଡ଼ିଚି । ମୋ ଉପରୁ ଦୃଷ୍ଟିଟା ଯାଇ ମନୁ ଉପରେ ପଡ଼ିଲା, ସେ ଚାହାଣୀରେ ଯେମିତି ବିସ୍ମୟର ପ୍ରଶ୍ନବାଚକ ସୃଷ୍ଟି ହେଇଥିଲା । ଯେମିତି ଜଳନ୍ତା କାଠ ଖଣ୍ଡକ ଉପରେ ବାଲଟିଏ ପାଣି ଢାଳି ଦେଇ ଯାଇଚି । ଏ ଅଚିହ୍ନା ପିଲାଟି କୋଉଠୁ ଆସିଲା, ଆସିଲା ଯଦି ଏମିତି ଅନେକ ଦିନର ଆପଣାର ଚିହ୍ନା ଭଳି ମାଉସୀ ବୋଲି ହାତ ଧରି ପକେଇଲା କେମିତି । କିଛିଟା ବିସ୍ମୟ କରିବା ପରେ ବୋଉ ପଚାରିଥିଲା, “ତମେ କିଏ ।”

 

“ମୁଁ ମନୁ ।”

 

ବୋଉ ଏଥର କଣ କହିବ ସେଇଟା ବୋଧହୁଏ ମନେ ମନେ ସ୍ଥିର କରି ନେଉଥିଲା ।

 

ତା ଆଗରୁ ମନୁ ପୁଣି କହିଲେ, “ମୁଁ ନରିର ସାଙ୍ଗ, ଆମେ ଦୁହେଁ ଦ୍ଵିତୀୟ ଶ୍ରେଣୀରେ ଆଜି ନାଆଁ ଲେଖେଇଲୁ ।”

 

‘‘ତମେ ତା’ହେଲେ ତାକୁ ତମ ଘରକୁ ଡାକି ନେଇଥିଲ ?”

 

“ହଁ ।”

 

“କିନ୍ତୁ ନବା ଆଗରୁ ଏ ଘରର କାହାକୁ କହି, ନବାର ଥିଲା ।”

 

ମନୁ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲା, “କହିଚି ତ !”

 

‘‘କହିଚ ! କାହାକୁ ?”

 

ଏପଟ ସେପଟ ଚାହିଁ ହଠାତ୍ ଅଗଣାରେ ଅଜାଙ୍କୁ ଆବିଷ୍କାର କରି ମନୁ କହିଥିଲା, “ଏଇ ଅଜାଙ୍କୁ କହିଥିଲି ।”

 

ବୋଉ ଏଥର କେମିତି ଟିକିଏ ବିବ୍ରତ ହେଇପଡ଼ିଲା । ମନୁ ତ ଆଉ ଜାଣେନି, ଆମମାନଙ୍କ ଉପରେ କୌଣସି ବିଷୟରେ ଅଜାଙ୍କର କୌଣସି ଜୋର୍ ନାହିଁ । ମନୁ ନ ଜାଣୁ, ତା ପାଖରେ ତ ଆଉ ସବୁ କଥା ଖୋଲି କହିହେବ ନି । ତେଣୁ ବୋଉକୁ ଚୁପ୍ ହୋଇ ରହି ଯିବାକୁ ପଡ଼ିଲା ।

 

ଯାହାହେଉ ଅସ୍ଵସ୍ତିଟା କଟିଯିବା ପରେ ବୋଉ କହିଥିଲା, ‘‘ତମେ ନରିର ସାଙ୍ଗ, ଆସ, ବସିବ ଆସ ।” କହି ବାରଣ୍ଡା ଉପରେ ଗୋଟାଏ ମସିଣା ପକେଇ ଦେଇଥିଲା ।

 

ମନୁ ସାଙ୍ଗେ ସାଙ୍ଗେ ଯାଇ ମସିଣା ଉପରେ ଚକା ପକେଇ ବସିଥିଲା । ଆଉ ମୁଁ ଲକ୍ଷ୍ୟ କରୁଥିଲି, ବୋଉର ଜଳନ୍ତା ମୁହଁଟା ଏକାବେଳକେ ଥଣ୍ଡା ପଡ଼ିଯାଇଚି । ନିଷ୍ଠୁର ମୁହଁଟାରେ ଯେମିତି ଗୋଟାଏ କୋମଳତାର ଛାୟା ପଡ଼ିଚି ।

 

ମନୁକୁ ବସେଇ ଦେଇ ବୋଉ ଘର ଭିତରକୁ ଗଲା । ଟିକିଏ ପରେ ଗୋଟାଏ ଥାଳିଆରେ ମୁଢ଼ି ମୁଆଁ ଆଣି ତା ହାତରେ ଦେଇ କହିଥିଲା, “ନୂଆ ହେଇ ଆସିଲ, ଖାଅ ।”

 

ବୋଉ ଦୁଇଟା ମୁଆଁ ଦେଇଥିଲା । ମନୁ ଉଠି ଆସି ସେଥିରୁ ମତେ ଗୋଟାଏ ଦେଇ କହିଥିଲା, “ତୁ ଗୋଟାଏ ଖା, ମୁଁ ଗୋଟାଏ ଖାଉଚି ।”

 

ମୁଆଁଟା ନେଲି ସତ, ହେଲେ ଖାଇବାକୁ ଭୁଲିଯାଇଥିଲି । ଆଶ୍ଚର୍ଯ୍ୟ ହୋଇ କେବଳ କଣେଇ କଣେଇ ବୋଉକୁ ଦେଖୁଥିଲି । ଏ କଣ ମୋର ସେଇ ବୋଉ, ଯାହାର ଆଖି ଡୋଳା ଦୁଇଟାରେ ସଦାବେଳେ ନିଷ୍ଠୁରତା ଖେଳୁଥାଏ ? ଏ କଣ ମୋର ସେଇ ବୋଉ, କଥା କଥାକେ ଯିଏ ଆମମାନଙ୍କ ଆଖିରେ ମୃତ୍ୟୁ ସ୍ଵରୂପିଣୀ ?

 

ମୋର ସେଇ କଞ୍ଚା ବୟସରେ କଦବା କ୍ୱଚିତ୍ କାହାକୁ ଆମ ଘରକୁ ଆସିବାର ଦେଖିଚି, ଆଉ ଆସିଲେ ବି ଏମିତି ସମାରୋହରେ ଅଭ୍ୟର୍ଥନା କରାଯିବା ମୋର ସେଇ ପ୍ରଥମ ଦେଖା । ସେ ଦିଗରୁ ମନୁକୁ ଭାଗ୍ୟବାନ ବୋଲି ଧରିବାକୁ ହେବ ।

 

ବୋଉର ଆଖି ଆଉ ମୁହଁର ରଙ୍ଗ ବଦଳି ଯିବାର ଦେଖି ତାର ମସ୍ତିଷ୍କର ଋତୁ ବଦଳି ଯିବାର ଆଭାସ ପାଇ ସେ ଦିନକ ପାଇଁ ମୁଁ ନିଶ୍ଚିନ୍ତ ହେଇ ଯାଇଥିଲି । କାରଣ କାନ, ଗାଲ, ପିଠିଟା ଅନ୍ତତଃ ଗୋଟାଏ ଦିନ ପାଇଁ ରକ୍ଷା ପାଇଗଲା । ଆଉ ଏଥିପାଇଁ ମୁଁ ଯାହା ପାଖରେ ବିଶେଷଭାବରେ କୃତଜ୍ଞ, ସେ ହେଉଚି ମନୁ ।

 

ସେତେବେଳକୁ ମୁଆଁ ଖିଆ ଚାଲିଚି, ବୋଉ ପଚାରିଥିଲା, “ତମ ଘରଟା କୋଉଠି ବାପା ?”

 

ମନୁ ତାଙ୍କ ଘରର ଠିକଣା କହିଥିଲା ।

 

ବୋଉ କହିଥିଲା, “ଏଇ ପାଖରେ ରହୁଚ ତା’ହେଲେ । ନନାଙ୍କ ନାଆଁ କଣ ?”

 

“ଶ୍ରୀଯୁକ୍ତ ବାବୁ ପୂର୍ଣ୍ଣଚନ୍ଦ୍ର କର ।”

 

“ତମେ ଭାଇ ଭଉଣୀ କେତେଜଣ ?”

 

“ମୋର କେବଳ ଆଉ ଗୋଟିଏ ଭଉଣୀ ଅଛି ।”

 

ମନୁ ଆଉ ବୋଉର ପ୍ରଶ୍ନୋତ୍ତର ଶୁଣୁ ଶୁଣୁ ମୋର ବିସ୍ମୟର ସୀମା ରହି ନଥିଲା । ବୋଉକୁ ସବୁଦିନେ ନୀରବ ଦେଖିଚି । ଦିନଟାଯାକ ଭିତରେ ପଦେ କି ଦିପଦରୁ ବେଶି କଥା କହେ ନି । ମଣିଷ ମୁହଁ ଦ୍ଵାରା ଯେତେ କଥା କହେ, ବୋଉ ଆଖିରେ ତା ଅପେକ୍ଷା ଅନେକ ବେଶି କହିପାରେ ଆଖି ଦୁଇଟା ତାର ଅଦ୍ଭୁତ ଭାଷାମୟ ଆଉ ପ୍ରକାଶକ୍ଷମ ଥିଲା । ସେ ଦୁଇଟା ମଧ୍ୟରେ ଆଶ୍ଚର୍ଯ୍ୟ ସ୍ପର୍ଶମୟ ଗୋଟାଏ ମୁଖରତା ଥିଲା ।

 

ଆଜନ୍ମର ଅଭ୍ୟାସରୁ ବୋଉର ଦୃଷ୍ଟିର ଭାଷା ପଢ଼ିବାକୁ ଶିଖିଥିଲି । କେତେବେଳେ ସେ କଣ କହିବାକୁ ଇଚ୍ଛା କରୁଚି, ତାରି ଆଖି ଦୁଇଟାକୁ ଦେଖିଦେବା ମାତ୍ରେ ଜାଣିପାରେ । ଆଶ୍ଚର୍ଯ୍ୟ, ମୋର ସେଇ ନିର୍ବାକ ନିଃଶବ୍ଦ ବୋଉକୁ ସେଦିନ କଥାର ସାଗରରୂପେ ଦେଖିପାରିଲି । ମନୁ ସାଙ୍ଗେ ଗୋଟାକ ପରେ ଗୋଟାଏ କଥା ସେ କହି ଯାଉଥିଲା । ଏଇଟାକୁ ଯଦି ବିସ୍ମୟ ବୋଲି ନ କହେ, ତା ହେଲେ କାହାକୁ କହିବି ?

 

ବୋଉ ପଚାରୁ ଥିଲା, “ତମେ ବଡ଼ ହେଇଥିବ ?”

 

ମନୁ ନୀରବରେ ମୁଣ୍ଡ ଟୁଙ୍ଗାରି ଦେଇଥିଲା ।

 

ଆମ ଘରକୁ ଆସି ମନୁ ତ ବେଶ୍ ଆଡ଼୍ଡ଼ା ଜମେଇ ବସିଚି । ତେଣେ ତାର ଡେରି ହେବାର ଦେଖି ଘୋଡ଼ାଗାଡ଼ିର ଚାଳକ ତାକୁ ଡାକିବାକୁ ଆସିଥିଲା । ବୋଧହୁଏ ମନୁର ନନା ତାକୁ ପଠେଇଥିଲେ ।

 

ମନୁ ଗୋଟାଏ କଥାରେ ଗାଡ଼ି ଚାଳକକୁ ବିଦାକରି ଦେଇଥିଲା, “ତମେ ଯାଅ ଆକବର, ନନାଙ୍କୁ କହିଦିଅ, ମୁଁ ଟିକିଏ ପରେ ଯାଉଚି ।”

 

ଆକବର ଫେରି ଯାଇଥିଲା । ଆଉ ମନୁ ବୋଉ ସଙ୍ଗେ କଥାବାର୍ତ୍ତାରେ ମାତିଥିଲା । କଥାବାର୍ତ୍ତା ହେଉ ହେଉ କେତେବେଳେ ଶୀତଦିନିଆ ଉପରେ ବେଳାଟା କ୍ରମଶଃ ମଳିନ ହୋଇ ସନ୍ଧ୍ୟାର ରୂପ ଧାରଣ କରିବାକୁ ଆରମ୍ଭ କରିଦେଲାଣି, କାହାରି ଖିଆଲ ନାହିଁ । ଏଣେ ଆକବର ଆହୁରି ଦୁଇଥର ଆସି ଡାକି ଦେଇ ଗଲାଣି । ଦୁଇଥର ଯାକ ମନୁ ତାକୁ ଫେରେଇ ଦେଇଚି ।

 

ଆମର ଦାଣ୍ଡ ଦୁଆରଟା ଅଧା ମେଲା ଥିଲା । ତାରି ଭିତରେ ରାସ୍ତାର ଗୋଟାଏ ଅ°ଶ ଦେଖା ଯାଉଥିଲା । ସେଇ ବଡ଼ ଘୋଡ଼ାର ଦୁଇଟା ଗୋଡ଼, କେଶର, ତେଲ ଚିକିଟିଆ କାଳିଆ ଦେହର କିଛି ଅଂଶ ଆଉ ସୁନ୍ଦର ଗାଡ଼ି ଖଣ୍ଡକ ଦେଖା ଯାଉଥିଲା ।

 

ଶେଷକୁ ବୋଉ ନିଜ ଆଡ଼ୁ କହିଥିଲା, ‘‘ଲୋକଟା କେତେଥର ଆସି ଡାକିଲାଣି, ତମ ନନା ଅନେକ ବେଳୁ ବସି ରହିଚନ୍ତି । ଆଜି ଘରକୁ ଯାଅ, ଆଉ ଦିନେ ଆସିବ ।

 

ମୁଆଁ ଖାଇବା ଶେଷ ହୋଇ ଯାଇଥିଲା । ପାଣି ଗିଲାସକ ଢକ ଢକ କରି ପିଇ ମନୁ ଅଗଣାକୁ ଓହ୍ଲାଇ ପଡ଼ିଲା । ବାହାରକୁ ଯାଉ ଯାଉ ହଠାତ୍ କଣ ଭାବି କେଜାଣି ପୁଣି ଫେରିଆସି ବୋଉ ପାଖରେ ଠିଆ ହେଲା ।

 

ବୋଉ ପଚାରିଲା, “ଆଉ କଣ କହିବ ?”

 

“ହଁ ।’’

 

“କଣ ।”

 

“ସ୍କୁଲ ଛୁଟି ହେଲା ପରେ ନରି ପ୍ରତିଦିନ ଆମ ଘରକୁ ଯିବ ।”

 

ବୋଉ ହଠାତ୍ କୌଣସି ଉତ୍ତର ଦେଲାନି । ମନୁଆଡ଼େ ଥରେ ଚାହିଁ ଦେଇ ସ୍ଥିର ନିଷ୍ପଲକ ଦୃଷ୍ଟିରେ ମୋ ମୁହଁକୁ ଚାହିଁ ରହିଥିଲା । ଅର୍ଥାତ୍ ମନୁ ଯେଉଁ କଥାଟା କହିଲା, ସେଇଟା ମୁଁ ତାକୁ କହିବା ପାଇଁ ଶିଖେଇ ଆଣିଚି କି ନାଇଁ, ସେଇଟାକୁ ବୁଝିବାକୁ ଚେଷ୍ଟା କରୁଥିଲା । ଆଉ ବୋଉର ସେ ଚାହାଣୀରେ ମୋ ଛାତି ଭିତରେ ଯେମିତି ପବନ ରୁନ୍ଧି ହୋଇ ଯାଉଥିଲା । ତଳକୁ ଚାହିଁ ମୁଁ ଝାଳେଇବାକୁ ଲାଗିଲି ।

 

ମନୁ ପଚାରିବାରେ ଲାଗିଥାଏ, “କହୁନ ମାଉସୀ, ନରି ପ୍ରତିଦିନ ଆମ ଘରକୁ ଯିବଟି-?’’

 

ବୋଉ କଣ କହିବାକୁ ଯାଉଥିଲା, ଠିକ୍ ସେତିକିବେଳେ ବାହାର ଦ୍ଵାରପାଖେ ଦୀର୍ଘ ଛାୟାଟିଏ ଦେଖାଗଲା । ମନୁର ନନା ପୂର୍ଣ୍ଣବାବୁ ଆସି ଠିଆ ହୋଇଥିଲେ । ଯେତେଦୂର ସମ୍ଭବ ଆକବର ଉପରେ ଭରସା ରଖିପାରି ନାହାନ୍ତି ବୋଲି ତାଙ୍କୁ ନିଜେ ଆସିବାକୁ ପଡ଼ିଚି ।

 

ମନୁର ନନା ଦୁଆର ମୁହଁରୁ ଡାକ ପକେଇଲେ, “କିରେ ଘରକୁ ଯିବୁନି କି ? ସେତିକିବେଳୁ ଆସିଲୁଣି ଯେ, ଆଉ ବାହାରିବାର ନାଆଁ ଧରୁନୁ । ସାଙ୍ଗ ସଙ୍ଗେ ମନ ଏକାବେଳେ ମିଳିଗଲା ପରା !’’

 

ପୂର୍ଣ୍ଣବାବୁଙ୍କ ତୁଣ୍ଡ ଶୁଣିପାରି ବୋଉ ତରତର ହେଇ ମୁଣ୍ଡର ଓଢ଼ଣାଟାକୁ ଟାଣି ଦେଇଥିଲା । ମନୁ କିନ୍ତୁ ତା ନନାଙ୍କଆଡ଼େ ମୁହଁ ବୁଲେଇ ନଥିଲା । ସେ ଆଗପରି ବୋଉ ସଙ୍ଗେ ଲଗେଇଥାଏ, “କହୁନ ମାଉସୀ, ନରି ଛୁଟି ହେଲା ପରେ ପ୍ରତିଦିନ ଆମ ଘରକୁ ଯିବଟି ?”

 

କେମିତି ଭାବରେ କେଜାଣି ମନୁ ଜାଣିପାରି ଥିଲା ଯେ, ମୋର ସ୍ଵାଧୀନତା, ମୋର ଗତିବିଧି, ମୋର ଜୀବନ ମରଣର ଚାବି ସବୁ ବୋଉ ହାତରେ ରହିଚି । ସେଠାରୁ ଥରକ ପାଇଁ ଯଦି ଅନୁମତି ନେଇଯାଇ ହେଲା, ତା’ ହେଲେ ନିଶ୍ଚିନ୍ତ । ତା ଉପରେ ଆଉ କେହି କଥା କହିବାକୁ ନାହିଁ ।

 

ପୂର୍ଣ୍ଣବାବୁ ପୁଅର କଥାର ଧରଣ ଏବଂ ମୁଣ୍ଡ ହଲା ଦେଖି ବୁଝି ପାରିଥିଲେ, କିଛି ଗୋଟାଏ ଘଟିଚି । ଟିକିଏ ଶଙ୍କିତ ହେବା ଭଳି ସେ କହିଥିଲେ, “ଏ କ’ଣ ରେ, ଏମିତି ବଦମାସୀ କରୁଚୁ କାହିଁକି ? କଣ ହେଇଚି ?

 

ଓଢ଼ଣା ତଳୁ ବୋଉ ଧୀରେ ଧୀରେ କହିଥିଲା, “ସେ କିଛି ନୁହେଁ; ପିଲାଲୋକ, ଗୋଟାଏ କଥା କହୁଚନ୍ତି । ଆପଣ ଭିତରକୁ ଆସନ୍ତୁ–’’

 

ଅଜା ପରମ ବିସ୍ମୟରେ ମୂଳରୁ ଶେଷଯାଏ ବୋଉର ରୂପାନ୍ତରଟା ଲକ୍ଷ୍ୟ କରୁଥିଲେ । ବୋଉ ମୁହଁରୁ କଥା ଶେଷ ହେଇଚି କି ନାଇଁ କର୍ତ୍ତବ୍ୟ କଥା ଯେମିତି ତାଙ୍କର ମନେ ପଡ଼ିଗଲା । ତରତର ହୋଇ ଦାଣ୍ଡ ଦ୍ଵାର ଆଗେ ଦୁଇ ପାହୁଣ୍ଡ ଆଗେଇ ଆସି କହିଥିଲେ, “ସେଠାରେ କଣ ଠିଆ ହୋଇଚନ୍ତି ଆଜ୍ଞା ? ଦୟାକରି ଆସିଚନ୍ତି ଯଦି ଭିତରକୁ ଆସନ୍ତୁ–”

 

ପୂର୍ଣ୍ଣବାବୁ ଅବଶ୍ୟ ଭିତରକୁ ଆସିଲେ ନି । ସେଇ ଦ୍ଵାର ମୁହଁ ପାଖରେ ଠିଆହୋଇ କହିଥିଲେ, “ଆଜି ଥାଉ ଆଜ୍ଞା, ଅନ୍ୟ ଜାଗାରେ ଟିକିଏ କାମ ଅଛି; ବର୍ତ୍ତମାନ ସେଠିକି ଯିବାକୁ ହେବ ।” ତା’ ପରେ ମନୁକୁ ଡାକିଥିଲେ, “ଆ ରେ ଯିବା ।”

 

ବୋଉ କହିଥିଲା, “ସେ କଥା କେମିତି ହେବ, ପ୍ରଥମ ହେଇ ଆସିଲେ, ଏମିତି ଠିଆ ଠିଆ ଦୁଆର ପାଖକୁ ଚାଲିଯିବେ । ଭିତରକୁ ନ ଆସିଲେ ଆମକୁ ଦୁଃଖ ଲାଗିବ ।”

 

ଦୁଇ ହାତ ଯୋଡ଼ି ପୂର୍ଣ୍ଣବାବୁ କହିଥିଲେ, “ଆଜି ଦିନକ ମତେ କ୍ଷମା କରନ୍ତୁ । ଏକା ସାହିରେ ତ ରହୁଚେ । ଅନ୍ୟ ଦିନେ ନିଶ୍ଚୟ ଆସିବି ।” କହି ମନୁକୁ କହିଥିଲେ “ଆରେ ଯିବା, ଆଉ ଡେରି କରନା, ମତେ ପୁଣି ଓକିଲଙ୍କ ବସାକୁ ଯିବାକୁ ହେବ । ସୁରେନ୍ଦ୍ରବାବୁ ତେଣେ ମତେ ଚାହିଁ ବସିଥିବେ ।”

 

ମନୁ ସେ କଥାରେ କାନ ଦେଇନି । ମୋ ବୋଉର ହାତଟା ଧରି ଝାଙ୍କୁ ଝାଙ୍କୁ କହିଲା, “କହୁନ କାହିଁକି ମ ମାଉସୀ, କହୁନ !”

 

“କଣ ସେ କହିବେ ?” କାରଣଟା ଜାଣିବାକୁ ପୂର୍ଣ୍ଣବାବୁ ଉଦ୍‍ବିଗ୍ନ ହୋଇପଡ଼ିଲେ ।

 

ମନୁର ଜବାବଟା ବୋଉ ଦେଇଥିଲା, “ସେ କହୁଚନ୍ତି ପ୍ରତିଦିନ ସ୍କୁଲ ଛୁଟି ପରେ ନରି ଆପଣଙ୍କ ଘରକୁ ଯିବ । ମୁଁ ଯେମିତି ତାକୁ ଛାଡ଼ିଦିଏ ।”

 

ବିବ୍ରତ ଭାବରେ ହସି ପୂର୍ଣ୍ଣବାବୁ କହିଲେ, “ମୋ ପୁଅପରା, ମୁଁ ତାକୁ ଭଲ ଭାବେ ଚିହ୍ନିଚି-। ଥରେ ଯୋଉ କଥା ଜିଦି ଧରିବ ନ ହେଲେ ରକ୍ଷା ନାହିଁ । କହିବାକୁ ଅବଶ୍ୟ ମୋର ସଙ୍କୋଚ ହେଉଛି, ତଥାପି ନ କହି ରହିପାରୁନି । ଦୟାକରି ତାର ଅନୁରୋଧଟା ଆପଣଙ୍କୁ ରଖିବାକୁ ହେବ, ନ ହେଲେ ଆମର ଆଉ ରକ୍ଷା ନାହିଁ ।”

 

ଦୂରରେ ରହି ଅନୁଭବ କରୁଥିଲି, ଓଡ଼ିଶା ଆଢ଼ୁଆଳରେ ବୋଉର ମୁହଁଟା କଠିନ ହୋଇଉଠିଚି । ନୀରସ ଭାବରେ ସେ କହିଥିଲା, “କିନ୍ତୁ–”

 

“କଣ !” କହନ୍ତୁ–’’

 

“ଆମେ ଖୁବ୍ ଗରିବ । ମୋର ଭାରି ଭୟ ହୁଏ, ନରିଟା—’’ ଏତିକି କହି ହଠାତ୍ ବୋଉ ରହିଯାଇଥିଲା ।

 

ଅପଲକ ନେତ୍ରରେ ବୋଉର ଓଢ଼ଣୀ ଦିଆ ଅଦୃଶ୍ୟ ମୁହଁଟା ଆଡ଼େ ପୂର୍ଣ୍ଣବାବୁ କିଛି ସମୟ ଚାହିଁ ରହିଥିଲେ । ତାଙ୍କ ମୁହଁରେ ଲହରୀ ଭଳି ଲାଗ ଲାଗ ଗୁଡ଼ାଏ କଣ ଯେମିତି ଖେଳି ଯାଉଥିଲା । ତା ପରେ ଖୁବ୍ ସମ୍ଭାଳି ସେ କହିଥିଲେ, “ମୋ ଘରକୁ ପୁଅକୁ ପଠେଇଦେଇ ଆପଣ ନିଶ୍ଚିନ୍ତ ରହି ପାରନ୍ତି । ଆପଣଙ୍କର କୌଣସି କ୍ଷତି ହେବନି ।”

 

“ନରି ଯିବାରେ ତା’ ହେଲେ ମୋର ଆପତ୍ତି ନାହିଁ ।”

 

“ଆପଣ ମତେ ବଞ୍ଚେଇଦେଲେ ।”

 

ସେଦିନ ମୋ ହାତରେ ମୁକ୍ତ ପୃଥିବୀରେ ଗୋଡ଼ ବାଡ଼େଇବାର ସନନ୍ଦ ଟେକିଦେଇ ମନୁ ତା ନନାଙ୍କ ସାଙ୍ଗରେ ଚାଲି ଯାଇଥିଲା । ସେମାନେ ଯିବା ପରେ ବୋଉ ମୁଣ୍ଡରୁ ଧୀରେ ଧୀରେ ଓଢ଼ଣାଟା ଖସି ଯାଇଥିଲା । ଲକ୍ଷ୍ୟ କରିଥିଲି, ବୋଉ ଆମ କାହାରି ଆଡ଼େ ଚାହିଁ ନ ଥିଲା, ତା ମୁହଁରେ କୌଣସିଠାରେ ଚିରଦିନର ଚିହ୍ନା କଠୋର ରେଖାଗୁଡ଼ାକ ଆଉ ଦେଖିପାରୁ ନଥିଲି । ମନେ ହେଉଥିଲା, କଠିନ ବରଫ ଭଳି ଜମାଟ ବାନ୍ଧି ଅସ୍ତିତ୍ଵର ସ୍ତୂପ କିଛିଟା ତରଳିଯାଇଛି ।

 

ବୋଉ ଅନ୍ୟମନସ୍କଙ୍କ ଭଳି କିଛି ସମୟ ଠିଆ ହେଇ ରହିବା ପରେ ଘର ଭିତରକୁ ଚାଲି ଯାଇଥିଲା । ଆଉ ଅଜା ମୋ ପାଖକୁ ଆସି କାନ ପାଖରେ ମୁହଁ ଲଗେଇ ଫୁସରୁ ଫୁସରୁ ହୋଇ କହିଥିଲେ, ‘‘ମନୁଟାକୁ କୁହୁକ ଜଣା ଅଛି, ତାକୁ ପ୍ରତିଦିନ ଧରି ଆସିବୁ ।”

 

ଚାରି

 

ତା ପର ଦିନଠାରୁ ନିୟମିତ ସ୍କୁଲକୁ ଯିବାକୁ ପଡ଼ିଥିଲା । କଥା ଅନୁସାରେ ସ୍କୁଲ ଛୁଟି ହେବା ପରେ ମନୁ ମତେ ପ୍ରତିଦିନ ତାଙ୍କ ଘରକୁ ନେଇଯିବା ଆରମ୍ଭ କରିଥିଲା । ଯାଉ ଯାଉ ଶେଷକୁ ମନୁଙ୍କ ଘରକୁ ଯିବାଟା ପ୍ରତିଦିନର ଅଭ୍ୟାସର ପଡ଼ିଯାଇଥିଲା ।

 

ମତେ କିନ୍ତୁ ଭାରି ଲାଜ ଲାଗେ । ଚିରଦିନର ଭୀରୁତା ଆଉ ସଙ୍କୋଚର ଟାଣୁଆ ମଲାଟ ଭିତରେ ମୋର ସ୍ଵଭାବଟାକୁ ପୂରାଇ କିଏ ବୋଧହୁଏ ଅଠା ଦେଇ ବନ୍ଦ କରି ରଖିଥିଲା । ମନୁ ପ୍ରଭୃତି ସେ ମଲାଟକୁ ଚିରି ମତେ ଦୁର୍ବାର ସ୍ରୋତରେ ଭସେଇ ନେବାକୁ ଇଚ୍ଛା କରନ୍ତି, କିନ୍ତୁ ମୁଁ ପାରେନି । ପ୍ରତି ପଦକ୍ଷେପରେ କୁଣ୍ଠା ଭାବଟା ଛାତି ଭିତରେ କଣ୍ଟା ଭଳି ଫୋଡ଼ି ହୋଇଯାଏ । ତାକୁ ପୂରାପୂରି ଦମନ କରିବା ମୋ ପକ୍ଷରେ ଅସାଧ୍ୟ ।

 

ମନୁଙ୍କ ଘରକୁ ଯିବା ବିଷୟରେ ବୋଉର ଯେ ଖୁବ୍‍ ଆନ୍ତରିକ ସ୍ଵୀକୃତି ଥିଲା, ତା ନୁହେଁ-। ଅନିଚ୍ଛାସତ୍ତ୍ୱେ ସେ ମନୁର ଜିଦି ଆଉ ତାର ନନାଙ୍କ ଅନୁରୋଧରେ ଅନୁମତି ଦେଇଥିଲା-। ମନେପଡ଼ୁଚି, ପ୍ରତିଦିନ ମନୁଙ୍କ ଘରୁ ଫେରି ଆସିଲେ ତୀକ୍ଷଣ ବିଶ୍ଳେଷଣମୟ ଆଖିରେ ବୋଉ ମୋ ଆଡ଼େ ଚାହିଁରହେ । ଯେମିତି ଜାଣିବାକୁ ଇଚ୍ଛା କରୁଥାଏ, ବଡ଼ଲୋକଙ୍କ ସାଙ୍ଗରେ ରହି କୌଣସି ଅସମ୍ମାନ, ଅଗୌରବ ଅଥବା ବିପଜ୍ଜନକ କୌଣସି ପରିବର୍ତ୍ତନ ଦେହସାରା ଲେଖି ଆଣିଚି କି ନାଇଁ-। ବୋଉ ନିଷ୍ଠୁର ଥିଲା, ନିର୍ମମ ଥିଲା; ତଥାପି ଆମରିମାନଙ୍କୁ ନେଇ ତାର ଜଗତଟା ଥିଲା-। ଆଉ ଏତେ ଦିନ ଧରି ମୋର ଜଗତଟା ଥିଲା ବୋଉ । ଜନ୍ମ ହେବା ସଙ୍ଗେ ସଙ୍ଗେ ବୋଉ ଯେମିତି ମୋର ଅସ୍ତିତ୍ଵର ସବୁଆଡ଼େ ସଞ୍ଚରିତ ହେଇ ଯାଇଥିଲା । ମନୁ ପ୍ରଭୃତିଙ୍କୁ ପାଇ ମୋର ପୃଥିବୀର ପରିଧି ବିସ୍ତୃତ ହେବାକୁ ଆରମ୍ଭ କରିଥିଲା । ସତରେ କଣ ହେଇଥିଲା ?

 

ଜୀବନର ଶେଷ ପର୍ବରେ ପହଞ୍ଚି ଏବେ ବି ତ ମୋର ମନେହୁଏ, ଯାହା କରେ, ଯାହା କହେ, ଅଥବା ଯୋଉଠିକୁ ଯେତେଦୂର ଯାଏ ନା କାହିଁକି–ବୋଉର ଦୃଷ୍ଟି ବାହାରକୁ ଯିବାର ଉପାୟ ନାହିଁ । ମୋର ଚାଲିବା ବୁଲିବା, ହସିବା ବସିବା ଏବଂ ସମସ୍ତ ଗତିବିଧିକୁ ଅଦୃଶ୍ୟ ଭାବରେ ପ୍ରତି ମୁହୂର୍ତ୍ତରେ ସେ ନିୟନ୍ତ୍ରଣ କରିଚାଲିଚି ।

 

ସଙ୍କୋଚ, ଭୀରୁତା, ଲଜ୍ଜା, ଯାହା ଥାଉ, ମନୁଙ୍କ ଘରକୁ କିନ୍ତୁ ନ ଯାଇ ରହି ପାରେନି । ମାଧ୍ୟାକର୍ଷଣ ଭଳି ଦୂରନ୍ତ ଆକର୍ଷଣରେ ତିନି ଦିଗରୁ ମନୁ ପ୍ରଭୃତି ମତେ କ୍ରମାଗତ ଟାଣିବାରେ ଲାଗି ଥାଆନ୍ତି । ତିନି ଦିଗରୁ ଗୋଟାଏ ଦିଗରେ ଥିଲା ମନୁ, ମନୁ ଭଳି ପ୍ରାଣବନ୍ତ ଉଜ୍ଜ୍ୱଳ ପିଲା ଜୀବନରେ ଆଉ କେବେ ଦେଖିନି । ରୂପରେ, ସ୍ଵାସ୍ଥ୍ୟରେ, କଥାବାର୍ତ୍ତାରେ ସେ ଥିଲା ସପ୍ରତିଭ, ଶାଣିତ । ଯେମିତି ଗୋଟାଏ ଦୂରନ୍ତ ଦେବଦୂତ । ଯେତେ ସମୟ ତାଙ୍କ ଘରେ ଥାଏ, ଖେଳ କୁଦ, ଧାଁ–ଧପଡ଼, ପାଟି ତୁଣ୍ଡରେ ମତେ ଏକାବେଳେ ବୁଡ଼େଇ ରଖେ । ମୋ ଭଳି ଦୁର୍ବଳ, କ୍ଷୀଣପ୍ରାଣ, ଗୋଟାଏ କୁଣ୍ଠିତ ପିଲା ସଙ୍ଗେ କିଭଳି ଭାବରେ ତାର ବନ୍ଧୁତ୍ଵ ଘଟିଥିଲା–ସେଇଟା ହେଉଚି ମୋର ଶୈଶବର ପରମ ବିସ୍ମୟକର ଘଟଣା ।

 

ମୋର ଆକର୍ଷଣର ଦ୍ଵିତୀୟ ଦିଗରେ ଥିଲା ମାନସୀ । ମନେ ପଡ଼ୁଚି, ବର୍ଷେକାଳ ଯିବା ଆସିବା କଲାପରେ ବି ମାନସୀ ସଙ୍ଗେ ମୋର ବନ୍ଧୁତ୍ଵଟା ଦୃଢ଼ ହେଇ ନ ଥିଲା । ଦୃଢ଼ ତ ଦୂରର କଥା, ବନ୍ଧୁତ୍ଵ ବି ହେଇ ନ ଥିଲା । ଏଇ ବର୍ଷକ ଭିତରେ ତା ସଙ୍ଗେ ମୋଟେ ଥରେ କି ଦୁଇଥର କଥାବାର୍ତ୍ତା କରିଥିବି ବୋଧହୁଏ ।

ପ୍ରଥମ ଦିନ ଭଳି ସେ ସଂଶୟ ଦୃଷ୍ଟିରେ ମତେ ଦେଖୁଥିଲା । ମନୁ ସାଙ୍ଗରେ ଯେତେବେଳେ ଖେଳରେ ମାତିଥାଏ ସେ ଆସି ଦେଖାଦିଏ । ସେତେବେଳେ ବି ତା ଆଖିରେ ସେଇ ଗୋଇନ୍ଦା ଚାହାଣୀ ଖେଳୁଥାଏ । ଅର୍ଥାତ୍ ସେପର୍ଯ୍ୟନ୍ତ ମତେ ସେ ଚିହ୍ନିବା କାମ ଶେଷ କରି ନ ଥାଏ । ଏଡ଼େ ଟିକିଏ ଝିଅର ଏଭଳି ଚାହାଣୀ ଦେଖିଲେ ମୁଁ ଅସ୍ଵସ୍ତି ଅନୁଭବ କରେ, କେମିତି ବିଚଳିତ ହେଇ ପଡ଼େ । ମନେ ହୁଏ, ମାନୀ ଯେମିତି ମୋ ପ୍ରତି ଖୁବ୍ ଅପ୍ରସନ୍ନ, ତାଙ୍କ ଘରକୁ ମୋର ଯିବା ଆସିବା କରିବାଟା ସେ ଯେମିତି ପସନ୍ଦ କରୁନି ।

ସନ୍ଦେହ ଥାଉ ବା ଯାହା କିଛି ଥାଉ, ତଥାପି ମାନସୀକୁ ଭଲ ଲାଗେ । କାହିଁକି ଲାଗେ, ତାର କାରଣଟା ସେତେବେଳେ ବୁଝିବା ଆଦୌ ସମ୍ଭବ ନୁହେଁ । ଭଲ ଲାଗିବାଟା ମୋର ସଜ୍ଞାନ ମନର ଅନେକ ସ୍ତରର ତଳେ, ଅବଚେତନର ଅତଳ ଗର୍ଭରେ ଥିଲା । ସେଇଟା ଅନେକ ପରର ଜାଣିବା କଥା ।

ମୋର ଆକର୍ଷଣର ତୃତୀୟ ଦିଗରେ ରହିଥିଲେ ମନୁର ନନା ଆଉ ବୋଉ ।

ପିଲାଦିନେ ମନୁଙ୍କ ଘରକୁ ଯିବା ଆଗରୁ ମୋର ଜଗତଟା ଖୁବ୍ ଛୋଟ ଥିଲା । ଫଳରେ ଗୋଡ଼–ହାତ ଖୋଲି ଉଡ଼ି ଉଡ଼ି ବୁଲି ପାରୁ ନ ଥିଲି । କିନ୍ତୁ ଆଉ ଗୋଟାଏ ଦିଗରୁ ମୋର ପୃଥିବୀ ବଡ଼ ହେବାକୁ ଆରମ୍ଭ କରିଥିଲା । ସେଇଟା ହେଉଚି ମୋର ମନ, ସେଇଠି ମୋର ଉଠାବସା–ଚଲାବୁଲା, ଖୁସି ଅନୁସାରେ ଡେଣା ହଲେଇ ହେଉଥିଲା । ତେଣୁ ପ୍ରତିଦିନ ସେଇ ପୃଥିବୀର ଦିଗନ୍ତ ଚୂଡ଼ା ମୋ ପାଖେ ଗୋଟାକ ପରେ ଗୋଟାଏ ଖୋଲି ଯାଉଥିଲା ।

ପିଲାବେଳର ବୟସ ତୁଳନାରେ ମୁଁ ଢେର ବେଶି ବୁଝି ପାରୁଥିଲି, ମନଟା ସେତେବେଳେ ଅଦ୍ଭୁତ ପ୍ରକାରର ବିଶ୍ଳେଷଣୀ ହୋଇ ଉଠିଥିଲା ।

ମନେଅଛି, ମୋର ଅସ୍ତିତ୍ୱର ଗୋଟାଏ ଅଂଶ ଯେତେବେଳେ ମନୁ ସଙ୍ଗେ ଖେଳରେ ବୁଡ଼ି ଯାଇଥାଏ, ଆଉ ଗୋଟିଏ ଅଂଶ ସେତେବେଳେ ଅପଲକ ଭାବରେ ମନୁର ନନା ବୋଉଙ୍କଆଡ଼େ ଚାହିଁଥାଏ ।

ଲକ୍ଷ୍ୟ କରିଚି, ମନୁର ନନା ଆଉ ବୋଉ ମଧ୍ୟରେ ଗୋଟାଏ ଆଶ୍ଚର୍ଯ୍ୟ ଧରଣର ଯୋଗାଯୋଗ ଥିଲା । ମନୁର ନନା କଣ କରନ୍ତି, ସେତେବେଳେ ଜାଣି ନ ଥିଲି । ପରେ ଅବଶ୍ୟ ଜାଣିଥିଲି, ତାଙ୍କର ବଡ଼ ଧରଣର ଗୋଟାଏ ଜମିଦାରୀ ଥିଲା । ପ୍ରତିବର୍ଷ ସେଥିରୁ ସେ ବିସ୍ତର ଟଙ୍କା ପାଉଥିଲେ ।

ସଦାସର୍ବଦା ମନୁର ନନା ଘରେ ଥିବାର ଦେଖିଚି । ଯେତେବେଳେ ଯାଇଚି, ଦେଖିବାକୁ ପାଇଛି ମନୁର ନନା ଆଉ ବୋଉ ଏକାଠି ବସିଚନ୍ତି ।

ମନୁର ବୋଉ ଆଶ୍ଚର୍ଯ୍ୟ ରୂପସୀ ଥିଲେ । ଦେହର ରଙ୍ଗ ଗୋରା ତକତକ । ଠିକ୍ ଗୋରା ନୁହେଁ, ସୁନା ରଙ୍ଗର ଦେହ । କଟି ପର୍ଯ୍ୟନ୍ତ ବାଳ ଲମ୍ବି ଯାଇଚି । ବଳିଲା ବଳିଲା ଗୋଡ଼ ହାତ, କୁନ୍ଦି ହେଲା ପରି ଦେହ–ସବୁଆଡ଼େ ନିଖୁଣ । ସଦାବେଳେ ଚଉଡ଼ା ଧଡ଼ିଆ ଛିଟ ଶାଢ଼ୀ ଆଉ ସିଲ୍‍କ ବ୍ଲାଉଜ୍ ପିନ୍ଧିଥାଆନ୍ତି । ନିଟୋଳ ହାତରେ ସରୁ ସୁନାଚୂଡ଼ି କେତେପଟ, ବେକରେ ଦୁଇ ତିନିଟା ଦାମିକା ହାର । ମୋଟାମୋଟି ତାଙ୍କର ଅଳଙ୍କାର ଗୁଡ଼ିକ ଯେମିତି ଦାମୀ, ସେମିତି ତାଙ୍କ ଦେହକୁ ମାନୁଥିଲା । କପାଳରେ କଲି ସିନ୍ଦୁର ଟୋପା ପିନ୍ଧନ୍ତି । ଦଳେଇ ଘାଟର ଘରେ ଘରେ ତାଙ୍କ ରୂପର ଖ୍ୟାତି ଥିଲା ।

ମନୁର ନନା ରୂପ ଦୃଷ୍ଟିରୁ ଏତେଟା ନ ହେଲେ ବି ସୁପୁରୁଷ ଥିଲେ । ଦେହର ରଙ୍ଗ ମଇଳା ନୁହେଁ–ଦେଖିଲା ଭଳି ରୂପ । ବେଶ ପୋଷାକ ଦେଖିଲେ ହଠାତ୍ ଯେ ସେ ବ୍ରାହ୍ମଣ, ଏଇଟା ଜାଣିହୁଏ ନି । ଜମିଦାରୀ ଅଛି–ଜମିଦାର ଭଳି ମନ ବି ଅଛି । ତେଣୁ ତାଙ୍କର ଧୋତି ପଞ୍ଜାବୀ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ାକ ଉଗ୍ର ଦାମୀ ହୋଇଥିବାରୁ ତାଙ୍କୁ ରାଜସିକ ମନେ ହୁଏ ।

ମନୁର ନନା ଆଉ ବୋଉ ସମ୍ବନ୍ଧରେ ପ୍ରବାଦ ଭଳି ଦୁଇଟା ଶବ୍ଦ ଦଳେଇ ଘାଟରେ ଚଳୁଥିଲା, କେହି କହେ ‘ଚକୁଆ ଚକୋଇ’, କେହି କହେ ‘କପୋତ କପୋତୀ’ । ପିଲାଦିନେ ଏ ଶବ୍ଦଗୁଡ଼ାକର ଅର୍ଥ ବୁଝିପାରେ ନି । ତେବେ ଅନୁମାନ କରେ, ସେ ଦୁହିଁଙ୍କ ମଧ୍ୟରେ ଯେ ଖୁବ୍ ମନ ମେଳ ଅଛି, ଏ ଶବ୍ଦଗୁଡ଼ା ସେଇଟାକୁ ଯେମିତି ପ୍ରାଣ ଖୋଲି ବୁଝେଇବାକୁ ଇଚ୍ଛା କରୁଥିଲା ।

ଯାହା ହେଉ, ମନୁଙ୍କ ଘରକୁ ଗଲେ ତାର ନନା ବୋଉଙ୍କୁ କେବଳ ଏକାଠି ବସିବାର ଦେଖେ ନି, ଦୁଇଜଣ ଯାକ ଖୁବ୍ ହସ ଖୁସି ଆଉ ଖୋଲା ପ୍ରାଣ । ଖୁବ୍ ହସାହସି ହୋଇ କଥାବାର୍ତ୍ତା କରୁଥାଆନ୍ତି । ମନୁ ନନାଙ୍କର ମାତ୍ରା ଜ୍ଞାନଟା ସ୍ୱାଭାବିକ ନ ଥିଲା । ପୁଅ ଝିଅଙ୍କ ଆଗରେ ବି ରଙ୍ଗ ରସ ଆରମ୍ଭ କରିଦିଅନ୍ତି । କେତେବେଳେ ମୁଣ୍ଡର ବାଳ ଫଟେଇ ଦିଅନ୍ତି, କେତେବେଳେ ଓଠ ଧରି ହଲେଇ ଦିଅନ୍ତି, କେତେବେଳେ ଗାଲ ଟିପିଦିଅନ୍ତି । ମନୁର ବୋଉ ଅନେକ ସମୟରେ ଉଲର ବୁଣାବୁଣି କାମ କରନ୍ତି । କେତେଥର ଟଣାଟଣିରେ ଯେ ବୁଣା ହେଇଥିବା ଫାନ୍ଦଗୁଡ଼ା ଖୋଲିଯାଏ, ତାର ହିସାବ ନାହିଁ ।

ରଙ୍ଗ ରସର ମାତ୍ରା ଅଧିକ ହୋଇଗଲେ ମନୁର ବୋଉ ଆଖି ତରାଟି କହନ୍ତି, “କଣ ହଉଚି–”

“କଣ ?”

ଖୁବ୍ ଭଲ ମଣିଷ ଭଳି ପୂର୍ଣ୍ଣବାବୁ ଚାହାନ୍ତି ।

“ବୟସ ହେଇନି ?”

“ହେଇ ଗଲାଣି ନା କଣ ?”

“ଜାଣି ପାରୁ ନ ?”

“ନାଇଁ ତ ?”

“କାହିଁକି ଜାଣିବ ! ଲାଜ ବୋଲି ଯେଉଁ ଦୁଇଟା ଅକ୍ଷର ତାକୁ ତ ଏକାବେଳେ ପୋଡ଼ି ଖାଇଦେଇଚ ।” ମନୁର ବୋଉ ଆଖି ତରାଟି ଥାଆନ୍ତି କିନ୍ତୁ ରାଗଟା ଯେ ଏକାବେଳେ କପଟତା, ସେତକ ବୁଝିବାକୁ ଅସୁବିଧା ନ ଥାଏ ।

ମନୁର ନନା ଆହୁରି ପ୍ରଗଳ୍‍ଭ ହୋଇଉଠନ୍ତି । ଆହୁରି ନିବିଡ଼ ଭାବରେ ଲାଗିଆସି କହନ୍ତି, “ଲାଜ ଶବ୍ଦଟାକୁ କଣ ଆଜି ପୋଡ଼ି ଖାଇଲି, ଯୋଉଦିନଠୁ ତୁମକୁ ଦେଖିଲିଣି ସେଇଦିନୁ ପୋଡ଼ିବା ତେଣେ ଥାଉ କଞ୍ଚା ଖାଇଯାଇଚି । ଏଇଟା ଆଉ କେହି ନ ଜାଣିଲେ ବି ତମେ ତ ନିଶ୍ଚୟ ଜାଣିଚ । ତମେ ତ–”

 

ମନୁର ବୋଉ ବିବ୍ରତ ଭାବରେ ଧମକେଇ କହନ୍ତି, “ଓଃ, ତମକୁ ଆଉ ପାରି ହେଲା ନି, ତୁନି ହେଲ ।” ତାଙ୍କ କଥାରେ ଯେତିକି ଶାସନ ଠିକ୍ ସେତିକି ଅନୁରାଗ ମିଶିଥାଏ ।

 

ସ୍ତ୍ରୀଙ୍କ କଥାରେ ପୂର୍ଣ୍ଣବାବୁ ଟିକିଏ ହେଲେ ଅପ୍ରତିଭ ହୁଅନ୍ତି ନି । ଅବଶ୍ୟ କହିବା କଥା ଅଧାରେ ବନ୍ଦ କରି ଦିଅନ୍ତି ।

 

ଦିନେ ଦିନେ କୁହା ନାହିଁ ବୋଲା ନାହିଁ, ହଠାତ୍ ସ୍ତ୍ରୀଙ୍କର ହାତ ଦୁଇଟାକୁ ଧରି ପୂର୍ଣ୍ଣବାବୁ ଦୁଇ ଚାରିଥର ସାଇଁ ସାଇଁ ଚକା ଭଉଁରୀ ଖେଳେଇ ଦିଅନ୍ତି ।

 

ମନୁର ବୋଉ ଭୟରେ ପାଟିକରି ଉଠନ୍ତି, “ଆରେ, ଛାଡ଼–ଛାଡ଼ କହୁଚି–”

 

ପୂର୍ଣ୍ଣବାବୁ କିନ୍ତୁ ସହଜରେ ଛାଡ଼ନ୍ତି ନି ।

 

ଅନେକ ଅନୁନୟ–ବିନୟ ପରେ ନିଷ୍କୃତ୍ତିପାଇଁ କୃତ୍ରିମ କ୍ରୋଧରେ ମୁହଁ ଫୁଲେଇ ବସି ରହନ୍ତି ମନୁ ବୋଉ ।

 

ଦିନେ ଦୁହେଁଯାକ ଲଗାଲଗି ହୋଇ ବସିଚନ୍ତି । କଥାବାର୍ତ୍ତା ହେଉଚନ୍ତି, ହଠାତ୍ ସ୍ଥିର ଅପଲକ ଦୃଷ୍ଟିରେ ସ୍ତ୍ରୀଙ୍କଆଡ଼େ ଚାହିଁ କହନ୍ତି, “ସେଠାରେ ଯାଇ ଟିକିଏ ଠିଆ ହେଲ ।” କହି ଟିକିଏ ଦୂରରେ ଥିବା ଗୋଟାଏ ଜାଗାକୁ ହାତଠାରି ଦେଖାଇ ଦିଅନ୍ତି ।

 

ମନୁର ବୋଉ ଡରି ଡରି କହନ୍ତି, “କାହିଁକି, ସେଠିଟାରେ କାହିଁକି ଯାଇ ଠିଆ ହେବି ?” ସ୍ଵାମୀଙ୍କ ମୁଣ୍ଡ ଭିତରେ କି ଉଦ୍ଦେଶ୍ୟ ଖେଳୁଚି ବୁଝି ନ ପାରି ବୋଧହୁଏ ମନେ ମନେ ଶଙ୍କିତା ହୋଇ ପଡ଼ନ୍ତି ।

 

“ଯାଉନ ।”

 

“କାହିଁକି, ଆଗେ କହ ।”

 

ପୂର୍ଣ୍ଣବାବୁଙ୍କ ମୁହଁରେ ଏଥର ଟିକିଏ ବିରକ୍ତି ଦେଖାଦିଏ । କହନ୍ତି, “ଯାହା କହୁଚି, କରୁନ-। ଯାଅ ସେଠାରେ ଯାଇ ଠିଆ ହୁଅ ।”

 

କଣ ଆଉ କରିବେ, ଧୀରେ ଧୀରେ ମନୁର ବୋଉଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଯାଇ ଠିଆ ହେବାକୁ ପଡ଼େ ଆଉ ପୂର୍ଣ୍ଣବାବୁ ତୀକ୍ଷଣ ବିଶ୍ଳେଷଣୀ ଦୃଷ୍ଟିରେ ତାଙ୍କର ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ନିଠେଇ ନିଠେଇ ଦେଖନ୍ତି ।

 

ମନୁର ବୋଉ ଅସ୍ଵସ୍ତି ଅନୁଭବ କରନ୍ତି । ସାମାନ୍ୟ ବିବ୍ରତ ହୋଇ ପଚାରନ୍ତି, “କଣ ଏମିତି ଦେଖୁଚ ?”

 

ପୂର୍ଣ୍ଣବାବୁ କୌଣସି ଉତ୍ତର ଦିଅନ୍ତି ନି । ହଠାତ୍ ବସିବା ଜାଗାରୁ ଉଠିପଡ଼ି କହନ୍ତି, “ତୁମେ ଟିକିଏ ଠିଆ ହୁଅ, ମୁଁ ଆସୁଚି ।” କହିଦେଇ ତରତର ହୋଇ ଦୋମହଲା ଉପରକୁ ଉଠି ଯାଆନ୍ତି ।

 

କିଛି ସମୟ ପରେ ପୂର୍ଣ୍ଣବାବୁ ଫେରି ଆସିବା ଦେଖି ମନୁର ବୋଉ କହନ୍ତି, “ଏମିତି କାଠ କଣ୍ଢେଇ ପରି ଠିଆ କରିଦେଇ କୁଆଡ଼େ ଗଲ କଣ ହେଉଚି ଶୁଣେ !”

 

ମନୁର ନନା ଖୁବ୍ ଚକଚକିଆ ଶାଢ଼ୀ, ବ୍ଲାଉଜ୍ ଏବଂ କେତେଗୁଡ଼ାଏ ଗହଣା ଆଣି ଥାଆନ୍ତି । ସେଗୁଡ଼ାକ ମନୁର ବୋଉଙ୍କ ହାତରେ ଦେଇ କହନ୍ତି, “ଏଗୁଡ଼ାକ ପିନ୍ଧି ଆସ । ତା ସଙ୍ଗେ ଭଲ କରି ମୁଣ୍ଡ ବାନ୍ଧି ସୁନାଫୁଲ ବସେଇ ଦିଅ ।”

 

ମନୁର ବୋଉ ଆଶ୍ଚର୍ଯ୍ୟ ହୋଇ କହନ୍ତି, “କାହିଁକି ?”

 

“ଏଗୁଡ଼ା ପିନ୍ଧିଲେ ତମୁକୁ କେମିତି ମାନୁଚି ଦେଖିବି । ଆଜିକାଲି ବାଛି ବାଛି ଯୋଉ ଶାଢ଼ୀଗୁଡ଼ାକ ପିନ୍ଧୁଚ ନା—ଚାକରାଣୀ ବି ସେ ଶାଢ଼ୀ ପିନ୍ଧିବନି, ହାତରେ ମୋଟେ ଚାରିପଟ ଚୁଡ଼ି ପିନ୍ଧା ହେଇଚି କାହିଁକି ? ବେକରେ ଏମିତି ସରୁ ଚେନ୍ ପିନ୍ଧା ହେଇଚି କାହିଁକି ? ତମର କଣ ପିନ୍ଧିଲା ଭଳି ହାର ନାହିଁ ? ମୁଣ୍ଡରେ କେତେଦିନ ହେଲା ପାନିଆଁ ବାଜିନି ? ଦିନକୁ ଦିନ ଦେହ ପ୍ରତି ବେଖାତିର ବଢ଼ୁଚି ଦେଖୁଚି ।”

 

ଅଥଚ ମନୁର ବୋଉ ସେତେବେଳେ ଯୋଉ ଶାଢ଼ୀ ଖଣ୍ଡକ ପିନ୍ଧିଥିଲେ ସେମିତି ଖଣ୍ଡେ ଶାଢ଼ୀ ହଳଦୀଘାଟରେ କାହା ଘରେ ଥିବ ବୋଲି ମନେ ହେଉ ନଥିଲା । କିନ୍ତୁ ସେଥିରେ ପୂର୍ଣ୍ଣବାବୁଙ୍କ ମନ ବୁଝୁ ନ ଥିଲା ।

 

ମନୁର ବୋଉ କହିଲେ, “ସଦାବେଳେ କଣ୍ଢେଇ ଭଳି ସଜେଇ ହେଇ ବସିଥିବି ନା କଣ-?”

 

“ହ ।”

 

“ବୁଝିଲି ।”

 

“କଣ ବୁଝିଚ ?”

 

କଣେଇ କଣେଇ ଚାହିଁ—ଓଷ୍ଠଧାରରେ ପତଳା ହସ ଟିକିଏ ଫୁଟେଇ ପୂର୍ଣ୍ଣବାବୁଙ୍କ ମୁଣ୍ଡଟା ଦେଖାଇ ମନୁର ବୋଉ କହନ୍ତି, “ଏଇଟା ଭିତରେ ପୋକ କାମୁଡ଼ୁଚି ।”

 

ଯେତେ ଯାହା କଲେ ମଧ୍ୟ ପୂର୍ଣ୍ଣବାବୁ ଛାଡ଼ନ୍ତି ନି । ଶେଷକୁ ତାଙ୍କୁ ମାନିବାକୁ ମନୁବୋଉ ବାଧ୍ୟ ହୁଅନ୍ତି ।

 

କେତେଦିନ ଯେ ସ୍ତ୍ରୀଙ୍କୁ ନିଜର ଇଚ୍ଛା ଅନୁସାରେ ସଜବାଜ କରି ଆଗରେ ବସେଇ ବୁଲେଇ ବୁଲେଇ ଦେଖାଦେଖି କରନ୍ତି ତାର କୌଣସି ଠିକଣା ନାହିଁ ।

 

ମନେପଡ଼ୁଚି, ଗୋଟାଏ ଦୂରନ୍ତ ଆକର୍ଷଣରେ ଦୁଇଟି ସୁଖୀ ପରିତୃପ୍ତ ବୟସ୍କ ଶୁଆ ଶାରୀ ମତେ–ସେ ଦିନର ସେଇ ଅବୋଧ ବାଳକଟିକୁ ଭସେଇ ନେଇ ଯାଆନ୍ତି ।

 

ମନୁର ନନା–ବୋଉ ଯେଉଁଠାରେ ବସି କଥାବାର୍ତ୍ତା କରନ୍ତି, ମନୁ ସଙ୍ଗେ ଖେଳୁ ଖେଳୁ କେତେବେଳେ ଯେ ଆଚ୍ଛନ୍ନ ଭଳି ସେଠାରେ ଆସି ଠିଆ ହେଇଚି–ଖିଆଲ ନ ଥାଏ । ମନୁ ଖେଳିବା ପାଇଁ ଡାକି ନେଇଯାଏ କୌଣସି ଗୋଟାଏ ବାହାନା କରି ପୁଣି ଫେରି ଆସେ । ଅପଲକ ଭାବରେ ଦୁଇଟି ମୁଗ୍‍ଧ ବିଭୋର, ଆନନ୍ଦମୟ ନରନାରୀଙ୍କର ହସ କୌତୁକ, କଥାବାର୍ତ୍ତାଆଡ଼େ ଚାହିଁ ରହି ନିଜକୁ ଭୁଲିଯାଏ ।

 

ନିଜ ନିଜ ଭିତରେ ମନୁର ନନା ଆଉ ବୋଉ କଥାବାର୍ତ୍ତାରେ ଏମିତି ବିଭୋର ଥାଆନ୍ତି ଯେ ପ୍ରାୟ କୌଣସିଆଡ଼େ ଲକ୍ଷ୍ୟ ନ ଥାଏ । କେତେବେଳେ କେମିତି ଯଦି ମୋ ଉପରେ ନଜର ପଡ଼ିଯାଏ, ତାହେଲେ ସସ୍ନେହରେ ପଚାରନ୍ତି, “କଣ ଏମିତି ଦେଖୁଚ ?”

 

କିଛି ଉତ୍ତର ଦିଏ ନି; ଆଖି ବି ଫେରାଏ ନି । କେବଳ ଅପଲକ ଦୃଷ୍ଟିରେ ଚାହିଁ ରହିଥାଏ ।

 

ମନୁର ନନା–ବୋଉଙ୍କର ଏତେ ହସ–କଥାବାର୍ତ୍ତା–ସବୁଗୁଡ଼ାକ ମଧୁର ଦାମ୍ପତ୍ୟଲୀଳା ସ୍ଵାମୀ–ସ୍ତ୍ରୀ ଭିତରର ମାଧୁର୍ଯ୍ୟ, ଆକର୍ଷଣ–ଆଗରୁ କେବେ କଣ ଦେଖିନି ? ଦେଖିଚି ତ ।

 

ରାସ୍ତାର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଦୃଷ୍ଟି ବୁଲେଇବା କୌଣସି ଦରକାର ନ ଥିଲା । ଆମ ନିଜ ଘରେ ଅଜା ଆଈଙ୍କ ଭିତରେ ତ ସେଇ ମାଧୁର୍ଯ୍ୟ ଥିଲା । ଚାଲିଲେ ବୁଲିଲେ ସେଗୁଡ଼ା ମୋ ନଜରରେ ପଡ଼ୁଥିଲା । ତେବେ ତା ଭିତରେ ଗୋଟାଏ ‘କିନ୍ତୁ’ ଥିଲା ।

 

ଅଜା ଆଈଙ୍କର ଦାମ୍ପତ୍ୟଲୀଳା ଭିତରେ ଆଢ଼ୁଆଳ ଥିଲା, ଗୋପନତା ଥିଲା, ପରସ୍ପର ପ୍ରତି ତାଙ୍କର ଆକର୍ଷଣଟା ଯେମିତି ବୋଉ ନଜରରେ ନ ପଡ଼େ ସେଥିପାଇଁ ସେମାନେ ସଦାବେଳେ ସତର୍କ ଥାଆନ୍ତି । ତେଣୁ ଦୁହେଁଯାକ କବାଟ ବନ୍ଦ କରି ତାସ କିମ୍ବା ଲୁଡ଼ୁ ଖେଳନ୍ତି । ସମସ୍ତେ ଶୋଇ ପଡ଼ିବା ପରେ ଅଜା ଆଈଙ୍କର ମୁଣ୍ଡ ବାନ୍ଧି ଦିଅନ୍ତି–ସେତେବେଳକୁ ନିଶା ଗର୍ଜୁଥାଏ-

 

କିନ୍ତୁ ଅଜା ଆଈଙ୍କ ଭଳି ମନୁର ନନା–ବୋଉଙ୍କ ଭିତରେ ଲୁଚାଛପା ନାହିଁ । ପକ୍ଷୀର କାକଳି କିମ୍ବା ସୂର୍ଯ୍ୟର ଆଲୋକ ଭଳି ନଚେତ୍ ଝରଣାର କଳଧ୍ୱନୀ ଭଳି ସେଇଟା ଅବାଧ, ସ୍ୱଚ୍ଛନ୍ଦ, ସାବଲୀଳ ।

 

ମନୁର ନନା ବୋଉଙ୍କୁ ଦେଖୁ ଦେଖୁ ବିଚିତ୍ର ଗୋଟା କୁହୁକତାର ଆଚ୍ଛନ୍ନତା ଭିତରେ ମୋ ନିଜର ନନା ବୋଉଙ୍କ କଥା ବାରମ୍ବାର ମନେ ପଡ଼ିଯାଏ । ସେଇ ପିଲା ସମୟରେ ନନାଙ୍କ ବିଷୟରେ ମୋର କୌଣସି ସ୍ପଷ୍ଟ ଧାରଣା ନ ଥିଲା । ସେତେବେଳ ପର୍ଯ୍ୟନ୍ତ ନନାଙ୍କୁ ଦେଖିଚି କି ନାଇଁ ମତେ ନାହିଁ ।

 

କେବଳ କ୍ରମାଗତ ଭାବରେ ମୋର ମନେହୁଏ, ନନା କାହିଁକି ଆମମାନଙ୍କ ପାଖରେ ରହୁ ନାହାନ୍ତି ? ଆଉ ମନୁର ନନା ଭଳି ବୋଉ ପାଖରେ ବସି ହସ ରହସ୍ୟ–କୌତୁକ ଧାଁ ଧପଡ଼ କରନ୍ତି ନି କାହିଁକି ? ହେ ମା ଚଣ୍ଡୀ, କାହିଁକି ମୋର ନନା ବୋଉ ମନୁର ନନା ବୋଉଙ୍କ ଭଳି ହେଲେ ନି ? ଯେତିକି ଭାବି ଚାଲେ ସେତିକି ଗୋଟାଏ ଅତ୍ୟନ୍ତ କଷ୍ଟଦାୟକ ଯନ୍ତ୍ରଣା ମୋ ଛାତି ଭିତରେ ପଶି ନିଶ୍ୱାସକୁ ଯେମିତି ବୄନ୍ଦ କରି ଆଣେ ।

 

ପାଞ୍ଚ

 

ସ୍ମୃତି ନାମକ ଯେଉଁ ପହରାବାଲାଟି ମନ ମଧ୍ୟରେ ବାସ କରିଚି ସେ ବୋଧହୁଏ ସାକ୍ଷୀ ହେବା ପାଇଁ ଉପଯୁକ୍ତ ନୁହେଁ । ଅନ୍ତତଃ ମୋ ବେଳକୁ ସେଇଟା ସତ । ମସିହା ତାରିଖ ଦେଇ ସେ ସବୁ ହିସାବ ଠିକଠାକ୍ ଭାବରେ ଟିପି ରଖିନି । ରଖିଥିଲେ ଖିଅ ମିଳେଇ ସୂତ୍ର ଯୋଡ଼ିବାରେ ସୁବିଧା ହୁଅନ୍ତା । ସେଥିରେ ମୋ ଜୀବନର କ୍ରମିକ ଇତିହାସଟା ପାଇବା ସହଜ ହୁଅନ୍ତା; କିନ୍ତୁ ସେଇଟା ଆଉ ସମ୍ଭବ ନୁହେଁ ।

 

ଏତେକାଳ ପରେ ଜୀବନର ଅନ୍ୟ ମେରୁରେ ପହଞ୍ଚି ଯେତେବେଳେ ପଛକୁ ଫେରିଚି ସେତେବେଳେ କୋଉ ଘଟଣାଟା ଆଗେ କୋଉ ଘଟଣାଟା ପରେ, ବୁଝି ପାରୁନି । ସୁଦୂର ଧୂଷର ସେଇ ଅତୀତରେ ସବୁକିଛି ଏକାକାର ହେଇ ଯାଇଚି । ସେ ଅଡ଼ୁଆ ଫିଟେଇବା ମୋ ପକ୍ଷେ ଅସାଧ୍ୟ ।

 

ଯେତେଦୂର ମନେ କରିପାରୁଚି, ସ୍କୁଲରେ ନାଆ ଲେଖେଇବା ଆଉ ମନୁଙ୍କର ଘରକୁ ଯିବାର ସନନ୍ଦ ପାଇବା, ଏଇ ଦୁଇଟା ବିଷୟ ପରେ ଗୋଟାଏ ବିରାଟ ଘଟଣା ମୋର ପିଲା ବେଳଟାକୁ ଲହରୀର ଦୋଳି ଭଳି ଏକାବେଳକେ ହଲେଇ ଦେଇଥିଲା । ସେଥର ନନା ଆସିଥିଲେ-। ଜ୍ଞାନ ହେବା ପରେ ନନାଙ୍କୁ ମୁଁ ସେଇ ପ୍ରଥମ ଥର ଦେଖିଲି ।

 

ମନେଅଛି, ପୂଜାଛୁଟି ପରେ ଖୁବ୍ ଅଳ୍ପଦିନ ହେଲା ସ୍କୁଲ ଖୋଲିଥାଏ । ସ୍କୁଲରେ କିମ୍ବା ଘରେ ପଢ଼ାପଢ଼ି କରିବା ପାଇଁ ସେତେ ଜୋର୍ ପଡ଼ୁ ନ ଥାଏ । ଛୁଟିର ଅଳସୁଆ ମୁହୂର୍ତ୍ତ ଗୁଡ଼ା ସେ ଯାଏ ବି ଟିକିଏ ଟିକିଏ ଲାଗି ରହିଥାଏ । ପଢ଼ାପଢ଼ି ଲାଗିଯିବା ପାଇଁ କି ଛାତ୍ର, କି ଶିକ୍ଷକ, କି ଅଭିଭାବକ କେହି ଯେମିତି ଆଖି ଖୋଲି ପାରୁ ନ ଥିଲେ ।

 

କାର୍ତ୍ତିକ ମାସ ଶେଷହେଇ ଆସୁଚି । ଆମର ସେହି ଛୋଟ ଅର୍ବାଚୀନ ଦଳେଇ ଘାଟ ଛାତି ଉପରେ ଯେମିତି ଶୀତର ମଡ଼ାଣ ଆରମ୍ଭ ହୋଇ ଯାଇଥିଲା । ଚାଳିଶ କି ପଇଁତ୍ରିଶ ଦିନ ପରେ ଆସିବ ପୌଷ ମାସ, କିନ୍ତୁ ତାର ଅନେକ ଆଗରୁ ବରଫ ଭଳି ଥଣ୍ଡାଳିଆ ରାତି ଆସିଯାଇଥିଲା । ଗାଢ଼ ଶୁଭ୍ର ଧୂଆଁ ଭଳି ଦିଗନ୍ତ ଘେରି କୁହୁଳା ଲାଗି ରହିଥାଏ । ତାର ସେ ପାଖର ଆକାଶ ଦେଖାଯାଏନି, ତାରା ଦେଖାଯାଏନି, ଚନ୍ଦ୍ର ଉଠିଲେ କେମିତି ଛାପୁରିଆ ଦେଖାଯାଏ ।

 

ସେଦିନ ଚଞ୍ଚଳ ଖାଇପିଇଦେଇ ଆମେମାନେ ଶୋଇ ପଡ଼ିଥିଲୁ । ଗୋଟାଏ ଘରେ ମୁଁ, ବୋଉ ଆଉ ଛୋଟ ଭାଇ ଭଉଣୀ ଦୁହେଁ ଶୋଇଥାଉ । ଅନ୍ୟ ଘରେ ଅଜା ଆଈ ଶୋଇ ଥାଆନ୍ତି ।

 

ସେତେବେଳଯାଏ ମତେ ନିଦ ହେଇ ନ ଥାଏ; ତନ୍ଦ୍ରା ଭଳି ଗୋଟାଏ ଘୋର ଚେତନା ଉପରେ ଖୁବ୍ ଧୀରେ ଧୀରେ ପତଳା ପର୍ଦ୍ଦା ଟାଣି ହେଉଥିଲା । କ୍ରମଶଃ ଅତଳ ଗଭୀର ନିଶ୍ଚିହ୍ନତାର ଭିତରେ ଗୋଟି ଗୋଟି ହୋଇ ବୁଡ଼ି ଯାଉଥିଲୁ । ଠିକ୍ ସେତିକିବେଳେ ଦାଣ୍ଡ କବାଟର ଜଞ୍ଜିର ଖଡ଼ଖଡ଼ ହେବାର ଶୁଣା ଯାଇଥିଲା ।

 

ପ୍ରଥମଟା ଧୀରେ ଧୀରେ, କୁଣ୍ଠିତ ଭଙ୍ଗିରେ । ତା ପରେ ଶବ୍ଦର ମାତ୍ରା ବଢ଼ି ଯାଇଥିଲା । ସଙ୍ଗେ ସଙ୍ଗେ ମୋର ପତଳା ଲାଗିଆସୁଥିବା ନିଦ ଛାଡ଼ି ଯାଇଥିଲା ।

 

ବୋଉକୁ ବୋଧହୁଏ ଡାକିବାକୁ ଯାଉଥିଲି; କିନ୍ତୁ ତା ଆଗରୁ ପାଖ ଘର ଭିତରୁ ଅଜାଙ୍କ ତୁଣ୍ଡ ଶୁଣା ଯାଇଥିଲା, “କିଏ ?”

 

ବାହାରୁ ପୁରୁଷ ଲୋକର ପାଟି ଶୁଣା ଯାଇଥିଲା, “ଏଇଟା କଣ ଦାମୋଦର ମହାପାତ୍ରଙ୍କ ଘର ?”

 

“ହଁ । ଆପଣ କୋଉଁଠୁ ଆସିଚନ୍ତି ?”

 

“ଦ୍ଵାର ଫିଟାନ୍ତୁ । ମୁଁ ।” ଆଗନ୍ତୁକ କଣ ଗୋଟାଏ ନାଆଁ କହିଲେ, ବୁଝିପାରିଲି ନି ।

 

ପାଖ ଘରୁ ଅଜା ଆଉ ଆଈ ଧଡ଼ପଡ଼ ହୋଇ ଉଠି ପଡ଼ିବାର ଜାଣି ପାରିଲି । ପ୍ରାୟ ସଙ୍ଗେ ସଙ୍ଗେ ଦ୍ଵାର ଖୋଲିବାର ଶୁଣାଗଲା । ଦାଣ୍ଡ ଦ୍ଵାରର ଭିତରପଟୁ ତାଲା ପଡ଼ିଥାଏ । ଟିକିଏ ପରେ କଟକଟ ହୋଇ ତାଲା ଆଉ ଜଞ୍ଜିର ଖୋଲିବାର ଶବ୍ଦ ଶୁଣାଯାଇଥିଲା ।

 

ଶୋଇ ଶୋଇ ଆଉ ଗୋଟାଏ ବିଷୟ ଲକ୍ଷ୍ୟ କରୁଥିଲି । ବିଜୁଳି ଚମକିଲା ଭଳି ବୋଉ ବିଛଣା ଉପରେ ଉଠି ବସିଥିଲା । କିନ୍ତୁ ଉଠି ବସିଲା ଯାହା ସେତିକି, ତା ପରେ ଏକାବେଳେ ଅଚଳ, ପଥର ପାଲଟି ଗଲା ଯେମିତି । ଅନ୍ଧାର ଭିତରେ ସେ ଆଉ କଣ କରୁଥିଲା, ତା ମୁହଁର ଅବସ୍ଥା ସେତେବେଳେ କେମିତି ଥିଲା, ଦେଖିପାରୁ ନ ଥିଲି । ଅଥଚ ବୋଉର ମୁହଁଟା ଦେଖିବା ପାଇଁ ମୋର ଛୋଟ ଛାତି ଭିତରଟା ସେତେବେଳେ ଡହଳ ବିକଳ ହୋଇ ଉଠୁଥିଲା ।

 

ଏମିତି କେତୋଟି ମୁହୂର୍ତ୍ତ କଟି ଯାଇଥିଲା । ତା ପରେ ବ୍ୟସ୍ତ ଭାବରେ ଅଜା ଡାକ ପକେଇ ଥିଲେ, “ଆରେ ତମେମାନେ ଉଠିପଡ଼–ଝିଅ, ନରି–ଜୁଆଁଇ ଆସିଚନ୍ତି ।” ତା ପରେ ଆଈଙ୍କ ଉଦ୍ଦେଶ୍ୟରେ କହିଥିଲେ, “କୁଆଡ଼େ ଗଲ, ଆଲୁଅଗୁଡ଼ା ଜଳେଇ ଦିଅ–”

 

ପଟ୍‍ପାଟ୍ ହୋଇ ସବୁଗୁଡ଼ାକ ସୁଇଚ୍ ଟିପା ହେବାର ଶୁଣାଗଲା । ଶୋଇ ଶୋଇ ବୁଝି ପାରିଥିଲି ଅନ୍ଧାର ଭିତରେ ବୁଡ଼ି ଯାଇଥିବା ଘରଟାଯାକ ପୁଣି ଆଲୁଅମୟ ହେଇଗଲାଣି । କିନ୍ତୁ ଆମେ ଶୋଇଥିବା ଘରଟା ସେ ପର୍ଯ୍ୟନ୍ତ ଅନ୍ଧାର ଥାଏ ।

 

ଲକ୍ଷ୍ୟ କରିଚି, ବୋଉ ସେତେବେଳଯାଏ ସେମିତି ବିଛଣା ଉପରେ ବସିଥାଏ । ଉଠିଯାଇ ଲାଇଟ୍ ଜଳେଇବା କିମ୍ବା ଦ୍ୱାର ଫିଟେଇବାର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା ।

 

ଅଜା ଏଥର ଅସହିଷ୍ଣୁ ହୋଇ ଉଠିଲେ । ଆମ ଶୋଇବା ଘର ଦ୍ୱାରଟାରେ ଧକ୍‍କା ଦେଉ ଦେଉ କହିଲେ, “ବର୍ତ୍ତମାନ ତ ଶୋଇବାକୁ ଗଲ, ଏତେ ଚଞ୍ଚଳ ଶୋଇ ପଡ଼ିଲ ! କି ନିଦ ଧରିଚି କେଜାଣି ! ଉଠ–ଉଠ ସବୁ–”

 

ଆଉ କିଛି ସମୟ ବସି ରହିବା ପରେ ବୋଉ ଆସ୍ତେ ଉଠିଯାଇ ଦ୍ୱାର ଖୋଲିଥିଲା । କୌଣସି ପ୍ରକାରର ଆଗ୍ରହ ଥିଲା ପରି ମନେ ହେଉ ନ ଥିଲା । ବରଂ ଏ ବିଷୟରେ ସେ ଯେ ଏକାବେଳେ ଆଗ୍ରହ ଶୂନ୍ୟ, ନିସ୍ପୃହ–ତାର ଧୀରତା ଆଉ ଉପେକ୍ଷା ଦେଖି ସେଇଟା ମନେ ହେଉଥିଲା ।

 

ଯାହା ହେଉ ଦ୍ୱାର ଖୋଲି ଦେବାରୁ ଅଜା ଭିତରକୁ ପଶି ଆସି ସୁଇଚ ଟିପି ଆଲୁଅ ଜଳେଇ ଦେଲେ । ତାପରେ ମତେ ଡାକିଥିଲେ, “ଉଠ୍–ଉଠିପଡ଼ରେ ନରି–” ଡାକୁଁ ଡାକୁଁ ମତେ ଆସି ଟିକିଏ ହଲେଇ ଦେଇଥିଲେ ।

 

ମୋର ତ କେତେବେଳୁ ନିଦ ଭାଙ୍ଗି ଯାଇଥିଲା । ଅଜାଙ୍କ ହାତ ଯେମିତି ବାଜିଚି ସେମିତି ଧଡ଼ପଡ଼ ହୋଇ ଉଠି ବସିଲି ।

 

ଅଜା କେବଳ ମତେ ଡାକିଥିଲେ । ଛୋଟ ଭାଇ ଭଉଣୀ ଦୁହେଁ ସେତେବେଳକୁ ଗାଢ଼ ନିଦରେ ଶୋଇ ପଡ଼ିଥିଲେ । ସେମାନଙ୍କୁ ଆଉ ଉଠେଇଲେନି ।

 

ଅଜାଙ୍କ ସଙ୍ଗେ ବାହାରକୁ ଆସି ଦେଖିଲି ଜଣେ ଦୀର୍ଘକାୟ ପୁରୁଷ ଝୁଙ୍କିପଡ଼ି ଆଈଙ୍କୁ ପ୍ରଣାମ କରୁଚନ୍ତି । ଆଈଙ୍କ ପରେ ଅଜାଙ୍କୁ ପ୍ରଣାମ କରିଥଲେ । ଅଜା ତାଙ୍କ ମୁଣ୍ଡରେ ହାତରଖି ଆଶୀର୍ବାଦ କରିଥିଲେ, “ଆୟୁଷ୍ମାନ, ଦୀର୍ଘଜୀବୀ ଭବ” ।

 

ମୁଁ ନିର୍ବାକ ବିସ୍ମୟରେ କେବଳ ଆଗନ୍ତୁକଙ୍କୁ ଦେଖୁଥିଲି । ବିସ୍ମୟର କାରଣ ମୋର କିଛି କମ୍ ନୁହେଁ । ସେଇ ପିଲାଦିନେ, ସେ ପର୍ଯ୍ୟନ୍ତ ଏଭଳି ଆମ ଘରକୁ କେହି ଆସିବାର ଦେଖିନି । ରାତି ଅଧର ଏ ଅତିଥି ଜଣକ କିଏ, ତାଙ୍କ ସଙ୍ଗେ ଆମମାନଙ୍କର ସମ୍ପର୍କ କଣ ଏବଂ କେତେ ଦୂର ଗଭୀର ସେତକ ବୁଝି ପାରୁ ନ ଥିଲି । ତେବେ ଅଜାଙ୍କର ଧାଁ ଧପଡ଼ ଆଉ ବ୍ୟସ୍ତତା ଦେଖି ମନେ ହେଉଥିଲା, ଆମମାନଙ୍କ ସଂସାରରେ ଏଇ ଆଗନ୍ତୁକଙ୍କ ପାଇଁ ଆଦର ଆଉ ସମ୍ମାନର ସିଂହାସନ ପଡ଼ିଚି ।

 

ଜୁଳୁଜୁଳୁ କରି ମୁଁ ଚାହିଁଥାଏ । ଅଜାଙ୍କୁ ପ୍ରଣାମ କରି ଉଠିବାପରେ ମୋ ଉପରେ ତାଙ୍କର ନଜର ପଡ଼ିଯାଇଥିଲା । ସ୍ଥିର ଦୃଷ୍ଟିରେ ମତେ ଚାହିଁ ରହି ପଚାରିଥିଲି “ପିଲାଟି କିଏ ?”

 

ଏଥର ଆଈ ଆଗକୁ କହିଥିଲା, “ତମରି ପୁଅ ନରି, ଭଲ ନାଆଁ ନରସିଂହ । ଅନେକ ଦିନ ହେଲା ଦେଖିନ, ବୋଧହୁଏ ଭୁଲି ଯାଇଚ ।” ମୋ ଆଡ଼େ ଚାହିଁ କହିଥିଲେ, “ତୋ ନନା, ମୁଣ୍ଡିଆ ମାର ।”

 

ଏଇ ମୋର ନନା ! ନନାଙ୍କ ବିଷୟରେ ତ ଆଗରୁ କହି ସାରିଚି, ତେବେ ଆଉ ଥରେ ମନେପଡ଼ୁଚି, ଅଡ଼ୁଆ ତଡ଼ୁଆ ଫରୁଫୁରିଆ ବାଳ–କେତେକାଳ ହେଲା ସେଥିରେ ତେଲ କି ପାନିଆ ବାଜିନି, ମୁହଁସାରା ମାସକର ଦାଢ଼ି ନିଶ ରହିଚି, ତାରି ଭିତରେ ଦେଖାଯାଉଚି ଦୁଇଟି ଉଜ୍ଜ୍ଵଳ ସ୍ଵପ୍ନମୟ ଆଖି । ସେ ଆଖି ଦୁଇଟା ଯେମିତି ଏ ଜଗତରେ ନୁହେଁ । ସେ ବୟସରେ ଆଖିର ମର୍ମ ବୁଝିବା ଦୁଃସାଧ୍ୟ । ତେବେ ବି ଚାରିକରେ ଯେତେଟା ଚିହ୍ନା ଆଖିର ମେଳା ଥିଲା ସେ ଗୁଡ଼ାକ ସଙ୍ଗେ ଏ ଦୁଇଟା ମୋଟେ ଯେମିତି ମିଶୁ ନଥିଲା । ଏ ଦୁଇଟାର ଛାଞ୍ଚ ଅଲଗା, ଚାହାଣୀ ଅଲଗା, ଭାଷା ଅଲଗା ମନେ ହେଉଥିଲା ।

 

ଯାହାହେଉ ଆଈଙ୍କର ନିର୍ଦ୍ଦେଶରେ ଯନ୍ତ୍ରଭଳି ଯାଇ ନନାଙ୍କ ଗୋଡ଼ତଳେ ମୁଣ୍ଡିଆ ମାରିଲା ବେଳକୁ ଅନୁଭବ କଲି ତାଙ୍କର ବିଶାଳ ବାହୁ ଦୁଇଟା ଭିତରେ ବନ୍ଦୀ ହୋଇ ଯାଇଚି । ନନା କହିଥିଲେ, “ମୋ ବାପାଟା କେଡ଼େ ବଡ଼ ହେଇଗଲାଣି । ମୋର ମୋଟେ ମନେ ନଥିଲା ।”

 

ଅନୁଯୋଗ କଲାଭଳି ଆଈ ଏଥର କହିଲେ, “କେମିତି ମନରେ ହନ୍ତା ? ତମେ ତ ଏମାନଙ୍କ ଖବର ଅନ୍ତର ରଖୁନ ।”

ନନା ଚୁପ୍ ହୋଇଗଲେ । ମୁହୂର୍ତ୍ତକ ପାଇଁ ଘରସାରା ଅଖଣ୍ଡ ନିସ୍ତବ୍‍ଧତା ଖୋଳି ଯାଇଥିଲା ।

ଶେଷକୁ ଅଜା ଅସ୍ୱସ୍ତିକର ପରିସ୍ଥିତିଟା କଟେଇ ଦେଇଥିଲେ । ବିବ୍ରତ, ବ୍ୟସ୍ତ ଭାବରେ ଆଈଙ୍କୁ କହିଥିଲେ, “ଓଃ, ସେ ସବୁ କଥା ଥାଉ । ଏତେଦିନ ପରେ ପୁଅ ଘରେ ଗୋଡ଼ ଦେଇଚନ୍ତି, ଏ ଯାଏଁ ବସି ବି ନାହାନ୍ତି । ଗୋଡ଼ ହାତ ଧୋଇବାକୁ ଦିଅ, ବିଶ୍ରାମ କରିବାକୁ ଦିଅ, ସେ ସବୁ କିଛି ନାଇଁ, ଘରେ ଗୋଡ଼ ଦେଲାମାତ୍ରେ ଆରମ୍ଭ ହୋଇଗଲା ଅଭିଯୋଗ ।”

ଅଜାଙ୍କ କଥା ଶୁଣି ଆଈ ଲାଜରେ ଏଡ଼େ ଟିକିଏ ହେଇ ଯାଇଥିଲେ । ମୁହଁ ତଳକୁ କରି ଖୁବ୍ ଧୀରେ କହିଥିଲେ “କିଛି ମନେ କରନି ବାପା, ମୋର କଣ ମୁଣ୍ଡ ଆଉ ଠିକ୍ ରହୁଚି । ଆସ ଟିକିଏ ବସିପଡ଼ ।” କହି ବାରଣ୍ଡା ଉପରେ ଖଣ୍ଡେ ଇଜି ଚେୟାର ପକେଇ ଦେଇଥିଲେ ।

ମତେ ସେମିତି କୋଳରେ ଧରି ନନା ଚୁପଚାପ ଚେୟାର ଖଣ୍ଡକ ଉପରେ ଯାଇ ବସିଥିଲେ ।

ଅଜା କହିଥିଲେ, “ତମେ ଟିକିଏ ବସ ବାପା, ମୁଁ ଟିକିଏ କେଉଟସାହି ଆଡ଼ୁ ବୁଲି ଆସେ-। ସାଙ୍ଗେ ସାଙ୍ଗେ ଆସିବି । ଦେଖେ ମାଛ ଫାଛ ଯଦି ମିଳେ ।”

ବିବ୍ରତ ହେଇ ନନା କହିଥିଲେ, “ନା–ନା, ଏତେ ରାତିରେ କଷ୍ଟ କରି ଆଉ କୁଆଡ଼େ ଯିବା ଦରକାର ନାହିଁ । ଘରେ ଯାହା ଅଛି ସେଇଥିରେ ଚଳିଯିବ । ତା ଛଡ଼ା ମୋର ବର୍ତ୍ତମାନ ଖାଇବାର ଇଚ୍ଛା ନାହିଁ । ଷ୍ଟେସନରେ ଜଳଖିଆ ଖାଇ ଆସିଚି । ଆପଣ ଯାଆନ୍ତୁନି ।”

କିନ୍ତୁ ଅଜା କି ଛାଡ଼ିବା ଲୋକ । କହିଥିଲେ, “ଏତେ ଦିନ ପରେ ଆସିଚ, ଟିକିଏ ମାଛ ନ ହେଲେ–“କହୁ କହୁ ହଠାତ୍ ସଚେତନ ହୋଇ ଉଠିଲେ, “ଆରେ ଝିଅ–ଝିଅ ଗଲା କୁଆଡ଼େ ? ଏତେ ବେଳଯାଏ ଘର ଭିତରୁ ବାହାରି ପାରୁନି ? କେତେ ଦିନପରେ ପୁଅ ଆସିଚନ୍ତି,” କହୁ କହୁ ସେ ଚାଲିଗଲେ ।

ବୋଉ କିନ୍ତୁ ବାହାରକୁ ଆସି ନ ଥିଲା । ଘର ଆଉ ବାହାରର ମଧ୍ୟସ୍ଥଳରେ ଯେଉଁ ଦୁଆର ମୁହଁଟା ସେଇଠି ନିଶ୍ଚଳ ଭାବରେ ଠିଆ ହୋଇଥାଏ । କପାଳ ପର୍ଯ୍ୟନ୍ତ ଓଢ଼ଣା ଟାଣି ଦେଇଥାଏ । ନନାଙ୍କ କୋଳ ଭିତରେ ଥାଇ ଦେଖି ପାରୁଥିଲି, ଓଠ ଦୁଇଟା ତାର ଚାପି ହୋଇ ରହିଚି । ଆଖି ଦୁଇଟା ଯେମିତି ସଜଳ । ଦୃଷ୍ଟିଟା କିନ୍ତୁ ଜ୍ଵଳନ୍ତ । ଫଳରେ ଆଖି ଦୁଇଟା ନିଆଁ ଭଳି ଡହକି ଉଠୁଥିଲା ।

ଆଈ ବୋଉ ପାଖକୁ ଯାଇ କହିଥିଲେ, “ଝିଅ, ତୁ ପୁଅଙ୍କ ପାଖକୁ ଯାଇ କଥାବାର୍ତ୍ତା କରୁଥା । ମୁଁ ଚୁଲି ଲଗେଇ ଦେଇ ଆସୁଚି ।”

ଚୁଲି ଲଗେଇ ସାରି ଆଈ ଫେରି ଆସି ମଧ୍ୟ ଦେଖିଲେ ବୋଉ ସେମିତି ସେଇଠି ଠିଆ ହୋଇ ରହିଚି । ଝିଅଆଡ଼େ ଚାହିଁ ସେ କଣ ବୁଝିଲେ କେଜାଣି ସେଇ ଜାଣନ୍ତି; ଆଉ କିଛି କହି ନଥିଲେ । ନିଜେ ଆସି ନନାଙ୍କ ପାଖରେ ଠିଆ ହେଲେ ।

 

ଏଣେ ନନା ମୋ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରି ଦେଇ ଥାଆନ୍ତି । ପଚାରିଲେ, “ବର୍ତ୍ତମାନ କଣ ପଢ଼ୁଚୁ ବାପା ? ଅ, ଆ, କ, ଖ ଶିଖିଲୁଣି ?”

 

ନନାଙ୍କ ଧାରଣା ଦେଖି ହସି ପକେଇଥିଲି । ଏଡ଼େ ବଡ଼ ହେଲିଣି, ସ୍କୁଲରେ ନାଆଁ ଲେଖେଇଲିଣି, କେତେ ପ୍ରକାର ବହି ପଢ଼ିବାକୁ ହେଉଚି; ଆଉ ନନା ପଚାରୁଛନ୍ତି କଣ ନା ବର୍ଣ୍ଣ ପରିଚୟ ଶିଖିଲିଣି କି ନାଇଁ । ମୋ ପକ୍ଷ ଧରି ଆଈ କହିଲେ, “ସେ ସବୁ ତ ତା ବୋଉ ତାକୁ କୋଉକାଳୁ ଶିଖେଇ ଦେଇଥିଲା । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଚି । ବାର୍ଷିକ ପରୀକ୍ଷା ତ ଆସି ଗଲାଣି-। ଏଥର ତୃତୀୟ ଶ୍ରେଣୀକୁ ଉଠିବ ।”

 

ମୋରି ନନା ତଥାପି ଏଇ ଅପରିଚିତ ମଣିଷଟିର କୋଳ ଭିତରେ ବସି ମଧ୍ୟ ମୁଁ ସ୍ୱଚ୍ଛନ୍ଦ ହୋଇ ପାରୁ ନଥିଲି । ଥଙ୍ଗେଇ ଥଙ୍ଗେଇ କହିଥିଲି, “ମୁଁ ସାହିତ୍ୟ ଦର୍ପଣ ପଢ଼ୁଛି, ଇତିହାସ କଥା ପଢ଼ୁଚି–”

 

“ସତେ !” ବିସ୍ମୟ ପୂର୍ଣ୍ଣ ଦୃଷ୍ଟିରେ ନନା ମୋ ଆଡ଼କୁ ଚାହିଁ ରହିଥିଲେ ।

 

“ପଚିଶକ ପଣିକିଆ, କଡ଼ାଗଣ୍ଡା, ପାହି ପଣିକିଆ, ଏକଠାରୁ କୋଡ଼ିଏ ଯାଏ ମିଶାଣ–ଗୁଣନ, ଫେଡ଼ାଣ, ହରଣ ସବୁ ଶିଖି ଗଲିଣି ।”

 

“କଣ କହୁଚୁ !”

 

ଉତ୍ସାହ ପାଇ ଆହୁରି ବିଦ୍ୟା ଜାହିର କରିଥିଲି, “ହାତ ଗୋଡ଼ମୁଣ୍ଡ, ପଶୁପକ୍ଷୀ ବାଳକ ବାଳିକା ଏ ସବୁର ଇଂରାଜୀ ଜାଣି ସାରିଲିଣି । ୱାନ ଠାରୁ ହଣ୍ଡ୍ରେଡ଼ ପର୍ଯ୍ୟନ୍ତ କହିପାରୁଚି ।”

 

ନନା କହିଥିଲେ, ତାହେଲେ ତ ତୁ ଗୁଡ଼ାଏ ପାଠୁଆ ହୋଇଗଲୁଣି ଦେଖୁଚି । ଆଉ ମୁଁ କଣ ପଚାରୁଚି ଅ, ଆ ଶିଖିଚୁ କି ନାଇଁ ।”

 

ପାଖରୁ ଆଈ କହିଥିଲେ, “ନରି ଭଲ ପାଠ ଶାଠ ପଢ଼ୁଚି ।”

 

“ସେଇୟା ବୋଧହୁଏ !”

 

“ହଁ । ଷଡ଼ମାସିକ ପରୀକ୍ଷାରେ ପ୍ରଥମ ହେଇଚି ।”

 

“ସତେ ! “ପ୍ରଶଂସା ଦୃଷ୍ଟିରେ ନନା ମତେ ଚାହିଁଥିଲେ,” ତାହେଲେ ତ ଆମର ନରି ବାବୁଙ୍କ କିଛି ଗୋଟାଏ ଦେବାକୁ ହେବ । କଣ ହେବା କହିଲ ? “କହିସାରି ଏପଟ ସେପଟ ଚାହୁଁ ଚାହୁଁ ହଠାତ୍ କଣ ଯେମିତି ମନେ ପଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ଡାହାଣ ହାତର ସାର୍ଟଟା କହୁଣି ଉପରକୁ ଲୋଚାଇ ଆଣି ଗୋଟାଏ ସୁନାର ତାବିଜ ବାହାର କରି ମୋ ଡେଣାରେ ପିନ୍ଧେଇ ଦେଇଥିଲେ ।

 

ଏତେ ବଡ଼ ତାବିଜଟା କଣ କେବେ ମୋର ପତଳା ହାତକୁ ଖାପ ଖାଆନ୍ତା ? ତେଣୁ ସେଇଟା ଓହଳି ପଡ଼ୁଥିଲା, ନନା ସେଇଟା ଖୋଲି ମୋ ହାତରେ ଦେଇ ସାମାନ୍ୟ ହସି କହିଥିଲେ, “ତୁ ବଡ଼ ଦୁର୍ବଳ ହୋଇଚୁ ବାପା । ଏଇଲେ ଏଇଟା ତୋ ଡେଣାକୁ ହେବନି, ବଡ଼ ହେଲେ ପିନ୍ଧିବୁ । ଏଇଲେ ରଖି ଦେଇ ଥା ।”

 

ହାତ ମୁଠାରେ ତାବିଜଟା ଧରି ମୁଁ ନନାଙ୍କ କୋଳରେ ବସିଥିଲି, ନନାଙ୍କ ପାଖରୁ କୌଣସି ଉପହାର ପାଇବା ସେଇ ବୋଧହୁଏ ମୋର ପ୍ରଥମ; ସମ୍ଭବତଃ ଶେଷ ମଧ୍ୟ । ଜୀବନର ଶେଷ ଅଧ୍ୟାୟରେ ପହଞ୍ଚିଲେ ମଧ୍ୟ ଏବେ ବି ସେ ତାବିଜଟା ମୋ ପାଖରେ ରହିଚି । ଡେଣାରେ ସେମିତି ବନ୍ଧା ହୋଇଚି ।

 

ଆଉ କିଛି ସମୟ ଏଣୁ ତେଣୁ କଥାବାର୍ତ୍ତା ପରେ ଅଜା ଆସି ପହଞ୍ଚିଲେ । ତାଙ୍କ ହାତରେ ଗୋଟାଏ ପ୍ରକାଣ୍ଡ ରୋହିମାଛ ଝୁଲୁଥିଲା ।

 

ଅଜା ଯେମିତି ଗଡ଼ ଜିଣି ଫେରି ଆସିଚନ୍ତି, ସେଇଭଳି ସେ ମାଛଟାକୁ ଟେକି ଧରିଥିଲେ-। ଛାତିଟା ଲାଲ ଟକଟକ, ଲାଳୁଆ ଦେହ, ରକ୍ତାଭ ଆଖି–ରୀତିମତ ସ୍ୱାସ୍ଥ୍ୟବାନ ରାଜସିକ ରୂପ-। ବୁଲେଇ ବୁଲେଇ ନିଜେ ମାଛଟାକୁ ଦେଖିଥିଲେ ଏବଂ ସମସ୍ତଙ୍କୁ ଦେଖେଇଥିଲେ-। ତା ପରେ ବାରଣ୍ଡାର ଗୋଟାଏ ପାଖେ ସେଇଟାକୁ ଶୁଆଇ ଦେଇଥିଲେ ।

 

ଅଗଣାର ଗୋଟାଏ କଡ଼େ ପାଣି କୁଣ୍ଡଟାଏ ଥୁଆ ହୋଇଥାଏ । ସେଠି ଯାଇ ଗୋଡ଼ ହାତ ଧୋଇ ଗାମୁଛାରେ ପୋଛିପାଛି ହେଉ ହେଉ ଆଈଙ୍କୁ କହିଥିଲେ, “ଆଜି କପାଳଟା ଭଲ ଦେଖୁଚି, କେଉଟ ସାହିକୁ ଗଲାମାତ୍ରକେ ମାଛଟା ମିଳିଗଲା । ଖୁବ୍ ବଢ଼ିଆ ମାଛ । କଟାକଟି କରି କେତେ ଖଣ୍ଡ ଭାଜି ଦିଅ, ଘରେ ତ ଫୁଲ କୋବି ଅଛି, କେତେ ଖଣ୍ଡ ପକେଇ ଝୋଳ କରିଦିଅ । ଆଉ ମୁଣ୍ଡଟା ଭାଙ୍ଗି ଛିଞ୍ଚଡ଼ା କର ।”

 

ନନା ବ୍ୟସ୍ତ ହୋଇପଡ଼ି କହିଥିଲେ, “ନାଇଁ ନାଇଁ, ଏତେ ରାତିରେ ଆଉ ବିଶେଷ କିଛି କରିବା ଦରକାର ନାହିଁ । ଟିକିଏ ଝୋଳ କରିଦେଲେ ଚଳିଯିବ ।”

 

ଅଜା କହିଥିଲେ, “ବିଶେଷ ଆଉ କଣ ? ରାତି ଏବେ କୋଉ ବଳେଇ ପଡ଼ିଚି ଯେ ! ଗୁଡ଼ାଏ ଥଣ୍ଡା ପଡ଼ୁଚି ବୋଲି ଏମିତି ନିଛାଟିଆ ନିଛାଟିଆ ଜଣାପଡ଼ୁଚି, ନ ହେଲେ ମୋଟେ ତ ଏଗାରଟା ଖଣ୍ଡେ ବାଜିବ ।”

 

ନନା ଆଉ କିଛି କହି ନ ଥିଲେ ।

 

ଏଣେ ଅଜାଙ୍କର ତରକାରି ତାଲିକାଟା ଶୁଣି ଆଈ ଓଠ ଚିପି ଚିପି ନିଶବ୍ଦରେ ହସୁଥାଆନ୍ତି । ଆଈଙ୍କର ଓଠ ଦୁଇଟା ପାନ ବୋଳ ଲାଗି ଲାଲ ଟକ ଟକ ଦିଶୁଥାଏ । ହସବେଳେ ସେ ଓଠ ଦୁଇଟା ବଡ଼ ବିଚିତ୍ର ଦେଖା ଯାଉଥିଲା । ଆଖି ଡୋଳା ଦୁଇଟାରେ ଦୁଷ୍ଟାମୀ ଚାହାଣୀ ଖେଳେଇ ଆଈ କହିଥିଲେ, “ସବୁଗୁଡ଼ା ମାଛ ରାନ୍ଧି କଣ ହେବ, ପୁଅ ତ ଏକୁଟିଆ ଖାଇବେ, ଆଉ ତାଙ୍କ ସାଙ୍ଗେ ନରି ଖଣ୍ଡେ ଅଧେ ଖାଇବ । ବାକି ଯାହା ବଳକା ରହିବ ସେତକ କାଲିପାଇଁ ଭାଜି ରଖି ଦେଉଚି, କଣ କହୁଚ ।”

 

ଅଜାଙ୍କ ମୁହଁଟା ହଠାତ୍ କେମିତି ଆମ୍ବିଳିଆ ପଡ଼ିଗଲା, ମେଞ୍ଚାଏ କଳା କିଏ ଯେମିତି ତାଙ୍କ ମୁହଁସାରା ବୋଳି ଦେଇଚି । ଟିକିଏ ଆଗରୁ ମଛଟାକୁ ବୁଲେଇ ବାଲେଇ ଦେଖୁ ଦେଖୁ ରାନ୍ଧିବାର ଯୋଉ ତାଲିକା ପେଶ କରିଥିଲେ ସେତେବେଳର ସେ ଉତ୍ସାହ ଆଉ ଖୁସିର ଆଲୁଅଟାକୁ କିଏ ଯେମିତି ଗୋଟାଏ ଫୁତ୍‍କାରରେ ଲିଭେଇ ଦେଇଚି । କଣ ଉତ୍ତର ଦେବେ ବୋଲି ଅଜା ଭାବି ଭାବି ଯେମିତି କିଛି ଠିକ୍ କରି ପାରୁ ନ ଥିଲେ । ତାପରେ ଟିକିଏ ସମ୍ଭାଳି ଯାଇ କହିଥିଲେ, “ନା–ନା, ସମସ୍ତଙ୍କ ପାଇଁ ଦୁଇ ଚାରିଖଣ୍ଡ ଲେଖାଏଁ ରାନ୍ଧି ଦିଅ । ମାଛଟା ପାଞ୍ଚ ସେରରୁ କମ୍ ହେବନି । ଆଜି ସମସ୍ତେ ଖାଇବା ପରେ ଯାହା ବଳିବ ସେତେକ ବି କାଲିକି ବଳେଇବ ।”

 

ଆଈ କହିଥିଲେ, “ସେତ ବଳେଇବ । “

 

କିନ୍ତୁ ଲୋଭନୀୟ ଖାଦ୍ୟ ଜିନିଷଟା ଉପରେ ଆଈ କାଳେ ଅଡ଼ି ବସିବେ ସେଇ ଭୟରେ ଅଜା ଶଙ୍କିତ, ତଟସ୍ଥ ହୋଇ କହିଥିଲେ, “ଯା–ଯା, ଚଞ୍ଚଳ ମାଛଟାକୁ କଟାକଟି କରି ଲୁଣ ହଳଦୀ ଗୋଳେଇ ଦିଅ । ଅନେକ ବେଳୁ ଆସିଲାଣି, ସଢ଼ି ଯାଇପାରେ ।”

 

ସଢ଼ି ଯିବାର ଆଦୌ କୌଣସି ଭୟ ନ ଥିଲା । ମାଛଟାର ଅବସ୍ଥା ଯାହା ଥିଲା, ସେଥିରୁ ସହଜରେ ଅନୁମାନ କରାଯାଇ ପାରେ ଯେ, ଅଜାଙ୍କ ପହଞ୍ଚିବା ବେଳକୁ ସେଇଟା ବୋଧହୁଏ ପାଣି ଭିତରୁ ଉଠା ଯାଇଥିଲା । ଏମିତି କାକରରେ ତାକୁ ଯଦି ସାରା ରାତି ପକେଇ ରଖା ହୁଏ ତା ହେଲେ ତା ତେଜ ଟିକିଏ ହେଲେ ବି ମଉଳିବ ନି । ଦୁର୍ଭାବନାଟା ତ ମାଛ ପାଇଁ ନୁହେଁ, ଆଈଙ୍କୁ କୌଣସି ପ୍ରକାରେ ସେଠାରୁ ବିଦାକରି ଦେବାର ଚେଷ୍ଟା । ନ ହେଲେ ବୁଢ଼ୀ ସମସ୍ତଙ୍କ ପାଇଁ ରନ୍ଧାଯିବା ବିପକ୍ଷରେ ବାରମ୍ଵାର ଗୋଟାକ ପରେ ଗୋଟାଏ ଆଳ କାଢ଼ି ବସିବ ।

 

ଆଈ ବି ଛାଡ଼ୁଚି କେତେକେ ! କହିଲା, “ଏଇ ଟିକିଏ ଆଗରୁ ତ ଖାଇବାପିଇବା ସରୁଚି-। ପୁଣି କୋଉ ପେଟରେ ଖାଇବ ଶୁଣେ ?’’

 

“ଟିକିଏ ଆଗରୁ ଖିଆ ହୋଇଥିଲା ?’’

 

“ନୁହେ ତ ଆଉ କଣ ! ଆଠଟା ବେଳେ ପରା ଖାଇଥିଲ ?’’

 

ବିବ୍ରତ ବ୍ୟତିବ୍ୟସ୍ତ ଅଜା ନାନାଙ୍କଆଡ଼େ ଟିକିଏ କଣେଇ ଚାହିଁ କହିଥିଲେ, “ଶୀତଦିନିଆ ରାତି କେତେ ବଡ଼ ମନେଅଛି ଟି ? ଆଠଟା ବେଳେ ଥରେ ଖାଇଲେ ପୁଣି ରାତି ଅଧ ବେଳକୁ ଆଉ ଥରେ ମଣିଷ ଖାଇ ପାରିବ ।”

 

ଆଈ ଗୋଟାଏ ଅଦ୍ଭୁତ ଧରଣର କଟାକ୍ଷ ଅଜାଙ୍କ ଉପରେ ହାଣି, ମାଛଟାକୁ ଉଠେଇ ନେଇ କୂଅ ମୂଳକୁ ଯାଉ ଯାଉ ସ୍ୱଗକ୍ତି କରି କହିଲା, ପେଟୁ କୋଉଠିକାର ।”

 

ଅଜା ପୋଛା ପୋଛି ହେଉଥିବା ଗାମୁଛା ଖଣ୍ଡକ ଅଗଣାରେ ବନ୍ଧା ହୋଇଥିବା ତାର ଉପରେ ପକେଇ ଦେଇ ବାରଣ୍ଡା ଉପରକୁ ଉଠି ଆସିଥିଲେ । ଲକ୍ଷ୍ୟ କରିଚି, ନନା ମଧ୍ୟ ତଳକୁ ମୁହଁ ପୋତି ହସିଲା ମୁହଁରେ ଅଜା ଆଈଙ୍କର ମଧୁର ଦାମ୍ପତ୍ୟ ଲୀଳାର ମହିମା ଟିକକ ଉପଭୋଗ କରୁଥିଲେ ।

 

ଯାହାହେଉ, ବାରଣ୍ଡା ଉପରକୁ ଆସି ଅଜା ଖୋଜାଖୋଜି କରି ଖଣ୍ଡ ବେତର ଚଉକି ଆଣି ଠିକ୍ ନାନାଙ୍କ ଆଗରେ ପକେଇ ବସିଥିଲେ । ପଚାରିଲେ, “କଣ ବାପା, ଗୋଡ଼ହାତ ଧୁଆଧୋଇ କଲଣି ?’’

 

“ନାଇଁ ଆଜ୍ଞା, ଭାବୁଚି ଟିକିଏ ଗାଧୋଇ ପଡ଼ିବି ।’’

 

ଅଜା କଣ କହିବାକୁ ଯାଉଥିଲେ, ତା ଆଗରୁ ଅଗଣା ସେପଟରୁ ଆଈ କହି ପକେଇଲେ, “ନାଇଁ–ନାଇଁ, ଏତେ ରାତିରେ ଗାଧୋଇବା ଦରକାର ନାହିଁ, କାକର ପଡ଼ୁଚି, ଏତେବେଳେ ଗାଧୋଇଲେ ଥଣ୍ଡା ଧରିବ, ଏ ଶୀତରେ ତ ଭାରି ଜର ଧରୁଚି ।”

 

ନନା କହିଥିଲେ, “ଖରା, ବର୍ଷା, ଶୀତ ବାର ମାସଯାକ ମୋର ରାତିରେ ଗାଧୋଇବା ଅଭ୍ୟାସ ଅଛି । ଏଠି ଆଉ ଏମିତି ଶୀତ କଣ ହେଉଚି ! ପଶ୍ଚିମାଞ୍ଚଳରେ ଏହାଠୁ ବଳି ଟାଣ ଶୀତରେ ବି ରାତିରେ ନ ଗାଧୋଇଲେ ମତେ ନିଦ ହୁଏନି । ତା ଛଡ଼ା କେତେଦିନ ହେଲା ଗାଡ଼ି ମଟରରେ ବୁଲୁଚି । ଧୂଳି ବାଲିରେ ଦେହ ମୁଣ୍ତ ପୂରି ଗଲାଣି । ନ ଗାଧୋଇଲେ ଶାନ୍ତି ଲାଗିବନି ।”

 

“ତାହାଲେ ଟିକିଏ ବସ । ଭାତଟା ହୋଇଗଲାଣି । ଗରମ ପାଣି କରି ଦେଉଚି ।”

 

“ଗରମ ପାଣି କିଛି ଦରକାର ନାହିଁ ।”

 

“ନାଇଁ–ନାଇଁ, କାର୍ତ୍ତିକ ନିଗଡ଼ା, ଥଣ୍ତା ପାଣିରେ ଗାଧୋଇଲେ ଧରିବ । ଜାଣୁ ଜାଣୁ ଗାଧୋଇବାର ନୁହେଁ ।”

 

ଅଗତ୍ୟା ଆଉ କଣ କରାଯାଏ ! ନନାଙ୍କୁ ଶ୍ୱଶୁର ଘରର ଏଇ ଆଦର ଟିକକ ମାନି ନେବାକୁ ପଡ଼ିଥିଲା ।

 

ତାପରେ କିଛି ସମୟ ଚୁପ୍ ଚାପ ।

 

କିଛି ସମୟ ପରେ ଅଜା ନୀରବତା ଭାଙ୍ଗି ପଚାରିଲେ, ‘ବିମ୍ବାଧର’–ନନା ମୁହଁ ଟେକି କହିଥିଲେ 'ଆଜ୍ଞା ।’

 

“ବର୍ତ୍ତମାନ ତମେ କୋଉଠୁ ଆସିଲ ?”

 

“ସିଧା ଅମରକଣ୍ଟକରୁ ।”

 

ସାମାନ୍ୟ ମୁଣ୍ତ କୁଣ୍ଡେଇ ଅଜା ପଚାରିଥିଲେ, “ଅମର କଣ୍ଟକଟା କୋଉଠି ?”

 

“ସେଇଟା ମଧ୍ୟ ପ୍ରଦେଶରେ । ସେଇଟା ହେଲା ନର୍ମଦା ନଦୀର ଉତ୍ପତ୍ତିସ୍ଥଳ । ସେଠାରୁ ବାହାରି ନଦୀଟା ମହାରାଷ୍ଟ୍ର ଭିତରେ ଦେଇ ସିଧା କଚ୍ଛ ଉପସାଗରରେ ଯାଇ ପଡ଼ିଚି ।”

 

“ସେଠି ଦେଖିଲା ଭଳି କିଛି ଅଛି ?

 

ନନାଙ୍କର ଆଖି ଦୁଇଟା ଏଥର ଉଜ୍ଜ୍ୱଳ ହୋଇ ଉଠିଥିଲା । “ନାହିଁ ଆଉ କଣ, ଅନେକ କିଛି ଦେଖିବାର ଅଛି ।”

 

“କଣ ?”

 

ମୁହୂର୍ତ୍ତକ ମଧ୍ୟରେ ନନା ଯେମିତି ଅଲଗା ମଣିଷ ହୋଇଗଲେ, ଅନ୍ୟମନସ୍କ, ଦୂରବର୍ତ୍ତୀ ଏବଂ ଅପରିଚିତ, ଟିକିଏ ଆଗରୁ ଯାହାଙ୍କୁ ସ୍ନେହ ପ୍ରବଣ, ମୋ ପ୍ରତି ସଦୟ, ଏବଂ ମନଯୋଗୀ ଥିବାର ଦେଖିଚି, ମୁହୂର୍ତ୍ତକରେ ଶହ ଶହ ମାଇଲ ପାର ହୋଇ ଏମିତି ଗୋଟାଏ ରାଜ୍ୟକୁ ସେ ଚାଲି ଯାଇଥିଲେ, ଯେଉଁଠି କି ମୋର ସେତେବେଳ ବୟସର ଧ୍ୟାନ କି ଧାରଣା ପହଞ୍ଚି ପାରିବନି । ମନେଅଛି, ନନା ଅଜାଙ୍କ ପାଖରେ ଅମର କଣ୍ଟକର ଗୋଟାଏ ରମଣୀୟ ବର୍ଣ୍ଣନା ଦେଇଥିଲା । ସବୁଗୁଡ଼ାକ ଆଜି ମନେ ନାହିଁ, ରହିବାର କଥା ବି ନୁହେଁ । ତେବେ ନନାଙ୍କର ଗମ୍ଭୀର ଶାନ୍ତ କଣ୍ଠସ୍ୱର ଏବେ ବି ଯେମିତି ଶୁଣି ପାରୁଚି; ତାର ପ୍ରତିଧ୍ଵନି ଏବେ ବି ମଝିରେ ମଝିରେ ପ୍ରାଣକୁ ସ୍ପର୍ଶ କରୁଚି ।

 

ଗୋଟାଏ ବିଶାଳ ହ୍ରଦ, ଅରଣ୍ୟମୟ ପାହାଡ଼, ଦୋଳାୟିତ ଚଢ଼ିବା ଉଠିବା, ଉପତ୍ୟକା–ଅଧିତ୍ୟକା–ମାଳଭୂମି, ଫେଣାୟିତ ଜଳ କଲ୍ଲୋଳ, ଦୂର ବିସ୍ତୃତ ନୀଳ ଆକାଶ–ନନାଙ୍କର ବର୍ଣ୍ଣନାରେ ଆଉ ଯେ କେତେ କଣ ଥିଲା ଠିକ୍ ମନେ ନାହିଁ । ତେବେ ଗୋଟାଏ ଚମତ୍କାର ନିସର୍ଗ ଦୂର ଦିଗନ୍ତରୁ କ୍ରମାଗତ ମତେ ହାତ ଠାରିବା ଆରମ୍ଭ କରି ଦେଇଥିଲା । ସେତେବେଳକୁ ମୁଁ ପାହାଡ଼ ଦେଖିନି, ହ୍ରଦ ଦେଖିନି, ଉପତ୍ୟକା–ଅଧିତ୍ୟକା ଦେଖିନି, ତଥାପି ସେଇ ଅପରିଚିତ ଶବ୍ଦଗୁଡ଼ାକ ବିଚିତ୍ର ଝଙ୍କାରରେ ମତେ ମୁଗ୍‍ଧ ଏବଂ ସମ୍ମୋହିତ କରି ପକେଇଥିଲା ।

 

ଅଜାଙ୍କୁ ବୋଧହୁଏ ଏ ସବୁ ବିବରଣ ଭଲ ଲାଗୁ ନ ଥିଲା ପଚାରିଥିଲେ, “ଏଇ ପାହାଡ଼ ପର୍ବତ ଛଡ଼ା ଆଉ କିଛି ନାହିଁ ?”

 

“ନାହିଁ ଆଉ କଣ !”

 

“କଣ ?”

 

“ଶିବଙ୍କର ପ୍ରକାଣ୍ଡ ମନ୍ଦିର ଅଛି । ତା ଛଡ଼ା ଶୈବ, ରାମାନନ୍ଦୀ, ଆର୍ଯ୍ୟ ସମାଜୀ ଆଉ ଉଦାସୀ ସଂପ୍ରଦାୟର ବିସ୍ତର ସାଧୁ ଅଛନ୍ତି । ସେମାନଙ୍କର ଆଶ୍ରମ ମଧ୍ୟ ଅଛି ।”

 

ସାଧୁଙ୍କ ପ୍ରସଙ୍ଗ ଶୁଣି ଅଜା ଉତ୍ସାହିତ ହୋଇ ପଚାରିଥିଲେ, “ଆଚ୍ଛା, ଏଇ ସାଧୁମାନଙ୍କ ସଙ୍ଗେ ମିଳାମିଶା କରିଚ ନା କଣ ?”

 

“ହଁ, ଏମିତି ଥରେ ଅଧେ–”

 

“ତାହେଲେ ସେମାନଙ୍କ କଥା ଟିକିଏ କୁହ, ଶୁଣିବା । କଣ କଣ ସେମାନେ କରନ୍ତି ?”

 

ଟିକିଏ ଚୁପ୍ ରହିଯାଇ ନନା ଆରମ୍ଭ କରିଥିଲେ, ତା ମଧ୍ୟରୁ ଅଧିକାଂଶ ସାଧୁ ବଇଠା ମାରି ମାରି ଅମରକଣ୍ଟକଠାରୁ କଚ୍ଛର ମୋହନା ପର୍ଯ୍ୟନ୍ତ ଚାଲି ଯାଆନ୍ତି । ପୁଣି ଠିକ୍‍ ସେମିତି ଅମରକଣ୍ଟକ ଫେରି ଆସନ୍ତି ।

 

“କଣ କହୁଚ !” ଅଜା ଏକାବେଳେ ସ୍ତମ୍ଭିତ ।

 

ସାମାନ୍ୟ ହସି ନାନା କହିଥିଲେ, “ଆଜ୍ଞା ହଁ ।”

 

“କିନ୍ତୁ–”

 

“କଣ ?”

 

“କଣ ଗୁଜୁରାଟ କି ମହାରାଷ୍ଟ୍ର–କଚ୍ଛ ଫଚ୍ଛ କହିଲ ନା ? ଏତେଗୁଡ଼ାଏ ଦେଶ ଦେଇ ନଈଟା ବୋହି ଯାଇଚି । ତାହେଲେ ତ କିଛି କମ୍ ଲମ୍ବା ନୁହେଁ । ଏତେଗୁଡ଼ାଏ ବାଟ ବଇଠା ମାରି ମାରି ଯିବା ଆସିବା କରିବାକୁ କିଛି କମ୍ ସମୟ ଲାଗୁ ନ ଥିବ ?”

 

“ଅନେକ ସମୟ ଲାଗିଯାଏ । ନଦୀଟା ପ୍ରାୟ ପାଞ୍ଚଶହ ମାଇଲ ହେବ । ଜଣ ଜଣକୁ ପ୍ରାୟ ପାଞ୍ଚ ଛଅ ବର୍ଷ ଲାଗିଯାଏ । ପୁଣି ଏମିତି ଅନେକ ସାଧୁ ଅଛନ୍ତି ଯେଉଁମାନେ କି ସାରାଜୀବନ ଧରି ବଇଠା ମାରି ଚାଲିଚନ୍ତି ।”

 

“କଣ କହୁଚ ମ !”

 

ନନା କହିଥିଲେ, “ହଁ ଆଜ୍ଞା ।”

 

ଅଜା ଟିକିଏ ଚୁପ୍ ରହିବା ପରେ ପୁଣି ପଚାରିଥିଲେ, “ଆଚ୍ଛା ବାପା, ଅନେକ ସାଧୁ ସନ୍ନ୍ୟାସୀ ତ ଦେଖିଚ । ସମସ୍ତେ ତ ଆଉ ଖାଣ୍ଟି ହୋଇ ନଥିବେ, ନକଲି ବି କିଛି ଥିବେ ?”

 

“ହଁ, ସେମାନଙ୍କ ଭିତରେ ଠକଙ୍କ ସଂଖ୍ୟା ବେଶି ।”

 

“ସେଥିରୁ କେବେ କୌଣସି ସିଦ୍ଧ ପୁରୁଷଙ୍କ ସନ୍ଧାନ ପାଇଚ ?”

 

“ଥରେ ସେ ସୁଯୋଗ ପାଇଥିଲି ।”

 

“କେମିତି କହିଲ, ଶୁଣିବା–” କହି ପ୍ରବଳ ଉତ୍ସାହରେ ବେତର ଚଉକିଟା ନାନଙ୍କ ଆଗକୁ ଟାଣିଆଣି ଅଜା ଘନିଷ୍ଠ ହୋଇ ବସିଥିଲେ ।

 

ନନା କଣ କହିବାକୁ ଯାଉଥିଲେ, ତା ଆଗରୁ କୂଅ ମୂଳରୁ ଆଈ ଧମକେଇଲା ଭଳି କହିଉଠିଲେ, “ପିଲାଟା ମୋର ଗାଡ଼ି ମଟରରେ ବୁଲି ବୁଲି ହାଲିଆ ହୋଇ ଆସିଚନ୍ତି, ତାଙ୍କୁ ଟିକିଏ ବିଶ୍ରାମ ଦେବେ କଣ, ଓଲଟା ଗପିବା ଆରମ୍ଭ କରିଦେଲେ । ତମେ ତାଙ୍କ କଥା ଶୁଣନି ମ ପୁଅ ।”

 

ଅଜା ବୋଧହୁଏ ଭୁଲ୍ ବୁଝିପାରିଲେ । ସାମାନ୍ୟ ବ୍ୟସ୍ତ ହୋଇପଡ଼ି କହିଥିଲେ, “ହଁ–ବାପା, ତମେ ଏଥର ଗାଧୁଆପାଧୁଆ କାମ ସାରିଦିଅ ।” କହି ପାଖ ଘରକୁ ଚାହିଁ ଡାକିଥିଲେ, “ଝିଅ–ଏ–ଝିଅ–”

 

ଆଶ୍ଚର୍ଯ୍ୟର କଥା, ବୋଉ ସେମିତି ଆଗଭଳି ଦୁଆରବନ୍ଧ ସେପଟେ ଚିତ୍ରାର୍ପିତ ଭଳି ଠିଆ ହୋଇଥାଏ । ଅମରକଣ୍ଟକ ଆଉ ସାଧୁ ସନ୍ନ୍ୟାସୀ କାହାଣୀରେ ଆମେମାନେ ଏତେ ବୁଡ଼ିଯାଇଥିଲୁ ଯେ, ସେଆଡ଼କୁ କାହାରି ଲକ୍ଷ୍ୟ ନଥିଲା ।

 

ଅଜାଙ୍କ ଡାକ ଶୁଣି ବୋଉ ଜବାବ ଦେଲାନି; ଯଥାରୀତି ନିଶ୍ଚଳ ଭାବରେ ଠିଆହୋଇ ରହିଥାଏ ।

 

ଆଶ୍ଚର୍ଯ୍ୟ ହୋଇ ଅଜା ବୋଉଆଡ଼େ କିଛି ସମୟ ଚାହିଁ ରହିଲେ । ତା ପରେ କହିଲେ, “ତୁ ସେତିକିବେଳୁ ସେଇଠି ସେମିତି ଠିଆହେଇ ରହିଚୁ ନା କଣ ? ଏତେଦିନ ପରେ ବାପା ଆମର ଆସିଲେ, ଥରେ ହେଲେ ବି ତୁ ତାଙ୍କ ପାଖକୁ ଆସିଲୁନି ।”

 

ବୋଉ କୌଣସି ଉତ୍ତର ଦେଲାନି ।

 

“ଆଉ ଠିଆ ହ’ ନି । ଯା’ ତେଲ ଗାମୁଛା ସବୁ ଆଣି ଦେ ।”

 

ବୋଉ ହଲଚଲ ହେବାର କୌଣସି ଲକ୍ଷଣ ଦେଖାଗଲାନି ! ଅଜା ଯେ ଡାକି ଡାକି ମରୁଛନ୍ତି, ସେଆଡ଼କୁ ତାର ତିଳେ ହେଲେ ମନଯୋଗ ଅଛି–ଏଭଳି ମନେ ହେବାର କୌଣସି କାରଣ ନ ଥିଲା ।

 

ଏଥର ଅଜା ଅସନ୍ତୁଷ୍ଟ ହେଇଥିଲେ । ବୋଉ ଉପରେ ଭରସା ନ ରଖି ନିଜେ ବିରକ୍ତ ଭାବରେ ଉଠିଯାଇ ଗାମୁଛା, ସୋରିଷ ତେଲ ଶିଶି, ଶୁଖିଲା ଲୁଗା, ଦାନ୍ତକାଠି ପ୍ରଭୃତି ଯୋଗାଡ଼ କରି ନନାଙ୍କ ପାଖରେ ଆଣି ରଖିଦେଇ କହିଲେ, “ଯାଆ, ଗାଧୋଇପଡ଼ ।”

 

ଏଣେ ଆଈଙ୍କର ମାଛ କଟା ଶେଷହୋଇ ଯାଇଥିଲା । ବୋଧହୁଏ ଭାତ ଏହା ମଧ୍ୟରେ ହୋଇ ଯାଇଥିଲା, କଟା ମାଛଗୁଡ଼ା ଧୂଆଧୋଇ କରି ସେ ରୋଷେଇ ଘରକୁ ସିଧା ଚାଲିଗଲେ ।

 

ନନା ତାଙ୍କର ମଇଳା କୋଚଟ ଲୁଗାପଟା ପାଲଟି ଗାମୁଛା ପିନ୍ଧି ଅନେକ ସମୟ ପର୍ଯ୍ୟନ୍ତ ତେଲ ଲଗେଇ ରଗଡ଼ି ହେବାକୁ ଲାଗିଲେ । ସେତେବେଳେ ଦେଖିବାକୁ ପାଇଲି ନନାଙ୍କର ଦୀର୍ଘ ଦେହାବୟବରେ ମାଂସ ବା ମେଦର ଅଂଶ ଅତି ସାମାନ୍ୟ । ଚଉଡ଼ା ଚଉଡ଼ା ହାଡ଼ଗୁଡ଼ା ଦେଖାଯାଉଚି; ଗୋଡ଼ ହାତର ମୋଟା ମୋଟା ନୀଳ ଶିରାଗୁଡ଼ାକ ତାଗି ଦଉଡ଼ି ଭଳି ବହାରିପଡ଼ିଚି-। ଏଗୁଡ଼ାକ ଉପରେ ଖାସୁରା, ଲୋଚା, ପୋଡ଼ା ରଙ୍ଗର କର୍କଶ ଚମଡ଼ା ଘେରି ରହିଚି-

 

ତେଲ ଲଗେଇ ସାରିବା ପରେ ସେଇ ଶୀତୁଆ କାକରବୋଳା ରାତି ଅଧରେ ବରଫ ଭଳି ଥଣ୍ଡା ହୋଇଥିବା କୂଅପାଣିଗୁଡ଼ାକ ନନା ଅଧଘଣ୍ଟାଏ ଧରି ମୁଣ୍ଡରେ ଢାଳିବାକୁ ଲାଗିଲେ । ଆଈ ରୋଷେଇ ଘର ଭିତରୁ ପାଟିକରି ଉଠିଲା, “ସେତିକି, ସେତିକି, ହୋଇଥାଉ ବାପା, ଆଉଗୁଡ଼ାଏ ଢାଳନି । ଥଣ୍ଡା ଧରି ପକେଇବ ।”

 

ନନା ପାଣି ଢାଳୁ ଢାଳୁ ହସିଦେଇ କହିଥିଲେ, ନାଇଁ, କିଛି ହେବନି ବୋଉ ଜୀବନସାରା ଢଙ୍ଗ ଢଙ୍ଗ ହେଇ ବୁଲି ଦେହଟା ଏମିତି ହେଇଗଲାଣି ଯେ, କି ଖରା, କି ବର୍ଷା, କି ଶୀତ–କୌଣସି ସମୟରେ କିଛି ହୁଏନି ।”

 

ଗାଧୋଇ ସାରିବା ପରେ ନନା ଘଣ୍ଟାଏ କାଳ ବସି କଣ ଜପ ତପ–, ଗୁଣାଗୁଣି କରିଥିଲେ ।

 

ଏହା ମଧ୍ୟରେ ରନ୍ଧାରନ୍ଧି ଶେଷହୋଇ ଯାଇଥିଲା । ରୋଷେଇ ଘର ବାରଣ୍ଡା ଉପରେ ଖାଇବା ବ୍ୟବସ୍ଥା ହେଇଥିଲା ।

 

ଖାଇବାକୁ ଦେବା ବିଷୟରେ ଆଈ କିନ୍ତୁ ଅଜାଙ୍କ ସଙ୍ଗେ ଚିରଦିନର ସେଇ କୌତୁକ ଖେଳଟା ଖେଳିଥିଲେ । ଶୋଇବା ଘର ବାରଣ୍ଡା ଉପରୁ ଅଜା ବଡ଼ ପାଟିରେ ପଚାରିଥିଲେ, “କଣ ହେ, ପିଢ଼ା ପାଣି ହେଲାଣି ?”

 

ନିରୀହ ଗଳାରେ ଆଈ କହିଥିଲେ, ‘‘ସରିଲାଣି ।”

 

“ଆସ ବାପା, ଚାଲରେ ନରି ଯିବା–” ଆମମାନଙ୍କୁ ସାଙ୍ଗରେ ଧରି ଅଜା ରୋଷେଇ ଘର ବାରଣ୍ଡା ଉପରକୁ ଆସିଲେ । ଆଉ ସେଠିକି ଆସି ତାଙ୍କର ଯାହା ପ୍ରତିକ୍ରିୟା ହେଇଥିଲା ସେଇଟା ବୋଧହୁଏ ବ୍ୟାଖ୍ୟା କରିହୁଏନି । ମୁହଁ ଉପର ଦେଇ ଅନେକ ଗୁଡ଼ାଏ ଲହରୀ ଖେଳି ଯାଇଥିଲା । ଖଣ୍ଡେ ବଡ଼ ଆଉ ଖଣ୍ଡେ ଛୋଟ—ମାତ୍ର ଦୁଇଖଣ୍ଡ ପିଢ଼ା ଲଗାଲଗି ହୋଇ ପଡ଼ିଥିଲା । ଗୋଟାଏ ମୋ ପାଇଁ, ଅନ୍ୟଟା ନନାଙ୍କର ।

 

ଆଈ କହିଥିଲେ, “ବସ ବାପା, ବସରେ ନରି–”

 

ଜୁଆଁଇ ଆଗରେ କଣ କହିବେ ବୋଲି ଅଜା କିଛି ଭାବିପାରୁ ନଥିଲେ । ଏଭଳି ଆଶା ଭଙ୍ଗରେ ଭୋଜନ ରସିକ ଲୋଭୀ ମଣିଷଟିର ଆଖି ଦୁଇଟି କରୁଣ ହୋଇ ଉଠିଥିଲା ।

 

ଏଣେ ଆଈ ଓଠ ଦୁଇଟାକୁ କେମିତି ଭିତିରିଆ ଚାପି ଧରିଥାଆନ୍ତି । ଆଖି ଦୁଇଟାକୁ ମିଟିମିଟି କରି ସେ ଅଜାଙ୍କଆଡ଼େ ଚାହିଁଥାଆନ୍ତି । ସେ ଦୃଷ୍ଟିରେ ଯାହା ଝଲସି ଉଠୁଥିଲା ତାର ନାଆଁ ନିଷ୍ଠୁରତା କି କୌତୁକ କି ହସ କିମ୍ବା ଅନୁରାଗ–କେଜାଣି ସେଇଟା କଣ, ସେତେବେଳ ବୟସରେ ତାର ରହସ୍ୟ ଭେଦ କରିବା ଶକ୍ତି ମୋର ନ ଥିଲା ।

 

ଏପଟେ ନନା ବଡ଼ ଦ୍ଵିଧାରେ ପଡ଼ିଯାଇଥିଲେ । ଆଗର କଥାବାର୍ତ୍ତା ଗୁଡ଼ାକରୁ ସେ ଜାଣି ପାରିଥିଲେ ରୋହି ମାଛରୁ କେତେଖଣ୍ଡ ଶ୍ୱଶୁର ମହୋଦୟଙ୍କର ପେଟରେ ନ ପଡ଼ିଲେ ରାତିରେ ଶୋଇ ପାରିବେନି; ରାତିସାରା ବିଛଣାରେ ଛଟପଟ ହେବାକୁ ପଡ଼ିବ । ଏଣେ ଦେଖାଯାଉଚି ପିଢ଼ା ପଡ଼ିଚି ମାତ୍ର ଦୁଇଖଣ୍ଡ । ଖାଇବା ପାଇଁ ଆହ୍ଵାନ ବି ନନାଙ୍କୁ ଆଉ ମତେ କରାଯାଇଚି ।

 

ଅଜା ଆଉ ଆଈ ଭିତର ଖେଳଟା ଯେ ନନା ଜାଣିପାରି ନଥିଲେ, ତା ନୁହେଁ; ଅଥଚ କିଛି କଲାଭଳି ବୋଧହୁଏ ତାଙ୍କର ନାହିଁ । ତେଣୁ ବାଧ୍ୟ ହୋଇ ପିଢ଼ା ପାଖରେ ଯାଇ ସେ ଠିଆହୋଇ ରହିଲେ ।

 

ଅଜାଙ୍କର ରକ୍ତ ଶୂନ୍ୟ ପାଣ୍ଡୁରିଆ ମୁହଁଟାକୁ ଦେଖି ଶେଷକୁ ବୋଧହୁଏ ଆଈଙ୍କର କରୁଣା ହୋଇଥିଲା । ହଠାତ୍ ଯେମିତି ମନେପଡ଼ିଗଲା; ସେମିତି ଭାବ ଦେଖାଇ କହିଲେ, ମଲା ଯା, ତମ ପାଇଁ ପିଢ଼ା ପକାଇବାକୁ ଭୁଲି ଯାଇଚି । ତମେ କଣ ସତରେ ଖାଇବ ନା କ’ଣ ?”

 

ଟିକିଏ ଇଙ୍ଗିତକୁ କେବଳ ଅପେକ୍ଷା ଥିଲା । ଆଶ୍ୱାସନାଟିକକ ପାଇବା ମାତ୍ରେ ଅଜା ଆଉ ଅପେକ୍ଷା କରି ନ ଥିଲେ, ନିଜେ ଧାଇଁ ଯାଇ ଖଣ୍ଡେ ପିଢ଼ା ନେଇ ଆସି ବସିପଡ଼ିଲେ ଏବଂ ଆମମାନଙ୍କୁ କହିଲେ, “ବସିପଡ଼, ଅନେକ ରାତି ହୋଇଗଲାଣି, ଚଞ୍ଚଳ ବସିପଡ଼ ।”

 

ଆମେମାନେ ବସି ପଡ଼ିଲୁ ।

 

ଏତିକି ସମୟ ଭିତରେ ଆଈ କିଛି କମ୍ ରାନ୍ଧି ନ ଥିଲେ । ମାଛ ଭଜା, ବାଇଗଣ ଭଜା, ହରଡ଼ ଡାଲି, ଝୋଳ, ଛିଞ୍ଚଡ଼ା–ବୋଧହୁଏ ଦୁଇଟାଯାକ ଚୂଲି ଲଗେଇଥିଲେ ।

 

ନିଜେ ଖାଇବି କଣ, ମୁହଁ ବୁଲେଇ କେବଳ ଅଜାଙ୍କର ଖାଇବାଟା ଦେଖୁଥିଲି । ଭାତ ଡାଲି ପ୍ରଭୃତି ଯଥେଷ୍ଟ କମ୍ ଦିଆଯାଇ ଥିଲା, ମାତ୍ର ମାଛ ଭଜା, ଝୋଳ ଆଉ ଛିଞ୍ଚଡ଼ା ରୀତିମତ ପରିମାଣର ଥିଲା । ଚକା ପକେଇ ବସିଯାଇ ଥାଳି ଥାଳିଆଆଡ଼କୁ ଝୁଙ୍କି ପଡ଼ିଚନ୍ତି ତ—ପଡ଼ିଚନ୍ତି । ମୁଣ୍ଡ ଟେକିବାର ଇଚ୍ଛା ବା ଅବକାଶ କୌଣସିଟା ତାଙ୍କର ନ ଥିଲା, ଅଜା ଖାଉ ଥାଆନ୍ତି ଆଉ ମୁଣ୍ଡ ଟୁଙ୍ଗାରୁ ଥାଆନ୍ତି । ମୁଣ୍ଡ ଟୁଙ୍ଗାରିବାଟା ଥିଲା ପ୍ରଶଂସାର ମୁଦ୍ରା । କହି ଚାଲିଥାଆନ୍ତି, ବୁଢ଼ାଟାକୁ ଏକାବେଳେ ଭେଳିକି ଲଗେଇ ଦେଲ । ତରକାରୀପତ୍ର ଯାହା ହେଇଚି ନା–କଣ କହିବି, ଠିକ୍ ଅମୃତ ଭଳି ପରା ଲାଗୁଚି ।”

 

ପ୍ରଶଂସା କରୁକରୁ ଅଜା ଆବେଗ ସ୍ରୋତରେ ଭାସିଯାଇଥିଲେ । ଜୁଆଁଇ ଯେ ପାଖରେ ବସିଛନ୍ତି, ସୋଆଡ଼େ ବୋଧହୁଏ ତାଙ୍କର ଆଦୌ ଖିଆଲ ନ ଥିଲା । କହିଥିଲେ, “ଯେମିତି ରାନ୍ଧିଚନା ସୁନାମୁହିଁ, ମନ ହେଉଚି ଉଠିଯାଇ ହାତ ଦୁଇଟା ଚାଟି ପକାନ୍ତି । ରାନ୍ଧିବାରେ ହାତ ଖଣ୍ଡେତ ପାଇଚ–”

 

କହିବାକୁ ଭୁଲିଯାଇଚି ‘ସୁନାମୁହିଁ’ ଆଈଙ୍କର ଆଦରିଆ ନାଆଁ । ଅଜାଙ୍କର ଆବେଗର ସ୍ରୋତ ବଢ଼ି ଉଠିଲେ ବେଳେବେଳେ ଏଇ ନାଆଁ ଧରି ଡାକିପକାନ୍ତି ।

 

ଆଈ ଏଥର ପ୍ରକୃତରେ ରାଗି ଯାଇଥିଲେ । ନିମ୍ନ ହେଲେ ମଧ୍ୟ ଖୁବ୍ ତୀବ୍ର ଭାବରେ କହିଥିଲେ, “ପ୍ରକୃତି ଛାଡ଼ୁଚି ନା କଣ ! ଲୋକ ଦିଶୁ ନାହାନ୍ତି କି ?”

 

ଆଈଙ୍କର ସ୍ଵରର ତୀବ୍ରତା ଅଜାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଚମକି ପଡ଼ି ମୁହଁ ଉଠେଇ ନନାଙ୍କଆଡ଼େ ଥରେ ଚାହିଁଦେଇ ଜିଭ କାମୁଡ଼ି ପୁଣି ତଳକୁ ମୁହଁ କରି ଦେଇଥିଲେ ।

 

କିଛି ସମୟ ପାଇଁ ଅଦ୍ଭୁତ ସ୍ତବଧତା ଦେଖା ଦେଇଥିଲା । ତାପରେ ଅଜା ହିଁ ପୁଣି ଆବହାୱାଟାକୁ ସହଜ କରି ଦେଇଥିଲେ । ଏତେ ସମୟ ଧରି ଲୋଭନୀୟ ଖାଦ୍ୟଗୁଡ଼ାକ ପାଖରେ ବସି ବୋଉକଥା ମନେ ନ ଥିଲା । ହଠାତ୍ ଖିଆଲ ହେବାରୁ କହି ଉଠିଲେ, ଦେଖୁଚି ତମେ ଆମମାନଙ୍କୁ ଖାଇବାକୁ ଦେଉଚ, ଝିଅ କୁଆଡ଼େ ଗଲା ? ଏ ଝିଅ–”

 

ଦେଖାଗଲା ବୋଉ ସେତେବେଳ ଯାଏ ବି ସେଇ ଦୁଆରବନ୍ଧ ପାଖରେ । ଫ୍ରେମ୍ ଦେହରେ ବନ୍ଧା ହେଇଥିବା ଅଚଳ ଚିତ୍ର ଭଳି ଠିଆହେଇ ରହିଚି । ମନେ ହେଉଥିଲା ବୋଉ ବୋଧହୁଏ, ସବୁଦିନ ପାଇଁ ସେମିତି ରହିଯିବ ।

 

ଅଜା ଏଥର ବିରକ୍ତ ହୋଇ ଯାଇଥିଲେ, “କେତେ ଥର ଡକାଡ଼କି କଲିଣି, ତଥାପି ବି ତୁ ଟିକିଏ ପାଖକୁ ଆସିଲୁ ନି । କି ଅମାନିଆ ଝିଅ ହେଇଚୁ କେଜାଣି !

 

କିନ୍ତୁ କିଏ କାହା କଥା ଶୁଣୁଚି ! ବିରକ୍ତି, ଭର୍ତ୍ସନା କୌଣସିଟା ବୋଧହୁଏ ବୋଉର ମନକୁ ଛୁଇଁ ପାରିଲାନି । ସେ ବୋଧହୁଏ ସ୍ପର୍ଶାତୀତ କୌଣସି ଗୋଟାଏ ଜଗତରେ ନିଜକୁ ବିଲୁପ୍ତ କରି ରଖିଥିଲା ।

 

ସେଦିନ ବୁଝି ନ ଥିଲି, ବଡ଼ ହେବା ପରେ ମନେ ହେଇଥିଲା, ବୋଉ ଯେ ଏଭଳି ଭାବରେ ଠିଆ ହୋଇଥିଲା, ସେଇଟା କି ବେଦନାରେ, କି ଅଭିମାନରେ, କି ସଂବେତମୟ ତୀବ୍ର କୌଣସି ଯନ୍ତ୍ରଣାରେ ? ସେଦିନ ଯେତିକି ବୁଝି ପାରିଥିଲି, ସେଇଟା ହେଲା ଅଜା ଆଈଙ୍କର ମଧୁର କୌତୁକ ଖେଳ ତୁଳନାରେ ନନା ବୋଉଙ୍କର ସମ୍ପର୍କଟା କେମିତି ଗୋଟାଏ ନିର୍ଜୀବ ଭଳି ମନେ ହେଇଥିଲା ଯେମିତି, ମନେ ହେଉଥିଲା ତା ମଧ୍ୟରେ ଶୋଣିତ ପ୍ରବାହର ଉତ୍ତାପ ନାହିଁ ପ୍ରାଣର ଆଲୋକ ଉନ୍ମୁକ୍ତ ନୁହେଁ ସେଠି ସବୁଗୁଡ଼ାକ ନିଷ୍ପ୍ରଭ ବିଡ଼ମ୍ବିତ ଆଉ ଅସ୍ୱାଚ୍ଛନ୍ଦ୍ୟରେ ପରିପୂର୍ଣ୍ଣ । ନନା–ବୋଉ ଏମିତି କାହିଁକି ?

 

ମନେଅଛି, କେବଳ ଆମେ ତିନିଜଣ ସେ ଦିନ ରାତିରେ ଖାଇଥିଲୁ । ବୋଉ ଆଉ ଆଈ ଖାଇ ନ ଥିଲେ ।

 

ଅନେକ ରାତି ହୋଇଯାଇଥିଲା । ଖାଇବା ପିଇବାପରେ ଶୋଇବା କଥା ।

 

ବୋଉ ଆଉ ଆମେ ତିନି ଭାଇ ଭଉଣୀ ଗୋଟାଏ ଘରେ ଶୋଉ । ଅଜା ଆଈ ଆଉ ଗୋଟାଏ ଘରେ ଶୁଅନ୍ତି । ସେଦିନ ଶୋଇବା ବ୍ୟବସ୍ଥାର ଅଦଳ ବଦଳ ହୋଇଥିଲା । ଆମେ ଭାଇ ଭଉଣୀମାନେ ଅଜା ଆଈଙ୍କର ଶୋଇବା ଘରେ ଆସି ଶୋଇଲୁ ।

 

ଯୋଉ ବୋଉ ଅଜାଙ୍କର ଏତେ ଡାକ, ଏତେ ଅନୁରୋଧ ସତ୍ତ୍ୱେ ବି ବହୁକାଳ ପରେ ଫେରି ଆସିଥିବା ସ୍ୱାମୀଙ୍କ ଆଗକୁ ଆସି ନ ଥିଲା, କେମିତି ସେ ତାଙ୍କ ସହିତ ଗୋଟାଏ ଘରେ ରାତି କଟେଇ ଥିଲା, ସେ ଦିନ ମୋର କଳ୍ପନା ସେତେ ଦୂରକୁ ଯାଇ ପାରି ନ ଥିଲା, ଘଟଣାଟା ମୋ ପାଖରେ ଗୋଟାଏ ରହସ୍ୟ ହେଇ ରହିଚି ।

 

କେବଳ ଏତିକି ମନେ ଅଛି, ସେ ଦିନ ନନାଙ୍କ ପାଖରେ ଶୋଇ କଥାବାର୍ତ୍ତା କରିବା ପାଇଁ ମୋର ଭାରି ଇଚ୍ଛା ଥିଲା ? କିନ୍ତୁ ସେ କଥା ମୁହଁ ଫିଟେଇ କହିପାରି ନଥିଲି, ହଠାତ୍ ନନାଙ୍କ ପାଖରେ ଏମିତି ଗୋଟାଏ ଇଚ୍ଛା ପ୍ରକାଶ କରିବା ପାଇଁ ଲାଜ ଲାଗିଥିଲା ।

 

ଛଅ

 

ଅଜା ଆଈଙ୍କ ପାଖରେ ଶୋଇ ସେଦିନ ଅନେକ ରାତିଯାଏ ନିଦ ହୋଇ ନ ଥିଲା । କେବଳ ଘର ବଦଳ ଯୋଗୁଁ ନୁହେଁ, ନନାଙ୍କ ପାଇଁ ମଧ୍ୟ ।

 

ଆଗେ ନନା କେଉଁଠି ଥିଲେ ଆଉ କେବେ ତାଙ୍କୁ ଦେଖିଚି କି ନାଇଁ ମନେ ନାହିଁ । ତାଙ୍କ କଥା ଆଗରୁ ଆଉ କେବେ ଭାବିନି ବୋଧହୁଏ । ହଠାତ୍ ଦିନର ଆଲୁଅ ଭଳି ସେ ଆସିଚନ୍ତି, ନିମିଷକରେ ମତେ ଜୟ କରି ନେଇଚନ୍ତି ।

 

ଏତେଦିନ ହେଲା ନନା କାହିଁକି ଆମ ପାଖକୁ ଆସି ନ ଥିଲେ, ଯଦି ଆସିଲେ ତା ହେଲେ ଏଠି ରହିବେ ତ; ରହିଲେ କେତେଦିନ ରହିବେ–ଅଫୁରନ୍ତ ଏଣୁ ତେଣୁ ଭାବନା ସେଦିନ ଆସି ରୁଣ୍ଡ ହେଇଥିଲା । ଆଉ ମନ ଭିତରେ ତାର ମିଳିତ କଳରବ ଶୁଣୁଶୁଣୁ କେତେବେଳେ ଯେ ନିଦର ଅତଳ ଗର୍ଭରେ ଟୁବ୍ କରି ବୁଡ଼ିଯାଇଚି, ସେ କଥା ଜଣାନାହିଁ ।

 

ସେଦିନ କେତେ ସମୟ ଶୋଇଥିଲି, ମନେପଡ଼ୁନି । ଦୁଆର ଖଟ ଖଟ ହେବାର ଶୁଣି ଉଠି ବସିଥିଲି । କିଏ ଖଟ ଖଟ କରୁଚି ?

 

ଘର ଭିତରେ ସେତେବେଳକୁ ଫିକା ଅନ୍ଧକାର, ପାଣିଚିଆ ହାଣ୍ଡିକଳା ଭଳି । ଅଜା ଆଈ ଆଉ ଭାଇ ଭଉଣୀମାନେ ସେତେବେଳକୁ ଶୋଇଚନ୍ତି । ସମସ୍ତଙ୍କ ନାକର ସଁ–ସାଁର ବିଚିତ୍ର ଶବ୍ଦ ଏକାକାର ହୋଇ ଆଳାପ ବାଜି ଚାଲିଚି । ନିଦୁଆ ଆଖିରେ ଅନଭ୍ୟସ୍ତ ଘରଟାରେ ପ୍ରଥମେ ବିହ୍ୱୋଳ ହୋଇ ପଡ଼ିଥିଲି, କେମିତି ଟିକିଏ ଡରଡ଼ର ଲାଗୁଥିଲା । ତାପରେ ମନେ ପଡ଼ି ଯାଇଥିଲା, ରାତିରେ ନନା ଆସିଚନ୍ତି । ଆମେମାନେ ଘର ବଦଳ ହେଇ ଏଠିକି ଆସିଚୁ । ଅଜା ଆଈଙ୍କ ପାଖରେ ଶୋଇଚୁ ।

 

ଦୁଆର ଖଟ ଖଟ ହେବା ଶବ୍ଦ ବନ୍ଦ ହୋଇ ଯାଇଥିଲା, ପୁଣି ଏଥର ଶୁଣାଗଲା । ଶୁଣୁ ଶୁଣୁ ଛାତି ଭିତରଟା ମୋର କେମିତି ଧକେଇ ଉଠିଥିଲା ।

 

ଅନେକ ସମୟଧରି କାନ ପତେଇ ବସିଥିଲି, ନିର୍ଜୀବ ହାତରେ ଅଜାଙ୍କୁ ବି ହଲେଇଥିଲି-। କିନ୍ତୁ ଅଜା ଏମିତି ଗାଢ଼ ନିଦରେ ଶୋଇଥିଲେ ଯେ, ମୋ ଆଘାତ ତାଙ୍କୁ ଉଠାଇବାରେ ସକ୍ଷମ ହେଲାନି ।

 

ଡାକିବି ବୋଲି ଭାବିଥିଲି, ସେତିକିବେଳେ ବାହାରୁ ଶୁଣାଗଲା, “ଏ ପୁଅ, ପୁଅରେ, ଉଠିଲୁ ?’’

 

ନନା ! କାଲି ରାତିରେ ଯେଉଁ ସ୍ୱର ସଙ୍ଗେ ପରିଚୟ ହେଇଚି ଭୋର ନ ହେଉଣୁ ସେଇଟା କେମିତି ବା ଭୁଲି ଯାଆନ୍ତି । ହୃତ୍‍ପିଣ୍ଡ ଭିତର ଦେଇ ବିଚିତ୍ର ଶିହରଣ ଖେଳି ଯାଇଥିଲା । ରୋମାଞ୍ଚିତ ହୋଇ ମୁଁ ସଙ୍ଗେ ସଙ୍ଗେ ଉଠିପଡ଼ି କବାଟ ଫିଟେଇ ଦେଲି ।

 

ହଁ ନନା ତ । ମୋଟା ଖଦି ଚଦର ଖଣ୍ଡେ ସେ ଦେହ ମୁଣ୍ଡରେ ଘୋଡ଼େଇ ହେଇଚନ୍ତି । କେବଳ ଖଣ୍ଡାଭଳି ତୀକ୍ଷଣ ନାକର ଦୁଇ ପାଖେ ସ୍ନେହତରଳ ଦୁଇଟି ଉଜ୍ଜ୍ୱଳ ଆଖି ମୋଆଡ଼େ ଚାହିଁ ରହିଥାଏ ।

 

ସକାଳୁଆ ଆଲୁଅ ଭଳି ସସ୍ନେହ ହସ ହସି ନନା କହୁଥିଲେ, “କେତେବେଳୁ କବାଟ ବାଡ଼େଇଲିଣି । ଏମିତି ନିଦରେ ଶୋଇଚୁ ଯେ ଡାକିଲେ ବି ଶୁଣୁନୁ ?”

 

ବିରାଟ ବିସ୍ମୟରେ ନନାଙ୍କଆଡ଼େ ଚାହିଁ ରହିଥାଏ । କହିବାକୁ ଭାବିଥିଲି, ମୁଁ କେତେବେଳୁ ତ ଉଠିଲିଣି, କିନ୍ତୁ କହି ପାରିଲିନି । ନନାଙ୍କ ସମ୍ବନ୍ଧରେ ମୋ ପ୍ରାଣରେ ବିସ୍ମୟର ଅନ୍ତ ନ ଥିଲା । ତାଙ୍କ କଥାର ଉତ୍ତର ଦେବା ଅପେକ୍ଷା ତାଙ୍କୁ ଦେଖିବାକୁ ବେଶି ଇଚ୍ଛା ହେଉଥିଲା ।

 

ନନା ପଚାରିଥିଲେ, “କଣ ମତେ ଏମିତି ଚାହିଁଚୁ ?’’

 

ଲାଜରେ ମୁହଁ ତଳକୁ କରି ଦେଇଥିଲି ।

 

ମୋର ସେଇ ବଡ଼ ବଡ଼ ଆଖିରେ ବିସ୍ମୟ ପୂର୍ଣ୍ଣ ଚାହାଣୀ ଦେଖି ନନା ଆଉ କିଛି ପଚାରି ନ ଥିଲେ । କେବଳ ପଚାରିଥିଲେ, “ବୁଲିବାକୁ ଯିବୁ ?”

 

ଲାଜ କଥାଟା ଆଉ ମନେ ନ ଥିଲା । ଉତ୍ସାହରେ ମୁହଁ ଟେକି ମୁଣ୍ଡଟା ଟୁଙ୍ଗାରି ଦେଇଥିଲି । ଅର୍ଥାତ୍ ଯିବି ।

 

“ତାହେଲେ ଖଣ୍ଡେ ଚାଦର ଦେହରେ ପକେଇ ଆସ, କାର୍ତ୍ତିକ ମାସର ଥଣ୍ଡା ଲାଗିଲେ ଦେହ ଖରାପ ହେଇପାରେ ।

 

ସେତେବେଳେ ଚାଦର କୋଉଠୁ ପାଇବି । ଏପଟ ସେପଟ ଚାହିଁବା ମାତ୍ରେ ପତଳା କମ୍ବଳ ଖଣ୍ଡକ ଆଖିରେ ପଡ଼ିଥିଲା । କାଲି ରାତିରେ ସେଇଟା ଘୋଡ଼େଇ ହୋଇ ଶୋଇଥିଲି । ସଙ୍ଗେ ସଙ୍ଗେ ଯାଇ ସେଇଟା ଦେହରେ ଗୁଡ଼େଇ ହେଇ ନନାଙ୍କ ପାଖରେ ଆସି ଠିଆ ହୋଇଥିଲି । ମୁଁ ପ୍ରସ୍ତୁତ, ନନା କହିବା ମାତ୍ରେ ବାହାରି ପଡ଼ିବି ।

 

ନନା ମୋର ପ୍ରସ୍ତୁତି ଆଡ଼େ ଚାହିଁ ହସି ପକେଇଥିଲେ, “କମ୍ବଳ ଘୋଡ଼େଇ ହୋଇଯିବୁ-! ଆଚ୍ଛା ଚାଲ । ଗୋଟାଏ କାମ କର, ମୁଣ୍ଡଟା ଭଲ କରି ଘୋଡ଼େଇ ଦେ, ରହ, ମୁଁ ଘୋଡ଼େଇ ଦେଉଚି ।” କାର୍ତ୍ତିକର କାକର ବିରୁଦ୍ଧରେ ମୁଣ୍ଡ ଘୋଡ଼େଇ ମତେ ଯୁଦ୍ଧ ଦେଶରେ ନନା ସଜେଇ ଦେଇଥିଲେ ।

 

ଘରର ଦ୍ୱାରଟା ଭଲ କରି ଆଉଜେଇ ଦେଇ ଦାଣ୍ଡ ଦ୍ୱାର ଖୋଲି ଦୁହେଁଯାକ ବାହାରି ପଡ଼ିଲୁ ।

 

ବାହାରକୁ ଆସି ନନା ପଚାରିଥିଲେ, “ପୂର୍ବ ଦିଗ କୋଉଟା କହିଲୁ ?”

 

ଦିଗ ସମ୍ବନ୍ଧରେ ମୋର ସେତେବେଳେ କୌଣସି ଧାରଣା ନ ଥିଲା । ମୁହଁ ତଳକୁ କରି କେବଳ ମୁଣ୍ଡ ହଲେଇଥିଲି ।

 

“କଣ ହେଲା ! ସୂର୍ଯ୍ୟ କୋଉ ପଟୁ ଉଦୟ ହୁଅନ୍ତି ଜାଣିନୁ ?’’

 

ଏମିତି ଗୋଟାଏ ସାଧାରଣ ଜିନିଷ ଜାଣିନି, ନନାଙ୍କ ପାଖରେ ସେ ଅଜ୍ଞତା ଧରା ପଡ଼ିଗଲା । କାନମୂଳ ମୋର ଲାଲ ପଡ଼ି ଯାଇଥିଲା ।

 

ସେତେବେଳଯାଏ ଅନ୍ଧାର କଟି ନ ଥାଏ । ଦିଗନ୍ତ ଘେରି ନିବିଡ଼ କୁହୁଡ଼ି ସ୍ଥିର ହୋଇ ରହିଚି । ଆକାଶଟା ଦେଖା ଯାଉନି, କୁହୁଡ଼ି ଚାନ୍ଦୁଆ ସେପଟେ ତାର ଅସଲ ରଙ୍ଗଟା ଲୁଚି ରହିଥାଏ-। ଆଖ ପାଖର କୌଣସି ଜିନିଷ ସ୍ପଷ୍ଟ ଭାବରେ ଦେଖାଯାଉ ନ ଥାଏ । ସବୁ ରହସ୍ୟମୟ, ପ୍ରାୟ ଆକାର ଶୂନ୍ୟ । ଭୋରଟାରୁ ପ୍ରବଳ ଥଣ୍ଡା ପଡ଼ୁଥାଏ । ଶୀତରେ ଦେହର ରୁମଗୁଡ଼ାକ ଝିଙ୍କ କାଠି ପରି ଠିଆ ଠିଆ ହୋଇ ଯାଇଥାଏ ।

 

ଯାହା ହେଉ ଘରୁ ବାହାରି ବାଁ ହାତି ପଡ଼ିଆଆଡ଼କୁ ଲମ୍ବି ଯାଇଥିବା ରାସ୍ତାଟା ଧରି ଆଗେଇବାକୁ ଲାଗିଲୁ । ନାନାଙ୍କ ପାଖେ ପାଖେ ଲାଗି ଚାଲୁଥାଏ । ନନା କହିଥିଲେ, “ଦିଗ ଯେତେବେଳେ ଜାଣିନୁ ସେତେବେଳେ ଆଉ କଣ କରାଯାଏ । ଚାଲ, ଏଇ ରାସ୍ତାରେ ଯିବା । ରାସ୍ତାଟା କୁଆଡ଼େ ଯାଇଚି ଜାଣିଚୁ ?”

 

ଜାଣି ନ ଥିଲି, କେମିତି ବା ଜାଣନ୍ତି, ଆଜିଯାଏ ମୋର ଚଲାବୁଲା ଯାହା କିଛି ସବୁ ଏଇ ଛୋଟ ଘରଟାରେ ସୀମାବଦ୍ଧ ଥିଲା । କେତେ ମାସ ହେଲା ତାର ପରିଧି ସାମାନ୍ୟ ବଢ଼ିଚି । ବର୍ତ୍ତମାନ ସ୍କୁଲକୁ ଯାଉଚି, ମନୁଙ୍କ ଘରକୁ ଯିବାର ସନନ୍ଦଟା ବି ହାତକୁ ଆସିଚି । ଏଇ କେତୋଟି ଜଗତ ବ୍ୟତୀତ ଆଉ ସବୁ କିଛି ମୋ ପାଖରେ ଅପରିଚିତ ଏବଂ ବୈଦେଶିକ । ତେଣୁ ନନାଙ୍କ ପ୍ରଶ୍ନର ଉତ୍ତରରେ ମତେ ମୁଣ୍ଡ ହଲେଇବାକୁ ହେଇଥିଲା । ସେ ହଲେଇବା ଅଜ୍ଞତାସୂଚକ ।

 

ନନା କହିଥିଲେ, “ଏଇଠି ରହିଚୁ ଆଉ ଏଠିକାର ବାଟ ଘାଟ କୋଉଟା କୁଆଡ଼େ ଯାଇଚି ସେ କଥା ଜାଣି ପାରିନୁ ! କେତେ ବୋକାଟାଏରେ !”

 

ଖୁବ୍ ଆସ୍ତେ କହିଥିଲି, “କେମିତି ଜାଣିବି ଯେ, ବୋଉ ତ ମତେ ଘରୁ ବାହାରକୁ ବାହାରିବାକୁ ଦିଏନି ।”

 

ନନା ଆଶ୍ଚର୍ଯ୍ୟ ହୋଇ ଯାଇ ପଚାରିଥିଲେ, ‘‘ବାହାରିବାକୁ ଦିଏନି !”

 

“ନା ।”

 

କାହିଁକି ରେ ?”

 

“କେଜାଣି । ବାହାରିଲେ ମାରେ ।”

 

ଏ ବିଷୟରେ ନନା ଆଉ କିଛି ପଚାରି ନ ଥିଲେ । କେବଳ କହିଥିଲେ, “ରାସ୍ତାଟା ଯୋଉଠିକି ଇଚ୍ଛା ସେଠିକି ଯାଇଥାଉ, ଆମେତ ଚାଲିଚେ ।

 

ଅନେକ ସମୟ ଚାଲିବା ପରେ ଚାରିପାଖର ଘନ କୁହୁଡ଼ି କମି କମି ଆସୁଥିଲା । ପାଣିଚିଆ କଳା ଭଳି ତରଳ ଅନ୍ଧକାର ଟିକକ ବି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା । ଆଗ ପଟକୁ ଆକାଶଟା ଯେଉଁଠି ଧନୁଭଳି ବଙ୍କେଇ ଯାଇଚି ସେ ଯାଗାଟା ଦିନର ପ୍ରଥମ ଆଲୁଅରେ ଫରଚା ହେବାକୁ ଆରମ୍ଭ କରୁଥିଲା । ଟିକିଏ ପରେ ସେଠି ସୂର୍ଯ୍ୟ ଦେଖା ଦେବେ, ତାଙ୍କୁ ବାଟ କଢ଼େଇ ଆଣିବାର ଆୟୋଜନ ବୋଧହୁଏ ଚାଲିଥିଲା ।

 

ଏହା ମଧ୍ୟରେ ପକ୍ଷୀମାନେ ବାହାରି ପଡ଼ିଚନ୍ତି । ନନା ଆଉ ମୋ ଛଡ଼ା ରାସ୍ତାରେ ମାତ୍ର ଜଣେ ଦି’ଜଣ ଆଖିରେ ପଡ଼ିଥିଲେ । ସେମାନେ ହେଲେ ଚା’ ଦୋକାନୀ, ଚାଳି ଘର ଭିତରେ ଚୁଲି ଜଳେଇ ଡେକଚିରେ ଚା’ ସିଝାଉ ଥାଆନ୍ତି । ଦଳେଇଘାଟର ଅବଶିଷ୍ଟ ଲୋକମାନେ ସେତେବେଳକୁ ଘର ଭିତରେ, ଶୀତଳ ହେମାଳ ଭୋରଟା ସେମାନଙ୍କୁ ବିଛଣା ଉପରେ ଚାପି ରଖିଚି ।

 

ନନା ପଚାରିଥିଲେ, “ଚା’ ପିଇବୁ ବାପା ?”

 

ମୁଁ ସାଙ୍ଗେ ସାଙ୍ଗେ ରାଜି, “ପିଇବି !”

 

ଗୋଟାଏ ଦୋକାନର ବେଞ୍ଚ ଉପରେ ବସି ଦୁହେଁ ଚା’ ପିଇ ଥିଲୁ । ତାପରେ ପୁଣି ଚାଲିବା ଆରମ୍ଭ ହେଇଥିଲା । ଯାଉ ଯାଉ କହିଥିଲି, ଜାଣିଚ ନନା–” ସେଇ ହେଉଚି ମୋର ନନାଙ୍କୁ ପ୍ରଥମ ସମ୍ବୋଧନ ।

 

ମୁହଁ ବୁଲେଇ ନନା କହିଥିଲେ, “କଣ ?”

 

“ମୋର ଚାହା ପିଇବାକୁ ଭାରି ଇଚ୍ଛା ହୁଏ, ବୋଉ ପିଇବାକୁ ଦିଏନି ।”

 

“କାହିଁକି ?”

 

“କେଜାଣି । ଖାଲି କଣ ଚାହା, କିଛି ଭଲ ଜିନିଷ ବି ଖାଇବାକୁ ଦିଏନି । ଅଜା ଦେବାକୁ କହିଲେ ବି ଦିଏନି । ସେଥିପାଇଁ ଅଜା ଆଉ କିଛି ଭଲ ଜିନିଷ ଆଣୁନାହାନ୍ତି । ବୋଉ ଆମ୍ଭମାନଙ୍କୁ ଖାଲି ମାରୁଚି ।” କେତୋଟି ମୁହୂର୍ତ୍ତ ପରିଚୟରୁ ଜାଣିଥିଲି, ନନାଙ୍କୁ କୌଣସି ପ୍ରକାର ଭୟ ନ କରି, ସବୁ ମନ ବେଦନା ତାଙ୍କ ପାଖେ କୁଢ଼େଇ ଦେଇ ହେବ ।

 

ନନା କିଛି କହିଲେ ନି, ଆଖି ଦୁଇଟା ତାଙ୍କର କରୁଣ–ବିଷଣ୍ଣ ହୋଇ ଯାଇଥିଲା ।

 

ଘରୁ ଯେତେବେଳେ ବାହାରିଲୁ ସେତେବେଳେ ପିଚୁ ରାସ୍ତା ଧରି ବାହାରିଥିଲୁ । କିଛି ଦୂର ଆସିବାପରେ ସେଇଟା ଶେଷ ହୋଇ ଯାଇଥିଲା । ଦଳେଇ ଘାଟର ଚିକଣିଆ ରାସ୍ତା ପରେ ଆମେ ପଡ଼ିଆ ରାସ୍ତା ଉପରକୁ ଆସି ଯାଇଥିଲୁ । ସେ ମଧ୍ୟ ଖୁବ୍ ଅଳ୍ପ ସମୟ ପାଇଁ । ତା ପରେ ବିଲ ମଝିରେ ଡଗର ରାସ୍ତା ଧରି ଚାଲିଲୁ ।

 

ଦଳେଇଘାଟର ସୀମା ପାର ହୋଇ ଆମେମାନେ ଅନେକ ଦୂର ଚାଲି ଆସିଥିଲୁ । ଦଳେଇଘାଟର ସୀମା କହିଲେ ଠିକ୍ ହେବନି, ସେଇଟା ସହରର ସୀମା, ଡଗର ରାସ୍ତା ଧରି ଚାଲିଚୁ ତ ଚାଲିଚୁ । ଦୁଇ ପାଖରେ ଥିବା ଜମିଗୁଡ଼ାକରେ ଶୀତଦିନିଆ ଫସଲର ମେଳା ଲାଗିଥାଏ-। ଗାଢ଼ ସବୁଜ ପତ୍ର ମଝିରେ ହସକୁରା ମୁହଁଭଳି ଫୁଲକୋବି, କୋଉଠି ପିଆଜ ଶଣ୍ଢା, ବିଲାତି ବାଇଗଣ, କୋଉଠି ମୂଳା, ବାଇଗଣ । କାର୍ତ୍ତିକର କାକରରେ ସମସ୍ତେ ଯେମିତି ବୁଡ଼ ପକେଇ ଉଠିଛନ୍ତି । ଟିକିଏ ସୁଲୁସୁଲିଆ ପବନ ବାଜିବା ମାତ୍ରେ ଟପ୍‍ଟପ୍ ହେଇ କାକର ବୁନ୍ଦା ଖସିପଡ଼ୁଚି-। ସୁନେଲି–ସବୁଜ, ଲାଲ, ହଳଦିଆ ରଙ୍ଗରେ ଜମିଗୁଡ଼ା ଯେମିତି ଛିଟପକା ଗାଲିଚା ଭଳି ମନେ ହେଉଚି ।

 

ଜମିକୁ ଜମି ଲାଗିରହିଚି । ସୁନାରଙ୍ଗର କେଣ୍ଡା ପକେଇ ପାଚିଲା ଧାନଗଛ ଗୁଡ଼ା ଦେଖିଲେ ମନେ ହେଉଥିଲା, ଯେମିତି କୌଣସି ନୂଆ ବୋହୂ ପାହାନ୍ତାରୁ ଗାଧୋଇ ସାରି ଉଠି ଆସୁ ଆସୁ ଲାଜରେ ନଇଁ ପଡ଼ିଚି ।

 

ଗୋଟାଏ ଜିନିଷ ଲକ୍ଷ୍ୟ କରିଚି, ଦଳେଇଘାଟ ସହରସୀମା ପାର ହୋଇ ପଡ଼ିଆ ଭିତରକୁ ଆସିବାମାତ୍ରେ ନନା ଯେମିତି ଅଲଗା ଧରଣର ହୋଇଯାଇଥିଲେ । କେମିତି ଗୋଟାଏ ଅନ୍ୟମନସ୍କ, ଉଦାସୀନ, ଅପରିଚିତ । କାଲିରାତିଠାରୁ ଯେଉଁ ମଣିଷଟିକୁ ଦେଖି ଆସୁଚି, ସେ ବୋଧହୁଏ ଅନ୍ୟ କେହି । ଭଲ ଭଲ ଖାଇବା ଆଉ ମାଡ଼ ସମ୍ପର୍କରେ ବୋଉ ବିରୁଦ୍ଧରେ ମୋର ଛୋଟ ବକ୍ଷ ଭିତରଟାରେ ଅସଂଖ୍ୟ ଅଭିଯୋଗ ଆଉ ମର୍ମ ବେଦନା ପୁଞ୍ଜିଭୂତ ହୋଇଥିଲା । ନନାଙ୍କ ପାଖରେ ସେଗୁଡ଼ାକ ସମ୍ବନ୍ଧରେ ସାମାନ୍ୟ ଇଙ୍ଗିତ ଦେଇଥିଲି । କିନ୍ତୁ ଆମୂଳଚୂଳ ଶୁଣେଇବା ପାଇଁ ବାରମ୍ବାର ଡାକିଲେ ମଧ୍ୟ ତାଙ୍କଠାରୁ ଉତ୍ତର ପାଇନି । ମୁଣ୍ଡ ଉପରେ ଅବାଧ–ଅସୀମ ଆକାଶ, ଦୂର ବିସ୍ତୃତ ପ୍ରାନ୍ତର ଏକାକାର ହୋଇ ନନାଙ୍କୁ ମଗ୍ନକରି ପକେଇ ଥିଲା ।

 

ସେଇ ପିଲାଦିନର ଅର୍ଦ୍ଧସ୍ଫୁଟ ଚେତନାର ମାଧ୍ୟମରେ ମୋର ମନେ ହେଇଥିଲା, ନନାଙ୍କ ମଧ୍ୟରେ ଅନାବିଷ୍କୃତ ସୁଦୂର ଗୋଟାଏ ମହାଦେଶ ଅଛି, ସେଇଟା ମୋର ଧରାଛୁଆଁର ସୀମା ସେପଟେ । ଛୋଟ ଛୋଟ ପାଦପକେଇ ଏତେଦୂର ସେଇ ଅସୀମ ରହସ୍ୟମୟତାରେ ପହଞ୍ଚିବା ସାଧ୍ୟ ମୋର ନ ଥିଲା ।

 

ମନେଅଛି ବୁଲୁବୁଲୁ ଖରା ପଡ଼ିଯାଇ ଥିଲା । ସୂର୍ଯ୍ୟ ସେତେବେଳକୁ ଫଗୁ ଭିତରେ ବୁଡ଼ିଯାଇଚି । ତାପରେ ଦେଖୁ ଦେଖୁ ଚକଚକ ହୋଇଉଠିଥିଲା । ସେଇ ହେଉଚି ମୋ ଜୀବନର ସର୍ବ ପ୍ରଥମ ସୂର୍ଯ୍ୟୋଦୟ ଦେଖିବା !

 

ଆଜିପର୍ଯ୍ୟନ୍ତ ମୋର ନିଦ ଭାଙ୍ଗିବା ଆଗରୁ ଖରାଟା ଯେମିତି ଉଠି ବସି ସାରିଥାଏ । ସେ ଦୃଷ୍ଟିରୁ ନନାଙ୍କ ସାଙ୍ଗରେ ଯାଇ ପଡ଼ିଆ ମଝିରେ ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବା ଦିନଟା ଯେମିତି ବିସ୍ମୟକର, ସେମିତି ସ୍ମରଣୀୟ ।

 

ଚାଲୁଚାଲୁ ସୁଦୂର ଅନ୍ୟମନସ୍କତାରୁ ନନା ହଠାତ୍ ଫେରିଆସି କହିଥିଲେ, “ଆଚ୍ଛା ପୁଅ–

 

“କଣ କହୁଚ ନନା ?”

 

ସୂର୍ଯ୍ୟ ନମସ୍କାର ମନ୍ତ୍ର ଜାଣିଚୁ ?”

 

“ନା,” ନନାଙ୍କ ପାଖରେ ମୋର ଆଉ ଗୋଟାଏ ଅଜ୍ଞତା ଧରାପଡ଼ି ଯାଇଥିଲା ।

 

ନନା ଏଥର ସାନ୍ଵନାମୂଳକ ଭାବରେ କହିଲେ, “ବଡ଼ ହେଇ ଗଲେ ଜାଣିଯିବୁ । ତେବେ ଆଗରୁ ଶିଖି ନେଇଥିଲେ ଖୁବ୍ ଭଲ । ବ୍ରତ ହେବାପରେ ଆଉ ସେ ବିଷୟ ଚିନ୍ତା କରିବାକୁ ପଡ଼ିବନି । ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ଚାହିଁ ନମସ୍କାର କଲାବେଳେ ବୋଲିବାକୁ ହେବ । ଦେ–ମୋ ସାଙ୍ଗରେ ବୋଲ,” ଗମ୍ଭୀର ଭାବରେ ନନା ବୋଲିଥିଲେ ।

 

ଓଁ ଜବାକୁସୁମଂ ସଙ୍କାଶଂ କାଶ୍ୟପେୟ ମହାଦ୍ୟୁତିଂ

ଧ୍ୱନ୍ତାରିଂ ସର୍ବପାପଘ୍ନ ପ୍ରଣତୋସ୍ମି ଦିବାକରଂ !

ସପ୍ତାଶ୍ଵ ବାହନଃ ସୂର୍ଯ୍ୟୋ ବରଦଃ ପଦ୍ମଲାଞ୍ଛନଃ

ସର୍ବ ତେଜୋମୟୋ ଦେବଃ ସ୍ମର୍ତ୍ତ ବ୍ୟୋର୍କ ଗ୍ରହଃସଦା ।

ଆଦିତ୍ୟ ଭାସ୍କରଂ ଚଣ୍ଡଂ ଚଣ୍ଡରଶ୍ମି ବିଭାବସୁଂ

ଗ୍ରହଣାମଧିପ ସୂର୍ଯ୍ୟଂ ମାର୍ତ୍ତଣ୍ଡଂ ସର୍ବ ଶୋଷଣଂ ।

ଭର୍ତ୍ତାରଂ ସର୍ବ ଲୋକାନାଂ ପ୍ରଭବଞ୍ଚ ଦିବାକରଂ

ସୁର ସୁତଂ ଦିବାନାଥଂ ତମଃ ସଂଘାତକଂ ଶୁଚି ।

ପ୍ରଭାକରଂ କାଶ୍ୟେପେୟଂ ସପ୍ତାଶ୍ଵରଥ ବାହନଂ

ହନ୍ତାରଂ ସର୍ବ ସତ୍ୱାନାଂ ଛାୟାହୃଦୟ ବଲ୍ଲଭଂ ।

ଦୁର୍ନିରୀକ୍ଷଂ ଦୁଗଧର୍ଷଂ ଦୁଃଖ ଦାରିଦ୍ର୍ୟ ନାଶନଂ ।

ଗ୍ରହଣ ମଗ୍ରଗଣନଂ ମିହିରଂ ପ୍ରଣାମାମ୍ୟହଂ ।

 

ନନାଙ୍କ ଗଳାଟା ଏତେ ପରିଷ୍କାର, ଏତେ ସ୍ନିଗ୍‍ଧ ଧ୍ୱନିମୟ ବୋଲି ଆଗରୁ ଜାଣି ନ ଥିଲି । ତାଙ୍କ ସଙ୍ଗେ ସଙ୍ଗେ ମୁଁ ମଧ୍ୟ ପଦଗୁଡ଼ାକ ବୋଲି ଯାଉଥିଲି । ଟାଣ ଟାଣ ସଂସ୍କୃତ ଶବ୍ଦଗୁଡ଼ାକ ଉଚ୍ଚାରଣ କରିବା ମୋ ପକ୍ଷେ ଅସାଧ୍ୟ ହୋଇପଡ଼ୁଥିଲା । ମୁଁ ମଝିରେ ମଝିରେ ରହିଯାଉଥିଲି । ନନା ଆସ୍ତେ ଶବ୍ଦଗୁଡ଼ା ଗୋଟି ଗୋଟି କରି ମୋଦ୍ୱାରା ବୋଲେଇ ନେଇଥିଲେ ।

 

କେବଳ ସୂର୍ଯ୍ୟଙ୍କ ଧ୍ୟାନ ନୁହେଁ, ନନା ସେଦିନ ମତେ ଦିଗ ଚିହ୍ନେଇ ଦେଇ ଥିଲେ । କୋଉଟା ପୂର୍ବ, କୋଉଟା ପଶ୍ଚିମ; କୋଉଟା ଅଗ୍ନି, ବାୟୁ–କେମିତି ସେ ସବୁ ନିର୍ଣ୍ଣୟ କରିବାକୁ ହୁଏ ସେଗୁଡ଼ାକ ମୁଁ ଭଲଭାବେ ଜାଣି ଯାଇଥିଲି । ଏତେଦିନ ଯାଏ କୁଆ–ଘରଚଟିଆ ଛଡ଼ା ଅନ୍ୟ କୌଣସି ଚଢ଼େଇଙ୍କ କଥା ଜାଣି ନ ଥିଲି । ନନା ସେଦିନ ଲକ୍ଷଣ ଦେଖେଇ ବଗ, ଶଙ୍କଚିଲ, ମାଟିଆଚିଲ, ମାଛରଙ୍କା ପାରା, ପାଣିକୁଆ ଏବଂ କେତେ ଜାତିର ପକ୍ଷୀ ଚିହ୍ନେଇ ଦେଇଥିଲେ । କେବଳ କଣ ପକ୍ଷୀ ଆଉ ଦଶ ଦିଗ, କୋଉ ଗଛର ନାଆ କଣ କୋଉଟା ମଣିଷର କି ଉପକାରରେ ଲାଗେ, ଅନେକ କିଛି ଜଣେଇ ଦେଇଥିଲେ ।

 

ନନା କହିଥିଲେ, “ଆମ ଚାରିକରେ ମେଳା ସଜେଇ ହେଇ ରହିଚି । ଆଖି ଖୋଲି ମନପୁରେଇ କେବଳ ଦେଖିବୁ । କାନ ପତେଇ ଶୁଣିବୁ । ମନେରଖିଥିବୁ ସାରା ଜୀବନ ବିତିଗଲେ ବି, ଦେଖା–ଶୁଣାର ଶେଷ ହେବନି ।

 

ସେଦିନର ସେଇ ଅକାରଣ ବାଟ ଚଲାର ନଗଦ ପ୍ରାପ୍ତି ଥିଲା ଦିଗ ଚିହ୍ନିବା, ପକ୍ଷୀ ଚିହ୍ନିବା, ଗଛପତ୍ର ଚିହ୍ନିବା, ସୂର୍ଯ୍ୟଧ୍ୟାନ ମୁଖସ୍ଥ କରିବା ଆଉ ଜୀବନର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା; ଅଜାଣନ୍ତରେ ଆଉ କିଛି ବି ପାଇଥିଲି, ସେଇଟା ହେଲା–ନନା ମୋ ରକ୍ତରେ ସେଦିନ ବୈରାଗୀମନ ସଞ୍ଚରିତ କରି ଦେଇଥିଲେ ।

 

ମନେ ପଡ଼ୁଚି, ସେଦିନ ସୂର୍ଯ୍ୟ ପ୍ରାୟ ମୁଣ୍ଡ ଉପରକୁ ଉଠି ଆସିବା ପରେ ଆମେ ଘରକୁ ଫେରିଥିଲୁ । ଅଜା–ଆଈ–ସମସ୍ତେ ଅସ୍ଥିର, ଉଦବିଗ୍ନ ହୋଇ ପଡ଼ିଥିଲେ । ଘରେ ପହଞ୍ଚିବା ମାତ୍ରେ ଚାରିଆଡ଼ୁ ସାଇଁ ସାଇଁ ପ୍ରଶ୍ନବାଣ ଆସିବାକୁ ଲାଗିଥିଲା ।

 

“ଦି’ ଜଣଯାକ କୁଆଡ଼େ ଯାଇଥିଲ ?

 

“କୁହା–ବୋଲା ନ କରି ଏମିତି ଯାଆନ୍ତି ?

 

“ଆମେମାନେ ତ ମହା ଭାବନାରେ ପଡ଼ି ଯାଇଥିଲୁ । ଥାନାରେ ଯାଇ ଖବର ଦେବାପାଇଁ ଭାବିଲା ବେଳକୁ, ତମେମାନେ ଆସି ପହଞ୍ଚିଗଲ ।”

 

ସାମାନ୍ୟ ହସି ନନା କହିଥିଲେ, “ଏତେ ଭାବିବାର କଣ ଥିଲା ! ପୁଅ ନାହିଁ କି ମୁଁ ନାହିଁ ଯେତେବେଳେ, ସେତେବେଳେ ମୋ ପାଖରେ ଅଛି ବୋଲି ବୁଝି ନେବାକୁ ହେବ ।”

 

ବୋଉ ଅଗଣାର ଗୋଟାଏ ପାଖେ ନିଷ୍ପଲକ ଭାବରେ ଠିଆ ହୋଇଥିଲା । କିଛି କହିନି, କି କୌଣସି କଥା ପଚାରି ନି । ନନାଙ୍କ ମୁହଁରୁ କଥା ଶେଷ ନ ହେଉଣୁ ଧାଇଁ ଆସି ମୋର ଗୋଟାଏ ହାତଧରି ବାରଣ୍ଡା ଉପରକୁ ଟାଣି ନେଇଥିଲା । ପ୍ରଥମେ ଗାଲରେ ଠାଇ–ଠାଇ ଚାପୁଡ଼ା ବସିଥିଲା । ତାପରେ ଦୁମ୍ ଦାମ୍ ହୋଇ ବିଧା ଗୋଇଠା ବର୍ଷିବା ଆରମ୍ଭ ହେଇ ଯାଇଥିଲା । ମାରୁଥାଏ ଆଉ କାନ୍ଦି କାନ୍ଦି କହୁଥାଏ, “କାହିଁକି, କାହିଁକି ତାଙ୍କ ସଙ୍ଗେ ଯାଇଥିଲୁ ?”

 

ଅଜା ଆଈ ଧାଇଁ ଆସି ମତେ ଛଡ଼େଇ ନନାଙ୍କ ପାଖକୁ ନେଇ ଯାଇଥିଲେ । ଝିଅକୁ ବି ଗୁଡ଼ାଏ ଗାଳି ମନ୍ଦ ଦେଇଥିଲେ ।

 

ବୋଉ କାନ୍ଦୁଥିଲା ଆଉ କହୁଥିଲା, “ତାଙ୍କୁ କହିଦିଅ ଯୋଉଠିକି ଇଚ୍ଛା ସେଠିକି ଯାଆନ୍ତୁ-। ଯାହା ତାଙ୍କର ଖୁସି ତା କରନ୍ତୁ–ମୁଁ କିଛି କହିବାକୁ ଯାଉନି । କିନ୍ତୁ ସେ ନରିକି ନେଇ କୌଣସିଆଡ଼େ ଯାଇ ପାରିବେନି । ଜୀବନ ସାରା ଜଳେଇ ପୋଡ଼େଇ ମାରୁଛନ୍ତି । ମୁଁ କିନ୍ତୁ ପୁଅକୁ ମୋର ଏମିତି ବାବନାଭୂତ ହେବାକୁ ଦେବିନି ।”

 

କଥାଗୁଡ଼ାକ ବୋଉ କାହା ଉଦ୍ଦେଶ୍ୟରେ କହୁଥିଲା, ବୁଝିବାରେ ଟିକିଏ ବି ଅସୁବିଧା ହେଇନି ।

 

ଯାହା ହେଉ ନନା ପଦେ ହେଲେ ପାଟି ଫିଟେଇଲେନି । ତାଙ୍କର ଆଖି ଦୁଇଟା ଖୁବ୍ କରୁଣ ଦେଖା ଯାଉଥିଲା । ସେ ମତେ ଉଷ୍ଣ ଆଲିଙ୍ଗନରେ ଜାବୁଡ଼ି ଧରିଥିଲେ । ତାଙ୍କ ବାହୁର ବନ୍ଧନୀ କ୍ରମଶଃ ଦୃଢ଼ତର ହେଉଥିଲା, ଗୋଟାଏ ବିଶାଳ ବକ୍ଷରେ ଆଶ୍ରୟ ପାଇ ମୁଁ କଇଁ କଇଁ ହୋଇ କାନ୍ଦିବାରେ ଲାଗିଥିଲି ।

 

Unknown

ସାତ

 

ଆଶ୍ଚର୍ଯ୍ୟର ବିଷୟ, ଏତେକାଳ ପରେ ବି ସବୁ ଘଟଣା ସବୁ କଥା ସ୍ପଷ୍ଟଭାବରେ ମନ ଅଛି । ସ୍ମୃତିପଟରୁ ଲିଭି ଯାଇନି । କିଛି ପୋଛି ହୋଇ ଯାଇନି ।

 

ଭୋରରୁ ନନାଙ୍କ ସାଙ୍ଗରେ ବୁଲିବାକୁ ଯାଇ ଦି’ ପହର ବେଳକୁ ଫେରିଆସି ବୋଉ ହାତରୁ ପ୍ରଚଣ୍ଡ ମାଡ଼ ଖାଇବା ପରେ ଅଜା ଆଈ ମତେ ନେଇ ନନାଙ୍କ ପାଖରେ ଛାଡ଼ିଦେଲା ବେଳଠାରୁ ମୁହୂର୍ତ୍ତକ ପାଇଁ ତାଙ୍କ ପାଖ ଛାଡ଼ି ନ ଥିଲି, ସଦାବେଳେ ତାଙ୍କ ପାଖେ ରହିଥିଲି । ନନାଙ୍କ ସାଙ୍ଗରେ ସେଦିନ ଗାଧୋଇ ଥିଲି, ଖାଇଲି, ଦି’ ପହର ବେଳେ ଶୋଇଥିଲି । ନନା ମଧ୍ୟ ଯେମିତି ଅପରାଧୀଙ୍କ ଭଳି ନିଶବ୍ଦରେ ମତେ ଆଗୁଳିଲା ପରି ରହିଥିଲେ । ଆଉ ବୋଉ ଦୂରରୁ ତୀକ୍ଷଣ ସନ୍ଦିଗଧ ଦୃଷ୍ଟିରେ ସଦାବେଳେ ଆମମାନଙ୍କୁ ଜଗି ରହିଥଲା ବୋଧହୁଏ । ଆମେ କଣ କରୁଚୁ, କଣ କହୁଚୁ ତା ଉପରେ ଗୋଇନ୍ଦା ଭଳି ଲକ୍ଷ୍ୟ ରଖିଥାଏ ।

 

ଅଜା ସେଦିନ ଆଉ ଅଫିସକୁ ଯାଇ ନ ଥିଲେ । ଉପର ବେଳା ଆମମାନଙ୍କୁ ନିଦରୁ ଉଠେଇ ନେଇ ଚା’ ଆଉ ଘରଛଣା ପକୁଡ଼ି ଖାଉ ଖାଉ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ । ଆଉ ମୁଁ ବିରାଡ଼ି ଛୁଆଭଳି ନନାଙ୍କ କୋଳରେ ବସି ବସି ଥରେ ନନାଙ୍କର ତ ଥରେ ଅଜାଙ୍କ ପକୁଡ଼ିରେ ଭାଗ ଲଗେଇଥାଏ ।

 

ଅଜା ପଚାରିଥିଲେ, “ଏଥର କେତେ ବର୍ଷପରେ ଆସିଲ ?

 

“ଆଜ୍ଞା ତିନିବର୍ଷ ପରେ ।”

 

“କାଲି କହୁଥିଲ ନା ଅମର କଣ୍ଟକରୁ ଆସିଲି !”

 

“ଆଜ୍ଞା ହଁ ।”

 

“ଏଠାରୁ ତିନିବର୍ଷ ହେଲା ଯାଇ କଣ ଅମରକଣ୍ଟକରେ ଥିଲ ?”

 

ନନା କହିଥିଲେ, “ନାଇଁ । ତିନିବର୍ଷ କାଳ ଗୋଟାଏ ଯାଗାରେ କେମିତି ରହନ୍ତି ! ଏଠାରୁ ପ୍ରଥମେ ଦେଓଘର ଯାଇଥିଲି, ଦେଓଘରରୁ ସୋନପୁର ମେଳା ଦେଖି ସିଧା ଗଲି ପ୍ରଭାସ ତୀର୍ଥ । ପ୍ରଭାସ ପରେ ଦ୍ୱାରକା, ସେଠୁ ଚାଲିଗଲି ରାଜକୋଟ । ସେ ସବୁ ଯାଗା ବୁଲାବୁଲି କରିବାରେ ଦି’ ବର୍ଷ କଟିଗଲା । ଅମରକଣ୍ଟକରେ ମାତ୍ର ଗୋଟାଏ ବର୍ଷ ଥିଲି । ଅମର କଣ୍ଟକରୁ ବାହାରି ସିଧା କାଲି ଆସି ଏଠାରେ ପହଞ୍ଚିଲି ।”

 

କିଛି ସମୟ ଅଜା କଣ ଭାବିବା ପରେ କହିଥିଲେ, “ଗୋଟାଏ କଥା ଭାବି ଭାବି ମୁଁ କୌଣସି କୂଳ କିନାରା ପାଉନି । ଯେତିକି ଭାବୁଚି ମତେ ସେତିକି ଆଶ୍ଚର୍ଯ୍ୟ ଲାଗୁଚି ।”

 

ନନା ପ୍ରଶ୍ନବଚକ ଦୃଷ୍ଟିରେ ଚାହିଁ ପଚାରିଥିଲେ, “କୋଉ ବିଷୟ ?”

 

“ଏ ଯେଉଁ ଏତେ ଦେଶ ବୁଲୁଚ,ହାତରେ ତ ପଇସାଟାଏ ବି ନେଇକରି ଯାଉନ । କଣ ଖାଉଚ, କୋଉଠି ରହୁଚ, ଗାଡ଼ିମଟର ଭଡ଼ା ସବୁ କୋଉଠୁ କେମିତି ଦେଉଚ, ମୁଁ ତ ସେ କଥା ମୋଟେ ଭାବିପାରୁନି ।”

 

ସାମାନ୍ୟ ହସି ନନା କହିଥିଲେ, “କୌଣସି ପ୍ରକାର ଵ୍ୟବସ୍ଥା ହୋଇ ଯାଉଚି ।”

 

“ନାଇଁ–ନାଇଁ, ଏମିତି କଥା ବୁଲେଇଦେଲେ ଚଳିବ ନି, କେମିତି କଣ କର, ସେ କଥା କହିବାକୁ ହେବ ।”

 

ଅଜା ଛାଡ଼ିବାର ଲୋକ ନୁହନ୍ତି ।

 

କିଛି ସମୟ ଚୁପ୍ ରହିବା ପରେ ନନା କହିଥିଲେ, “ମୁଁ ଗାଡ଼ି ମଟରରେ ତ ଉଠେନି, ତେଣୁ ଟିକେଟ ବିଷୟରେ କଥା ଉଠୁନି ।”

 

“ଗାଡ଼ି ମଟରରେ ଉଠନି ତ ଏତେ ଦୂର ଜାଗାକୁ ଯାଅ କେମିତି ?”

 

“ଚାଲିକରି ।”

 

“ଚାଲିକରି !”

 

ଧୀରେ ଧୀରେ ନନା ମୁଣ୍ଡ ହଲେଇଥିଲେ । ମୁହଁରେ ସେମିତି ସ୍ନିଗ୍‍ଧ ହସ ଟିକକ ଲାଗି ରହିଥିଲା । କହିଥିଲେ “ହଁ । ଯେତେବେଳେ ଯାହା ପାଏ, ଖାଏ । ଏଇଟା ହେଲା ଅତିଥିପରାୟଣ ଦେଶ । ଦୁଆରେ ଯାଇ ଠିଆ ହେଲେ କେହି କେବେ ଫେରେଇ ଦିଅନ୍ତି ନି । ଦୁଆରକୁ ବା ଯିବାକୁ ହେବ କାହିଁକି, ମୁହଁ ଦେଖିଲେ ଲୋକମାନେ ଜାଣିପାରନ୍ତି, ଖାଇଚି କି ନାଇଁ । ଆଉ ରହିବା କଥା-? ସେଇଟା ସେମିତି କିଛି ବଡ଼ କଥା ନୁହେଁ । କୋଉଠି ମୁଣ୍ଡ ଗୁଞ୍ଜିବାକୁ ନ ମିଳିଲେ, ରାସ୍ତା–ଘାଟ–ଗଛତଳ ଏଗୁଡ଼ାକ ଉପରେ ତ ଆଉ କାହାର ଦଖଲ ସ୍ୱତ୍ଵ ନ ଥାଏ ।”

 

ଆଶ୍ଚର୍ଯ୍ୟ ହୋଇ ଅଜା ପଚାରିଥିଲେ, “ଏତେ କଷ୍ଟ କରି ଏମିତି ବୁଲିବାରେ ଲାଭ କଣ ମିଳୁଚି ?”

 

ନନାଙ୍କ ଆଖିରେ ସକାଳ ବେଳର ସେଇ ଅପରିଚିତ ଦୁରମନସ୍କ ଦୃଷ୍ଟି ଫୁଟି ଉଠିଥିଲା । କହିଥିଲେ, “ମୋ ପାଇଁ ଯଥେଷ୍ଟ ଲାଭ ଅଛି । ଗାଡ଼ି ମଟରରେ ବସି ସଟକରି ଚାଲିଯାଇ, ବଡ଼ ବଡ଼ ସହରରେ ନାମକରା ହୋଟେଲ ପ୍ରଭୃତିରେ ଯଦି ଉଠେ, ତା’ହେଲେ ସେଥିରେ ଦେଖିବାର ଆଉ କଣ ରହିଲା ? ସେଥିରେ ଏ ବିଶାଳ ଦେଶର କିଛି ଚିହ୍ନି ହେବନି, ତାର ଅଗଣିତ ମଣିଷଙ୍କୁ ଅନୁଭବ କରି ହେବନି, ଚାରିପାଖେ ପ୍ରକୃତି ଯେଉଁ ଅଫୁରନ୍ତ ମେଳା ସଜେଇ ବସିଚି, ଗୋଟି ଗୋଟି କରି ଯତ୍ନର ସହିତ ନ ଦେଖିଲେ ତା ବିଷୟରେ କଣ ଜାଣି ପାରିବି ? ଗାଡ଼ି ମଟର ଚଢ଼ି ଆରାମ କରି ଏ ବିଚିତ୍ର ଦେଶର ମର୍ମ ଜାଣିବା ସମ୍ଭବ ନୁହେଁ । ଜୀବନସାରା ସେମିତି ବୁଲିଲେ ବି ଶତକଡ଼ା ଗୋଟାଏ ଅଂଶ ମଧ୍ୟ ଜାଣି ହେବନି ।”

 

କିଛି ସମୟ ପାଇଁ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ନନାଙ୍କର ଉଦୀପ୍ତ ଆପ୍ଲୁତ କଣ୍ଠସ୍ୱର ସେଦିନ ଆମ ଘରର ବାୟୁମଣ୍ଡଳକୁ ପଳାତକ ଉଦାସୀନ ବୈରାଗୀ କରିଦେଇଥିଲା ।

 

ହଠାତ୍ ଅଜା କହିଥିଲେ, “ଅଚ୍ଛା ବାପା–”

 

ନନା ସଙ୍ଗେ ସଙ୍ଗେ କହିଥିଲେ, “କଣ ଆଜ୍ଞା !”

 

“ଏ ବୟସରେ ତ ଏତେ ତୀର୍ଥଧାମ ବୁଲିଲଣି । କୋଉଠି ପ୍ରଭାସ, କୋଉଠି ଦ୍ଵାରକା, କିଛି ତ ଆଉ ବାକୀ ରଖିନ । ଅନେକ ସାଧୁ ସଙ୍ଗ ବି କରିଚ । କାଲି ଯେଉଁ କଥାବାର୍ତ୍ତା ହେଉ ହେଉ ଖାଇବାକୁ ଗଲେଁ, ସେଇ କଥା କୁହ । କୌଣସି ସିଦ୍ଧ ପୁରୁଷଙ୍କ ଦେଖାପାଇଚ ?”

 

ନନା ହସି ଦେଇଥିଲେ ।

 

ଅଜା ପଚାରିଥିଲେ, “ହସିଲ କାହିଁକି ?”

 

“ଏତେ ସାଧୁଙ୍କ ଭିତରେ କିଏ ସିଦ୍ଧ, କିଏ ଅସିଦ୍ଧ, ସେ କଥା କେମିତି ବା ଜାଣନ୍ତି । ତେବେ କୌଣସି କୌଣସି ସାଧୁଙ୍କ ବିଷୟରେ ଅନେକ ଅସମ୍ଭବ କାହାଣୀ ଶୁଣିଚି । ନିଜ ଆଖିରେ ଅବଶ୍ୟ କିଛି ଦେଖିନି ।”

 

ଅଜା ଆଗ୍ରହର ସହିତ ପଚାରିଥିଲେ, “କଣ ସେକଥା କହିବ ଟି !”

 

“ପ୍ରଭାସରେ ଜଣେ ସାଧୁ ଅଛନ୍ତି, ଯାହାଙ୍କର ବୟସ ହଜାର ବର୍ଷରୁ ବେଶି । ସେ କେଉଁଠି ପବନାହାରୀ, ପବନ ବ୍ୟତୀତ ଅନ୍ୟ କିଛି ଖାଆନ୍ତିନି । ଅଥତ ଦେହ ତାଙ୍କର ମୋଟେ ଝଡ଼ିଯାଇନି, ଦେଖିବାକୁ ଖୁବ୍ ହୃଷ୍ଟପୁଷ୍ଟ । ସେ ଆହୁରି ହଜାରେ ବର୍ଷ ବଞ୍ଚିବେ ବୋଲି ତାଙ୍କ ଶିଷ୍ୟମାନଙ୍କୁ କହୁଥିବାର ଶୁଣାଯାଏ । ପୃଥିବୀରେ ଯେତେବେଳେ କଳ୍‍କୀ ଅବତାର ହେବ, ସେତେବେଳେ ଯାଇ ସେ ଦେହରୁ ଆତ୍ମା ପୁରୁଷକୁ ଧରି ଚାଲିଯିବେ । ଆଉ ଜଣେ ସାଧୁ ଦ୍ଵାରକାରେ ଅଛନ୍ତି, ସେ ବେକ ପର୍ଯ୍ୟନ୍ତ ମାଟି ଭିତରେ ପୋତିହୋଇ ରହିଛନ୍ତି, ସେମିତି ଅବସ୍ଥାରେ କେତେ କାଳ କଟିଗଲାଣି ତାର କିଛି ଠିକଣା ନାହିଁ । ସେ କେଉଁଠି ପବନ ବି ଗ୍ରହଣ କରୁ ନାହାନ୍ତି । ଶ୍ଵାସରୁଦ୍ଧ କରି ଅନାଦି କାଳରୁ ପୋତିହୋଇ ରହଚନ୍ତି । ଆଉ ଜଣେ ସାଧୁଙ୍କ କଥା ଶୁଣିଚି, ସେ କେଉଁଠି ମଳ ମୂତ୍ର ତ୍ୟାଗ କରି ସେଇଆକୁ ଖଇଯାଆନ୍ତି । କେହି କିଛି ମାଗିଲେ ସେଇ ମଳମୂତ୍ର ମେଞ୍ଚାଏ ପକେଇ ଦିଅନ୍ତି । ପ୍ରାପକ ଭକ୍ତିରେ ହାତ ପତେଇ ନେଲେ ଦେଖାଯାଏ, କୌଣସି ଗୋଟାଏ ଫଳ କିମ୍ୱା ଫୁଲ ହୋଇଯାଇଚି । ଆଉ ଘୃଣା କଲେ ଦେହ ମୁଣ୍ଡ ଜଳିଯାଏ । ଅମରକଣ୍ଟକରେ ଜଣେ ସାଧୁଙ୍କ ସଂସ୍ପର୍ଶରେ ଆସିଥିଲି, ସେ ମତେ ଏକାବେଳେ ଅଶ୍ଚର୍ଯ୍ୟ କରି ଦେଇଥିଲେ ।”

 

“କେମିତି–କେମିତି ସେଇଟା,” ଉତ୍ସାହରେ ଅଜା ଆହୁରି ଦୃଢ଼ ହୋଇ ବସିଥିଲେ ।

 

ନନା କହିଥିଲେ, “ଦିନେ ସକାଳୁ ଗାଧୁଆ ପାଧୁଆ କରି ଆସୁଚି, ଗୋଟାଏ ଝଙ୍କାଳିଆ ବରଗଛ ତଳେ ଜଣେ ସାଧୁ ମୋ ନାଆ ଧରି ଡାକ ପକେଇଲେ, ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲି । ସାଧୁ ମୋ ନାଆ ଜାଣିଲେ କେମିତି ? ଯାହାହେଉ ଧୀରେ ଧୀରେ ଯାଇ ତାଙ୍କ ପାଖରେ ଠିଆହେଲି । ସାଧୁ ଡଗ ଡଗ ହୋଇ ମୋ ସଂସାର ବିଷୟରେ ସବୁ କଥା କହିଗଲେ । ତାପରେ ସେ କହିଲେ, ପଚାଶ ବର୍ଷ ହେଲା ସେ କେଉଁଠି ମତେ ଅପେକ୍ଷା କରି ସେଠାରେ ବସି ରହିଚନ୍ତି । ଖୁବ୍ ଶୀଘ୍ର ତାଙ୍କର ଦେହାନ୍ତର ହେବ । ପ୍ରାୟାଣ ପୂର୍ବରୁ ତାଙ୍କର ପରମାତ୍ମାର ଇଚ୍ଛା, ମୋର ଦେହାଧାରରେ ପ୍ରବେଶ କରିବ ଏବଂ ସେଇଠି ତାର ନୂଆ ବାସସ୍ଥାନ ହେବ ।”

 

“କଣ କହୁଚ ମ !”

 

ନନା ଚୁପ୍ ହୋଇ ଯାଇଥିଲେ ।

 

ଅଜାଙ୍କର ଆଗ୍ରହ ସେତେବେଳକୁ ଶୀର୍ଷ ବିନ୍ଦୁକୁ ଉଠିଯାଇ ଥିଲା । ପ୍ରବଳ ବିସ୍ମୟର ସହିତ ସେ ନନାଙ୍କଆଡ଼େ ଚାହଁ ପଚାରି ଥିଲେ, “ତାପରେ କଣ ହେଲା ?”

 

ନନା କହିଥିଲେ, “ମତେ ଆଗରେ ବସେଇ ଦୁଇ କାନ୍ଧରେ ହାତ ରଖି ସେ ଆଖିବୁଜି କଣ ଗୁଡ଼ାଏ ଗୁଣୁଗୁଣୁ ହୋଇ ମନ୍ତ୍ର ପଢ଼ିବାକୁ ଲାଗିଲେ, ମଝିରେ ମଝିରେ ଖୁବ୍ ଜୋରରେ ଫୁଙ୍କିବାରେ ଲାଗିଥାଆନ୍ତି । ଏମିତି ଅନେକଗୁଡ଼ାଏ ସମୟ କାଟିବା ପରେ କହିଥିଲେ ଯା ବାପା, ମୋର ପରମାତ୍ମା ତୋ ଦେହରେ ପ୍ରତିଷ୍ଠିତ ହୋଇଗଲା ।”

 

“ଏ ଘଟଣା ପରଠାରୁ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିଚ ?”

 

“ନାଇ ଆଜ୍ଞା, କିଛି ଜାଣି ପାରିନି । ତାଛଡ଼ା–”

 

“କଣ ?”

 

ରହି ରହି ନନା ଧୀରେ ଧୀରେ କହିଥିଲେ, “ସେ ସବୁ ପ୍ରତି ମୋର କୌଣସି ବିଶ୍ୱାସ ନାହିଁ । ମୁଁ କେବଳ ଦେଖିବାକୁ ଇଚ୍ଛା କରୁଚି, ପୃଥିବୀବ୍ୟାପୀ ଏତେ ମଣିଷର ମେଳା, ଏତେ ରୂପର ଖେଳ–ତାରି ଭିତରେ ହଜିଯିବାରେ ମୁଁ ଆନନ୍ଦ ପାଏ ।”

 

ବ୍ୟସ୍ତ ହୋଇ ଅଜା କହି ପକେଇଲେ, “ନା–ନା, ଏଗୁଡ଼ାକ କୌଣସି କାମର କଥା ନୁହେଁ । କାହା ଭିତରେ କଣ ଅଛି, କିଏ କହିପାରିବ ! ସିଦ୍ଧ ପୁରୁଷଙ୍କ ଅନୁଗ୍ରହରୁ ଅନେକ କିଛି ମିଳିପାରେ । କାମନା–ବାସନା ସମସ୍ତ ପୂରଣ ହୋଇପାରେ । ସେମାନଙ୍କୁ ଏମିତି ଅବହେଳା କରିବନି, କିଛି ପାଇବାର ଚେଷ୍ଟା କରିବ ।”

 

ଅଜାଙ୍କ ପାଖରେ ଗୋଟାଏ ନିୟମ ହେଲା ପାଇବା । ସେଇଟା ହେଲା ମୋଟା ଦାଗର ସାଂସାରିକ ନିୟମ । ତାଙ୍କ ମତରେ ଗୋଟାଏ ଭାବରେ ଇଚ୍ଛା ପୂରଣ ହୋଇପାରେ, ସେଇଟା ହେଲା ଅର୍ଥରେ । ଧନ ସମ୍ପଦ–ଏ ସବୁରୁ ନିଗିଡ଼ି ପଡ଼ିଥିବା ସୁଖ ହିଁ ଅଜାଙ୍କ ପାଖରେ ପରମ ଜିନିଷ । ଆନନ୍ଦକୁ ସେ ସମ୍ଭୋଗ ମାଧ୍ୟମରେ ପାଇବାକୁ ଇଚ୍ଛା କରନ୍ତି । ବିଳାସ, ଦୈହିକ ଆରାମ, ସୁଖାଦ୍ୟ, ସ୍ୱାଦୁ ପାନୀୟ ଭିତରେ ।

 

ନନାଙ୍କୁ ଅଜାଙ୍କର ଉପଦେଶଗୁଡ଼ାକ ପ୍ରଭାବିତ କରିଥିଲା କି ନାଇଁ, ବୁଝିପାରି ନ ଥିଲି । ତେବେ ଏତିକି ବୁଝିଥିଲି, ନନାଙ୍କର ଦୁଇ ଆଖିରେ କେବଳ ତୃଷ୍ଣା, ସେ ତୃଷ୍ଣାର ଶେଷ ନାହିଁ, ନିର୍ବାଣ ନାହିଁ । ବିଚିତ୍ର ମଣିଷଙ୍କୁ ସେ ଦେଖିବେ, ଫୁଲ, ଫଳ, ପକ୍ଷୀ, ଲତା, ଗୁଳ୍ମ, ନିରତବାହୀ ଝରଣା, ଛୋଟ ବଡ଼ ପାହାଡ଼ ପର୍ବତ, ଫେଣୁଆ ସମୁଦ୍ର ଉଷର ଧୂସର ମରୁଭୂମି ଦେଖିବେ, ଆଉ ଏଇ ବିପୁଳ ଦେଶର ହୃତପିଣ୍ଡର ସ୍ପନ୍ଦନ ଅନୁଭବ କରିବେ । ଦେଖିବେ ଆଉ ମୁଗ୍ଧ ହେବେ ଅଭିଭୂତ ହେବେ, ରୋମାଞ୍ଚିତ ହେବେ । ପ୍ରାଣମୟ କେବଳ ତାଙ୍କର ରୂପର ତୃଷ୍ଣା, ଆଖିର ମୁକୁର ଦୁଇଟା ତାଙ୍କର ସବୁବେଳେ ଯେମିତି ଦେଖିବା ନିଶାରେ ଟଳମଳ ହେଉଚି ।

 

ଅଶ୍ରାନ୍ତ ପଥଚଲାରେ କୋଉଠୁ କଣ ପାଇଲେ ଆଉ କଣ ହଜେଇଲେ, ସେ ସମ୍ବନ୍ଧରେ ତାଙ୍କର ତିଳେ ହେଲେ ଭ୍ରୂକ୍ଷେପ ନାହିଁ । ଦେଖିଲେ, ସେଇ ତାଙ୍କର ଆନନ୍ଦ । ଅନୁଭବ କଲେ, ସେଇ ତାଙ୍କର ସବୁ ସୁଖ, ଭୁବନବ୍ୟାପୀ ରହସ୍ୟ ଭିତରେ ବିଲୁପ୍ତ ହୋଇଯାଇ ପାରିଲେ ସେଇ ହେବ ପରମ ପ୍ରାପ୍ତି । ଏହାଛଡ଼ା ତାଙ୍କର ଆଉ କୌଣସି ପ୍ରତ୍ୟାଶା ନାହିଁ । ଆଉ, ଏମିତି କୌଣସି ପ୍ରଲୋଭନ ବା ଆକର୍ଷଣ ଶକ୍ତି ନାହିଁ, ଯାହାକି ତାଙ୍କୁ ବିଚଳିତ ବିଭ୍ରାନ୍ତ କରି ପାରିବ ।

 

ଅଜା ପୁଣି କହୁଥିଲେ, ‘‘ମୋ କଥାଗୁଡ଼ାକ ମନେ ରଖିଥିବ ବାପା, ଦୁଇ ଚାରିଦିନରୁ ତ ଏଠି ତୁମକୁ ବେଶି ସମୟ ଅଟକେଇ ରଖି ଦେବନି, ନିଶ୍ଚୟ ଦିନେ ନା ଦିନେ ପଳେଇବ । ପୁଣି ଯଦି ସାଧୁ ସଙ୍ଗ ହୁଏ ଛାଡ଼ିବ ନି, ଯେ ପର୍ଯ୍ୟନ୍ତ କିଛି ନ ପାଇଚ, ସେ ପର୍ଯ୍ୟନ୍ତ ପଛରେ ଲାଗିଥିବ ।”

 

ନନାଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ, ସ୍ତ୍ରୀ ପିଲା ଛୁଆଙ୍କ ପାଖକୁ ଦୁଇ ଚାରିଦିନ ପାଇଁ ଆସନ୍ତି, ତାପରେ ଯେତେବେଳେ ମନହୁଏ, ପଳେଇ ଯାଆନ୍ତି । ତାଙ୍କୁ କୌଣସି ପ୍ରକାର ଧରି ରଖି ହେବନି । ଜାଣିଶୁଣି ସବୁ ସମୟ ପାଇଁ ସ୍ଥିର ହୋଇ ରହିବା ଯେମିତି ତାଙ୍କ ଜାତକରେ ନାହିଁ । ଗୋଟାଏ ଦୁଇଟା ଦିନ ପରେ ମନ ତାଙ୍କର ସବୁ ଛାଡ଼ି ଖୋଲା–ମୁକ୍ତ ବାୟୁରେ ଘୂରି ବୁଲେ । ପଳାତକ ମଣିଷଟି କେତେ ବର୍ଷ ବୁଲାବୁଲି କଲାପରେ କିଛି ସମୟ ପାଇଁ ଆସି ଅତିଥି ହୁଅନ୍ତି, ଏତିକି ଯାହା ସାନ୍ତ୍ଵନା । ନନାଙ୍କର ଘରଛାଡ଼ି ପଳେଇବାରେ ସମସ୍ତେ ଏମିତି ଅଭ୍ୟସ୍ତ ହୋଇ ପଡ଼ିଚନ୍ତି ଯେ, ପଳେଇ ଗଲେ କେହି ଆଶ୍ଚର୍ଯ୍ୟ ହୁଅନ୍ତି ନି । ଅଜା ଯେ ତାଙ୍କର ପଳେଇ ଯିବା କଥା କହିଥିଲେ, ସେଇଟା ଅଭ୍ୟସ୍ତ ମନର ସରଳ ପ୍ରକାଶ ବୋଲି ମନେ ହେଉଥିଲା ।

 

ନନା କଣ କହିବାକୁ ଯାଉଥିଲେ, ତା ଆଗରୁ ବୋଉର ତୀକ୍ଷଣ ଗମ୍ଭୀର ଗଳାର ଡାକ ଆସି ମୋ କାନରେ ପଡ଼ିଥିଲା, “ନରି–”

 

ମୁଁ ସଙ୍ଗେ ସଙ୍ଗେ ପ୍ରାୟ ଚମକିଲା ପରି ମୁହଁ ବୁଲେଇ ଚାହିଁଥିଲି । ବୋଉ ପାଖରେ କେଉଁଠି ନ ଥିଲା କି ବେଶି ଦୂରରେ ମଧ୍ୟ ନ ଥିଲା । ବାରଣ୍ଡାର ଗୋଟାଏ ପାଖରେ ଚୁପ୍ ଚାପ ଠିଆ ହୋଇଥିଲା । ମୋ ଦୃଷ୍ଟି ତା ଦୃଷ୍ଟିରେ ପଡ଼ିବାରୁ ପୂର୍ବପରି କହିଥିଲା, “ଏଠି ବସି ବସି ଖାଲି କଥା ଶୁଣା ହେଉଚି କଣ, ଚାଲିଆ ।”

 

ଉଠିବା ପାଇଁ ମୋର ଟିକିଏ ହେଲେ ଇଚ୍ଛା ନ ଥିଲା । ଡରି ଡରି ନନାଙ୍କ ଆଡ଼େ ଚାହିଁଥିଲି । ନନା ଚାହିଁଥିଲେ ବୋଉଆଡ଼େ । ବୋଉର ଦୃଷ୍ଟିଟା କିନ୍ତୁ ମୋ ଉପରେ ଲାଗି ରହିଥିଲା-

 

ନନାଙ୍କ ଆଖିରୁ ଅନୁନୟ ଝରି ପଡ଼ୁଥିଲା । ମୁଁ କଥାବାର୍ତ୍ତା ବସି ବସି ଶୁଣିବି, ଏଇ କଥାକୁ ବୋଉ ଯେମିତି ମଞ୍ଜୁର କରେ–ସେଥିପାଇଁ ସେ ଯେମିତି ପ୍ରାର୍ଥନା କରୁଥିଲେ ।

 

ବୋଉ କିନ୍ତୁ ହୃଦୟହୀନା, ନିଷ୍ଠୁରା । ଭୁଲରେ ବି ନନାଙ୍କଆଡ଼େ ଚାହିଁଲାନି । ଅଗତ୍ୟା ଆଉ କଣ କରାଯାଏ, ଧୀରେ ଧୀରେ ନନାଙ୍କ ମୁହଁ ପାଉଁଶିଆ ପଡ଼ି ଯାଇଥିଲା । ସେ ମୁହଁ ତଳକୁ କରି ଦେଇଥିଲେ ।

 

ସେଇ ଶଙ୍କାପୂର୍ଣ୍ଣ ମୁହୂର୍ତ୍ତରେ ନିଜ ବିଷୟରେ ମୋର ଉତ୍କଣ୍ଠିତ ରହିବାର କଥା । ତଥାପି ବିଦ୍ୟୁତ୍ ଝଲକ ଭଳି ମନେ ହେଇଥିଲା, ନନା–ବୋଉ ମଧ୍ୟରେ କଣ କଥାବାର୍ତ୍ତା ବନ୍ଦ ଅଛି ! ଆଖି ଦ୍ଵାରା ଯେତିକି କହିବା ସମ୍ଭବ, ନନା ସେତିକି କହିଚନ୍ତି, ମୁହଁ ଫିଟେଇ କିଛି କହିଲେନି ତ ।

 

ନନାଙ୍କଆଡ଼େ ଚାହିଁ ଯେତେବେଳେ କିଛି ଫଳ ହେଲାନି, ସେତେବେଳେ ଉଚ୍ଚତମ ଅଦାଲତରେ ଆବେଦନ ପେଶ କରିଥିଲି । ଅଜାଙ୍କ କାନରେ ଫୁସଫୁସ୍ ହୋଇ କହିଥିଲି, “ତୁମେ ବୋଉକୁ କହିଦିଅ, ମୁଁ ଏଇଲେ ଯିବିନି ।”

 

ଅଜା ମୋ ପାଇଁ ଓକିଲାତି କରିଥିଲେ, “ଥାଉ ମ ଝିଅ, କେତେଦିନ ପରେ ପିଲାଟା ବାପକୁ ପାଇଚି । ବସୁ ଟିକିଏ, ବାପକୁ ଜାଣୁ ।”

 

ବୋଉ ଆଖିର ଡୋଳା ଦୁଇଟା ବିଦ୍ରୂପର ଧାରୁଆ ଛୁରୀ ଭଳି ଚକ୍ ଚକ୍ ହୋଇ ଉଠିଥିଲା । କହିଥିଲା, “ବାପକୁ ଜାଣିବା ତାର କିଛି ଦରକାର ନାହିଁ ।”

 

“କଣ କହିଲୁ ଝିଅ ?”

 

“ଯାହା କହୁଚି, ସେ କଥା ତମେ ନ ଜାଣିଲେ ଚଳିବ ।”

 

ଅଜା ବିବ୍ରତ ବିଚଳିତ ହେଇ କହିଥିଲେ, “ତୋ ମୁଣ୍ଡ କଣ ଖରାପ ହେଇଗଲାଣି କି ? କଣ ଏମିତି କାଣ୍ତଜ୍ଞାନଶୂନ୍ୟଙ୍କ ଭଳି କଥା କହୁଚୁ !”

 

ବୋଉ ଆଗଭଳି କହିବାକୁ ଲାଗିଲା, “ତମେ ଯେତେ ରାଗୁଚ ରାଗ ନନା, ମୁଁ କିନ୍ତୁ ସତକଥା କହିବି । ବାପକୁ ଜାଣିଲେ ନରିର କ୍ଷତି ହେବ, ତା ଅପେକ୍ଷା ମୋର ବେଶି କ୍ଷତି ହେବ । ଜୀବନସାରା କ୍ଷତିର ଭିତର ଦେଇ ମତେ ଚାଲିବାକୁ ପଡ଼ୁଚି, ସେ ଚାଲିବା ବାଟକୁ ଆଉ ମୁଁ ବଢ଼ାଇ ଦେଇପାରିବିନି ।”

 

ଅଜା ଏକାବେଳକେ କାଠ ପାଲଟି ଯାଇଥିଲେ । ଝିଅ ତାଙ୍କର ସବୁଦିନେ ତିକ୍ଷଣ ଭାଷିଣୀ, ନିର୍ଦ୍ଦୟା । ମନକୁ ଯାହା ଆସେ, ଆଗପଛ କିଛି ବିଚାର ନ କରି ନିର୍ମମ ଭାବରେ କହିପକାଏ । ଯାହା ଉଦ୍ଦେଶ୍ୟରେ କହିଲା, ତା ଛାତିରେ କେତେଦୂର ଫୋଡ଼ି ହେଇଗଲା, କେତେ ରକ୍ତ ବାହାରିଲା, ସେଆଡ଼େ ଟିକିଏ ତ ଖିଆଲ ରହେନି । ଆତ୍ମବିସ୍ମୃତ ଭଳି, ଜ୍ଞାନଶୂନ୍ୟଙ୍କ ଭଳି କହିଯାଏ । ତା ବୋଲି ମତେ ଏବଂ ନନାଙ୍କୁ ସମସ୍ତଙ୍କ ଆଗରେ ସେ ଏମିତି କଟୁ ମନ୍ତବ୍ୟ କରିପାରେ, ସେଇଟା ଅଜାଙ୍କ ପକ୍ଷେ ଥିଲା ଅଭାବନୀୟ, ଅକଳ୍ପନୀୟ । କଥା ପରେ କଥା କହିବାର ନିୟମ । ଅଜା କଣ ଗୋଟାଏ କହିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ମୁହଁ ତାଙ୍କର ଆଉ ଫିଟିଲାନି ।

 

ଏଥର ବୋଉ ମୋଆଡ଼େ ଚାହିଁ କହିଥିଲା, “ଆସୁଚୁ ନା ନରି, ଚାଲିଆ ସେଠୁ । ପଢ଼ାଶୁଣା ତ ତୋର ଚୁଲିକି ଗଲାଣି ! ସ୍କୁଲକୁ ଯିବାର ନାଆଁ ନାହିଁ, ଯାହା ପଢ଼ିଥିଲୁ ସେତେକ ତ ପୋଡ଼ି ଖାଇବୁଣି । ଏଇଲେ ଖାଲି ଗପ ଆଉ ଗପ, ପଢ଼ାର ନାଆଁ ଧରନା । ଆସୁଚୁ ନା ମାଙ୍କଡ଼ମୁହାଁ । “

 

ସକାଳେ ନାନାଙ୍କ ସଙ୍ଗେ ବୁଲିବାକୁ ଯାଇ ଦି’ ପହରେ ଫେରିଥିଲି । ଆଜି ଆଉ ସ୍କୁଲକୁ ଯାଇନି । ସେଥିପାଇଁ ଦି’ ପହରେ ବୋଉ ଥରେ ତୁମୁଳ କାଣ୍ଡ କରିବସିଥିଲା । ମାରଧର ଗାଳିମନ୍ଦ ଯାହା କିଛି ମୋ ଉପରେ ହେଇ ଯାଉଚି; କିନ୍ତୁ ବୋଉର ଆକ୍ରମଣର ଲକ୍ଷ୍ୟ ବୋଧହୁଏ ମୁଁ ନ ଥିଲି-। ବିଧା, ଗୋଇଠା, ଚାପୁଡ଼ା ଗାଲ–ପିଠିରେ ଯେତିକି ଦାଗ ବସେଇଚି, ତାଠାରୁ ହଜାର ଗୁଣ ଜୋରରେ ନନାଙ୍କ ପ୍ରାଣରେ ବାଜିଚି । ଗାଲ ପିଠି ଫାଟି ରକ୍ତ ବାହାରିଲେ ସମସ୍ତେ ଦେଖିପାରନ୍ତି-। ସମସ୍ତଙ୍କର ଅଲକ୍ଷ୍ୟରେ ବକ୍ଷ ଭିତରେ ଯେଉଁ ଶୋଣିତ କ୍ଷରଣ ହୁଏ, ସେତେକ କେତେଜଣ ଦେଖନ୍ତି ?

 

ଅଜା ଏହା ମଧ୍ୟରେ ଅନେକଟା ସମ୍ଭାଳି ଯାଇଥିଲେ ବୋଧହୁଏ । କହିଥିଲେ, “ଆରେ ବାବୁ, ଗୋଟାଏ ଦିନ ନ ପଢ଼ିଲେ ପଣ୍ଡିତ ହେବାଟା କିଛି ବନ୍ଧାପଡ଼ିଯିବନି । ସବୁବେଳେ ପିଲାଟାକୁ ଏମିତି କାମୁଡ଼ି ହେବୁନି ଝିଅ ।”

 

ବୋଉ ଉତ୍ତର ଦେବା ଦରକାର ମନେ କରିନି । ମୋଆଡ଼େ ଚାହିଁ କହିଥିଲା, “କିରେ, ମୋ କଥା କଣ ତତେ ଶୁଭୁନି ! ଭଲରେ ଆସୁଚୁ ନା ଚୁଟିଧରି ଘୋଷାରି ଆଣିବି । ଦେବି ଚାଟେ ଛେଚି ଯେ, କେହି ପିଠିରେ ପଡ଼ିବେ ନି ।”

 

ଆଉ ବସି ରହିଲା ଭଳି ଦୁଃସାହାସ ମୋ ପ୍ରାଣରେ ଏତେ ଟିକିଏ ହେଲେ ବି ନ ଥିଲା । ଯନ୍ତ୍ରଚାଳିତ ଭଳି ଧୀରେ ଧୀରେ ଉଠି ଚାଲିଆସିଥିଲି । ଭାବିଥିଲି, ବୋଉ ମାରଧର କରିବ–କିନ୍ତୁ ହେଲାନି । ମତେ ଘର ଭିତରେ ପୂରେଇ ଦେଇ ବୋଉ କହିଥିଲା, “ବଡ଼ ପାଟିରେ ପଢ଼ !” କହି ବାହାରପଟୁ ଦୁଆରେ ଶିକୁଳି ଲଗେଇ ଦେଇଥିଲା ।

 

ସାହିତ୍ୟ ବହି ଖଣ୍ଡକ ଖୋଲି ବସିଥିଲେ ମଧ୍ୟ ଗୋଟାଏ ହେଲେ ଅକ୍ଷର ଦେଖିପାରୁ ନ ଥିଲି; ଆଖି ଲୁହରେ ସବୁ ଝାପ୍‍ସା ହେଇ ଯାଉଥିଲା । ପଢ଼ିବା ନାଆଁରେ ମୁଖସ୍ଥ କରିଥିବା ଗୋଟାଏ ପଦ୍ୟ ବଡ଼ ପାଟିରେ ଆବୃତ୍ତି କରି ଯାଉଥିଲି । କିନ୍ତୁ କୋହମିଶା ଆବୃତ୍ତିଟା ନିଜ କାନକୁ ବି କେମିତି ଦୁର୍ବୋଧ୍ୟ ଲାଗୁଥିଲା ।

 

ବୋଉ ଜନ୍ତାଭିତରେ ପୂରେଇ ଦେଇଥିଲା ସିନା; ମାତ୍ର ମନଟାକୁ ରୋକି ନେଲା ଭଳି ସାଧ୍ୟ ତାର କୋଉଠି ଅଛି ! ମୋର ଧ୍ୟାନ ଜ୍ଞାନ ସବୁ ଯାଇ ଅଜା ଆଉ ନନା ବସିଥିବା ସେଇ ବାରଣ୍ଡା କଡ଼ରେ ପଡ଼ିଥାଏ ।

 

ଯାହା ହେଉ, ଶୁଣିବାକୁ ପାଉଥିଲି ଅଜା ନନାଙ୍କୁ କହୁଛନ୍ତି, “ତମେ କିଛି ମନେ କରନି ବାପା । ଝିଅର ମୁଣ୍ଡଟା କେମିତି ଟିକିଏ ଗୋଳମାଳ ହେଇଯାଇଚି । ପ୍ରାୟ ବାୟାଣୀଙ୍କ ପରି ହେଉଚି–”

 

ଅଜାଙ୍କର ସାନ୍ତ୍ଵନା ନନା କିଭଳି ଭାବରେ ଗ୍ରହଣ କଲେ, କହି ପାରିବି ନି । ତେବେ ସେ ଯେ କିଛି ଜବାବ୍ ଦେଇ ନ ଥିଲେ, ଏଇଟା ଜାଣିଚି ।

 

ଅବହାୱାଟାକୁ ଲଘୁ କରିବାପାଇଁ ଅଜା ପୁଣି କହିଥିଲେ, “ଅନେକ ଦେଶ ତ ବୁଲିଲ ବାପା, ତେବେ କୋଉଠାର ଖାଇବା ପିଇବା ଭଲ ?”

 

ନନା ଅନ୍ୟମନସ୍କ ଭଳି ଉତ୍ତର ଦେଇଥିଲେ, “ସବୁଠି ଭଲ ଖାଇବା ଜିନିଷ ମିଳେ ।”

 

“ନାଇଁ–ନାଇଁ ।”

 

“କ’ଣ ?”

 

“ଆମ ଦେଶଭଳି ପିଠାପଣା ଆଉ କିଏ କୋଉଠି କରି ପାରିବ ?”

 

“ସେ କଥା ଅବଶ୍ୟ ସତ, ତେବେ କଲିକତାର ରସଗୋଲା, ସନ୍ଦେଶ, ଉତ୍ତର ପ୍ରଦେଶର ପେଡ଼ା, ବୃନ୍ଦାବନର ରାବିଡ଼ି ତ ଏଠି ମିଳିବନି । ଗୋଟାଏ ଗୋଟାଏ ଦେଶର ଖାଇବାରେ ଗୋଟାଏ ଗୋଟାଏ ପ୍ରକାରର ବିଶେଷତ୍ୱ ଅଛି । ଗୋଟାଏ ଜାଗା ସହିତ ଅନ୍ୟ ଜାଗାର ତୁଳନା କରିହେବନି ।”

 

“ସେ ତ ସତ କଥା ।”

 

ଘର ଭିତରେ ବସି ଜାଣି ପାରୁଥିଲି, କଥାବାର୍ତ୍ତା ଭଲ ଭାବରେ ଚାଲୁନି । ଅଜାଙ୍କ ପ୍ରଶ୍ନର ଉତ୍ତରଗୁଡ଼ାକ ନନା କେମିତି ଛାଡ଼ି ଛାଡ଼ି ଦେଉଥିଲେ । ଆଗଭଳି ଏତେଟା ସହଜ ନୁହେଁ ।

 

ଅଜା କିନ୍ତୁ ଛାଡ଼ିବାର ପାତ୍ର ନୁହନ୍ତି । ଭୋଜନରସିକ ମଣିଷଟି ପ୍ରଶ୍ନ ପରେ ପ୍ରଶ୍ନ କରି ନନାଙ୍କ ପାଖରୁ ନାନା ଦେଶର ସୁଖାଦ୍ୟର ତାଲିକା ସଂଗ୍ରହ କରିବାରେ ଲାଗି ଥାଆନ୍ତି । ଯେଉଁ ସବୁ ଖାଦ୍ୟର ଆସ୍ଵାଦ ସେ କୌଣସି ଦିନ ପାଇନାହାନ୍ତି, ସେ ସବୁର ନାଆଁ ଶୁଣି ସେ ରୋମାଞ୍ଚିତ ହେଉଥିଲେ ।

 

କଥା ପଡ଼ୁ ପଡ଼ୁ ମାଂସର ପ୍ରସଙ୍ଗ ଉଠିଥିଲା । ଜଳଚର, ସ୍ଥଳଚର, ନଭୋଚର ତିନି ଭୁବନରେ କୋଉ ପ୍ରାଣୀର ମାଂସ ସ୍ଵାଦୁତମ ସେଇ ବିଷୟରେ ଅଜା ପାଟିତୁଣ୍ଡ କରିବାରେ ଲାଗିଥାନ୍ତି ।

 

ଅଜାଙ୍କ ମତରେ ଠେକୁଆ ମାଂସ ହଁ ଶ୍ରେଷ୍ଠ, ନନା କିନ୍ତୁ ଏ ବିଷୟରେ ଭିନ୍ନମତ । ସବିନୟରେ ସେ ଜଣେଇଥିଲେ, “କୁକୁଡ଼ାର ମାଂସ ସବୁଠାରୁ ଭଲ ।”

 

ଅଜା କହିଥିଲେ, “ମୁଁ କୁକୁଡ଼ା ମାଂସ ଖାଇନି, ତଥାପି କହିବି ଠେକୁଆ ମାଂସ ସଙ୍ଗେ ସେ ମାଂସ ସମାନ ହେବନି ।”

 

“ମୁଁ କୁକୁଡ଼ା ଖାଇଚି, ହରିଣ ଖାଇଚି, ହଂସ, ପାରା, ପାଣି ଚଢ଼େଇ ପ୍ରଭୃତି ଅନେକ ପ୍ରକାରର ମାଂସ ଖାଇଚି, ମୋର ତ ମନେ ହେଉଚି କୁକୁଡ଼ା ମାଂସ ତୁଳନାରେ ଆଉ କେହି ସେତେ ଭଲ ନୁହନ୍ତି ।”

 

“ତମେ ଠେକୁଆ ଖାଇଚ ?” ଅଜାଙ୍କ ସ୍ୱର ଶୁଣି ମନେ ହେଉଥିଲା ସେ ଯେମିତି ଯୁଦ୍ଧପାଇଁ ପ୍ରସ୍ତୁତ ।

 

“ଆଜ୍ଞା ନାଇଁ ।”

 

“ଆଚ୍ଛା, ମୁଁ ଆଜି ବ୍ୟବସ୍ଥା କରୁଚି । ଖାଇକରି ଦେଖ କୋଉ ମାଂସଟା ଭଲ ଲାଗୁଚି ।”

 

ନନା ବିବ୍ରତ ହୋଇପଡ଼ିଲେ । କହିଲେ, “ନାଇଁ ନାଇଁ ବର୍ତ୍ତମାନ ଆଉ ସେ ସବୁ ବ୍ୟବସ୍ଥା କରିବା ଦରକାର ନାହିଁ ।”

 

ଅଜାଙ୍କର କଥାଗୁଡ଼ାକ ଏଥର କେମିତି ଟିକିଏ ଧୀର ଶୁଣାଗଲା, “ଆରେ ବାବା, ବ୍ୟବସ୍ଥାଟା କଣ ଜଣକ ପାଇଁ ହେଉଚି । ତମ ପାଇଁ ଆଣିଲେ ବି ଅନ୍ୟମାନଙ୍କର ବି ଭାଗ ରହିବ । କେତେଦିନ ହେଲା ଘରେ ଭଲମନ୍ଦ ଜିନିଷ ଟିକିଏ ପଶୁନି । ଯେଉଁ କେତେଟା ଦିନ ଅଛ, ଯାହା ଆଣୁଚି କୌଣସି ଆପତ୍ତି କରନି । ଏ ଝିଅ–” କହୁ କହୁ ଅଜା ରହି ଯାଇଥିଲେ ।

 

ତେବେ ଅଜାଙ୍କର ଯୁଦ୍ଧଂ ଦେହିଟା କେବଳ ଗୋଟାଏ ଛଳନା; ବୋଉ ଯୋଗୁଁ ଘରକୁ କୌଣସି ଭଲ ଜିନିଷ ଘରକୁ ଆଣି ପାରନ୍ତିନି । ସେଇଥିପାଇଁ ଖୁବ୍ ଗୋପନରେ ଜୁଆଇଁଙ୍କ ସଙ୍ଗେ ଚୁକ୍ତି କରିନେଇ ଥିଲେ । ତାଙ୍କ ନାଆଁରେ ଯେତେଟା ପାରନ୍ତି ସୁଖାଦ୍ୟ ଆଣି କୁଢ଼େଇ ଦେବେ । ରୁଦ୍ଧ ଘର ଭିତରେ ବସି ମୁଁ କେବଳ ଜାଣିବାକୁ ଇଚ୍ଛା କରୁଥିଲି ଯେ, ବୋଉ କଣ ବର୍ତ୍ତମାନ ବାରଣ୍ଡାରେ ନାହିଁ; ଶ୍ୱଶୁର ଜୁଆଇଁଙ୍କର ଏଇ ଗୋପନ ସଲାସୂତ୍ର କଥା ସେ କଣ ଜାଣିପାରିନି ?

 

ଯାହା ହେଉ, ଅଜା ସେଦିନ ସେଇ ମୁହୂର୍ତ୍ତରେ ଠେକୁଆ ମାଂସ ଯୋଗାଡ଼ କରିବାପାଇଁ ଧାଇଁଥିଲେ ।

 

ମନେଅଛି ସେଦିନ ବି ଆଗ ଦିନର ରାତି ଭଳି ଶୋଇବାର ବ୍ୟବସ୍ଥା ହେଇଥିଲା । ନନା ବୋଉ ଗୋଟିଏ ଘରେ, ଆମେ ଭାଇ ଭଉଣୀ ପ୍ରଭୃତି ଅଜା ଆଈଙ୍କର ଶୋଇବା ଘରେ ।

 

ଖାଇବା ପିଇବା ପରେ ମୁଁ କିନ୍ତୁ ନନାଙ୍କ ପାଖ ଛାଡ଼ି ନଥିଲି । ଆଗ ରାତିରେ ଇଚ୍ଛା ପୂରଣ ହୋଇନି । ପୁରା ଗୋଟାଏ ଦିନ ନନାଙ୍କ ସଙ୍ଗେ ରହି ସଙ୍କୋଚ କଟିଯାଇଥିଲା । ସୁବିଧା ଦେଖି କହିଥିଲି, “ନନା, ମୁଁ ଆଜି ତମ ପାଖରେ ଶୋଇବି ।”

 

“ହଉ ଶୋଇବୁ–” ନନା ସ୍ନେହରେ ମୋ ମୁଣ୍ଡରେ ହାତ ବୁଲେଇଥିଲେ ।

 

“କାହାଣୀ କହିବ ଟି ।”

 

“କି କାହାଣୀ ?”

 

“ସାଧୁଙ୍କ କାହାଣୀ । ଅଜାଙ୍କୁ ଯୋଉ କଥା କହୁଥିଲ ।”

 

ସାଧୁ ସନ୍ନ୍ୟାସୀଙ୍କ କାହାଣୀ ଶୁଣିବାକୁ ଇଚ୍ଛା କରିଥିଲି । ନିଜ ପାଖରେ ତାର କୌଣସି ସ୍ପଷ୍ଟ ବ୍ୟାଖ୍ୟା ନାହିଁ । ସମ୍ଭବତଃ ନନା ଅଜାଙ୍କ ପାଖରେ ସାଧୁମାନଙ୍କର ଯେଉଁ ଅଲୌକିକ କାହାଣୀ କହୁଥିଲେ, ସେଗୁଡ଼ା ମତେ ମୁଗ୍‍ଧ କରିଥିଲା ବୋଧହୁଏ ।

 

ନନା ଥଟ୍ଟା କଲାଭଳି ପଚାରିଥିଲେ, “ଏତେ କାହାଣୀ ଥାଉ ଥାଉ ସାଧୁ ସନ୍ନ୍ୟାସୀମାନଙ୍କ କଥା ଶୁଣିବୁ କାହିଁକି ବାପା ! ସାଧୁ ସନ୍ନ୍ୟାସୀ ହେବୁ ନା କଣ ?”

 

ମୁଁ ଲାଜରେ ତଳକୁ ମୁହଁକରି ଦେଇଥିଲି, କୌଣସି ଉତ୍ତର ଦେଇନି ।

 

ଯାହାହେଉ, ଖାଇପିଇ ଅଜାଙ୍କ ସଙ୍ଗେ କଥାବାର୍ତ୍ତା କରି ଆମେମାନେ ଶୋଇବାକୁ ଯାଇଥିଲୁ । ବିଶାଳ ଖଟଟାର ଗୋଟାଏ ପାଖରେ ମୁଁ, ମଝିରେ ନନା ଆଉ ଗୋଟାଏ କଡ଼ରେ ଶୂନ୍ୟ ଜାଗାଟା ବୋଉ ପାଇଁ ନିର୍ଦ୍ଦିଷ୍ଟ ଥିଲା ।

 

ବୋଉ ସେପର୍ଯ୍ୟନ୍ତ ରୋଷେଇ ଘରେ ଅଛି । ଆଈଙ୍କ ସାଙ୍ଗେ ଖାଇବାକୁ ବସିଥିଲା, ଆଉ ମୁଁ ଶୋଇ ଶୋଇ ନନାଙ୍କଠାରୁ କାହାଣୀ ଶୁଣୁଥାଏ ।

 

ମନେପଡ଼ୁଚି ସେଦିନ କାହାଣୀ ଶୁଣୁଶୁଣୁ ରାତି କ୍ରମଶଃ ବଢ଼ି ଚାଲିଥିଲା । ଫାଣ୍ଡି ବାଡ଼ିଆ ଘଣ୍ଟାରେ ଗୋଟି ଗୋଟି ହୋଇ ଦଶଟା, ଏଗାରଟା, ଅବଶେଷରେ ବାରଟା ବାଜି ଯାଇଥିଲା । ତଥାପି ବୋଉ ଶୋଇବାକୁ ଆସିନି । ରୋଷେଇ ଘରେ ବସି ସେ କଣ କରୁଥିଲା କେଜାଣି !

 

ଏଣେ ମୋର ଆଖିପତା ଦୁଇଟା ଧୀରେ ଧୀରେ ଭାରି ହୋଇ କେତେବେଳେ ବୁଜି ହୋଇ ଯାଇଥିଲା । ତାପରେ ସବୁ କିଛି ନିରବୟବ, ଅନ୍ଧକାର, ଅସ୍ତିତ୍ଵହୀନ ।

 

କେତେ ସମୟ ଶୋଇଥିଲି, ମନେନାହିଁ । ଫୁସଫୁସ୍ କଥାବାର୍ତ୍ତା ଶୁଣି ହଠାତ୍ ନିଦଟା ଭାଙ୍ଗିଗଲା । ଶୀତଦିନେ ସଦାବେଳେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼େଇ ହେଇ ଶୋଇବା ମୋର ଅଭ୍ୟାସ । କମ୍ବଳଆଡ଼େଇ ଖୁବ୍ ଧୀରେ ଆଖି ଦୁଇଟା ବାହାର କରି ଯାହା ଦେଖିଲି, ସେଇଟା ଯେମିତି ଚମକପ୍ରଦ, ସେମିତି ଅଭାବନୀୟ । ଏମିତି ଦୃଶ୍ୟ ମୋର ସୁଦୂର କଳ୍ପନାରେ ବି ବୋଧହୁଏ ନ ଥିଲା । ନନା ବିଛଣା ଉପରେ ବସିଥିଲେ, ଆଉ ବୋଉ କବାଟକୁ ପିଠି ଦେଇ ଶକ୍ତ ଭାବରେ ଠିଆ ହେଇଥିଲା ।

 

ନନା ଅନୁଚ୍ଚ କୋମଳ ସ୍ୱରରେ ଡାକିଥିଲେ, “ଆସ ସୁଲୁ–”

 

ବୋଉ ନୀରବ ।

 

ଅଜା ଆଈ ବୋଉକୁ ଝିଅ ବୋଲି ଡାକନ୍ତି । ତା ଛଡ଼ା ବି ‘ସୁଲୁ’ ବୋଲି ତାର ଗୋଟାଏ ଆଦରିଆ ନାଆଁ ଯେ ଅଛି ଏବଂ ସେ ନାଆଁରେ କେବଳ ନନା ଯେ ତାକୁ ଡାକନ୍ତି, ସେ କଥା ଜାଣି ନ ଥିଲି । ସେତେବେଳେ ମୋର କଣ କରିବା କଥା; ପୁଣି କମ୍ବଳଟା ମୁଣ୍ଡ ଉପରକୁ ଉଠେଇ ଦେବି, ନା କଡ଼ ବୁଲେଇ ଶୋଇବି ? କମ୍ବଳଟା ଟାଣିନି କି କଡ଼ ବୁଲେଇ ଶୋଇ ପାରିଲିନି । ଏଭଳି ଅଭାବନୀୟ ଦୃଶ୍ୟର ସାକ୍ଷୀ ହୋଇ ରହିବାର ଲୋଭ କୌଣସି ପ୍ରକାରେ ଏଡ଼େଇ ଦେଇ ପାରିଲିନି-। ତେଣୁ ଆଖି ଦୁଇଟା ଦରବୁଜା କରି ପ୍ରାଣପଣେ ନିଃଶ୍ଵାସ ଜଗି ମଲାଙ୍କ ଭଳି ପଡ଼ିରହିଥିଲି-

 

ନନା ପୁଣି ଡାକିଥିଲେ, “ଏଠକି ଆସ, ସୁଲୁ–”

 

ବୋଉ ନିରୁତ୍ତର ।

 

ଏଥର ନନା ଉଠିଯାଇ ବୋଉର ଗୋଟାଏ ହାତଧରି ବିଛଣା ଉପରେ ଆଣି ବସେଇ ଦେଇଥିଲେ । କହିଥିଲେ, “କାଲିଠୁ ଆସିଲିଣି । ପୂରା ଗୋଟାଏ ଦିନ କଟିଗଲା । ଏ ଯାଏ ବି ପଦେ ହେଲେ କଥା କହିଲନି । ମୋ ଆସିବାରେ ତମେ କଣ ଖୁସି ନୁହଁ, ସୁଲୁ ?”

 

ବୋଉକୁ ଠିକ୍ ଭାବରେ ଦେଖି ପାରୁ ନ ଥିଲି, ସେ ନନାଙ୍କ ଆଢ଼ୁଆଳରେ ବସିଥିଲା । କପାଳ ପର୍ଯ୍ୟନ୍ତ ଓଢ଼ଣାଟା ପଡ଼ିଥିଲା । ଗାଲରେ ଗୋଟାଏ ହାତ ଦେଇଥିବାର ଯାହା ଦେଖି ପାରୁଥିଲି ।

 

ନନାଙ୍କ କଥା ଶୁଣି ସେ ଲୁଗା କାନିଟା ମୁହଁ ଉପରେ ଚାପିଧରି କହିଥିଲା, “ମୁଁ କଣ ସେକଥା କହିଲି ?”

 

ମୁଁ ଚମକି ପଡ଼ିଥିଲି । ବୋଉର ସ୍ଵରଟା କେମିତି କାନ୍ଦରେ ଓଦା ହେଇ ଯାଇଥିଲା । ଚିରଦିନ ବୋଉର ଗୋଟାଏ ରୂପ ମୁଁ ଦେଖି ଆସିଚି–ଉଗ୍ର ତୀକ୍ଷଣଭାଷିଣୀ । ତାର ଏଭଳି ରୂପାନ୍ତର ମତେ ଆଶ୍ଚର୍ଯ୍ୟ କରି ଦେଇଥିଲା ।

 

ନନା କହିଥିଲେ, “କହି ନ, ତେବେ ହାବଭାବରେ ବୁଝେଇ ଦେଇଚ ।”

 

ବୋଉ ଏଥର କିଛି କହି ନ ଥିଲା, କି ମୁହଁରୁ ହାତ କାଢ଼ି ନଥିଲା ।

 

ନନା ପୁଣି କହିଥିଲେ, “ମୋତେ, କଥା କହିଲନି, ସେଗୁଡ଼ା ମୋର ଦୋଷ ବୋଲି ମାନିନେଲି । କିନ୍ତୁ ପିଲାଟାକୁ ସନ୍ଧ୍ୟାବେଳେ ମୋ ପାଖରୁ ଏମିତି ଡାକି ନେଇଗଲ କାହିଁକି ? ସକାଳ ଓଳି ମୋ ସଙ୍ଗେ ବୁଲିବାକୁ ଯାଇଥିଲା ବୋଲି ତାକୁ ଗୋରୁଙ୍କୁ ମାରିଲା ଭଳି ମାରିଲ ! ପ୍ରକୃତରେ ତାକୁ ତ ମାରୁ ନଥିଲ, ମାରୁଥିଲ ମତେ । ଏ ସବୁର ଅର୍ଥ କଣ ? ପୁଅକୁ ବାପ ପାଖରୁ ଦୂରରେ ରଖିବାକୁ ଇଚ୍ଛା କରୁଚ କାହିଁକି ? କାହିଁକି ତମର ଏ ଉଦ୍ୟମ । ଏ ସବୁ ଦ୍ଵାରା କଣ ତମେ ମତେ ବୁଝେଇବାକୁ ଚେଷ୍ଟା କରୁଚ ? ତା ଅପେକ୍ଷା ମୁହଁ ଫିଟେଇ ସଫା କହିଦିଅ, କାଲି ସକାଳୁ ଏଠୁ ମୁଁ ଚାଲିଯିବି । କାଲି କାହିଁକି, ଆଜି ଏଇଲେ ଚାଲିଯିବି । ଆଖି ଆଗରେ ପିଲାଟାକୁ ଏମିତି ମାରଧର କରିବା ମୁଁ ଦେଖି ପାରିବିନି ।”

 

ଆଗରୁ ଜାଣିପାରିଥିଲି ମତେ ନେଇ ନନା ବୋଉଙ୍କ ଭିତରେ ସଂଘର୍ଷ ଆରମ୍ଭ ହେଇଚି-। ସେଦିନ ରାତିରେ ସେଇଟା ଶେଷ ସୀମାରେ ପହଞ୍ଚି ଯାଇଥିଲା । ହୁଏତ ୟା ବି ହେଇପାରି ଥାଏ, ମତେ ଉପଲକ୍ଷ୍ୟ କରି ନନା ବୋଉ ପରସ୍ପରର ଗୋଟାଏ ଜଟିଳ ଗଭୀର କିଛି ବୁଝାମଣା କରି ନେଉଥିଲେ ।

 

ସିକ୍ତ ଜଡ଼ିତ ଗଳାରେ ବୋଉ କହିଥିଲା, “ଖୁସିରେ କଣ ମାରୁଚି, କି ଦୁଃଖରେ ଯେ ନରି ଦେହରେ ହାତ ଦେଉଚି–”

 

“କେବଳ ଆଜି ନୁହେଁ, ଯେତେବେଳେ ଇଚ୍ଛା ସେତେବେଳେ ମାରୁଚ ।”

 

“କିଏ କହିଲା ?”

 

“ଯିଏ କହୁ, କଥାଟା ତ ସତ ।”

 

ବୋଉ ନୀରବ । କେବଳ ମୁହଁରୁ ହାତ କାଢ଼ି ପରିପୂର୍ଣ୍ଣ ଦୃଷ୍ଟିରେ ଥରେ ନନାଙ୍କଆଡ଼େ ଚାହିଁ ପୁଣି ମୁହଁ ତଳକୁ ପୋତି ଦେଇଥିଲା ।

 

ନନା ଏଥର କହିଥିଲେ, ‘‘ମାରଧର କରୁଚ, ପୁଅ ଝିଅମାନଙ୍କୁ ଭଲମନ୍ଦ କିଛି ଖାଇବାକୁ ଦେଉନ । କାହିଁକି ?”

 

ବୋଉ କହିଥିଲା, “ଏ ଖବର ବି ପାଇଯାଇଚ ?”

 

“ହଁ, ପାଇଚି ।”

 

“ଗୋଟାଏ ଦିନ ଭିତରେ ତ କିଛି କମ୍ ଖବର ଯୋଗଡ଼ କରି ନ । ତେବେ ଏ ନାଲିଶଗୁଡ଼ାକ କିଏ କରିଚି ? ନନା, ନା ନରି ?”

 

“ସେ ଯିଏ କରୁ, ଅସ୍ଵୀକାର କରିପାରିବ ?”

 

“ମୁଁ ଅସ୍ଵୀକାର କରୁନି ତ ।”

 

“ମିଛରେ ପୁଅ ଝିଅଙ୍କୁ ଏମିତି କଷ୍ଟ ଦେଉଚ କାହିଁକି ?”

 

“ମିଛରେ ତ ନୁହେଁ ?”

 

“ଆଉ କଣ ?”

 

“ସେ କଥା ତମେ ବୁଝିପାରିବନି ।”

 

“ବୁଝେଇ ଦେଲେ ବୁଝିବିନି କାହିଁକି ?”

 

ମୁହଁ ଟେକି ନନାଙ୍କଆଡ଼େ ଚାହିଁ ବୋଉ କହିଥିଲା, “ତମେ ଅନ୍ଧ, କିଛି ଦେଖି ପାରୁନ, ଦେଖିବାକୁ ଇଚ୍ଛା କରୁନ । ବିବାହ ପରେ ଝିଅ ବାପଘରେ ରହିବା କେଡ଼େ ଲାଜର କଥା–କେଡ଼େ ଅସମ୍ମାନକର କଥା ସେତକ କଣ ବୁଝି ପାରୁନ ! ଏକେ ତ ପର ସଂସାରରେ ବୋଝ ହେଇ ରହିଚି, ସେଥିରେ ଯଦି ପୁଅ ଝିଅଙ୍କୁ ଭଲ ଖୁଆଏ, ପିନ୍ଧାଏ, ସେ ଦୁଃଖ–ଲାଜ ଦୁନିଆଁ ବାହାର ହୋଇଯିବ । ପର ଧନରେ ଏତେ ବଢ଼େଇ ଦେଖେଇ ହେବା ମୋ ଜାତକରେ ନାହିଁ ।”

 

ମୋ ପ୍ରତି ନିଷ୍ଠୁର ଆଚରଣର ଗୋଟାଏ ବ୍ୟାଖ୍ୟା ଯେମିତି ପାଇ ଯାଇଥିଲି । ଏଣେ ନନାଙ୍କର ମୁହଁଟା କେମିତି ରକ୍ତଶୂନ୍ୟ ହେଇଗଲା । ନିର୍ଜୀବଙ୍କ ଭଳି ସେ କହିଥିଲେ, “କିନ୍ତୁ–”

 

“କଣ ?”

 

“ତମର ନନା ବୋଉ କଣ ପର ? ତମେ କି କଥା କହୁଚ ?”

 

“ବାହାଘର ପରେ ବାପଘରଟା ଝିଅ ପାଖେ ସାତ ପରଠୁ ବଳିଯାଏ ।”

 

“ତା ଛଡ଼ା ତମ ନନା ତ ତମକୁ ଗଳଗ୍ରହ ବୋଲି ଭାବନ୍ତି ନି !”

 

“ନନା କଣ ଭାବୁଚନ୍ତି ନ ଭାବୁଚନ୍ତି ସେଥିରେ ମୋର କଣ ଯାଏ ଆସେ । ଏ ଘରେ ରହିଚି, ସେ ଯୋଉ ଲାଜର କଥା–ମୁଣ୍ଡ ଏକାବେଳେ ଛିଣ୍ଡି ପଡ଼ୁଚି । ମୁହଁ ଟେକି କାହାକୁ ଚାହିଁବାର ଯୁ ନାହିଁ । ଅଥଚ–”

 

ନନା ଏଥର କିଛି କହି ନ ଥିଲେ । ପାଉଁଶିଆ ମୁହଁ କରି ନିସ୍ପନ୍ଦଙ୍କ ଭଳି ବସିରହିଥାଆନ୍ତି-

 

ବୋଉ କହିବାରେ ଲାଗିଥାଏ, “ଅଥଚ ମୋର କଣ ନାହିଁ ? ତମେ ପାଠଶାଠ ପଢ଼ିଚ, ବିଦ୍ଵାନ୍ । କେବଳ ଟିକିଏ ଯଦି ସଂସାରୀ ହୁଅନ୍ତ ଆମଆଡ଼େ ଟିକିଏ ଯଦି ନଜର ପକାନ୍ତ, ଆମମାନଙ୍କ ଉପରେ ତମର ଯଦି ତିଳେ ହେଲେ ମାୟା ଥାଆନ୍ତା, ତା’ହେଲେ ଏମିତି ଅବସ୍ଥା ହୁଅନ୍ତା ନି । ଦଶଜଣଙ୍କ ପରି ମୁଁ ବି ମୁଣ୍ଡ ଟେକି ଚାଲିପାରୁ ଥାଆନ୍ତି ।”

 

ମୋର ସେ ବୟସରେ ସବୁକଥା ବୁଝିବାର ନୁହେଁ । ତଥାପି ବୋଉ ଯେ ନନାଙ୍କ ସାଙ୍ଗେ କଥାବାର୍ତ୍ତା କରୁଚି, ଜମାଟ ବାନ୍ଧି ରହିଥିବା ବରଫର ପାହାଡ଼ ଯେ ତରଳି ଯାଉଚି, ସେଇ ଟିକକ ମୋର ସ୍ଵସ୍ତି । ଯେଉଁ ନିଶ୍ଵାସ ରୁଦ୍ଧ ନିସ୍ପନ୍ଦଙ୍କ ଭଳି ପଡ଼ି ରହିଥିଲି, ଏତେବେଳ ପରେ ସହଜ ଭାବରେ ସେଇଟା ବାହାରିପଡ଼ିଲା ।

 

ନନା କହିଥିଲେ, “ତମର ଦୁଃଖ ମୁଁ ବୁଝୁଚି ସୁଲୁ–”

 

“ନିଆଁ ବୁଝୁଚ ।”

 

“ବିଶ୍ଵାସ କର ସୁଲୁ ତମକୁ ନ ବୁଝି ପାରିଲା ଭଳି ମଣିଷ ମୁଁ ନୁହେଁ ।”

 

“ତାହେଲେ କାହିଁକି ଏମିତି କରୁଚ–କାହିଁକି... ?” ଅବୁଝା ଝିଅଟିଏ ଭଳି ବୋଉ ନନାଙ୍କଆଡ଼େ ଚାହିଁଥିଲା ।

 

“କଣ କରୁଚି ?”

 

“ଥରକୁ ଥର ପଳୋଉଚ ।”

 

ନନା ସଙ୍ଗେ ସଙ୍ଗେ ଉତ୍ତର ଦେଇ ନ ଥିଲେ । ଟିକିଏ ସମୟ ଚୁପ୍ ହୋଇ ରହିବା ପରେ ଗଭୀର ଅନ୍ୟମନସ୍କ ଭାବରେ କହିଥିଲେ, “ପାରୁନି ସୁଲୁ ! ଗୋଟାଏ ଜାଗାରେ ଯଦି ଦୁଇ ଚାରିଦିନ ରହିଗଲି, ତାପରେ କିଏ ଯେମିତି ମତେ ଗଳାଧକ୍କା ଦେଇ ଭିତରୁ କ୍ରମାଗତ ଭାବରେ ଚୁପଚାପ୍ ହୋଇ କହେ, ପଳା, ପଳେଇଯା । ତାକୁ ସେତେବେଳେ ଅବଜ୍ଞା ଜଣେଇବା ଭଳି ଶକ୍ତି ମୋର ନ ଥାଏ । ନିଜର ଅଜାଣତରେ କେତେବେଳେ ରାସ୍ତା ଉପରକୁ ବାହାରି ପଡ଼େ । ମୋର ସ୍ୱଭାବ ସେମିତି, ମୋର ଭାଗ୍ୟର ଗତି ସେଇୟା ତେବେ–”

 

ବୋଉର ଦୁଇ ଆଖି ଉତ୍ସୁକ ବ୍ୟାକୁଳ ହୋଇଉଠିଲା । ସେ ପଚାରିଥିଲା, “କଣ ?”

 

“ଏଥର ମୁଁ ସ୍ଥିର କରିସାରିଚି ।”

 

“କଣ ସ୍ଥିର କରିଚ ?”

 

“ଆଜିଠାରୁ ମୁଁ ତୁମମାନଙ୍କ ପାଖରେ ରହିବି ।”

 

“ବିଶ୍ଵାସ ହେଉନି ଏଗୁଡ଼ାକ ବିଶ୍ଵାସ କଲାଭଳି କଥା ନୁହେଁ ଖାଲି ମିଛ କଥାଗୁଡ଼ାଏ କହୁଚ ।”

 

ପରମ ସ୍ନେହରେ ବୋଉର କାନ୍ଧ ଉପରେ ଗୋଟାଏ ହାତ ରଖି ନନା କହିଥିଲେ, “ମିଛ ନୁହେଁ—ସତ କହୁଚି । ତମ ଦେହ ଛୁଇଁ କହୁଚି ସୁଲୁ ।”

 

“କେତେ ଥର ତ ଦେହ ଛୁଇଁ ଏମିତି କହିଲଣି । କିନ୍ତୁ ଥରେ ହେଲେ କଣ କଥା ରଖିଚ-? ତମ କଥାରେ ବିଶ୍ୱାସ କଣ ଅଛି ?”

 

“ଅନ୍ୟ ଥର କଥା ଛାଡ଼ । ଏଇଥରକ, କେବଳ ଏଇଥର ତମେ ଦେଖ ।”

 

“କାହିଁକି, ଏଥର କଣ ହେଲା କି ?”

 

“ଏଥର ଆସି ଦେଖିଲି ପୁଅ କେଡ଼େ ବଡ଼ ହେଇଗଲାଣି । ଖୁବ୍ ଜାଣିବାର । ଏକୁ ଛାଡ଼ି ଆଉ ପଳେଇ ଯାଇପାରିବିନି । ମୋ ଗୋଡ଼ରେ ଫାଶ ଲଗେଇ ଦେଇଚି ।”

 

“ଓ...ମୋ ପାଇଁ ତା’ହେଲେ ନୁହେଁ, ପୁଅ ପାଇଁ ରହିବ ? ହଉ, ହଉ, ମୁଁ ତ ଆଉ ପାରିଲିନି, ପୁଅ ତମକୁ ବାନ୍ଧିରଖୁ ।” ଅଭିମାନରେ ବୋଉର ଓଠ ଦୁଇଟା ଥରି ଉଠୁଥିଲା । କାନ୍ଧ ଉପରୁ ନନାଙ୍କର ହାତଟାକୁ ଠେଲି ବାହାର କରି ଦେଇଥିଲା ।

 

ନନା ପ୍ରଥମେ ନିର୍ବାକ ହୋଇ ଯାଇଥିଲେ । ତାପରେ ରହସ୍ୟମୟ ହସ ହସି କହିଥିଲେ, “ପୁଅକୁ ବି ହିଂସା ।”

 

“ହଁ ହିଂସା । ମୁଁ ତ ଅସୁନ୍ଦରୀ, କୋଉ ବଳରେ ତମକୁ ବାନ୍ଧିରଖନ୍ତି ଯେ ! ପୁଅ ତମକୁ ବାନ୍ଧୁ ।”

 

ମୋର ରାଗୀ ବୋଉ ଯେ ଏତେ ଅଭିମାନୀ, ଏମିତି ଅବୁଝା, ଅବୋଧ ଶିଶୁ, କିଏ ସେ କଥା ଜାଣିଥିଲା । ଗୋଟାଏ ଅଭାବନୀୟ ଦୃଶ୍ୟ ଦେଖୁ ଦେଖୁ ବିସ୍ମୟରେ, ଉତ୍ତାଳ ଆବେଗରେ କେତେବେଳେ ମୋର ଦରବୁଜା ଆଖି ଦୁଇଟା ପୂରାପୂରି ଫିଟିଯାଇ ଥିଲା, ଖିଆଲ ନାହିଁ ।

 

ନନାଙ୍କର ଠେଲି ଦେଇଥିବା ହାତଟା ପୁଣି ବୋଉର କାନ୍ଧ ଉପରେ ରଖି ନନା କହିଥିଲେ, “ତମେ ଦିନକୁ ଦିନ ପିଲା ହେଇ ଯାଉଚ, ସୁଲୁ ! ନିଜର ପୁଅକୁ ବି ତୁମେ ହିଂସା କରୁଚ-!”

 

“ପିଲା ହେଇଗଲେ ଗଲି । ହିଂସା କରୁଚି ତ ଭଲ କରୁଚି । କଣ ହେଇଗଲା ସେଇଠୁ-!”

 

ନନା ଏଥର ହସି ପକେଇଥିଲେ ।

 

ତାପରେ କିଛି ସମୟ ଚୁପ୍ ଚାପ କଟିଗଲା । ନନା ପୁଣି କହିଥିଲେ, “ଭାବୁଚି, ଗୋଟାଏ ଚାକିରି ବାକିରି କରିବି । ନନାଙ୍କୁ କହିଲେ ତାଙ୍କ ଅଫିସରେ ବ୍ୟବସ୍ଥା କରିଦେଇ ପାରିବେନି ?”

 

“ପାରିବେ ବୋଧହୁଏ, ତମେ ନନାଙ୍କୁ କହ ।”

 

“ଆଚ୍ଛା, କହିବି ।”

 

କଣ ଭାବି ବୋଉ କିଛି ସମୟ ପରେ କହିଥିଲା, “ଚାକିରି ହେଲେ ଆମେ ଆମର ଅଲଗା ଘରକରି ରହିବା ତ ?”

 

ନନା କହିଥିଲେ, “ସେ ତ ନିଶ୍ଚୟ ।”

 

ବୋଉ ଏଥର ଦୁଇ ହାତରେ ନନାଙ୍କର କାନ୍ଧ ଉପରେ ମୁହଁଟା ରଖିଥିଲା । ମୁହଁରେ ତାର ଯେମିତି ହସ ଉଛୁଳି ପଡ଼ୁଚି । ୟାରି ନାଆଁ ଯଦି ସୁଖ ହୁଏ, ୟାରି ନାଆଁ ଯଦି ପରମ ପ୍ରାପ୍ତି ହୁଏ; ତେବେ କହିବି ବୋଉ ମୋର ଏକାବେଳେ ନା ବାଳିକା, ଅତିସ୍ୱଳ୍ପତୁଷ୍ଟ, ଏଇ ଟିକକ ପାଇଁ ଆମମାନଙ୍କ ଉପରେ ତାର ଏତେ ନିଷ୍ଠୁର ଏତେ କଠୋର ହେବାର ଦରକାର ନ ଥିଲା ।

 

ଅନେକ ସମୟଧରି ଏମିତି ଭାବୁ ଭାବୁ ପୁଣି ଅଜାଣତରେ କେତେବେଳେ କମ୍ବଳ ଖଣ୍ଡକ ମୁହଁ ଉପରକୁ ଉଠେଇ ଆଣିଚି, ଆଉ ନିଦରେ ଅଚେତନ ହେଇ ଯାଇଚି ସେକଥା ଖିଆଲ ନ ଥିଲା ।

 

ଆଠ

 

ପରଦିନ ସକାଳେ ଘୋଡାଗାଡ଼ିରେ ବସି ମନୁ ଆସି ହାଜର ହୋଇଥିଲା ।

 

ମନେ ପଡ଼ୁଚି ସକାଳୁ ଉଠି ଦାନ୍ତ ପତ୍ର ଘଷି ବାରଣ୍ଡା ଉପରେ ବସି ନନା, ଅଜା ଆଉ ମୁଁ ମୁଢ଼ି, ଚୂଡ଼ା ଭଜା ଆଉ ଚା ଖାଉଥିଲୁ । ବୋଉ, ଆଈ ମଧ୍ୟ ଚା’ ଗିଲାସ ଧରି ଟିକିଏ ଦୂରରେ ବସି ଥାଆନ୍ତି ।

 

ଦୁଆର ପାଖେ ଘୋଡ଼ା ଗାଡ଼ିଟା ରଖିଦେଇ ମନୁ ଘର ଭିତରକୁ ପଶି ଆସିଥିଲା । କୌଣସିଆଡ଼େ ନ ଚାହିଁ ସିଧା ମୋ ପାଖକୁ ଆସି କହିଥିଲା, “କାଲି ସ୍କୁଲକୁ ଗଲୁନି ଯେ ?”

 

ମୁଁ ଉତ୍ତର ଦେବା ଆଗରୁ ମନୁ ପୁଣି କହିଥିଲା, “ସବୁଦିନେ ତ ଆମ ଘରକୁ ଯିବାକଥା, କାଲି କାହିଁକି ଗଲୁନି ? କଣ ହେଲା କି ?”

 

ମନୁଙ୍କ ଘରକୁ ଯିବାଟା ପ୍ରତ୍ୟହ ନିୟମରେ ପଡ଼ିଯାଇଥିଲା । ଗୋଟାଏ ଦିନ ନିୟମ ଭଙ୍ଗ ହେବାରେ ମନୁ ଧାଇଁ ଆସିଚି । କହିଥିଲି, “ମୋ ନନା ଆସିଚନ୍ତି, ସେଥିପାଇଁ ଯାଇନି ।”

 

ପ୍ରଥମେ ମନୁ ଆଶ୍ଚର୍ଯ୍ୟ ହୋଇଯାଇ ଥିଲା । ତାପରେ କହିଥିଲା, “ତୋ ନନା !”

 

“ହଁ, ହେଇଟି ଦେଖୁନୁ–”ମୁଁ ନନାଙ୍କୁ ଦେଖାଇ ଦେଇଥିଲି ।

 

ମନୁ ନନାଙ୍କୁ ନମସ୍କାର କରି ପଚାରିଥିଲା, “ଆପଣଙ୍କୁ କଣ ବୋଲି ଡାକିବି ?”

 

“କଣ ଡାକିବ, କଣ ଡାକିବ”–ନନା ସେତେବେଳେ ଯେମିତି ସଠିକ ଉତ୍ତରଟା ଖୋଜି ପାଉ ନ ଥିଲେ ।

 

ବାରଣ୍ଡାର ଅପର ପ୍ରାନ୍ତରୁ ବୋଉ କହି ଦେଇଥିଲା, “ମଉସା ବୋଲି ଡାକ ।”

 

ମନୁ ମୁଣ୍ଡ ହଲେଇ କହିଥିଲା, “ସେଇୟା ଡାକିବି ।” ତାପରେ ନନାଙ୍କୁ ପଚାରିଥିଲା, “ଆଚ୍ଛା ମଉସା, ଆପଣ ଏତେଦିନ ହେଲା କୋଉଠି ଥିଲେ ? ନରି ସାଙ୍ଗେ ଅନେଇ ସମୟରେ ଆସିଚି, ଆପଣଙ୍କୁ ତ ଦେଖିନି !”

 

ନନା କହିଥିଲେ, “ମୁଁ ଟିକିଏ କାମରେ ବାହାରକୁ ଯାଉଥିଲି ।”

 

“କି କାମରେ ?”

 

ନନା ବିବ୍ରତ, ଅପ୍ରତିଭ ହୋଇ ପଡ଼ିଥିଲେ । ମନୁର ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଦିଗହରାଙ୍କ ଭଳି ଏପଟ–ସେପଟ ଚାହୁଁଥିଲେ । ଶେଷକୁ ଆଈ ସେ ଅସ୍ଵସ୍ତିକର ଅବସ୍ଥାରୁ ନନାଙ୍କୁ ରକ୍ଷାକରି ଦେଇଥିଲା । ସେ କହିଥିଲା, “ମଉସା ତମର ଅଫିସ କାମରେ ବାହାରକୁ ଯାଇଥିଲେ ।”

 

ମନୁ କହିଥିଲା, “ଆପଣଙ୍କୁ ତ ଆଗରୁ ଦେଖି ନ ଥିଲି; ନରି ବି ଆପଣଙ୍କ କଥା କହେନି-। ଆମେମାନେ ଭାବିଥିଲୁ ନରିର ବୋଧହୁଏ ନନା ନାହାଁନ୍ତି ।”

 

ନନା ନୀରବ ରହିଥିଲେ । ମନୁଆଡ଼କୁ ସେ ଯେମିତି ଆଉ ଚାହିଁ ପାରୁ ନ ଥିଲେ, ମୁହଁଟା ତଳକୁ କରିଦେଇଥିଲେ । ତାର ପ୍ରଶ୍ନଗୁଡ଼ା ଏ ଘରର ପ୍ରତିଟି ମଣିଷଙ୍କ ମନରେ କି ଭୀଷଣ ଭାବରେ ପ୍ରତିକ୍ରିୟା ସୃଷ୍ଟି କରିଚାଲିଚି, ସେଇଟା ଯଦି ମନୁ ବୁଝିପାରୁ ଥାଆନ୍ତା ତାହେଲେ ବୋଧହୁଏ, ଏ ଶରାଘାତ କରୁ ନ ଥାନ୍ତା ।

 

ଯାହାହେଉ ଟିକିଏ ପରେ କଣ ଭାବି ମନୁ ଏଥର ମୋ’ଆଡ଼କୁ ଚାହିଁ କହିଥିଲା, “କାଲି ଆମ ଘରକୁ ଯାଇନୁ, ଆଜି କିନ୍ତୁ ଯିବାକୁ ହେବ । ଏଇଲେ ମୋ ସାଙ୍ଗେ ଯିବୁ ।”

 

ନନାଙ୍କ ପାଖ ଛାଡ଼ିବାକୁ ମୋର ଟିକିଏ ହେଲେ ଇଚ୍ଛା ନ ଥିଲା । ଅନ୍ୟ ଦିନଗୁଡ଼ାକ ମନୁଙ୍କ ଘରଟା ବିଚିତ୍ର ଆକର୍ଷଣରେ ଟାଣୁ ଟାଣୁ ମତେ ହାତଠାରି ଯେମିତି ଡାକଦିଏ । ଆଉ ସେ ଡାକ ଶୁଣି ଆଚ୍ଛନ୍ନ ଭାବରେ ମୁଁ ସେଇଆଡ଼େ ଆଗେଇଯାଏ, କିନ୍ତୁ ସେଦିନ ସମସ୍ତ ଆକର୍ଷଣରେ ହାଟ ଯେମିତି ଆମ ଘରେ ବସିଥିଲା । ଆଉ ତାର ମୂଳ କେନ୍ଦ୍ରରେ ଯିଏ ଥିଲେ ସେ ହେଉଚନ୍ତି ନନା ।

 

ନନାଙ୍କ ପାଖକୁ ଆଉ ଟିକିଏ ଲାଗିକରି ବସିଥିଲି । କହିଥିଲି,

 

“ଏଇଲେ କେମିତି ତୋ ସାଙ୍ଗେ ଯିବି ? “

 

“କାହିଁକି ?

 

“ସ୍କୁଲକୁ ଯିବିନି କି ? “

 

“ଆଜି କି ବାର, ଭୁଲି ଯାଉଛୁ ?”

 

“କି ବାର ?’’

 

“ରବିବାର । ରବିବାର ଦିନ କଣ ତୋ ପାଇଁ ସ୍କୁଲ ଫିଟିବ ! ଦେ–ଚାଲ ।”

 

ସେ ଦିନ ଯେ ରବିବାର ସେଇଟା ମତେ ଜଣା ନ ଥିଲା । ତେଣୁ ସ୍କୁଲକୁ ଯିବାର ଆଳଟା କାମରେ ନ ଲାଗିବା ଦେଖି ଏକାବେଳେ ବିପନ୍ନ ହେଇଗଲା ପରି ଲାଗିଲା । ହଠାତ୍ ଏମିତି କୌଣସି ବୁଦ୍ଧି ମୁଣ୍ଡରେ ପଶିଲାନି, ଯେଉଁଥିରେ କି ମନୁଙ୍କ ଘରକୁ ଯିବାଟା ବନ୍ଦ ହେଇ ଯାଇପାରେ । ଅଗତ୍ୟା ସିଧା କହି ଦେଇଥିଲି, ମୁଁ ଏଇଲେ ଯିବିନି ।”

 

“ହଁ ଯିବୁ–”ମନୁ ଜିଦ୍ ଧରିଥିଲା ।

 

“ନାହିଁ ଯିବିନି । ନନା ଆସିଛନ୍ତି ।”

 

“ମଉସା ତ ରହିବେ । ତୁ ଚାଲ୍, ବୋଉ ତତେ ଯିବାକୁ କହିଚି ।”

 

“ନାଇଁ– ।’’

 

ଏଥର ମନୁ ନନାଙ୍କ ପାଖେ ଦରଖାସ୍ତ କରିଥିଲା, “ମଉସା ମ, ଆପଣ ଟିକିଏ କହିଦିଅନ୍ତୁ । ନ ହେଲେ ନରି ଯିବନି । କହି ଦିଅନ୍ତୁ ଟିକିଏ– ।”

ନନା ତଳକୁ ମୁହଁ କରି ବସିଥିଲେ । ଏଥର ମୁହଁ ଉଠେଇ କହିଥିଲେ, “ଯା ପୁଅ, ଏତେ କରି କହୁଚନ୍ତି ।”

ଅଜା–ଆଈ ମଧ୍ୟ ନନାଙ୍କ ସଙ୍ଗେ ତାଳଦେଇ କହିଥିଲେ, “ମନୁ ଆସି ଡାକୁଚି, ଯା ।’’

ମୁଁ କହିଥିଲି “ନାଇଁ–”

ବୋଉ ଏତେ ବେଳଯାଏ ପଦେ ହେଲେ ପାଟି ଫିଟେଇ ନ ଥିଲା । ଏଥର ଧମକେଇଲା ଭଳି କହିଥିଲା, “ପିଲାଟା କେଡ଼େ ଖୁସିରେ ଆସି ଡାକୁଚି, ଯା କହୁଚି । ଅନ୍ୟ ଦିନେ ତ ତାଙ୍କ ଘରକୁ ଯିବୁ ବୋଲି ତର ସହେନି ! ଫାଜିଲାମୀ ବାହାରୁଚି–”

ଆଈ କହିଥିଲେ, “ରାଗନା ଲୋ ମାଆ । ଜ୍ଞାନ ହେବା ପରେ ପ୍ରଥମ ଥର ପାଇଁ ବାପକୁ ପାଇଚି, ଏଇଲେ ପାଖରେ ଲାଗି ରହିବାକୁ ମନେ ହେଉଥିବ । ଯାଆରେ ବାପା, ମନୁ ଭାଇନା ସାଙ୍ଗେ ଯା ।”

ଅଗତ୍ୟା ଉଠିବାକୁ ପଡ଼ିଲା । ନନାଙ୍କଆଡ଼େ ଚାହିଁ କରୁଣଭାବରେ କହିଥିଲି, “ମନୁଙ୍କ ଘରକୁ ଯାଇ ଟିକିଏ ରହି ଚାଲିଆସିବି । ତମେ ପୁଣି ଚାଲିଯିବ ନି ତ ?”

ନନା କହିଥିଲେ, “ନାଇଁରେ ବାପା, ନାଇଁ । ତୁ ବୁଲି ଆସିବୁ ଯା । “

ମନୁର ପଛେ ପଛେ ଆସୁ ଆସୁ ପୁଣି ନନାଙ୍କ କଥା କାନରେ ପଡ଼ିଥିଲା । ସେ ଆଈଙ୍କୁ ପଚାରୁଥିଲେ, “ପିଲାଟି କିଏ ?”

“ମନୁ । ନରି ସାଙ୍ଗରେ ପଢ଼େ । ଏକା ଦିନେ ସ୍କୁଲରେ ନାଆଁ ଲେଖେଇଚନ୍ତି ।’’

“ଟୋକାର ସାଙ୍ଗ ତାହେଲେ ?”

“ହଁ । ଏକାବେଳେ ଦୁହିଁଙ୍କ ଭିତରେ ପାଣି ଗଳୁନି । ପ୍ରତିଦିନ ଥରେ ନରି ତାଙ୍କ ଘରକୁ ଯିବା ଦରକାର । ମନୁ ବି ଏଠିକି ଥରେ ଆସିବ ।

“ଟୋକାଟି ଖୁବ୍ ଚଞ୍ଚଳିଆ ଅଛି ଦେଖୁଚି ।”

“ହଁ ।”

“କୋଉଠି ରହେ ?”

“ଆମ ସାହିର ଶେଷ ମୁଣ୍ଡରେ ଯେଉଁ ହଳଦିଆ ଦୋମହଲା କୋଠାଟା ଅଛି, ସେଇଟା ତାଙ୍କର ଘର । ସେମାନେ ଭାରି ବଡ଼ଲୋକ । ତା ବୋଲି ଟିକିଏ ହେଲେ ଅହଙ୍କାର ନାହିଁ, ତାର ନନା ବି ଦିନେ ଆମ ଘରକୁ ଆସିଥିଲେ ।”

ମନୁର ନନା ମତେ ପ୍ରତିଦିନ ତାଙ୍କ ଘରକୁ ନେବା ପାଇଁ ବୋଉଙ୍କୁ ଅନୁରୋଧ କରିବାକୁ ଆସିଥିଲେ । ଆଈ ନାନାଙ୍କୁ ସେ କଥା କହିଥିଲେ । ଶୁଣୁ ଶୁଣୁ ମୁଁ ଯାଇ ଘୋଡ଼ା ଗାଡ଼ିରେ ବସିଥିଲି-

ମନୁଙ୍କ ଘରେ ପହଞ୍ଚିବା ପରେ ତା ବୋଉ ପଚାରିଥିଲେ, “କାଲି କାହିଁକି ଆସିଲନି ନରି-?”

 

ନ ଆସିବାର କାରଣଟା ଜଣେଇଥିଲି ।

 

ନନାଙ୍କ କଥା ଶୁଣି ମନୁର ବୋଉ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ପ୍ରସଙ୍ଗରେ କୌଣସି ପ୍ରଶ୍ନ ନ କରି କହିଥିଲେ, “କାଲି ଆସିଲନି, ଆମେମାନେ ଭାବିଲୁ ଦେହମୁଣ୍ଡ ଖରାପ ହେଲା ନା କଣ, ଆମେ କିଛି ଠିକ୍ କରି ନ ପାରିବାରୁ ମନୁ ଏଣେ ଏକାବେଳେ ଅଥୟ । ଆଜି ସକାଳୁ ଆଉ ତାକୁ ସମ୍ଭାଳେ କିଏ ! ଆମେ ବି କହିଥିଲୁ, ଯା ନରିକୁ ନେଇଆ ।’’

 

ମନୁର ନନା ମଧ୍ୟ ସେଇ ପାଖରେ ଥିଲେ । ସସ୍ନେହରେ କହିଥିଲେ, “ତମେ ଆସିବାରେ ଏମିତି ହେଇଯାଇଚି ଯେ, ହଠାତ୍ ଦିନେ ନ ଆସିଲେ ଆଉ ଭଲ ଲାଗୁନି । ଏଣିକି ପ୍ରତିଦିନ ଚାଲି ଆସିବ । କଣ କହୁଚ ?”

 

“ହଉ ।” ବୋଲି ସମ୍ମତି ଜଣେଇଥିଲି ।

 

ମନୁର ନନା ପଚାରିଲେ, “ତମର ନନା ପରା ଆସିଛନ୍ତି ?”

 

“ହଁ ।”

 

“ଏତେ ଦିନ ହେଲା କୋଉଠି ଥିଲେ ?”

 

ନନାଙ୍କ ମୁହଁରୁ କାଲି ଶୁଣିଥିଲି, ସେ ସିଧା ଅମରକଣ୍ଟକରୁ ଆସିଚନ୍ତି । ସେଇ କଥାଟା ମନୁର ନନାଙ୍କୁ କହିଥିଲି ।

 

“ଅମରକଣ୍ଟକ ! ସେଇଟା ପୁଣି କୋଉଠି–’’ ମନୁର ନନା କେମିତି ଟିକିଏ ଚିନ୍ତିତ ଦେଖାଯାଉଥିଲେ ।

 

“ମୁଁ ଜାଣିନି ।”

 

“ସେ କଣ ସେଠାରେ ଚାକିରି କରନ୍ତି ?”

 

“ଜାଣିନି ।”

 

ଆହୁରି କେତେ କଣ କହି ଯାଉଥିଲେ; ମନୁର ବୋଉ ସଙ୍ଗେ ସଙ୍ଗେ କହି ପକେଇଲେ, “ସେ ପିଲାଲୋକ ସେ କଣ ଏତେ କଥା ସବୁ ଜାଣିଚନ୍ତି ଯେ ପଚାରୁଚ ! ଯା ନରି, ତମେ ଖେଳିବ ଯାଅ ।”

 

ମୁଁ ଯେମିତି ରକ୍ଷା ପାଇ ଯାଇଥିଲି । ନନାଙ୍କ ସମ୍ବନ୍ଧରେ ମତେ ବିଶେଷ କିଛି ଜଣା ନାହିଁ । ଜ୍ଞାନ ହେବାପରେ ଏଇ ପ୍ରଥମଥରପାଇଁ ତାଙ୍କୁ ଦେଖୁଚି । ସିଧା ଅମରକଣ୍ଟକଠାରୁ ସେ ଦଳେଇଘାଟ ଆସିଚନ୍ତି, ଖୁବ୍ ଭଲ ଭଲ ଗପ କହି ପାରନ୍ତି, ଆଖିର ଚାହାଣୀଟା ସ୍ନେହ କୋମଳ । ମଝିରେ ମଝିରେ କେମିତି ସୁଦୂର ଆଉ ଅନ୍ୟମନସ୍କ ହେଇଯାଆନ୍ତି, ସେତେବେଳେ ତାଙ୍କୁ ଚିହ୍ନି ହୁଏନି, ଅନୁଭବ କରି ହୁଏନି । ନନାଙ୍କ ସମ୍ବନ୍ଧରେ ଏତିକି ମତେ ଜଣାଥିଲା, ଏହା ବ୍ୟତୀତ ଆଉ ସବୁ କିଛି ଅପରିଚିତ ଅନ୍ଧକାରମୟ ଥିଲା । ତେଣୁ ନନା କଣ କରନ୍ତି, ଏତେ କାଳ ହେଲା କୋଉଠି ଥାଆନ୍ତି ପ୍ରଭୃତି ପଚାରିଲେ ମୋ ପକ୍ଷେ ବିବ୍ରତ ହେବା ସ୍ଵାଭାବିକ କଥା । ଉତ୍ତରରେ ମତେ ଚୁପ ହୋଇ ରହିବାକୁ ହୁଏ ।

 

ଯାହା ହେଉ, ଘୋଡ଼ାଗାଡ଼ିରୁ ଓହ୍ଲାଇ ମନୁ ମତେ ତାର ନନା ବୋଉଙ୍କ ପାଖରେ ଛାଡ଼ିଦେଇ ଦୋମହଲାକୁ ଚାଲି ଯାଇଥିଲା ଗୋଟାଏ କଥା ଲକ୍ଷ୍ୟ କରିଚି, ସମସ୍ତେ ମୋ ପାଖକୁ ଆସିଲେ ମାତ୍ର ମାନସୀକୁ କୋଉଠି ଦେଖିବାକୁ ପାଇଲିନି । ଏ ବିଶାଳ ଘରର କୋଉ ପ୍ରାନ୍ତରରେ ସେ ଆତ୍ମଗୋପନ କରିଥିଲା, କେଜାଣି ।

 

ମନୁର ନନା–ବୋଉଙ୍କ ପାଖରୁ ମୁକ୍ତିପାଇ ମନୁକୁ ଖୋଜିବା ପାଇଁ ବାହାରି ପଡ଼ିଥିଲି । ଏକ ମହଲାର ଦୀର୍ଘ ବାରଣ୍ଡା ଦେଇ ପ୍ରାୟ ଏକା ନିଶ୍ୱାସରେ ଆଗେଇ ଯାଉଥିଲି । ବାରଣ୍ଡାର ଦୁଇ ପାଖେ ଲମ୍ବା ଲମ୍ବା କାଚର କୁଣ୍ଡ ଦେହରେ ଛୋଟ ଛୋଟ ଅନେକ ଜାତିର ମାଛ ଖେଳୁଥାନ୍ତି । ବଡ଼ ହେବା ପରେ ଜାଣିଥିଲି, ସେଗୁଡ଼ାକ ଆମ ଦେଶର ମାଛ ନୁହଁନ୍ତି । କେବଳ କଣ ବିଦେଶୀ ମାଛ, ତାର ଜାଲିଦିଆ ବଡ଼ ବଡ଼ ବାକ୍ସରେ ଠେକୁଆ, ମାଙ୍କଡ଼, ନେପାଳି ମୂଷା, ପାରା–ଏସବୁ ମଧ୍ୟ ଥାଏ । ତା ଛଡ଼ା ଘର ସାରା କୁକୁର–ବିରାଡ଼ି–ଶୁଆ–ସାରୀ କେତେଜଣ ଥାଆନ୍ତି ତାର ହିସାବ ନ ଥାଏ । ମନୁ ନନାଙ୍କର ପକ୍ଷୀ ଆଉ ପଶୁ ପ୍ରୀତି ଦେଖି ସମସ୍ତେ କହନ୍ତି–ଗୋଟାଏ ଚିଡ଼ିଆଖାନା ।

 

ନିର୍ଜନ ବାରଣ୍ତା ଉପରେ ଆଗୋଉଥିଲି । ହଠାତ୍ ଗୋଟାଏ ପ୍ରକାଣ୍ଡ କାଚ କୁଣ୍ଡ ପାଖରୁ ଖୁବ୍ ଧୀରେ କିଏ ଯେମିତି ଡାକିଲା, “ଏ–ନରି ଭାଇନା–”

 

ଠିଆ ହୋଇପଡ଼ି ଦେଖେ ତ, ମାନସୀ ।

 

ମାନସୀ ସାଙ୍ଗରେ ଦେଖାହେବା ମାନେ ସଂଘର୍ଷ ଅବଶ୍ୟମ୍ଭାବି । ଅବଶ୍ୟ ଆଘାତଟା ଏକତରଫା, ସବୁ କାଣ୍ଡଯାକ ସେଇ ମାରିବ, ମତେ କେବଳ ମୁହଁ ବନ୍ଦକରି ସହିବାକୁ ହେବ । ମୋ ଆଡ଼ୁ ପ୍ରତ୍ୟାଘାତର କୌଣସି ସମ୍ଭାବନା ନାହିଁ ।

 

ତେଣୁ ଶ୍ଵାସରୁଦ୍ଧ କରି ପ୍ରସ୍ତୁତ ହେଉଥିଲି । ମାନସୀ ଧୀରେ ଧୀରେ ଆଗେଇ ଆସିଥିଲା-। ସବୁଦିନେ ଯେମିତି ଚାହେଁ ସେମିତି ଆଖି ମିଟକେଇ, ହାତ ଦୁଇଟା ପଛ ପାଖେ ମୁଷ୍ଟିବଦ୍ଧ କରି, ଓଠ ଚାପି ବିଶ୍ଳେଷଣୀ ଦୃଷ୍ଟିରେ ଅନେକ ସମୟ ମୋଆଡ଼େ ଚାହିଁ ରହିଲା । ତାପରେ କହିଲା, “ତମର ଭାରି ଗର୍ବ ହେଇ ଯାଇଚି, ନୁହେଁ ?”

 

ମାନସୀ ଆଗରେ ମୁ ସବୁଦିନେ ନିର୍ବାକ, ସେଦିନ ବି ମୋ ମୁହଁରୁ କଥା ବାହାରି ନ ଥିଲା । ମୁହଁ ତଳକୁ କରି ଠିଆ ହେଇଥିଲି । କୋଉ ଦିଗରୁ ମୋର ଗର୍ବ ହେଲା, କେତେବେଳେ କେମିତି ପ୍ରକାଶ କରି ପକେଇଚି, ବୁଝିପାରୁ ନ ଥିଲି । ପଚାରି ଜାଣିବି, ସେମିତି ଦୁଃସାହସ ଟିକକ ମୋ ଭିତରେ କେଉଁଠି ଖୋଜି ପାଉ ନ ଥିଲି ।

 

ପୁଣି ମାନସୀ କହିଥିଲା, “ବାବୁଙ୍କୁ ଘରୁ ଡାକି ନ ଆଣିଲେ ଆସିବେନି ।” କହି ଜିଭ କାଢ଼ି ଖତେଇ ହେଇଥିଲା ।

 

ମୁଁ ଯଥାରୀତି ଚୁପ୍ ହୋଇଥାଏ ।

 

ମାନସୀ ପୁଣି ପଚାରିଲା, “କାଲି ଆସିଲନି କାହିଁକି ?”

 

ଏତେବେଳ ପରେ ମୋ ମୁହଁ ଫିଟିଲା । କହିଲି, “ନନା ଆସିଚନ୍ତି ପରା ?”

 

“ତମର ପୁଣି ନନା ଅଛି ନା କଣ ?

 

ମୁଁ ମୁଣ୍ତ ହଲେଇ କହିଥିଲି, “ଅଛନ୍ତି ।”

 

“ଏତେଦିନ ହେଲା ତ ବୋଉଙ୍କ କଥା କହୁଥିଲ, ଆଈଙ୍କ କଥା କହୁଥିଲ, ଅଜାଙ୍କ କଥା କହୁଥିଲ, ନନାଙ୍କ କଥା ତ କହିନ । ନନାଟା ଆସିଲା କୁଆଡ଼ୁ ?”

 

ସେତେବେଳେ ମାନସୀର ଜିଭଟା ଦାଢ଼ୁଆ ଖୁର ଯେମିତି ।

 

ରହି ରହି ନନା କୋଉଠୁ ଆସିଲେ ସେ କଥା କହିଥିଲି ।

 

ଆଉ କିଛି ସମୟ ମାନସୀ ମତେ ଆଗରେ ଠିଆ କରେଇ ତୀକ୍ଷଣ ଧାରୁଆ ଦୃଷ୍ଟି ଖେଳେଇ ଦେଖିଥିଲା । ଯେତେଦୂର ସମ୍ଭବ ମୋ କଥାରେ କେତେଟା ସତ୍ୟତା ଅଛି ବୁଝିବାକୁ ଚେଷ୍ଟା କରୁଥିଲା ।

 

ଶେଷକୁ ମୁକ୍ତି ପାଇଥିଲି । ମାନସୀ କହିଥିଲା, “ଦୋମହଲାରେ ତମର ସାଙ୍ଗ ଛଟପଟ ହେଉଚି, ଯାଆ ।”

 

କହିବା ମାତ୍ରେ ମୁଁ ଅଦୃଶ୍ୟ । ଗୋଟାଏ ଗୋଟାଏ ଡିଆଁରେ ଦୁଇଟା କରି ପାହାଚ ଅତିକ୍ରମ କରି ଦୋମହଲାରେ ଥିବା ମନୁର ଘରକୁ ଚାଲି ଆସିଲି ।

 

ମନୁର ଘରଟା ଖୁବ୍ ବଡ଼ । ଘରସାରା ଖେଳନା ଭର୍ତ୍ତି ହେଇଚି । ଗୋଟାଏ ପାଖରେ ଟେବୁଲ ଉପରେ ଲୁଡ଼ୁପାଲି । ସେପଟେ କ୍ୟାରମ୍, ତିନିଚକିଆ ସାଇକେଲ, ବାଘ ବକୁରୀ ଖେଳର ପାଲି । ଇଞ୍ଜିନିୟରିଂ ଖେଳର ବାକ୍‍ସ, ଘରଦ୍ଵାର ତିଆରି କରିବା ପାଇଁ କାଠର ଉପକରଣ, ଆଲମାରିରେ ରଙ୍ଗରଙ୍ଗିଆ ଛବି ବହି । ଛୋଟ ଛୋଟ କାହାଣୀ ବହି ରହିଚି । ଗୋଟାଏ ଛୋଟ ଟୁଲ୍ ଉପରେ ବିଲାତି କୁକୁରଟିଏ ବସିଥାଏ । ଏଇଟା ମନୁର ଖୁବ୍ ଆଦରରେ ଜିନିଷ । ଘର ଭିତରକୁ ଯାଇ ଦେଖିଲି ମନୁ ତାକୁ ପେଣ୍ଡୁଖେଳ ଶିଖୋଉଚି । ମୋର ପାଦ ଶବ୍ଦ ଶୁଣି ମୁହଁ ବୁଲେଇ ପଚାରିଲା, “କଣ ଏତେ ଡେରି କଲୁ ?”

 

“ମଉସା–ମାଉସୀଙ୍କ ସଙ୍ଗେ କଥାବାର୍ତ୍ତା କରୁଥିଲି । ତାପରେ ମାନସୀ ଦେଖାହେଲା ।”

 

ମନୁ କଣ କହିବାକୁ ଯାଉଥିଲା, ଏତିକିବେଳେ ମାନସୀ ଆସି ହାଜର ! ଏତେ ଚଞ୍ଚଳ ସେ କେମିତି ଆସିଲା ? ମୋ ଭଳି ଡେଇଁ ଡେଇଁ ପାହାଚ ଅତିକ୍ରମ କରିଚି ନା କଣ ?

 

ଯାହା ହେଉ, ପ୍ରାୟ ବର୍ଷେ ହେଲା ମୁଁ ଏ ଘରକୁ ଯିବା ଆସିବା କରୁଚି । ମନୁ ଆଉ ମୁଁ ଯେତେବେଳେ ଘରଟା ଭିତରେ ବସି କ୍ୟାରମ ଖେଳୁଥାଉ କି ଛବି ବହି ଦେଖୁଥାଉ, ସେତେବେଳେ ସାମନା ବାରଣ୍ଡାରେ ମାନସୀ ଚଲାବୁଲା କରୁଥାଏ, ଆଉ ତୀକ୍ଷଣ ସନ୍ଦିଗଧ ଦୃଷ୍ଟିରେ ଅନେକଗୁଡ଼ାଏ ବିଦ୍ୱେଷ ବୋଲି ମୋଆଡ଼େ ଚାହୁଁଥାଏ । କେବଳ ଚଲାବୁଲା କରେ ଆଉ ଗୋଇନ୍ଦାଙ୍କ ଭଳି ଚାହେଁ, କିନ୍ତୁ ବର୍ଷକର ତିନିଶହ ପଅଁଷଠି ଦିନ ଭିତରୁ ଦିନେ ବି ସେ ଭୁଲରେ ଏ ଘର ଭିତରକୁ ଆସି ନ ଥିଲା । ଦ୍ଵାର ମୁହଁ ପାଖାପାଖି ଗୋଟାଏ ଅଦୃଶ୍ୟ ପ୍ରତିବନ୍ଧକ ବୋଧହୁଏ କେଉଁଠି ଥିଲା । ଅଲିଖିତ ଚୁକ୍ତି ଫଳରେ ସେଇଟା ମାନସୀ ପାର ହୋଇପାରୁ ନ ଥିଲା ।

 

ଆଶ୍ଚର୍ଯ୍ୟର କଥା ! ସେଦିନ କିନ୍ତୁ ଚୁକ୍ତି ଲଙ୍ଘନ କରି ମାନସୀ ସିଧା ଘର ଭିତରକୁ ଆସିଥିଲା ।

 

ମାନସୀ ସଙ୍ଗେ ମନୁର ସମ୍ପର୍କଟା ଯୁଦ୍ଧର ଥିଲା । ପାଖକୁ ଆସିଲେ ସଂଘାତ ଅନିବାର୍ଯ୍ୟ-। ମୋ ଆଗରେ ସେମାନେ କେତେଥର ଧରାଧରି, ମରାମରି ହେଇଚନ୍ତି, ତାର କୌଣସି ହିସାବ ନାହିଁ । ତଥାପି ମୁଁ ବୁଝେ, ଏଇ ନିଦାରୁଣ ବୈରତା ପାରସ୍ପରିକ ଆକର୍ଷଣର ଆଉ ଗୋଟାଏ ନାଆଁ-

 

ଦ୍ଵାର ବନ୍ଦ ପାର ହୋଇ ମାନସୀ ଘର ଭିତରକୁ ଆସିବା ମାତ୍ରେ ମନୁ ସିଂହ ଭଳି ଗର୍ଜି ଉଠିଥିଲା, “ଏଠିକି ଆସିବାକୁ ତତେ କିଏ କହିଚି ?”

 

“କହିବ କାହିଁକି, ନିଜେ ଆସିଚି ।” ବେକ ଭାଙ୍ଗି ମାନସୀ ଠିଆ ହୋଇଥିଲା । ତାର କହିବା କଥାରେ ଏବଂ ଠିଆ ହେବା ଭଙ୍ଗିରେ ଯୁଦ୍ଧ ଘୋଷଣା ଥିଲା ।

 

“ପଳା ମାଙ୍କୁଡ଼ି–”

 

“ନାଇଁ–”

 

“ହଁ, ଯିବୁ ।”

 

“ନାଇଁ ।”

 

“ଯିବୁନି–” ଡେଇଁପଡ଼ି ମନୁ ଯାଇ ମାନସୀର ଚୁଟି କେରାକ ଧରିଥିଲା ।

 

ଏତିକି, ଲଢ଼େଇ ଆରମ୍ଭ ହୋଇଗଲା । ମନୁ ପୁଅ, ତାପରେ ବୟସରେ ବି ବଡ଼ । ତେଣୁ ଶାରୀରିକ ଶକ୍ତି ତା ତୁଳନାରେ ଅଧିକ ଏବଂ ସେଇଟା ପ୍ରୟୋଗ କରିବା କୌଶଳ ମଧ୍ୟ ତାକୁ ବିଶେଷ ଭାବରେ ଜଣାଅଛି । କିନ୍ତୁ ଝିଅ ହେଇ ମଧ୍ୟ ମାନସୀ କିଛି କମ୍ ନୁହେଁ । ଯୋଗ୍ୟ ପ୍ରତିଦ୍ଵନ୍ଦୀ ଭଳି ସେ ଲଢ଼େଇ ଚଳେଇଥିଲା ।

 

ପ୍ରଥମେ ମନୁ ସେତେଟା ଗୁରୁତ୍ଵ ଦେଇନି; ମାନସୀର ଚୁଟି କେରାକ ଧରିଲେ ମଧ୍ୟ ଜୋରରେ ଟଣାଟଣି କରି ନ ଥିଲା । କିନ୍ତୁ ମାନସୀ ଯେତେବେଳେ ଗାଲରୁ ପୁଳାଏ ରାମ୍ପି ହାତଟାକୁ କାମୁଡ଼ି ଛିଣ୍ଡେଇବାର ଉପକ୍ରମ କରୁଚି ସେତେବେଳେ ଜଣାଗଲା ପ୍ରତିପକ୍ଷ ମଧ୍ୟ କିଛି କମ୍ ନୁହେଁ । ସହଜରେ ତାକୁ ବିଧ୍ୱସ୍ତ କରି ହେବ ନି । ତେଣୁ ଶରୀରର ସମସ୍ତ ଶକ୍ତି ଲଗେଇ ମନୁ ଚୁଟି କେରାକ ଟାଣିଥିଲା । ତା ସଙ୍ଗେ ସଙ୍ଗେ ଧାରାବର୍ଷଣ ଭଳି ବିଧା ଗୋଇଠା, ଚାପୁଡ଼ା ବି ଚାଲିଥିଲା ।

 

ଆଗରୁ ଭାଇ, ଭଉଣୀ ଦୁହିଁଙ୍କର ଚଟିଆ ଯୁଦ୍ଧ ଅନେକ ଥର ଦେଖିଚି କିନ୍ତୁ ସେଗୁଡ଼ା ଛୋଟକାଟର ସଂଘର୍ଷ ମାତ୍ର, ଚୁମୁଟା ଚୁମୁଟିରେ କିଛିଟା ମଳିଚମ ଉଠିଯିବା କିମ୍ବା ପଡ଼ିଯାଇ କିଛିଟା ଛିଡ଼ିଯିବା–ଆଉ ବେଶି କିଛି ନୁହେଁ । କିନ୍ତୁ ଏଥର ଯାହା ଘଟିବାକୁ ଯାଉଚି, ସେଇଟା ରୀତିମତ ଭୟାବହ । ପାନିପଥ କିମ୍ବା ହଳଦୀଘାଟ ଯୁଦ୍ଧ ଭଳି କୌଣସି ଗୋଟାଏ ଐତିହାସିକ ଘଟଣା–ନ ହେଲେ ବାଳି ସୁଗ୍ରୀବ ଲଢ଼େଇ ଭଳି ପୌରାଣିକ ଘଟଣା ।

 

କିଛି ସମୟ ବୋକାଙ୍କ ଭଳି ଦୁଇ ଜଣଙ୍କୁ ଚାହିଁ ରହିଥିଲି । ମାନସୀର ଦାଢ଼ୁଆ ନଖରେ ମନୁର ଗାଲ, ଦାନ୍ତ ବସି ହାତରୁ ଝରଝର ହୋଇ ରକ୍ତ ବାହାରୁଥିଲା । ମାନସୀ ଅବସ୍ଥା କିଛି କମ୍ ହେଇ ନ ଥିଲା । ତାର ଓଠ ନାକ ଫାଟି ମଧ୍ୟ ରକ୍ତ ଗଳଗଳ ହୋଇ ବାହାରୁଥିଲା ।

 

ସବୁଠୁ ଆଶ୍ଚର୍ଯ୍ୟର କଥା, ଏମିତି ଗୋଟାଏ ଭୟଙ୍କର କାଣ୍ଡ ଘଟିଗଲାଣି ଅଥଚ ଟିକିଏ ହେଲେ ଶବ୍ଦ ନାହିଁ । ଏକାନ୍ତ ନୀରବ, ନିଶବ୍ଦରେ ଘଟି ଯାଉଚି । କେବଳ ମତେ ସାକ୍ଷୀ ରଖି ଗୋଟାଏ ବିଶ୍ୱଯୁଦ୍ଧର ମଡ଼ଣ ଚାଲିଥିଲା ।

 

କଣ କରିବି, କଣ କରିବା ଉଚିତ, କିଛି ଠିକ୍ କରିପାରୁ ନ ଥିଲି । କାଠ ଭଳି ବିସ୍ମୟରେ କିଛି ସମୟ ଠିଆ ହୋଇ ରହିବା ପରେ ହଠାତ୍ କର୍ତ୍ତବ୍ୟଟା ମନେପଡ଼ି ଯାଇଥିଲା । ଏକା ନିଶ୍ଵାସକେ ଧାଇଁ ଯାଇ ମନୁର ନନା ଆଉ ବୋଉଙ୍କୁ ଡାକି ଆଣିଥିଲି । ସେମାନେ ମନୁ ଆଉ ମାନସୀକୁ ଛଡ଼େଇ ଦେଇଥିଲେ ।

 

ମନୁର ନନା ମନୁ ଗାଲରେ ଗୋଟାଏ ଚାପୁଡ଼ା ଦେଇ କହିଥିଲେ, “ବଦମାସ୍ କୋଉଠିକାର, ଛୋଟ ଭଉଣୀକୁ ମାରଧର କରୁଚ ?”

 

ମାନସୀଆଡ଼େ ଚାହିଁ ମନୁ ରାଗରେ ଫୁଲି ଉଠୁଥିଲା । ଚାପୁଡ଼ା ଖାଇ ରାଗରେ କହି ପକେଇଲା, “ସେ ଡାହାଣୀଟା ମୋ ଘରକୁ କାହିଁକି ଆସିଲା ?”

 

“ଆସିଲା ବୋଲି ଏମିତି ବାଡ଼ିଆ ପିଟା କରିବୁ ?”

 

ଏଣେ ମନୁର ବୋଉ ମାନସୀର ଗାଲ ତୋଡ଼ି ଦେଇ କହିଲେ, “ତୁ ବି ଝିଅ କିଛି କମ୍ ଖଣ୍ଡେ ହେଇନୁ । ଝିଅ ପିଲା ହୋଇ ପୁଅମାନଙ୍କ ସଙ୍ଗେ ବାଡ଼ିଆପିଟା କରିବାକୁ ଯାଉଚୁ । ଭାଇନା ତ ଇଚ୍ଛା କରୁନି ତୁ ସେ ଘରକୁ କାହିଁକି ଗଲୁ ?”

 

ମାନସୀ କହିଥିଲା, “ଖେଳିବାକୁ ।”

 

ମନୁ ଖତେଇ ହୋଇ କହିଥିଲା, “ଏଁ–ଖେଳିବାକୁ ତୋ ସାଙ୍ଗେ କିଏ ସେ ଖେଳିବ ଲୋ ଡାହାଣୀ !”

 

ମାନସୀ ବି ଜିଭ ବାହାର କରି ଖତେଇ ହେଇ କହିଥିଲା, “ତୋ ସାଙ୍ଗେ କିଏ ସେ ଖେଳିବାକୁ ଯାଇଥିଲା ମାଙ୍କଡ଼ ।

 

ମନୁ ନନା ଧମକେଇ କହିଲେ, ପୁଣି, ପୁଣି କଜିଆ ଆରମ୍ଭ ହେଲା ?”

 

ନନାଙ୍କ ଧମକକୁ ଖାତିର ନ କରି ମନୁ ଖିଙ୍କାରି ହୋଇ କହିଥିଲା, “ମୋ ସାଙ୍ଗେ ଖେଳିବାକୁ ଆସି ନ ଥିଲୁ ତ କାହା ସାଙ୍ଗେ ଖେଳିବାକୁ ଆସିଥିଲୁ ମାଙ୍କୁଡ଼ୀ ?”

 

“ନରି ଭାଇନାଙ୍କ ସାଙ୍ଗେ ।”

 

ଆଗଭଳି ଖତେଇ ହୋଇ ମନୁ କହିଥିଲା, “ନରି ଭାଇନା ସାଙ୍ଗେ ! ମୋ ସାଙ୍ଗ, ତା ସାଙ୍ଗରେ ବସି କାହିଁକି ଖେଳିବ ?”

 

“ହଉ ସେତିକି ଥାଉ । ଏଥର ତଳକୁ ଚାଲ, ରକ୍ତଗୁଡ଼ା ଧୋଇ ଆଇଡ଼ିନ୍ ଲଗେଇବାକୁ ହେବ ।” ପୁଅ ଝିଅଙ୍କୁ ନେଇ ମନୁର ନନା ବୋଉ ତଳ ମହଲାକୁ ଓହ୍ଲାଇ ଯାଇଥିଲେ, ମୁଁ ବି ସେମାନଙ୍କୁ ଅନୁସରଣ କରିଥିଲି ।

 

ଧୂଆଧୋଇ କରି ଆଇଡ଼ିନ୍ ଲଗେଇ ଦେବା ପରେ ମନୁ ଆଉ ମୁଁ ଉପରକୁ ଚାଲି ଯାଉଥିଲୁ କିନ୍ତୁ ଯାଇ ହେଲାନି । ମାନସୀ ହଠାତ୍ ଗୋଡ଼ କଚାଡ଼ି କାନ୍ଦିବାରେ ଲାଗିଗଲା । ଯେଉଁ ଝିଅ ଏତେ ରକ୍ତା ରକ୍ତି ହେବା ପରେ ବି ଅବିଚଳିତ ଥିଲା ତାକୁ କାନ୍ଦିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ମନୁର ନନା ପଚାରିଲେ, “କାନ୍ଦୁଛୁ କାହିଁକି ?”

 

“ନରି ଭାଇନା ଉପରକୁ ଯିବନି ।”

 

“ଯିବନି ତ କଣ କରିବି ?”

 

“ମୋ ଘରକୁ ଯାଇ ମୋ ସଙ୍ଗେ ଖେଳିବ । ଏ ମାଙ୍କଡ଼ଟା ସେଠିକି ଯିବନି ।”

 

ମନୁ ଏଥର ଦାନ୍ତ ଦେଖେଇ ଖିଙ୍କାରି ହୋଇ କହିଲା, “ନା, ମୋଟେ ନୁହେଁ, ମୋ ସାଙ୍ଗ ସେ ଡାହାଣୀଟା ସାଙ୍ଗେ ଖେଳିବାକୁ ଯିବନି ।”

 

ମାନସୀ ତା ନନାଙ୍କ ପାଖରେ ଭେଁ–ଭେଁ ହୋଇ କାନ୍ଦି କହିଥିଲା, “ତମେ କହ ନନା, ନରି ଭାଇନା ମୋ ସାଙ୍ଗେ ଖେଳିବାକୁ ଯିବ ।”

 

କାନରେ ହାତଦେଇ ମନୁ ନନା ଅସହାୟଙ୍କ ଭଳି କହିଥିଲେ, “ମୁଣ୍ଡରୁ ପୋକ କାଢ଼ିଦେବେ ଏଗୁଡ଼ାକ, କାହାକୁ କେହି କମ୍ ନୁହନ୍ତି ! ଯାଅ ନରି, ମାନସୀ ସାଙ୍ଗରେ ଟିକିଏ ଖେଳିବ ।”

 

ମନୁ କହିଥିଲା, “ନରି ଯିବନି, ସେ ମୋର ସାଙ୍ଗ ।”

 

“ଫାଜଲାମୀ କାଢ଼ିଲେ ମାଡ଼ ଖାଇବୁ ମନୁ । ତୋର ସାଙ୍ଗ ହେଲେ କଣ ହେଇଗଲା ? ମାନସୀ ସାଙ୍ଗେ ଟିକିଏ ଖେଳିଲା ପରେ ତୋ ସାଙ୍ଗେ ଖେଳିବ ।”

 

ମନୁ ଆଉ ସାହସ କରି କିଛି କହି ପାରିଲାନି, ତେବେ ରାଗ କ୍ଷୋଭ, ଅପମାନରେ ତାର ଆଖି ଦୁଇଟା ଯେମିତି ଫାଟି ପଡ଼ୁଥିଲା ।

 

ଆଉ ମୁଁ ବଡ଼ ଦୋସନ୍ଧିରେ ପଡ଼ି ଯାଇଥିଲି । ମନୁକୁ ଛାଡ଼ି ଯାଇପାରୁନି, ପୁଣି ମନୁର ନନାଙ୍କୁ ଅମାନ୍ୟ କରିବାର ସାଧ୍ୟ ନାହିଁ । ଯଦି କରେ ବୋଉ କାନକୁ କଥାଟା ଗଲେ ପିଠିକୁ–ଗାଲକୁ ଆଉ ଫୁରୁସତ ମିଳିବନି । ବାଧ୍ୟ ହୋଇ ସ୍ଖଳିତ ପଦକ୍ଷେପରେ ମାନସୀ ସଙ୍ଗେ ତାର ଖେଳ ଘରକୁ ଯାଇଥିଲି । ଅନୁଭବ କରୁଥିଲି, ପଛରେ ଠିଆହୋଇ ମନୁ ନିଷ୍ପଲକ କ୍ରୂର ଦୃଷ୍ଟି ମୋ ଉପରେ ନିକ୍ଷେପ କରୁଥିଲା ।

 

ମାନସୀର ଖେଳଘରଟା ଠିକ୍ ମନୁର ଖେଳ ଘର ଭଳି । ବିଲାତୀ କୁକୁରଟାକୁ ଛାଡ଼ିଦେଲେ ସେ ଘରେ ଆଉ ଯାହା ଯାହା ଜିନିଷ ଥିଲା ମୋର ସେଇ ବୟସଟାକୁ ଲୁବ୍‍ଧ ମୁଗ୍‍ଧ କରିବା ପାଇଁ ଯଥେଷ୍ଟ ।

 

ମାନସୀ ସଙ୍ଗେ ପ୍ରଥମେ କିଛି ସମୟ ଲୁଡ଼ୁ ଖେଳିଥିଲି, ତା ପରେ କ୍ୟାରମ ଖେଳ । ମନେ ପଡ଼ୁଚି, ଖେଳ ପରେ ପରମ ଉଦାରତାର ସହିତ ମାନସୀ ମତେ ଚାରିଖଣ୍ଡ ଛବି ବହି ଉପହାର ଦେଇଥିଲା ।

 

ମନୁ କଥା ମୁଁ ଭୁଲି ନ ଥିଲି, ସେମିତି ଅକୃତଜ୍ଞ ମୁଁ ନୁହେଁ । ତେଣୁ ବହିତକ ପାଇବା ପରେ ଜଣେଇଥିଲି, “ଏଥର ଯାଉଚି, ମନୁ ଭାରି ରାଗି ଯାଇଚି ।”

 

ମାନସୀ ବିବେଚକଙ୍କ ଭଳି କହିଥିଲା, “ହଉ ।”

 

ମୁଁ ଚାଲି ଆସୁଥିଲି, ମାନସୀ ଡାକିଲା, “ନରି ଭାଇନା–”

 

ଥକ୍‍କା ହୋଇ ଠିଆ ହୋଇ ପଡ଼ିଥିଲି । ମାନସୀ କହିଥିଲା, “ତମେ ସବୁଦିନେ ଏଣିକି ଆସିବଟି ?”

 

“ମୁଁ ସବୁଦିନେ ତ ଆସୁଚି ।”

 

“କାଲି ଆସିଥିଲ ?”

 

“କାଲି ନନା ଆସିଥିଲେ ପରା– ?”

 

“ନନା ଆସନ୍ତୁ କି ଯିଏ ଆସନ୍ତୁ, ତମେ ସବୁଦିନ ଆସିବ । ଆଉ–”

 

“କଣ ?”

 

“ଭାଇନା ସାଙ୍ଗେ ଖେଳିବା ଆଗରୁ ମୋ ସାଙ୍ଗେ ଖେଳିବ ।”

 

“ମନୁ ଯଦି ରାଗିବ ?”

 

“ତା ହେଲେ ମୁଁ କାନ୍ଦି କାନ୍ଦି ଗଡ଼ିଯିବି ଜାଣିଥା । ଖେଳିବ ଟି ?”

 

ଦ୍ଵିଧାନ୍ୱିତ ଅନିଶ୍ଚିତ ଭାବରେ କହିଥିଲି, “ହଉ ।”

 

ମାନସୀ ପାଖରୁ ଛାଡ଼ ପାଇ ଦୋମହଲାକୁ ଯାଇ ଦେଖିଲି ମନୁ ମୁହଁ ଫୁଲେଇ ବସିଚି । ମତେ ଦେଖିବା ମାତ୍ରେ ରାଗିଯାଇ କହିଥିଲା, “ଯା–ଯା, ଆଜିଠୁ ତୁ ମୋର ଆଉ ସାଙ୍ଗ ନୁହଁ । ମୋ ସାଙ୍ଗେ ଖେଳିବା ଦରକାର ନାହିଁ । ସେ ମାଙ୍କୁଡ଼ୀ ସାଙ୍ଗରେ ଯା ଖେଳିବ ।

 

କେତେ ଖୁସାମତ କରି ସେଦିନ ମନୁର ରାଗ ଶାନ୍ତ କରିଥିଲି ସେକଥା କେବଳ ମୁଁ ଜାଣେ ।

 

ଯାହା ହେଉ ସେଇଦିନ ମାନସୀ ପ୍ରଥମେ ମୋଆଡ଼େ ହାତ ବଢ଼ାଇଥିଲା । ମନୁ ସଙ୍ଗେ ବନ୍ଧୁତ୍ଵ ସମ୍ପର୍କ ଧରି ଏ ଘରକୁ ମୋର ଯିବା ଆସିବା ଚାଲିଥିଲା । ସେଇ ସମ୍ପର୍କଟାରେ ସେଇ ଦିନଠୁ ମାନସୀ ଭାଗ ମାରିଥିଲା । ଭାଗ ବଣ୍ଟା ବ୍ୟବସ୍ଥାରେ ମନୁଆଡ଼େ ସଦାବେଳେ ଓଜନଦାର ଅଂଶଟା ରହୁଥିଲା, ମୋ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ଥିଲା । କିନ୍ତୁ ମାତ୍ର ଗୋଟାଏ ଦିନରେ ମାନସୀ ମୋର ଅନ୍ଦି କନ୍ଦି, ଭିତର ବାହାର ମୋର ବୋଲି ଯାହା କିଛି ଥିଲା ସବୁତକ ଦଖଲ କରି ନେଇଥିଲା । ସେଦିନ ମାନସୀ ଯେ ମତେ ତା ଘରକୁ ଡାକି ନେଇ ଯାଇଥିଲା ତାରି ଭିତରେ ମୋର ଭାଗ୍ୟ ଗଭୀର ରେଖାରେ ନିର୍ଦ୍ଦିଷ୍ଟ ହୋଇ ଯାଇଚି ।

 

ପ୍ରଥମ ପରିଚୟ ଦିନଠାରୁ ମାନସୀର ଏତେ ବିଦ୍ୱେଷ ଏତେ ବିରୂପତା, ଏତେ ଦୂରେଇ ଦୂରେଇ ରହିବା–ସେ ସବୁ କିଛିର ତଳେ ଯେ ଆଉ ଗୋଟାଏ ବିପରୀତ ଖେଳ ଥିଲା, ସେ କଥା କିଏ ଜାଣିଥିଲା ?

 

ନଅ

 

ଏତେକାଳ ପରେ ନନା ଫେରି ଆସିଥିବାରୁ ସମସ୍ତେ ଖୁସି ।

 

ସର୍ବାପେକ୍ଷା ଅଜା ବେଶି ଖୁସି, କାହିଁକି ନା ସେ ହେଉଚନ୍ତି ଭୋଜନ ରସିକ । ରସନାଟାକୁ ଭଲ ଭଲ ଖାଦ୍ୟର ଧ୍ୟାନରେ ତାଙ୍କର ସରସ ଲାଳାୟିତ ହୋଇରହିଚି । ନନାଙ୍କର ଆସିବା ଆଗରୁ ଜିଭଟାକୁ ସଂଯତ କରି ରଖିବାକୁ ହେଇଥିଲା । ଦୁଃଖରେ ଅଜା ଏକାବେଳେ ମୁହ୍ୟମାନ ହୋଇ ପଡ଼ିଥିଲେ । ନନାଙ୍କ ଆସିବାରେ ମର୍ମବେଦନା ଏକାବେଳେ କଟି ଯାଇଥିଲା । ଅଜାଙ୍କର ଉତ୍ସାହ ସେତେବେଳେ ଦେଖେ କିଏ ।

 

ସକାଳୁ ଉଠିବା ମାତ୍ରେ ଅଜା ମାଂସ ପାଇଁ ବାହାରି ପଡ଼ନ୍ତି । ଉପରବେଳା ଅଫିସରୁ ଫେରି କେଉଟ ସାଇରେ ଯାଇ ଜଗି ବସି ଥାଆନ୍ତି, ରୋହି କି ଭାକୁର ମାଛ ଧରିଲେ ଯାଇଉଠନ୍ତି । କୋଉଠୁ ବାସନା ଖିରୀ ଚାଉଳ, କୋଉଠୁ ଖାଣ୍ଟି ଦୁଧ, କୋଉଠୁ ଘିଅ ଯୋଗାଡ଼ କରିବାରେ ଲାଗିଥାଆନ୍ତି । ମୋଟ ଉପରେ ତାଙ୍କର ଧ୍ୟାନ ଧାରଣା ସବୁ ଭଲ ଭଲ ଖାଦ୍ୟ ଭିତରେ ସମର୍ପି ଦେଇଥିଲେ ।

 

ଦିନେ ଦେଖିଲା ବେଳକୁ ଦଳେଇଘାଟର ପ୍ରସିଦ୍ଧ ଗୁଡ଼ିଆ ଶାମ ସାହୁ ଦୋକାନରୁ ହାଣ୍ଡିଏ ଛେନାବରା ଆଣି ଦାଣ୍ଡ ଦ୍ଵାର ପାଖରେ ରଖି ଅଜା ହସି ହସି ଏକାବେଳେ ନାକେଦମ୍ । ମୁଁ ଆଶ୍ଚର୍ଯ୍ୟ ହେଇ ଯାଇଥିଲି । ପଚାରିଥିଲି, “କଣ ଏମିତି ହସୁଚ ?”

 

ଅଜା କହିଥିଲେ, “ଖୁସିରେ ।”

 

“ଖୁସିରେ !”

 

“ହଁ ରେ ନରି ! ଦେଖ୍ କଣ ନେଇ ଆସିଚି । ଛେନାବରା ନୁହେଁ ତ ସାକ୍ଷାତ ମିଠା ଲହୁଣୀରେ ତିଆରି ବରାଗୁଡ଼ାଏ । ପାଟିରେ ପକୋଉ ପକୋଉ ମିଳେଇ ଯାଉଚି ପରା । କେମିତି ବାସନା ଦେଖୁନୁ ।”

 

“ଛେନାବରା ଆଣି ଏମିତି ଖୁସି ହେଉଚ, ଘରେ ତ ହସିଥିଲେ ହେଇଥାଆନ୍ତା !”

 

“ଘର ଭିତରେ କେମିତି ହସିବି !”

 

“କାହିଁକି ?”

 

“ଘରେ ତୋର ନନା ଅଛନ୍ତି ! ଜୁଆଇଁଙ୍କ ପାଖରେ ଛେନାବରା ଯୋଗୁ ଖୁସି ହୋଇ ହସିଲେ ସେ କଣ ଭାବିବେ ! ଭାବିବେ ଶଶୁରଟା ଏଡ଼ିକି ଟକରା !”

 

ଅଜାଙ୍କ ଭଳି ଆଈ ମଧ୍ୟ ଖୁବ୍ ଖୁସି । ସେଇଟା ଅବଶ୍ୟ ଭଲମନ୍ଦ ଖାଇବାର ପ୍ରଲୋଭନରେ ନୁହେଁ । ଏତେଦିନ ପରେ ଜୁଆଇଁ ଆସିଚନ୍ତି । ଘରଟା ଯାକର ରୁଦ୍ଧଶ୍ୱାସର ଆବହାୱା କଟିଯାଇ ସିରି ସିରି ହୋଇ ଦକ୍ଷିଣା ପବନ ବହିବା ଆରମ୍ଭ କରିଚି, ଏଥିରେ କୋଉ ଶାଶୁବୁଢ଼ୀ ଆନନ୍ଦ ନ ହୋଇ ରହିପାରେ !

 

ଜ୍ଞାନ ହେବା ପରେ ନନାଙ୍କୁ ମୋର ସେଇ ପ୍ରଥମ ଦେଖିବା । ନନାଙ୍କୁ ପାଇ ମୁଁ ଉଚ୍ଛ୍ଵସିତ ଆନନ୍ଦରେ ଭରପୁର । ମୋର ହୃତପିଣ୍ତ ଅସୀମ ଆନନ୍ଦର ଦୁର୍ବାର ବେଗରେ ପଡ଼ିବା ଉଠିବା ଆରମ୍ଭ ହୋଇଥିଲା । ସ୍କୁଲର କେତେଟା ଘଣ୍ଟା ଆଉ ମନୁଙ୍କ ଘରେ କିଛି ସମୟ, ଛଡ଼ା ବାକି ସମୟତକ ନନାଙ୍କ ପଛରେ ଲାଙ୍ଗୁଡ଼ଭଳି ଲାଗି ରହିଥାଏ । ତାଙ୍କ ସାଙ୍ଗରେ ଗାଧୋଇବା, ଖାଇବା, ଶୋଇବା, ନନାଙ୍କୁ ନେଇ ମୋର ଜୀବନର ଆହ୍ନିକ ଗତି କ୍ରମଶଃ ଦୃଢ଼ରୁ ଦୃଢ଼ତର ହୋଇ ଉଠିଥିଲା ।

 

ସର୍ବାପେକ୍ଷା ଉଲ୍ଲେଖ ଯୋଗ୍ୟ ପରିବର୍ତ୍ତନ ବୋଉର । ଯେଉଁ ଦେହକୁ ଚିରଦିନ ଅବହେଳିତ ବେଶରେ ଦେଖିଚି, ଚିରଦିନ ଯିଏ ରାଗି, ନିଷ୍ଠୁରା, ମମତାହୀନା ତାକୁ ଯେମିତି ଆଉ ଚିହ୍ନି ହେଉ ନ ଥିଲା ।

 

ସେଦିନ ରାତିରେ ନନାଙ୍କ ସଙ୍ଗେ ସନ୍ଧି ହେବା ପରଠାରୁ ବୋଉର ଏତେ ଦିନର ଚିହ୍ନା ରୂପଟା ବଦଳି ଯାଇଥିଲା । ଚିରଦିନ ବୋଉ ନିଜକୁ ଅବହେଳା କରିଚି । ଚିରକାଳ ନିଜଆଡ଼େ ନ ଚାହିଁ ରହିଥିଲା । ନନାଙ୍କ ସହିତ ସେଇ ସନ୍ଧି ରାତିରେ ଶାଢ଼ୀ ଗହଣା ଏବଂ ବେଶ ପୋଷାକରେ ସେ ନିଜକୁ ଯେମିତି ସଜେଇଥିଲା ସେଇ ବେଶରେ ଏଣିକି ତାକୁ ଦେଖୁଚି । ଏତେ କାଳ ଆତ୍ମପୀଡ଼ନ ପରେ ବୋଉ ନିଜଆଡ଼େ ଚାହିଁଥିଲା । ପ୍ରଥମେ ନିଜ ସମ୍ବନ୍ଧରେ ମନଯୋଗୀ ହେଇଥିଲା । ଆମ ଉପରେ ତାର ଟିକିଏ ହେଲେ ବିଦ୍ୱେଷ କିମ୍ବା ବିରୂପତା ନ ଥିଲା । କୋମଳ, ସଦୟ, ସ୍ନେହମୟୀ ହୋଇ ଉଠିଥିଲା ।

 

ଲକ୍ଷ୍ୟ କରିଚି, ଚାଲିଲେ ବୁଲିଲେ ବୋଉର ଗୋଡ଼େ ଗୋଡ଼େ ଯେମିତି ଖୁସି ଉଛୁଳି ପଡ଼ୁଚି । ତାର ଆଖି ଆଉ ମୁହଁରୁ ଏମିତି ଗୋଟାଏ ଦୀପ୍ତି ବିଛାଡ଼ି ହେଇ ପଡ଼ୁଥିଲା, ଯାହାକି ଆଜିଯାଏ କେବେ ଦେଖି ନ ଥିଲି ।

 

ମନେପଡ଼େ ସେଦିନ ଭୋର ବେଳେ ନନାଙ୍କ ସାଙ୍ଗେ ଦିଗନ୍ତ ବିସ୍ତାରି ପ୍ରାନ୍ତରରେ ଅକାରଣରେ ବୁଲାବୁଲିର ପରିଣାମ ମାରାତ୍ମକ ହେଇଥିଲା, ଘରକୁ ଆସି ବୋଉ ହାତରୁ ନିସ୍ତୁକ ମାଡ଼ ଖାଇଥିଲି । କିନ୍ତୁ ନନାଙ୍କ ସଙ୍ଗେ ବୋଉର ବୁଝାମଣା ପରେ ମୋର ଯେମିତି ସୁଦିନ ଆସି ଯାଇଥିଲା ।

 

ନନା କେବଳ ସେଇଦିନ ନୁହେଁ, ପ୍ରତିଦିନ ଭୋରରେ ଏବଂ ଉପରବେଳା–ଦୁଇଓଳି ମତେ ନେଇ ବୁଲି ବାହାରନ୍ତି । ସେ ଦିନର ସେଇ ଆଦିଗନ୍ତ ପଡ଼ିଆ ପଦର ଯାଇ ଯେଉଁଠି ଶେଷରେ ହୋଇଥିଲା ସେଇଟା ଗୋଟାଏ ଛୋଟ ଧରଣର ନଈ । ଦିନେ ଦିନେ କାଠୁଆ ଖଣ୍ଡକରେ ମତେ ବସେଇ ନନା ନଈରେ ବୁଲାନ୍ତି ।

 

ଯେଉଁ ନନାଙ୍କୁ ଘରର ସଂକୀର୍ଣ୍ଣ ପରିବେଶରେ ଦୁଇ ହାତରେ ବନ୍ଧନୀରେ ଧରିପାରେ, ଖୋଲା ଖୋଲି ଅବାଧ୍ୟ ଦିଗନ୍ତରେ ଆସି ସେ ଏକାବେଳେ ଅଧରା ହେଇପଡ଼ନ୍ତି । ସେଠାରେ ସେ ଉଦାସୀନ ବାଉଳା, ଆତ୍ମ ବିସ୍ମୃତ ଭଳି ଦୂର ମନସ୍କଭଳି କେଉଁ ଅଚିହ୍ନା ମହାଦେଶରେ ହଜିଯାଆନ୍ତି-

 

ଦିନେ ଦିନେ ଉପରବେଳା କାଠୁଆ ଡଙ୍ଗାରେ ନଈ ପାର ହେଉ ହେଉ ଅନ୍ଧାର ଘନେଇ ଆସେ । ଦେଖୁ ଦେଖୁ ସନ୍ଧ୍ୟାମାଳତୀ ଭଳି ସାରା ଆକାଶ ବଗିଚାଟାରେ ତାରାର ଫୁଲ ଫୁଟି ଉଠେ-। ଯୁଆଡ଼ୁ ଚାହିଁବ କେବଳ ତାରା–ତାରାର ମେଳା ! କେତେବେଳେ ଦିଗନ୍ତର ସେ ପଟୁ ଚନ୍ଦ୍ର ଉଠି ଆସି ନଈର ଦର୍ପଣରେ ନିଜର ମୁହଁ ଦେଖୁଥାଏ । ସେଇ କାର୍ତ୍ତିକ ଶେଷଆଡ଼କୁ ପୌଷ ହାତ ବଢ଼େଇ ଯେମିତି କିଛିଟା ଶୀତୁଆ ପରଶଦେଇ ଯାଉଥିଲା । କାତ ମାରି କାଠୁଆଟାକୁ ଆଗେଇ ନେଉ ନେଉ ନନା ଡାକନ୍ତି, “ପୁଅ–”

 

ମୁଁ ଉନ୍ମୁଖ ହୋଇଯାଏ । ଡାକିବାମାତ୍ରେ ଜବାବ ଦିଏ ।

 

ଯେଉଁ ନନାଙ୍କୁ ଘରେ ଖୁବ୍ ନିକଟର ମଣିଷ ବୋଲି ମନେହୁଏ, ଅନିଃଶେଷ ପ୍ରାନ୍ତର କିମ୍ବା ନଈ ମଝିରେ ସେ ସେମିତି ଅନ୍ୟରୂପ ଧାରଣ କରନ୍ତି । ମୁଁ ଜବାବ ଦେବା ପରେ ବି ଅନେକ ସମୟ ଧରି ସେ ମଗ୍ନ ହେଇ ରହିଯାଆନ୍ତି । କେତେବେଳ ପରେ ହଠାତ୍ ପଚାରନ୍ତି, “ତୋର ଦେଶ ବିଦେଶ ବୁଲିବାକୁ ଇଚ୍ଛା ହେଉଚି ପୁଅ ?”

 

ଦେଶ ବିଦେଶ ସମ୍ବନ୍ଧରେ ମୋର ସେ ବୟସରେ କୌଣସି ଧାରଣା ନ ଥିଲା । ଭୂଗୋଳରେ ପୃଥିବୀ କଥା ପଢ଼ିଛି । ମୋର ପୃଥିବୀ ଦଳେଇଘାଟ ଭିତରେ ସୀମାବଦ୍ଧ ଥିଲା ।

 

ନନା ଯେମିତି ଅଚିହ୍ନା–ଅଜଣା ରହସ୍ୟ ଜଗତର ଦୂତ, ମୋର ଛୋଟ ପରିଧି ଭିତରେ ସେଇ ପ୍ରଥମେ ସୁଦୂରର ସଂବାଦ ନେଇ ଆସିଥିଲେ । ଆଠବର୍ଷର ହୃତପିଣ୍ଡରେ ଏମିତି ଆନ୍ଦୋଳନ ଦେଖା ଦେଇଥିଲା ଯେ ଦିନସାରା ନିଶାଗ୍ରସ୍ତ ଭଳି ନନାଙ୍କଆଡ଼େ ଚାହିଁ ରହିଥାଏ । ତାଙ୍କର ସବୁକଥା ସବୁ ଇଚ୍ଛାରେ ସମ୍ମତି ଜଣେଇବାକୁ ଭଲଲାଗେ । ସମ୍ମତି ଜଣେଇ ଭାବେ ଧନ୍ୟ ହେଇଗଲି ।

 

ଦେଶ ବିଦେଶ ଆଉ ବୁଲିବା, ଏଇ ଶବ୍ଦ ଦୁଇଟା ଭିତରେ ଏମିତି ଗୋଟାଏ ରୋମାଞ୍ଚ ଆଉ ଆକର୍ଷଣ ଥିଲା ଯେ କିଛି ନ ବୁଝି ପ୍ରାୟ ସମ୍ମତି ଜଣେଇ ଦେଇଥିଲି ।

 

“ବୁଝିଲୁ ପୁଅ, ଦେଶ ନ ଦେଖିଲେ, ମଣିଷ ନ ଦେଖିଲେ ଜ୍ଞାନ ସମ୍ପୂର୍ଣ୍ଣ ହୁଏ ନାହିଁ । ବହି ପଢ଼ିଲେ କେତେ ବା କଣ ଜାଣିହେବ ! ପୃଥିବୀ ସାରା କେତେ ଆଶ୍ଚର୍ଯ୍ୟର ହାଟ ବସିଚି ! ଆଖି ଖୋଲି କେବଳ ଦେଖିବାକୁ ହୁଏ, କାନ ପତେଇ ଶୁଣିବାକୁ ହୁଏ, ଆଉ ମନଭରି ଅନୁଭବ କରିବାକୁ ହୁଏ ।”

 

ସେ ବୟସରେ ଏ ସବୁ ବୁଝିବା ମୋ ପକ୍ଷରେ ଅସମ୍ଭବ, ମତେ ବୁଝେଇଲା ଭଳି ଭାଷା ମଧ୍ୟ ଏ ଗୁଡ଼ାକ ନୁହେଁ । କିନ୍ତୁ ନନାଙ୍କର ତ ଖିଆଲ ନ ଥାଏ । ଦୂର ଦୂରାନ୍ତର–ଦେଶ–ଦେଶାନ୍ତର କଥା କହିବାକୁ ଗଲାବେଳେ କୌଣସି ଗୋଟାଏ ଅଶରୀର ଶକ୍ତି ଯେମିତି ତାଙ୍କ ଦେହରେ ପ୍ରବେଶ କରିଯାଏ । ଦୂରନ୍ତ ଆବେଗରେ ସେତେବେଳେ ସେ ଟଳମଳ ହେଉ ଥାଆନ୍ତି ଯେମିତି । ବୋଧହୁଏ ଆତ୍ମ ବିସ୍ମୃତ ହେଇଯାଆନ୍ତି ।

 

ମୁଁ ନୀରବ । ଅପଲକ ଭାବରେ ନନାଙ୍କଆଡ଼େ ଚାହିଁଥାଏ ।

 

ନନା କହନ୍ତି, “ଆଚ୍ଛା ପୁଅ–”

 

“କଣ ?”

 

“ଭାବିଚି ଏଥର ପାଟନା ଯିବି । ପ୍ରଭାସ, ଦ୍ୱାରକା ଆଉ ରମେଶ୍ୱର ଏଇ ତିନିଟା ତୀର୍ଥ ଏ ପର୍ଯ୍ୟନ୍ତ ବାକି ରହିଚି । କିନ୍ତୁ ପ୍ରଥମେ ମତେ ପାଟନା ଯିବାକୁ ହେବ । ସେଠି କଣ ଅଛି ଜାଣିଚୁ ପୁଅ ?”

 

“କଣ ?”

 

“ମଗଧର ପ୍ରସିଦ୍ଧ ବିଦ୍ୟା ମନ୍ଦିର ନାଲନ୍ଦାର ଉଗ୍ନାବଶେଷ ଅଛି । ମୋ ସାଙ୍ଗରେ ସେଠିକି ଯିବୁ ପୁଅ ?”

 

ମୋର ଆଖି ଦୁଇଟା ଚକ୍ ଚକ୍ ହୋଇଉଠେ । ଅନେକ ଦୂରରେ ପୃଥିବୀ ନାମକ ଏଇ ଗ୍ରହଟାର କୋଉ ପ୍ରାନ୍ତରେ ବସି ପ୍ରଭାସ, ଦ୍ଵାରକା, ରାମେଶ୍ଵର, ପାଟନା–ଅଶ୍ରୁତ ପୂର୍ବ ଅଦ୍ଭୁତ ଅଦ୍ଭୁତ ନାଆଁ ଗୁଡ଼ାକ ମତେ ଯେମିତି କ୍ରମାଗତ ହାତ ଠାରିବା ଆରମ୍ଭ କରି ଦେଇଥିଲା । ମୋର ସମ୍ମୋହିତ ସତ୍ତା ଭିତରୁ ଯେମିତି ଉତ୍ତରଟା ବାହାରି ଆସିଥିଲା, “ଯିବି ।” ପର ମୁହୂର୍ତ୍ତରେ ଗୋଟାଏ କଥା ମନେ ପଡ଼ି ଯିବାରୁ ଟିକିଏ ଇତସ୍ତତଃ ହୋଇ କହିଥିଲି, “କିନ୍ତୁ-”

 

ମୋ ସ୍ଵରରେ କଣ ଥିଲା କେଜାଣି । ନନା ଟିକିଏ ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲେ, “କିନ୍ତୁ କଣ ?”

 

“ତମେ ଯିବ କେମିତି ?”

 

“କାହିଁକି ?”

 

“ସେଦିନ ରାତିରେ ବୋଉକୁ ତମେ କହିଲ ନା, ଏଥର ଏଇଠି ରହିବ । ଚାକିରି କରିବ, ଅଲଗା ଘରଭଡ଼ା କରି ଆମମାନଙ୍କୁ ନେଇଯିବ । ଆମମାନଙ୍କୁ ଛାଡ଼ି ତମେ ଆଉ କୁଆଡ଼େ ଯିବନି-?”

 

ନନା ଟିକିଏ ଚମକି ପଡ଼ିଥିଲେ, “ଆରେ ହଁ–ହଁ, ସେଦିନ ତ ତୁ ଶୋଇ ନ ଥିଲୁ, ଚାହିଁରହି ସବୁ ଶୁଣିଚୁ ।” କହୁ କହୁ ତାଙ୍କର ମୁହଁ ଆଉ କଥାର ସ୍ଵର କେମିତି ବିମର୍ଷ ହୋଇ ଯାଇଥିଲା । କହିଥିଲେ, “ମୋର ଭୁଲ ହେଇ ଯାଇଚି, ଏ ଜୀବନରେ ଆଉ ବୋଧହୁଏ ପ୍ରଭାସ, ଦ୍ୱାରିକା, ରାମେଶ୍ଵର ଯାଇ ହେବନି ।”

 

ମୋ ମୁହଁରେ କଥା ନାହିଁ, ସେଇ ବୟସରେ ବି ନନାଙ୍କର ଆଶାଭଙ୍ଗର ମନସ୍ତାପଟା ଯେମିତି ସାମାନ୍ୟ ଅନୁଭବ କରି ପାରିଥିଲି ।

 

ମନେ ପଡ଼ୁଚି ସକାଳ ଓଳି ନନା ମତେ ଧରି ପଡ଼ିଆ–ଡଗରରେ ବୁଲନ୍ତି କିନ୍ତୁ ଉପରେ ବେଳା ସବୁକିଛି ପଛରେ ପକେଇ ଦେଇ ଏଇ ଦିଗନ୍ତ ବିସ୍ତାରୀ ନଈକୁ ଚାଲିଆସନ୍ତି । ଏଠାରେ ଅକାରଣଟାରେ ପ୍ରତିଦିନ ଆସି ବୁଲିବା ଦରକାର । ସେତେବେଳେ ନୁହେଁ, ବଡ଼ ହେବା ପରେ ଅନେକ ଦିନ ପରେ ବୁଝିଚି ଏଇ ଅନିଶ୍ଚିତ ନୌକା ଚାଳନା ନନାଙ୍କ ଜୀବନର ପ୍ରତୀକ । ସାରା ଜୀବନ ନିର୍ଦ୍ଦିଷ୍ଟ କୌଣସି ସଙ୍କେତ ଆଗରେ ନ ରଖି ଲକ୍ଷ୍ୟହୀନ ଭାବରେ ବୁଲିଚନ୍ତି ! ସେଇଥିରେ ତାଙ୍କର ଆନନ୍ଦ, ସେଇଥିରେ ସେ ଖୁସି ।

 

ଦିନେ ଦିନେ କାଠୁଆରେ ବସି ବୁଲୁ ବୁଲୁ ହେମନ୍ତର ସ୍ୱଳ୍ପାୟୁ ମଧ୍ୟାହ୍ନ ଶେଷ ହୋଇ ସନ୍ଧ୍ୟା ମାଡ଼ି ଆସେ । ଦେଖୁ ଦେଖୁ କାକର ଆଉ ଅନ୍ଧାରର କଳା ମଲାଟ ତଳେ ନଈଟା ଅଦୃଶ୍ୟ ହେଇଯାଏ । ନନାଙ୍କର କିନ୍ତୁ ଖିଆଲ ନ ଥାଏ । ସେ କାଠୁଆରେ ବସି କାତ ମାରୁଚନ୍ତି ତ ମାରୁଚନ୍ତି-

 

ଆକାଶରେ ସେତେବେଳେ ଗୋଟାଏ ହେଲେ ପକ୍ଷୀର ଦେଖା ନାହିଁ, ସମସ୍ତେ ଯେ ଯାହାର ନିର୍ଦ୍ଦିଷ୍ଟ ଠିକଣାକୁ ଫେରିଗଲେଣି । ଦିନ ଶେଷର ରଙ୍ଗ ଟିକକ ବି ପୋଛି ହେଇଯାଇଚି । ପକ୍ଷୀ ଆଉ ରଙ୍ଗ ନ ଥିଲେ କଣ ହେବ, ମୁଣ୍ଡ ଉପରେ ଦୁଇ ଚାରିଟା ତାରା ମିଟିକା ମାରୁଥାଆନ୍ତି ।

 

ନନା ପଚାରନ୍ତି, “ବିଛା ରାଶି କୋଉଟା ଜାଣିଚୁ ପୁଅ ?”

 

“ନା,”ମୁଁ ମୁଣ୍ଡ ହଲାଏ ।

 

“ସପ୍ତର୍ଷି ?”

 

“ନା !”

 

“ବୃହଷ୍ପତି ?”

 

“ନା !”

 

“ମଙ୍ଗଳ ?”

 

ସେ ବୟସରେ ମୁଁ କଣ ଜାଣେ ? କଣ ବା ଶିଖିଚି ? ତେଣୁ ଏଥର ବି ମୁଣ୍ଡ ହଲେଇ ମୋର ଅଜ୍ଞାତାଜଣେଇ ଥିଲି । ଆଉ ନନା ବି ଏମିତି ଯେ, ଆଠ ନଅ ବର୍ଷର ଗୋଟାଏ ପିଲାଠାରୁ ଯୋଉ ପ୍ରଶ୍ନର ଉତ୍ତର ଆଶା କରାଯାଏନି ସେଇ ପ୍ରଶ୍ନ ପଚାରୁଚନ୍ତି ବୋଲି ଜାଣିପାରୁ ନ ଥାନ୍ତି ।

 

ଜଳ ସ୍ଥଳର ଅନେକ କିଛି କଥା ନନା ମତେ ଆଗରୁ ଶିଖେଇ ଦେଇଥିଲେ, ଏଥର ଅନ୍ତରୀକ୍ଷର ପାଠ ଆରମ୍ଭ ହେଇଥିଲା । ନଭୋ ମଣ୍ଡଳଆଡ଼େ ହାତ ଦେଖାଇ କୋଉଟା ସପ୍ତର୍ଷି, କୋଉଟା ବୃହସ୍ପତି, କୋଉଟା ମଙ୍ଗଳ, ଆଉ କୋଉଟା ଶୁକ୍ରଗ୍ରହ ନନା ମତେ ଚିହ୍ନେଇ ଦେଇଥିଲେ-

 

ଚିହ୍ନୋଉ ଚିହ୍ନୋଉ ଦିନେ ଦିନେ ରାତି ଅଧ ହେଇଯାଏ । ନିଶାଚର ମଣିଷଙ୍କ ଭଳି ଅନେକ ସମୟ ବୁଲା ବୁଲି କରି ଚୋରଙ୍କ ଭଳି ଘରକୁ ଯେତେବେଳେ ଫେରିଆସୁ ସେତେବେଳକୁ ସମସ୍ତେ ବସି ଢୁଳଉଥାନ୍ତି ।

 

ଆମମାନଙ୍କୁ ଦେଖି ବୋଉ ଉଠି ବସିଥିଲା, ନନାଙ୍କୁ ଗାଳିମନ୍ଦ, ଦେଇଥିଲା; “ତମର କୋଉ ବୁଦ୍ଧି ଶୁଣେ ! ପିଲାଟାକୁ ନେଇ ଥଣ୍ଡାରେ ଏତେ ରାତିଯାଏ ଏମିତି ବୁଲୁଚ ।”

 

ଅପ୍ରତିଭ ହୋଇ ନନା କଣ କହିଥିଲେ, ବୁଝି ହେଲାନି ।

 

ବୋଉ ପୁଣି କହିଥିଲା, “ଯାଅ, ଗୋଡ଼ହାତ ଧୋଇ ଆସ, ଖାଇବପରା । ଭାତ ତରକାରି ସବୁ ଏକାବେଳେ ଥଣ୍ଡା ହେଇଗଲାଣି ।”

 

ନନା ଆଉ କିଛି କହିଲେ ନି, କାନ୍ଧରେ ଗାମୁଛା ପକେଇ ଗୁଡ଼ୁ ଗୁଡ଼ୁ ହୋଇ କୂଅ ମୂଳକୁ ଚାଲିଗଲେ ।

 

ବୋଉ ଚୁପ୍ ହୋଇନଥିଲା, “ଏମିତି ଭାବରେ ବୁଲେଇ ବୁଲେଇ ତମେ ଦେଖୁଚି ପିଲାଟାର ସ୍ଵଭାବ ଖରାପ କରିଦେବ ।

 

ଏଥର ବି ନନା ନୀରବ ।

 

ବୋଉ କହୁଥାଏ, “ଆଉ କେତୁଟା ଦିନଗଲେ ତାର ବାର୍ଷିକ ପରୀକ୍ଷା ହେବ । ଏମିତି ଭାବରେ ବୁଲାବୁଲି କଲେ ଅକାରଣରେ ଗୋଟାଏ ବର୍ଷ ମାଟି ହୋଇଯିବ ।”

 

ଲକ୍ଷ୍ୟ କରୁଥିଲି, ବୋଉର ବିରକ୍ତ ହେବାଟା ପ୍ରଥମ ଦିନ ଭଳି ସେତେ ତୀବ୍ର ନୁହେଁ; ତା ଭିତରେ ଟିକିଏ ଯେମିତି ପ୍ରଶ୍ରୟ ମିଶି ରହିଚି ।

 

ଉପରବେଳା ଅନିଶ୍ଚିତ ଭାବରେ ନଈରେ ଡଙ୍ଗାରେ ବୁଲା ବୁଲି କରୁ କରୁ ନନାଙ୍କ ପ୍ରଭାବରେ ଗୋଟାଏ ବିଚିତ୍ର ଦିଗ ମୋ ପାଖରେ ଉନ୍ମୋଚିତ ହୋଇ ଯାଇଥିଲା ।

 

ମନେ ଅଛି ଦିନେ ନନାଙ୍କ ସାଙ୍ଗେ ଘରୁ ବାହାରୁଛି, ବୋଉ କହିଥିଲା, ଆଜି ଟିକିଏ ଚଞ୍ଚଳ ଫେରିବ ।

 

ନନା ପଚାରିଥିଲେ, “କାହିଁକି ?”

 

“ନନା ମାଂଉସ ପଲୋଉ କରିବା ପାଇଁ ଯୋଗାଡ଼ କରୁଚନ୍ତି, ସଂଧ୍ୟାହେବା ମାତ୍ରେ ଖାଇବା ଆରମ୍ଭ ହେବ । ଗରମ ଗରମ ନ ଖାଇଲେ ସେଗୁଡ଼ା ଭଲ ଲାଗିବନି ।”

ଉତ୍ସାହ ଗଳାରେ ନନା କହିଥିଲେ “ତା ହେଲେ ତ ଖୁବ୍ ଚଞ୍ଚଳ ଫେରିବା କଥା । ପଲୋଉ ଅନେକ ଦିନ ହେଲା ଖିଆ ହେଇନି, ଦେଖିବ ସନ୍ଧ୍ୟା ପୂର୍ବରୁ ଫେରି ଆସିବୁ । ଆରେ ପୁଅ, ଭୋକଟାକୁ ଟିକିଏ ପଜେଇ ଦେଇ ଆସିବା ।”

ବୋଉ ହସି ଦେଇ କହିଲା, “ଶଶୁରକୁ ଜୁଆଇଁ ବଳନ୍ତି ।”

ନନା ବି ହସି ହସି ମୋ ହାତଧରି ବାହାରକୁ ଚାଲି ଆସିଥିଲେ ।

ସେଦିନ ନନା କାତ ମାରି ମାରି କାଠୁଆଟା ଧରି ନଈ ମଝିକି ଚାଲି ଆସିଥିଲେ । ଏପଟେ ଯେଉଁଠି ଦିଗନ୍ତ ଆଉ ନଈ ଏକାଠି ହେଇ ଯାଇଚି ସେଆଡ଼େ ହାତଦେଖାଇ ନନା ପଚାରିଥିଲେ; “ସେଠି କଅଣ ଅଛି ଜାଣିଚୁ ପୁଅ ?

ସେ ପାରିକୁ କୌଣସି ଦିନ ଯାଇନି, ନନାଙ୍କ ସାଙ୍ଗେ ପ୍ରତିଦିନ ଏପଟ କୂଳେ କୂଳେ କାଠୁଆ ଧରି ଯାହା ବୁଲିଚି । ତେଣୁ ଅଜ୍ଞତାର ଅନ୍ଧାର ବେଷ୍ଟିତ ସେଇ ଚିରାଚରିତ କରୁଣ ଉତ୍ତରଟା ମତେ ଦେବାକୁ ପଡ଼ିଥିଲା, “ଜାଣିନି ।”

ହଠାତ୍ ନନାଙ୍କର କଣ ମନେପଡ଼ି ଯିବାରୁ ସାମାନ୍ୟ ହସିଦେଇ କହିଥିଲେ, “ତୁ ଆଉ ଜାଣନ୍ତୁ କେମିତି ! ତୋ ବୋଉ ତ ତତେ ଘରୁ ବାହାରିବାକୁ ଦିଏନି ।

ମୁଁ ନୀରବ ।

ଜୋରରେ କାତମାରି କାଠୁଆ ଡଙ୍ଗା ଖଣ୍ଡକୁ ଦଳଭିତରୁ କାଢ଼ି ଆଣୁ ଆଣୁ ମତେ ପଚାରିଥିଲେ “ସେ ପଟକୁ ଯିବୁ ପୁଅ ।

ନନାଙ୍କର କୋଉ କଥାଟାରେ ମୁଁ ଅରାଜି ଯେ ? ସଙ୍ଗେ ସଙ୍ଗେ ମୁଣ୍ଡ ଟୁଙ୍ଗାରି ଜଣେଇ ଦେଇଥିଲି, “ଯିବି ।”

ନନା ଆଉ ଦ୍ଵିତୀୟ ପ୍ରଶ୍ନ କରି ନଥିଲେ, ମୋ ତୁଣ୍ଡ ଫିଟିବା ମାତ୍ରେ କାଠୁଆଟାକୁ ପ୍ରବଳ ବେଗରେ ଅପର କୂଳ ଉଦ୍ଦେଶ୍ୟରେ ଦଉଡ଼େଇ ଦେଇଥିଲେ । ସନ୍ଧ୍ୟା ହେବାର ଟିକିଏ ପୂର୍ବରୁ ଆମେ ମାନେ ସେପଟେ ପହଞ୍ଚି ଯାଇଥିଲୁ ।

ଏପଟେ ସେମିତି କିଛି ବିସ୍ମୟର ଜିନିଷ ନ ଥିଲା । ଯୋଜନ ଯୋଜନ ବ୍ୟାପୀ ଚାଷ ଜମି । ମଝିରେ ମଝିରେ ବନ୍ଧ୍ୟା ପ୍ରାନ୍ତର ଆଉ କିଆ–ଛଣର ସାମ୍ରାଜ୍ୟ । ଏଗୁଡ଼ାକ ଭିତରେ କି ରହସ୍ୟ ଥିଲା ନନା ଜାଣନ୍ତି, ଦୁଇ ଆଖିରେ ଅପାର ମୁଗ୍‍ଧତା ନେଇ ଆଚ୍ଛନ୍ନଙ୍କ ଭଳି ସେ କେବଳ ଚାଲିବାରେ ଲାଗିଥାଆନ୍ତି । ମୁଁ ବା କଣ କରନ୍ତି, ତାଙ୍କୁଇ ଅନୁସରଣ କରୁଥାଏ ।

ଆମର ସେଇ ଚାଳିବାବେଳେ କୋଉଠି କେମିତି ଜଣେ ଦି’ ଜଣ ଲୋକଙ୍କର ଦେଖା ମିଳିଥିଲା । ସମସ୍ତେ ସାଧାରଣ ଚଷା ଶ୍ରେଣୀର ଲୋକ । କିଏ ଜମିରୁ କାମ ସାରି ଫେରୁଚି, କିଏ ବା ହାଟରୁ ଫେରୁଚି ।

 

ଯିଏ ଆଖି ଆଗରେ ପଡ଼ିଲା ନନା ଠିଆ ହୋଇ କିଛି ସମୟ ତା ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଦିଅନ୍ତି–ସେ ପଟେ ଦିଶୁଥିବା ଗାଁ ଗୁଡ଼ାକର ନାଆଁ କଣ, ଏ ପାଖରେ କି କି ଫସଲ ହୁଏ । ଏ ଅଞ୍ଚଳରେ ଦେଖିଲାଭଳି କୌଣସି ଜିନିଷ ଅଛି କି ନାହିଁ ପ୍ରଭୃତି ନାନା ପ୍ରକାରର କଥା ପଚାରୁଥାଆନ୍ତି ।

 

ଏମିତି କଥାବାର୍ତ୍ତା ହୋଇ ଯାଉ ଯାଉ ସନ୍ଧ୍ୟା ହେଇ ଯାଇଥିଲା । ତାପରେ ଦେଖୁ ଦେଖୁ ରାତି ମାଡ଼ି ଆସିଲା । ସମୟଟା ବୋଧହୁଏ ଶୁକ୍ଳପକ୍ଷର ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀ ହେବ-। କେତେବେଳେ ଯେ ପଡ଼ିଆ ଉପରକୁ ରୂପା ଥାଳି ଭଳି ଚନ୍ଦ୍ରଟା ଉଠି ଆସିଲାଣି, ସେ କଥା ଜଣାନାହିଁ ।

 

କେତେ ସମୟ ଚାଲିଥିଲୁ ମନେ ନାହିଁ । ହଠାତ୍ ଦେଖିଲୁ ଦଳେ ଲୋକ କେତେଟା କଦଳୀ ଗଛ, ଠେଙ୍ଗା ଆଉ ଭାଲି ନେଇ ରୀତିମତ ଯୁଦ୍ଧ ବେଶରେ ପଶ୍ଚିମ ଆଡ଼କୁ ଯାଇଥିବା ଗୋଟାଏ ଚଉଡ଼ା ରାସ୍ତାଧରି ଚାଲିଛନ୍ତି । ପରେ ବଡ଼ ହେବାପରେ ଜାଣିଲି ସେଇଟା ଜିଲ୍ଲାର୍ବୋଡ଼ର ସଡ଼କ ।

 

ଦଳଟାକୁ ଦେଖିବା ମାତ୍ରେ ନନା ଆଗେଇ ଯାଇଥିଲେ । ତାଙ୍କ ଆଖି ଆଉ ମୁହଁରେ ଅସୀମ ଆଗ୍ରହ ଫୁଟି ଉଠିଥିଲା । ପଚାରିଥିଲେ, ଏ କଣ ! ଏମିତି ଠେଙ୍ଗା ବାଡ଼ିଧରି କୁଆଡ଼େ ଯାଉଚ ?

 

ଜଣେ ମଧ୍ୟ ବୟସ୍କଲୋକ, ମୁଣ୍ଡର ବାଳଗୁଡ଼ାକ ଅନେକ ପରିମାଣରେ ପାଚି ଆସିଲାଣି, ବାକିତକ ଧୂଷରିଆ–ପଥରରେ ପିଟା ହୋଇ ଯେମିତି ତାର ଦେହ ତିଆରି ହେଇଚି, ସମ୍ଭବତଃ ଦଳପତି ହେବ । ଦୂରରେ ପଶ୍ଚିମ ପଟକୁ ହାତ ବଢ଼ାଇ କହିଲା, “ସେପଟେ ନଈ କୂଳକୁ ଲାଗି ଗୋଟାଏ ଜଙ୍ଗଲ ଅଛି, ଆମେମାନେ ଯାଉଚୁ ବାବୁ ।”

 

“କାହିଁକି, ସେଠାରେ କଣ ଅଛି ?”

 

“ଆଲୁଅ ପକ୍ଷ ରାତିରେ ସେଠି ଧଳା ଝିଙ୍କ ବାହାରନ୍ତି, ଗୋଟାଏ ଦୁଇଟା ମାରିବା ଆଶାରେ ଯାଉଛୁ । ଝିଙ୍କ ମାଂସ ଖାଇବାକୁ ଭାରି ସୁଆଦୁ ।”

 

“ଧଳା ଝିଙ୍କ ?”

 

“ହଁ ଆଜ୍ଞା, ବଗ ପକ୍ଷୀପରି ଧୋବଲା ।”

 

“କଳା ଝିଙ୍କ ଦେଖିଚି, ହେଲେ ତମେ କହୁଚ ଧଳା ଝିଙ୍କ ! ଦେଖିବାକୁ ଭାରି ମନ ହେଉଚି । ତମେମାନେ ଆମକୁ ଟିକିଏ ସାଙ୍ଗରେ ନେବ ?

 

ନାନାଙ୍କ ଉତ୍ସାହ ଦେଖି ଲୋକଟା ଟିକିଏ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା, ତାପରେ କହିଥିଲା, “ଯିବାରେ କିଛି କଥା ନାହିଁ ଯେ, ତେବେ–”

 

“କ’ଣ ?”

 

“ସେଇଟା ହେଲା ଆଜ୍ଞା ଜଙ୍ଗଲ ଜାଗା ଅସୁବିଧା ହେବ ଆଜ୍ଞା !

 

ଅସୁବିଧା ପ୍ରସଙ୍ଗଟାକୁ ନନା ପ୍ରାୟ ଫୁଟୁକି ମାରି ଉଡ଼େଇ ଦେଇଥିଲେ । କହିଥିଲେ, “ନାଇଁ–ନାଇଁ, ଅସୁବିଧା କିଛି ହେବନି । ତମେ ଖାଲି ସାଙ୍ଗରେ ନେଲେ ହେଲା ।”

 

“ଯିବେ ଯଦି ଚାଲନ୍ତୁ ।”

 

କଥାବାର୍ତ୍ତାରୁ ଜଣାଗଲା ଦଳପତିର ନାଆଁ ମୂଳିଆ ନାଏକ । ଜାତିରେ ଶଅର ।

 

ହଠାତ୍ କଣ ମନେ ପଡ଼ିଯିବାରୁ ନନା ପଚାରିଥିଲେ, “ଝିଙ୍କ ମାରିବାକୁ ତ ଯାଉଚ, ଏ କଦଳୀ ଗଛଗୁଡ଼ା କଣ ହେବ ?”

 

“କଦଳୀଗଛ କଣ ହେବ, ଜାଣି ନାହାନ୍ତି ?” ନନାଙ୍କର ଅଜ୍ଞତାରେ ମୂଳିଆ ନାଏକ କେମିତି ଟିକିଏ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା !

 

“ନାଇଁ ତ ।”

 

ଏଥର ମୂଳିଆ ନାଏକ ବ୍ୟାଖ୍ୟା କରି ବୁଝେଇ ଦେଇଥିଲା, ଧଳା ଝିଙ୍କଭଳି ଦ୍ରୁତଗାମୀ ଜନ୍ତୁ ସାଙ୍ଗରେ ଧାଇଁବା ଦୁଃସାଧ୍ୟ । କେହି ଆକ୍ରମଣ କଲେ ସର୍ବାଙ୍ଗର କଣ୍ଟାଗୁଡ଼ାକ ଠିଆ କରିଦେଇ ସେମାନେ ପଳେଇ ଯାଆନ୍ତି । ସେତେବେଳେ ଦୂରରୁ କଦଳୀଗଛ ପକେଇ ଦେଲେ କଣ୍ଟାରେ ଫୁଟିଯାଏ । ସେତେବେଳେ ଝିଙ୍କମାନେ ଆଉ ଚାଲି ପାରନ୍ତି ନି । ତାପରେ ସେମାନଙ୍କୁ ଖୁବ୍ ସହଜରେ ଧରି ହୁଏ ।

 

ଯାହାହେଉ ଯାଉ ଯାଉ ନନା ସେ ଶିକାରୀ ଦଳଙ୍କ ସାଙ୍ଗେ ଖୁବ୍ କଥାବାର୍ତ୍ତା ଜମେଇ ଦେଇଥିଲେ । ଏ ଗୁଣଟା ତାଙ୍କର ହାତ, ଗୋଡ଼, ନାକ, ଆଖି ପ୍ରଭୃତି ଅଙ୍ଗପ୍ରତ୍ୟଙ୍ଗ ଭଳି ବୋଧହୁଏ ସହଜାତ ଗୁଣ । ମଣିଷଙ୍କୁ ମୁଗ୍‍ଧ କରି ସେ ଖୁବ୍ ଶୀଘ୍ର ବଶୀଭୂତ କରି ଦେଇ ପାରନ୍ତି ।

 

ଶେଷରେ ଆମମାନଙ୍କର ଯାତ୍ରା ଶେଷ ହେଲା । ଆମେମାନେ ନଈ ବାଲି ଉପର ଦେଇ ପଶ୍ଚିମ ପାଖରେ ଜଙ୍ଗଲ ପାଖରେ ପହଞ୍ଚି ଯାଇଥିଲୁ । ଆଗରେ କେନ୍ଦୁ–କୋଚିଲା, ଶାଳ–ପିଆଶାଳ; ଅଶନକୁରୁମ ପ୍ରଭୃତି ଅସଂଖ୍ୟ ଗଛ ଆଉ ବଡ଼ ବଡ଼ ବାଉଁଶ ବୁଦା ।

 

ମୂଳିଆ ନାଏକ ଏବଂ ତାର ଦଳ ଜଙ୍ଗଲ ପାଖରେ ଆସି ଗୋଟାଏ ଯାଗାରେ ଠିଆ ହୋଇ ପଡ଼ିଥିଲେ । ନନାଙ୍କଆଡ଼େ ଚାହିଁ କହିଥିଲେ, “ବାବୁ, କଥାଟା ଟିକିଏ ବିଚାର କରି ଦେଖନ୍ତୁ ଆଜ୍ଞା–”

 

“କୋଉ କଥା ?”

 

ମୋଆଡ଼େ ହାତ ବଢ଼ାଇ ମୂଳିଆ ନାଏକ କହିଥିଲା, “ଏଥର ଆମେମାନେ ଜଙ୍ଗଲ ଭିତରକୁ ପଶିବା । ଏଇ ସାନବାବୁଙ୍କୁ ନେଇ ଆପଣ କଣ ଭିତରକୁ ଯିବେ ?”

 

ନିର୍ଭୟରେ ନନା ଉତ୍ତର ଦେଇଥିଲେ, “ଯିବୁନି ତ ଆଉ କଣ । ନ ଗଲେ ଧଳାଝିଙ୍କ ଦେଖିବାର ସୁବିଧା ମିଳିବ କେମିତି ?”

 

ଦ୍ଵିଧାନିତ ଭାବରେ ମୂଳିଆ ନାଏକ କହିଥିଲା, “ହେଲେ ବାବୁ–”

“କହୁଚି ପରା ଯିବୁ । ଆଉ ହେଲେ ଫେଲେ କଣ ? ଦିଅ, ଚାଲ–ଚାଲ– ।” ନନା ଯେମିତି ଏଥର ଟିକିଏ ବିରକ୍ତ ହେଇଥିଲେ ।

ତଥାପି ମୂଳିଆ ନାଏକ ନ ଯାଇ କହିଥିଲା; “ବାବୁ ଜଙ୍ଗଲ ଭିତରେ କେତେ କଣ ଜନ୍ତୁଜୁନ୍ତା ଅଛନ୍ତି । ସାଙ୍ଗରେ ପିଲା ନେଇ ଯାଉଚେ । ସେଥିପାଇଁ କହୁଥିଲି–”

“ତମର କିଛି ଚିନ୍ତା କରିବା ଦରକାର ନାହିଁ । ମଲେ ତ ମରିବ, ଆଉ ଏ ହେଉଚି ମୋ ପୁଅ । ତା ପ୍ରାଣର ଦାୟିତ୍ଵ ମୋର । କିଛି ହେଇଗଲେ ତମୁକୁ ଦୋଷ ଦେବିନି ।”

“ହଉ ବାବୁ, ଆମର ଦୋଷ ଛାଡ଼ିଗଲା । ଆସନ୍ତୁ–”

ଗୋଟାଏ ସରୁ ଡଗର ରାସ୍ତା ଜଙ୍ଗଲ ଭିତରକୁ ପଶିଯାଇଥିଲା । ମୂଳିଆ ନାଏକ ପ୍ରଥମେ ପଶିଥିଲା, ମଝିରେ ନନା ଆଉ ମୁଁ, ବାକି ଲୋକଗୁଡ଼ାକ ଆମ ପଛେ ପଛେ ଚାଲିଥିଲେ ।

ଯାଉ ଯାଉ ମୂଳିଆ ନାଏକ ସତର୍କ କରି ଦେଇଥିଲା, “ଖୁବ୍ ସାବଧାନ, ଟିକିଏ ହେଲେ ଶବ୍ଦ କରିବେନି । ଝିଙ୍କ ଭାରି ହୁସିଆର ଜନ୍ତୁ, ଟିକିଏ ଶବ୍ଦ ଶୁଣିଲେ ସେ ଆଉ ଗାତ ଭିତରୁ ବାହାରିବନି ।”

ଗୋଡ଼ ଚିପି ଚିପି ଖୁବ୍ ସନ୍ତର୍ପଣରେ, ଏମିତି କି ଯେତେଟା ପାରି ହୁଏ ନିଶ୍ଵାସ ଧୀରେ ଧୀରେ ନେଇ ଆମେମାନେ ଆଗେଇ ଯାଉଥିଲୁ । ବନଭୂମିର ବାୟୁମଣ୍ଡଳରେ ସାମାନ୍ୟ ତରଙ୍ଗ ବି ଉଠୁ ନ ଥିଲା ।

ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀର ଚନ୍ଦ୍ରଟା ସେତେବେଳକୁ ମୁଣ୍ଡ ଉପରକୁ ଉଠି ଆସିଲାଣି । ସ୍ନିଗ୍‍ଧ ଜ୍ୟୋତ୍ସ୍ନା ଲୋକର ଧାରାସ୍ନାନରେ ସବୁଆଡ଼ ଧୋଇ ହୋଇଯିବାର କଥା । କିନ୍ତୁ ଜଙ୍ଗଲଟା ଏତେ–ନିବିଡ଼–ଏତେ ଘନ, ମୁଣ୍ଡ ଉପରେ ଏଭଳି ଭାବରେ ଚାନ୍ଦୁଆ ଝୁଲେଇ ରଖିଚି ଯେ ଚନ୍ଦ୍ରର ଆଲୁଅ ଭଲ ଭାବରେ ଦେଖାଯାଉନି । ବନାନୀ ଭିତର ଦେଇ ଗଳି ପଶି ଯୋଉ ଆଲୁଅ ଟିକକ ଆସୁଚି ସେତକ ଅନ୍ଧାରକୁ ଅପସାରିତ କରିବା ପାଇଁ ଯଥେଷ୍ଟ ନୁହେଁ । ଘନ ପତ୍ରର ଫାଙ୍କ ଦେଇ ଛାପୁରା ଛାପୁରା ଆଲୁଅ ବନ ପଥରେ ପଡ଼ିଥିଲା, ମନେ ହେଉଥିଲା ଖଣ୍ଡେ କଳା କୋଚଟ ଜାଲରେ ଅସଂଖ୍ୟ ରୂପେଲି ଚାନ୍ଦିମାଛ ଯେମିତି ଚକ୍ ଚକ୍ କରୁଚି ।

ଜଙ୍ଗଲ ଭିତରଦେଇ କେତେଦୂର ଯାଇଥିଲୁ, ମନେ ପଡ଼ୁନି । ଦଳପତିର ନିର୍ଦ୍ଦେଶରେ ହଠାତ୍ ଆମମାନଙ୍କୁ ଠିଆ ହେବାକୁ ପଡ଼ିଥିଲା । ସ୍ଥାନଟା ଆମମାନଙ୍କ ଉଦ୍ଦେଶ୍ୟ ପାଇଁ ମନୋରମ-। ବୃତ୍ତାକାରର ଛୋଟ ଛୋଟ କେତୋଟି ଗଛ ଅଛି, ତାରି ଭିତରେ କିଛିଟା ନିଭୃତ ଖୋଲା ସ୍ଥାନ-। ସେଇଠି ବସିଲେ ଚାରିଆଡ଼େ ଲକ୍ଷ୍ୟ ରଖି ହେବ, ଅଥଚ ବାହାରୁ ଭିତରର ଦୃଶ୍ୟ ଦୃଷ୍ଟିରେ ପଡ଼େ ନି-। ତା ଛଡ଼ା ଏଠାରେ ଅରଣ୍ୟ ସେତେ ନିବିଡ଼ ନୁହେଁ, ମୁଣ୍ଡ ଉପର ଚାନ୍ଦୁଆଟାରେ କିଛି ଅଂଶ ହଠାତ୍ ଯେମିତି ଛିଣ୍ଡିଯାଇଚି । ଫଳରେ ଚନ୍ଦ୍ର ଆଲୁଅ ଚାରିଆଡ଼େ ଖେଳେଇ ହେଇ ପଡ଼ିଚି-

ମୂଳିଆ ନାଏକ କହିଲା, “ଦିନବେଳେ ଆସି ଏ ଯାଗାଟା ଠିକଣା କରି ଯାଇଥିଲି, ଚାଲନ୍ତୁ ଭିତରକୁ ଯିବା ।”

 

ସମସ୍ତେ ଭିତରେ ଯାଇ ବସିଥିଲୁ ।

 

ମୂଳିଆ ନାଏକ କହିଲା, “ଆଖ ପାଖରେ ଅନେକଗୁଡ଼ାଏ ଗାତ ଦେଖାଯାଉଚି, ବୋଧହୁଏ ଝିଙ୍କ ଗାତ ହେବ । ସମସ୍ତେ ସେଆଡ଼େ ନଜର ରଖ । ଝିଙ୍କ ବାହାରିଲେ ତାର କଣ୍ଟାର ଝାଇଁ ଝାଇଁ ଶବ୍ଦ ଶୁଣି ହେବ ଯେ ।”

 

ତାପରେ ନିଃଶବ୍ଦ ପ୍ରତୀକ୍ଷା, ଉଦଗ୍ରୀବ ଅଧୀର ମୁହୂର୍ତ୍ତ ଗଣିବା ଆରମ୍ଭ ହେଇଥିଲା । ମଝିରେ ମଝିରେ ଅବଶ୍ୟ ଶଅରମାନେ ଫସ୍‍କରି ଡିଆସିଲି ମାରି ବିଡ଼ି ଲଗେଇବାରେ ଲାଗିଥାଆନ୍ତି । ଯେତେଥର ସେମାନେ ବିଡ଼ି ଲଗାଉ ଥାଆନ୍ତି ସେତେଥର ନନାଙ୍କୁ ଖଣ୍ଡେ ଲେଖାଏଁ ଦେଉଥାଆନ୍ତି । ସାତୋଟି ବିଡ଼ିର ଧୂଆଁରେ ଯେଉଁ ମେଘପୁଞ୍ଜ ବାରମ୍ବାର ସୃଷ୍ଟି ହେଉଥିଲା ସେତକ ମୋର ଶ୍ଵାସରୁଦ୍ଧ କରିବାପକ୍ଷେ ଯଥେଷ୍ଟ ।

 

ଯାହାହେଉ ବନଭୂମି ପ୍ରାୟ ନୀରବ ଥିଲା । ମଝିରେ ମଝିରେ ଛନ୍ଦ ପତନ ଭଳି ଚିଁ ଚିଁ ହୋଇ ଗୋଟାଏ ଗୋଟାଏ ପକ୍ଷୀ ଡାକ ଦେଉଥିଲେ । ଯେତେଥର ପକ୍ଷୀର ଡାକ ଶୁଣା ଯାଉଥାଏ ସେତେଥର ମୂଳିଆ ନାଏକ ଜଣେଇ ଦେଉଥାଏ, କୋଉ ପକ୍ଷୀ ଡାକୁଚି । ନନା ଅନେକଗୁଡ଼ାଏ ଚଢ଼େଇ ନାଆ ମତେ ବତେଇ ଦେଇଥିଲେ । ମୂଳିଆ ନାଏକ ପାଖରୁ ବି କେତେଟା ନୂଆ ଚଢ଼େଇଙ୍କ ନାଆଁ ଶିଖିଲି ।

 

ରହି ରହି ଅରଣ୍ୟକୁ ଚମକେଇ ଦେଇ ଗୋଟାଏ ଗୋଟାଏ ଦ୍ରୁତ ଶବ୍ଦ ମୁହୂର୍ତ୍ତକ ପାଇଁ ଶୁଣାଯାଇ ମିଳେଇ ଯାଉଥିଲା । ମୂଳିଆ ନାଏକ ଫୁସ୍‍ ଫୁସ୍ କରି ଜଣେଇ ଦେଉଥିଲା–ହେଇ ବାଉଁଶ ବଣ ଭିତରେ ସାପ ଗଲା, ହେଇଟି ବାରାହା ପାଣି ପିଇବାକୁ ଗଲା, ଏମିତି କେତେ କଣ । ଆଉ ଶୁଣା ଯାଉଥିଲା, ଝିଣ୍ଟିକାମାନଙ୍କର ଅଶାନ୍ତ କାନ୍ଦଣା । ବନଭୂମିର ହୃଦୟ ମଝିରେ କେଉଁ ଗୁହାୟିତ ବିଳାପ ଭଳି ସେଗୁଡ଼ା ଚାରିଆଡ଼େ ଖେଳେଇ ହୋଇ ଜଙ୍ଗଲଟାକୁ ବିଷର୍ଣ୍ଣ କରିଦେଉଥିଲା ଯେମିତି ।

ଏ ଜଙ୍ଗଲରେ, ଶବ୍ଦହୀନ ପ୍ରତୀକ୍ଷାର ସବାର ହୋଇ ସମୟ ସେମିତି ଆଉ ଆଗେଇ ପାରୁ ନ ଥିଲା । ତାର ଗତି ଏତେ ମନ୍ଥର ଏତେ ଶ୍ଳଥ ଯେ ମନେ ହେଉଥିଲା, ସେ ରାତିଟା ଆଉ ପାହିବନି । ଚନ୍ଦ୍ରାହତ ଶୁକ୍ଳପକ୍ଷ ରାତି ବନଭୂମିରେ ଝିମ୍‍ଝିମ୍ ହେଉଥିଲା । ଆଉ ସେଇଟା ଯେମିତି ନିଶାଭଳି ମୋ ରକ୍ତରେ ସଞ୍ଚରିତ ହୋଇ ଯାଇଥିଲା । ଗୋଟାଏ ଜ୍ୟୋସ୍ନାଲୋକିତ ରାତି ମଣିଷକୁ ଯେ ଏତେଗୁଡ଼ାଏ ସମ୍ମୋହିତ କରିପାରେ ମୋର ଧାରଣା ନ ଥିଲା । ମନେ ହେଉଥିଲା, ସ୍ୱପ୍ନାଚ୍ଛନ୍ନରେ ଆମେମାନେ ଗୋଟାଏ କୁହୁକ ରାଜ୍ୟକୁ ଆସିଯାଇଚୁ ।

କେତେ ସମୟ ବସିଥିଲୁ, ମନେନାହିଁ । ସମ୍ଭବତଃ ରାତି ଅଧକୁ ବଳେଇ ପଡ଼ିଥିଲା । ରାତି ସେତେବେଳକୁ ଆହୁରି ନିବିଡ଼ ଆହୁରି ଆଚ୍ଛନ୍ନ । ଏତେ ସମୟ ଯାଏ ବନଭୂମିର ସ୍ତବଧତା ଭାଙ୍ଗ ମଝିରେ ମଝିରେ ଗୋଟାଏ ଦୁଇଟା ପକ୍ଷୀ ଡାକ ଦେଉଥିଲେ, ସରୀସୃପଙ୍କର ଘୋଷରା ଚାଲିର ଶବ୍ଦ ଶୁଣା ଯାଉଥିଲା । ଜନ୍ତୁମାନେ ଏପଟ ସେପଟ ହେଉଥିଲେ । ବର୍ତ୍ତମାନ ସେସବୁ ବନ୍ଦ ହେଇଯାଇଚି । ଏମିତି କି ଝିଣ୍ଟିକାମାନଙ୍କର ଅଶ୍ରାନ୍ତ ବିଳାପ ମଧ୍ୟ ଆଉ ଶୁଣାଯାଉ ନ ଥିଲା । ସାରା ଜଙ୍ଗଲଟା ଯେମିତି ଏଥର ନିଘୋଡ଼ ନିଦରେ ଶୋଇ ପଡ଼ିଚି । ତାର ହୃତ୍‍ପିଣ୍ଡର ଉତଥାନ–ପତନ ବି ଆଉ ଶୁଣି ହେଉ ନ ଥିଲା ।

ବସି ବସି ବୋଧହୁଏ ଅଣ୍ଟା ଲାଗିଯାଇଥିଲା । ନିଷ୍ପଲକ ଦୃଷ୍ଟିରେ ଚାହିଁ ଚାହିଁ ଆଖି ଦୁଇଟା ବିନ୍ଧିବା ଆରମ୍ଭ ହେଇ ଯାଇଥିଲା । ହତାଶ, ବିରକ୍ତ, ବ୍ୟର୍ଥ ମୂଳିଆ ନାଏକ ହଠାତ୍ କହି ପକେଇଥିଲା, “ମନେ ହେଉଚି, ଶଳାଗୁଡ଼ାକ ଆଜି ଗାତରୁ ବାହାରିବେନି ।”

 

ତାର ଜଣେ ପାର୍ଶ୍ଵଚର କହିଲା, “ଆମର ତ ଦିଆସିଲି ମାରିବା ଦେଖି ଶଳାଗୁଡ଼ାକ ତରକି ଗଲେ କି କଣ ?”

 

“ହେଇଥିବ ।”

 

“କଣ ଆଉ କରିବା ?”

 

“ଆଉ କରିବା କଣ ! ମିଛରେ ମିଛରେ ରାତି ପାହିଲା ଯାଏ ଏଠାରେ ବସି କିଛି ଲାଭ ନାହିଁ । ଘରକୁ ଯାଇ ଘୋଡ଼େଇ ହେଇ ପହରେ ଶୋଇଲେ ସିଲ ।”

 

“ସେଇଆ ହଉ । ଚାଲ–”

 

ଅନୁଚରମାନଙ୍କୁ ଧରି ମୂଳିଆ ନାଏକ ଉଠି ପଡ଼ିଥିଲା । ନନା କିନ୍ତୁ ସେ ଯାଏ ଉଠି ନ ଥିଲେ । ତେଣୁ ତାଙ୍କ ଦେଖାଦେଖି ମୁଁ ବି ବସି ରହିଥିଲି ।

 

ମୂଳିଆ ନାଏକ ଆମକୁ କହିଥିଲା, “ଚାଲନ୍ତୁ ବାବୁମାନେ–”

 

ନନା କହିଥିଲେ, “ତମେମାନେ ଯାଅ, ଆମେ ଆଉ ଟିକିଏ ଦେଖିବୁ ।”

 

“କି କଥା କହୁଛନ୍ତି ବାବୁ, ଏ ନିଘୋଡ଼ ଜଙ୍ଗଲରେ ବସିଥିବେ !”

 

“ଗୁଡ଼ାଏ ରାତି ତ ହେଇଗଲାଣି । ଘଣ୍ଟାଏ ଦି’ଘଣ୍ଟା ପରେ ରାତି ପାହିବ ! ଭାବିଚି ଏକାବେଳେ ସକାଳ ହେଲେ ଉଠିବି । ଏଇ ଯଦି ଚାଲିଯାଉ, ତାହେଲେ ୟାପରେ ଧଳାଝିଙ୍କ ବାହାରିଲେ ଆଉ ଦେଖି ହେବନି ।”

 

“କିନ୍ତୁ–”

 

“ପୁଣି କଣ ?

 

ମୂଳିଆ ନାଏକ ବୋଧହୁଏ ତାର ଅର୍ଦ୍ଧ ଶତାବ୍ଦୀ ଜୀବନରେ ନନାଙ୍କ ଭଳି ବିଚିତ୍ର ମଣିଷ କେବେ ଦେଖି ନ ଥିଲା । ବୋକାଙ୍କ ଭଳି କିଛି ସମୟ ଚାହିଁ ରହି ପଚାରିଥିଲା, “ଯିବେନି ତାହେଲେ-!”

 

“ନା ।”

 

“ତାହେଲେ ଆମକୁ ବି ରହିବାକୁ ହେବ ।”

 

“ତମେମାନେ କଷ୍ଟକରି କାହିଁକି ରହିବ । ଯାଅ ।”

 

“ନାଇଁ ବାବୁ, ଆପଣଙ୍କ ହାତରେ ହାତ ହତିଆର କିଛି ନାହିଁ । ଏମିତି ଭାବରେ ଏ ବଣଟା ଭିତରେ ଛାଡ଼ି ଚାଲିଯିବୁ କେମିତି ?” ମୂଳିଆ ନାଏକ ବିବେକି ସହୃଦୟ ମଣିଷ । କିଛି ସମୟ ଆଗରୁ ଯାହା ସାଙ୍ଗରେ ବାଟରେ ମାତ୍ର କେତେ ପଦ କଥାବାର୍ତ୍ତା ହେଇଚି ତା ପାଇଁ କେହି କେବେ ଏତେଟା ଚିନ୍ତିତ ହେବନି । କିନ୍ତୁ ସେ ଦିନର ନିଦକୁ ବିସର୍ଜ୍ଜନ ଦେଇ ଦଳ ବଳ ଧରି କେବଳ ଆମମାନଙ୍କ ନିରାପତ୍ତା ପାଇଁ ସେ ପୁଣି ବସି ପଡ଼ିଥିଲା ।

 

ଯାହା ହେଉ, ରାତି ସାରା ଚାହିଁ ରହି ମଧ୍ୟ ସେଦିନ ଧଳା ଝିଙ୍କର ଦେଖା ମିଳିଲାନି । ସେମାନେ ସେଦିନ ଯେମିତି ଗାତରୁ ବାହାରିବେନି ବୋଲି ପ୍ରତିଜ୍ଞା କରିଥିଲେ ।

 

ଭୋରର ଆଲୁଅ ଦେଖାଯିବା ମାତ୍ରେ ମୂଳିଆ ନାଏକ କ୍ଷୋଭରେ କହିଥିଲା, “ଏଥର ଚାଲନ୍ତୁ ବାବୁ, ଧଳାଝିଙ୍କ ତ ଯାହା ଦେଖିଲେ–ଦେଖିଲେ, ମିଛଟାରେ ଖାଲି ରାତି ଅନିଦ୍ରା ହେବା ସାର ହେଲା ।”

 

ନନା କହିଥିଲେ, ମିଛରେ କାହିଁକି ରାତି ଅନିଦ୍ରା ହେବି ? ଚନ୍ଦ୍ର ପକ୍ଷ ରାତିରେ ଜଙ୍ଗଲ ଭିତରେ ଚାହିଁ ବସିବା ବି ଗୋଟାଏ ଅଭିଜ୍ଞତା ।

 

ସବୁକଥା ଗୁଡ଼ା ଯେ ମୂଳିଆ ନାଏକ ବୁଝିପାରିଲା, ସେ କଥା ନୁହେଁ । ତାର ମୁହଁକୁ ଦେଖିଲେ ମନେ ହେଉଥିଲା, ନନାଙ୍କର ମସ୍ତିଷ୍କର ସୁସ୍ଥତା ତା ସମ୍ବନ୍ଧରେ ସେ ଯେମିତି ସନ୍ଦିହାନ ହୋଇ ପଡ଼ିଚି ।

 

ନନା ପୁଣି କହିଥିଲେ, “କେବଳ ତମମାନଙ୍କର ଯାହା କ୍ଷତି ହେଲା ।”

 

“ଆମର ଆଉ କ୍ଷତି କଣ !”

 

ଜଙ୍ଗଲ ଭିତରୁ ବାହାରି ଶଅରମାନେ ତାଙ୍କ ଗାଆଁକୁ ଫେରି ଯାଇଥିଲେ । ଆମେ ନଈ କୂଳକୁ ଆସି କାଠୁଆରେ ବସିଥିଲୁ ।

 

ଜଙ୍ଗଲ ଭିତରେ ଗୋଟାଏ ରାତି କଟେଇ ଦେଇ ପରଦିନ ସକାଳୁ ଘରକୁ ଫେରି କପାଳରେ କଣ ଜୁଟିଥିଲା ଆଜି ଆଉ ମନେ ପଡ଼ୁନି । ତେବେ ଅଭ୍ୟର୍ଥନାଟା ଯେ ମନୋରମ ହେଇ ନ ଥିଲା, କହିବା ବାହୁଲ୍ୟ । ଯିଏ ପଲୋଉ ଥାଳି ସଜାଡ଼ି ଆସିବା ବାଟକୁ ଚାହିଁ ବସିଥିଲା ସେ ଯେ ଖୁବ୍ ସହଜରେ ଛାଡ଼ି ଦେଇଥିଲା ଏଭଳି ମନେ କରିବାର କୌଣସି କାରଣ ନାହିଁ ।

 

ଲାଞ୍ଛନା, ଗଞ୍ଜଣା, ଭର୍ତ୍ସନା ଅଦୃଷ୍ଟରେ ଯାହା ଜୁଟି ଥାଉନା କାହିଁକି, ତିଳେ ହେଲେ କ୍ଷୋଭ ନାହିଁ । ଧଳା ଝିଙ୍କର ସନ୍ଧାନରେ ରାତିରେ ଜଙ୍ଗଲ ଭିତରେ ନିଶି ଯାପନ କରି ନନାଙ୍କ ଚରିତ୍ରର ଗୋଟାଏ ପ୍ରଧାନତମ ଦିଗ ମୋ ପାଖରେ ସ୍ପଷ୍ଟ ହୋଇ ଯାଇଥିଲା । ଆଖି ଆଗରେ ଯାହାପଡ଼େ ସେଇ ତାଙ୍କୁ ଭାସେଇ ନେଇଯାଏ, ବର୍ତ୍ତମାନଙ୍କୁ ନେଇ ସେ ବ୍ୟସ୍ତ ରହନ୍ତି । ପଛରେ କିଏ ପଡ଼ିରହିଲା, କାହାକୁ କେତେବେଳେ କଣ ପ୍ରତିଶ୍ରୁତି ଦେଇ ଆସିଚନ୍ତି ସେକଥା ତାଙ୍କର ଆଉ ମନେ ନ ଥାଏ । ଚାଲୁ ଚାଲୁ ଯାହା ଦେଖନ୍ତି, ଯାହା ଶୁଣନ୍ତି, ସେଇ ଗନ୍ଧ–ଶବ୍ଦ–ରୂପମୟ ଜଗତ ପ୍ରତି ମୁହୂର୍ତ୍ତରେ ସମ୍ମୋହିତ ଭଳି ଦୃଶ୍ୟରୁ ଦୃଶ୍ୟନ୍ତରକୁ, ଗୋଟାଏ ଘଟଣାରୁ ଆଉ ଗୋଟାଏ ଘଟଣାକୁ ଗୋଟାଏ ସ୍ରୋତରୁ ଆଉ ଗୋଟାଏ ସ୍ରୋତକୁ ଭସେଇ ନେଇଯାଏ ।

 

ଦଶ

 

ନନାଙ୍କ କଥା ଭାବିବାକୁ ଗଲେ ବାଧାବନ୍ଧନହୀନ ଗୋଟିଏ ମୁକ୍ତ ପୁରୁଷର ଛବି ଆଖି ଆଗରେ ଭାସିଉଠେ । ଯେତେବେଳେ ତାଙ୍କର ମନ ଯୁଆଡ଼େ ଡାକେ ସେ ମାନସ ସରୋବରର ହଂସ ଭଳି ସେଆଡ଼େ ଡେଣା ମେଲେଇ ଦିଅନ୍ତି । କିଏ ବାଧା ଦେଲା, କିଏ ନିଷେଧର ଫାଶ ପିନ୍ଧେଇବାକୁ ଇଚ୍ଛା କଲା, କୌଣସିଆଡ଼େ ତାଙ୍କର ହୋସ୍ ନ ଥାଏ । ସମାଜରେ ଚଳିବାକୁ ହେଲେ ତାର କିଛିଟା ନିୟମ ମାନିବାକୁ ହୁଏ, କିନ୍ତୁ ଯେଉଁ ସବୁ ନିୟମ ଶୀତରେ–ବସନ୍ତରେ–ରାତିରେ–ଦିନରେ ଗୋଡ଼େ ଗୋଡ଼େ ଶୃଙ୍ଖଳ ହୋଇ ବାଜିବାକୁ ଇଚ୍ଛାକରେ ସେଗୁଡ଼ାକୁ ଛିଣ୍ଡେଇ ପକାଇବାରେ ନନାଙ୍କର ଆନନ୍ଦ । ଏସବୁ ଦିଗରୁ ନନା ପୂରାପୂରି ଅସାମାଜିକ ଥିଲେ ।

 

ଯାହା ହେଉ, ଏଇ ଉଦ୍ଦାମ ଯାଯାବର ନନାଙ୍କ ଗୋଡ଼ରେ ଶିଙ୍କୁଳି ଲଗେଇବା ପାଇଁ ନେପଥ୍ୟରେ ଗୋଟାଏ ଷଡ଼ଯନ୍ତ୍ର ଚାଲିଥିଲା । ଅବଶ୍ୟ ସେଇଟା ସେମିତି କିଛି ଗୋପନୀୟ ନୁହେଁ-। ଅଜା ତାଙ୍କ ପାଇଁ ଚାକିରି ଯୋଗାଡ଼ କରୁଥିଲେ ଏବଂ ତାଙ୍କର ପ୍ରଚେଷ୍ଟାରେ ଯେମିତି ଶିଥିଳତା ନ ଆସେ ସେଥିପାଇଁ ବୋଉ ଅବିରତ ତାଙ୍କ ପଛରେ ଲାଗି ରହିଥିଲା ।

 

ଦିନେ ଅଫିସରୁ ଫେରି ଅଜା ନନାଙ୍କୁ କହିଥିଲେ, “କାଲି ସକାଳ ଓଳି ତମେ ଆଉ କୁଆଡ଼େ ଯିବନି ବାପା ।”

 

ନନା ପଚାରିଲେ, “କାହିଁକି ?”

 

“ତମର ଚାକିରି ବ୍ୟବସ୍ଥା ସବୁ ଠିକ୍ ଠାକ୍ ହୋଇଯାଇଚି । ଆମ ଅଫିସର ବଡ଼ ହାକିମ ତମ ସାଙ୍ଗେ ଟିକିଏ କଥାବାର୍ତ୍ତା କରିବେ ତାପରେ ଚାକିରି ହେଇଯିବ ।

 

ନନା ଏଥର ଚୁପ୍ ରହିଥିଲେ ।

 

ଅଜା ଉତ୍ସାହ ଭାବରେ କହିଥିଲେ, “ବଡ଼ ହାକିମଙ୍କ ହାବଭାବରୁ ଯାହା ମନେ ହେଉଚି, କାଲି ନ ହେଲେ ପରଦିନଠାରୁ ବୋଧହୁଏ ତୁମକୁ କାମରେ ଜଏନ୍ କରିବାକୁ ପଡ଼ିବ ।”

 

ଏଥର ମଧ୍ୟ ନନା ନିରୁତ୍ତର ।

 

ନନାଙ୍କର ନିରୁତ୍ତରତା ଅଜା ବୋଧହୁଏ ଲକ୍ଷ୍ୟ କରି ନ ଥିଲେ । କହିଥିଲେ, “ଯେମିତି ଭୁଲି ନ ଯାଅ ବାପା, କାଲି ସାଢ଼େ ନଅଟା ବେଳେ ଅଫିସକୁ ଯିବା ।

 

ଏତେ ସମୟ ପରେ ନନା ଅସ୍ଫୁଟ ସ୍ଵରରେ କହିଥିଲେ, “ହଉ ।”

 

ପରଦିନ ନନା ଖୁବ୍ ଭଲ ପିଲା ପରି ଅଜାଙ୍କ ସାଙ୍ଗରେ ଗୁଡ଼ୁ ଗୁଡ଼ୁ ହୋଇ ତାଙ୍କ ଅଫିସକୁ ଯାଇଥିଲେ । ଦି’ ପ୍ରହର ଆଗରୁ ଆପଏଣ୍ଟମେଣ୍ଟ ଲେଟର ଧରି ଫେରି ଆସିଥିଲେ । ଅଜା କହୁଥିଲେ, ସେଦିନ କିମ୍ବା ତା ପରଦିନ ଅଫିସକୁ ଯିବାକୁ ହେବ । ଅବଶ୍ୟ ସେତେଟା ହେଇ ନ ଥିଲା । ଦୁଇଦିନ ପରେ ଯେଉଁ ନୁଆ ଇଂରାଜୀ ମାସ ପଡ଼ିବ ତାରି ପହିଲା ଦିନ ତାଙ୍କୁ ହାଜିରା ଦେବାକୁ ହେବ ।

 

ନନାଙ୍କର ଚାକିରି ପାଇବାରେ ସମସ୍ତେ ଖୁସି । ଅଜା ଖୁସି, ଆଈ ଖୁସି । ତେବେ ସବୁଠାରୁ ବେଶି ଆନନ୍ଦ ହେଇଥିଲା ବୋଉ । ସେଦିନ ବୋଉର ଚାଲିଚଳନ ଭାବଭଙ୍ଗୀରେ ଯେଉଁ ଦୀପ୍ତ ଫୁଟି ଉଠୁଥିଲା ସେଇଟା ଆଶାତୀତ ଥିଲା ।

 

ଚାକିରି ପାଇବା ପରେ ନନାଙ୍କର ପ୍ରତିକ୍ରିୟା କିନ୍ତୁ ବୁଝି ହେଲାନି । ଅସୀମ ନୀଳ ଆକାଶରେ ଡେଣା ମେଲାଇ ଜୀବନର ଅର୍ଦ୍ଧାଧିକ ସମୟ ଯିଏ କଟେଇ ଦେଇଚନ୍ତି, ଏତେ କାଳପରେ ଖୁସିରେ ଗୋଡ଼ରେ ବେଡ଼ି ପିନ୍ଧିବା ପାଇଁ ତାଙ୍କୁ କେମିତି ଲାଗିଥିଲା, କିଏ କହିବ । ଖୁସି କିମ୍ଵା ଅଖୁସି କୌଣସିଟାର ରେଖା ତାଙ୍କ ମୁହଁରେ ଦେଖାଯାଇ ନଥିଲା । ଗୋଟାଏ, ଆହ୍ନିକଗତିରେ ତାଙ୍କର ସମୟ କଟି ଯାଉଥିଲା, ସେଠାରେ ଟିକିଏ ହେଲେ ଛେଦ ପଡ଼ିନି ।

 

ନନା ଯେଉଁଦିନ ଚାକିରି ପାଇଲେ ସେଇଟା ଶନିବାର, ମଝିରେ ରବିବାରଟା ଆଉ ଅଫିସ୍ ଯିବାକୁ ପଡ଼ିବନି । ଏକାବେଳେ ସୋମବାରଠାରୁ ଗଲେ ଚଳିବ ।

 

ମନେ ଅଛି, ମଝିର ରବିବାର ଦିନ ନନା ମତେ ଯଥାରୀତି ନେଇ ସୂର୍ଯ୍ୟୋଦୟ ଦେଖାଇବା ଆଉ ବୁଲାବୁଲି କରିବା ପାଇଁ ବାହାରି ପଡ଼ିଥିଲେ । ପ୍ରଥମ ଦିନ ଭଳି ଆମେ ସେଦିନ ସେଇ ଚା’ ଦୋକାନରୁ ଚା’ ଖାଇଥିଲୁ । ଫେରିଲାବେଳେ ଦେଖିଲୁ ଅନେକଗୁଡ଼ାଏ ଶଗଡ଼ ଗାଡ଼ି ଧାଡ଼ି ବାନ୍ଧି ଜିଲ୍ଲାବୋର୍ଡ଼ ସଡ଼କ ଉପରେ ପୂର୍ବ ଦିଗକୁ ଚାଲିଚି । ନନା ବହୁଦଶୀ ମଣିଷ, ଗାଡ଼ିଗୁଡ଼ାକ ଦେଖିବା ମାତ୍ରେ ଚିହ୍ନି ପାରିଥିଲେ । ଆମେ ସେତେବେଳକୁ ପଡ଼ିଆ ମଝିରେ । ଦୂରରୁ ନନା ଡାକ ପକେଇଥିଲେ, “ଯାତ୍ରା ଦଳ ନା କଣ ହେ–”

 

ଶଗଡ଼ରୁ ଜବାବ୍ ମିଳିଥିଲା, ହଁ, ବାବୁ–”

 

ନନାଙ୍କର ଆଖି ଦୁଇଟି ଉଜ୍ଜ୍ୱଳ ହୋଇ ଉଠିଥିଲା । ବ୍ୟସ୍ତ ଭାବରେ ମତେ କହିଥିଲେ, “ଟିକିଏ ଚଞ୍ଚଳ ଆସିବୁଟି ପୁଅ, ସେମାନଙ୍କ ପାଖକୁ ଯିବା ।” କହୁ କହୁ ମୋ ହାତଟା ଧରି ସେ ଏକ ପ୍ରକାର ଧାଇଁଲା ଭଳି ସଡ଼କ ଉପରକୁ ଉଠି ଆସିଥିଲେ ।

 

ଶଗଡ଼ରେ ଯେଉଁମାନେ ବସିଥିଲେ ସମସ୍ତଙ୍କ ମୁଣ୍ଡରେ ଝିଅ ପିଲାଙ୍କ ଭଳି କାନ୍ଧଯାଏ ବାଳ ଝୁଲି ପଡ଼ିଥାଏ, ଆଖିତଳ ଗୁଡ଼ାକ କେମିତି କଳା କଳା ଦେଖା ଯାଉଥାଏ, ରାତି ଅନିଦ୍ରା ହେଇ ସମସ୍ତେ ଢୁଳୁ ଢୁଳୁ ହେଉଚନ୍ତି । ସେମାନଙ୍କ ସାଙ୍ଗରେ ଅସଂଖ୍ୟ ପୁରୁଣା ବଡ଼ ବଡ଼ ଟ୍ରଙ୍କ ରହିଚି, ସେଗୁଡ଼ାକ ଭିତରେ ବୋଧହୁଏ ବେଶ ପୋଷାକ ସରଞ୍ଜାମ ଥିଲା । ତାଛଡ଼ା ସ୍ତୂପୀକୃତ ବିଛଣା ପତ୍ର ସଙ୍ଗେ ଧନୁ, ତୃଣୀର, ଗଦା, ବର୍ଚ୍ଛା ପ୍ରଭୃତି ଶଗଡ଼ରେ ଭର୍ତ୍ତି ହୋଇଥାଏ ।

 

ଅନେକ ଦିନ ଆଗେ ବୋଉର ମନ କଣ ହେଇଥିଲା କେଜାଣି, ଆଈ ସାଙ୍ଗେ ମତେ ଥରେ ଯାତ୍ରା ଦେଖିବା ପାଇଁ ଛାଡ଼ିଥିଲା । ସେଦିନ ‘ବବ୍ରୁ ବାହନ’ ନାଟକ ହେଉଥାଏ । ବବ୍ରୁ ବାହନ ନାଟକ ଦେଖିବା ପାଇଁ ମତେ ଛାଡ଼ିବାର ନେପଥ୍ୟରେ ବୋଉର କି ଗଭୀର ଉଦ୍ଦେଶ୍ୟ ଥିଲା, କିଏ କହିବ । ନନାଙ୍କୁ ଦେଖିବା ପରେ ମନେ ହେଇଚି, ଉଦ୍ଦେଶ୍ୟ ଥିଲେ ଥାଇପାରେ । ଯାହା ହେଉ, ଦୂରରୁ ଯାତ୍ରା ଦଳ ମଝିରେ ରାଜା, ରାଣୀ, ରାଜକୁମାର ପ୍ରକୃତି ଦେଖି ମନେ ହେଉଥିଲା ଏମାନେ ମର୍ତ୍ତ୍ୟଲୋକର ମଣିଷ ନୁହଁନ୍ତି, କୌଣସି ମୋହମୟ ସ୍ଵପ୍ନ ରାଜ୍ୟର ବାସିନ୍ଦା । ସେମାନଙ୍କୁ ଧରି ହେବନି, ଛୁଇଁ ହେବନି, ଯାତ୍ରା ବ୍ୟତୀତ ସେମାନଙ୍କୁ ଅନ୍ୟ କୌଣସିଠାରେ ଦେଖି ହେବନି । ମାୟା ଲୋକର ଦ୍ଵାର ଖୋଲି ଏମାନେ ସିଧା ଓହ୍ଲାଇ ଆସନ୍ତି ନିଜ ନିଜର କଥାବାର୍ତ୍ତା ଶେଷକରି ପୁଣି ସେଇ ଅଚିହ୍ନା ମୋହିନୀ ଲୋକରେ ଅଦୃଶ୍ୟ ହେଇ ଯାଆନ୍ତି ।

 

ଆଖି ଆଗରେ ଏଇ ଲୋକଗୁଡ଼ାଙ୍କୁ ଶଗଡ଼ ଭିତରେ ବସିଥିବାର ଦେଖି କୌଣସି ପ୍ରକାର ଯେମିତି ବିଶ୍ଵାସ କରିପାରୁ ନ ଥିଲି । ଅବାକ ବିସ୍ମୟରେ ମୋର ଦୃଷ୍ଟି ସ୍ଥିର, ନିଷ୍ପଲକ । ମୁଁ କେବଳ ଚାହିଁ ରହିଥିଲି ।

 

ଏଣେ ନନା ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କରି ଦେଇଥାଆନ୍ତି, “କୋଉଠୁ ଆସୁଚ ?”

 

“ଆଜ୍ଞା ମଦନପୁରରୁ ଆସିଲୁ ।”

 

“ସେଠି କଣ ଯାତ୍ରା ହେଉଥିଲା ?”

 

“ହଁ ବାବୁ । ଦି’ ରାତି ସେଠି ଯାତ୍ରା ହେଲା ।”

 

“କି କି ବିଷୟ ହେଲା ?”

 

“ପ୍ରଥମ ରାତି ହେଲା ‘ମେଘନାଦ ବଧ’ ଆଉ କାଲି ରାତିରେ ହେଇଥିଲା ‘ଶକ୍ତିଭେଦ’ ।

 

ଶଗଡ଼ ଗାଡ଼ିଗୁଡ଼ାକର ଗତି ମନ୍ଥର ହୋଇ ଆସିଥିଲା, ଆମେ ବି ଅଜାଣତରେ ସେମାନଙ୍କ ସଙ୍ଗେ ସଙ୍ଗେ ଚାଲିଥାଉ । ମୋର ବିସ୍ମୟ ଆଉ ନନାଙ୍କର କଥାବାର୍ତ୍ତା ଯେମିତି ଶେଷ ହେଉ ନ ଥିଲା ।

 

ଯାତ୍ରା ଦଳଟାର ନାଆ ‘ମହାମାୟା ଅପେରା ପାଟି’ । ନନା ଯେଉଁ ଲୋକଟି ସାଙ୍ଗେ କଥାବାର୍ତ୍ତା ହେଉଥିଲେ ସେ ହେଉଚି ସେ ଯାତ୍ରାଦଳର ମାଲିକ । ତାର ନାମ ମାଧବ ସ୍ୱାଇଁ । ବେଶ୍ ସଉକିଆ ମଣିଷ । ମୁଣ୍ଡରେ କୁକୁଡ଼ା ଚୂଳ ଭଳି ଢେଉ କଟା ଟାଆଁସା ବାଳ । ବୟସ ପଚାଶ ପାଖାପାଖି ହେବ । ତେଣୁ ନିୟମାନୁଯାୟୀ ବାଳର କିଛି ଅଂଶ ପାଚି ଆସିବା କଥା, ମାତ୍ର ଟାଆଁସା ଧୂଷରା ବାଳରେ କୋଉଟା ପାଚିଲା କୋଉଟା କଞ୍ଚା, ସହଜରେ ଜାଣି ହେଉ ନ ଥିଲା । ସୁପର ଫାଇନ୍ ଧୋତି ସାଙ୍ଗକୁ ଗରଦା ମଠା କନାର ଚୂଡ଼ିଦାର ପଞ୍ଜାବୀ ପିନ୍ଧିଥାଏ । ଦୁଇ ହାତରେ ପ୍ରାୟ ପାଞ୍ଚଟା ଖଣ୍ଡେ ମୁଦିରହିଚି । ହାତରେ ଘଡ଼ିଟା ଦାମିକା କି ନୁହେଁ ସେ ବୟସରେ ବିଚାର କରି ପାରୁ ନ ଥିଲି । ଆଖିର ଚାହାଣୀରେ ବ୍ୟବସାୟୀର ଧୂର୍ତ୍ତତା ଫୁଟି ଉଠୁଥାଏ ।

 

ନନା ପଚାରିଥିଲେ, ବର୍ତ୍ତମାନ କୁଆଡ଼େ ଯାଉଚ ?”

 

ମାଲିକ ମାଧବ ସ୍ୱାଇଁ ପୂର୍ବ ପଟକୁ ହାତ ଦେଖାଇ କହିଥିଲା, ଏଇ ଜାଇପାଟଣା ମେଳାକୁ ଯାଉଚୁ ।”

 

“ଏ କାର୍ତ୍ତିକ ମାସରେ ମେଳା କଣ ?”

 

“କାର୍ତ୍ତିକ ପୂର୍ଣ୍ଣମୀ ଦିନ ସେଠାରେ ଜଣେ ସାଧୁ ଦେହରକ୍ଷା କରିଥିଲେ । ସାଧୁ ମହାପୁରୁଷ ସାକ୍ଷାତ ଦେବତା ଥିଲେ । ମୁଠାଏ ବାଲି ଧରି ଫୁଙ୍କି ଦେଲେ ଉଖୁଡ଼ା ମୁଠାଏ ହେଇ ଯାଉଥିଲା । ଆମ୍ବ ଗଛରେ କଦଳୀ, ପଣସ ଗଛରେ କଖାରୁ ଫଳେଇବା ତାଙ୍କ ପକ୍ଷେ ସମ୍ଭବ ହେଉଥିଲା । ସେଠାରେ ଗୋଟାଏ ପୁରୁଣା ଦେଉଳ ଅଛି । କେହି କେହି କହନ୍ତି, ଦେଉଳକୁ ପ୍ରାୟ ହଜାରେ ବର୍ଷ ହେବ । କେହି କହନ୍ତି ତାଠୁ ବି ବେଶି । ସାଧୁ ସେଇଠି ଥିଲେ । ଦେଉଳ ଆଗରେ ଗୋଟେ ପୋଖରୀ ଅଛି । ସେ ପୋଖରୀରେ ଗାଧୋଇ ସାରି ଆଞ୍ଜୁଳାଏ ପାଣି ପିଇ ଦେଲେ ଏମିତି କୌଣସି ରୋଗ ନାହିଁ, ଯାହା କି ଭଲ ନ ହେବ ।” କହୁକହୁ ମାଧବ ସ୍ୱାଇଁ ଦୁଇହାତ ଯୋଡ଼ି ସାଧୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣେଇଥିଲା ।

 

ନନା ଏକାବେଳେ ବିସ୍ମିତ । କହିଥିଲେ, “କଣ କହୁଚ ହେ !”

 

“ଆଜ୍ଞା, ସେଇ ସାଧୁ ଯେଉଁ ଦିନ ଦେହରକ୍ଷା କରିଚନ୍ତି ପ୍ରତିବର୍ଷ ସେଇଦିନ ସେଠାରେ ମେଳା ବସେ ।”

 

“ଆଜି ତ କାର୍ତ୍ତିକ ପୂର୍ଣ୍ଣମୀ ।”

 

“ଆଜ୍ଞା ।”

 

“ତାହେଲେ ଆଜି ମେଳା ବସୁଚି ?”

 

“ଆଜ୍ଞା । ଟିକିଏ ଖରା ପଡ଼ିଗଲେ ଦେଖିବେ ଦଳବଳ ହୋଇ ମଣିଷ ଆଉ ସାଧୁ ସନ୍ନ୍ୟାସୀ ସେଆଡ଼େ ଚାଲିଥିବେ ।

 

ନନା କେମିତି ଅନ୍ୟମନସ୍କ ହୋଇ ପଡ଼ିଥିଲେ, ମାଧବ ସ୍ୱାଇଁ କଥା ଶୁଣି ସେ ଆଉ କିଛି କହି ନ ଥିଲେ ।

 

କିନ୍ତୁ ମାଧବ ସ୍ୱାଇଁ କହି ଚାଲିଥାଏ, “ମେଳାଟା ଅବଶ୍ୟ ଜାଇପାଟଣା ଜମିଦାର ବାବୁଙ୍କର । ସେଇ ଲୋକ ପଠେଇ ରାତିକ ପାଇଁ ଆମକୁ ବହିଣା କରିଚନ୍ତି ।”

 

ନନା ଏଥର ପଚାରିଥିଲେ, କି ଯାତ୍ରା ସେଠାରେ କରିବି ?”

 

“ଅଗ୍ନି ପରୀକ୍ଷା ।”

 

“ଜାଇପାଟଣା ଏଠିକି କେତେ ଦୂର ?

 

“ବେଶି ଦୂର ନୁହେଁ, ବାଟ ତିନି ଚାରି ମାଇଲ ହେବ । ଚାରିଟା ବେଳେ ଏଠାରୁ ବାହାରିଲେ ସନ୍ଧ୍ୟା ବେଳକୁ ପହଞ୍ଚିଯିବେ । ଆପଣ ବାବୁ ଆମ ଯାତ୍ରା ଦେଖିବାକୁ ଯିବେ ନା କଣ-?”

 

“ଯିବି, ନିଶ୍ଚୟ ଯିବି ।” ଉତ୍ସାହର ସହିତ ନନା ଉତ୍ତର ଦେଇଥିଲେ ।

 

ମନେଅଛି ଆମେମାନେ ଆଉ ଆଗେଇ ନ ଥିଲୁ, ଶଗଡ଼ଗାଡ଼ି ଗୁଡ଼ାକ ଧୀରେ ଧୀରେ ଦୂର ଦିଗନ୍ତର ଅଦୃଶ୍ୟ ହୋଇ ଯାଇଥିଲା । ଯେତେବେଳେ ପର୍ଯ୍ୟନ୍ତ ସେଗୁଡ଼ାକ ଦେଖା ଯାଉଥିଲା ଆମେମାନେ ଚାହିଁ ରହିଥିଲୁ । ଦୃଷ୍ଟି ଅନ୍ତରାଳକୁ ଯିବାରୁ ନନା ମୋଆଡ଼େ ମୁହଁ ବୁଲେଇ କହିଥିଲେ, “ଚାଲ ପୁଅ, ଘରକୁ ଯିବା ।”

 

ତା’ପରେ ଆମେ ଘର ରାସ୍ତା ଧରିଥିଲୁ ।

 

ଆସିଲା ବେଳେ ବାରମ୍ବାର ନନାଙ୍କଆଡ଼େ କଣେଇ କଣେଇ ଚାହୁଁ ଥିଲି । ଯାତ୍ରାବାଲାଙ୍କ ସଙ୍ଗେ କଥାବାର୍ତ୍ତା କରିବା ପରଠାରୁ ସେ କେମିତି ଦୂରମନସ୍ଥ, ଚିନ୍ତାନି ତ ହୋଇ ଯାଇଥିଲେ । ଜାଇପାଟଣାରେ ଯାତ୍ରା ହେବା ଖବରଟା ତାଙ୍କ ମନ ଭିତରେ କି ପରିମାଣରେ ଢେଉ ଉଠେଇଚି, ବାରମ୍ବାର ତାଙ୍କଆଡ଼େ ଚାହିଁ ଅନୁମାନ କରିବାକୁ ଚେଷ୍ଟା କରୁଥିଲି ।

 

ନନା ଅନ୍ୟମନସ୍କ, ଏତେବେଳେ ତାଙ୍କୁ ଡାକିବା ବୋଧହୁଏ ଠିକ୍ ନୁହେ । ଅଥଚ ଗୋଟାଏ କଥା ନ କହି ରହିପାରୁ ନ ଥିଲି । ଅନେକ ସମୟ ଇତସ୍ତତଃ କରିବା ପରେ ଡାକିଥିଲି, “ନନା–”

 

ମୋ କଥା ବୋଧହୁଏ ନନା ଶୁଣି ପାରିଲେନି, ମନକୁ ମନ ସେ ଚାଲିବାରେ ଲାଗିଥାଆନ୍ତି ।

 

ତେଣୁ ମୁଁ ପୁଣି ଥରେ ଡାକିଥିଲି ।

 

ଏଥର ନନା ଚମକି ପଡ଼ିଥିଲେ । ମୋଆଡ଼କୁ ଚାହିଁ ପଚାରି ଥିଲେ, “କଣ କହୁଚୁ ?”

 

ସେ ଲୋକଟାକୁ ତମେ କହିଲା ନା, ଯାତ୍ରା ଦେଖିବାକୁ ଯିବ ?”

 

“କଣ ହେଲା ସେଇଠୁ ?”

 

“ମୁଁ ତମ ସାଙ୍ଗରେ ଯିବି ।”

 

“ଆଚ୍ଛା, ଯିବୁ ।”

 

ଘରକୁ ଫେରି ନନା ବୋଉକୁ କହିଥିଲେ, “ଆଜି ରାତିରେ ଯାତ୍ରା ହେବ ।”

 

ଯେଉଁ ବୋଉକୁ କୌଣସି ଦିନ ପରିହାସରେ ମାତିବାର ଦେଖିନି, ଯାତ୍ରା, ଥିଏଟର ସମ୍ବନ୍ଧରେ ଚିରଦିନ ଯିଏ ଉଦାସୀନ, ତାକୁ ସେଦିନ ଖୁବ୍ କୌତୁହଳୀ ହେବାର ଦେଖିଥିଲି । ପଚାରିଥିଲା, “କୋଉଠି ଯାତ୍ରା ହେବ ?”

 

“ଜାଇପାଟଣାରେ ।”

 

“କି ଯାତ୍ରା ହେବ ?”

 

“ଅଗ୍ନି ପରୀକ୍ଷା ।”

 

“ଅଗ୍ନି ପରୀକ୍ଷା !” ବୋଉର ମୁହଁ ଉପରେ ହଠାତ୍ କଣ ଗୋଟାଏ ଛାୟା ଦେଖା ଦେଇ ମୁହୂର୍ତ୍ତକେ ଅଦୃଶ୍ୟ ହୋଇ ଯାଇଥିଲା । ସେ କହିଥିଲା, “ଦେଖିବାକୁ ଭାରି ଇଚ୍ଛା ହେଉଚି । କିନ୍ତୁ–”

 

“କଣ ?”

 

“କିଏ ନେଇଯିବ ?”

 

“କାହିଁକି, ମୁଁ ।”

“କିନ୍ତୁ–”

“ପୁଣି କଣ ?”

“ଜାଇପାଟଣା ତ ଅନେକ ବାଟ ।”

“ଦୂର ଆଉ କଣ ? ମୋଟେ ତିନିଚାରି ମାଇଲ ବାଟ । ଚାରିଟାବେଳେ ଏଠାରୁ ବାହାରିଲେ ସନ୍ଧ୍ୟାବେଳକୁ ପହଞ୍ଚିଯିବା ।”

ହଠାତ୍ ବୋଉର କଣ ମନେ ପଡ଼ିଯିବାରୁ ତରତର ହୋଇ କହି ଉଠିଲା, “ଯାତ୍ରା ଦେଖିଯିବା ପାଇଁ ବହାରିଚ, ଯେ କେମିତି ଯିବ !”

“କାହିଁକି ?”

“ଆରେ ବାଃ, କାଲି କଥା ତମେ ଭୁଲି ଯାଇଚ ! କାଲିଠୁ ଅଫିସକୁ ଯିବ ପରା ?”

ନନା କେମିତି ଟିକିଏ ବିବ୍ରତ ହେଇ ପଡ଼ିଥିଲେ; ମାତ୍ର ଅଳ୍ପ ସମୟ ପାଇଁ । ତାପରେ ସହଜରେ କଥାଟାକୁ ଉଡ଼େଇ ଦେଲାଭଳି ଲଘୁ ସ୍ଵରରେ କହିଥିଲେ, “ଅଫିସ ତ କାଲି ଦଶଟାବେଳେ । ଯାତ୍ରା ରାତି ପାହିବା ଆଗରୁ ଶେଷ ହେଇଯିବ । ଭୋର ଛଅଟା ସୁଦ୍ଧା ଆମେ ଫେରି ଆସିଥିବା । ଛଅଟାରେ ଫେରି ଦଶଟାରେ ଯାଇ କଣ ଅଫିସ କରି ହେବନି ! କିଛି ଅସୁବିଧା ତମର ଭାବିବା ଦରକାର ନାହିଁ ।

“ରାତିସାରା ଅନିଦ୍ରା ହେବ–ଏତେଗୁଡ଼ାଏ ବାଟ ଚଲାରେ ଦେହ ଖରାପ ହେବ; ଅଫିସ କରି ପାରିବନି ।”

“ଆରେ ନାଇଁ–ନାଇଁ । ରାତି ରାତି ଧରି ଅନିଦ୍ରା ହେବା, ମାଇଲ ପରେ ମାଇଲ ଚାଲିବା ମୋର ଅଭ୍ୟାସ ଅଛି ।”

“ଟିକିଏ ବିଚାର କରି ଦେଖ ।” ବୋଉ ପ୍ରାଣର ଦୁଇ ପ୍ରାନ୍ତରେ ସେତେବେଳେ ଦୁଇଟି ବିରୁଦ୍ଧ ସ୍ରୋତର ଟଣାଟଣି ଲାଗିଚି । ଗୋଟାଏ ଦିଗରେ ଜାଇପାଟଣାରେ ନନାଙ୍କ ସଙ୍ଗେ ଯାତ୍ରା ଦେଖିବାକୁ ଯିବାର ଆକର୍ଷଣ, ଅନ୍ୟ ଦିଗରେ ରହିଚି ନନାଙ୍କର ଚାକିରି । ଏତେକାଳ ପରେ ନନାଙ୍କର ମତିଗତିର ଯେତେବେଳେ ପ୍ରକୃତରେ ପରିବର୍ତ୍ତନ ହେଇଚି, ସେତେବେଳେ ସାମାନ୍ୟ ଟିକିଏ ସଉକି ପାଇଁ କ୍ଷତି କରି ବସିବାଟା କୌଣସି କାମର କଥା ନୁହେଁ । ତେଣୁ ବୋଉର ଭାବନାଟା କୌଣସି ପ୍ରକାର ଆଶ୍ଵସ୍ତ ହେଇପାରୁ ନ ଥିଲା ।

ନନା ଆଶ୍ୱାସନା ଦେଲାଭଳି ହସି ହସି କହିଥିଲେ, “ମୁଁ ଭଲ ଭାବରେ ସେକଥା ବିଚାର କରିସାରିଚି । ତମେ କିଛି ଭାବନି ।”

“ହଉ, ତାହେଲେ ଯିବା ।”

ନନା କଣ କହିବାକୁ ଯାଉଥିଲେ, ସେତିକିବେଳେ ମୁଁ ତାଙ୍କର ହାତଟାକୁ ଟାଣି ଦେଇ ତାଙ୍କ କାନ ପାଖରେ ମୁହଁ ଲଗେଇ ଫୁସ୍ ଫୁସ୍ ହୋଇ କହିଥିଲି, “ବୋଉକୁ କହ, ମୁଁ ବି ତମ ସାଙ୍ଗେ ଯିବି ।”

 

ହସିଦେଇ ନନା କହିଥିଲେ, କାହିଁକି, ତୁ କହୁନୁ ।”

 

ଅନେକ କାଳ ପରେ ନନା ଆସିଚନ୍ତି; ଫଳରେ ବୋଉ ବି ଅନେକ ବଦଳି ଯାଇଚି । ତାର ନିଷ୍ଠୁରତା ନାହିଁ କହିଲେ ଚଳେ । ବର୍ତ୍ତମାନ ସେ ସ୍ନେହମୟୀ, ସହୃଦୟା, ତଥାପି ତା ସମ୍ବନ୍ଧରେ ପିଲାବେଳଠାରୁ ମୋ ପ୍ରାଣରେ ଭୟର ଗୋଟାଏ ସଂସ୍କାର ପ୍ରସ୍ତୁତ ହୋଇଯାଇଚି; ସେଇଟାକୁ କୌଣସି ଦିନ ପୋଛି ପକେଇବା ମୋ ପକ୍ଷେ ବୋଧହୁଏ ‘ସମ୍ଭବ ନୁହେଁ, ବୋଉର ଯେତେ ପରିବର୍ତ୍ତନ ହେଉ, ତା ମୁହଁଆଡ଼େ ଚାହିଁ କଥା କହିବା ମୋ ପକ୍ଷେ ଏକାବେଳେ ଅଭାବିତ, ଅକଳ୍ପନୀୟ । ନନାଙ୍କ ସମ୍ମତି ଆଗରୁ ପାଇ ଯାଇଚି, କିନ୍ତୁ ସେତିକି ଯଥେଷ୍ଟ ନୁହେଁ । ବୋଉ ହେଉଚି ମୋ ପାଖରେ ସର୍ବୋଚ୍ଚ ବିଚାରାଳୟ । ତାର ଅନୁମୋଦନ ବ୍ୟତୀତ ଜାଇପାଟଣା ଯିବାର କୌଣସି ଉପାୟ ନାହିଁ । ତେଣୁ ଖୁବ୍ ଆସ୍ତେ କହିଥିଲି, “ତମେ ବୋଉକୁ କହ–”

 

ଆମମାନଙ୍କର ଫୁସୁରୁ ଫାସର ଶୁଣି ବୋଉ କିଛି ଗୋଟାଏ ଅନୁମାନ କରିବାର ଚେଷ୍ଟା କରୁଥିଲା । କିନ୍ତୁ କିଛି ବୁଝି ନ ପାରି କହିଥିଲା, “କଣ ହେଇଚି କି, ନରି କଣ କହୁଚି ?”

 

ପୂର୍ବପରି ନନା ହସି ହସି କହିଥିଲେ, “କଣ କହୁଚି, ତାକୁଇ ପଚାରୁନ ।”

 

ଭଲ ଓକିଲ ଯୋଗାଡ଼ କରିଥିଲି; ମୋ ପକ୍ଷ ନେଇ ନନା କଣ କୌଶଳରେ ବୋଉଠୁ ଅନୁମତିଟା ଆଦାୟ କରି ନେବେ, ତା ନାଇଁ । ଓଲଟି କଥାଟାକୁ ଆଣି ମୋ’ରି ଉପରେ ପକେଇଦେଲେ । ନନାଙ୍କ ଉପରେ ମୋର ଭାରି ରାଗ ହେଇଥିଲା । ଦୁଃଖ–ଅଭିମାନରେ ମୋର ଆଖି ଦୁଇଟା ଛଳଛଳ ହୋଇ ଯାଇଥିଲା ।

 

ମୋର ଅବସ୍ଥା ଦେଖି ଏଥର ନନାଙ୍କର ଟିକିଏ ଦୟା ହେଲା ବୋଧହୁଏ । ସେ ବୋଉକୁ କହିଥିଲେ, “ଟୋକା କହୁଚି, ସେ ବି ଯାତ୍ରା ଦେଖିବାକୁ ଯିବ ।”

 

ବୋଉ କହିଥିଲା, “ଏତେ ଗୁଡ଼ାଏ ବାଟ ସେ ଚାଲିପାରିବ ? କେବଳ ଯିବା ନୁହେଁ, ଆସିବାକୁ ପଡ଼ିବ । ତା ପରେ ରାତି ଅନିଦ୍ରା ଅଛି । ଦୁର୍ବଳିଆ ପିଲା, ଏତେଗୁଡ଼ାଏ ସମ୍ଭାଳି ପାରିବ ତ !”

 

ନନା ବି ଗମ୍ଭୀର ଭାବରେ ମୁଣ୍ଡ ହଲେଇ କହିଥିଲେ, “ମୁଁ ସେଇ କଥା ତ ଭାବୁଚି । ଏତେ ଦୁର୍ବଳିଆ ପିଲା, ରାତି ଅନିଦ୍ରା ସାଙ୍ଗକୁ ବାଟଚଲା ପରିଶ୍ରମ ସମ୍ଭାଳି ପାରିବନି ।”

 

ଏଥର ଆଉ ସମ୍ଭାଳି ପାରିଲିନି, ଜିଲ୍ଲାବୋର୍ଡ଼ ସଡ଼କ ଉପରେ ଠିଆ ହୋଇ ନନା ଯେଉଁ ପ୍ରତିଶ୍ରୁତି ଦେଇଥିଲେ ୟା ଭିତରେ ସେଇଟା କଣ ଭୁଲି ଯାଇଚନ୍ତି ? ଘଣ୍ଟାଏ ବି ହେଇନି; ନନାଙ୍କର ସ୍ମୃତି କଣ ଏତେ ଦୁର୍ବଳ ? ତାଙ୍କର ଏଇ ବିଶ୍ୱାସଘାତକତା କୌଣସି ପ୍ରକାର ମାନି ନେଇପାରୁ ନ ଥିଲି । ଏତେବେଳ ପର୍ଯ୍ୟନ୍ତ ଆଖି ଦୁଇଟା ଛଳଛଳ ହେଉଥିଲା, ଏଥର ଜୋରରେ କଇଁ କଇଁ ହୋଇ କାନ୍ଦି ପକେଇଲି । କାନ୍ଦୁ କାନ୍ଦୁ କଇଁ ଉଠିଯାଇ ଥିଲା ।

 

ନନା ଏଥର ମୋତେ ଦୁଇ ହାତରେ କୁଣ୍ଢେଇ ପକେଇ କହିଥିଲେ, “କାନ୍ଦନା ବାପା, ଏଡ଼େ ବୋକାଟାଏ ତୁ, ଗେଲରେ କହିଲି ବୋଲି ଜାଣି ପାରୁନୁ । ସେତେବେଳେ ପରା କହିଥିଲି ଯିବୁ ବୋଲି !”

 

କଇଁ କଇଁ ହୋଇ କହିଥିଲି, “ବୋଉ ତ କହିଲାନି ।”

 

ବୋଉଆଡ଼କୁ ଚାହିଁ ନନା କହିଥିଲେ, “ତମେ ଟିକିଏ କହିଦିଅ ହେ–”

 

ସେଦିନ ବୋଉ ବରଦା, ଅନ୍ନପୂର୍ଣ୍ଣା କହିଥିଲା, “ଯିବୁ–ଯିବୁ । ଏଇଥିପାଇଁ ଏତେ କାନ୍ଦୁଚୁ-!”

 

ବୋଉ ପାଖରୁ ନିର୍ଭର ଜବାବ୍ ପାଇବା ପରେ ମୋର କାନ୍ଦଣା ବନ୍ଦ ହେଇଥିଲା ।

 

ବାରଟାବେଳେ ଖାଇବା ପିଇବା ଶେଷ ହୋଇଯିବାରୁ ନନା କହିଲେ, “କାର୍ତ୍ତିକ ମାସ, ତା ପରେ ପିଲାଟା ବି ସାଙ୍ଗରେ ଯିବ । ଚାରିଟାବେଳେ ବାହାରିଲେ ଜାଇପାଟଣାରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇଯିବ । ସନ୍ଧ୍ୟାହେବା ମାତ୍ରେ ଭାରି ଥଣ୍ଡା ପଡ଼ିଯାଉଚି । କାର୍ତ୍ତିକ ମାସର ଥଣ୍ଡା ଲାଗିଲେ ପୁଅର ଦେହ ଖରାପ ହୋଇପାରେ । ତା ଅପେକ୍ଷା ଗୋଟାଏ କାମ କଲେ ହେବ ।”

 

ବୋଉ ପଚାରିଥିଲା, “କଣ ?”

 

“ଆଉ ଟିକିଏ ପରେ ବରଂ କାହାରି ପଡ଼ିବା । ତାହାଲେ ସନ୍ଧ୍ୟା ହେବାଆଗରୁ ପହଞ୍ଚିଯିବା ।”

 

“ସେ ତ ଭଲ କଥା ।”

 

“ତାହେଲେ ଲୁଗାପଟା ପିନ୍ଧି ପକାଅ ।”

 

ବୋଉ ଆଖିରେ କେମିତି ଗୋଟାଏ ଚାହାଣୀ ଫୁଟି ଉଠିଥିଲା । ଓଠ ଲେଉଟେଇ କହିଥିଲା, “ବେଶ ହୋଇ ଯିବି ନା କଣ ?”

 

ନନା କିଛି ନ କହି ହସି ଦେଇଥିଲେ ।

 

“ଲୁଗାପଟା ପିନ୍ଧିବି କଣ, ଅଇଁଠା ବାସନକୁସନଗୁଡ଼ା ପଡ଼ିଚି ନ ମାଜିଲେ ଯିବି କେମିତି-?”

 

“ଆଚ୍ଛା; ତମେ କାମ ଦାମ ସାରି ଲୁଗାପଟା ପିନ୍ଧ, ମୁଁ ଟିକିଏ ବୁଲି ଆସୁଚି ।”

 

‘‘ଆରେ ବାପାରେ, ରାତି ଦିନ ତମେ କି ବୁଲା ବୁଲୁଚ କେଜାଣି ! ମୋର କାମ ଦାମ ସରିବା ଯାଏଁ ଟିକିଏ ଶୋଇପଡ଼ ଭଲା ।”

 

“ଏଇ ଯିବି ଆଉ ଆସିବି ।”

 

“ଡେରି କରିବନି ।’’

 

“ନାଇଁମ, ଦେଖ ତମର ବାସନକୁସନ ମଜା ସରିଲାବେଳକୁ ପହଞ୍ଚି ଯାଉଚି ।”

 

ସେଦିନ ଯାତ୍ରା ଦେଖିଯିବାକୁ ହେବ, ତେଣୁ ସ୍କୁଲକୁ ଯାଇ ନ ଥିଲି । କାଳେ କୋଉ ଖଞ୍ଜରେ ମୋର ଯିବା ବନ୍ଦ ହେଇଯିବ ସେଇ ଆଶଙ୍କାରେ ନନାଙ୍କ ପାଖ ଛାଡ଼ୁ ନଥିଲି, ତାଙ୍କ ପଛେ ପଛେ ବୁଲୁଥାଏ ।

 

ଦି’ ପହର ବେଳେ ନନାଙ୍କର ଶୋଇବାର ଅଭ୍ୟାସ ନାହିଁ । ଅନ୍ୟ ସବୁଦିନେ ମୁଁ ଯେତେବେଳେ ସ୍କୁଲରେ ଥାଏ ନନା ଉଦାସୀନ ଅନ୍ୟମନସ୍କ ଭାବରେ ଦଳେଇଘାଟର ବାଟଘାଟରେ ବୁଲିବାରେ ଲାଗନ୍ତି । ଦିନେ ଦିନେ ନଈ କୂଳରେ ଯାଇ ବସିଥାଆନ୍ତି । କେବଳ ରାତିଟାକୁ ବାଦଦେଲେ ଦିନସାରା ନନା ଘଣ୍ଟାଏ ହେଲେ ସ୍ଥିର ହୋଇ ବସିବାର ଦେଖି ନ ଥିଲି ।

 

ଯାହା ହେଉ ନନାଙ୍କୁ କହିଥିଲି, “ନନା, ମୁଁ ତମ ସାଙ୍ଗରେ ଯିବି ।”

 

ନନା କହିଥିଲେ, “ନାଇଁ–ନାଇଁ, ମୋ ସାଙ୍ଗେ କୁଆଡ଼େ ଯିବୁ ! ତୁ ପ୍ୟାଣ୍ଟ କୁରୁତା ପିନ୍ଧୁଥା, ମୁଁ ଚାଲିଆସୁଚି ।”

 

ନନା ବାହାରି ଯାଇଥିଲେ । ଅଗତ୍ୟା ଆଉ କଣ କରନ୍ତି ! ମୁଁ ଘରେ ରହି ଯାଇଥିଲି ।

 

ଏଣେ ବୋଉ ଚଞ୍ଚଳ ଚଞ୍ଚଳ ବାସନକୁସନ ମଜାମଜି କରି ଘରଦ୍ଵାର ଧୋଇ ବାଳ ବାନ୍ଧିବାକୁ ବସିଥିଲା । ସ୍ଥିର ହୋଇଥିଲା, ଛୋଟ ଭାଇ ଭଉଣୀ ଦୁହିଁଙ୍କୁ ଅଜା ଆଈଙ୍କ ପାଖରେ ଛାଡ଼ିଦେଇ ଆମେମାନେ ଯାତ୍ରା ଦେଖିଯିବୁ ।

 

ବୋଉର ସାଜସଜ୍ଜାର ସମାରୋହଟା ଖୁବ୍ ବେଶି ହୋଇଥିଲା । ବୋଉ ଆଗରୁ କେବେ କୌଣସି ଦିନ ବୁଲିବାକୁ ଯାଇଚି କି ନାହିଁ ମତେ ଜଣାନାହିଁ । ଜୀବନର ଏଇ ପରମ ଲଗ୍ନକୁ ବୋଉ ଅବହେଳା କରିନି, ଦୁଇ ହାତ ବଢ଼ାଇ ମୁଣ୍ଡ ଉପରକୁ ଉଠେଇ ନେଇଥିଲା ।

 

ଟିକିଏ ପରେ ନନାଙ୍କର ଫେରିବା କଥା ଥିଲା । କିନ୍ତୁ ଦେଖୁ ଦେଖୁ ଆଖି ଆଗରେ ଦି’ପହରଟା ଗଡ଼ିଗଲା, ଖରାର ଧାସ କ୍ରମେ କ୍ରମେ ଶୀତଳେଇ ହୋଇ ଧୀରେ ଧୀରେ ହଳଦିଆ ପଡ଼ି ଉପରବେଳା ହେଇ ଯାଇଥିଲା ।

 

ଏଣେ ବୋଉ ଅସ୍ଥିର ହୋଇ ପଡ଼ିଚି, ମୋର ଆଉ ଚାଞ୍ଚଲ୍ୟର ସୀମା ନ ଥାଏ ।

 

କିଛି ସମୟ ପରେ ଅଜା ଅଫିସରୁ ଫେରି ଆସିଥିଲେ । ସକାଳେ ଯେତେବେଳେ ସେ ଅଫିସକୁ ବାହାରିଲେ, ସେତେବେଳେ ଶୁଣିଯାଇ ଥିଲେ, ନନାଙ୍କ ସଙ୍ଗେ ଆମେମାନେ ଜାଇପାଟଣା ଯାତ୍ରା ଦେଖିଯିବୁ । ଆମେମାନେ ସେତେବେଳେ ଯାଏ ନ ବାହାରିବାର ଦେଖି ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଥିଲେ, “କଣ ଝିଅ, ଏ ଯାଏଁ ତମେମାନେ ଯାଇନ କାହିଁକି ?”

 

ବୋଉ ମୁହଁଟା ହାଣ୍ଡିଭଳି କରି ଠିଆ ହୋଇଥିଲା, କୌଣସି ଉତ୍ତର ଦେଇ ନ ଥିଲା ।

 

ମୁଁ କହିଥିଲି, “ନନା ସେଇ ଦି’ପହରୁ ଖାଇ ଦେଇ ଚାଲିଗଲେ । ଗଲାବେଳେ କହିଲେ, ଏଇଲେ ଫେରି ଆସିବି । ଏଯାଏ ବି ଆସି ନାହାନ୍ତି ।”

 

ଅଜା କହିଥିଲେ, “କହିଦେଇ ଯେତେବେଳେ ଯାଇଛନ୍ତି ସେତେବେଳେ ସେ ନିଶ୍ଚୟ ଆସୁଥିବେ । ହୁଏତ କିଛି ଦେଖି କୋଉଠି ରହିଯାଇ ଥିବେ,” କହି ଗୋଡ଼ ହାତ ଧୋଇ ଚା’ ଖାଇବାକୁ ବସିଥିଲେ ।

 

ଅଳ୍ପ ସମୟ ପରେ ହେମନ୍ତର ସ୍ୱଳ୍ପାୟୁ ଅପରାହ୍ନ ଶେଷହୋଇ ଆସିଲା । ଆମ ଘରର ପଛଆଡ଼େ ଗଛପତ୍ରଗୁଡ଼ାଏ ଥିଲା । ଦିନସାରା ଦଳେ ଚଢ଼େଇ କିଚିରି ମିଚିରି ହୁଅନ୍ତି । କାର୍ତ୍ତିକର ଖରାଟିକକ ମଉଳି ଆସିବାରୁ ସେମାନେ ନିଶ୍ଚିନ୍ତ ଭାବରେ ନିଜ ନିଜର ନୀଡ଼ ଅଭିମୁଖେ ଚାଲିଯାଇଥିଲେ । ଦୂର ଦିଗନ୍ତ ଘେରି ପତଳା ସିଲ୍‍କର ପର୍ଦ୍ଦା ଭଳି କୁହୁଡ଼ି ଜମିଆସିବା ଆରମ୍ଭ କରିଥିଲା । ତଥାପି ନନାଙ୍କର ଦେଖାନାହିଁ ।

 

ଅଜାଙ୍କର ଚା’ ଖାଇବା ଶେଷ ହୋଇ ଯାଇଥିଲା । ସେ ଏଥର ବିଶେଷ ଭାବରେ ଉଦବିଗ୍ନ ହୋଇ ଉଠିଥିଲେ, “ଆରେ, ବିମ୍ବାଧର କୁଆଡ଼େ ଗଲେ ?” ଯାଏ, ଟିକିଏ ଦେଖି ଆସେ-।” କହୁ କହୁ ଉଠି ପଡ଼ିଥିଲେ ।

 

ଅଜା ବାହାରିଲେ ବେଳକୁ, ବୋଉ ତୀକ୍ଷଣ ସ୍ଵରରେ ଡାକିଥିଲା, “ନନା–“

 

ଚମକି ପଡ଼ି ଅଜା ବୋଉଆଡ଼େ ଚାହିଁ ପଚାରିଥିଲେ, “କଣ କହୁଚୁ !”

 

“ତମର କୁଆଡ଼େ ଯିବା ଦରକାର ନାହିଁ ।”

 

“ତୁ ଏମିତି କହିଦେଲେ ଯିବିନି ! ପିଲାଟା କୋଉଠି କେମିତି ଅସୁବିଧାରେ ପଡ଼ି ଯାଇଥିବ ।”

 

ବୋଉ ଆଉ ବାଧା ଦେଇନି, ଅଜା ବି ଆଉ ଠିଆ ନ ହୋଇ ଚାଲି ଯାଇଥିଲେ ।

 

ମୋ କଥା ନ କହିବା ଭଲ । ଜାଇପାଟଣା ମେଳାରୁ ଯାତ୍ରା ଦଳଟା ମୋହମୟ ସ୍ଵପ୍ନ ଭଳି ଅବିରାମ ମତେ ହାତଠାରି ଡାକି ଦେଉଥିଲା । ମୁଁ ଅସ୍ଥିର ହୋଇ ପଡ଼ିଥିଲି, ଆଶା ଭଙ୍ଗର ମନସ୍ତାପରେ ମନେ ହେଉଥିଲା ଛୋଟ ହୃତ୍‍ପିଣ୍ଡଟା ଫାଟି ଚାରି ଚିରୁଡ଼ା ହୋଇଯିବ ।

 

ବୋଉଆଡ଼େ ଚାହିଁ ହେଉ ନ ଥିଲା । ଜୀବନରେ ସେଇ ପ୍ରଥମ, ନନାଙ୍କ ସାଙ୍ଗରେ ବୁଲିବାକୁ ଯିବା ପାଇଁ ସେ ବେଶଭୂଷା ହୋଇ ଉନ୍ମୁଖ ଭାବରେ ପ୍ରତୀକ୍ଷା କରିଥିଲା । କିନ୍ତୁ ପ୍ରତୀକ୍ଷାର ପୁରସ୍କାରଟା ଯେ ଏଭଳି ଭାବରେ ମିଳିବ, ସେଇଟା ଯେମିତି କଳ୍ପନା କରି ହେଉ ନ ଥିଲା ।

 

ସେ ବୟସରେ ମୋ ପକ୍ଷେ ମଣିଷର ନିଭୃତ ମନର ଗଭୀର ଗହନ ତତ୍ତ୍ଵ ବୁଝିପାରିବା ସମ୍ଭବ ନ ଥିଲା । ତେବେ କଣେଇ କଣେଇ ବୋଉର ‘ମୁହଁଆଡ଼େ ଚାହିଁ ଦେଖୁଥିଲି । କ୍ଷୋଭ, ଅଭିମାନ, ଦୁଃଖ, ବେଦନା, ହତାଶା ଏବଂ ଆଉ କେତେ କଣ ଯେମିତି ଗୋଳେଇ ଘାଣ୍ଟି ହୋଇ ମୁହୂର୍ତ୍ତକୁ ମୁହୂର୍ତ୍ତ ମୁହଁ ଉପରେ ରଙ୍ଗ ବଦଳିବାକୁ ଲାଗିଥିଲା । ଅସହ୍ୟ ଆବେଗରେ ଓଠ ଦୁଇଟା ଥରି ଉଠୁଥାଏ, ବୋଉ ପ୍ରାଣପଣେ ସେଇଟାକୁ ଚାପି ଧରିବାକୁ ଉଦ୍ୟମ କରୁଥିଲା ! ଅଖି ଦୁଇଟା ଲୁହରେ ଛଳଛଳ, ଗଣ୍ଡ ଉପର ଦେଇ ଗଡ଼ି ଆସିନି, ପ୍ଲାବନ ବିଳାସୀ ନଦୀ ଭଳି ଅଟକି ଯାଇଥିଲା-

 

ମନେଅଛି, ସନ୍ଧ୍ୟା ପାର ହୋଇ ରାତିହେବା ସଙ୍ଗେ ସଙ୍ଗେ ବୋଉ କପାଳରୁ ଘସି ଘସି କୁଙ୍କୁମ ଟୋପାଟା ପୋଛି ଦେଇଥିଲା, ଖଣ୍ଡେ ଗାମୁଛାରେ ମୁହଁରେ ଲଗେଇଥିବା ପାଉଡ଼ର ପ୍ରଭୃତିକୁ ନିଶ୍ଚିହ୍ନ କରି ଦେଇଥିଲା । ତାପରେ ଗୋଟି ଗୋଟି ଗହଣାପତ୍ର କାଢ଼ି ବିଛଣା ଉପରେ ଫୋପାଡ଼ି ଦେଇଥିଲା । ଯେଉଁ ଭଲ ଲୁଗାପଟା ପିନ୍ଧିଥିଲା ସେଗୁଡ଼ାକ ପାଲଟି ପୁଣି ସେଇ ପୁରୁଣା ବେଶ ଧରିଥିଲା ।

ଆଈ ପାଖରେ ଠିଆ ହୋଇଥିଲେ । ବୋଉ ଗହଣାଗାଣ୍ଠି–ଲୁଗାପଟା ଖୋଲିବା ଦେଖି କହିଥିଲେ, “ସେଗୁଡ଼ାକ ଖୋଲି ପକେଇଲୁ କାହିଁକି ଝିଅ ?”

ବୋଉ କିଛି କହି ନ ଥିଲା ।

“ଜୁଆଁଇ ଆସିଲେ ପୁଣି ତ ସେଗୁଡ଼ାକ ପିନ୍ଧିବାକୁ ହେବ ।”

ତଥାପି ବୋଉ କିଛି କହି ନ ଥିଲା ।

ଆଈ ଏଥର ଖୁବ୍ ବିରକ୍ତ ହୋଇଥିଲେ, “କଣ ଲୋ, କଥାର ଉତ୍ତର କାହିଁକି ଦେଉନୁ-?”

ବୋଉ ଖୁବ୍ ଧୀରେ କହିଥିଲା, “କଣ ଉତ୍ତର ଦେବି ?”

“ଜୁଆଇଁ ଆସିଲେ–“ଆଈ ତାଙ୍କର କଥା ଶେଷ କରି ପାରିଲେନି ।

ତା’ଆଗରୁ ବୋଉ କହିଥିଲା, “ସିଏ ଆଉ ଆସିବେନି ।”

“ହଁ, ଆସିବେନି ! ତତେ କହିଯାଇ ଥିବେ ! କାଲିଠୁ ପରା ତାଙ୍କର ଚାକିରି ?”

“ଚାକିରି ଉପରେ ତାଙ୍କର କଣ ମାୟା ଅଛି ! ଦଶ ବାର ବର୍ଷ ହେଲା ବାହାହେଲେଣି । ପିଲାମାନେ ଆଉ ମୁଁ ଯାହାଙ୍କୁ ଦିନେ ଧରି ରଖି ପାରିଲୁନି ସେ ପୁଣି ଚାକିରି ଲୋଭରେ ରହିବେ ।”

“ତୁ ତୁନି ହ । ଏକଥା ତୁ ପୁଣି କହିପାରୁଚୁ ?”

“ସତ କଥାକୁ ଏତେ ଡରୁଚୁ କାହିଁକି ବୋଉ ? ତାଙ୍କର ସ୍ୱଭାବତ କିଛି ତତେ ଅଜଣା ନାହିଁ । ଦି’ଦିନ ପାଇଁ ଆସନ୍ତି, କଅଁଳେଇ ସଅଁଳେଇ ଦିପଦ କଥା କହି ମନଟାକୁ ଟିକିଏ ଓଦା କରିଦେଇ ପୁଣି ଅନ୍ତର୍ଦ୍ଧାନ । ତାଙ୍କ ମନରେ କୋଉଠି କଣ ଅଛି ସବୁ ଜାଣିଚି । ତାଙ୍କୁ ଦେଖି ଦେଖି ପୁରା ଚିହ୍ନି ସାରିଚି ।”

ବୋଉ ନନାଙ୍କର ଭିତର ବାହାର ସବୁ ଖବର ତ ଜାଣିଥିଲା । ତେବେ ଦିନେ ଦୁଇ ଦିନ ପାଇଁ ନନା ଆସିଲେ ତାଙ୍କ କଥାରେ ଭୁଲିଯାଏ କାହିଁକି ? ବିପୁଳ ଶ୍ରଦ୍ଧାରେ ଛାତି କୁଣ୍ଢେ ମୋଟ କରି ତାଙ୍କ, ସାଙ୍ଗେ ଯାତ୍ରା ଦେଖି ଯିବାପାଇଁ ବେଶଭୂଷା ହେଇ ବସିଥିଲା କାହିଁକି ? ମୋର ସେଇ ପିଲା ବୟସରେ ସେଇଟା ଗୋଟାଏ ଅସୀମ ରହସ୍ୟ ପରି ମନେ ହେଉଥିଲା ।

ଆଈ ଯେମିତି ନିଜକୁ ସାନ୍ତ୍ଵନା ଦେବା ଭଙ୍ଗିରେ କହୁଥିଲା, “ନାଇଁ ନାଇଁ ଦେଖିବୁ ଜୁଆଇଁ ଏଥର ମୋଟେ ଯିବେନି । ନରିଟା ବଡ଼ ହେଲାଣି, ତା ମାୟା ତାଙ୍କୁ ନିଶ୍ଚୟ ଲାଗିବ ।”

“ତୁ ଦେଖ ବୋଉ, ସେ ଆସିବେନି ।”

ବିରକ୍ତ ହୋଇ ଆଈ ଏଥର ଧମକ ଦେଇଥିଲେ, “ତୁ ତୁନି ହ”

 

“ହଉ ତୁନି ହେଉଚି ।” କହି ବୋଉ ମୋ ହାତ ଧରି ସଫା ପ୍ୟାଣ୍ଟ ସାର୍ଟ କାଢ଼ିଦେଇ ଘରେ ପିନ୍ଧିବା ମଇଳା ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଦେଇଥିଲା । ଆଉ ମୁଁ ଜୋରରେ ଭେଁ ଭେଁ ହୋଇ କାନ୍ଦି ପକେଇ ଥିଲି ।

 

ଆଈ କଣ କହିବାକୁ ଯାଉଥିଲେ, ଠିକ୍ ସେତିକିବେଳେ ଅଜା ଫେରି ଆସିଲେ । ସେ ଏକା ଆସିଥିଲେ, ସାଙ୍ଗରେ ନନା ନାହାଁନ୍ତି ।

 

ଉଦବିଗ୍ନ ଭାବରେ ଆଈ ପଚାରିଥିଲେ, “ଜୁଆଇଁ କାହାନ୍ତି ?”

 

ବିମର୍ଷ ଭାବରେ ଅଜା କହିଥିଲେ, “ଜାଣିନି, ଦଳେଇଘାଟସାରା ଖୋଜି ଆସିଲି; କେହି ତାଙ୍କ କଥା କହି ପାରିଲେନି । ବଡ଼ ଆଶ୍ଚର୍ଯ୍ୟ କଥା, କୁଆଡ଼େ ଗଲେ ?”

 

“ନଈ କୂଳଆଡ଼େ ଯାଇଥିଲ ?”

 

“ସବୁ–ସବୁ ଯାଗାକୁ ଯାଇଚି । କିଛି ବାକି ରଖିନି ।”

 

“ତେବେ କ’ଣ–”

 

“କଣ ?”

 

“ଭୁଲିଯାଇ ଏକା ଯାତ୍ରା ଦେଖିବାକୁ ଚାଲିଗଲେ ?”

 

“ସେ କଥା କେମିତି ହେବ !” ଅଜା ଅନିଶ୍ଚିତ ଭାବରେ ମୁଣ୍ଡ ହଲେଇ କହିଥିଲେ, “କେଜାଣି, କିଛି କହି ହେଉନି ।”

 

“କାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରି ଦେଖ !”

 

“ତା’ଛଡ଼ା ଆଉ ଉପାୟ କଣ ଅଛି ? ଅଫିସ ପିଅନ ମଙ୍ଗୁଳି ମେଳା ଦେଖିବାକୁ ଯାଉଥିଲା–ତାକୁ କହିଚି, ସେଠି ଦେଖିବ ବୋଲି ।”

 

ଅଜା ଆଈଙ୍କର କୌଣସି କଥା ବୋଧହୁଏ ବୋଉ ମନରେ ରେଖାପାତ କରିପାରିନି ।

 

ଉତ୍କଣ୍ଠା ଆଉ ଦୁଶ୍ଚିନ୍ତା ଭିତରେ ଯେତେବେଳେ ଅଜା ଆଉ ଆଈ ବୁଡ଼ିଯାଇ ଥାଆନ୍ତି ବୋଉ ସେତେବେଳେ ଏକାନ୍ତ ଉଦାସୀନ–ତା’ରେ ମତେ ଡାକିଥିଲା; “ଖାଇବୁ ଆ ।” ଅଜାଙ୍କୁ କହିଥିଲା, “ଅନେକ ରାତି ହେଇଗଲାଣି ନନା; ଗୋଡ଼ ହାତ ଧୋଇ ଆସ, ନରି ସାଙ୍ଗରେ ତମକୁ ବି ଖାଇବାକୁ ଦେଉଚି ।”

 

ଅଜା କଣ ଉତ୍ତର ଦେଇଥିଲେ, ମନେ ନାହିଁ ।

 

କେବଳ ଏତିକି ମନେ ଅଛି, ସେଦିନ ରାତିରେ ନନା ଆଉ ଫେରି ନାହାଁନ୍ତି । ସେଦିନ କାହିଁକି, ତା ପରଦିନ ବି ନୁହେଁ । ତା ଆରଦିନ ବି ଫେରିଲେନି । ଦିନପରେ ଦିନ କଟିଯିବାକୁ ଲାଗିଲା, ନନା ଆଉ ଫେରିଲେନି ।

 

ନନାଙ୍କର ଛାତି ସାଙ୍ଗେ ମିଶି ଏକାକାର ହୋଇ କେତେ ରାତି ଶୋଇଚି । ସଜ୍ଞାନରେ ପରିପୂର୍ଣ୍ଣ ଭାବରେ ନନାଙ୍କୁ ମୋର ସେଇ ପ୍ରଥମ ପାଇବା । ନନା ଚାଲିଯିବା ପରେ ମନେ ହେଇଥିଲା ମୋର ଦୁନିଆଁଟା ଶୂନ୍ୟ ହେଇଯାଇଚି । ଆଞ୍ଜୁଳା ପତେଇ ଜଗତର କଣ ଗୋଟାଏ ପାଇବାକୁ ଯାଉଥିଲି, ପାଉ ପାଉ ପାଇ ପାରିଲିନି ।

 

ମନେଅଛି ରାତି ହେଲେ ଶୋଇ ଶୋଇ କାନ୍ଦେ, କେହି ପାଖରେ ନ ଥିଲେ ନିର୍ଜ୍ଜନରେ କାନ୍ଦେ । କିଛିଦିନପାଇଁ କାନ୍ଦଣା ମତେ ଘେରି ଯାଇଥିଲା ।

 

ନନା ମତେ ଦେଖିବାର ଆଖି ଦେଇ ଯାଇଚନ୍ତି, ଅସ୍ଫୁଟ ଇନ୍ଦ୍ରିୟ ଗୁଡ଼ାକୁ ଫିଟେଇ ଦେଇଚନ୍ତି । ନନା ଯେତେବେଳେ ଥିଲେ ସେତେବେଳେ ପୃଥିବୀ ମୋ ଆଖିରେ ବେଗବର୍ଣ୍ଣମୟ ଗୋଟାଏ ରମଣୀୟ ଛବି ଭଳି ମନେହୁଏ । ସେତେବେଳେ ନଈ ମଝିରେ କାଠୁଆ ଡଙ୍ଗାରେ ବସି ମୁଗ୍‍ଧ ହୋଇଯାଏ । ଆକାଶର ମେଘ ଦେଖି, ମୁଗ୍‍ଧ ହୋଇଯାଏ । ଦିଗନ୍ତ ବିସ୍ତାରି ଧାନବିଲ ଦେଖି, ଜିଲ୍ଲା ବୋର୍ଡ଼ର ଅଙ୍କାବଙ୍କା ଦୂରାଭିସାରୀ ରାସ୍ତାଟା ଦେଖି ମୁଗ୍‍ଧ ହେଉଥିଲି । ହଳଦୀବସନ୍ତର ନାଚ ଦେଖି, ଭ୍ରମରର ଗୁଞ୍ଜନ ଶୁଣି, ଶଗଡ଼ ଚକର କେଁ କଟର ଶବ୍ଦ ଶୁଣି । ପୃଥିବୀର ସମସ୍ତ ଦୃଶ୍ୟ ସମସ୍ତ ଧ୍ଵନି ଏକାକାର ହୋଇ ମୋତେ ଆଚ୍ଛନ୍ନ କରି ପକାଏ । କିନ୍ତୁ ନନା ଯିବା ପରେ ପରେ ସବୁ ଯେମିତି ବିଷର୍ଣ୍ଣ, ବିସ୍ଵାଦ ହୋଇଯିବାକୁ ଆରମ୍ଭ କରିଥିଲା । ମେଢ଼ା–ପକ୍ଷୀ ପହିଁଆ–ଫୁଲ, ଆଖି ଆଗରେ ସବୁ କିଛି ଆକାର ବିହୀନ ଭଳି ମନେ ହେଉଥିଲା । ମନେ ହେଉଥିଲା ସବୁ ଏକାକାର ହୋଇ ଅନ୍ଧକାରର ଗୋଟାଏ ଘୂର୍ଣ୍ଣି ଭିତରେ ଯେମିତି ଧୀରେ ଧୀରେ ହଜିଯାଉଚି ।

 

ଏତେଦିନ ଯାଏ ନନା ଆସି ନ ଥିଲେ, ସେଇଟା ଏକପ୍ରକାରର ଭଲ ଥିଲା । ଆସିଲେ ଯଦି ରହିଲେନି କାହିଁକି ? କେତୁଟା ଦିନ ଯଦି ରହିବାର ଥିଲା ତାହେଲେ କ୍ଷଣସ୍ଥାୟୀ ମାୟା ମମତାର ନାଟ ଲଗେଇଲେ କାହିଁକି ? କାହିଁକି ଜୀବନର ସୁଧା ପାତ୍ର ମୋ ମୁହଁ ଆଗରେ ଦେଖାଇ ପିଇବାକୁ ଗଲାବେଳେ ଛଡ଼େଇ ନେଇ ଅନ୍ତର୍ଦ୍ଧାନ ହେଇଗଲେ ? ଦୁଃଖ ଅଭିମାନରେ ମୋର ଛୋଟ ହୃତ୍‍ପିଣ୍ଡଟା ଫାଟି ଯେମିତି ଫଡ଼ା ଫଡ଼ା ହେଇ ଯାଉଥିଲା ।

 

Unknown

ଏଗାର

 

ତାପରେ ଦଳେଇଘାଟ ଛାତି ଉପରେ ଦେଇ କେତେ ସୂର୍ଯ୍ୟୋଦୟ କେତେ ସୂର୍ଯ୍ୟାସ୍ତ ହୋଇଯାଇଚି । ଦିନ ପଛେ ପଛେ ଆସିଚି ମାସ, ମାସକୁ ଅନୁସରଣ କରିଚି ବର୍ଷ । ଗୋଟାଏ ଧାରାରେ ଗୋଟାକ ପରେ ଗୋଟାଏ ଋତୁ ବର୍ଷ ପରେ ବର୍ଷ ଗଡ଼ିଯାଇଚି ।

 

ଦେଖୁ ଦେଖୁ ମୁଁ ଆହୁରି ବଡ଼ ହେଇ ଉଠିଚି । ଜ୍ଞାନ ହେବା ପରେ ମୁଁ ପ୍ରଥମେ ନନାଙ୍କୁ ପାଞ୍ଚ ବର୍ଷ ବୟସ ବେଳେ ଦେଖିଥିଲି । ସେତେବେଳକୁ ମୁଁ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥାଏ । ତାପରେ ଆଖି ପଲକ ପଡ଼ୁଣୁ ନ ପଡ଼ୁଣୁ କେତେବେଳେ ଯେ ମଝିରେ ଛଅଟା ବର୍ଷ କଟିଯାଇଚି, ମନେ ପଡ଼ୁନି । ଦିନେ ହଠାତ୍ ଆବିଷ୍କାର କଲି, ମୁଁ ଅଷ୍ଟମ ଶ୍ରେଣୀକୁ ଉଠି ଆସିଚି ।

 

ଦିନେ ଦି’ପହରେ ଯାତ୍ରା ଦେଖେଇବାକୁ ନେଇଯିବେ ଏଇ ଆଶା ଦେଇ ଏବଂ ବୋଉକୁ ବେଶଭୂଷା ହେବାକୁ କହି ଦେଇ ନନା ଯେ କୁଆଡ଼େ ଚାଲି ଯାଇଥିଲେ, ସେ ଦିନ ଆଉ ଫେରି ନ ଥିଲେ । ସେଦିନ କାହିଁକି, ତାପରେ କେତେ ଦିନ କଟି ଯାଇଚି । ଫେରିବା କଥା ତାଙ୍କର ବୋଧହୁଏ ମନେ ବି ପଡ଼ିନି । ଆମେମାନେ ଭାବିଥିଲୁ, ସେଇ ହିଁ ତାଙ୍କର ଶେଷ ଯିବା । କିନ୍ତୁ ହଠାତ୍ ଦୁଇ ବର୍ଷ ପରେ ପୁଣି ଦିନେ ସେ ଫେରି ଆସିଥିଲେ ।

 

ଦ୍ଵିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ । ଏଇ ଛଅ ବର୍ଷ ଭିତରେ ନନା ତିନି ଥର ଆସିଚନ୍ତି, ତିନି ଥର ନିରୁଦ୍ଦେଶ ହେଇଚନ୍ତି । ଥରେ ଥରେ ଆସିଚନ୍ତି, ମୋର ମନେ ହେଉଚି ସେ ଯେମିତି ଆହୁରି କଳା ପଡ଼ି ଯାଇଚନ୍ତି । ଭାରତର ସୂର୍ଯ୍ୟ ତାଙ୍କର ଦେହର ରଙ୍ଗ ପୋଡ଼ି ପକେଇଥିଲା, ଭାରତର ଶୀତ ତାଙ୍କର ହାତ, ଗୋଡ଼ ମୁହଁର ଚମଡ଼ା ଫଟେଇ ଦେଇଥିଲା । ଯେତେବେଳେ ଫେରନ୍ତି ମନେହୁଏ, ଭାରତର ଏ ମୁଣ୍ଡରୁ ସେ ମୁଣ୍ଡଯାକର ଧୂଳି ଯେମିତି ତାଙ୍କ ଦେହରେ ବୋଳି ହୋଇ ଆସିଚନ୍ତି । ତାଙ୍କର ବିଶାଳ ଉଜ୍ଜ୍ୱଳ ଆଖି ଦୁଇଟାରେ ରୂପମୟ ଭାରତର ଧ୍ୟାନ ଥାଏ । ତାଙ୍କର ରୁକ୍ଷ କର୍କଶ ଦେହର ଚମଡ଼ାରେ, ତାଙ୍କର କପାଳର ଗଭୀର ରେଖାରେ, ତାଙ୍କର ସର୍ବାଙ୍ଗର ପ୍ରତିଟି କୁଞ୍ଚନରେ ପ୍ରତିଥର ଏ ଦେଶ ପରମ ଯତ୍ନରେ ନୂଆ ନୂଆ ଶିଳାଲିପି ଆଙ୍କିଦିଏ ।

 

ନନା ଆସିଲେ ପ୍ରତିଥର ସେଇ ଗୋଟାଏ ପ୍ରକାରର ପ୍ରତିକ୍ରିୟା ଦେଖାଦିଏ । ଅଜା ଉଚ୍ଛ୍ୱସିତ ହୋଇ ମାଛ ମାଂସ ପ୍ରଭୃତି ଭଲ ଭଲ ଖାଦ୍ୟ ସଂଗ୍ରହ କରିବାକୁ ଧାଁ ଧପଡ଼ କରନ୍ତି । ଆଈ କମର କଷି ରନ୍ଧାରନ୍ଧିରେ ଲାଗିଯାଏ । ବୋଉ ପ୍ରଥମେ ପାଖରେ ପଶେନି । କଠିନ, ନିସ୍ପୃହ ମଲାଟ ତଳେ ନିଜକୁ ଘୋଡ଼େଇ ଦେଇ ଦୂରେଇ ହୋଇରହେ । ସେ ମାତ୍ର ସାମାନ୍ୟ କେତେଟା ଘଣ୍ଟା ପାଇଁ ଅତି ବଡ଼ ହେଲେ ଗୋଟାଏ ଦିନ । ତାପରେ ସନ୍ଧି ହୋଇଯାଏ । ବଳେ ବଳେ ବୋଉ ଆସି ଆତ୍ମ ସମର୍ପଣ କରେ । ତାର ଅବହେଳିତ ବେଶ ଭୂଷାରେ ରୂପାନ୍ତର ଦେଖାଦିଏ ।

 

ମୋର ପ୍ରତିକ୍ରିୟାଟା ଅନ୍ୟ ପ୍ରକାର ହୁଏ । ବୋଉ ମୋ ଚାରିପାଖେ ଯେତେ ପାଚେରୀ ଉଠଉ, ଯେତେ ଦୁର୍ଗ ପ୍ରସ୍ତୁତ କରୁ, ଗୋଟାଏ ଫୁତକାରରେ ନନା ତାକୁ ଉଡ଼େଇ ଦିଅନ୍ତି । ମୋର ବନ୍ଦୀ ପ୍ରାଣ ବିହଙ୍ଗକୁ ସେ ଆଦିଗନ୍ତ ପ୍ରାନ୍ତରରେ ଅବାଧ ମୁକ୍ତି ଭିତରେ ଛାଡ଼ି ଦିଅନ୍ତି । ଗୋଟାଏ ଲଘୁ ପକ୍ଷ ପକ୍ଷୀ ଭଳି ମୁଁ ବିଶାଳ ଆକାଶରେ ଡେଣା ମେଲେଇ ଦିଏ । ନନା ଯେଉଁ କେତେଟା ଦିନ ଥାଆନ୍ତି ସେଇକେତେଟା ଦିନ ମୁଁ ସ୍ଵାଧୀନ । ଥରେ ଆସିଲାପରେ ଦ୍ଵିତୀୟ ଥର ଆସିବା ମଝିରେ ଯେତେକ ସମୟ ସେତେକ ସମୟ ମୋର ଆବଦ୍ଧ ପ୍ରାଣ ଅସ୍ଥିର ଉନ୍ମୁଖ ହୋଇଥାଏ । କେବେ ନନା ଆସିବେ, ସେଇ ଅନିଶ୍ଚିତ ଦିନଟିକୁ ଚାତକ ଚଢ଼େଇ ପରି ଚାହିଁ ବସିଥାଏ ।

 

ଛଅ ବର୍ଷ ଭିତରେ ନନା ତିନିଥର ଆସିଚନ୍ତି, ତିନିଥର ଯାକ ଆମମାନଙ୍କର ସଂସାର ଉପରେ ଆନନ୍ଦର ଢେଉ ଖେଳିଯାଇଚି । କେତେଟା ଦିନ ଉତ୍ସାହରେ ଆମମାନଙ୍କୁ ହସେଇ, ଖେଳେଇ, ଆମମାନଙ୍କ ପ୍ରାଣକୁ କଲ୍ଲୋଳିତ ଉଲ୍ଲାସିତ କରି ପୁଣି କୁଆଡ଼େ ଚାଲି ଯାଆନ୍ତି ।

 

ନନା ଚାଲିଯିବା ପରେ ଆମମାନଙ୍କ ସଂସାରକୁ ଫେରି ସେଇ ପୁରୁଣା ଜୀବନ ଫେରିଆସିଚି । ସମସ୍ତଙ୍କ ଉପର ଦେଇ ଗୋଟାଏ ପ୍ରତିକ୍ରିୟା ଘଟି ଯାଇଚି । ତକିଆ ଉପରେ ମୁହଁ ମାଡ଼ି ମୁଁ କାନ୍ଦିଚି । ଭାଇ ଭଉଣୀମାନେ ସେତେବେଳକୁ ବଡ଼ ହୋଇଯାଇ ଥାଆନ୍ତି, ବୁଝିପାରୁ ଥାଆନ୍ତି–ସେମାନେ ବି କାନ୍ଦିଚନ୍ତି । ଅଜା–ଆଈ ଆକ୍ଷେପ କରିଚନ୍ତି, ବୋଉ କଥା ଛାଡ଼–ତାର ବି ସେଇ ଗୋଟାଏ ଗତ, ବେଶଭୁଷା ହେବ ନି ନିଜ ପ୍ରତି କୌଣସି ଯତ୍ନ ନେବ ନି । ତା ଛଡ଼ା ଆମମାନଙ୍କ ପ୍ରତି ତାର ନିଷ୍ଠୁରତା ଆହୁରି ବଢ଼ିଯାଏ ।

 

ମନେ ପଡ଼ୁଚି ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ନନା ସେ ଯେଉଁ ଆସିଥିଲେ ସେଇ ତାଙ୍କର ଶେଷ ଆସିବା, ତା ପରଠାରୁ ସେ ଆଉ ଆସି ନ ଥିଲେ ।

 

ସେଦିନ ନନା ସକାଳଓଳି ଆସିଥିଲେ, ମୁଁ ବାରଣ୍ଡାରେ ବସି ପଢ଼ୁଥିଲି, ଅଜା ଚା’ କପଟା ଧରି ମୁଢ଼ି ଚୋବାଉ ଥାଆନ୍ତି । ବୋଉ ଘରଦ୍ଵାର ଓଳାଓଳି କରୁଥିଲା, ଆଉ ଆଈ କୂଅ ମୂଳେ ବସି ବୋଧହୁଏ ଦାନ୍ତ ଘଷୁଥିଲେ । ଭାଇ–ଭଉଣୀମାନେ ଅଜାଙ୍କ ଚାରିକଡ଼େ ଚା’ ଟିକିଏ ପିଇବା ପାଇଁ ନାକେଇ ବସିଥାଆନ୍ତି ।

 

ନନାଙ୍କୁ ଦେଖିବା ମାତ୍ରେ ଅଜା ଚା’ ମୁଢ଼ି ଛାଡ଼ି ଦେଇ ବାରଣ୍ଡା ତଳକୁ ଡେଇଁ ପଡ଼ିଥିଲେ-। ଆନନ୍ଦରେ ଅସ୍ଥିର ହୋଇ ଉଠି ପାଟି କରିଥିଲେ, “ଆରେ–ପୁଅ ଆସିଲେଣି ।”

 

ତାପରେ ଚିରଦିନର ସେଇ ପୁରୁଣା ହସ ଖୁସି ପୁଣି ନୂଆ ହେଇ ଖେଳି ଯାଇଥିଲା । ଦୁଇଦିନ ପରେ ସେତେବେଳେ ବୋଉର ଜମାଟ ବନ୍ଧା ବରଫ ମନଟା ତରଳିବା ଆରମ୍ଭ ହେଇଚି । ଅଜା ମାଛ ମାଂସ ପାଇଁ ଧାଇଁଚନ୍ତି, ମୁଁ ଆଉ ଭାଇ ଭଉଣୀମାନେ ସମ୍ମୋହିତଙ୍କ ଭଳି ନନାଙ୍କୁ ସଦାବେଳେ ଘେରି ରହିଚୁ । ସେଇ ସମୟରେ ଅଚାନକ ଭାବରେ ଭୟାବହ ରୁଦ୍ଧ ଶ୍ୱାସ ଘଟଣାଟା ଘଟି ଯାଇଥିଲା ।

 

ମନେଅଛି ସେତେବେଳକୁ ମୁଁ ବଡ଼ ହେଇଯାଇଚି । ରାତିରେ ନନାଙ୍କ ପାଖରେ ଆଉ ଶୁଏନି । ମୋର ଶୋଇବା ବ୍ୟବସ୍ଥା ହୋଇଥିଲା ଅଜାଙ୍କ ଶୋଇବା ଘରର ଗୋଟାଏ କଣକୁ । ଅଲଗା ବିଛଣାରେ ।

 

ସେଦିନ ରାତିରେ ନନାଙ୍କ ସାଙ୍ଗରେ ଅନେକ ସମୟ କଥାବାର୍ତ୍ତା ହୋଇ ନିଜର ବିଛଣାରେ ଯାଇ ଶୋଇଥିଲି । ଶୋଇବା ମାତ୍ରେ ନିଦ ଆସି ଯାଇଥିଲା । କେତେ ସମୟ ଶୋଇଥିଲି ମନେ ନାହିଁ । ହଠାତ୍ ବୋଉର ଚିତ୍କାର ଶୁଣି ଧଡ଼ପଡ଼ ହୋଇ ଉଠି ବସିଥିଲି । ଉଠିବା ମାତ୍ରେ ନଜରରେ ପଡ଼ିଥିଲା, ଅଜା–ଆଈ ମଧ୍ୟ ତା ପୂର୍ବରୁ ଉଠି ଆଲୁଅ ଲଗେଇଥିଲେ । ବାହାରକୁ ବାହାରିବେ କି ନାଇଁ ତାର କୌଣସି ସିଦ୍ଧାନ୍ତ ଉପରକୁ ଆସି ପାରୁ ନ ଥିଲେ, କେମିତି ଟିକିଏ ଦ୍ଵିଧାବୋଧ କରୁଥିଲେ । ହୁଏତ ଝିଅ ଜ୍ଵାଇଁଙ୍କର ଦାମ୍ପତ୍ୟ କଳହ ଭିତରକୁ ଯିବାକୁ ଇତସ୍ତତଃ ହେଉଥିଲେ ।

 

କେବଳ ବୋଉର ପାଟି ଶୁଣା ଯାଉଥିଲା, ଅବଶ୍ୟ କଣ କହୁଥିଲା ବୁଝି ହେଉ ନ ଥିଲା-। ନନା କିନ୍ତୁ ନୀରବ; କିମ୍ଵା କିଛି କହିଲେ ବି ଏତେ ଆସ୍ତେ କହୁଥିଲେ ଯେ ଶୁଣାଯାଉ ନ ଥିଲା-

 

ଉଦବିଗ୍ନ ଭାବରେ ଫୁସ୍‍ଫୁସ୍ କରି ଅଜାଙ୍କୁ ପଚାରିଥିଲି, “କଣ ହେଇଚି ଅଜା ?”

 

ଅଜା ଖୁବ୍ ଚିନ୍ତିତ ଦେଖା ଯାଉଥିଲେ । ଆସ୍ତେ ଆସ୍ତେ ମୁଣ୍ଡ ହଲେଇ କହିଥିଲେ, “କେଜାଣି, କିଛି ବୁଝି ପାରୁନି ।”

 

ବୋଉର ଚିତ୍କାର କ୍ରମଶଃ ବଢ଼ୁଥିଲା । ମୁଁ କହିଥିଲି, “ଚାଲ ଅଜା, କଣ ହେଇଚି ଦେଖିବା–”

 

“ଯିବାଟା କଣ ଠିକ୍ ହେବ ?”

 

“କାହିଁକି ?”

 

ଅଜା ଉତ୍ତର ଦେଲେନି ।

 

ଆଈ କହିଥିଲେ, “ଏତେ ରାତିରେ ଝିଅ କାହିଁକି ବିରକ୍ତ ହେଉଚି ! ଚାଲ, ତାକୁ ବୁଝେଇ ସୁଝେଇ ଥଣ୍ଡା କରିଦେଇ ଆସିବା ।”

 

କିନ୍ତୁ ଅଜାଙ୍କର ଦ୍ଵିଧା କଟିପାରୁ ନ ଥିଲା, ସେ କହିଥିଲେ, “କୋଉ ବିଷୟରୁ କଣ ହେଉଚି, କିଛି ଜାଣିନି । ମଝିରେ ଯାଇ ସେମାନଙ୍କ କଥାରେ ମୁଣ୍ଡ ଗଳେଇଲେ ଲାଜରେ ମୁଣ୍ଡ ଛିଣ୍ଡି ପଡ଼ିବ । ବରଂ ଆଉ ଟିକିଏ ଦେଖ, ତାପରେ ନ ହେଲେ ବାହାରିବା ।”

 

“ହଉ ହେଲା ।”

 

କିନ୍ତୁ ଶାନ୍ତ ହେବାର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା । ବୋଉର ଉତ୍ତେଜନା ଆହୁରି ପ୍ରବଳ ହୋଇ ଉଠିଥିଲା । ଚିତ୍କାର ଆହୁରି କଠିନ ଶୁଣା ଯାଉଥିଲା । ସାଂଘାତିକ କିଛି ଗୋଟାଏ ଯେ ଘଟିଚି ସେଥିରେ ସଂଶୟ ନ ଥିଲା ।

 

ତେଣୁ ଅନିଚ୍ଛାସତ୍ତ୍ଵେ ବି ଅଜା ଦ୍ଵାର ଖୋଲିଥିଲେ । ଆମେମାନେ ନିଃଶବ୍ଦରେ ଚୁପ୍‍ଚାପ୍ ହୋଇ ବାରଣ୍ଡାରେ ଆସି ଠିଆ ହୋଇଥିଲୁ । ବାହାରକୁ ତ ଆସିଚୁ, ଏଥର ନନା–ବୋଉଙ୍କୁ ଡାକିବୁ କି ନାଇଁ ସ୍ଥିର କରି ପାରୁ ନ ଥିଲୁ ।

 

ଘର ଭିତରେ ଥିବାରୁ ନାନା–ବୋଉଙ୍କର କଥା ବୁଝିପାରୁ ନ ଥିଲୁ । ବାହାରକୁ ଆସିବାରୁ ସେଗୁଡ଼ା ପରିଷ୍କାର ଶୁଣା ଯାଉଥିଲା ।

 

ବୋଉ କହୁଥିଲା, “ଶେଷକୁ ତମ ମନରେ ଏଇୟା ଥିଲା ?”

 

ନନା ଖୁବ୍ ଧୀର ଗଳାରେ କଣ ଉତ୍ତର ଦେଇଥିଲେ, ବୁଝି ପାରିଲୁନି ।

 

“କାହିଁକି, କାହିଁକି ତମେ ଏଭଳି ମୋର ସର୍ବନାଶ କଲ ? କାହିଁକି ? ତାର ଜବାବ୍ ତୁମକୁ ଦେବାକୁ ହେବ ।”

 

ନନା କିନ୍ତୁ ଏଥର ନୀରବ ରହିଥିଲେ ।

 

ବୋଉ ପୂର୍ବପରି କହୁଥାଏ “ଯଦି ମୋର ସର୍ବନାଶ କରିବା ଇଚ୍ଛା ତମ ମନରେ ଥିଲା ତେବେ ପୁଣି ଆସିଥିଲ କାହିଁକି ? ମୋ ପାଖକୁ ଆସିଲା ଭଳି ସାହସ ତମେ କେମିତି କରି ପାରିଲ-?”

 

ଏଥର ନନା ବୁଝେଇବାର ଚେଷ୍ଟା କରିଥିଲେ, “ଏମିତି ରାଗୁଚ କାହିଁକି ?”

 

ବୋଉର ସ୍ଵର ଏଥରେ ଆହୁରି ଚଢ଼ା ଶୁଣା ଯାଉଥିଲା । “କାହିଁକି ରାଗିବିନି ! ମୋର ସର୍ବସ୍ଵ ଯିବ, ଆଉ ମୁଣ୍ଡ ଠିକ୍ ରଖି ମୁଁ ମୁହଁ ବୁଜି ବସିଥିବି ! ତମେ ତମର ଯାହା ଖୁସି କରିଯିବ, ଆଉ ମୁଁ ସେଗୁଡ଼ାକ ମାନିନେବି ? କାହିଁକି ?”

 

ନନା ଖୁବ୍ ଧୀର ଗଳାରେ ଏଥରେ କଣ ଉତ୍ତର ଦେଇଥିଲେ, ବୁଝିହେଲା ନି ।

 

ବୋଉ ସେମିତି କହିବାରେ ଲାଗିଥାଏ, “ଜୀବନସାରା ମତେ ଜଳେଇ ପୋଡ଼େଇ ମାରୁଚ । ବାହା ହେଲା ପରେ ବାପ ଘରେ ଝିଅ ପଡ଼ି ରହିବା କେଡ଼େ ଅସମ୍ମାନ, କେଡ଼େ ଦୁଃଖର କଥା ସେତକ ବୁଝିଲା ଭଳି ମନ ତମର ନାହିଁ । ବାହା ହେଇଚ, ପିଲାଛୁଆ ହେଇଚନ୍ତି । ଅଥଚ ସେମାନଙ୍କର ଦାୟିତ୍ୱ ତମେ ସବୁଦିନେ ପର ଉପରେ ଛାଡ଼ି ବୁଲିବାରେ ଲାଗିଚ । ତମେ ଅମଣିଷ, ସ୍ଵାର୍ଥପର, ଦାୟିତ୍ୱଜ୍ଞାନହୀନ । କପାଳ ଭଲ ବୋଲି ମୋ ନନା–ବୋଉଙ୍କ ଭଳି ଶାଶୁ–ଶ୍ଵଶୁର ପାଇଚ । ଅନ୍ୟ କୋଉଠି ବାହା ହେଇଥିଲେଏ ଆଖି ଲୁହ ସେ ଆଖିରୁ ପୋଛିପାରୁ ନ ଥାନ୍ତ । ଅବସ୍ଥା କଣ ହୁଅନ୍ତାଣି କିଛି ଠିକଣା ନ ଥାନ୍ତା ।”

 

ଏଥର ବି ନନା ନୀରବ ରହିଥିଲେ ।

 

ବୋଉ କିନ୍ତୁ ଚୁପ ହୋଇ ନ ଥିଲା । କହି ଚାଲୁଥାଏ, “ତେବେ ବି ସେଗୁଡ଼ାକ ସହି ଯାଉଥିଲି । ତମେ ଯୁଆଡ଼େ ଇଚ୍ଛା ସେଆଡ଼େ ଯାଇ ବୁଲିଲେ ବି ଭରସା ଥିଲା, ଦିନେ ନା ଦିନେ ତମେ ମୋ ପାଖକୁ ଫେରି ଆସିବ । ନ ଥିଲେ ବି ଭାବୁଥିଲି, ଯେଉଁଠି ଥିଲେ ବି ତମେ ମୋର ପତି, ଦେବତା; କିନ୍ତୁ ତମକୁ ଚାହିଁ ଚାହିଁ ମୋର ସବୁ ପୋଡ଼ି ପାଉଁଶ ହୋଇଗଲା ।”

 

ନନା କହିଥିଲେ, “ତମକୁ ସବୁ କହିଚି, ମୋ କଥା ଟିକିଏ ବୁଝିବାକୁ ଚେଷ୍ଟାକର । କି ଅବସ୍ଥାରେ ପଡ଼ି ମତେ ଏ କାମ କରିବାକୁ ହେଇଚି, ସେଇଟା ଥରେ ଭାବି ଦେଖ–”

 

ବୋଉ ଏଥର ବଡ଼ ପାଟିରେ ଉନ୍ମାଦିନୀଙ୍କ ଭଳି ଚିତ୍କାର କରି ଉଠିଥିଲା, “ମୋର ଭାବି ଦେଖିବା କିଛି ଦରକାର ନାହିଁ । କାହିଁକି ଦେଖିବି ? ଜୀବନରେ ମୁଁ ତମଠାରୁ କଣ ପାଇଚି ଯେ ତମର ଦୋଷ ଦୁର୍ବଳତା ମତେ ଘୋଡ଼େଇ ରଖିବାକୁ ହେବ ? ତମ କଥା ମତେ ବିଚାର କରିବାକୁ ପଡ଼ିବ ? କୋଉ ଅଧିକାରରେ ତମେ ମତେ ଏ କଥା କହିବାକୁ ସାହାସ କରୁଚ ?”

 

“ସ୍ଵାମୀ ସ୍ତ୍ରୀ ଅଧିକାରରେ ।”

 

“ତମଠାରୁ ସେ ସମ୍ପର୍କ ମୋର କଟିଯାଇଚି ।”

 

“ବାୟାଣୀଙ୍କ ଭଳି କଣଗୁଡ଼ାଏ କହୁଚ ?”

 

“ଠିକ୍ କଥା କହୁଚି ।” ହିତାହିତ ଜ୍ଞାନଶୂନ୍ୟ ଭଳି ବୋଉ କହି ଯାଉଥିଲା, “ଆଜିଠାରୁ ଭାବିଚି ମୁଁ ବିଧବା ହେଇ ଯାଇଚି । ଛୁଆପିଲାଙ୍କୁ କହିବି ତମର ବାପ ମରି ଯାଇଚି । ଯୋଉ ଲୋକକୁ କୌଣସି ଦିନ ଶ୍ରଦ୍ଧା କରି ପାରିବିନି, ଭଲ ପାଇ ପାରିବିନି, ଘୃଣା ଛଡ଼ା ଆଉ କିଛି ଦେଇ ପାରିବିନି ତା ସଙ୍ଗେ ନିଜକୁ ଆଉ ପୁଅ ଝିଅଙ୍କର ପରିଚୟ ଯୋଡ଼ି ରଖିବାରେ ଲାଭ କଣ ? ସେଇ ଢେର୍ ଅସମ୍ମାନର କଥା ହେବ । ସେଥିପାଇଁ କହୁଚି ତମେ ଯାଅ; ସବୁଦିନ ପାଇଁ ତମକୁ ଛାଡ଼ି ଦେଲି ।”

 

ନନା ନୀରବ ।

 

ବୋଉ ପୁଣି କହିଥିଲା, “ଏଇଲେ ରାତି ଅଧ, କେହି ଚାହିଁ ନାହାନ୍ତି । ଅନ୍ଧାର ରାତିରେ ନିଶ୍ଚିନ୍ତରେ ଚାଲିଯାଇ ପାରିବ, କେହି ଜାଣି ପାରିବେନି । ଅବଶ୍ୟ ଦିନବେଳେ ସମସ୍ତଙ୍କ ଆଗରେ ତମ ମୁହଁରେ ଚୂନ କଳା ବୋଳି ସାହି ସାହି ବୁଲେଇ ଦେଖେଇବା ଦରକାର । ଦିନେ ଯେ ତମେ ମୋର ସ୍ଵାମୀ ଥିଲ, ତେଣୁ ଅନ୍ଧାର ରାତିରେ ଲୁଚି ଚାଲିଯିବାର ସୁଯୋଗ ଟିକକ ଦେଉଚି । ଯାଅ, ଆଉ କୌଣସି ଦିନ ମୋ ପାଖକୁ ଆସିବନି ।”

 

ଟିକିଏ ପରେ ଦ୍ଵାର ଖୋଲି ଯାଇଥିଲା । ନନା ବାହାରିଥିଲେ, ବୋଉ କିନ୍ତୁ ବାହାରି ନ ଥିଲା । ଅନ୍ଧାରରେ ସମସ୍ତଙ୍କ ଅଗୋଚରରେ ନିଃଶବ୍ଦରେ ଏବଂ ଚରମ ଉପେକ୍ଷା ଭିତରେ ନନା ବିଦାୟ ନିଅନ୍ତୁ–ଏଇୟା ବୋଧହୁଏ ତାର ଉଦ୍ଦେଶ୍ୟ ଥିଲା ।

 

ବାହାରି ଆସି ନନା ଆମମାନଙ୍କୁ ଦେଖି ଥକ୍‍କା ହୋଇ ଯାଇଥିଲେ । ନିମିଷକ ପାଇଁ ସେ ଆମକୁ ଚାହିଁଥିଲେ ବୋଧହୁଏ । ତାପରେ ମୁହଁଟା ତାଙ୍କର ତଳକୁ ହୋଇଯାଇଥିଲା । ବେକଟା ଯେମିତି ଭାଙ୍ଗି ଯାଇଥିଲା । କାନମୂଳ ଉପରେ ଅନେକଗୁଡ଼ାଏ ଧଳା ଧଳା ବାଳ ଉଡ଼ୁଥିଲା । ହଠାତ୍ ମନେ ହେଉଥିଲା, ନନା ଯେମିତି ଅନେକ ବୁଢ଼ା ହୋଇଯାଇଚନ୍ତି । ତାଙ୍କର ଦୀନ କରୁଣ ମୁହଁଟାକୁ ଦେଖୁ ଦେଖୁ ମତେ ଭାରୀ କାନ୍ଦ ମାଡ଼ୁଥିଲା ।

 

ଅଷ୍ଟମ ଶ୍ରେଣୀରେ ପଢ଼ୁଚି, ସେତେବେଳେ ବୁଝିବା ଭଳି ବୟସ ହେଇଚି । ଏକ ଦୃଷ୍ଟିରେ ନନାଙ୍କଆଡ଼େ ଚାହିଁଥିଲି । ସେଯାଏ ମୋର ଜୀବନର ସର୍ବାପେକ୍ଷା ବେଗ ବର୍ଣ୍ଣମୟ ଚମକପ୍ରଦ ମଣିଷଟି ନୀରବରେ ମୁହଁ ଲୁଚେଇ ଚାଲିଯିବା ପାଇଁ ଘରର ବାହାରକୁ ଆସିଚନ୍ତି । ଏହା ମଧ୍ୟରେ କି ପରିମାଣର ଗ୍ଲାନି, କି ପରିମାଣର ଦୁର୍ବହ ଯନ୍ତ୍ରଣା ଆଉ ଅସହ୍ୟ ଅସମ୍ମାନ ସବୁ କଥା ବୁଝିପାରୁ ଥିଲି । ନନାଙ୍କ ପାଇଁ ବକ୍ଷଭିତରେ ଗୋଟାଏ ଦୂରନ୍ତ କଷ୍ଟକର ଆବେଗ ଫୁଲି କାନ୍ଦି ଫେଣାୟିତ ହୋଇ ଯେମିତି ମୋର ଶ୍ୱାସରୁଦ୍ଧ କରି ଆଣୁଥିଲା ।

 

ଅଜା ପ୍ରଥମେ କଥା କହିଥିଲେ । ଟିକିଏ ଜୋରରେ ଡାକିଲେ, “ଝିଅ–”

 

ଆମମାନଙ୍କୁ ଦେଖିବ ବୋଲି ବୋଉ ବୋଧହୁଏ ଆଶା କରି ନ ଥିଲା । ସାମାନ୍ୟ ଚମକି ପଡ଼ି କହିଥିଲା, “କଣ କହୁଚ ?”

 

“ତମମାନଙ୍କ କଥା ସବୁ ଶୁଣିଚି । କଣ ଏମିତି କରି ପକେଇଚନ୍ତି ଯେ ଏତେ ରାତିରେ ପୁଅଙ୍କୁ ତଡ଼ି ଦେଉଚୁ ? ମନେରଖ ଏଇଟା ମୋ ଘର ।” ଖୁବ୍ କଠିନ ଗଳାରେ ଅଜା କହିଥିଲେ, ତାଙ୍କର ଆଖି ଦୁଇଟାରେ ଅଦ୍ଭୁତ ଦୃଢ଼ତା ଫୁଟି ଉଠିଥିଲା । ଚିରଦିନ ଝିଅର ଖିଆଲ ପାଖରେ ତାଙ୍କୁ ମୁଣ୍ଡ ତଳକୁ କରି ରହିବାକୁ ହେଇଚି; କିନ୍ତୁ ସେଦିନ ସେଇ ଚରମ ମୁହୂର୍ତ୍ତରେ ସେ ଅନେକଟା ନିର୍ମମ ହୋଇ ଝିଅ ଆଗରେ ଠିଆ ହୋଇଥିଲେ ।

 

ଘର ଭିତରେ ବୋଉ କହିଥିଲା, “ଏଇଟା ତମ ଘର ବୋଲି ଜାଣେ । ସେଇଥିପାଇଁ ତ ପିଲାଛୁଆଙ୍କୁ ଧରି ମାଗିଖାଇ ଚାକରାଣୀଙ୍କ ପରି ପଡ଼ି ରହିଚି । ନିଜ ଘର ହୋଇଥିଲେ ନିଜ ପାଖରେ ନିଜେ ଆଜି ଏକଥା ସହି ଥାଆନ୍ତି କାହିଁକି !”

 

ଅଜା ଘାବରେଇ ଯାଇଥିଲେ, “ଦେଖ୍, କୋଉ କଥାକୁ କଣ ଅର୍ଥ କରୁଚୁ !”

 

ବୋଉ ବୋଧହୁଏ ସେକଥା ଶୁଣି ପାରିଲାନି । କିମ୍ବା ଶୁଣିଲେ ବି ଖାତିର କଲାନି । ମନକୁ ମନ ସେ କହି ଯାଉଥିଲା, “କଣ କରିଚନ୍ତି ବୋଲି ଯୋଉ କହୁଚ, ସେକଥା ତାଙ୍କୁଇ ପଚାର-।”

 

ଅଜା କହିଥିଲେ, “ଯାହା ପଚାରିବା କଥା କାଲି ସକାଳେ ପଚାରିବି । ଆଉ ପଚାରିବି ବା କଣ ? ସ୍ଵାମୀ–ସ୍ତ୍ରୀ ଭିତର କଥା, ନିଜେ ତମେମାନେ ମିଳି ମିଶିଯିବ ।” କହୁ କହୁ ନନାଙ୍କଆଡ଼େ ଚାହିଁ କହିଥିଲେ, “ତମେ ଘରକୁ ଯାଅ ବାପ ।”

 

ନିଷ୍ଠୁର ଗଳାରେ ବୋଉ କହିଥିଲା, “ନାଇଁ ।”

 

“କଣ ନାଇ ?” ଅଜା ଆଶ୍ଚର୍ଯ୍ୟରେ କହିଥିଲେ ।

 

“ସେ ଆଉ ଦଣ୍ଡେ ବି ଏ ଘରେ ରହି ପାରିବେ ନି ।”

 

“ହ ରହିବେ ।”

 

“ଯଦି ରହନ୍ତି, ମୁଁ ବିଷ ଖାଇ ଦେବି ।”

 

ଏତେବେଳ ପରେ ନନା ମୁହଁ ଉଠେଇ ଥିଲେ । ବିବ୍ରତ, ଭୟାର୍ତ୍ତ, ଲାଞ୍ଛିତ, ଅପମାନିତ ମଣିଷଟି କ୍ଳାନ୍ତ କରୁଣ ସ୍ଵରରେ କହିଥିଲେ, “ନା–ନା, ମୁଁ ଯାଉଚି ।” କହିବା ସଙ୍ଗେ ସଙ୍ଗେ ଆଉ ଅପେକ୍ଷା କରି ନ ଥିଲେ । ଚିରଦିନର ପ୍ରାଣବନ୍ତ, ଉଜ୍ଜ୍ୱଳ, ବେଗବାନ ମଣିଷଟି ନିର୍ଜୀବ ପାଦ ଘୋଷାରି ଘୋଷାରି ଦାଣ୍ଡଦ୍ଵାର ଖୋଲି ଅନ୍ଧାର ଭିତରେ ଅଦୃଶ୍ୟ ହୋଇ ଯାଇଥିଲେ । ତାଙ୍କ ସଙ୍ଗେ ସଙ୍ଗେ ଘର ବାହାରର ସୁଦୂର–ବ୍ୟାପ୍ତ ବିଶାଳ ପୃଥିବୀ ସଙ୍ଗେ ମୋର ସଂଯୋଗ ଛିନ୍ନ ହୋଇ ଯାଇଥିଲା ।

 

ସେଇ ମୋର ନନାଙ୍କୁ ଶେଷ ଦେଖା । ଆମମାନଙ୍କ ଜୀବନରେ ତାଙ୍କର ଭୂମିକା ଶେଷ ହୋଇ ଯାଇଥିଲା; କିନ୍ତୁ ସତରେ କଣ ଯାଇଥିଲା ?

 

କେଉଁ ଅପରାଧ ପାଇଁ ନନାଙ୍କୁ ଲାଞ୍ଛିତ ହୋଇ ସେଦିନ ଚାଲିଯିବାକୁ ହୋଇଥିଲା, ସେତେବେଳେ ବୁଝି ପାରି ନ ଥିଲି । ବୁଝିଥିଲି, ସ୍କୁଲର ସୀମାଛାଡ଼ି କଲେଜକୁ ଆସିବା ପରେ ।

 

ବାର

 

ଜୀବନର ଦ୍ଵିତୀୟ ଅଧ୍ୟାୟଟା କେଉଁଠାରୁ ଆରମ୍ଭ ? ଏ ପ୍ରଶ୍ନର ଉତ୍ତର ଦେବାକୁ ହେଲେ ଆଖି କାନ ବୁଜି ନିଜର ଗୋଟାଏ ଗୋପନ ଅହଙ୍କାର କଥା ଫେଣେଇ ଫୁଲେଇ କହିବାକୁ ହୁଏ ।

 

ପଢ଼ାପଢ଼ିରେ ମୁଁ ପିଲାଦିନୁ ଅସାଧାରଣ ଥିଲି, ଶ୍ରେଣୀର ପ୍ରଥମ ପିଲା । ସ୍କୁଲରେ ନାଆଁ ଲେଖେଇବା ପରଠାରୁ ପ୍ରଥମ ସ୍ଥାନଟା ସବୁଦିନ ପାଇଁ ମୋ ପାଇଁ ନିର୍ଦ୍ଦିଷ୍ଟ ହୋଇଥିଲା ।

 

ଆୟୁଟାକୁ ସମୟ ହିସାବରେ ଭାଗ ଭାଗ କଲେ ମନେ ହେଉଚି, ଦଶମ ଶ୍ରେଣୀ ପରଠାରୁ ମୋ ଜୀବନର ଦ୍ୱିତୀୟ ଅଧ୍ୟାୟର ସୂଚନା । ମନେଅଛି ଦ୍ଵିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ–ଏଇ ନଅ ବର୍ଷ ଭିତରେ ନଅଟି ବାର୍ଷିକ ନଅଟି ଷାଣ୍ମାସିକ ମୋଟ ଅଠରଟି ପରୀକ୍ଷାରେ ମୁଁ ଥରେ ହେଲେ ଦ୍ଵିତୀୟ ହୋଇନି ।

 

କେବଳ ପରୀକ୍ଷାରେ ନୁହେଁ, ଆଚାର–ବ୍ୟବହାରରେ, ଚାଲି–ଚଳଣରେ ବି ଦଳେଇଘାଟର ପିଲାମାନଙ୍କ ମଧ୍ୟରେ ମୁଁ ସେତେବେଳେ ପ୍ରଥମ ପିଲା, ବୟସ୍କମାନଙ୍କ ଆଗରେ କୌଣସି ଦିନ ମୁହଁ ଟେକି କଥାବାର୍ତ୍ତା କରିନି । ସମସ୍ତେ କହନ୍ତି, ମୋର ସ୍ଵଭାବ କେଉଁଠି ଖୁବ୍ ନମ୍ର ଆଉ ଶାନ୍ତ । ଭଲ ପିଲା ଭାବରେ କେବଳ ସ୍କୁଲରୁ ପୁରସ୍କାର ପାଇନି, ଦଳେଇଘାଟର ବାସିନ୍ଦାମାନେ ମୋର ସ୍ୱଭାବପାଇଁ ନିରନ୍ତର ପ୍ରଶଂସାର ଶିରସ୍ତ୍ରାଣ ମୁଣ୍ଡରେ ବାନ୍ଧି ଦେଇଥିଲେ ।

 

ଖେଳ କୌତୁକ କିମ୍ଵା ମଉଜ ମଜଲିସ, କୌଣସିଥିରେ ମୋର ଆଗ୍ରହ ନ ଥିଲା । ସ୍କୁଲ ସମୟତକ ଆଉ ମନୁଙ୍କ ଘରକୁ ଥରଟେ ଯିବା–ଏହା ବ୍ୟତୀତ ମୁଁ ଦିନସାରା ଘର ଭିତରୁ ବାହାରେନି । ତଥାପି ମୋର ଖ୍ୟାତି କିଭଳି ଭାବରେ କେଜାଣି ଦଳେଇଘାଟର ଦିଗଦିଗନ୍ତରେ ଖେଳେଇ ହୋଇ ପଡ଼ିଥିଲା ।

 

ମନେ ପଡ଼ୁଚି ପ୍ରାୟ ପିଲାବେଳଠାରୁ ଏଇ ଭଲ ପାଇଁ ପ୍ରଶଂସା ଶୁଣି ଆସିଥିଲି । ଶୁଣି ଶୁଣି ଏଇ ପ୍ରଶଂସାଟା ଉପରେ ଗୋଟାଏ ସ୍ଵାଭାବିକ ଦାବୀ ଜନ୍ମି ଯାଇଥିଲା । ମୁଁ ମଧ୍ୟ ଏ ବିଷୟରେ ଯଥେଷ୍ଟ ସଚେତ ଥିଲି । ମୁଁ ଯେ ଅସାଧାରଣ ଏବଂ ଆଉ ଦଶଟା ପିଲାଙ୍କଠାରୁ ଅଲଗା, ବିଶିଷ୍ଟ ଆଉ ସ୍ୱତନ୍ତ୍ର–ଏ କଥାଟା ଦଳେଇଘାଟର ପ୍ରତିଟି ମଣିଷଙ୍କ ଦୃଷ୍ଟିରେ ପକେଇ ଦେଉଥିଲି ।

 

ସ୍କୁଲରେ ନାଆ ଲେଖେଇବା ଦିନଠାରୁ ମୋର ଜୟକାରର ସୂତ୍ରପାତ ହେଇଥିଲା । ତାପରେ ଗୋଟି ଗୋଟି କରି ପରୀକ୍ଷାରେ ପ୍ରଥମ ହେଇଚି, ତା ସଙ୍ଗେ ମୋର ଖ୍ୟାତି ଆଉ ପ୍ରଶଂସାର ଦିଗନ୍ତ ମଧ୍ୟ ପ୍ରସାରିତ ହେଇଚି । ଭଲ ପିଲା କାହାକୁ କହନ୍ତି, ସେ କଥା ବୁଝେଇବା ପାଇଁ ସମସ୍ତେ ମୋଆଡ଼କୁ ହାତ ବଢ଼ାଇ ଦିଅନ୍ତି । ପ୍ରକୃତରେ ମୁଁ ଯେମିତି ଭଲ ପିଲାର ସଂଜ୍ଞା ଥିଲି-

 

ମନେଅଛି, ଜୀବନର ଏଇ ଆଲୋକିତ ଭଜ୍ଜ୍ଵଳ ପଥ ଧରି ମାନସୀ ମୋ ପାଖକୁ ଆହୁରି ନିବିଡ଼ ହୋଇ ଆସିଥିଲା । ମାନସୀ–କୁମାରୀ ମାନସୀ କର । ଜାପାନୀ କଣ୍ଢେଇ ଭଳି ମନୁର ସେଇ ଖେଣ୍ଟେଇ ଭଉଣୀ ।

 

ସେମାନଙ୍କ ଘରକୁ ମୁଁ ପ୍ରଥମେ ମନୁର ବନ୍ଧୁ ହିସାବରେ ଯାଇଥିଲି । ପ୍ରାୟ ଗୋଟାଏ ବର୍ଷ ମାନସୀ ସାଙ୍ଗେ ମୋର ବିଶେଷ ସମ୍ପର୍କ ନ ଥିଲା, ସନ୍ଦିଗ୍‍ଧ ଗୋଇନ୍ଦା ଦୃଷ୍ଟିରେ ସେ ମୋର ଗତିବିଧି ଲକ୍ଷ୍ୟ କରୁଥିଲା । ହଠାତ୍ ଦିନେ ମୋର ବନ୍ଧୁତ୍ଵର ସର୍ତ୍ତ ନେଇ ଭାଇ–ଭଉଣୀ ଦୁହିଙ୍କ ମଧ୍ୟରେ ଯୁଦ୍ଧ ହେଇଯାଇଥିଲା । ସେ ଯୁଦ୍ଧରେ ମାନସୀ ଜୟୀ ହୋଇଥିଲା । ଧୀରେ ଧୀରେ କେବେ ମନୁ ପାଖରୁ ଯେ ମାନସୀ ପାଖକୁଆଡ଼େଇ ହୋଇ ଆସିଥିଲି, ସେ କଥା ମନେ ନାହିଁ । ମୋର ଏଇ ଗୋଟାଏ ଦିଗରୁ ଅନ୍ୟ ଦିଗକୁ ଯିବାଟା ଅଲକ୍ଷ୍ୟରେ ଘଟି ଯାଇଥିଲା–ନିଶବ୍ଦ, ଅଜ୍ଞାତସାରରେ ।

 

ଯାହାହେଉ, ଯେଉଁ ଘଟଣାଟା ପ୍ରଥମେ ମତେ ଜଣେଇ ଦେଇଥିଲା ଯେ କୈଶୋରର ସୀମାନ୍ତ ପାର ହୋଇ ଯୌବନର ସିଂହଦ୍ଵାରରେ ଆସି ପହଞ୍ଚି ଯାଇଚି, ରୋମାଞ୍ଚିତ, ବିସ୍ମୟରେ ଆଜି ବି ସେଇଟା ମନେ ପଡ଼ୁଚି । ଘଟଣାଟା ଯେମିତି ମୋର ହାତ ଧରି କୈଶୋରର ରୂପକଥାରୁ ଯୌବନର ରୂପ କଥାକୁ, ଜୀବନର ପ୍ରଥମ ପର୍ବରୁ ଦ୍ଵିତୀୟ ପର୍ବର ଅସୀମ ରହସ୍ୟମୟତାକୁ ମତେ ନେଇ ଆସିଥିଲା ।

 

ମୋର ସ୍ମୃତି ଭିତରେ ସେଦିନଟା ନିର୍ଭୁଲ ଭାବରେ ରହିଚି । କିଛି ନ ଭାବି ବର୍ତ୍ତମାନ ମୁ ତାର ଖୁଣ୍ଟି ନାଣ୍ଟି ବିବରଣ ଦେଇ ପାରିବି । ପରବର୍ତ୍ତୀ କାଳରେ ମୋର ଜୀବନବ୍ୟାପୀ ଗ୍ଲାନିର ଅନ୍ଧକାରରେ ଏଇ ଦିନଟା ସୁନେଲି ରେଖା ଭଳି ଥିଲା ।

 

ପ୍ରଥମେ ପ୍ରଥମେ ଦୁଇଟି ସୁସ୍ପଷ୍ଟ କାରଣରୁ ମନୁଙ୍କ ଘରକୁ ଯାଉଥିଲି । ଗୋଟାଏ ମନୁର ବନ୍ଧୁତ୍ୱ, ଦ୍ଵିତୀୟ କାରଣ ମନୁର ନନା ବୋଉଙ୍କର ସମ୍ମୋହିତକାରୀ ହସଖୁସିରେ ଖେଳଟା, ଅଲକ୍ଷ୍ୟରେ ଆଉ ଗୋଟାଏ ତୃତୀୟ କାରଣ ଥିଲା । ମୋର ଅନୁଭୂତିର ଅନେକ ସ୍ତରର ତଳେ । ନିଃଶବ୍ଦରେ, ଟିକିଏ ହେଲେ ଆଭାସ ନ ଦେଇ ସେଇଟା କେବେଠାରୁ ଯେ ଅଙ୍କୁରିତ ହେଇଥିଲା, ନିଜେ ତାର ଖବର ରଖି ପାରି ନ ଥିଲି । ସେଇ ସୁନେଲି ଦିନଟା ଗୋଟାଏ ଝାଙ୍କରେ ସବୁ ଆବରଣ ଖସେଇ ଦେଇ ପ୍ରାଣ ଭିତରର ଅବଚେତନ ଆକାଙ୍‍କ୍ଷାଟାକୁ ବାହାରର ଆଲୋକରେ ଖୋଲି ଧରିଥିଲା ।

 

ମନେ ପଡ଼ୁଚି, ସେତେବେଳକୁ ସ୍କୁଲ ଜୀବନ ମୋର ଶେଷ ହେବାକୁ ଯାଉଚି । ଟେଷ୍ଟ ପରୀକ୍ଷାରେ ଯଥାରୀତି ପ୍ରଥମ ହେଇଥିଲି । ଯେଉଁଦିନ ଫଳ ବାହାରିଲା ସେଦିନ ସ୍କୁଲରୁ ପ୍ରଥମେ ଘରକୁ ଫେରି ବୋଉକୁ, ଅଜା–ଆଈଙ୍କୁ ମୁଣ୍ଡିଆ ମାରିଥିଲି । ତାପରେ ମନୁଙ୍କ ଘରକୁ ଧାଇଁ ଯାଇଥିଲି । ସେଥର ମନୁର ବି ସ୍କୁଲ ଜୀବନ ଶେଷ ହୋଇ ଆସିଥିଲା । ଟେଷ୍ଟ ପରୀକ୍ଷାର ତୋରଣ ସେ ପାର ହେଇଯାଇଥିଲା ।

 

ଯାହା ହେଉ, ମନୁଙ୍କ ଘରର ପ୍ରକାଣ୍ଡ ଫାଟକଟା ପାର ହେଲେ ଯେଉଁ ଝାଉଁ ବଣ ପଡ଼େ ତାରି ପାଖରେ ଆସି ପହଞ୍ଚିଗଲା ବେଳକୁ କିଏ ଯେମିତି ଖୁବ୍ ଧୀର ଗଳାରେ ମତେ ଡାକିଲା ।

 

ଚମକି ପଡ଼ି ମୁହଁ ବୁଲେଇ ଚାହିଁଲା ବେଳକୁ ଆଖିରେ ଆଖି ପଡ଼ିଯାଇ ଥିଲା । ଝାଉଁ ବଣର ଛାଇରେ, ଗୋଟାଏ ନିରୋଳା କୋଣରେ, ଲାଲ୍ ସିମେଟର ବେଞ୍ଚରେ ମାନସୀ ବସିଚି ।

 

ମାନସୀ ଡାକିଥିଲା, “ଏଆଡ଼େ ଆସ ନରି ଭାଇନା” । ମୋର ଡାକ ନାଆଁଟା ଏ ଘରେ ଚଳୁଥିଲା ।

 

ଥକ୍‍କା ହୋଇ ଠିଆ ହେଇ ପଡ଼ିଥିଲି । ମୁଁ ଆଗକୁ ଯାଇପାରି ନ ଥିଲି, କି ପଛକୁ ଆସିପାରି ନ ଥିଲି । କେବଳ ପଚାରିଥିଲି, “ମନୁ କେଉଁଠି ଅଛି ?”

 

“ସ୍କୁଲରୁ ତ ଘରକୁ ଆସିଥିଲେ । ଟିକିଏ ଆଗରୁ ଦୋମହଲା ବାରଣ୍ଡାରେ ବୁଲା ବୁଲି କରୁଥିବାର ଦେଖିଥିଲି । ଏଇଲେ କୋଉଠି ଅଛନ୍ତି କହି ପାରିବିନି ।”

 

“ଆଚ୍ଛା, ଦେଖେଁ ସେ କୋଉଠି ଅଛି ।”

 

“ସଦାବେଳେ ଖାଲି ସାଙ୍ଗ ଆଉ ସାଙ୍ଗ । ଆମେମାନେ ଯେମିତି ନଈ ବଢ଼ିରେ କୁଆଡ଼ୁ ଭାସି ଆସିଚୁ ।”

 

ପ୍ରକୃତରେ ଏଣିକି ଆସିଲେ ମନୁ ସାଙ୍ଗରେ ଆଉ ବିଶେଷ ଦେଖା ସାକ୍ଷାତ ହୁଏନି । କାରଣ, ବଡ଼ ହେବା ସଙ୍ଗେ ସଙ୍ଗେ ତା’ ମୋ ଭିତରେ ବ୍ୟବଧାନଟା କ୍ରମଶଃ ବଢ଼ି ଯାଉଥିଲା । ମନୁ ଉଦ୍ଦାମ, ବେପରୱା, ପ୍ରାଣବନ୍ତ । ଏ ପୃଥିବୀରେ ସେ ଭଗବାନଙ୍କର ଦୁରନ୍ତ ଦୂତ । ମୁଁ ଯେଉଁଠି ଘର କୋଣରେ ଜୀଵନର କୋମଳ ଆବେଗରେ, ମୃଦୁ କମ୍ପନରେ ଦୋଳି ଖେଳିବାକୁ ଭଲ ପାଏ, ସେଠି ମନୁ ଦୁର୍ଦ୍ଦମ ବେଗରେ ଜଳୋଚ୍ଛ୍ୱାସ ଭଳି, ଢେଉ ଭଳି କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଭଳି ଦିଗ ଦିଗନ୍ତରେ ନିଜକୁ ଖେଳେଇ ଦେବାରେ ଆନନ୍ଦପାଏ । ବାଧା ବନ୍ଧନହୀନ ସ୍ରୋତ ଭଳି ମାଡ଼ି ଯିବାରେ ସେ ବିଶେଷ ଖୁସି ।

 

ବଡ଼ ହେବା ସଙ୍ଗେ ସଙ୍ଗେ ତାର ବନ୍ଧୁତ୍ୱର ପରିଧି ବିସ୍ତୃତ ହେଇଚି । ଫୁଟବଲ, କ୍ଲବ, ପିକନିକ, କେତେଆଡ଼େ ଯେ ମନୁ ନିଜକୁ ଖେଳେଇ ଦେଇଚି ତାର କିଛି ଠିକଣା ନାହିଁ । ମୁଁ କିନ୍ତୁ ପ୍ରାୟ ସେମିତି ରହିଚି । ସେମିତି ଗୃହଲୋଲୁପ, ନିଶ୍ଚଳ, ନିସ୍ତରଙ୍ଗ, ଭୀରୁ, କୁଣ୍ଠିତ । ଦୁର୍ଦ୍ଦମ ସ୍ରୋତର ଖିଆଲରେ ନିଜକୁ ଭସେଇ ଦେଲା ଭଳି ଅପରିମିତ ପ୍ରାଣଶକ୍ତି ମୋର ନାହିଁ । ମନୁ ଆଉ ମୁଁ ସ୍ଵଭାବ ଦିଗରୁ ଦୁଇ ମେରୁର ବାସିନ୍ଦା; ତା ବୋଲି ଆମ ବନ୍ଧୁତ୍ୱର ରଙ୍ଗ ତିଳେ ହେଲେ ଫିକା ହେଇ ନ ଥିଲା; ବରଂ ଆଗ ଅପେକ୍ଷା ଦୃଢ଼ ହେଇଚି ।

 

ମନୁ ପ୍ରାୟ ପ୍ରତିଦିନ ତାର ଅଭ୍ୟାସ ବଦଳେଇବାରେ ଲାଗିଥିଲା । ଦିନେ ଯଦି ସେ ଫୁଟବଲ ଖେଳେ, ତାପର ଦିନ ଧାଏଁ ପହଁରି ନଈ ପାର ହେବାକୁ । ମୁଁ କିନ୍ତୁ ପୁରୁଣା ଅଭ୍ୟାସର କ୍ରୀତଦାସ ହୋଇ ରହିଚି । ସ୍କୁଲକୁ ଯିବା, ଘରେ ରହିବା ଆଉ ମନୁଙ୍କ ଘରକୁ ଯିବା । ମନୁ ନ ଥିଲେ ତାର ନନା–ବୋଉ କିମ୍ବା ମାନସୀ ସଙ୍ଗେ କଥାବାର୍ତ୍ତା କରେ, ଜୀବନ ଏଇ ଅଭ୍ୟାସର କକ୍ଷ ପଥରେ ନିରନ୍ତର ବୁଲୁଥିଲା ।

 

ଯାହା ହେଉ ବିବ୍ରତ ଭାବରେ କହିଥିଲି, “ନାଇଁ, ମାନେ–”

 

ମାନସୀ ହାତ ଠାରି ଡାକିଥିଲା, “ସାଙ୍ଗ ପାଖକୁ ଟିକିଏ ଡେରିରେ ଗଲେ କିଛି ମହାଭାରତ ଅଶୁଦ୍ଧ ହେଇ ଯିବନି । ଏଠିକି ଆସ ଟିକିଏ ।”

 

ପ୍ରଥମେ ଯେଉଁଦିନ ମନୁଙ୍କ ଘରକୁ ଆସିଥିଲି ସେଇ ଦିନଠାରୁ ମାନସୀ ସମ୍ପର୍କରେ ମନେ ମନେ କିଛିଟା ଭୀତି ପୋଷଣ କରି ଆସିଚି । ସେଇଟା ନିତାନ୍ତ ଅକାରଣରେ ନୁହେଁ । ପ୍ରଥମ ଦିନରେ ମାନସୀର ସେଇ ଯେଉଁ ପରିଚୟ ମିଳିଚି ସେଇଟା ମୋ ପକ୍ଷେ ବିଶେଷ ସ୍ୱସ୍ତିକର ହେଇନି-

 

ପରେ ଅବଶ୍ୟ ମାନସୀ ମୋ ଉପରେ ଦଖଲ ସତ୍ୱ ମନୁ ହାତରୁ ଅନେକଟା ଛଡ଼େଇ ଆଣିଥିଲା । ତଥାପି ମୁଁ ତାକୁ ଭୟ କରୁଥିଲି । ତା ସାଙ୍ଗରେ ଅନେକ ମିଶିଚି । ଆଖି ଆଗରେ ଜାପାନୀ ରବର କଣ୍ଢେଇଟା ଦିନକୁଦିନ ବଢ଼ି ଉଠିଚି; କିନ୍ତୁ ସେ ଯେତିକି ବଡ଼ ହେଇଚି ତାର ଜିଭଟା ସେତିକି ଧାରୁଆ ହେଇଚି । ମୁଁ ଏଠାରେ ଗୋଡ଼ ଦେବା ମାତ୍ରେ ମାନସୀ ପଛରେ ଲାଗିଯାଏ ।

 

ପିଲାଦିନରୁ ମୁଁ ଲାଜକୁଳା; ପୋତା ମୁହାଁ, ଖୁବ୍ କମ୍ କଥାବାର୍ତ୍ତା କରେ । ଯଦିଓ ମନେ ମନେ ତାର ସଙ୍ଗ କାମନା କରେ; କିନ୍ତୁ ଧାରୁଆ ରସନା ପାଇଁ ଗୋଟାଏ ସଭୟ ଦୂରତ୍ଵ ବଜାୟ ରଖି ଚାଲୁଥାଏ । ତାକୁ ଦେଖିବା ମାତ୍ରେ ମୁହଁ ମୋର ଆରକ୍ତ ହୋଇ ଉଠେ । ଗୋଡ଼ ହାତ ଅବଶ ହେଇପଡ଼େ । ଅପରିସୀମ ଅସ୍ୱସ୍ତିରେ ସ୍ନାୟୁଗୁଡ଼ାକ ନିର୍ଜୀବ ହୋଇ ଆସେ ।

 

ଯେତେ ପାଖେଇ ହେଲେ କଣ ହେବ । ଜାପାନୀ କଣ୍ଢେଇଟା ହାତରୁ ନିସ୍ତାର ନାହିଁ । ଭାଇନାର ମୁହଁ ପୋତା ଲାଜୁଆ ସାଙ୍ଗଟିକୁ ନେଇ ପ୍ରଥମ ଦିନଠାରୁ ତାର ବିଚିତ୍ର କୌତୁକର ଖେଳ ଆରମ୍ଭ ହୋଇଯାଇଥିଲା । ମତେ ବ୍ୟସ୍ତ ବିବ୍ରତ କରି ପାରିଲେ ମାନସୀ ଯେମିତି ଆନନ୍ଦ ପାଉଥିଲା-

 

ଯାହାହେଉ ସେ ଝିଅଟା ସେତେବେଳକୁ ତେର ବର୍ଷର କିଶୋରୀ । ବୟଃସନ୍ଧିର ମଧ୍ୟସ୍ଥଳରେ ଠିଆ ହୋଇ ତାର ଦେହ ଯୌବନର ଦୂରନ୍ତ ଢେଉ ପାଇଁ ଉନ୍ମୁଖ ହୋଇ ରହିଚି । ଗାର୍ଲସ ଇସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ିବା ମାତ୍ରେ ଫ୍ରକ ଛାଡ଼ି ଶାଢ଼ୀପିନ୍ଧା ଆରମ୍ଭ କରିଥିଲା ।

 

ମନେଅଛି ବାରମ୍ବାର ଭାବିବା ସତ୍ତ୍ଵେ ବି ଝାଉଁବଣ ଭିତରେ ଲାଲ ସିମେଣ୍ଟର ବେଞ୍ଚଟାଆଡ଼େ ଯିବି କି ନାଇଁ କିଛି ଠିକ୍ କରିପାରୁ ନ ଥିଲି ।

 

ଏଥର ମାନସୀ ଧମକ ଦେଲାଭଳି କହିଥିଲା, “ମୋ ପାଖକୁ ଆସିବାକୁ ଡର ଲାଗୁଚି ନା କଣ ! ମୁଁ ବାଘ ନା ଭାଲୁ ହେଇଚି ! ଆସ କହୁଚି ।”

 

ଅଗତ୍ୟା ଆଉ ଜଣ କରନ୍ତି । ମନ୍ତ୍ରଚାଳିତ ଭଳି ଧୀରେ ଧୀରେ ଆଗେଇ ଯାଇ ଝାଉଁବଣ ଛାଇର ସେଇ ସିମେଟ ବେଞ୍ଚ ଉପରେ ମାନସୀ ପାଖରେ ବସିଥିଲି ।

 

କିଛି ସମୟ ଚୁପଚାପ । ତାପରେ ମାନସୀ ନୀରବତା ଭାଙ୍ଗି କହିଥିଲା, “ଆଜି ତ ତମର ପରୀକ୍ଷାଫଳ ବାହାରିଲା ନରି ଭାଇନା ?”

 

“ହଁ !” ମାନସୀର ମୁହଁଆଡ଼େ ଚାହିଁ କୌଣସି ଦିନ କଥା କହି ପାରିନି । ସେଦିନ ବି ପାରି ନ ଥିଲି । ମୁହଁ ତଳକୁ କରି ଖୁବ୍ ଆସ୍ତେ ଆସ୍ତେ କହିଥିଲି, “ମୁଁ ଫାଷ୍ଟ ହେଇଚି ।”

 

“ସେ କଥା ମୁଁ ଜାଣି ସାରିଚି । ଭାଇନା ଘରକୁ ଫେରି ନିଜ କଥା କହୁ କି ନ କହୁ ସାଙ୍ଗ କଥାଟା ଆଗ ଜଣେଇ ସାରିଚି । ତମେ ତ ନିଶ୍ଚୟ ପ୍ରଥମ ହେବ–ଏଇଟା ଆଉ ନୂଆ କଥା କଣ । ଭାଇନା କଣ କହୁଚି ଜାଣିଚ ?”

 

“କଣ ?

 

“ଭଗବାନଙ୍କ ପାଖରୁ ପ୍ରଥମ ଶ୍ରେଣୀର ମୌରୁସୀ ପଟା ନେଇ ନରସିଂହଟାଏ ପୃଥିବୀକୁ ଆସିଚି । ସେଥିରୁ ତାକୁ ବାହାର କରିଦେଲା ଭଳି ସାଧ୍ୟ କାହାରି ନାହିଁ ।” କହୁ କହୁ ମାନସୀ ହସି ଉଠିଥିଲା ।

 

ମୁଁ ମଧ୍ୟ ହସି ପକେଇଥିଲି । ମାନସୀ ଆଗରେ ସହଜ ହେବା ସେଇ ହେଉଚି ମୋର ପ୍ରଥମ ।

 

ହସ ବନ୍ଦ କରି କିଛି ସମୟ ଚୁପ୍ ରହିବା ପରେ କଣ ଭାବି ମାନସୀ କହିଥିଲା, “ଜାଣ ନରି ଭାଇନା, ତମ ପାଇଁ ଆମକୁ ଦଳେଇଘାଟ ଛାଡ଼ିବାକୁ ହେବ ।”

 

“ମୋ ପାଇଁ !”

 

“ହଁ !”

 

“କାହିଁକି, ମୁଁ କଣ କଲି ?”

 

“କଣ ନ କରିଚ, କହ !” ନିରୀହ ସ୍ଵରରେ ମାନସୀ କହୁଥାଏ, “ବର୍ଷକୁ ବର୍ଷ ପ୍ରଥମ ହେଉଚ । ତାପରେ ଖେଳବୁଲ ନାହିଁ, ମଉଜ ମଜଲିସ ନାହିଁ, ହେଁ–ହେଁ ଫେଁ–ଫେଁ ନାହିଁ । ବାଜେ କଥାରେ ମନ ନାହିଁ । ତମେ ଭଲ ପିଲା ହେଇଚ, ଆହୁରି ଭଲ ହୁଅ, ଆମର ଆପତ୍ତି ନାହିଁ । କିନ୍ତୁ ତମର ଭଲ ହେବା ଜ୍ଵାଳାରେ ଆମଭଳି ଖରାପ ପୁଅ ଝିଅଙ୍କର ଯେ ପ୍ରାଣ ଯିବାକୁ ବସିଲାଣି ନରି ଭାଇନା !”

 

ବିବ୍ରତ ଭାବରେ ପଚାରିଥିଲି, “କେମିତି ?”

 

“କେମିତି ପୁଣି ପଚାରୁଚ ! ସ୍କୁଲକୁ ଗଲେ ଦିଦିମାନେ କହୁଚନ୍ତି, ତମେମାନେ ନରସିଂହ ଭଳି ପିଲା ହେବାକୁ ଚେଷ୍ଟା କର । ଶ୍ରେଣୀର ବନ୍ଧୁବାନ୍ଧବଙ୍କ ଘରକୁ ଗଲେ ସେମାନଙ୍କ ବାପ ମାଆଙ୍କ ମୁହଁରେ ବି ସେଇ କଥା । ଯେଉଁଠିକି ଗଲେ ସେଇଠି ଖାଲି ନରସିଂହ, ନରସିଂହ କେବଳ ତମରି ଜୟଧ୍ଵନି । ଆମେ ଯେମିତି କୁଆଡ଼ୁ ନଈ ବଢ଼ିରେ ସବୁ ଭାସିଆସିଚୁ । ଆମମାନଙ୍କ ପାଇଁ ଖାଲି ଉପଦେଶ ଆଉ ଛି–ଛାକର !” କହୁ କହୁ ମାନସୀ ମୁହଁଟାକୁ କରୁଣ କରି ପକେଇଥିଲା ଏବଂ ସେଇଟା ଯେ ଏକାବେଳେ କୃତ୍ରିମ, ବୁଝିବାକୁ ଟିକିଏ ଅସୁବିଧା ହେଇନି ।

 

ମତେ ଭାରି ହସ ଲାଗୁଥିଲା । ହୁଏ ତ ହସଟା ଉଛୁଳି ଉଠି ମୋ ମୁହଁରେ ଅଜାଡ଼ି ହୋଇ ପଡ଼ିଥିଲା । ମାନସୀ ଆଖିରୁ ସେଇଟା ଲୁଚେଇବା ପାଇଁ ମୁହଁଟାକୁ ଅନ୍ୟଆଡ଼େ ବୁଲେଇ ଦେଇଥିଲି ।

 

ମୁହଁ ବୁଲେଇଲେ କଣ ହେବ, ମାନସୀ ପାଖରେ ଧରାପଡ଼ି ଯାଇଥିଲି । ମାନସୀ କହିଥିଲା, “ଭଲପିଲା ବୋଲି ଭାରି ଗର୍ବ, ନୁହେଁ । ପୁଣି ହସ ହେଉଚି ?”

 

ମୁଁ କିନ୍ତୁ ହସ ବନ୍ଦ କରି ନ ଥିଲି, ସେମିତି ହସୁଥାଏ ।

 

ତା ପରେ କିଛି ସମୟ ଚୁପ୍ ଚାପ ।

 

ହଠାତ୍ କେତେବେଳ ପରେ ମାନସୀ ଡାକିଥିଲା, “ନରିଭାଇନା–”

 

ଡାକଟା ଯେମିତି ଆକସ୍ମିକ ଗଳାର ସ୍ଵରଟା ସେମିତି ଅଭାବିତ । ଗୋଟାଏ ବିଚିତ୍ର କମ୍ପନ ଥିଲା ସେ ସ୍ଵରରେ, ତା ସାଙ୍ଗରେ ଅନେକ ଗଭୀରତା । ମୁହଁ ବୁଲାଇବା ମାତ୍ରେ ମାନସୀ ଆଖିରେ ମୋ ଆଖି ପଡ଼ିଯାଇ ଥିଲା ।

 

ମାନସୀର ଆଖି ଦୁଇଟା ଯେମିତି ଗଭୀର କୃଷ୍ଣ ସରୋବର । ସେଥିରେ କଣ ଯେମିତି ଥିଲା, ସେଇଟା କି ନିବିଡ଼ତା ? ସେଇଟା କି ସମ୍ମୋହନ ? କେଉଁ ରହସ୍ୟମୟତା ? ମୁଁ କିନ୍ତୁ ଦୃଷ୍ଟି ଫେରାଇ ପାରି ନ ଥିଲି । କେବଳ ଅନୁଭବ କରୁଥିଲି, ମୋର ସମ୍ମୋହିତ ଚେତନା ଭିତରେ ପାଣି ଫୋଟକା ଭଳି ଦୁଇଟି ଶବ୍ଦ ଭାସି ଉଠିଥିଲା, “କଣ କହୁଚ ?”

 

“ତମକୁ ସମସ୍ତେ ଭଲ କହିଲେ, ମତେ ଭାରି ଭଲ ଲାଗେ !” ମାନସୀ ଫୁସ୍ ଫୁସ୍ ହୋଇ କହିଥିଲା । ମନେ ହେଉଥିଲା, ସେ ଯେମିତି ପାଖରେ ବସି କଥା କହୁନି । ଅନେକ ଦୂରରୁ ତାର ସ୍ଵର ଯବନ ସ୍ରୋତରେ ମିଶି ଭାସିଆସୁଚି ।

 

ମୁଁ ଉତ୍ତର ଦେଇ ନ ଥିଲି ।

 

ମାନସୀ ପୁଣି କହିଥିଲା, “ଜାଣ ନରି ଭାଇନା–”

 

“କଣ ?”

 

“ମୋର ନନା ବୋଉ ବି ସଦାବେଳେ ତମ କଥା କହନ୍ତି । ସେ କହନ୍ତି ନରସିଂହ ଭଳି ପିଲା ମିଳିବନି ।”

 

ମୁଁ ଏଥର ବି ନିରୁତ୍ତର । ପ୍ରଶଂସା ଶୁଣି ମତେ ଭାରି ଲାଜ ଲାଗୁଥିଲା । ମୁହଁଟାକୁ ଏକାବେଳେ ତଳକୁ କରି ଦେଇଥିଲି, ମାଟିକୁ ଚାହିଁ ନଖ ଛିଣ୍ଡେଇବା ଆରମ୍ଭ କରି ଦେଇଥିଲି ।

 

ଟିକିଏ ଇତସ୍ତତଃ ହୋଇ ମାନସୀ ପୁଣି କହିଥିଲା, “ନନା ବୋଉ ଆଉ ଗୋଟାଏ କଥା କହୁଚନ୍ତି ।”

 

“କଣ ?”

 

ସଙ୍ଗେ ସଙ୍ଗେ ମାନସୀ କୌଣସି ଉତ୍ତର ଦେଇ ନ ଥିଲା । ଯିଏ ସବୁଦିନେ ସଂକୋଚହୀନା ସାବଲୀଳା ଝିଅ, କୌତୁକ ରସରେ ସଦାବେଳେ ଯେ ମୁଖରା–ତାର ମୁଣ୍ତଟା ଟିକିଏ ଝୁଲି ପଡ଼ିଥିଲା । ଗୋରା ତକତକ ମୁହଁଟାରେ ରକ୍ରୋଚ୍ଛାସ ଖେଳି ଯାଇଥିଲା । ଛୋଟ ମସୃଣ କପାଳରେ ମୁକ୍ତା ଭଳି ଟୋପା ଟୋପା ଝାଳ ଦେଖା ଦେଇଥିଲା ।

 

ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି, କେବଳ ମୁହଁ ନୁହେଁ, ଦୃଷ୍ଟିରେ ବିସ୍ମୟ ଭରି ପଚାରିଥିଲି, “ତମର ନନା–ବୋଉ କଣ କହନ୍ତି ?”

 

ଏଥର ଦୁଇ ହାତରେ ମାନସୀ ମୁହଁ ଲୁଚେଇ ଦେଇଥିଲା ।

 

ମୋର ବିସ୍ମୟ ପ୍ରାୟ ଶୀର୍ଷ ବିନ୍ଦୁରେ ପହଞ୍ଚି ଯାଇଥିଲା । ସେମିତି ତା ଆଡ଼େ ଚାହିଁ ପଚାରିଥିଲି, “ମୁହଁ ଲୁଚେଇ ଦେଲ ଯେ ? କଣ ହେଲା ତମର ?”

 

“ମୁଁ ଜାଣିନି–” ବୋଲି କୁଞ୍ଚିତ କଳାକେଶର ସମୁଦ୍ରରେ ଢେଉ ଖେଳେଇ ମୁଣ୍ତ ହଲେଇ ହଲେଇ ମାନସୀ ଝାଉଁ ବଣ ଭିତରୁ ଧାଇଁ ପଳେଇ ଯାଇଥିଲା ।

 

ଆଉ ମାନସୀର ଏଇ ପଳେଇବା ପଛରେ ଯେଉଁ ଦୁଭେଦ୍ୟ ରହସ୍ୟ ସେଥିରୁ କିଛିଟା ବୁଝିଲେ ବି ଅନେକଟା ବୁଝି ନ ପାରି ବିମୂଢ଼ଙ୍କ ଭଳି ଚୁପ୍‍ଚାପ୍ ବସିଥିଲି ।

 

ମନେଅଛି ତାପର ଦିନ ବି ଝାଉଁ ବଣର ସେଇ ଜାଗାଟାରେ ମାନସୀ ସଙ୍ଗେ ଦେଖା ହୋଇଥିଲା । ମୋ ପାଇଁ ବୋଧହୁଏ ଏ ଛାୟା ନିବିଡ଼ ଝାଉଁବଣର ନିରୋଳା ପ୍ରାନ୍ତଟିରେ ସେ ଅପେକ୍ଷା କରିଥିଲା ।

 

ପଚାରିଥିଲି “କାଲି ଏମିତି ପଳେଇଗଲ କାହିଁକି ?”

 

ମାନସୀର ଗୋରା ମୁହଁଟା ଆଗଦିନ ଭଳି ଆରକ୍ତି ହୋଇ ଉଠିଥିଲା । ପତଳା ରକ୍ତବର୍ଣ୍ଣ ଓଠ ଫାଙ୍କରେ ଜୀବନ ରହସ୍ୟର ଟିକିଏ ବିଚିତ୍ର ହସ ଖେଳେଇ ସେ କହିଥିଲା, “ସେ କଥା ମୁଁ କହି ପାରିବିନି ।”

 

“କାହିଁକି ?”

 

“ମତେ ଲାଜ ଲାଗିବନି ?”

 

ଏଇ ଦି’ଦିନରେ ମୋର ଜଡ଼ତା–ସଙ୍କୋଚ, କୁଣ୍ଠା–ପ୍ରାୟ ସବୁଯାକ କଟି ଯାଇଥିଲା । ଆଉ ନିଜର ହୃତପିଣ୍ଡର ଅବିରାମ କାଳ ଧ୍ଵନିରେ ଗୋଟାଏ ଅନାବିଷ୍କୃତ ସତ୍ୟକୁ ହଠାତ୍ ଯେମିତି ଖୋଜି ପାଇଥିଲି । କେବଳ ମନୁ କିମ୍ଵା ତାର ନନା ବୋଉଙ୍କ ପାଇଁ ନୁହେଁ, ମାନସୀ ନାମକ କୌତୁକମୟୀ ସାବଲୀଳା ଝିଅଟି ପାଇଁ ବି ନିଜର ଅଜ୍ଞାତରେ ଏ ଘରକୁ ଯିବା ଆସିବା କରୁଥିଲି । ଦିନ ଦୁଇଟାରେ ଅନେକଗୁଡ଼ାଏ ସ୍ୱାଚ୍ଛନ୍ଦ୍ୟ ବଢ଼ି ଯାଇଥିଲା, ତା ସଙ୍ଗେ ଦୁଃସାହସ ମଧ୍ୟ । ଜିଦି କଲାଭଳି ପଚାରିଥିଲି, “ତମର ନନା–ବୋଉ କଣ ଏମିତି ଲାଜ କଥା କହୁଚନ୍ତି ?”

 

ମୋଆଡ଼କୁ କେମିତି ଗୋଟାଏ ଗୋଳିଆ ଚାହାଣୀ ପକେଇ ମାନସୀ କହିଥିଲା, “ଜାଣିବାକୁ ଯେତେବେଳେ ଏତେ ଇଚ୍ଛା ହେଉଚି–ନନା ବୋଉଙ୍କୁ ଯାଇ ପଚାର, ତେବେ ଗୋଟାଏ କଥା ମନେରଖ–”

 

“କଣ ?”

 

“ନନା ଖୁବ୍ ଶୀଘ୍ର ଦିନେ ତମ ଘରକୁ ଯିବେ ।”

 

“କାହିଁକି ?”

 

“ଛି–ମୁଁ ଜାଣିନି ।” ବୋଲି ମାନସୀ ସେ ଦିନ ବି ପଳେଇ ଯାଇଥିଲା ।

 

ଅବଶ୍ୟ ମାନସୀର ନନା ଖୁବ୍ ଶୀଘ୍ର ଯାଇ ନ ଥିଲେ । ଅନେକ ଦିନ ପରେ ଯାଇଥିଲେ, ମୋର ମାଟ୍ରିକ ପାଶ କରିବାର ପରୀକ୍ଷା ଫଳ ବାହାରିବା ପରେ ।

 

ତେବେ ସେଦିନଟା ମାନସୀର ପଳେଇ ଯିବା ସଙ୍ଗେ ସଙ୍ଗେ ଆଶ୍ଚର୍ଯ୍ୟ ଭାବରେ ମୋ ପ୍ରାଣରେ ଗୋଟାଏ ନୂଆ ଅନୁଭୂତିର ସ୍ପର୍ଶ ଲଗେଇ ଦେଇଥିଲା । ଆଉ ମୁଁ ସେଇ ସ୍ପର୍ଶ ତରଙ୍ଗିତ ଶିହରଣରେ ବିହ୍ୱୋଳ ଭଳି ଢଳି ଢଳି ଗୋଟାଏ ଖେପାରେ କୈଶୋର ପାର ହୋଇ ଯୌବନର ମାୟା ପୁରୀରେ ପହଞ୍ଚି ଯାଇଥିଲି ।

 

ତେର

 

ଟେଷ୍ଟ ପରୀକ୍ଷା ପରେ ପରେ ବୋଉର ଆଉ ଗୋଟାଏ ରୂପ ମତେ ଅଭିଭୂତ କରି ପକେଇଥିଲା ।

ମନେଅଛି ଅଜା ଆଉ ମୁଁ ଏକାଠି ଖାଇ ବସିଚୁ । ବୋଉ ରୋଷେଇ ଘର ଭିତରେ ଅପେକ୍ଷା କରି ରହିଚି, ଆଉ କିଛି ଦରକାର ହେଲେ ଦେବ ।

ଭାତରେ ଡାଲି ଗୋଳାଉ ଗୋଳାଉ ହଠାତ୍ ଅଜା କହିଲେ, “ଝିଅ–’’

ବୋଉ କିଛି କହିଲାନି, କେବଳ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଥିଲା ।

ଅଜା ପ୍ରଥମେ ଟିକିଏ ଇତସ୍ତତଃ ହୋଇଥିଲେ । ତାପରେ ସମ୍ଭାଳି ଯାଇ କହିଥିଲେ, “ତୁ ତ ଆମର ଅବସ୍ଥା ସବୁ ଦେଖୁଚୁ–”

ବୁଝି ନ ପାରି ବୋଉ କହିଥିଲା, “କୋଉ କଥା ?”

“ତୁ ଯଦି ନ ରାଗିବୁ କହିବି ।”

“ରାଗିବା କଥା ନା କଣ !’’

‘‘ନାଇଁ, ମାନେ–” ଅଜା କେମିତି ବିବ୍ରତ ବୋଧ କରୁଥିଲେ ।

ବୋଉ ଏଥର ହସିଥିଲା, ଧୀର ଭାବରେ କହିଥିଲା, “ତମେ ଖାଲି ମୋ ରାଗଟା ଦେଖୁଚ । କଣ କହିବ କହୁନ ।”

ତଥାପି ଅଜାଙ୍କର ଦ୍ଵିଧା କଟି ନ ଥିଲା । କିଛି ସମୟ ଚୁପ୍ ରହିବା ପରେ କହିଥିଲେ, “ଗୁଡ଼ାଏ ବୟସ ହୋଇଗଲାଣି, ଶରୀର ବି ଧୀରେ ଧୀରେ ଭାଙ୍ଗି ପଡ଼ୁଚି, ସେଥିରେ ଆଉ କେତେଦିନ ବଞ୍ଚିବି, ଠିକ୍ ନାହିଁ । କେବଳ ମନର ଜୋରରେ ଲଢ଼ି ଚାଲିଚି । ତେଣୁ କହୁଥିଲି ଯେ, ମୁଁ ଥାଉ ଆଉ ଗୋଟାଏ ବ୍ୟବସ୍ଥା କରି ଦେଇ ଯିବି ।”

“କି ବ୍ୟବସ୍ଥା କରିବ ? ’’

“ନରି ମାଟ୍ରିକଟା ପାଶ କଲେ–’’ ଏତିକି କହି ଅଜା ହଠାତ୍ ଚୁପ ହୋଇଯାଇଥିଲେ ।

ଅବରୁଦ୍ଧ ସ୍ଵରରେ ବୋଉ ପଚାରିଥିଲା, “ପାଶ କଲେ କଣ ?”

“ମାନେ ମୁଁ ନ ଥିଲେ ତମେମାନେ ଅସୁବିଧାରେ ପଡ଼ିବ । ତେଣୁ ଭାବୁଚି ତାର ଫଳ ବାହାରି ଗଲେ ଆମ ଅଫିସରେ ପୁରେଇ ଦେବି ।”

ବୋଉ ହଠାତ୍ ଚିତ୍କାର କରି ଉଠିଥିଲା “ନନା !’’

ଅଜା ଚମକି ପଡ଼ିଲେ, ଏକ ଦୃଷ୍ଟିରେ ଝିଅଆଡ଼େ ଚାହିଁରହି ଥଙ୍ଗେଇ ଥଙ୍ଗେଇ ପଚାରିଥିଲେ, “କଣ କହୁଚୁ ?”

“ନାଇଁ–ନାଇ, ସେକଥା କୌଣସି ମତେ ହେଇ ପାରିବନି । ଏ କଞ୍ଚା ବୟସରେ ମୁଁ ତାକୁ ଚାକିରି କରିବାକୁ ମୋଟେ ପଠେଇବିନି ।’’

“କିନ୍ତୁ ମୋର ଶରୀରର ଅବସ୍ଥା ତ ଦେଖୁଚୁ । ମୁଁ ଥାଉ ଥାଉ ନରିକୁ କିଛି ଗୋଟାଏ କାମରେ ପୂରେଇ ଦେଇ ଯାଇଥିଲେ ତମରି ଭଲ ହେବ ।”

‘‘ନାଇଁ ନନା–”

“କଣ ନାଇଁ ? ’’

“ତମେ ତ ଜାଣିଚ ନନା, ନରି ଖୁବ୍ ଭଲ ପଢ଼ାପଢ଼ି କରୁଚି । ପ୍ରତିବର୍ଷ ସେ ପରୀକ୍ଷାରେ ପ୍ରଥମ ହେଉଚି ।”

“ସେ କଥାତ ଜାଣିଚି ।”

“ନିଜର ସ୍ୱାର୍ଥ ପାଇଁ ତାକୁ ପଢ଼ାପଢ଼ିରୁ ବଞ୍ଚିତ କରି ପାରିବିନି ।”

ଅଜା ଖାଉ ଖାଉ କହିଥିଲେ, “କିନ୍ତୁ–”

ବୋଉ କହିଥିଲା, ତମ କଥା ମୁଁ ବୁଝିପାରୁଚି ନନା । କିନ୍ତୁ ନରିର କ୍ଷତି କରିବା ପାଇଁ ମୋ ମନ ମୋଟେ ଡାକୁନି । ଯେତିକି ପାରିବି ତା ଆଗରେ ଜ୍ଞାନର ଆଲୁଅ ଫିଟାଇ ଧରିବି । ଜଗତକୁ ଆଣି ପିଲା ଝିଲାଙ୍କୁ ଯଦି ମଣିଷ କରି ନ ପାରିଲି, ତାହାଲେ ଅଧର୍ମ ହେବ ।”

ଅଜା ଶେଷ ଚେଷ୍ଟା କରିଥିଲେ । କହିଥିଲେ, “ଗୋଟାଏ କଥା ଭାବି ଦେଖ୍ । ମାଟିକ୍ ପାଶ୍ କରି ସାରିଲେ ନରିକୁ କଲେଜକୁ ପଠେଇବାକୁ ହେବ । ଆମର ଦଳେଇଘାଟରେ ତ କଲେଜ ନାହିଁ । ପଢ଼େଇବାକୁ ହେଲେ ତୁଣ୍ଡୁଳି ଟାଉନକୁ ପଠେଇବାକୁ ହେବ । ସେଠି ଅନେକ ଖର୍ଚ୍ଚ ଲାଗିବ, ମୁଁ ଯଦି ନ ଥାଏ, ଖର୍ଚ୍ଚପତ୍ର କିଏ ଚଳେଇବ ?”

ବୋଉ କହିଥିଲା, “ସେ ବିଷୟ ତମର ଭାବିବା ଦରକାର ନାହିଁ । ଯେମିତି ହେଉ ଚଳିଯିବ ।”

କଣ ଭାବି ବୋଉ ଚଳିଯିବା କଥାଟା କହିଥିଲା, ସେଦିନ ବୁଝି ପାରି ନ ଥିଲି । ତାର ନିଶ୍ଚିନ୍ତ ହେବାର ଉତ୍ସାହଟା ଯେ କେଉଁଠି, ସେ କଥା କିଏ କହିବ ।

ଚିନ୍ତିତ ଭାବରେ ଅଜା କହିଥିଲେ, “ହଉ, ତୋର ଯେତେବେଳେ ଇଚ୍ଛା ହେଉଚି ସେତେବେଳେ ନରି ପଢ଼ୁ ।”

ଖାଇବା ବନ୍ଦ କରି ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହୋଇ ବୋଉଆଡ଼େ ଚାହିଁ ରହିଥିଲି । ଏ କଣ ମୋର ସେଇ ବୋଉ, ଚିରଦିନ ଯିଏ କହି ଆସୁଥିଲା, ମାଟ୍ରିକ୍ ପାଶ୍ କରିଲେ ମତେ ଚାକିରି କରିବାକୁ ହେବ ଆଉ ଚାକିରି ପାଇଲେ ଘରଭଡ଼ା କରି ଅନ୍ୟ ଜାଗାକୁ ଆମମାନଙ୍କୁ ଉଠିଯିବାକୁ ପଡ଼ିବ ? ବୋଉର ଏଇ ନୂଆ ରୂପ ମତେ ବିହ୍ଵୋଳ କରି ପକେଇଥିଲା ।

ଯାହା ହେଉ, ବୋଉ ଯାହା ଭଲ ବୋଲି ବୁଝିଥିଲା ସେଇୟା କରିଥିଲା । ତାର ଫଳ ହେଇଥିଲା ଏଇୟା ଯେ ମତେ ଆଉ ଅଜାଙ୍କର ଅଫିସର କିରାଣୀଗିରିର ରାଜାସନରେ ବସିବାକୁ ହେଇନି ।

 

Unknown

ଚଉଦ

 

ମନେ ପଡ଼ୁଚି ମାଟ୍ରିକ୍ ପରୀକ୍ଷାର ଫଳ ବାହାରିବାରେ ଦେଖାଗଲା ମୁଁ ଜିଲାବୃତ୍ତି ପାଇଚି-। ବୃତ୍ତି ପାଇବା ଖବରଟା ମୁହୂର୍ତ୍ତକ ମଧ୍ୟରେ ଦଳେଇଘାଟର ଘରେ ଘରେ ଖେଳେଇ ହୋଇ ପଡ଼ିଥିଲା । ଆଉ ଏତେଦିନ ଧରି ନାଆଁରେ ଯେଉଁ ପ୍ରଶଂସାର କଥା ଶୁଣାଯାଇଚି ସେଗୁଡ଼ାକ ଏକତ୍ରିତ ହେଇ ଗୋଟାଏ କୁଦାରେ ଶୀର୍ଷ ବିନ୍ଦୁରେ ପହଞ୍ଚି ଯାଇଥିଲା ।

 

ପରୀକ୍ଷା ଫଳ ବାହାରିବା ପରେ ତିନିଦିନ ଯାଏ ନିଜର ଘର ଲୋକଙ୍କୁ ଛାଡ଼ି କୌଣସିଆଡ଼େ ବାହାରି ପାରି ନ ଥିଲି । ଯିବାର ସୁଯୋଗ ପାଇନି । ପ୍ରଥମଦିନ ବୋଉ ମତେ ଆଗୁଳି ବସିଥିଲା । ରୋଷେଇ ଘରର ଗୋଟାଏ କଡ଼ରେ ଖଣ୍ଡେ ପିଢ଼ାରେ ମତେ ବସେଇ କହିଥିଲା, “ଆଜି ଆଉ କୁଆଡ଼େ ଯିବା ଦରକାର ନାହିଁ । ଦିନ ସାରା ମୋ ପାଖରେ ରହିବୁ ।”

 

“ଦିନ ସାରା–”ମୁଁ ହସିପକେଇ ଥିଲି ।

 

“ହଁ, ଦିନ ସାରା–” ପିଲାଙ୍କ ଭଳି ବୋଉ ବି ହସିପକେଇ ଥିଲା । ତା ପରେ କିଛି ସମୟ ରହି ଗାଢ଼ ଗଳାରେ କହିଥିଲା, “ଆଜି ତୋ ପାଖରୁ ଯାହା ପାଇଲି ବାପା, ଜୀବନସାରା କାହା ପାଖରୁ କେବେ ସେଇଟା ପାଇ ନ ଥିଲି । ଛାତିଟା ମୋର ପୁରି ଉଠୁଚି !”

 

ଦିନଯାକ ଲାଗି ଦୁଇ ତିନି ପ୍ରକାରର ପିଠା କରି, ଖିରି କରି, ତା ପରେ ମାଟ୍ରିକ୍ ପାଶ୍ କରିଥିବା ଏଡ଼େ ବଡ଼ ପୁଅକୁ କୋଳରେ ବସେଇ ନିଜ ହାତରେ ଖୁଆଇ ଦେଇଥିଲା ।

 

ମତେ ଭାରି ଲାଜ କରୁଥିଲା । କହିଥିଲି, “କୋଳରେ ବସିବନି ।”

 

“ହଁ, ତତେ ବସିବାକୁ ହେବ ।”

 

“ନାହିଁ–”

 

“ମୋ ପାଖରେ ତୋର ଲାଜ ଗୋଟାଏ କଣ !” କହି କିଛି ସମୟ ଚୁପ୍ ରହିବା ପରେ ଗାଢ଼ ଗଳାରେ କହିଥିଲା, “ଚିରଦିନ ତ ତଳେ ମାରଧର–ବାଡ଼ିଆପିଟା କରିଚି । ଆଜି ଟିକିଏ ଆଦର କରୁଚି ଯେ–ମନା କରି ଦେଉଚୁ ବାପା !”

 

ଦିନସାରା ପାଖରେ ରଖି, କୋଳରେ ବସେଇ ଖୁଆଇ–ୟାରି ଭିତର ଦେଇ ପୁଅର ଗୌରବକୁ ସେ ବୋଧହୁଏ ସ୍ପର୍ଶ କରିବାକୁ ଇଚ୍ଛା କରୁଥିଲା ।

 

ପରୀକ୍ଷା ଫଳ ଦି’ପ୍ରହରେ ବାହାରିଥିଲା । ଅଜା ସେତେବେଳକୁ ଅଫିସରେ ଥାଆନ୍ତି । ଉପରବେଳା ଫେରିଲାବେଳେ କାହାଠୁ ଯେମିତି ଖବରଟା ପାଇ ଯାଇଥିଲେ । ଆଉ ଶୁଣିବା ମାତ୍ରେ ଲସର ପସର ହୋଇ ଘରକୁ ଫେରୁ ଫେରୁ ଦାଣ୍ଡ ଦ୍ଵାର ମୁହଁ ପାଖରୁ ଡାକ ପକେଇଥିଲେ,–“ନରି, ନରି ରେ–”

 

ଅଜା ମଣିଷ ଭିତରେ ସଦାବେଳେ ଆବେଗ ଟଳମଳ, ଉଚ୍ଛ୍ୱାସପୂର୍ଣ୍ଣ ବ୍ୟକ୍ତି । ଅକାରଣରେ ସେ ନାଚି ଉଠି ପାରନ୍ତି । ଆଉ ନିହାତି ତୁଚ୍ଛ କୌଣସି କାରଣ ପାଇଲେ ତ ଆଉ କଥା ନାହିଁ । ଏକାବେଳେ ଅଥୟ ହେଇ ଉଠନ୍ତି ।

 

ମୁଁ ରୋଷେଇଘରେ ବୋଉ ପାଖରେ ବସିଥିଲି । ଡାକ ଶୁଣି ବାହାରକୁ ଆସିବା ମାତ୍ରେ ଅଜା ଏକାବେଳେ ମୋତେ କୁଣ୍ଢାଇ ପକାଇ କହିଥିଲେ । “ଅଫିସରୁ ଫେରିଲା ବାଟରେ ଲୋକେ ତୋର ପରୀକ୍ଷା ଫଳ କଥା କହିଲେ । କେବଳ କଣ ଖବର ଦେଲେ, ତୋର କେତେ ପ୍ରଶଂସା, କେତେ ଗୁଣ କୀର୍ତ୍ତନ ହେଇଗଲା । ତୁ ଦଳେଇଘାଟର ମୁହଁ ଉଜ୍ଜ୍ୱଳ କଲୁ, ବଂଶର ମୁହଁ ଉଜ୍ଜ୍ଵଳ କରିଦେଲୁ । ଶୁଣୁ ଶୁଣୁ ଛାତିଟା ମୋର ଦଶହାତ ଓସାର ହେଇଗଲା, ତୋ ବୋଉ ତା ପାଇଁ କୌଣସି କର୍ତ୍ତବ୍ୟ କରିବାକୁ ଦେଇନି, ଏମିତିକି ତୋର ପରୀକ୍ଷା ଫିସଟା ବି ଦେଲି ଯେ ନେଲାନି । ସେଇ ତୋର ନାନାର ଦରମାରୁ କଣ ଥିଲା ସେଥିରେ ଚଳେଇ ଦେଲା । ତଥାପି ତୋର ଗର୍ବ ପ୍ରଶଂସା ପାଞ୍ଚଜଣଙ୍କ ମୁହଁରୁ ଶୁଣି ମୁଁ ଧନ୍ୟ ହୋଇଗଲି ।

 

ମୁଁ ବସିପଡ଼ି ଅଜାଙ୍କୁ ମୁଣ୍ଡିଆ ମାରିଥିଲି । ଅଜା ଆଶୀର୍ବାଦ କରିଥିଲେ, “ତୁ ଦୀର୍ଘଜୀବୀ ହ ବାପା, ସବୁଦିନେ ଏମିତି ସମସ୍ତଙ୍କ ମୁହଁ ଉଜ୍ଜ୍ୱଳ ରଖ ।”

 

ଏଣେ ରୋଷେଇ ଘର ଭିତରୁ ବୋଉ ବାହାରି ଆସିଥିଲା । ଅଭିଭୂତ ଆପ୍ଲୁତ ସ୍ଵରରେ ଅଜାଙ୍କୁ ଡାକିଥିଲା” ନାନା...”

 

ଅଜା ଝିଅ ଆଡ଼େ ଚାହିଁ ପଚାରିଥିଲେ, “କଣ କହୁଚୁ ?”

 

“ତା ବାପର ଟଙ୍କା କଣ ଥୁଆ ହେଇ ପୂଜା ହେଉଥାଆନ୍ତା ! ସେଥିପାଇଁ ତମଠୁ ଟଙ୍କା ନ ନେଇ ସେଇ ଟଙ୍କାରୁ ପରୀକ୍ଷା ଫିସ ଦେଇଦେଲି ।”

 

“ଦେ ଛାଡ଼–ସେ କଥା, ପିଲାଟା ପାସ କରିଛି ସେଇ ବଡ଼ କଥା । ଟଙ୍କା ଯୋଉଠୁ ଗଲେ ଯାଉ । ବାପଟା ଏତେବେଳେ ଥାଆନ୍ତା ହେଲେ–”

 

ବୋଉ ଧୀରେ ଧୀରେ କହିଥିଲା, “ସେ ନାଆଁଟା ତମେ ଆଉ ଧରନି ନାନା ।”

 

ଅଜା କୌଣସି ଉତ୍ତର ଦେଇ ନଥିଲେ ।

 

କିଛି ସମୟ ନୀରବରେ କଟିଗଲା । ତା ପରେ ଅଜା ବ୍ୟସ୍ତ ହେଇ କହିଥିଲେ, “ହଇଲୋ ଝିଅ, ନରି ତ ପ୍ରଥମ ହୋଇ ପାଶ୍‍ କଲା । ତା ପାଇଁ କଣ କରିଚୁ କହିଲୁ ?”

 

“କଣ କରିବି ?”

 

“ଏଇ ଖାଇବା ପିଇବା କଣ କରିଚୁ ?”

 

“ଚକୁଳି କରିଚି, ଚିତୋଉ ଆଉ ଖିରି କରିଚି ।”

 

ଅଜା ଜୋରରେ ମୁଣ୍ଡ ହଲେଇ କହିଥିଲେ, “ଆରେ ନାଇଁ ନାଇଁ ଏତିକିରେ ଚାଲିବନି । ଏତେ ବଡ଼ କାମକୁ ଏମିତି ନାଆଁ ପକା ବ୍ୟବସ୍ଥାରେ ମୋ ମନ ମାନୁନି ।”

 

ବୋଉ ହସି ହସି କହିଥିଲା, “ତମ ମନ ତ ମାନିବନି, ସେ କଥା ଜାଣିଚି । କିନ୍ତୁ–”

 

“ଆଜି ଦିନକ ମୁଁ ଆଉ ତୋର କୌଣସି କଥା ଶୁଣିବିନି । ମୋର ଯାହା ଇଚ୍ଛା ହେବ ସେଇୟା କରିବି ।”

 

ନନା ସେଇ ଯେଉଁ ଶେଷଥର ଆସିଥିଲେ ତା ପରଠାରୁ ଆମମାନଙ୍କ ଘର ଉପର ଦେଇ ସଦାବେଳେ ବିଷାଦର ବାୟୁମଣ୍ଡଳ ଘେରି ରହିଥାଏ । ଏତେଦିନ ପରେ ଆମମାନଙ୍କ ଦେହରେ ସେମିତି ସୁନା କାଠିର ସ୍ପର୍ଶ ଲାଗିଥିଲା ।

 

ବୋଉ କିନ୍ତୁ ଉତ୍ତର ନ ଦେଇ ହସିବାରେ ଲାଗିଥିଲା ।

 

ଅଜା ଏଥର ରାଗିଯାଇ କହିଥିଲେ, “ଏମିତି ହସୁଚୁ କାହିଁକି ?”

 

“ତମ କାଣ୍ଡ ଦେଖି ।”

 

“କାଣ୍ଡଟା ଦେଖିଲୁଣି କୋଉଠି ? ନରି ଗୋଟାଏ କାଣ୍ଡ କରିଚି, ମୁଁ କରିବି ଆଉ ଗୋଟାଏ । ତୁ ବାଧା ଦେଲେ ମୁଁ ମୋଟେ ଶୁଣିବିନି । ଆଜି ଯଦି ସେମିତି କିଛି କରିବୁ ତା ହେଲେ ଯୁଆଡ଼େ ଆଖି ପାଇବ ସେଆଡ଼େ ଚାଲିଯିବି । ଆଉ କେବେ ତମମାନଙ୍କ ମୁହଁ ଚାହିଁବିନି ।”

 

ବୋଉ ସେମିତି ହସି ହସି କହିଥିଲା, “ହଉ ହେଲା, ତମ ଖୁସି ଯାହା କରୁନ ।”

 

“ସତ କହୁଚୁ ?” ଆଜି କୌଣସି କଥାରେ ବୋଉ ପାଟି ଫିଟେଇବନି, ବରଂ ସବୁ ବିଷୟରେ ତାର ପୂରାପୂରି ସମର୍ଥନ ଅଛି ସେଇଟା ତାର ହସ ଦେଖିଲେ ଜଣାପଡ଼ି ଯାଉଥିଲା । ତଥାପି ଅଜାଙ୍କର ସଂଶୟ ଯାଉ ନ ଥିଲା । ସେଇଟା ଅବଶ୍ୟ ଅକାରଣରେ ନୁହେଁ । କୌଣସି ଦିନ ନାତି–ନାତୁଣୀଙ୍କୁ ନେଇ ଅଜାଙ୍କର ଗୋଟା ହେଲେ ଇଚ୍ଛା ପୂରଣ ହେଇନି, ସେଦିନ ସେଇଟା ପୂରଣ କରିବାକୁ ଗଲାବେଳେ ବୋଉ ଯଦି ଅଡ଼ିବସେ ? ସେଥିପାଇଁ ଆଗରୁ ତାର ଅନୁମୋଦନ ଆଦାୟ କରିନେବା ଉଚିତ ।

 

ବୋଉ କହିଥିଲା, “ହ–ହଁ, ସତ–ସତ କହୁଚି । ତମ ମନରେ ଯାହା ଯାହା ଅଛି କରିଯା, ମୁଁ ମୋଟେ ପାଟି ଫିଟେଇବିନି ।”

 

ଅଜା ସେତେବେଳକୁ ସତୁରି ପାଖାପାଖି । ବୟସ କଥା ବିସ୍ମୃତ ହୋଇ ପ୍ରାୟ ଗୋଟାଏ ଡିଆଁ ମାରିଥିଲେ । ଏକାଡ଼ିଆଁକେ ଘରୁ ବାହାରି ପଡ଼ିଥିଲେ । ପ୍ରାୟ ଦୁଇଘଣ୍ଟା ପରେ ଫେରିଥିଲେ । ଏକା ଆସି ନ ଥିଲେ ପଛେ ପଛେ ଗୋଟାଏ ମଜୁରିଆ ବୋଝରେ ବୋଝେ ସଉଦା ଧରି ଆସିଥିଲା-

 

ତଳେ ଥୋଇଲା ପରେ ଦେଖା ଯାଇଥିଲା, ଗୋଟାଏ ପ୍ରକାଣ୍ଡ ଭାକୁର ମାଛ, ଗୁଆଘିଅ, ପଲଉଚାଉଳ, ହାଣ୍ଡିଏ ସିଙ୍ଗଡ଼ା–ହାଣ୍ଡିଏ ରସଗୋଲା । ଘରେ ସମସ୍ତଙ୍କ ପାଇଁ ନୂଆ ଲୁଗାପଟା ପ୍ରଭୃତି କେତେ କଣ ଆଣିଥିଲେ ତାର ଯେମିତି ହିସାବ ନାହିଁ ।

 

ମଜୁରିଆଟା ଚାଲିଯିବା ପରେ ବୋଉ ପଚାରିଥିଲା, “ୟେ କଣ କରିଚ ନନା ?”

 

“କଣ କରିଚି କି ?”

 

“କଣ କରିଚ !”

 

“ତୋର ମୋର ଚୁକ୍ତି ହେଇ ଯାଇଚି, ଆଜି ମୁଁ ଯାହା କରିବି, ତୁ କୌଣସି କଥାରେ ପାଟି ଫିଟେଇବୁନି !”

 

“ତା ବୋଲି ଆଖି ଆଗରେ ବେକରେ ଦଉଡ଼ି ଲଗେଇଲେ ବି କିଛି କହିବିନି ?”

 

“ଦଉଡ଼ି ଲଗେଇବାଟା କଣ ହେଲା ?”

 

“କଣ ହେଲା ?”

 

“ହଁ !”

 

“ତା ଆଗରୁ କହିଲ ଆଜି କେତେ ତାରିଖ ?”

 

ବୋଉ ପ୍ରଶ୍ନର ମର୍ମାର୍ଥ ପୂରାପୂରି ବୁଝି ନ ପାରି ଅଜା ନିଜ ସ୍ଵରରେ କିଛିଟା ବିସ୍ମୟ ଆଉ କିଛିଟା ବିମୂଢ଼ତା ମିଶେଇ କହିଥିଲେ, “କାହିଁକି, ତାରିଖରୁ କଣ ମିଳିବ ?”

 

ବୋଉ ପିଲାଙ୍କ ଭଳି ଜିଦଧରି ଥିଲା, “କହୁନ ।”

 

ଅଗତ୍ୟା ଆଉ କଣ କରନ୍ତେ ! ଅଜା କହିଥିଲେ, “ସତେଇଶ ତାରିଖ ।”

 

“ମାସ ଶେଷବେଳେ ଏସବୁ ଆଣିବାକୁ ଟଙ୍କା ପାଇଲ କୋଉଠୁ ?”

 

“ସେ ଯୋଉଠୁ ପାଏ, ତୋର ଭାବିବାର କଣ ଅଛି !”

 

“ଭାବିବିନି ବୋଲି କହିଦେଲେ ହେଇଗଲା ?” ବୋଉ ଏଥର ରାଗି ଯାଇଥିଲା ।

 

ଅଜା ବିପନ୍ନ ଭାବରେ କହିଥିଲେ, “କାହିଁକି ସେମିତି ହେଉଚୁ ? ଧାର କରି ଏ ଗୁଡ଼ା ନେଇ ଆସିଚି ।”

 

“ଧାର କରି !”

 

ଅଜା କଣ କହିବାକୁ ଯାଉଥିଲେ, କହି ପାରିଲେନି । ତା ଆଗରୁ ଆଈ କହି ଉଠିଲେ, “ଧାର କରିଚନ୍ତି ଭଲ କରିଚନ୍ତି । ଆଜି ଦିନକ ଯାହା ହସି ଖୁସି ସେଇୟା କରି ଯିବାକୁ ହେବ । ଆଜି ସାତଖୁଣ ମାଫ । ତୁ ଆଉ ଏ ସବୁ କଥାରେ ମୋଟେ ପାଟି ଫିଟାନି ଝିଅ ।”

 

ଆଈ ଯେ କେତେବେଳେ ଆସି ଅଜା ଆଉ ବୋଉ ପାଖରେ ନିଃଶବ୍ଦରେ ଠିଆ ହେଇଚି, ସେ କଥା କେହି ଜାଣି ପାରିନୁ । ଯାହାହେଉ, ଏତେବେଳଯାଏ ଅଜା ବୋଉ ପାଖରେ ବିବ୍ରତ, ମ୍ରିୟମାଣ, କୋଣପଶା ହେଇ ଯାଇଥିଲେ । କିନ୍ତୁ ଆଈଙ୍କର ସମର୍ଥନ ପାଇ ଏଥର ତେଜି ଉଠିଥିଲେ । ଟିକିଏ ଜୋରଦେଇ କହିଥିଲେ, “ହଁ–ହଁ, ଭଲ କରିଚି । ତୋର କୌଣସି କଥା ମୁଁ ଶୁଣିବିନି ।”

 

ବୋଉ ଏଥର ଅଜା ଆଉ ଆଈଙ୍କ ସାଙ୍ଗରେ ଲାଗିଥିଲା । ହସିହସି କହିଥିଲା, “ତମ ଭିତରୁ ଜଣେ ଯାହା କରିବ, ଆଉ ଜଣେ ସେଥିରେ ମୁଣ୍ଡ ଟୁଙ୍ଗାରିବ । ଯାହା ତମର ଖୁସି ହେଉଚି କରୁଥା, ମୁଁ ଆଉ କିଛି କହିବାକୁ ଯାଉନି । ପୁଅ ପରୀକ୍ଷାରେ ପାଶ୍ କରି ଯେମିତି ଗଡ଼ ଜିତି ଆସିଚି-।”

 

ଅଜା କହିଥିଲେ, “ଗଡ଼ ଜିତିଚି କି ନାଇଁ ଏ ଦଳେଇଘାଟର ଘରେ ଘରେ ଯାଇ ପଚାରି ଆସ, ଜାଣିବୁ ।”

 

ଆଈଙ୍କର ହଠାତ୍ କଣ ମନେ ପଡ଼ିଯିବାରୁ ଭିନ୍ନ ପ୍ରସଙ୍ଗକୁ ଚାଲି ଯାଇଥିଲେ, “ହଇଲୋ ଝିଅ–”

 

“କଣ ?”

 

“କି ଭୁଲାମନ ତମମାନଙ୍କର ? ପିଲାଟା ପାଶ୍ କଲା, ଆଉ ସତ୍ୟନାରାୟଣଙ୍କ ପୂଜା ଦେବା କଥା ତ କାହାରି ମନେ ପଡ଼ୁନି ?”

 

“ଆରେ, ସତ କଥା ତ ।”

 

ଦଳେଇଘାଟଠାରୁ ଦୁଇଟା ଷ୍ଟେସନ ଗଲେ ନାରାୟଣପୁର ସେଠି ସତ୍ୟନାରାୟଣ ମନ୍ଦିର ଅଛି । ପରୀକ୍ଷା ଆଗରୁ ଆଈ ମାନସିକ କରିଥିଲେ, ମୁଁ ପାଶ୍ କଲେ ସେଠାରେ ସିରିଣୀ ଭୋଗ ଲଗେଇବେ ।

 

କଥା ଅନୁସାରେ ତା ପରଦିନ ଘରର ଆମେ ସମସ୍ତେ ନାରାୟଣପୁର ଯାଇଥିଲୁ । ଜାଗାଟା ଖୁବ୍ ସୁନ୍ଦର । ସେଠାରେ ଠାକୁରଙ୍କ ପ୍ରସାଦ ଖାଇ ଦିନସାରା କଟେଇ ସନ୍ଧ୍ୟା ବେଳକୁ ଘରକୁ ଫେରିଥିଲୁ ।

 

ତା ପରଦିନ ଅଜା ଅଫିସକୁ ଯାଇ ନ ଥିଲେ । ଆମେମାନେ ଖାଇବା ପିଇବା ସାରିଦେଇ ବାଣପୁର ଚାଲି ଯାଇଥିଲୁ । ବୋଉ ଆମମାନଙ୍କର ସାଙ୍ଗରେ ଯିବାପାଇଁ ରାଜି ନ ଥିଲା-। ଜୋରକରି ତାକୁ ସାଙ୍ଗରେ ନେଇ ଯାଇଥିଲୁଁ ।

 

ଭଗବତୀଙ୍କ ଦର୍ଶନ ସାରି ଫେରିଲା ବେଳେ କିଛି ସମୟ ଚିଲିକା କୂଳରେ ବୁଲିବା ପାଇଁ ବାଲୁଗାଁରେ ଅପେକ୍ଷା କରିଥିଲୁ । ଚିଲିକା କୂଳରେ ବୁଲୁବୁଲୁ ସମସ୍ତଙ୍କ ଅଲକ୍ଷ୍ୟରେ ବୋଉ କହିଥିଲା, “କେହି ତ ମତେ କୁଆଡ଼େ ନେଇ ଗଲେନି; ଆଶା ଦେଇ ଲୁଗାପଟା ପିନ୍ଧିବାକୁ କହି କେବଳ ପଳେଇଗଲେ । ତୋ ଯୋଗୁ ମତେ ଘର ବାହାରକୁ ଆସିବାକୁ ହେଲା । ଭାରି ଭଲ ଲାଗୁଚି !”

 

ସେତେବେଳକୁ ବଡ଼ ହେଇଚି, ବୁଝିବାର ବୟସ ହେଇଚି । ଅନୁଭବ କରିଥିଲି, ବୋଉର ବ୍ୟଥାଟା କେଉଁଠି, ହୃଦୟର କୋଉ ପ୍ରାନ୍ତରେ ଅଭିମାନଟା ଦେଖାଦେଇଚି ! ମୁହଁ ଫିଟେଇ ନ କହିଲେ ବି ବୋଉ କାହା କଥା କହୁଥିଲା, ଜାଣି ପାରିଥିଲି । ଆଉ ଏହା ମଧ୍ୟ ବୁଝି ପାରିଥିଲି, ପୁଅର ଗୌରବର ଅସ୍ତ୍ରରେ ମନେ ମନେ ସେ ନନାଙ୍କ ସଙ୍ଗେ ଲଢ଼େଇ ଆରମ୍ଭ କରି ଦେଇଥିଲା ।

 

ଅଜାଙ୍କ ଅଫିସର ଗାଡ଼ି । ତେଣୁ ଅଧିକ ସମୟ ବାହାରେ ରହିବା ସମ୍ଭବ ହେଇ ନ ଥିଲା । ରାତି ଦଶଟାସୁଦ୍ଧା ଦଳେଇଘାଟ ଫେରି ଆସିଥିଲୁ ।

 

ପନ୍ଦର

 

ମନେଅଛି, ସେ ସମୟର କେଇଟା ଦିନ ଦେହରେ ଯେମିତି ସ୍ପର୍ଶମଣିର ସ୍ପର୍ଶ ଲାଗି ଯାଇଥିଲା । ପ୍ରତିଟି ମୁହୂର୍ତ୍ତ ଯେମିତି ସ୍ଵପ୍ନମୟ ଆଚ୍ଛନ୍ନତା ଭିତରେ କଟି ଯାଉଥିଲା ।

 

ପରୀକ୍ଷାଫଳ ବାହାରିବା ପରେ ପ୍ରଥମ ତିନିଦିନ ବୋଉ, ଅଜା, ଆଈ, ଭାଇ, ଉଊଣୀମାନେ ଏମିତି ଭାବରେ ମତେ ଘେରି ଯାଇଥିଲେ ଯେ, କୌଣସିଆଡ଼େ ଦୃଷ୍ଟି ଦେବାପାଇଁ ସମୟ ପାଇ ନ ଥିଲି ।

 

ଚତୁର୍ଥ ଦିନ ସକାଳେ ମାନସୀ ପ୍ରଭୃତିଙ୍କ କଥା ମନେ ପଡ଼ିଥିଲା । ଅବଶ୍ୟ ଏଇ ତିନିଦିନ ଭିତରେ ମନୁ କିଛି ସମୟ ପାଇଁ ଆମ ଘରକୁ ଆସିଥିଲା ।

 

ମାନସୀ ପ୍ରଭୃତିଙ୍କ କଥା ମନେ ପଡ଼ିବାରୁ ଆଉ ଅପେକ୍ଷା କରି ନ ଥିଲି । ସିଧା ଚାଲି ଯାଇଥିଲି । ଅପରାଧୀ ଦ୍ଵିଧାନ୍ୱିତ ଭଙ୍ଗୀରେ ଯାଇଥିଲି । ଅପରାଧୀ, କାହିଁକି ନା ଏହା ମଧ୍ୟରେ ମୋର ନିଶ୍ଚୟ ଥରେ ଆସିବା ଉଚିତ ଥିଲା । ଦ୍ଵିତୀୟ ଶ୍ରେଣୀଠାରୁ ଦଶମ ଶ୍ରେଣୀ–ଏଇ ନଅ ବର୍ଷ ଧରି ପ୍ରାୟ ପ୍ରତ୍ୟହ ମାନସୀଙ୍କ ଘରକୁ ଯାଇଚି । କଦବା କେମିତି ଦିନେ ଅଧେ ଯାଇ ନ ଥିବି । କିନ୍ତୁ ଲଗାୟତ ତିନିଟା ଦିନ ମୁଁ ଅଦୃଶ୍ୟ–ଏଭଳି କେବେ ହେଲେ ଘଟି ନ ଥିଲା ।

 

ମାନସୀ ପ୍ରଭୃତି ଅବଶ୍ୟ ମନୁ ମୁହଁରୁ ମୋର ବୃତ୍ତିପାଇବା ଖବର ପାଇଚନ୍ତି । ତଥାପି ନିଜ ମୁହଁରେ ସେ କଥା କହି ଆସିବା ମୋର ନିହାତି ଉଚିତ ଥିଲା ।

 

ମନୁଙ୍କ ଘର ପାଖେ ଆସି ବଡ଼ ଗେଟଟା ଆଗରେ କିଛି ସମସ୍ତ ଥକ୍କା ହୋଇ ଠିଆ ହୋଇଥିଲି, ତା ପରେ ଡରି ଡରି ଭିତରକୁ ଯାଇଥିଲି । ଭୟଟା ଅବଶ୍ୟ ମନୁର ନନା–ବୋଉଙ୍କ ଆଡ଼ୁ ବେଶି ନ ଥିଲା । ଥିଲା ମାନସୀଆଡ଼ୁ । ସେଇଟା ଯେ ଅକାରଣରେ ନୁହେଁ, ଟିକିଏ ପରେ ଜାଣି ପାରିଥିଲି ।

 

ସେଇ ଝାଉଁ ବଣଟା ପାଖରେ ଆସି ପହଞ୍ଚିବା ମାତ୍ରେ ମାନସୀ ସାଙ୍ଗେ ଦେଖାହେଇ ଯାଇଥିଲା । ମୁହାଁମୁହିଁ ହେବା ମାତ୍ରେ ସେ ମୁହଁ ବୁଲେଇ ଦେଇଥିଲା ।

 

ଅନ୍ୟ ସବୁଦିନେ ମାନସୀ ଉପାଯାଚିକା ହୁଏ । ସେଦିନ କିନ୍ତୁ ମୁଁ ନିଜ ଆଡ଼ୁ ଅଗ୍ରସର ହେଇଥିଲି । କୁଣ୍ଠିତ ଭାବରେ ଡାକିଥିଲି, “ମାନସୀ–”

 

ମାନସୀ ଉତ୍ତର ଦେଲାନି । ଝାଉଁ ଗଛର ଗୋଟାଏ ଛୋଟ ଡାଳ ଭାଙ୍ଗି ଆଣି ଉଦାସିନୀଙ୍କ ଭଳି ନଖରେ ଛିଣ୍ଡେଇବାରେ ଲାଗିଥିଲା ।

 

ଯେମିତି ଗୋଟାଏ କିଛି ଝଡ଼ର ଆଭାସ ପାଇଥିଲି । ଈଷତ୍ କମ୍ପିତ ଗଳାରେ କହିଥଲି, “ଅନେକ ଆଗରୁ ମୋର ଆସିବା ଉଚିତ ଥିଲା । କିନ୍ତୁ–”

 

ଏଥର ବିଦ୍ୟୁତ୍ ବେଗରେ ମାନସୀ ବୁଲି ଠିଆ ହୋଇଥିଲା । ଯେମିତି ଅନେକ ବିସ୍ମୟ ହୋଇଯାଇଚି, ସେମିତି ଭଙ୍ଗୀରେ କହିଲା, “ଆସିବା ଉଚିତ ଥିଲା ନା କଣ !”

 

“ହଁ ।”

 

“କିନ୍ତୁ, କାହିଁକି ?”

 

ଥଙ୍ଗ ଥଙ୍ଗ ହେଇ କହିଥିଲି, “କାହିଁକି, ତମେ କିଛି ଶୁଣିନ ?”

 

“କଣ ?” ସତେ ଯେମିତି କିଛି ଜାଣିନି–ସେମିତି ନିରୀହ ମଣିଷଙ୍କ ଭଳି ମୁହଁ ଭଙ୍ଗୀ କରି ମାନସୀ ପଚାରିଥିଲା ।

 

“ଆମର ମାଟ୍ରିକ ପରୀକ୍ଷା ଫଳ ବାହାରିଚି ।”

 

“ବାହାରି ଥିବ !” କହି ମାନସୀ ପୁଣି ମୁହଁଟା ବୁଲେଇ ଦେଇଥିଲା ।

 

ମୁହୂର୍ତ୍ତକ ପାଇଁ ରହିଯାଇଥିଲି । ତାପରେ କଣ ଯେମିତି ହୋଇ ଯାଇଥିଲା, ଗୋଟାଏ ଅକାଳ ଆତ୍ମବିସ୍ମୃତି ମତେ ହଠାତ୍ ଗ୍ରାସି ଯାଇଥିଲା । ପ୍ରଥମ ଯୌବନର ପ୍ରଗଳଭ ଦେବତା ଅକସ୍ମାତ ମୋ ଦେହରେ ଯେମିତି ଆବିର୍ଭୂତ ହୋଇ ଯାଇଥିଲା । ଦୁଇ ହାତରେ ମାନସୀର କାନ୍ଧ ଧରି ନିଜଆଡ଼କୁ ବୁଲେଇ ଦେଇଥିଲି । ଜୀବନରେ ମୋର ମାନସୀକୁ ସେଇ ପ୍ରଥମ ସ୍ପର୍ଶ ମନେ ହେଉଥିଲା । ହୃତ୍‍ପିଣ୍ଡ ତଳେ ରକ୍ତ ଯେମିତି ଫେଣାୟିତ ହୋଇ ଉଠିଚି ।

 

କହିଥିଲି, “ମୋର ବଡ଼ ଭୁଲ୍ ହୋଇଯାଇଚି ।”

 

“ଭୁଲ୍ ? କଣ ଭୁଲ ? ଆମେ ତମର କିଏ ? ଆମମାନଙ୍କ ସାଙ୍ଗରେ ତମର କଣ ସମ୍ପର୍କ ଅଛି ?” ମାନସୀର ସ୍ଵର ଥରି ଉଠିଥିଲା । ରକ୍ତାଭ ପତଳା ଓଠ ଦୁଇଟା ଥରାଇ କହିଥିଲା, “ତିନି ଦିନରେ ଥରେ ହେଲେ ଆସିବାକୁ ସମୟ ହେଲାନି । ଅଥଚ ନନା ବୋଉ ଏଇ କେତେଦିନ ହେଲା ତମ ବାଟକୁ ଚାହିଁ ବସିଛନ୍ତି ।”

 

ନିଜର ଅଜ୍ଞାତସାରରେ ପ୍ରଗଳଭ ହେଇ ଉଠିଥିଲି, “କେବଳ ନନା–ବୋଉ କଣ, ଆଉ ତମେ ?”

 

“ମୁଁ କାହିଁକି ତମ ବାଟକୁ ଚାହିଁ ବସିବି ? ମୋର କଣ ହୋଇ ଯାଉଥିଲା କି ?”

 

“ଏଇୟା ତାହେଲେ ? ହଉ–” ମୁଁ ହସି ପକେଇଥିଲି ।

 

ଏଥର କୌଣସି ଗୋଟିଏ ଯାଦୁକରର ନିର୍ଦ୍ଦେଶରେ ମାନସୀ କାନ୍ଦି ପକେଇଥିଲା । ଝାପସା ଓଜନିଆ ଗଳାରେ କହିଥିଲା, “ମୋ କଥା ଏଇଲେ ତମର ଆଉ କାହିଁକି ମନେ ରହିବ ? ବୃତ୍ତି ପାଇଚ, ମୋଭଳି ସାମାନ୍ୟ ଝିଅ କଥା ତମର ତ ମନେ ପଡ଼ିବାର କଥା ନୁହେଁ ।”

 

କହିଥିଲି, “ଓଲିନା କଣ, ମନେ ନ ଥିଲେ ଆସିଲି କାହିଁକି ?”

 

“ସେଇଟା ଲୋକ ଦେଖାଣିଆ ।”

 

ଆଉ ଏମିତି ଦି’ଚାରିଟା କଥା ପରେ ସନ୍ଧି ହୋଇଯାଇଥିଲା ।

 

ମନେଅଛି ଝାଉଁ ବଣର ନିଭୃତରେ କିଛି ସମୟ କଟେଇ ମାନସୀ ସଙ୍ଗେ ଘର ଭିତରକୁ ଯାଇଥିଲି । ମାନସୀର ନନା–ବୋଉ ମତେ ସନ୍ଧ୍ୟାପରେ ବି ଅନେକ ସମୟ ରଖି ଦେଇଥିଲେ ।

 

ସକାଳେ ଆସିଥିଲି । ବାରଟା ବେଳେ ମାନସୀଙ୍କ ଘରେ ଖାଇବାକୁ ପଡ଼ିଥିଲା । ଅବଶ୍ୟ ମୁଁ ଯେ ଦିପ୍ରହର ବେଳେ ଘରକୁ ଫେରିବିନି ମନୁ ହାତରେ ତା ବୋଉ ସେ ଖବରଟା ଆମ ଘରକୁ ପଠେଇ ଦେଇଥିଲେ ।

 

ସମସ୍ତେ ଏକାବେଳେ ଖାଇ ବସିଥିଲୁ । ମାନସୀ ମନୁ, ମନୁର ନନା–ବୋଉ ଆଉ ମୁଁ । ସେ ଯୁଗରେ ସ୍ଵାମୀ ଖାଇଲା ବେଳେ ସ୍ତ୍ରୀ ଖାଇବାର ନିୟମ ନ ଥିଲା । ମନୁର ନନା–ବୋଉ ସେ ସବୁ ମାନନ୍ତି ନି ।

 

ଖାଉ ଖାଉ ମନୁର ନନା କହିଥିଲେ, “ମୁଁ ଖୁବ୍ ଖୁସି ହେଲି ନରି ।”

 

ମୁଁ କୌଣସି କଥା କହି ନ ଥିଲି ।

 

“ଯେତେଦୂର ଜାଣେ, ଏ ଦଳେଇଘାଟରେ ତମେ ହିଁ ପ୍ରଥମ ବୃତ୍ତି ପାଇଲ । ସେ ଦିଗରୁ ତମେ ଆମମାନଙ୍କର ଗର୍ବ । ଶୁଣିବା ମାତ୍ରେ ଭାରି ଖୁସି ହୋଇଗଲି ବାପା ।”

 

ପ୍ରଶଂସାପୂର୍ଣ୍ଣ କଥାଗୁଡ଼ାକ ଶୁଣୁ ଶୁଣୁ ମୁଣ୍ଡଟା ମୋର ଆପେ ଆପେ ତଳକୁ ହୋଇ ଯାଇଥିଲା । କୌଣସି ଉତ୍ତର ଦେଇ ପାରି ନ ଥିଲି ।

 

ମନୁର ନନା କିଛି ସମୟ ଚୁପ୍ ରହିବା ପରେ କଣ ଭାବି ପୁଣି କହିଥିଲେ, “ବୁଝିଲ ନରି–”

 

ମୁହଁ ନ ଟେକି କହିଥିଲି, “କଣ ଆଜ୍ଞା !”

 

“ଅନେକ ଦିନ ହେଲା ତମ ଘରକୁ ଯିବି ବୋଲି ଭାବୁଚି । କିନ୍ତୁ ଯାଇ ପାରିନି । ଏଥର ଆଉ ନ ଗଲେ ନ ଚଳେ ।”

 

ମୁହଁ ଟେକି ମାନସୀଆଡ଼େ ଚାହିଁଥିଲି । କେତେଦିନ ପୂର୍ବରୁ ସେ ଏ ସମ୍ବନ୍ଧରେ ଆଭାସ ଦେଇ କହିଥିଲା, ନନା ଏହା ମଧ୍ୟରେ ଦିନେ ତମ ଘରକୁ ଯିବେ । ଯିବାର କାରଣଟା ଅବଶ୍ୟ ମାନସୀ କହି ନ ଥିଲା ।

 

ଯାହା ହେଉ, ଆଖିରେ ଆଖି ପଡ଼ିବା ମାତ୍ରେ ମାନସୀର ମୁହଁ ଆରକ୍ତ ହୋଇ ଉଠିଥିଲା, ସଙ୍ଗେ ସଙ୍ଗେ ସେ ଅନ୍ୟଆଡ଼େ ମୁହଁ ଫେରାଇ ନେଇଥିଲା ।

 

ମନୁର ନନା କହିଥିଲେ, “ମାଟ୍ରିକ ତ ହୋଇଗଲା । ଏଥର ଆଉ କଣ ପଢ଼ିବ ବୋଲି ଠିକ୍ କରିଚ ?”

 

“ଆଜ୍ଞା ହଁ ।”

 

“କ’ଣ ?”

 

“ଭାବିଚି ବି. ଏସ୍‍ସିଟା ପଢ଼ି ଇଞ୍ଜିନିୟରିଂ ପଢ଼ିବି ।”

 

“ଖୁବ୍ ଭଲ ଲାଇନ୍ ।

 

ମୁଁ ନୀରବ ରହିଥିଲି ।

 

ମନୁର ନନା ପୁଣି କହିଥିଲେ, “ଭଲ ବାପା ଭଲ । ଅନେକ ପିଲା ତ ମାଟ୍ରିକ ପାଶ କରିବା ପରେ କଣ କରିବେ, କିଛି ଠିକ୍ କରି ପାରନ୍ତିନି । ତମେ ଯେ ଆଗରୁ ଭବିଷ୍ୟତ ଜୀବନ ସମ୍ବନ୍ଧରେ ଚିନ୍ତା କରିଚ, ଶୁଣି ଭାରି ଖୁସି ହେଲି । ପ୍ରଥମରୁ ଜୀବନର ଗୋଟାଏ ଲକ୍ଷ୍ୟ ଠିକ୍ କରିନେବା ପ୍ରତ୍ୟେକ ପିଲାଙ୍କର ଉଚିତ । ସେଥିରେ ଜୀବନଟାକୁ ଗଢ଼ି ନେବାରେ ସୁବିଧା ହୁଏ ।”

 

ଏହା ପରେ କିଛି ସମୟ ନୀରବତା ଦେଖା ଦେଇଥିଲା ।

 

ମୁଁ ପୁଣି ମାନସୀଆଡ଼େ ଚାହିଁଥିଲି । ଥାଳି ଦେହରେ ସେ ଅଙ୍କା ବଙ୍କା ଗାର କାଟିବାରେ ଲାଗିଥିଲା । କିଛି ସମୟ ତା’ଆଡ଼େ ଚାହିଁବା ପରେ ପୁଣି ତାର ନନାଙ୍କଆଡ଼େ ଚାହିଁଥିଲି । କିଛିଟା ଇତସ୍ତତଃ ହେବା ପରେ କହିଥିଲେ, “ଆମ ଘରକୁ ଯିବେ ତ–”

 

“ହ !”

 

“କେବେ ଯିବେ ?”

 

“କାଲି ପରଦିନଆଡ଼କୁ !”

 

ମନେ ମନେ ହିସାବ କରିଥିଲି, “କାଲି ପରଦିନମାନେ ଆସନ୍ତା ଶନି କିମ୍ବା ରବିବାର-?”

 

“ହଁ । ତମେ ବାପା ଆଉ ଘରେ ଯାଇ ମୋ ଯିବା ବିଷୟ ନେଇ କାହାରିକୁ ବ୍ୟସ୍ତ କରିବନି ।”

 

ସଙ୍ଗେ ସଙ୍ଗେ କିଛି ଉତ୍ତର ଦେଇ ନ ଥିଲି । କଣ ଟିକିଏ ଭାବିବା ପରେ ହଠାତ୍ କହି ପକେଇଥିଲି, “କଣ କିଛି କାମ ଅଛି ?”

 

ମନୁର ନନା ସସ୍ନେହରେ ହସିଥିଲେ । ଲକ୍ଷ୍ୟ କରିଥିଲି, ମନୁର ବୋଉଙ୍କ ଆଖିରେ ଇଙ୍ଗିତମୟ ହସର ଲହରୀ ଝିର ଝିର ହୋଇ ନିଃଶବ୍ଦରେ ବୋହିଯାଉଚି । ଆଉ ମାନସୀର ମୁଣ୍ଡଟା ଥାଳି ଉପରକୁ ଆଉ ଟିକିଏ ଢଳି ପଡ଼ିଚି ।

 

ମନୁର ନନା କହିଥିଲେ, “ନାହିଁ ଆଉ କଣ ବାପା, ନିଶ୍ଚୟ ଅଛି । ଆଚ୍ଛା ନରି– ?

 

“ଆଜ୍ଞା–”

 

“ତମ ନନା ବୋଧହୁଏ ବର୍ତ୍ତମାନ ଦଳେଇଘାଟରେ ନାହାନ୍ତି ?”

 

ଅନୁଭବ କରିଥିଲି, ନନାଙ୍କ କଥାରେ ଛାତି ଭିତରେ କୋଉଠି ଗୋଟାଏ ଯେମିତି ବ୍ୟଥା ଲାଗୁଚି । ମୁହଁଟା ମଳିନ ହେଇ ଯାଇଥିଲା, ପ୍ରାୟ ଅସ୍ଫୁଟ ଭାବରେ କହିଥିଲି, “ଆଜ୍ଞା, ନାହାନ୍ତି ।”

 

ମନୁର ନନା ସାଗ୍ରହରେ ପଚାରିଥିଲେ, “ସେ ବର୍ତ୍ତମାନ କେଉଁଠି ?”

 

ନନାଙ୍କ ବିଷୟରେ ମୁଁ ଏ ଘରେ ପ୍ରାୟ ଲୁଚାଛପା କରେ । ଏ ସମ୍ବନ୍ଧରେ କୌଣସି କଥା ଉଠିଲେ ଏଡ଼େଇ ଦେଇଚି । ଅବଶ୍ୟ ନନାଙ୍କ ସମ୍ବନ୍ଧରେ ଏମାନେ ସେମିତି ବିଶେଷ କିଛି କୌତୂହଳ ପ୍ରକାଶ କରନ୍ତିନି ।

 

କହିଥିଲି, “ଓଡ଼ିଶା ବାହାରେ ଅଛନ୍ତି ।”

 

“ଓଡ଼ିଶା ବାହାରେ କୋଉଠି ?”

 

“କୋଉଠି, ମୁଁ ସେ କଥା କେମିତି ଜାଣିବି ? ଭୂଗୋଳର କୋଉ ପ୍ରାନ୍ତରେ ସେ ବର୍ତ୍ତମାନ ଅଛନ୍ତି, ମୋ ପକ୍ଷେ ତା ଜାଣିବା ଅସମ୍ଭବ । ଆଖି କାନ ବୁଜି କୌଣସି ପ୍ରକାର କହିଥିଲି, “ପାଟଣାରେ ଅଛନ୍ତି ।”

 

ଭାରତ ଭିତରେ ଏତେ ଜାଗା ଥାଉ ଥାଉ ହଠାତ୍ ପାଟଣା ନାଆଁଟା କାହିଁକି ମନେ ପଡ଼ିଥିଲା କହି ପାରିବିନି; ତାର ବୋଧହୁଏ କୌଣସି ସଙ୍ଗତ ବ୍ୟାଖ୍ୟା ବି ନାହିଁ । ଅବଶ୍ୟ ପାଟଣା ଛଡ଼ା ଅନ୍ୟ ଯେ କୌଣସି ସ୍ଥାନର ନାଆଁ କହିଲେ ବି, କାହିଁକି କହିଲି ତାର କୌଣସି ବ୍ୟାଖ୍ୟା ବି କରିପାରି ନ ଥାନ୍ତି ।

 

ମନୁର ନନା ପଚାରିଥିଲେ, “ତମ ନନା କଣ ଏହା ମଧ୍ୟରେ ଆସୁଚନ୍ତି ?”

 

କେମିତି ଭାବରେ ତାଙ୍କୁ ଜଣେଇବି, ଏହା ମଧ୍ୟରେ କଣ ଆଉ କୌଣସି ଦିନ ନନା ଦଳେଇଘାଟ ଫେରିବେନି । ରାତି ଅଧରେ ନନାଙ୍କର ସେଇ ଲାଞ୍ଛିତ ଅପମାନିତ ବିପନ୍ନ ବିଷଣ୍ଣ ମୁହଁର ଛବିଟା ବାରମ୍ବାର ମୋର ମନେ ପଡ଼ୁଥିଲା । ଚିରଦିନ ପାଇଁ ଆମଠାରୁ ସମସ୍ତ ସମ୍ପର୍କ ଛିନ୍ନକରି ସେ ଚାଲି ଯାଇଚନ୍ତି । ଆମମାନଙ୍କ ସଂସାରର ଯେଉଁ ଦ୍ଵାର ବୋଉ ତାଙ୍କ ମୁହଁ ଉପରେ ବନ୍ଦକରି ଦେଇଥିଲା, ସେଇଟା ଆଉ କୌଣସି ଦିନ ଖୋଲିବନି ।

 

ମନୁ ନନାଙ୍କର ପ୍ରଶ୍ନରେ ମୋର କଲିଜାଟା ମୋଡ଼ି ମୋଡ଼ି ଯେମିତି ରକ୍ତ ନିଗିଡ଼ି ପଡ଼ୁଥିଲା । ସେଇ ଅନ୍ଧକାର ଅଗୌରବ ପାରିବାରିକ କଥା ଯେତେ ମନେ ପଡ଼ୁଥିଲା, ସେତିକି ଗୋଟାଏ ଲଜ୍ଜାକର ଅସ୍ୱସ୍ତି ମୋର ସେ ଦିନର ସମସ୍ତ ଆନନ୍ଦକୁ ମଳିନ କରି ଦେଉଥିଲା । ମତେ ନେଇ ଯେଉଁ ଉତ୍ସବ ଆରମ୍ଭ ହେଇଥିଲା, ନନାଙ୍କ ପ୍ରସଙ୍ଗ ପଡ଼ିବାରୁ ସେଇଟା ମ୍ରିୟମାଣ ହେଇ ଯାଉଥିଲା ।

 

କହିଥିଲି, “ନନା ଏହା ମଧ୍ୟରେ ଆସୁନାହାନ୍ତି ।”

 

“ତାହେଲେ–” ମନୁର ନନା ହଠାତ୍ ରହି ଯାଇଥିଲେ ।

 

କାରଣଟା ବୁଝି ନ ପାରି ପଚାରିଥିଲି, “କଣ ?”

 

“ତମ ଘରକୁ ଗଲେ କାହା ସଙ୍ଗେ କଥାବାର୍ତ୍ତା କରିବି ?

 

“କାହିଁକି, ବୋଉ ଅଛି, ଅଜା ଅଛନ୍ତି ।”

 

“ସେମାନଙ୍କ ସାଙ୍ଗରେ କଣ କଥାବାର୍ତ୍ତା କଲେ ଚଳିବ ?”

 

ମୁଁ କହିଥିଲି, “ଆପଣଙ୍କର କଣ ଦରକାର ସେକଥା ତ ଜାଣେନି । ଯଦି ଆପତ୍ତି ନ ଥାଏ, କଥାଟା ମତେ କହି ପାରନ୍ତି । କଣ ଦରକାର ଜାଣିଲେ କହିବି, ଆପଣ କାହା ସଙ୍ଗେ କଥାବାର୍ତ୍ତା କଲେ ଚଳିବ ?”

 

ମନୁର ନନା ଟିକିଏ ଇତସ୍ତତଃ ହୋଇଥିଲେ । ମନୁର ବୋଉଙ୍କଆଡ଼େ ଚାହିଁ ଟିକିଏ ଇଙ୍ଗିତମୟ ହସ ହସି କହିଥିଲେ, “ତମ ବିଷୟରେ ଟିକିଏ ଆଲୋଚନା କରିବାର ଥିଲା ।”

 

“ମୋ ବିଷୟରେ !” ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

 

“ହଁ ।”

 

ଟିକିଏ ସମୟ ଭାବି କହିଥିଲି, “ମୋ ବିଷୟରେ ଆପଣଙ୍କର ଯଦି କୌଣସି ଆଲୋଚନା କରିବାର ଥାଏ, ତା’ହେଲେ ନନାଙ୍କର ଦରକାର ନାହିଁ ।”

 

ମନୁର ନନା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିମୂଢ଼ ଭଳି ପଚାରିଥିଲେ, “ତମ ସମ୍ଵନ୍ଧରେ ଆଲୋଚନା କରିବାକୁ ହେବ ଅଥଚ ତମ ନନାଙ୍କର ଦରକାର ନାହିଁ !”

 

“ଆଜ୍ଞା ନା ।”

 

“ତେବେ କାହା ସଙ୍ଗେ ଆଲୋଚନା କରିବି ?”

 

“ମୋ ବୋଉ ସଙ୍ଗେ ।”

 

“ତମ ବୋଉଙ୍କ ସଙ୍ଗେ ?”

 

“ହଁ ଆଜ୍ଞା । ମୋ ବିଷୟରେ ବୋଉ ବ୍ୟତୀତ ଆଉ କାହାରି କିଛି କହିବାର ଅଧିକାର ନାହିଁ ।”

 

ସ୍ଥିର ଦୃଷ୍ଟିରେ ମୋଆଡ଼େ କିଛି ସମୟ ଚାହିଁ ରହିବା ପରେ ମନୁର ନନା କହିଥିଲେ, “ହଉ, ତମ ବୋଉଙ୍କୁ କହିବ ପଅରଦିନ ମୁଁ ତମ ଘରକୁ ଯିବି ।”

 

ଷୋହଳ

 

ମନେଅଛି, କଥା ଅନୁସାରେ ସେଇ ପଅରଦିନ ଆମ ଘରକୁ ମନୁର ନନା ଆସିଥିଲେ । ଦି’ପ୍ରହର ବେଳକୁ ଆସିଥିଲେ । ତାଙ୍କର ଆସିବା ଖବର ଅବଶ୍ୟ ମୁଁ ବୋଉକୁ ଆଗରୁ ଦେଇସାରିଥିଲି ।

 

ସେଦିନ ଥିଲା ରବିବାର । ଖାଇବା ପିଇବା ପରେ ଅଜା ଟିକିଏ ନିଶ୍ଚିନ୍ତରେ ଦିବାନିଦ୍ରାରେ ଅଚେତନ ହୋଇଥିଲେ । ଆମ ଭାଇ ଭଉଣୀମାନଙ୍କର ଖାଇବା ପିଇବା ମଧ୍ୟ ଶେଷ ହୋଇଯାଇଥାଏ । ଆଉ ବୋଉ ସଂସାରର ଯାବତୀୟ କାମ ସାରି ସେତେବେଳେ ଗୋଡ଼ ହାତ ଧୋଇ ଆସୁଥିଲା । ଏ ପର୍ଯ୍ୟନ୍ତ ସେ ଖାଇନି, ଆଈ ମଧ୍ୟ ଖାଇ ନ ଥିଲେ । ଦୁହେଁ ସାଙ୍ଗ ହୋଇ ଖାଇବେ ।

 

ଯାହା ହେଉ ମନୁର ନନା ଆସିବାରୁ ଅଜା ଧଡ଼ପଡ଼ ହୋଇ ଉଠି ବସିଥିଲେ, ଘର ସାରା ଡାକ ପଡ଼ି ଯାଇଥିଲା । ଭାଇ–ଭଉଣୀମାନେ ଦୂରରୁ ଚାହାଣୀରେ ଅପାର କୌତୂହଳ, ବିସ୍ମୟ ଆଉ କିଛିଟା ଭୟ ମିଶେଇ ଚାହୁଁଥିଲେ । ସେମାନେ ପାଖକୁ ଆସିବା ପାଇଁ ସାହସ କରି ପାରୁ ନ ଥିଲେ ।

 

ଏଣେ ଅଜା ମନୁର ନନାଙ୍କୁ ନିଜ ଘରକୁ ନେଇ ଖଣ୍ଡେ ଚଉକିରେ ବସେଇଥିଲେ । ନିଜେ ବସିଥିଲେ ବିଛଣା ଉପରେ । ବୋଉ କପାଳ ପର୍ଯ୍ୟନ୍ତ ଓଢ଼ଣା ଟାଣି ଦ୍ଵାର ସେପଟେ ଟିକିଏ ଆଢ଼ୁଆଳରେ ଆସି ଠିଆ ହୋଇଥିଲା । ଠିକ୍ ତା’ପଛକୁ ଆଈ ଠିଆ ହୋଇଥାଆନ୍ତି । ଆଉ ମୁଁ ଘର ଭିତରେ ଅଜାଙ୍କ ପାଖକୁ ଲାଗି ବସିଥାଏ ।

 

ମନେପଡ଼ୁଚି ମନୁର ନନା ଘୋଡ଼ାଗାଡ଼ିରେ ଏକୁଟିଆ ଆସିଥିଲେ । ଅଜାଙ୍କ ଘରେ ବସି ଚାରିଆଡ଼ ଚାହିଁ ଟିକିଏ ଇତସ୍ତତଃ ହୋଇଥିଲେ । କିଭଳି ଭାବରେ ସେ ଆଲୋଚନାଟା ଆରମ୍ଭ କରିବେ, ସେଇଟା ବୋଧହୁଏ ସେ ଠିକ୍ କରି ପାରୁ ନ ଥିଲେ । କିଛି ସମୟ ଭୂମିକା ପରେ ଶେଷକୁ ଆରମ୍ଭ କରି ଦେଇଥିଲେ, “ଅନେକ ଦିନରୁ ଆପଣମାନଙ୍କ ଘରକୁ ଆସିବି ବୋଲି ଇଚ୍ଛା କରୁଚି କିନ୍ତୁ ଆସିବା ପାଇଁ ମୋଟେ ସାହସ ହେଉ ନ ଥିଲା । ଶେଷକୁ ନ ଆସି ରହି ପାରିଲିନି । ଭାବିଲି ଏହା ପରେ ଅପେକ୍ଷା କଲେ ଡେରି ହୋଇଯିବ ।”

 

ମନୁର ନନା କଥାଗୁଡ଼ାକ ଅଜାଙ୍କୁ ଚାହିଁ କହୁଥିଲେ । କିନ୍ତୁ ଲକ୍ଷ୍ୟ ଥିଲା ବୋଉ । ସେଦିନ ଜଣେଇ ଦେଇ ଆସିଥିଲି ମୋ ବିଷୟରେ କୌଣସି କଥାବାର୍ତ୍ତା କରିବାର ଅଧିକାର କେବଳ ବୋଉର ଅଛି । ମନୁର ନନା କଣ ସେଇଥିରେ ପ୍ରଭାବିତ ହୋଇ ଥିଲେ ? ହୁଏ ତ, ହୋଇଥିବେ ।

 

ଅଜା କଣ ଜବାବ ଦେଇଥିଲେ ମନେ ନାହିଁ । ବୋଉର ଉତ୍ତରଟା କିନ୍ତୁ ଏ ଯାଏ ମୋର ମନେ ଅଛି । ବୋଉ କହିଥିଲା, “ଆପଣ ଆମଘରକୁ ଆସିବେ ଏ ତ ପରମ ସୌଭାଗ୍ୟର କଥା । ଏହା ମଧ୍ୟରେ ସାହସ ହେଉ ନ ଥିବା କଥା କହିଲେ ଆମେ ଖୁବ୍ ବିବ୍ରତ ଦେବୁ । ତାଛଡ଼ା–”

 

“କଣ ?”

 

“ଆପଣ ତ କିଛି ନୂଆ ନୁହନ୍ତି । ଯଦିଓ ଅନେକ ଦିନ ଆଗରୁ ଥରେ ମାତ୍ର ଆପଣଙ୍କୁ ଦେଖିଥିଲୁ ତଥାପି ନରି ମୁହଁରୁ ଦଶବର୍ଷ ହେଲା ଆପଣମାନଙ୍କ କଥା ଶୁଣି ଆସୁଚୁ । ଶୁଣି ଶୁଣି ଆପଣମାନେ ସାତ ଚିହ୍ନାରୁ ବି ବଳିଯାଇଚନ୍ତି । ଅନେକ ଥର ଆପଣଙ୍କ ସଙ୍ଗେ କଥାବାର୍ତ୍ତା କରିବା ପାଇଁ ଇଚ୍ଛାହୁଏ କିନ୍ତୁ ବୁଝୁଥିବେ, ମୁଁ ଘରର ବୋହୂ ଛୋଟ ସଂସାରରେ–”

 

ମୁଁ ଏକାବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ବୋଉ ଯେ ଏଡ଼େ ସୁନ୍ଦର କଥା କହିପାରେ, ମୋର ଆଦୌ ଧାରଣା ନ ଥିଲା ।

 

ଏ କଥା ଶୁଣି ମନୁର ନନା ହଠାତ୍ କିଛି କହି ନ ଥିଲେ । ଅନେକ ସମୟ ପରେ ମୁହଁଟେକି କହିଥିଲେ, “ସେତ ସତକଥା । ସେ ଯାହାହେଉ, ମୁଁ କିନ୍ତୁ ଆଜି ଗୋଟାଏ ବିଶେଷ ଦରକାରରେ ଆପଣଙ୍କ ପାଖକୁ ଆସିଚି ।”

 

“ବିଶେଷ ଦରକାରରେ !” ବୋଉର ଚାହାଣୀରେ, ମୁଁହରେ ଏବଂ କଣ୍ଠ ସ୍ଵରରେ ବିସ୍ମୟତା ଫୁଟି ଉଠିଥିଲା । ଡେଣାରେ ବେଷ୍ଟନୀ ତଳୁ ମନୁର ନନାଙ୍କଆଡ଼େ ଏକ ଦୃଷ୍ଟିରେ ଚାହିଁରହି କହିଥିଲା, “ହଉ, କୁହନ୍ତୁ–”

 

“ଯଦି ଅଭୟ ଦିଅନ୍ତି, କହିବି ।”

 

“କୌଣସି ଭୟର କଥା ଅଛି ନା କଣ ?”

 

“ସେଇଟା ଠିକ୍ ଭାବରେ ବୁଝିପାରୁନି ।”

 

ସାମାନ୍ୟ ହସି ବୋଉ ଏଥର କହିଥିଲା, “ଆପଣ ନିର୍ଭୟର କୁହନ୍ତୁ ।”

 

ପ୍ରଥମରୁ ମନୁର ନନା ଥଙ୍ଗ ଥଙ୍ଗ ହୋଇ ଯାଇଥିଲେ । ତା ପରେ ଟିକିଏ ସମ୍ଭାଳିଯାଇ ଦ୍ଵାର ଏପଟେ ବୋଉର ପାଖାପାଖି ହୋଇ ଆସିଥିଲେ । ଦୁଇହାତ ମେଲାଇ ଦୀନ ଭଙ୍ଗିରେ କହିଥିଲେ, “ମୁଁ ଆପଣଙ୍କ ପାଖରୁ ଗୋଟିଏ ଭିକ୍ଷା ମାଗିବାକୁ ଆସିଚି ।”

 

“ଭିକ୍ଷା !”

 

“ଆଜ୍ଞା ହଁ !”

 

ଆମେ ବଡ଼ ଗରିବ । ଆପଣଙ୍କ ଭଳି ଲୋକଙ୍କୁ କଣ ଭିକ୍ଷା ଦେବୁ । ସେ ସାଧ୍ୟ ଆମର କୋଉଠି ଅଛି ! ଏ କଥା କହି ଆମକୁ ଆଉ ଲାଜ ଦେବେନି ।”

 

“ଆପଣ ବୋଧହୁଏ ଜାଣନ୍ତି ନି–” ଏତିକି କହି ମନୁର ନନା ହଠାତ୍ ଚୁପ୍ ହୋଇଯାଇଥିଲେ ।

 

“କଣ ଜାଣେନି ?”

 

“ଦଳେଇଘାଟରେ ଆପଣଙ୍କଠାରୁ ବଳି ଐଶ୍ଵର୍ଯ୍ୟମୟୀ ଆଉ କେହି ନାହିଁ । ଆପଣ କାନିରେ ଯେଉଁ ରତ୍ନଟି ବାନ୍ଧି ରଖିଚନ୍ତି ସେ ସମ୍ପତ୍ତି ତ ଦଳେଇଘାଟର କାହାରି ଘରେ ନାହିଁ ।”

 

ବୋଉ ଇଙ୍ଗିତଟା ବୁଝିପାରି ଥିଲା । ଟିକିଏ ଗର୍ବ ଆଉ ଟିକିଏ ସଙ୍କୋଚ । ଦୁଇଟା ଯାକ ଏକାକାର ହୋଇ ଅନେକଗୁଡ଼ିଏ ବିଚିତ୍ର ଢେଉ ତା ମୁହଁ ଉପରେ ଦେଖା ଦେଇଥିଲା । କିଛି ସମୟ ଚୁପ୍ ହେଇ ରହିବା ପରେ ଅର୍ଦ୍ଧସ୍ଫୁଟ ମୃଦୁସ୍ଵରରେ କହିଥିଲା, “ଆପଣ କଣ କହୁଛନ୍ତି ଆମେ ବୁଝି ପାରୁନୁ । ଦୟା କରି ଖୋଲା ଖୋଲି ଭାବରେ କହନ୍ତୁ–”

 

ମନୁର ନନା କହିଥିଲେ, “ସ୍କୁଲରେ ନାଆଁ ଲେଖେଇଲା ଦିନଠାରୁ ନରି ଆମ ଘରକୁ ଯାଉଚନ୍ତି । ଦଶବର୍ଷ ହେଲା ଆମର ସେଠିକି ଯିବା ଆସିବା ଲାଗିଚି । ମୋର ସ୍ତ୍ରୀ ଆଉ ମୁଁ ତାଙ୍କୁ ଭାରି ଭଲ ପାଉ, ଖୁବ୍ ସ୍ନେହ କରୁ ।”

 

ସେ କଥା ମୁଁ ଜାଣେ ।” ଗାଢ଼ କୃତଜ୍ଞ ସ୍ଵରରେ ବୋଉ କହିଥିଲା, “ଭଲ ଯଦି ନ ପାଉ ଥାଆନ୍ତେ, ସ୍ନେହ ଯଦି କରୁ ନଥାନ୍ତେ ଦଶବର୍ଷ ହେଲା ନରି ଆପଣଙ୍କ ଘରକୁ ଯାଉ ଥାଆନ୍ତା କାହିଁକି ? ଏ ଦଳେଇଘାଟରେ କେତେଲୋକ ନାହାନ୍ତି ! ଆଉ କାହା ପାଖକୁ ତ ଯାଏନି । ତାଛଡ଼ା–”

 

“କଣ ?”

 

“ଆମମାନଙ୍କର ତ ଆଉ କିଛି ନାହିଁ । ଟିକିଏ ସମ୍ମାନବୋଧ ତାହା ଅଛି । ସେଇ ସମ୍ମାନରେ ଆଞ୍ଚ ଲାଗିଥିଲେ ଦେଖି ଥାଆନ୍ତେ ପୁଅ ମୋର କୋଉ ଦିନଠାରୁ ଆପଣଙ୍କ ଘରକୁ ଯିବା ବନ୍ଦ କରି ଦିଅନ୍ତାଣି ।”

 

ମନୁର ନନା କହିଥିଲେ, “ଆଉ ସବୁର ଦରକାର କଣ ! ସମ୍ମାନବୋଧ ହେଲା ଅସଲ କଥା । ବଞ୍ଚି ରହିବାର ଏକମାତ୍ର ମୂଳମନ୍ତ୍ର ।”

 

“ସେଇ ସମ୍ମାନବୋଧଟିକ ବଞ୍ଚେଇବା କଷ୍ଟକର ହେଇପଡ଼ୁଚି ।”

 

“ସେଇଟା ଅବଶ୍ୟ ସତ କଥା ।”

 

କିଛି ସମୟ ଚୁପ୍ ଚାପ୍ । ତାପରେ କୁଣ୍ଠିତ ଭାବରେ ବୋଉ କହିଥିଲା, “ଆପଣ ତାହେଲେ କଣ କହୁଛନ୍ତି ?”

 

ଦୁଇହାତ ମକଚି ମନୁର ନନା କହିଥିଲେ, ତା ଆଗରୁ ମୋତେ କଥା ଦେବାକୁ ହେବ ।”

 

“କି କଥା ?”

 

“ଆପଣ ମତେ ଫେରେଇବେନି ।”

 

ବୋଉ ଆଖିର ଚାହାଣୀ ନିଷ୍ପଲକ ହେଇ ଯାଇଥିଲା । ଟିକିଏ ଆଗରୁ ଯେଉଁ ହସ ଟିକକ ଦେଖା ଦେଇଥିଲା ସେତକ ଲିଭି ଯାଇଥିଲା ।

 

ମନୁର ନନା କହିଥିଲେ, “ମୁଁ ଜାଣେ ନରିଙ୍କ ସମ୍ବନ୍ଧରେ ଆପଣଙ୍କ କଥାହିଁ ଶେଷ କଥା । ତେଣୁ କହିଥିଲି ନରିଙ୍କୁ ମତେ ଦେବାକୁ ହେବ ।”

 

ବୋଉ ଖୁବ୍ ଧୀରେ ଧୀରେ ଅଥଚ ଦୃଢ଼ ସ୍ୱରରେ କହିଥିଲା, “ଦେବାକୁ ହେବମାନେ ? ଆପଣଙ୍କ କଥାଟା ଠିକ୍ ବୁଝି ପାରିଲିନି !”

 

“ମୋର ଗୋଟିଏ ଝିଅ ଅଛି । ଏଥର ନବମ ଶ୍ରେଣୀରେ ପଢ଼ୁଛି । ମୋର ଇଚ୍ଛା–” କହୁ କହୁ ମନୁର ନନା ହଠାତ୍ ଚୁପ୍ ହୋଇ ଯାଇଥିଲେ ।

 

ବୋଉ ମୁହଁରୁ ଲିଭିଯାଇ ଥିବା ସେଇ ହସଟା ପୁଣି ଫେରି ଆସିଲା । ସେ କହିଥିଲା, “ଏତେବେଳ ପରେ ଆପଣଙ୍କ କଥା ବୁଝିହେଲା । ମାନସୀଙ୍କ କଥା ମୁଁ ଅନେକ ଶୁଣିଚି । ମୋର କୌଣସି ଆପତ୍ତି ନାହିଁ । ତେବେ–”

 

“କଣ ?”

 

“ଏଇଲେ ଏମାନେ ପିଲା; ପଢ଼ିବା ବୟସ । ଏଇଲେ ତ–”

 

“ସେଇଟା ତ ସତକଥା । ଏଇଲେ ବାହାଘର କଥା ଉଠୁନି । ତେବେ ଆପଣଙ୍କ ମୁହଁରୁ ପଦେ ଶୁଣିବା କଥା । ସେତିକି ଦରକାର ଥିଲା–ଯାହା ହେଉ ଏ ବିଷୟରେ ମୁଁ ନିଶ୍ଚିନ୍ତ ହେଇଗଲି । ଆପଣମାନଙ୍କୁ ବନ୍ଧୁ ଭାବରେ ପାଇବି, ଏଇଟା ମୋର ପରମ ଭାଗ୍ୟ ବୋଲି କହିବାକୁ ହେବ ।”

 

ବୋଉ ହସିଦେଇ କହିଥିଲା, “ଜମିଦାରଙ୍କ ଝିଅ ଗରିବ କୁଡ଼ିଆକୁ ବୋହୂ ହେଇ ଆସିବ, ଏ କଣ କମ୍ ଭାଗ୍ୟର କଥା !”

 

କିଛି ସମୟ ଚୁପ୍ ରହିବା ପରେ ମନୁର ନନା ପୁଣି କହିଥିଲେ, “ନରିଙ୍କ ବିଷୟରେ ମୋର ଆଉ କହିବାର ଅଛି ।”

 

“କଣ କହୁଚନ୍ତି ?”

 

“ଖୁବ୍ ଭଲ ପଢ଼ାପଢ଼ି କରୁଚନ୍ତି, ଯେଉଁଯାଏ ଇଚ୍ଛା ପଢ଼ନ୍ତୁ ।”

 

“ମୋର ବି ସେଇୟା ଇଚ୍ଛା ।”

 

“ଯଦି ଅଭୟ ଦିଅନ୍ତି ତାହେଲେ ଗୋଟାଏ କଥା କହନ୍ତି ।”

 

“କହନ୍ତୁ ।”

 

“ପଅରଦିନ କଥାବାର୍ତ୍ତା କରୁ କରୁ ନାରୀଙ୍କଠାରୁ ଜାଣିଲି, ବି.ଏ.ସି. ପାଶ୍ କରି ସେ ଇଞ୍ଜିନିୟରିଂ ପଢ଼ିବାକୁ ଇଚ୍ଛା କରୁଚନ୍ତି ।”

 

ବୋଉ ଅନିଶ୍ଚିତ ଭାବରେ ମୁଣ୍ଡ ହଲେଇ କହିଥିଲା, “ହଁ, ତାର ସେଇ ଇଚ୍ଛା ଅଛି । ଦେଖେ କୋଉଯାଏ କଣ ହେଉଚି । ଆପଣମାନଙ୍କ ଅବସ୍ଥା ତ ଆପଣ ଜାଣନ୍ତି–”

 

ଟିକିଏ ଇତସ୍ତତଃ ହୋଇ ହୋଇ ଦ୍ଵିଧାନ୍ୱିତ ଭାବରେ ମନୁର ନନା କହିଥିଲେ, “ଆପଣମାନଙ୍କ ଆଶୀର୍ବାଦରୁ ମୋର କୌଣସି ଅଭାବ ନାହିଁ । ଅନେକଗୁଡ଼ାଏ ଟଙ୍କା ବ୍ୟାଙ୍କରେ ଜମା ହେଇଚି । ଆପଣ ଯଦି ଅନୁମତି ଦିଅନ୍ତି–”

 

ବୋଉ ମୁହଁରେ କିଛି କହିଲାନି । କେବଳ ପରିପୂର୍ଣ୍ଣ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିଥିଲା । ଆଶ୍ଚର୍ଯ୍ୟ କଥା, ନିଜର ଅଜ୍ଞାତସାରରେ କେତେବେଳେ ତା ମୁଣ୍ଡରୁ ଓଢ଼ଣାଟା ଯେମିତି ଖସି ପଡ଼ିଥିଲା ।

 

ମନୁର ନନା ସେ ସବୁ ଲକ୍ଷ୍ୟ କରି ନାହାନ୍ତି । ଆପଣା ମନକୁ ମନ ସେ କହି ଯାଉଥିଲେ “ମୋର ଭାରି ଇଚ୍ଛା, ଆଜିଠାରୁ ନରିଙ୍କର ପଢ଼ାଶୁଣାରେ ଯାହାଖର୍ଚ୍ଚ ହେବ, ମୁଁ ଦେବି । ମାନେ ଆପଣ କଥା ଦେଇଚନ୍ତି, ଆଜିଠାରୁ ନରି ତ ମୋର ପୁଅ ଭଳି । ପୁଅ ଭଳି କଣ ପୁଅ ତ । ଆଜିଯାଏ ମୋର ଗୋଟିଏ ପୁଅ ଥିଲା । ଏବେ ଦୁଇଟି ହେଲେ ।”

 

ବୋଉ ଏଥର ବି ନୀରବ । ତାର ମୁହଁଟା ଧୀରେ ଧୀରେ କଠିନ ହୋଇ ଉଠିଥିଲା । ଆଖି ଦୁଇଟା ସ୍ଥିର ନିଷ୍ପଲକ । ଓଠ ଶକ୍ତ ବଦ୍ଧ । ନାକ ପୁଡ଼ାଟା ଫୁଲି ଉଠିଥିଲା । ବୋଉଆଡ଼େ ଚାହିଁ ଶଙ୍କିତ ହୋଇ ପଡ଼ିଥିଲି । ବୁଝି ପାରିଥିଲି, ତାର ଅଦୃଶ୍ୟ ଗଭୀରତମ ପ୍ରଦେଶରେ କୋଉଠି ଗୋଟାଏ ଯେମିତି ଭୀଷଣ ଆଲୋଡ଼ନ ଚାଲିଚି ।

 

ମନୁର ନନା ନିଜ ମନକୁ ମନ କହି ଯାଉଥିଲେ । ହଠାତ୍ ତାଙ୍କର ଖିଆଲ ହେଇଥିଲା, ବୋଉ ଏକାବେଳେ ନୀରବ । ପଦେ ହେଲେ ସେ କହୁନି ।

 

ହଠାତ୍ ମନୁର ନନା ରହିଯାଇ ବୋଉର ମୁହଁଆଡ଼େ ଚାହିଁଥିଲେ । ଟିକିଏ ଡରି ଡରି ପଚାରିଥିଲେ, “ଆପଣ ତ କିଛି କହୁ ନାହାନ୍ତି ?”

 

“କଣ କହିବି, ଭାବୁଚି ।”

 

“ତାହେଲେ କଣ–”

 

“ହଁ, ଆପଣ ଏଥର ଠିକ୍ ଭାବରେ ବୁଝିଚନ୍ତି । ଆପଣଙ୍କର ଏ ଇଚ୍ଛାଟାକୁ ପୂରଣ କରି ପାରୁନି ।”

 

“ମାନେ, ଆପଣ–” ମନୁର ନନା ଥଙ୍ଗ ଥଙ୍ଗ ହୋଇ ଯାଇଥିଲେ ।

 

ବୋଉ କିନ୍ତୁ ସେମିତି ଅବିଚଳିତ ଥିଲା । ମନୁର ନନାଙ୍କ ମୁହଁକୁ ଚାହିଁ କହିଥିଲା, “ଆପଣ ଆମମାନଙ୍କ ସଂସାରରେ ସବୁ ଖବର ଜାଣନ୍ତି ନି, ଜାଣିବା ବି ସମ୍ଭବ ନୁହେଁ । ମୋ ପକ୍ଷେ କହିବା ବି ଅସମ୍ଭବ । ମାଟ୍ରିକ ପର୍ଯ୍ୟନ୍ତ କିଭଳି ଭାବରେ ନରିର ପଢ଼ାଶୁଣା ଚଲେଇଚି ସେ କଥା ମୁଁ ଜାଣେ । ଯାହା ହେଉ, ମୋର କେବଳ ଗୋଟାଏ କଥା କହିବାର ଅଛି, ପଢ଼ାପଢ଼ିରେ ନରିକୁ ଅନେକ କଷ୍ଟ କରିବାକୁ ପଡ଼ିବ । ତାର କୌଣସି ଘରେଇ ଶିକ୍ଷକ ନ ଥିଲା ।”

 

ଠିକ୍ ଏତିକିବେଳେ ଆହତ ଭାବରେ ଅଜା କହି ପକେଇଥିଲେ, “ନରି ପାଇଁ ତ ମୁଁ ଘରୋଇ ଶିକ୍ଷକ ରଖିବାର ବ୍ୟବସ୍ଥା କରିଥିଲି, ତୁ ତ ରଖେଇ ଦେଲୁନି ।”

 

ଶାନ୍ତ ଗମ୍ଭୀର ଗଳାରେ ବୋଉ କହିଥିଲା, “କାହିଁକି ରଖେଇ ଦେଲିନି ସେକଥା ତମେ ଭଲଭାବରେ ଜାଣିଚ ନନା ।” କହିଦେଇ ଏଥର ମନୁର ନନାଙ୍କଆଡ଼େ ସେ କହିଥିଲା, “ନରିକୁ ମୁଁ ସବୁ ଦିନେ କଷ୍ଟରେ ବଢ଼ାଇ ଆଣିଚି । ମୋର ଧାରଣା କଷ୍ଟ ଭିତରେ ଚଳି ଚଳି ନିଜ ଉପରେ ସେ ଭରସା କରିବାକୁ ଶିଖିଚି । ତାର ଆତ୍ମବିଶ୍ୱାସ ଆସୁଚି । ମୋର ଅନୁରୋଧ, ନିଶ୍ଚିନ୍ତତା ଆଉ ଆରାମର ଲୋଭ ଦେଖେଇ ତାର ଆତ୍ମ ନିର୍ଭରତା ନଷ୍ଟ କରି ଦେବେ ନି । ତା ଛଡ଼ା–”

 

“କଣ ?”

 

“ଦବାର ସମୟ ଯେତେବେଳେ ଆସିବ ସେତେବେଳେ ଆପଣ ତାକୁ ନିଶ୍ଚୟ ଦେବେ, ମୁଁ ମୋଟେ ଆପତ୍ତି କରିବିନି ।”

 

ଏହାପରେ ଅନେକ ସମୟ ମୁହଁ ତଳକୁ କରି ମନୁର ନନା ଠିଆ ହୋଇ ରହିଥିଲେ । ମନେ ହେଉଥିଲା ସେ ଟିକିଏ କ୍ଷୁନ୍ନ ହେଇଚନ୍ତି । କିନ୍ତୁ କିଛି ସମୟ ପରେ ଯେତେବେଳେ ସେ ମୁହଁ ଟେକି ଚାହିଁଲେ ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମନେ ଅଛି, ମୁହଁରେ ତାଙ୍କର ଶ୍ରଦ୍ଧା ଭକ୍ତି ଯେମିତି ଲେପି ହୋଇ ଯାଇଥିଲା ।

 

ମନୁର ନନା କହିଥିଲେ, “ଆପଣ ଠିକ୍ କଥା କହିଛନ୍ତି । ଏତେ ଦିନ ପରେ ବୁଝିଲି ନରିଙ୍କର ବଡ଼ ହେବା, ଭଲ ହେବା ମୂଳରେ କେଉଁ ଶକ୍ତି କାମ କରୁଥିଲା । ଏମିତି ମାଆ ନ ହେଲେ ପୁଅ କେବେ ଏମିତି ହେଇପାରେ ?”

 

ବୋଉ ଏକାବେଳେ ଲାଜେଇ ଯାଇଥିଲା । ଆରକ୍ତ ମୁହଁରେ ଚଞ୍ଚଳ କହିଥିଲା, “କି କଥା ଆପଣ କହୁଛନ୍ତି ! ନରି ଯଦି କିଛି କରିଥାଏ ତାହାଲେ ସେ ଆପଣମାନଙ୍କ ପାଞ୍ଚଜଣଙ୍କ ଆଶୀର୍ବାଦରୁ କରିଚି । ଭଗବତୀଙ୍କ ଦୟାରୁ କରିଚି ।”

 

ମନୁର ନନା କହିଥିଲେ, “ସବୁତ ଭଗବତୀଙ୍କ କରୁଣା, ତେବେ ଏ କଥା ମାନିବାକୁ ହେବ ଯେ ନରିଙ୍କର ଭଲ ମୂଳରେ ଆପଣଙ୍କର ଯଥେଷ୍ଟ ପ୍ରେରଣା ରହିଚି ।” ଟିକିଏ ରହି ପୁଣି କହିଥିଲେ, ଦେଖନ୍ତୁ ମୋର ଖୁବ୍ ଅନ୍ୟାୟ ହୋଇ ଯାଇଚି । ଏଭଳି ନରିଙ୍କୁ ପଢ଼େଇବା କଥାଟା । କହିବା ମୋର ଉଚିତ ହେଇନି । ତେବେ ଏତିକି କହିବି, କିଛି ନଭାବି ମୁଁ ଏକଥା କହିଚି । ମୋ କଥା ଆପଣ ମୋଟେ ଧରିବେନି, ଆଶାକରେ ଆପଣ ମତେ କ୍ଷମା କରିବେ ।”

 

ବୋଉ ସାଙ୍ଗେ ସାଙ୍ଗେ ଜିଭ କାମୁଡ଼ି ପକେଇ କହିଲା, “ଆହା ହା, କି କଥା ଆପଣ କହୁଚନ୍ତି । ନରିକୁ ଆପଣ ସ୍ନେହ କରନ୍ତି, ସେଥିପାଇଁ ତ ମନକଥାଟା କହିଲେ, ଏଥିରେ ଅନ୍ୟାୟ କଣ ହେଇଗଲା ?”

 

“ଆପଣ ଯେ ମତେ ବୁଝିପାରିଚନ୍ତି, ଏଇଟା ମୋର ବଡ଼ ଭାଗ୍ୟ ।”

 

“ଏଥିରେ ନବୁଝିବାର କଣ ଥିଲା ଯେ ?

 

“ଯାହା ହେଉ ମୁଁ ନିଶ୍ଚିନ୍ତ ହେଲି । ଆଚ୍ଛା, ମୁଁ ଆଜି ଯାଉଚି ତାହେଲେ ।”

 

ଏତେବେଳଯାଏ ଅଜା ଚୁପ୍ ହୋଇ ବସିଥିଲେ । ହଠାତ୍ ବ୍ୟସ୍ତ ଭାବରେ ବିଛଣା ଉପରୁ ଓହ୍ଲାଇ ପଡ଼ି କହିଥିଲେ, “ସେକଥା କେମିତି ହେବ ।”

 

ଆଶ୍ଚର୍ଯ୍ୟ ହୋଇ ମନୁର ନନା ଅଜାଙ୍କୁ ଚାହିଁଥିଲେ । ପଚାରିଥିଲେ, “ଆଉ କଣ କିଛି କହୁଚନ୍ତି ?”

 

“ନିଶ୍ଚୟ ।”

 

“କଣ ?”

 

“ଝିଅର ସମ୍ୱନ୍ଧ କରିବାକୁ ଆସିଚନ୍ତି ତ ?”

 

“ଆଜ୍ଞା ହଁ ।”

 

“ଝିଅର ବାପ କଣ ଜାଣନ୍ତି ।”

 

“କଣ ?”

 

“ଫାଶୀ ଆସାମୀ ।”

 

ଅଜାଙ୍କର କହିବା ଭଙ୍ଗି ଦେଖି ସମସ୍ତେ ହସି ପକେଇଥିଲେ । ମନୁର ନନା ସକୌତୁକରେ କହିଥିଲେ, “ନିଶ୍ଚୟ ଫାଶୀ ଆସାମୀ । ବର୍ତ୍ତମାନ କଣ ଦଣ୍ଡ ଦେବେ ଦିଅନ୍ତୁ ।”

 

“କିଛି ନାଇଁ ଟିକିଏ ଚା’ ।”

 

“ଏଇ ଦଣ୍ଡ ! ହଉ, ମୁଁ ମୁଣ୍ଡ ପତେଇ ଦେଉଚି । ଚା’ ଜଳଖିଆ ଏଣିକି ଯାହା ଦେବାର ଖୁସି ଦିଅନ୍ତୁ ।”

 

ଚା’ ଜଳଖିଆ ଖାଇ କିଛି ସମୟ ପରେ ମନୁର ନନା ଚାଲି ଯାଇଥିଲେ । ବୋଉ ଆଉ ଆଈ ଖାଇବା ପାଇଁ ରୋଷେଇ ଘରକୁ ଯାଇଥିଲେ । ଆଉ ମନୁର ନନାଙ୍କୁ ଦାଣ୍ଡ ଦ୍ଵାର–ପର୍ଯ୍ୟନ୍ତ ବଳେଇ ଦେଇ ଅଜା ଆଉ ମୁଁ ତାଙ୍କ ଘରକୁ ଫେରି ଆସିଥିଲୁ ।

 

ଅଜା ହଠାତ୍ କହିଥିଲେ, “ଆରେ ବାଃ ରେ ନାତି ।”

 

ଚମକି ପଡ଼ି କହିଥିଲି, “କଣ କହୁଛ ?”

 

ପ୍ରସନ୍ନ କୌତୁକର ଛଟା ଦୁଇ ଓଠ ମଧ୍ୟରେ ଖେଳେଇ ଅଜା କହିଥିଲେ, “ଦଶ ବର୍ଷର ଧାଁ ଧପଡ଼ ଏତେ ଦିନକେ ତାହାଲେ ସାର୍ଥକ ହେଲା ।”

 

“ମାନେ ?”

 

“ଦେଖିଲି ଖଣ୍ଡେ ତତେ ।”

 

“କଣ ଦେଖିଲ ?”

 

“ପକ୍‍କା ଶିକାରୀ ଖଣ୍ଡେ ଅଛୁ ।”

 

କଣ ଗୁଡ଼ାଏ କହୁଚ ?”

 

“କଣ କହୁଚି ବୁଝି ପାରୁନୁ ?”

 

“ନାଇଁ ତ ।”

 

“ମନତ ଠାବ ପାଉନି, ବୁଝିବୁ କଣ !” ସସ୍ନେହରେ ମୋ କାନ୍ଧରେ ଦୁଇ ହାତ ରଖି ଅଜା କହିଥିଲେ, “ମୂଳରୁ ସବୁ କଥା ମନେପକା । ଦଶବର୍ଷ ପୂର୍ବେ ସ୍କୁଲରେ ନାଆ ଲେଖେଇ ମନୁଙ୍କ ଘରକୁ ଗଲୁ । ତା ପରଠାରୁ ଶୀତ ନାହିଁ, ଖରା ନାହିଁ, ବର୍ଷା ନାହିଁ ପ୍ରତିଦିନ ତାଙ୍କ ଘରକୁ ଯିବା ଦରକାର । ଆମେମାନେ ଭାବୁଥିଲୁ ସାଙ୍ଗ ସୁଖ ଯୋଗୁ ଧାଇଁଚି । ଆରେ ବାବା, ଶେଷକୁ ଦେଖୁ ଦେଖୁ ମୁଣିଭିତରୁ ସାଙ୍ଗର ଭଉଣୀଟା ବି ବାହାରି ପଡ଼ିଲା । ସେ ଭଉଣୀଟା ସେତେବେଳେ କେତେ ହେବ । ହେଇ ହେଇ ଚାରିବର୍ଷ, ଏକାବେଳେ କଢ଼ଟିଏ । କଢ଼ ମୁଡ଼କେଇ ଫୁଲ ଫୁଟିଲା । ସେଇ ଫୁଲ ବାସନାରେ ଯେ ଆମର ନାତି ପ୍ରଜାପତି ଚଙ୍ଗ ଚଙ୍ଗ ହୋଇ ଧାଇଁଥିଲେ ସେ କଥା କିଏ ଜାଣେ ! ଗୋଟାଏ ନୁହଁ ଦୁଇଟା ନୁହଁ, ଏକାବେଳେ ଦଶବର୍ଷ ଧରି ଏକ ନିଷ୍ଠା ତପସ୍ୟା ପରେ ଶ୍ରୀମାନ୍ ନରସିଂହ, ସବର୍ଣ୍ଣ ଗୋତ୍ର, କୁଳୀନ ବ୍ରାହ୍ମଣ–ଶେଷକୁ ଆଜି ବର ଲାଭ କଲେ ।”

 

କହୁ କହୁ ଅଜା ଖୁସିରେ ଯେମିତି ଫାଟି ପଡ଼ିଲେ । ସେ ହସ ଏବଂ ହସର କାରଣ ବରଦାସ୍ତ କରି ପାରି ନ ଥିଲି । ଲାଜରେ ମୁହଁ ମୋର ଲାଲ ପଡ଼ିଯାଇଥିଲା । କେତେବେଳେ ଅଜାଙ୍କ ପାଖରୁ ପଳେଇ ଆସିଥିଲି, ମନେ ନାହିଁ ।

 

ସତର

 

ଆଉ ଗୋଟାଏ କଥା ମନେପଡ଼ୁଚି, ମନୁର ନନା ସେଇ ଯେଉଁ ଆମ ଘରକୁ ଆସିଥିଲେ ତା ପରଠାରୁ ତାଙ୍କ ଘରକୁ ଯିବା ଏକ ପ୍ରକାର ଛାଡ଼ି ଦେଇଥିଲି । ମତେ ଭାରି ଲାଜ ଲାଗୁଥିଲା ।

 

କିନ୍ତୁ ନ ଯାଇ କଣ ନିସ୍ତାର ଅଛି । ମନୁ ଆସି ମତେ ଦିନେ ଜୋର କରି ଟାଣି ନେଇଯାଏ । ନିରୋଳା କେଉଁଠି ଦେଖା ହେଲେ ମାନସୀ କହେ, ଆଜିକାଲି ଆସୁନ କାହିଁକି ?”

 

କହେ, “କାହିଁକି ଆସୁନି, ବୁଝିପାରୁନ ?”

 

ଦରବୁଜା ଆଖିରେ ହସର ଫେଣଗୁଡ଼ାଏ ବୋଳି ଓଠଟାକୁ ଉପରକୁ କରି ମାନସୀ ମୋଆଡ଼େ ଚାହେଁ । ମୁଣ୍ଡଟାକୁ ଟିକିଏ ହଲେଇ କହେ, “ନାଇଁ ତ ।”

 

“ଲାଜ ଲାଗିବନି ?”

 

“ଲାଗୁ ମ ତମେ ନ ଆସିଲେ ମତେ ମୋଟେ ଭଲ ଲାଗୁନି । ତମେ ସବୁଦିନେ ଆସିବ-। ନିଶ୍ଚୟ ଆସିବ । କଣ କହୁଚ–ଆସିବଟି ?” ମାନସୀ ଜିଦ୍ ଧରେ ।

 

ମୁହଁ ତଳକୁ କରି ଖୁବ୍ ଆସ୍ତେ କହେ, “ସମସ୍ତେ କଣ ଭାବିବେ !” “କିଛି ଭାବିବେନି, ଆଉ ଯଦି ଭାବିବେ, ଭାବନ୍ତୁ । ତମେ ପୁଅ ପିଲା, ତମର ଏତେ ଲାଜ କାହିଁକି ! ତମେ ସବୁଦିନେ ଆସିବ ।”

 

“ଦେଖିବି ।”

 

“ଦେଖିବି ନୁହେଁ; କହ ଆସିବ ।”

 

“ଆସିବି ।”

 

କହିଦେଇ ଆସେ ସତ କିନ୍ତୁ ତାପରଦିନ ପ୍ରତିଶ୍ରୁତିଟାର କଥା ମନେ ପଡ଼ିଲେ ଭିତରେ ଭିତରେ କେମିତି ସଂକୁଚିତ ହେଇପଡ଼େ । ହଜାର ଇଚ୍ଛାଥିଲେ ବି ମନୁଙ୍କ ଘରଆଡ଼େ ଗୋଡ଼ ବଢ଼ାଇ ପାରେନି, ଆଉ ପାଦେ ଆଗେଇଲେ ବି ତିନିପାଦ ପଛକୁ ଫେରି ଆସୁଥିଲି ।

 

ମନୁ ଆସି ଯଦି ଟାଣି ଓଟାରି ନେଇଯାଏ ତ ଭଲ । ନ ହେଲେ ଦିନସାରା ଘର ଭିତରେ ଅସ୍ଥିର ଭାବରେ ବୁଲିବାରେ ଲାଗିଥାଏ । ଅଜା ଥଟ୍ଟା ରହସ୍ୟରେ ମତେ ନାକେଦମ୍ କରିଦିଅନ୍ତି । କହନ୍ତି, “କିରେ ନରି, ଏମିତି ଛଟପଟ ହେଉଚୁ କାହିଁକି, ଗୋଡ଼ ବଢ଼େଇ ଦେଲେ ତ ଶ୍ରୀମତୀଙ୍କ କୁଞ୍ଜରେ ପହଞ୍ଚିଯିବୁ । ଯା–ଚାଲିଯା, ଗୋଟାଏ ଡିଆଁରେ ସେଠିଯାଇ ହାଜର ହେଇ ଯା-। ପ୍ରାଣଟିକିଏ ଥଣ୍ଡା ପଡ଼ିଯିବ ।”

 

ଯାହାହେଉ ପରୀକ୍ଷା ଫଳ ବାହାରିବାର ତିନି ସପ୍ତାହ ହେଇଗଲାଣି । କଲେଜରେ ନାଆଁ ଲେଖେଇବା ବିଷୟରେ ଆଉ ଡେରି କରିବା ଉଚିତ୍ ନୁହେଁ । ତେଣୁ ସେ ବ୍ୟବସ୍ଥା ବି ହେଇଥିଲା । ଦିନେ ଦୁଇଦିନ ପରେ ତୁଣ୍ଡୁଳି ଟାଉନ କଲେଜରେ ନାଆଁ ଲେଖେଇବାକୁ ଚାଲିଯାଇଥିଲି ।

 

ମନେ ପଡ଼ୁଚି, ଯିବାର ପୂର୍ବଦିନ ମାନସୀ ସଙ୍ଗେ ଦେଖା କରିବାକୁ ଯାଇଥିଲି । ମନୁ ଆସି ଟାଣି ଟାଣି ନେଇଯିବ ସେ ଆଶାରେ ସେଦିନ ଆଉ ଅପେକ୍ଷା କରି ରହି ନ ଥିଲି । ନିଜ ଆଡ଼ୁ ଚାଲି ଯାଇଥିଲି ।

 

ମନୁର ନନା କହିଥିଲେ, “ସହରର କୌଣସି ବଡ଼ ଧରଣର କଲେଜକୁ ନ ଯାଇ ଶେଷକୁ ତୁଣ୍ଡୁଳି ଟାଉନ କଲେଜକୁ ଗଲ ? ଏତେ ଭଲ ଫଳ ପାଇଥିଲ, ଯେ କୌଣସି ବଡ଼ କଲେଜ ଆଦରି ନେଇଥାଆନ୍ତା ।”

 

କହିଥିଲି, “ସେ ସବୁ କଲେଜରେ ଅନେକ ଖର୍ଚ୍ଚ, ଟାଉନ କଲେଜରେ ଅନେକ ସୁବିଧା ମିଳିବ । ଖାଇବା, ରହିବା, ଦରମା ସବୁ ଛାଡ଼ ମିଳିବ, ତା ଛଡ଼ା ବୋଉର ଇଚ୍ଛା ମୁଁ ସେଇଠି ଯାଇ ପଢ଼ିବି । ବୋଉ କହିଚି, ମୁଁ ଯଦି ମନଦେଇ ପଢ଼ାପଢ଼ି କରେ ଯେ କୌଣସି କଲେଜରୁ ଭଲ ଫଳ ପାଇବି ।”

 

ମନୁର ନନା ଏଥର ସାମାନ୍ୟ ବ୍ୟସ୍ତ ହେଇ ପଡ଼ି କହିଥିଲେ, “ସେଇଟା ତ ସତ କଥା । ତମର ବୋଉ ଯେତେବେଳେ କହିଚନ୍ତି । ତା ଉପରେ ତ ଆଉ କଥା ନାହିଁ ।”

 

ସମସ୍ତଙ୍କ ଅଗୋଚରରେ ବଗିଚାର ସେଇ ଝାଉଁ ବଣ ଭିତରକୁ ଡାକି ନେଇ ମାନସୀ ମତେ କହୁଥିଲା, “ତମେ ଏତେ ଦୂରକୁ ଚାଲିଯିବ, ମତେ ଭାରି ଖରାପ ଲାଗୁଚି ।” ତାର କଣ୍ଠସ୍ୱର ଭାରି ଆଉ କମ୍ପିତ । ଆଖିଦୁଇଟା ଛଳ ଛଳ ହୋଇ ଉଠିଥିଲା । ଓଠ ଦୁଇଟା ଥରି ଉଠୁଥାଏ ।

 

ମୁଁ ବୁଝେଇବାକୁ ଚେଷ୍ଟା କରିଥିଲି, “ଏତେ ଦୂର ଆଉ କଣ ! ଟ୍ରେନରେ ତ ମୋଟେ ଦୁଇ ଘଣ୍ଟାର ବାଟ ।”

 

ମାନସୀ ବୁଝିଲାନି । ଅବୁଝା ଅବୋଧ ବାଳିକା ଭଳି ଜୋରରେ ମୁଣ୍ଡ ହଲେଇ କହିଥିଲା, “ମତେ ଭାରି କାନ୍ଦମାଡ଼ୁଛି” କହୁ କହୁ ସତରେ ସେ କାନ୍ଦି ପକେଇଥିଲା । ସ୍ୱର୍ଣ୍ଣାଭ ପାଖୁଡ଼ା ଭଳି ଆଖିର ଦୀର୍ଘ ପତା ଦୁଇଟି ଓଦା ହୋଇଯାଇଥିଲା । ଆଉ ଗାଲ ଉପର ଦେଇ ପ୍ରଥମେ ଟୋପା ଟୋପା, ଶେଷରେ ଧାର ଲମ୍ବି ଯାଇଥିଲା ।

 

ସେ ଦିନ ମୁଁ ଅନଭିଜ୍ଞ ପ୍ରଣୟୀ, ତେଣୁ ବିହ୍ଵଳ ହୋଇ ପଡ଼ିଥିଲି । ପ୍ରଥମେ କଣ କରିବି, କେମିତି ମାନସୀର ଏ କାନ୍ଦ ବନ୍ଦ କରିବି, ମୋଟେ ଭାବି ପାରୁ ନଥିଲି । ବକ୍ଷ ଭିତରେ ଗୋଟାଏ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ହୃତ୍‍ପିଣ୍ଡରେ ରକ୍ତର କଲ୍ଲୋଳ ଅଶ୍ରାନ୍ତ ହୋଇ ଉଠିଥିଲା । ଆତ୍ମ ବିସ୍ତୃତ ଗୋଟିଏ ଖିଆଲ ଭିତରେ ମାନସୀକୁ ଛାତି ପାଖକୁ ଟାଣି ଆଣି ତାର ରକ୍ତାଭ ଓଠରେ ନିଜର ଉତ୍ତପ୍ତ ତୃଷାର୍ତ୍ତ ଓଠ ଚାପି ଧରିଥିଲି । ସଜ୍ଞାନରେ ନୁହେଁ, ଯେମିତି ନିଶାନ୍ତର ଗୋଟାଏ ଆଚ୍ଛନ୍ନତା ମଧ୍ୟରେ ମୁଁ ଏ ସବୁ କରିଯାଉଥିଲି । ଚେତନାଟା କଣ ଗୋଟାଏ ଅତଳ ଗର୍ଭରେ ଧିରେ ଧିରେ ବୁଡ଼ି ଯାଉଥିଲା । ଆଉ ସେଇ ନିମଜ୍ଜିତ ଅସ୍ତିତ୍ଵ ମଧ୍ୟରେ ବୁଝିପାରି ଥିଲି, ମାନସୀର ମୁହଁରୁ ନିଆଁ ଭଳି ଗୋଟାଏ ସ୍ଵାଦ ମୋର ପ୍ରତିଟି ରକ୍ତକଣାରେ ସଞ୍ଚରିତ ହୋଇଯାଉଚି ।

 

ମାନସୀକୁ ସେଇ ମୋର ପ୍ରଥମ ପ୍ରଣୟର ସ୍ପର୍ଶ । ପ୍ରଥମ ସ୍ପର୍ଶର ଆନନ୍ଦ ଏବଂ ସ୍ଵାଦ ମାନସୀର ସତ୍ତା ଭିତରେ ବି ବୋଧହୁଏ ଖେଳେଇ ହୋଇ ଯାଇଥିଲା । ଆଖି ଦୁଇଟା ତାର ଅର୍ଦ୍ଧ ମୁଦ୍ରିତ ସ୍ଥିର । ହାତ ଗୋଡ଼–ଶରୀରର ପ୍ରତ୍ୟଙ୍ଗଗୁଡ଼ାକ ବିଚିତ୍ର ଆବେଗରେ ସ୍ଖଳିତ । ମୋର ବକ୍ଷ ଉପରେ ମାନସୀ ଥରୁଥିଲା, ତାର ହୃତ୍‍ପିଣ୍ଡର ଦ୍ରୁତ ଉତଥାନ ପତନ ଅନୁଭବ କରି ପାରୁଥିଲା ।

 

ଚଢ଼େଇମାନଙ୍କର କିଚିରି ମିଚିରିରେ ଆମ ଦୁହିଙ୍କର ସେ ଆଛନ୍ନ ଭାବର କେତେକାଂଶ କଟି ଯାଇଥିଲା । ମନେଅଛି, ସେଇଟା ଅପରାହଣ ଆଉ ସନ୍ଧ୍ୟାର ଗୋଟିଏ ମଧ୍ୟବର୍ତ୍ତୀ ସମୟ । ଝାଉଁ ବଣ ରେ ଲମ୍ବା ଲମ୍ବା ପାଦ ପକେଇ ଛାୟା ଦେଖା ଦେଇଥିଲା । ଟିକିଏ ପରେ ସନ୍ଧ୍ୟା ହେଇଯିବ–ଛାଇଟା ଯେମିତି ତାରି ମଡ଼ାଣ ଦେଇ ଯାଉଥିଲା ।

 

ଆଉ ଦେଶସାରା ଦିନ ଯାକର କ୍ଳାନ୍ତି ବୋଲି ହୋଇ ପକ୍ଷୀମାନେ ମାନସୀଙ୍କ ବଗିଚା ଆଉ ଝାଉଁ ବଣକୁ ସେତେବେଳକୁ ଫେରିଆସିବା ଆରମ୍ଭ କରି ଦେଲେଣି । ସେମାନଙ୍କର ଅବିଶ୍ରାନ୍ତ କିଚିରି ମିଚିରି ଆଉ ଡେଣାର ଶବ୍ଦରେ ଆତ୍ମ ବିଲୁପ୍ତ ବିହ୍ଵଳତାର ଜଗତରୁ ମାନସୀ ଆଉ ମୋର ଚେତନା ଧୀରେ ଧୀରେ ପୁଣି ଫେରିଆସିଥିଲା । ମାନସୀକୁ ଛାଡ଼ିଦେଇ ମୁଁ ପାଖେଇ ଯାଇଥିଲି ।

 

ତାପରେ ଅନେକ ସମୟ ଯାଏ ଦୁହେଁ କୌଣସି କଥାବାର୍ତ୍ତା କରି ପାରି ନ ଥିଲୁ । ଏମିତି କି କେହି କାହାଆଡ଼େ ଚାହିଁ ପାରୁ ନ ଥିଲୁ । କେବଳ ଗୋଟାଏ ଦୂରନ୍ତର କ୍ରୋଚ୍ଛ୍ୱାସ ଲାଗ ଲାଗ ଆମର ମୁହଁର ରଙ୍ଗ ବଦେଳେଇ ଦେଉଥିଲା ।

 

ଅନେକ ସମୟ ପରେ ମାନସୀ ପ୍ରଥମେ ମୋ ଆଡେ଼ ଚାହିଁଥିଲା, ମାତ୍ର ପରିପୂର୍ଣ୍ଣ ସ୍ଵଚ୍ଛନ୍ଦ ଦୃଷ୍ଟିରେ ନୁହେ, ଆରକ୍ତ ମୁହଁରେ ଅର୍ଦ୍ଧ ମୁଦ୍ରିତ ସଲଜ୍ଜ ଚାହାଣୀ ସେଇଟା । ଚାହିଁ ଦେଇ ଆଖି ତଳକୁ କରି ଦେଇଥିଲା, ଆଉ ଲୁଗା କାନିଟା ମୁହଁ ଉପରେ ଚାପି ଧରିଥିଲା । ଆକୁଣ୍ଠହାସିନୀ ସାବଲୀଳା ଝିଅଟା ସେତେବେଳେ ଆଶ୍ଚର୍ଯ୍ୟ କ୍ରୀଡ଼ାମୟୀ । ଜୀବନରେ ଝିଅମାନେ ଥରେ, ମାତ୍ର ଥରୁଟିଏ ବୋଧହୁଏ ଏମିତି ହସିପାରନ୍ତି ।

 

ଯାହାହେଉ, ଆଚ୍ଛନ୍ନତା ସେଦିନ ପୂରାପୂରି କାଟି ନ ଥିଲା । ତଥାପି ତା’ର ଭିତରେ କେତେବେଳେ ମାନସୀ କହି ଉଠିଥିଲା, “କଲେଜରେ ପଢ଼ିବାକୁ ତ ଚାଲି ଯାଉଚ । କିନ୍ତୁ ପ୍ରତି ଦୁଇ ଦିନରେ ମୋ ପାଖକୁ ଚିଠି ଦେବ ।”

 

“ପ୍ରତି ଦୁଇ ଦିନରେ ।”

 

“ହଁ ! କହ, ଲେଖିବ ?”

 

କହିବାକୁ ହେଇଥିଲା, “ଲେଖିବି ।”

 

“ଆଉ–”

 

“କଣ”

 

“ଶନିବାର ଦିନ କ୍ଲାସ ସାରି ସିଧା ଦଳେଇଘାଟ ଚାଲି ଆସିବ, ଷ୍ଟେସନରୁ–” ଏତିକି କହି ମାନସୀ ହଠାତ୍ ରହିଯାଇଥିଲା ।

 

ମୁଁ ଆଗ୍ରହରେ ପଚାରିଥିଲି, “କଣ ?”

 

“ଷ୍ଟେସନରୁ ସିଧା ଆମ ଘରକୁ ଚାଲି ଆସିବ । ମୋ ସଙ୍ଗେ ଦେଖାକଲା ପରେ ତମ ଘରକୁ ଯିବ ।”

 

“ସେ କଥା କେମିତି ହେବ ?”

 

“କାହିଁକି ହେବନି ?”

 

“ମୋ ବୋଉ ରାଗିବନି ?”

 

“ନାଇଁ ରାଗିବେନି । ମୁଁ କହୁଚି, ସେ ମୋଟେ ରାଗିବେନି । ତମେ ଆସିବ । ପ୍ରଥମେ ଆସି ମୋ ସାଙ୍ଗେ ଦେଖା କରିବ ଯେମିତି ଆସିବ, ନିଶ୍ଚୟ ।” ମାନସୀ ମୁଣ୍ତ ହଲେଇବାର ଲାଗିଥାଏ । ସେଇ ପିଲାଦିନରୁ ଜାଣିଚି, ମୁଣ୍ତ ହଲେଇବାଟା ମାନସୀର ଜିଦିର ଲକ୍ଷଣ । ଏଭଳି ଭାବରେ ସବୁ କିଛି କାମ୍ୟ ସେ ଆଦାୟ କରି ନେଉଥିଲା ।

 

ମାନସୀ ପାଖରୁ, ମୁଁ ଘରକୁ ଫେରି ଆସିଥିଲି । ସେ ପର୍ଯ୍ୟନ୍ତ ବିଡ଼ି କି ସିଗାରେଟ ଖାଇ ନ ଥିଲି । ଏମିତି କି ପାନଖଣ୍ତେ ବି ନୁହେଁ । ଆଉ ମଦ ଖାଇବା ଦୂରେ ଥାଉ, କେମିତି ଜିନିଷ ବୋଲି ଆଖିରେ ଦେଖି ନ ଥିଲି । ତଥାପି ସେ ଦିନ ଘରକୁ ଫେରିଲା ବେଳେ ବାଟରେ ମନେ ହେଉଥିଲା, ଦେହ ମୁଣ୍ତ ପାଦ ସବୁ ମୋର ଯେମିତି ଟଳୁଚି । କୌଣସି ଉଗ୍ର ନିଶା ଜିନିଷ ଖାଇ ମୁଁ ଯେମିତି ମାତାଲ ହୋଇ ଯାଇଚି । ଜୀବନ ରହସ୍ୟର ପ୍ରଥମ ବିଚିତ୍ର ନିଶା । ନିଶା ଜିନିଷ କିଛି ନ ଖାଇ ମଧ୍ୟ ମାତାଲ ହୋଇଯାଇ ହୁଏ, ଆତଳ ଗଭୀରରେ ବୁଡ଼ିଯାଇ ହୁଏ ବୋଲି କିଏ ଜାଣିଥିଲା । ଜଗତରେ ତ ପୁଣି ଅନେକ ପ୍ରକାର ନିଶା ଅଛି ।

 

ସେଦିନ ସ୍ଵାଭାବିକ ଭାବରେ ଗୋଡ଼ ପକେଇ ପାରିନି । ସ୍ଖଳିତ ପାଦରେ ଟଳିଟଳି ଘରକୁ ଫେରି ଆସିଥିଲି । ସେଦିନ ମୋ ଚାରି ପାଖରେ କିଛି ସ୍ଥିର ନ ଥିଲା, ଆକାଶ, ପାତାଳ, ପୃଥିବୀ–ସେ ଦିନ ସବୁ ଅସ୍ଥିର, ଦୋଳାୟିତ । ବିଚିତ୍ର ତରଙ୍ଗରେ ତରଙ୍ଗାୟିତ ହେଉଥିଲା ।

 

ଅଠର

 

ମାନସୀଙ୍କ ଘରୁ ଯେଉଁଦିନ ବିଦାୟ ହୋଇ ଆସିଲି, ତାପର ଦିନ ତୁଣ୍ତୁଳି ଚାଲିଆସିଥିଲି-

 

କହିବାକୁ ଭୁଲି ଯାଇଚି, ମନୁ ବି ସେଇବର୍ଷ ମାଟ୍ରିକ ପାଶ୍‍ କରିଥିଲା । ଖୁବ୍ ଭଲ ଫଳ ଦେଖେଇ ପାରିଲାନି, କୌଣସି ପ୍ରକାର ସେକେଣ୍ଡ ଡିଭିଜନଟା ପାଇଥିଲା ।

 

ମନୁର ନନାଙ୍କର ଇଚ୍ଛାଥିଲା, ମନୁ ସହରର କୌଣସି ନାମଜାଦା କଲେଜରେ ଯାଇ ପଢ଼ୁ । କିନ୍ତୁ ମନୁ ଗଲାନି । ସିଧା ମୋ ସାଙ୍ଗେ ସେ ଟାଉନ୍ କଲେଜକୁ ଚାଲି ଆସିଥିଲା । ହଷ୍ଟେଲରେ ଗୋଟାଏ ବଖରାରେ ଦୁହେଁଯାକ ଖଟିଆ ପକେଇଥିଲୁ । ଦଶବର୍ଷ ଯାହା ସାଙ୍ଗେ ଚାଲିଚି–ବୁଲିଚି, ସହରର ପ୍ରଲୋଭନ ସତ୍ତ୍ୱେ ବି ତା ପାଖରୁ ସେ ନିଜକୁ ପାଖେଇ ନେବାକୁ ଚେଷ୍ଟା କରିନି । ମନୁ ପ୍ରକୃତରେ ପ୍ରାଣର ବନ୍ଧୁ, ବନ୍ଧୁତ୍ୱର ମର୍ଯ୍ୟାଦା ସେ ଦେଇଜାଣେ ।

 

ଯାହା ହେଉ କଲେଜକୁ ଆସିବା ପରଠାରୁ ପ୍ରତି ଦୁଇ ଦିନରେ ନିୟମିତ ଚିଠି ଦେଉଥିଲି । ସପ୍ତାହ ଶେଷରେ ଶନିବାର ଦିନ ସନ୍ଧ୍ୟାରେ ଦଳେଇଘାଟରେ ପହଞ୍ଚି ଷ୍ଟେସନରୁ ସିଧା ମାନସୀଙ୍କ ଘରକୁ ଚାଲିଯାଏ । ଦୋମହଲା ବାରଣ୍ଡାରେ ଉନ୍ମୁଖ ହୋଇ ମାନସୀ ମତେ ଅପେକ୍ଷା କରିଥାଏ । ଫାଟକ ପାଖରେ ମତେ ଦେଖିବା ମାତ୍ରେ ତାର ଆଖିରେ ମୁହଁରେ ଗୋଟାଏ ବିଚିତ୍ର ଦୀପ୍ତି ଖେଳେଇ ହୋଇପଡ଼େ । ସେ ଦୀପ୍ତିଟା ଯେମିତି ସ୍ପର୍ଶାତୀତ କିଛି ଗୋଟାଏ ଅଲୌକିକ । ପ୍ରାଣର ଅତଳ ଗଭୀରରୁ ଗୋଟାଏ ରୂପେଲି ମାଛଭଳି ସେଇଟା ଡେଇଁ ଡେଇଁ ବାହାରି ଆସେ ବୋଧହୁଏ ।

 

ଆଖି ଆଉ ମୁହଁର ସେଇ ଉଜ୍ଜ୍ୱଳ ଆଲୋକମୟ ହସରେ ପ୍ରତି ସପ୍ତାହରେ ମାନସୀ ମତେ ଫାଟକ ପାଖରୁ ପାଛୋଟି ନିଏ ।

 

ମନେଅଛି କଲେଜରୁ ଆସିବା ପରେ ତୁଣ୍ଡୁଳିରୁ ମୁଁ ପ୍ରଥମ ଚିଠି ଲେଖିଥିଲି । ଜୀବନରେ ମାନସୀକୁ ସେଇ ମୋର ପ୍ରଥମ ଚିଠି ।

 

ଲେଖିବାକୁ ଗଲାବେଳେ ବାରମ୍ବାର ମୋ ହାତଟା ଥରି ଉଠୁଥିଲା । ଅଦ୍ଭୂତ ଲଜ୍ଜାରେ ସମସ୍ତ ଅସ୍ତିତ୍ଵ ସଂକୁଚିତ ହୋଇଯାଇ ଥିଲା । ଅହେତୁକ ବିଚିତ୍ର ସ୍ଵାଦ ଗୋଟାଏ ଶିହରଣ କଣ ଯେମିତି ଆବେଗରେ ମତେ ଆଛନ୍ନ କରି ପକେଇଥିଲା ।

 

ମାନସୀକୁ ଜୀବନରେ ମୋର ସେଇ ପ୍ରଥମ ଚିଠି । କଣ ବୋଲି ସେ ଚିଠି ଆରମ୍ଭ କରିଥିଲି ସେ କଥା ଆଜି ଶତ ଚେଷ୍ଟାରେ ବି ମନେ କରିପାରୁନି । କିନ୍ତୁ ଶେଷରେ ନରି ନ ଲେଖି ଯେ ନରସିଂହ ବୋଲି ଲେଖିଥିଲି, ସେଇଟା ଏବେ ବି ମୋର ମନେଅଛି । ଅବଶ୍ୟ ‘ଭାଇନା’ ଶବ୍ଦଟା ଯୋଗ କରି ନ ଥିଲି ।

 

କୌଣସି ଝିଅକୁ ଜୀବନରେ ପ୍ରଥମ ଚିଠି ଲେଖାର ସ୍ଵାଦ ଉଗ୍ର ଉତ୍ତେଜକ ଭଳି, ସେଇ ନିଶାରେ କେତେଟା ଦିନ ବିଭୋର ହୋଇ ଯାଇଥିଲି ।

 

ଯାହାହେଉ ପ୍ରତି ଦୁଇ ଦିନରେ ମାନସୀକୁ ଚିଠି ଲେଖା ଆଉ ସପ୍ତାହ ଶେଷରେ ଦଳେଇଘାଟ ଫେରିବା–ଏଭଳି ମସୃଣ ନିୟମରେ ଦୁଇଟା ବର୍ଷ କଟିଯାଇଥିଲା ।

 

ଏହା ମଧ୍ୟରେ ଇଣ୍ଟର ମିଡ଼ିୟେଟର ଦିନେ ଫାଇନାଲ ହେଇ ଯାଇଥିଲା । ଫଳ ବି ବାହାରି ଯାଇଥିଲା । ମାଟ୍ରିକ୍ୟୁଲେଶନ ଭଳି ଏଥର ବି ମୁଁ ଜିଲା ବୃତ୍ତି ପାଇଥିଲି ।

 

ଊଣେଇଶ

 

ଇଣ୍ଟର ମିଡ଼ିୟେଟ ପରେ ବି.ଏସ୍ ସି. । ତୁଣ୍ଡୁଳି ଟାଉନର ସେଇ କଲେଜର ମୁଁ ତୃତୀୟ ବାର୍ଷିକ ଛାତ୍ର । ଜୀବନଟା ଗୋଟାଏ ସ୍ରୋତରେ ଗୋଟାଏ ଢେଉର ଉତଥାନ–ପତନରେ ବୋହି ଚାଲିଚି । ତାର ଧାରାବାହିକତାରେ କୌଣସି କ୍ରମଭଙ୍ଗ ନାହିଁ । ସେମିତି ପ୍ରତି ସପ୍ତାହରେ ଥରେ ଦଳେଇଘାଟକୁ ଫେରିବା, ସେମିତି ପ୍ରତି ଦୁଇଦିନରେ ମାନସୀକୁ ଚିଠି ଲେଖିବା ଲାଗିଥାଏ ।

 

ମନେପଡ଼ୁଚି ମନୁ ବି ଇଣ୍ଟର ମିଡ଼ିୟେଟ ପାଶକରି ସେଇ କଲେଜରେ ବି.ଏସ୍ ସି ପଢ଼ୁଥିଲା । ଏକାସାଙ୍ଗରେ ଆମେ ଥାଉ, ହଷ୍ଟେଲର ସେଇ ଘର ଖଣ୍ଡକରେ ଦୁହେଁ ଏକପ୍ରକାର ଚିରସ୍ଥାୟୀ ବନ୍ଦୋବସ୍ତ କରି ନେଇଥିଲୁ ।

 

ପ୍ରତି ସପ୍ତାହରେ ମୁଁ ଦଳେଇଘାଟ ଆସୁଥିଲି, ମନୁ କିନ୍ତୁ ଆସେନି, ସେ ସେଇ ଟାଉନରେ ରହିଯାଏ । ଫୁଟବଲ, ଡିବେଟିଙ୍ଗ୍, କଲେଜ ସୋଶିଆଲ ଶିଲ୍ଡ଼ ପ୍ରଭୃତି ଅନେକ କିଛି ପଛରେ ତାକୁ ଧାଇଁବାକୁ ପଡ଼ୁଥିବାରୁ ଦଳେଇଘାଟ ଆସିବା ତା ପକ୍ଷେ ଅସମ୍ଭବ ହୋଇ ପଡ଼ୁଥିଲା ।

 

ମୁଁ ପ୍ରତି ସପ୍ତାହରେ ମନୁକୁ ଦଳେଇଘାଟ ଯିବାପାଇଁ କହେ । ମନୁ ଗୋଟାଏ ଗୋଟାଏ ଆଳ ଦେଖାଇ ଆସିବାଟା ସ୍ଥଗିତ ରଖେ । କହେ, “ଏ ସପ୍ତାହରେ ସେକସପିଅରଙ୍କର ଗୋଟାଏ ନାଟକ ହେବାର ଅଛି । ସେଇଟାକୁ ଟିକିଏ ଦେଖାଶୁଣା କରିବାକୁ ପଡ଼ିବ । ଶିକ୍ଷା ବିଭାଗର ଜଣେ ଉଚ୍ଚ ଅଫିସରଙ୍କୁ ଆଣିବାକୁ ପଡ଼ିବ । ଏ ସପ୍ତାହରେ ଘରକୁ ଆଉ ଯାଇ ହେବନି । ଆସନ୍ତା ସପ୍ତାହରେ ନିଶ୍ଚୟ ଯିବି ।”

 

ମୁଁ ଯଦି କେବେ ଘରକୁ ଯିବା ବିଷୟରେ ରାଗ ହୁଏ, ମନୁ ହସି ଦିଏ ।

 

ପଚାରେ, “ହସୁଚୁ ଯେ ?

 

ମନୁ କହେ, “ପ୍ରତି ସପ୍ତାହରେ ଘରକୁ ଯିବା ମତେ ପୋଷେଇବନି ।”

 

“କାହିଁକି, ମୁଁ ଯାଉଚି ତ ?

 

“ତୁ’ତ ଯିବୁ ।”

 

“ମାନେ ?”

 

ମନୁ ଏଥର ଉଠି ଆସି ମୋ କାନ୍ଧ ଉପରେ ଗୋଟାଏ ହାତରଖି କହେ, ଆରେ ଭାଇ, ତୋର ଧ୍ୟାନ ଜ୍ଞାନ ସବୁ ତ ସେଇଠି ପଡ଼ିଚି । ମୁଁ ଯେମିତି ଭଉଣୀଟାକୁ ତୋ ହାତକୁ ଟେକି ଦେଇଚି, ସେମିତି କେହି ଯଦି ଗୋଟାଏ ଭଉଣୀ ମୋ ହାତକୁ ଟେକି ଦିଅନ୍ତା, ଦେଖନ୍ତୁ ସପ୍ତାହକୁ ଥରେ କଣ ଚାରିଥର ଦଳେଇଘାଟ ଧାଆଁନ୍ତି ।”

 

ଲାଜରେ ମୋର କାନମୂଳ ଲାଲ ପଡ଼ିଯାଏ । କହେ, “ବଜାରିଟାଏ ।”

 

ମନୁ ମୁହଁର ଗୋଟାଏ ହେଲେ ରେଖା ସ୍ଥାନଚ୍ୟୁତ ହୁଏନି । ଦୁଷ୍ଟାମୀର ହସଟା ସେମିତି ଲାଗି ରହିଥାଏ ଆଗ ଭଳି ଆଖିମିଟିକା ମାରି ମନୁ କହେ, “ବାହାହେଲେ ତୁ ପୋତାମୁହାଁ ପତ୍ନୀବ୍ରତ ଆଦର୍ଶ ସ୍ଵାମୀ ହୋଇପାରିବୁ । ମୋ ଭଉଣୀଟାର କପାଳ ଭଲ ।”

 

ମୋ କାନ ମୂଳର ରକ୍ତାଭା ଆହୁରି ବଢ଼ିଯାଏ । କାନ୍ଧ ଉପରୁ ମନୁର ହାତଟାକୁ ରାଗରେ କାଢ଼ଦିଏ ।

 

ଆମେମାନେ ତୁଣ୍ଡୁଳି ଟାଉନରେ ପଢ଼ୁଥାଉ । ଏପଟେ ମାନସୀ ମାଟ୍ରିକ ପାଶକରି ଦଳେଇଘାଟଠାରୁ ଦେଢ଼ମାଇଲ ଦୂରରେ ଥିବା ଗୋଟାଏ ଓମ୍ୟାନସ କଲେଜରେ ନାଆଁ ଲେଖାଇଥିଲା । ଇଣ୍ଟର ମିଡ଼ିୟେଟ ଆର୍ଟସ, ଫାଷ୍ଟଇୟର । ପ୍ରତିଦିନ ଘୋଡ଼ା ଗାଡ଼ିରେ ବସି ସେ କଲେଜକୁ ଯାଉଥିଲା ।

 

ମନେଅଛି ତୃତୀୟ ବର୍ଷର ମଝିରେ ସପ୍ତାହର ଶନିବାରଟା ଆଉ ରବିବାରର କିଛି ସମୟ ଦଳେଇ ଘାଟରେ କଟେଇ ଯଥାରୀତି ତୁଣ୍ଡୁଳି ଫେରି ଆସିବା ପାଇଁ ଷ୍ଟେସନକୁ ଆସିଥିଲି । ଆସିବାରେ ସାମାନ୍ୟ ଡେରି ହୋଇଯିବାରୁ ସେଦିନ ଟ୍ରେନଟା ଫେଲ୍ ହେଲି, ତାପରର ଟ୍ରେନଟା ରାତି ଏଗାରଟାରେ । ସେଇଟା ମୋର ଗନ୍ତବ୍ୟର ଶେଷ ଫେରନ୍ତି ଗାଡ଼ି ।

 

ଥରେ ଭାବିଥିଲି, ସନ୍ଧ୍ୟାରେ ଟ୍ରେନଟା ଯେତେବେଳେ ଧରି ହେଲାନି, ସେତେବେଳେ ଘରକୁ ଫେରିଯିବି । ତା ପରଦିନ ଯାଇ ପ୍ରଥମ ଦୁଇଟା କ୍ଲାସ କରି ହେବନି । ଅଥଚ ସେ ଦୁଇଟା କ୍ଲାସ ଅନର୍ସ ପାଇଁ ଖୁବ୍ ଜରୁରୀ କ୍ଲାସ, ନ ଗଲେ ଖୁବ୍ କ୍ଷତିଗ୍ରସ୍ତ ହେବାକୁ ପଡ଼ିବ । ତେଣୁ ଘରକୁ ନ ଫେରି ଶେଷ ଫେରନ୍ତି ଗାଡ଼ିଟା ଅପେକ୍ଷାରେ ଷ୍ଟେସନରେ ବସି ରହିଥିଲି ।

 

ଶେଷକୁ ଗାଡ଼ିଟା ଆସିବା ମାତ୍ରେ ଗୋଟାଏ ଡବାରେ ଉଠିପଡ଼ି ଥିଲି । ଦିନସାରା ଟ୍ରେନଗୁଡ଼ା ଏମିତି ଭିଡ଼ ନଥାଏ । କିନ୍ତୁ ରାତିର ଏଇ ଶେଷ ଫେରନ୍ତି ଟ୍ରେନଟାର ଗୋତ୍ର ଅଲଗା । ଭୋରରୁ ଯେଉଁମାନେ ମାଛ ପନିପରିବା ନେଇ ସହରକୁ ଯାଇଥାଆନ୍ତି, ସେମାନେ ଏଇ ଗାଡ଼ିରେ ଫେରନ୍ତି । ତେଣୁ ରାଶି ରାଶି ଖାଲି ଝୁଡ଼ି ଆଉ ମଣିଷ ଖୁନ୍ଦି ହୋଇ ଯାଇଥାଆନ୍ତି । ମଣିଷ ଆଉ ଜିନିଷ ପତ୍ରଆଡ଼େଇ କୌଣସି ପ୍ରକାର ଗୋଟାଏ, କୋଣରେ ବସିବା ପାଇଁ ଟିକିଏ ଜାଗା କରିପାରିଥିଲି ।

 

ସମୟଟା ଥିଲା ପଞ୍ଚମ ଋତୁର ଆରମ୍ଭ ଅର୍ଥାତ୍ ପୌଷମାସ । ବାହାରେ ଘନ କୁହୁଡ଼ିର ଆବରଣରେ ପୃଥିବୀଟା ନିଶ୍ଚଳ ହୋଇ ଯାଇଥିଲା, ଆଉ ଦୁର୍ଦ୍ଦମ ହିମାକ୍ତ ପବନ ଖେଳୁଥିଲା । ଉତ୍ତରରୁ ଦକ୍ଷିଣକୁ ସାଇଁ ସାଇଁ ଘୋଡ଼ାଦଉଡ଼େଇ ଯାଉଥିଲା ।

 

ଶୀତୁଆ ପବନର କୋଉଠି ଦାନ୍ତ ଥାଏ । ଦେହରେ ତାର ସ୍ପର୍ଶ ଲାଗିଲେ ମନେ ହେଉଥାଏ, କାମୁଡ଼ି ପକୋଉଚି ବୋଧହୁଏ । ତେଣୁ ଡବାର ସବୁଗୁଡ଼ାକ ଝରକା କ୍ରମଶଃ ରାତି ବଢ଼ିବା ସଙ୍ଗେ ସଙ୍ଗେ ଭିତରୁ ବନ୍ଦହୋଇ ଯାଇଥିଲା । ଦ୍ଵାର ପାଖରେ ଝୁଡ଼ିର ପାହାଡ଼ ଗଦାହୋଇ ଡବାଟାକୁ ଦୁର୍ଭେଦ୍ୟ କରିଦିଆ ଯାଇଥିଲା ।

 

ଏଭଳି ଝରକା କବାଟ ବନ୍ଦକରି ରଖିବା ପାସେଞ୍ଜର ଗାଡ଼ିର ନିୟମ ନୁହେଁ । ଦୁଇ ଚାରି ମିନିଟ ଧାଇଁ ଥିବ କି ନାଇଁ ଗୋଟାଏ ନାଇଁ ଗୋଟାଏ ଷ୍ଟେସନରେ ଠିଆହୋଇ ସଁ–ସଁ ହେଇ ଧକେଇବ । ପ୍ରତି ଷ୍ଟେସନରେ ତାର ରହିବା କଥା, କେତେଜଣ ଯାତ୍ରୀ ଓହ୍ଲାଇବେ–କେତେ ଜଣ ଚଢ଼ିବେ, ତାପରେ ସେ ପୁଣି ହଡ଼ା ଷଣ୍ଢଙ୍କ ଭଳି ଗର୍ରହ ତୋଳି ଧାଇଁବାରେ ଲାଗିବ ।

 

ଆମମାନଙ୍କର ସେଇ ଟ୍ରେନଟା ତୁଣ୍ଡୁଳି ଦେଇ ଅନେକ ଦୂର ତାଳଚେର ଯାଏ ଯିବ । ତାର ନିୟମ ଏକାବେଳେ ବିପରୀତ ଥିଲା । ସେତେବେଳକୁ ତାର ପ୍ରତିଟି ଡବାର ଦ୍ଵାର ବନ୍ଦ ହୋଇ ଯାଇଥିଲା । ସେଇଟା ଅବଶ୍ୟ ବିନା କାରଣରେ ନୁହେଁ । ପ୍ରଥମେ ତ ଶୀତୁଆ ପବନ ଥିଲା, ଦ୍ଵିତୀୟତଃ ଡବାଗୁଡ଼ିକ ମଣିଷ ଆଉ ମାଲପତ୍ରରେ ଭର୍ତ୍ତି ହୋଇ ଯାଇଥିଲା । ଆଉ କୌଣସି ମଣିଷ ତ ଦୂରର କଥା, ସୋରିଷଟାଏ ପକେଇବାକୁ ବି କୋଉଠି ଜାଗା ନ ଥିଲା । ତୃତୀୟତଃ ମୋ ଭଳି ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ପ୍ରାୟ ଦୂରର ଯାତ୍ରୀ । ଶେଷ ଗାଡ଼ି ଖଣ୍ଡକ କେବଳ ନିୟମ ରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଷ୍ଟେସନରେ ଟିକିଏ ଟିକିଏ ଧକେଇ ଯାଉଥାଏ । ମଝିରେ କୌଣସି ଯାତ୍ରୀ ଉଠିବାର ସମ୍ଭାବନା ଖୁବ୍ କମ୍ । ଚଢ଼ିବା–ଓହ୍ଲାଇବା ଗଣ୍ଡଗୋଳ ନାହିଁ; ତେଣୁ ଚାରିଦିଗ ବନ୍ଦକରି ଅନାୟାସରେ ଘୋଡ଼ିଘାଡ଼ି ହୋଇ କିଛି ସମୟ ଶୋଇ ହେବ ଏବଂ ସେଇଟା ହିଁ ସଙ୍ଗତ । ଆମର ଗାଡ଼ିଟା ବି ଧୀରେ ଧୀରେ ଗଭୀର ନିଦ୍ରାରେ ନିମଜ୍ଜିତ ହୋଇ ଯାଉଥିଲା ।

 

ମନେଅଛି, ସେଦିନର ଶେଷ ଫେରନ୍ତି ଗାଡ଼ିଟା ନିର୍ବିଘ୍ନରେ ଦୁଇଟା ଷ୍ଟେସନ ପାର ହୋଇ ଯାଇଥିଲା । ତୃତୀୟ ଷ୍ଟେସନର ପ୍ଲାଟଫର୍ମରେ ଲାଗିଚି କି ନାଇଁ ଗୋଟାଏ ବିଚିତ୍ର ଘଟଣା ଘଟି ଯାଇଥିଲା । ବନ୍ଦ ହୋଇଥିବା ଦ୍ଵାରଟା ଉପରେ କ୍ରମାଗତ ଧକ୍କା ଆରମ୍ଭ ହୋଇ ଯାଇଥିଲା । ତା ସଙ୍ଗେ ସଙ୍ଗେ ଗୋଟିଏ ଝିଅ ପିଲାର କଣ୍ଠସ୍ଵର ଶୁଣା ଯାଉଥିଲା, “ଦ୍ଵାର ଖୋଲନ୍ତୁ–ଦ୍ଵାର ଖୋଲନ୍ତୁ ଟିକିଏ ଚଞ୍ଚଳ ଖୋଲନ୍ତୁ, ବର୍ତ୍ତମାନ ଗାଡ଼ି ଛାଡ଼ିଦେବ ।”

 

ବସୁ ବସୁ ଗାଡ଼ିର ଦୋହଲାରେ କେତେବେଳେ ଟିକିଏ ଢୁଳେଇ ପଡ଼ିଥିଲି । ଝିଅଟିର ଡକାଡ଼କିରେ ମୋର ସେ ଢୁଳେଇବା ଛାଡ଼ି ଯାଇଥିଲା । ମନେ ହେଉଥିଲା, ଭୟାର୍ତ୍ତ, ଉତ୍ତେଜନାରେ, କିମ୍ବା ବାହାରର ଶୀତରେ ପ୍ଲାଟଫର୍ମର ସେ ସ୍ଵରଟା ଅସ୍ଵାଭାବିକ ଭାବରେ ଥରୁଚି ।

 

ଦ୍ଵାର ପାଖରେ ଯେଉଁ ପାହାଡ଼ ପ୍ରମାଣର ଝଡ଼ି ଗାଣ୍ଡୁଆ ରହିଚି, ତାର ଗୋଟାଏ ପାଖକୁ ଜଣେ ମଧ୍ୟ ବୟସ୍କ ଚଷା ଶ୍ରେଣୀର ଲୋକ ମୋଟା ଚଦର ଖଣ୍ଡେ ଘୋଡ଼େଇ ହୋଇ ନିଦରେ ଘୁଙ୍ଗୁଡ଼ି ମାରୁଥାଏ । କେବଳ କଣ ସେଇ ଜଣକ, ଡବାଟାରେ ଯେତେ ଲୋକ ବସିଥିଲେ, ସମସ୍ତେ ଗାଢ଼ ନିଦରେ ଅଚେତନ । ଗୋଟାଏ ଝିଅର ଦୁର୍ବଳ ହାତର ଧକ୍କା ଆଉ ତତୋଧିକ ଦୁର୍ବଳ କଣ୍ଠର ଡକାଡ଼କି ଶୀତୁଆ ରାତିର ଗଭୀର ନିଦଗୁଡ଼ାକୁ ତଡ଼ିବା ପାଇଁ ଆଦୌ ଯଥେଷ୍ଟ ନୁହେଁ ।

 

ପ୍ଲାଟଫର୍ମରୁ ଅବିରାମ ଭାବରେ ଝିଅଟିର ପାଟି ଶୁଣା ଯାଉଥିଲା, “କି ଆଶ୍ଚର୍ଯ୍ୟ, ଖୋଲନ୍ତୁ–ଖୋଲନ୍ତୁ । ଆଉ ଡେରି କଲେ–କି ଆଶ୍ଚର୍ଯ୍ୟ ! ଏ ଗାଡ଼ିରେ ଯାଇ ନ ପାରିଲେ, ଦୟାକରି ଖୋଲନ୍ତୁ ।”

 

ମୋର ଢୁଳେଇବା ସେତେବେଳକୁ ପୂରାପୂରି ଛାଡ଼ି ଯାଇଥାଏ । ଝିଅଟିର କଣ୍ଠସ୍ୱରର ଉତଥାନ–ପତନ ମୋ ବକ୍ଷ ଭିତରେ ପଶି କେମିତି ଟାଣି ପକୋଉଥିଲା । କଣ୍ଠସ୍ୱରଟା ତାର ସେତେବେଳକୁ ଭୟ ଆଉ ଉତ୍ତେଜନାର ଶୀର୍ଷ ବିନ୍ଦୁରେ ପହଞ୍ଚି ଯାଇଥିଲା ।

 

ପ୍ରଥମେ କଣ କରିବି, କିଛି ଠିକ୍ କରିପାରି ନ ଥିଲି । ଦିଗହରାଙ୍କ ଭଳି ଏପଟ ସେପଟ ଚାହୁଁଥିଲି । କୌଣସିଆଡ଼େ କାହାରି ଯେତେବେଳେ ନିଦ ଭାଙ୍ଗିବାର ଆଭାସ ପାଇଲିନି, ସେତେବେଳେ ମୁଁ ଗୋଟାଏ ଡିଆଁରେ ଉଠି ପଡ଼ିଥିଲି । ଦ୍ଵାର ପାଖକୁ ଯାଇ ଶୋଇଥିବା ସେ ଲୋକଟାକୁ ଟାଣି ଦେଇ କୌଣସି ପ୍ରକାରେ ଝୁଡ଼ି ଆଉ ଗାଣ୍ଡୁଆଗୁଡ଼ାକ ପାଖେଇ ଦ୍ୱାରଟା ଖୋଲି ଦେଇଥିଲି ।

 

ଟଣା ଓଟରାରେ ହଠାତ୍ ନିଦ ଭାଙ୍ଗି ଯିବାରୁ ଭୟ ପାଇ ଲୋକଟା ଚିତ୍କାର କରି ଉଠିଥିଲା, “କଣ ହେଲା ? କଣ ହେଲା ?”

 

ତାର ଚିତ୍କାର ଶୁଣି ମୁହୂର୍ତ୍ତକ ମଧ୍ୟରେ ଡବାଟାସାରା ଲୋକ ସଜାଗ ହୋଇ ଉଠିଥିଲେ । ଚଦର, କମ୍ବଳ, ଅଖା ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଝୁଡ଼ି ଗାଣ୍ଡୁଆର ଗଦା ଭିତରେ ଯିଏ ଯେଉଁଠି ଶୋଇଥିଲେ ସମସ୍ତେ ଧଡ଼ପଡ଼ ହୋଇ ଉଠି ବସିଚନ୍ତି । ନିଦ ମିଶା ଭୀତ ଗଳାରେ ସମସ୍ୱରରେ କହି ଉଠିଥିଲେ, “ଏଁ, କଣ ହେଲା ?”

 

ଏ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇ ନ ଥିଲି ।

 

ଏଣେ ଗାଡ଼ିର ହୁଇସିଲ ସଙ୍ଗେ ସଙ୍ଗେ ଲୋକାଲ ଟ୍ରେନଟା ହୁଙ୍କାରି ଉଠିଥିଲା, ତାର ନିଶ୍ଚଳ ଦୀର୍ଘ ଦେହଟା ଚାଲିବାକୁ ଆରମ୍ଭ କରିଥିଲା । ଅବଶ୍ୟ ସେତେବେଳେ ଗତି ତାର ଖୁବ୍ ମନ୍ଥର ଥିଲା ।

 

ଆଉ ସେଇ ସମୟରେ ଗୋଟାଏ କୁଦାରେ ଝିଅଟି ଉପରକୁ ଉଠି ଆସିଥିଲା । ହାତ ବଢ଼େଇ ତାକୁ ସାହାଯ୍ୟ କରିବା କିଛି ଦରକାର ହେଇ ନ ଥିଲା । ଅବଶ୍ୟ ହାତ ବଢ଼େଇ ଦେବା କଥା ମୋର ଖିଆଲ ନ ଥିଲା ।

 

ଏତେ ଆନାୟାସରେ ଏବଂ ସ୍ଵଚ୍ଛନ୍ଦ ଭଙ୍ଗୀରେ ଝିଅଟି ଉଠିଥିଲା, ଯାହା ଦେଖି ମୋର ମନେ ହେଲା, ଏଭଳି ଚଳନ୍ତା ଗାଡ଼ିରେ ଉଠିବା ତାର ବହୁ ଦିନର ଅଭ୍ୟାସ ।

 

ଆଶ୍ଚର୍ଯ୍ୟ ହୋଇ ଦ୍ଵାର ପାଖରେ ଠିଆ ହୋଇଥିଲି । ଝିଅଟି ସେତେବେଳକୁ ଫୁଟ ବୋର୍ଡ଼ରେ ଠିଆ ହୋଇଥାଏ । ଆଉ ଗାଡ଼ି ପ୍ଲାଟଫର୍ମ ଛାଡ଼ି ଅନେକ ଦୂର ଆସି ସାରିଥିଲା, ଗତି ବେଗ ବି ତାର ବଢ଼ିଯାଇଛି ।

 

ଝିଅଟି ରୁକ୍ଷ ଗଳାରେ କହି ଉଠିଥିଲା । “ଦ୍ଵାର ଆଗୁଳି ଠିଆ ହେଇଚନ୍ତି ଯେ, କଣ ଭିତରକୁ ଯିବାକୁ ଦେବେନି ? ଟିକିଏ ଆଗରୁ ଯେଉଁ ଭୟ ବା ଉତ୍ତେଜନା ଦେଖା ଯାଉଥିଲା, ଏଥର କିନ୍ତୁ ତାର ସ୍ଵରରେ ସେସବୁର ଚିହ୍ନ ନ ଥିଲା । ଆଉ ଯେତେ ରୁକ୍ଷ ହେଲେ ମଧ୍ୟ ତାର ସ୍ୱର ଯେ ଖୁବ୍ ସୁନ୍ଦର, ସେଇଟା ଜାଣି ପାରୁଥିଲି ।

 

ଯାହାହେଉ ମୁଁ ଦ୍ଵାର ନିକଟରୁ ପାଖେଇ ଯାଇଥିଲି ।

 

ଝିଅଟି ଭିତରକୁ ଉଠି ଆସିଥିଲା । ଆଗ ଭଳି ରୁକ୍ଷ ସ୍ଵରରେ, କେବଳ ରୁକ୍ଷ ନୁହେଁ ତା ସଙ୍ଗେ ସଙ୍ଗେ ବିରକ୍ତି ମିଶେଇ କହିଥିଲା, “ଏଇଟା କଣ ଆପଣମାନଙ୍କର ରିଜର୍ଭ କରିଥିବା ଡବା ? ଗାଡ଼ି ଆସି ଲାଗିଲାବେଳୁ କବାଟ ଫିଟାଇବାକୁ ଡାକୁଚି ଯେ, ଫିଟାଇବାର ନାଆଁ ନାହିଁ । କାହିଁକି କବାଟ ବନ୍ଦ କରି ରଖିଥିଲେ ? ମୁଁ ରେଲୱେ ଅଥରିଟିଙ୍କ ପାଖେ ନାଲିସ କରିବି ।”

 

ବୁଝେଇବାକୁ ଚେଷ୍ଟା କରିଥିଲି, “ଦ୍ୱାରଟା ଖୋଲା ରଖିଲେ କଣ ହେବ କହନ୍ତୁ । ଦେଖୁଚନ୍ତି ତ, ଭିତରେ ଟିକିଏ ହେଲେ ଜାଗା ନାହିଁ ।”

 

ଧମକେଇଲା ଭଳି ଝିଅଟି କହିଥିଲା, “ଯଥେଷ୍ଟ ଜାଗା ଅଛି । ଏବେ ବି ତିରିଶ ଜଣ ଖୁବ୍ ଖୁସିରେ ବସିପାରିବେ ।”

 

ପ୍ରତିବାଦ ନିରର୍ଥକ । ଏ କଥାରେ ଉତ୍ତର ଦେବାକୁ ଗଲେ ତର୍କ ଲାଗିଯିବ । ଯୁକ୍ତିତର୍କ କରିବା ମୋର ସ୍ଵଭାବବିରୁଦ୍ଧ । ତେଣୁ ଚୁପ୍ ହୋଇଯିବାଟାକୁ ଭଲ ମନେ କରିଥିଲି ।

 

ବିରକ୍ତ ଗଳାରେ ଝିଅଟି ମନକୁମନ କହିବାରେ ଲାଗିଥାଏ, “ଏ ଗାଡ଼ିରେ ନ ଆସି ପାରିଥିଲେ ଏ ଶୀତ ରାତିରେ ଖୋଲା ଷ୍ଟେସନରେ ମତେ ରାତି କଟେଇବାକୁ ପଡ଼ିଥାଆନ୍ତା । ଦେଖୁଚି ଆଶ୍ଚର୍ଯ୍ୟ ଲୋକ ସମସ୍ତେ । ମଣିଷ ବଞ୍ଚିଲା କି ମଲା, ସେ ବିଷୟରେ କାହାରି ଟିକିଏ ହେଲେ ବିଚାର ନାହିଁ । କେବଳ ନିଜେ ଆରମରେ ଗଲେ ହେଲା ।” କହି ନିଜେ ଡବାର କବାଟ ବନ୍ଦ କରି ଦେଇଥିଲା ।

 

ଏତେ ସମୟ ଧରି ଝିଅଟିଆଡ଼େ ଚାହିଁ ଚାହିଁ ତାର କଥାଗୁଡ଼ାକ ଶୁଣି ଯାଉଥିଲି । ଶୁଣୁଥିଲି କିନ୍ତୁ ବିଶେଷ କିଛି ବୁଝିପାରୁ ନ ଥିଲି । ଆମର ଡବାଟା ବିରାଟ ଲମ୍ବା ଥିଲା । ଠିକ୍ ମଝିରେ ଖୁବ୍ କମ୍ ପାୱାରର ଗୋଟାଏ ନିସ୍ତେଜ ବଲ୍‍ବ ଜଳୁଥିଲା । ସେଇ ବଲ୍‍ବରୁ ଯେଉଁ ଆଲୁଅ ଟିକକ ବାହାରୁଥିଲା ଡବାଟାର ଅନ୍ଧାର ଅପସାରଣ ପାଇଁ ସେତକ ଯଥେଷ୍ଟ ନୁହେଁ । ଆଲୋକ ଅନ୍ଧକାର ବିଚିତ୍ର ରହସ୍ୟମୟତାରେ ଶୀତର ମଧ୍ୟରାତ୍ର ସେଠାରେ ଆଚ୍ଛନ୍ନ ହୋଇଥିଲା ।

 

ଗୋଟାଏ ଝିଅ ପିଲା ରାତି ଅଧରେ ଡକା ଡକି କରି ନିଦ ଭଙ୍ଗେଇ ଭିଡ଼ ଲାଗିଥିବା ଗାଡ଼ିରେ ଉଠିଚି, ଏତିକି ବ୍ୟତୀତ ତା ସମ୍ବନ୍ଧରେ ଆଉ କିଛି ଏପର୍ଯ୍ୟନ୍ତ ମନେ ହେଇନି । ଡବାର କବାଟଟା ବଡ଼ କରି ସେ ବୁଲି ପଡ଼ି ଠିଆ ହେବା ମାତ୍ରେ ବିଦ୍ୟୁତ ଚମକିଲା ଭଳି କିମ୍ଵା ସମୁଦ୍ରର ଦୁରନ୍ତ ଜଳୋଚ୍ଛ୍ଵାସ ଭଳି ଗୋଟାଏ ଭାବନା ଅଜାଣତରେ ମୋର ସ୍ନାୟୁରେ ଆଘାତ କରିଥିଲା ।

 

ଜୀବନର ପ୍ରୌଢ଼ ପ୍ରହରରେ ପହଞ୍ଚି ବର୍ତ୍ତମାନ ତ କେତେ କଣ ଦେଖିବାକୁ ପାଉଚି । ଚାରିପାଖରୁ କେତେ ଅଚଳ ଆୟତନ ଭାଙ୍ଗି ଯାଇଚି, କେତେ ପୁରୁଣା ସଂସ୍କାର ଆଉ ଧାରଣାର ମୃତ୍ୟୁ ହେଇଚି । ଭିତର ମହଲର ଦୁର୍ଗ ଭାଙ୍ଗି ମହିଳାମାନେ ପୃଥିବୀର ବିଶାଳ ଉନ୍ମୁକ୍ତ ଭିତରକୁ ବାହାରି ଆସିବାର ଆଜିକାଲି ଆଖିରେ ପଡ଼ୁଚି ।

 

କିନ୍ତୁ ମୋର ଯୌବନରେ ଅର୍ଥାତ୍ ଏଇ ଶତାବ୍ଦୀର ଶୈଶବରେ ନାରୀର ମୁକ୍ତି ଅକଳ୍ପନୀୟ ଥିଲା । ଯାହା ହେଉ ନିଶୀଥଚାରିଣୀ ଏଇ ଝିଅଟିକୁ ଦେଖି ପ୍ରଥମେ ଯାହା ଖିଆଲ ହେଇନି, ପରେ ସେଇଟା ଅସୀମ ବିସ୍ମୟରେ ମତେ ଅଭିଭୂତ କରି ପକେଇଥିଲା ।

 

ଏଭଳି ଭାବରେ ସେ ଯୁଗରେ କଦବା କ୍ଵଚିତ୍ ରାସ୍ତାଘାଟରେ ମହିଳାମାନଙ୍କର ଦେଖା ମିଳେ । ବାହାରକୁ ବାହାରିଲେ ବି ସାଙ୍ଗରେ ସତର୍କ ପ୍ରହରୀର ବ୍ୟବସ୍ଥା ଥାଏ । ଅନେକେ ଶଗଡ଼ ଆଉ ସବାରୀରେ ବାହାରକୁ ବାହାରନ୍ତି । ଆଉ ଯେଉଁମାନେ ଚାଲିକରି କିମ୍ବା ଗାଡ଼ି ମଟରରେ ପୁରୁଷଙ୍କ ଭଳି ଯାଆନ୍ତି, ସେମାନଙ୍କ ସାଙ୍ଗରେ ହୁଏତ ସ୍ଵାମୀ ନ ହେଲେ ବାପା କିମ୍ଵା କୌଣସି ନିକଟ ଆତ୍ମୀୟ ଥାଆନ୍ତି । ମୋଟ କଥା ହେଲା ଗୋଡ଼େ ଗୋଡ଼େ ସେମାନଙ୍କ ଉପରେ ଦୃଷ୍ଟି ରଖା ଯାଇଥାଏ ।

 

କିନ୍ତୁ ସେଇ ଯୁଗରେ ରାତି ଅଧରେ ଏକୁଟିଆ ସ୍ୱଚ୍ଛନ୍ଦଚାରିଣୀ ଗୋଟାଏ ଝିଅକୁ ଏଭଳି ଦେଖା ପାଇବା ଅସମ୍ଭବ କଥା । ତେଣୁ ଯେତିକି ଦେଖୁଥିଲି, ସେତିକି ବିସ୍ମୟଟା ଦ୍ରୁତ ଚୂଡ଼ାନ୍ତ ଦିଗକୁ ଧାଇଁବାକୁ ଆରମ୍ଭ କରିଥିଲା ।

 

କେତେ ସମୟ ସେମିତି ତାକୁ ଚାହିଁ ରହିଥିଲି, ମୋର ଖିଆଲ୍ ନାହିଁ । ଏହା ମଧ୍ୟରେ ଟ୍ରେନର ଗତି ଅନେକଟା ବଢ଼ି ଯାଇଥିଲା । ହଠାତ୍ ଝିଅଟି ଅସନ୍ତୁଷ୍ଟ ଗଳାରେ କହିଥିଲା, “ଏ କଣ, ରାସ୍ତା ବନ୍ଦ କରି ଠିଆ ହେଲେ ଯେ ! ଭିତରକୁ ଯିବାପାଇଁ ରାସ୍ତା ଛାଡ଼ନ୍ତୁ ।”

 

ପ୍ରକୃତରେ ଭିତରକୁ ଯିବା ବାଟରେ ମୁଁ ଠିଆ ହେଇଥିଲି । ଚିରଦିନ ମୁଁ ଭୀରୁ, କୁଣ୍ଠିତ, ଅସୀମ ସଙ୍କୋଚ ଦେଇ ମୋର ସ୍ଵଭାବ ଗଢ଼ି ଉଠିଥିଲା । ସେତେବେଳେ ନିଜ କଥା ଯେମିତି ମନେ ନ ଥିଲା । ମୁଁ ଆତ୍ମବିସ୍ମୃତ ହୋଇ ଝାପ୍‍ସା ଅନ୍ଧାରରେ ଗୋଟିଏ ଅପରିଚିତାଆଡ଼େ ବିହ୍ଵଳ ଦୃଷ୍ଟିରେ ଚାହିଁ ରହିଥିଲି ।

 

ଯାହା ହେଉ, ଝିଅଟିର କଥାରେ ଲାଜ ପାଇ ମୁହଁ ତଳକୁ କରି ଦେଇଥିଲି । ତାପରେ ଜାକିଜୁକି ହୋଇ ଡବାର ଦୂର ପ୍ରାନ୍ତରେ ନିଜର ଜାଗାକୁ ଫେରି ଆସିଥିଲି ।

 

ଦୂରକୁ ଯିବା ପରେ ମୁହୂର୍ତ୍ତକ ପାଇଁ ଆଉ ଥରେ ମୁହଁ ଉଠେଇ ଝିଅଟିକୁ ଦେଖିଥିଲି । ଡବାର ଏ ପ୍ରାନ୍ତରୁ ଝିଅଟି ଆହୁରି ଝାପ୍‍ସା ଆହୁରି ରାହସ୍ୟମୟୀ ଦେଖା ଯାଉଥିଲା ।

 

ମୁଁ ନିଜର ଜାଗାକୁ ଫେରିଯିବା ପରେ ଝିଅଟି ଡବାର ଏପଟରୁ ସେପଟ ଯାଏ ଦୃଷ୍ଟି ବୁଲେଇ ନେଇଥିଲା । ବୋଧହୁଏ ବସିବା ପାଇଁ ଜାଗା ଖୋଜୁଥିଲା । ହଠାତ୍ ତା ଆଖିରେ ପଡ଼ିଥିଲା, ଠିକ୍ ମୋ ଆଗରେ ଗୋଟାଏ ମସ୍ତବଡ଼ କଳା ଟ୍ରଙ୍କ । ଏତେଗୁଡ଼ାଏ ଯାତ୍ରୀଙ୍କ ଦୃଷ୍ଟିକୁ ପ୍ରତାରିତ କରି ଅବ୍ୟବହୃତ ହୋଇ ପଡ଼ିଚି । କେହି ସେଇଟା ଦଖଲ କରି ନାହାନ୍ତି ।

 

ଦେଖିବା ମାତ୍ରେ ଜିନିଷ ପତ୍ରର ପାହାଡ଼ ପାର ହୋଇ, ଯାତ୍ରୀମାନଙ୍କୁ କାହାକୁ ଡେଇଁ, କାହାକୁ ଝୁଣ୍ଟି, ମୁହଁରେ କେତେବେଳେ କାହାକୁ, ‘ଟିକିଏ ଜାଗା ଦିଅନ୍ତୁ ତ’, କେତେବେଳେ ‘ଗୋଡ଼ ଲୋଚେଇ ବସନ୍ତୁ’ କହି କହି ଶେଷକୁ ଟ୍ରଙ୍କାଟା ପାଖରେ ଆସି ଝିଅଟି ପହଞ୍ଚିଥିଲା । ତା ସାଙ୍ଗରେ କିଛି ଜିନିଷ ନ ଥିଲା । କେବଳ ଗୋଟିଏ ସୁଦୃଶ୍ୟ ଭ୍ୟାନିଟି ବ୍ୟାଗ୍ ହାତରେ ତାର ଝୁଲୁଥିଲା ।

 

ନିକଟକୁ ଆସିଥିବାରୁ ଝିଅଟିକୁ ଅନେକଟା ସ୍ପଷ୍ଟ ଭାବରେ ଦେଖି ହେଉଥିଲା । ଡବାର ସେଇ ଆଲୁଅଟା ଆସି ତା ମୁହଁରେ ପଡ଼ିଥିଲା । ତାର ସର୍ବାଙ୍ଗରେ ଖେଳେଇ ହୋଇ ଯାଇଥିଲା ।

 

ଝାପ୍‍ସା ଅନ୍ଧାରରେ ଟିକିଏ ଆଗରୁ ଝିଅଟିକୁ ଛାପରା ଦେଖା ଯାଉଥିଲା । ରମଣୀ ଦେହରେ କେତେଟା ଅସ୍ପଷ୍ଟ ରେଖା ଫୁଟେଇ ସେ ଠିଆ ହୋଇଥିଲା । କିନ୍ତୁ ବର୍ତ୍ତମାନ ଖୁବ୍ ନିକଟରେ ଆସି ପହଞ୍ଚିଚି । ହାତ ବଢ଼ାଇଲେ ତାକୁ ଛୁଇଁ ହେବ ସିଧା ଭାବରେ ଅବଶ୍ୟ ତା ଆଡ଼େ ଚାହିଁ ନ ଥିଲି । ଲୁଚେଇ ଲୁଚେଇ ଦେଖୁଥିଲି । ଯେଭଳି ଭାବରେ ଦେଖେ ନା କାହିଁକି, ଚାହିଁବା ମାତ୍ରେ ଆଉ ଦୃଷ୍ଟି ଫେରାଇ ପାରୁ ନ ଥିଲି । ମୋର ସବୁ ସ୍ନାୟୁଗୁଡ଼ାକ ଉପର ଦେଇ ବେହେଲାର ଛଡ଼ ଟାଣିଲା ଭଳି ଶବ୍ଦ କରି ଝଡ଼ ବେଗରେ କଣ ଯେମିତି ବାଜି ଯାଉଥିଲା । ମୁହୂର୍ତ୍ତକ ମଧ୍ୟରେ ମୋ ସତ୍ତାର ନିଭୃତ କୋଣରୁ ସମ୍ମୋହନ ଭଳି କଣ ଗୋଟାଏ ଉଠି ଆସି ଦୁର୍ବାର ଫେଣାୟିତ ତରଙ୍ଗ ହୋଇ ଖେଳେଇ ହେଇ ଯାଉଥିଲା ।

 

ଝିଅଟିର ବୟସ ଆଉ କେତେ ହେବ ? ଅତି ବଡ଼ ହେଲେ ଊଣେଇସି କିମ୍ବା କୋଡ଼ିଏ ଖଣ୍ଡେହେବ । ଅର୍ଥାତ୍ ମୋ’ରି ସମବୟସୀ ହେବ ।

 

ଝିଅଟି ସୁଗଠନା, ସୁବର୍ଣ୍ଣା । କ୍ଷୀଣ ମଧ୍ୟ ଦେଶର ଉର୍ଦ୍ଧ୍ଵଲୋକରେ ସେ ଉଦ୍ଧତା । ନିମ୍ନ ଆଡ଼କୁ ବିଶାଳ ଅବବାହିକା । ସବୁ ତାର ଛନ୍ଦମୟ । କେବଳ ଶୁଭ୍ରାଙ୍ଗୀ ନୁହେଁ, ଶୁଭ୍ର ସିଲ୍‍କ ପରିହିତା । ଧାତୁ ଅପେକ୍ଷା ଶୁଭ୍ର ପଥରର ଆବଶ୍ୟକୀୟ ଗହଣାଗୁଡ଼ାକ ତାକୁ ଖୁବ୍ ସୁନ୍ଦର ମାନୁଥିଲା ।

 

ଝିଅଟିର ସମସ୍ତ ବିସ୍ମୟ ତାର ଆଖି ଦୁଇଟିରେ ଥିଲା । ସେ ଆଖି ଯେମିତି ମାନବୀର ନୁହେଁ, ଦେବୀ ମୂର୍ତ୍ତିର ରତ୍ନ ଜଡ଼ିତ ଆଖି କିମ୍ବା ସ୍ୱପ୍ନ ଲୋକର କୌଣସି ଶୁଭ୍ର ପରୀର ଅଲୌକିକ ଆଖି । ସେ ଆଖିରେ ଏକ ସଙ୍ଗେ ରହିଥିଲା ଦୂରତ୍ୱ ଆଉ ଆହ୍ୱାନ, ଆଶ୍ଵାସ ଆଉ ଅନିଶ୍ଚୟତା, ପ୍ରୀତି ଆଉ ବିଦ୍ୱେଷ । ଥରେ ମନେ ହେଉଥିଲା ସେ ଚକ୍ଷୁ ସ୍ଥିର ଏବଂ ମୋହମୟ, ପରକ୍ଷଣରେ ଧାରଣା ବଦଳି ଯାଉଥିଲା । ସେତେବେଳେ ମନେ ହେଉଥିଲା, ସେ ଆଖି ଦୁଇଟା ଅସ୍ଥିର, ଚଞ୍ଚଳ, ବିତୃଷ୍ଣାମୟ ।

 

ଯାହା ଥାଉ, ଝିଅଟିର ସର୍ବାଙ୍ଗ ଘେରି ଏମିତି ଗୋଟାଏ ଦୁଃସହ କୁହୁକ ଖେଳେଇ ହେଇଥିଲା, ଯେଉଁଥିରେ କି ତା ଆଡ଼େ ଚାହିଁ କେହି ଦୃଷ୍ଟି ଫେରାଇ ପାରୁ ନ ଥିଲେ । ବିଚିତ୍ର ଆକର୍ଷଣରେ ଝିଅଟି ମୋର ଆଖି ଦୁଇଟିକୁ ଯେମିତି ନିଜ ଆଡ଼କୁ ଟାଣି ରଖିଥିଲା ।

 

ଅଦୃଶ୍ୟ ଭାବରେ ତାର ଶରୀରରୁ ଗୋଟାଏ ଗନ୍ଧ ଉଠି ଆସୁଥିଲା । ଗନ୍ଧଟା ଏମିତି ଉଗ୍ର, ତୀବ୍ର ଏବଂ ମାଦକତାପୂର୍ଣ୍ଣ ଯେ ତୃତୀୟ ଶ୍ରେଣୀର ସେଇ ଡବାଟାର ବାୟୁ ମଣ୍ଡଳ ଭାରି ହୋଇ ଉଠିଥିଲା । ଅନ୍ୟ ଯାତ୍ରୀମାନଙ୍କ କଥା କହି ପାରିବିନି, ତେବେ ମୋର ମୁଣ୍ଡଟା ଝିମ୍ ଝିମ୍ ହେବାକୁ ଆରମ୍ଭ କରିଥିଲା ।

 

ଆଉ ସେଇ ଝିମ୍ ଝିମ୍ ଆଚ୍ଛନ୍ନତା ମଧ୍ୟରେ ଚାରିଆଡ଼େ ବୋଧହୁଏ ଦୋହଲିବା ଆରମ୍ଭ କରିଥିଲା । ମୋର ମନେ ହେଇଥିଲା, ସେ ଯେମିତି ନାରୀ ନୁହେଁ, କୌଣସି ଅଲୌକିକ ଯାଦୁକରୀ-। ଝିଅଟିକୁ ଦେଖୁ ଦେଖୁ ହଠାତ୍ ମାନସୀ କଥା ମୋର ମନେ ପଡ଼ି ଯାଇଥିଲା ।

 

ମାନସୀ ଯେମିତି ଗୋଟିଏ ଛୋଟ ପାରା–ସ୍ନିଗ୍‍ଧ, ଶାନ୍ତ, ମନୋରମା । ତା ପାଖକୁ ଗଲେ ସମସ୍ତ ସ୍ନାୟୁ ଶୀତଳ ହୋଇଯାଏ । କିନ୍ତୁ ଗାଡ଼ିର ଡବାରେ ପାର୍ଶ୍ଵବର୍ତ୍ତିନୀ ସେଇ ମୋହମାୟୀ ଯାଦୁକରୀ—ସେ ଯେମିତି ବିଚିତ୍ର ସମ୍ମୋହନ ମନ୍ତ୍ରରେ ମତେ ନିଶାଗ୍ରସ୍ତ କରି ପକେଇଥିଲା । ଧମନୀରେ ରକ୍ତସ୍ରୋତ କ୍ରମଶଃ କଲ୍ଲୋଳିତ ହୋଇ ଉଠିଥିଲା । ତାପରେ ଫେଣେଇ ଫେଣେଇ ଉଚ୍ଛ୍ୱସିତ ହୋଇ ଶିରାରେ ଶିରାରେ ଦୁର୍ବାର ସ୍ରୋତ ଭଳି ଖେଳି ଯାଉଥିଲା । ନାକ କାନ ମୋର ଝାଇଁ ଝାଇଁ ହେଉଥିଲା । ମୁହଁ ଉପରେ ନିଆଁ ଝୁଲ ଭଳି କଣ ଗୋଟାଏ ଅସହ୍ୟ ତାପ ଆସି ଯେମିତି ଲାଗିଥିଲା । ମୋର ସେଇ କୋଡ଼ିଏ ବର୍ଷ ବୟସର ଜୀବନରେ ଏଭଳି ଝିଅ ଆଗରୁ ଆଉ କୋଉଠି ଦେଖିଚି ବୋଲି ମନେ କରିପାରୁ ନ ଥିଲି ।

 

ଝିଅଟି ଆଗରେ ବସି ପଡ଼ିଥିଲା । ଚାରିଆଡ଼େ ସ୍ତୂପୀକୃତ ଜିନିଷପତ୍ର, ପାନପିକ, ବାଦାମଚୋପା, ଛେପ ଆଉ ଅସଂଖ୍ୟ ପୋଡ଼ା ବିଡ଼ିର ଶ୍ମଶାନ ମଝିରେ ତାକୁ ଛନ୍ଦପତନ ଭଳି ଦେଖା ଯାଉଥିଲା । ତୃତୀୟ ଶ୍ରେଣୀ ଡବାରେ ତା ଭଳି ଚାରୁଦର୍ଶନା ଏଇ ଯାଦୁକରୀକୁ ମୋଟେ ମାନୁ ନ ଥିଲା । ପ୍ରଥମ ଶ୍ରେଣୀ ଡବାରେ ତ ତାର ଯିବା ଉଚିତ ଥିଲା । ଏ ଗାଡ଼ିରେ ସେଇଟା ହିଁ ତାର ଉପଯୁକ୍ତ ସ୍ଥାନ ବୋଲି ମନେ ହେଉଥିଲା । ତୃତୀୟ ଶ୍ରେଣୀର ଏ କଷ୍ଟକର ଖୁନ୍ଦାଖୁନ୍ଦି ଭିତରକୁ ସେ ଯେ କାହିଁକି ଚାଲି ଆସିଥିଲା, ସେ କଥା କିଏ କହିବ !

 

ଟ୍ରଙ୍କଟାର ଗୋଟାଏ ପାଖକୁ ଡବାର କାନ୍ଥକୁ ଲାଗି ଗୋଟାଏ ଖାଲି ଢମା ଡେରା ହୋଇଥିଲା । କିଛି ସମୟ ସିଧା ଭାବରେ ବସି ରହିବା ପରେ ଝିଅଟି ତା ଦେହକୁ ଆଉଜି ବସିଥିଲା ।

 

ମୁଁ ଚାହିଁ ରହିଥିଲି । ଚାହିଁ ଚାହିଁ ବିସ୍ମୟ ଆଉ ଆଚ୍ଛନ୍ନତା କ୍ରମାଗତ ବଢ଼ିଯାଇଥିଲା । ବିସ୍ମୟର କାରଣ ଏକାଧିକ ଥିଲା । ପ୍ରଥମତଃ ଝିଅଟି ଆଶ୍ଚର୍ଯ୍ୟ ସ୍ୱରୂପା, ଦ୍ଵିତୀୟତଃ ଅନାୟାସଗାମିନୀ, ତୃତୀୟତଃ ଏଇ ଶତାବ୍ଦୀର ଶୈଶବରେ ଏତେ ରାତିରେ ସେ ଶେଷ ଗାଡ଼ିରେ ଏକୁଟିଆ କୁଆଡ଼େ ଯାଉଚି ? ଗୋଟାଏ ସୀମାହୀନ କୌତୂହଳ ମୋତେ ଧୀରେ ଧୀରେ ଘେରି ଯାଇଥିଲା ।

 

କେବଳ ମୋର ନୁହେଁ, ଝିଅଟିର ଆବିର୍ଭାବରେ ଏ ଡବାଟା ଉପର ଦେଇ ବିଚିତ୍ର ପ୍ରତିକ୍ରିୟା ଘଟି ଯାଇଚି । ମାତାଲଙ୍କ ଭଳି ଅପଲକ ଦୃଷ୍ଟିରେ ଡବାଟାଯାକର ଯାତ୍ରୀ ଅନେକ ସମୟ ତାଆଡ଼େ ଚାହିଁ ରହିବା ପରେ ପୁଣି ଚାଦର, କମ୍ବଳ, ଅଖା ତଳେ ମୁହଁ ଲୁଚେଇ ଦେଇଥିଲେ ।

 

ଝିଅଟି ଅନ୍ୟମନସ୍କ ଭଳି, ଡବା ଭିତରେ ଜଳୁଥିବା ସେଇ ନିସ୍ତେଜ ବଲ୍‍ବଟା ଆଡ଼େ ଚାହିଁ ରହିଥିଲା । ଆଲୁଅଟାକୁ ଘେରି କୁହୁଡ଼ି ଆଉ ଅନ୍ଧକାର ଗୋଟାଏ ଗୋଳିଆ ବୃତ୍ତ କାଟି ଚାଲିଥିଲା ।

 

ଆଲୁଅଟାକୁ ଦେଖୁ ଦେଖୁ ହଠାତ୍ ସେ ମୋ ଆଡ଼େ ଦୃଷ୍ଟି ଫେରାଇଥିଲା । ସଙ୍ଗେ ସଙ୍ଗେ ଦୃଷ୍ଟି ତୀକ୍ଷଣ ହୋଇ ଉଠିଥିଲା । ଏହା ଆଗରୁ ଝିଅଟି ମତେ ଦେଖିଚି, କିନ୍ତୁ ସେ ଦେଖାରେ ବିଶ୍ଲେଷଣ ନ ଥିଲା । ସେତେବେଳେ ରାଗ ଆଉ ବିରକ୍ତିରେ ସେଇଟା ଭରପୁର ହେଇଥିଲା ।

 

ଚାହିଁ ରହୁ ରହୁ ଝିଅଟି ମୋ ଆଡ଼େ ଅନେକଗୁଡ଼ାଏ ଝୁଙ୍କି ପଡ଼ିଥିଲା । ଖୁବ୍ ଆସ୍ତେ କହିଥିଲା, “ଆଚ୍ଛା:–”

 

ମୋ ଛାତିର ରକ୍ତଗୁଡ଼ା ଉଚ୍ଛୁଳି ଉଠିଥିଲା । ଥରେ ଚାହିଁ ଦେଇ ସଙ୍ଗେ ସଙ୍ଗେ ମୁହଁ ତଳକୁ କରି ଦେଇଥିଲି । ଶିଥିଳ ଭାବରେ କହିଥିଲି, “ମତେ କହୁଛନ୍ତି ?”

 

“ହଁ !”

 

“କହନ୍ତୁ–”

 

“ଆପଣଙ୍କୁ ଯେମିତି ଆଗରୁ କେଉଁଠି ଦେଖିଚି । କେଉଁଠି କହିଲେ ?”

 

ଝିଅଟି ଆଶ୍ଚର୍ଯ୍ୟ ସାବଲୀଳା, ଖୁବ୍ ସ୍ଵଚ୍ଛନ୍ଦ । ବିସ୍ମିତ ଭାବରେ ଓଲଟା ପଚାରିଲେ, “କୋଉଠି ଦେଖିଚନ୍ତି ?’’

 

ଝିଅଟି ଏଥର ଅନ୍ୟମନସ୍କ ଦେଖା ଯାଇଥିଲା । କିଛି ସମୟ ଚୁପ୍ ରହି ସେ କହିଥିଲା, “କୋଉଠି ଦେଖିଚି ଠିକ୍ ମନେ କରିପାରୁନି ।”

 

“ହୁଏତ ମୋଭଳି ଆଉ କାହାକୁ ଦେଖିଥିବେ ।”

 

“ନା–”ଝିଅଟି ମୁଣ୍ଡ ହଲେଇ କହିଥିଲା, “ଆଉ କାହାକୁ ନୁହେଁ, ଆପଣଙ୍କୁ ଦେଖିଚି । ମୋର ଖୁବ୍ କମ୍ ଭୁଲ୍ ହୁଏ । ଆଚ୍ଛା–”

 

ମୁଁ ସହଜ ବା ସ୍ଵାଭାବିକ କୌଣସିଟା ହେଇ ପାରୁ ନ ଥିଲି । ତଳକୁ ଚାହିଁ ରହିଥିଲି । ପଚାରିଥିଲି, “କଣ ?”

 

“ଆପଣ କୋଉଠି ରହନ୍ତି ?”

 

“ଦଳେଇଘାଟରେ ।”

 

“ଦଳେଇଘାଟରେ ।” ଧନୁଭଳି ତାର ଭ୍ରୂ ଦୁଇଟା କୁଞ୍ଚିତ ହୋଇ ଯାଇଥିଲା । କହିଥିଲା, “ନା, ଅନ୍ୟ କୋଉଠି,” କହୁକହୁ ହଠାତ୍ ଯେମିତି କଣ ମନେ ପଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ଉତଫୁଲ୍ଲ ହୋଇ ସେ ଟିକିଏ ଜୋରରେ କହିଥିଲା, “ଆପଣ ସେଠି ବି ତ ରହନ୍ତି ?”

 

“କୋଉଠି ?”

 

“ତୁଣ୍ଡୁଳି ଟାଉନରେ ।”

 

ବିସ୍ମୟର ସହିତ କହିଥିଲି, “ହଁ, ସେଠିକା କଲେଜରେ ମୁଁ ପଢ଼େ । ହଷ୍ଟେଲରେ ରହେ । କିନ୍ତୁ–”

 

“କଣ ?”

 

“ଆପଣ ସେ କଥା ଜାଣିଲେ କେମିତି ?”

 

“ଜାଣିଲି–” ଝିଅଟି ବିଚିତ୍ର ହସ ହସିଥିଲା ।”

 

ମୁଁ କଣ କହିବି କିଛି ଭାବି ପାରୁ ନ ଥିଲି । ମନେ ହେଇଥିଲା, ହୁଏତ ଝିଅଟି ତୁଣ୍ଡୁଳି ଟାଉନରେ ରହେ । ମୋର ଅଜ୍ଞାତରେ ମତେ ଦେଖିଥିବ ।

 

ସେ ପୁଣି କହିଥିଲା, “ଆପଣଙ୍କ ନାଆ ନରସିଂହ ରଥ ତ ?”

 

“ହଁ ।”

 

“ତୃତୀୟ ବର୍ଷ ବିଜ୍ଞାନରେ ପଢ଼ନ୍ତି ?”

 

ଏକାବେଳେ ବିଭ୍ରାନ୍ତ ହେଇ ପଡ଼ିଥିଲି । ମୁହଁ ଟେକି ମନ୍ତ୍ରଚାଳିତଙ୍କ ଭଳି ସମ୍ମତି ଜଣେଇଥିଲି ।

 

ଝିଅଟି କହିଥିଲା, “ଆପଣ ଗୌରବମୟ ବ୍ୟକ୍ତି । ମାଟ୍ରିକ୍ୟୁଲେଶନରେ ବୃତ୍ତି ପାଇଚନ୍ତି-। ଇଣ୍ଟରମିଡ଼ିୟେଟରେ ପାଇଚନ୍ତି । ବି. ଏସସିରେ ବି ନିଶ୍ଚୟ ଫାଷ୍ଟ କ୍ଲାସ ଅନର୍ସ ପାଇବେ-।”

 

କୋଉଠି ପଢ଼ିଥିଲି, କିଏ ଯେମିତି ଖଡ଼ି ପକେଇ ଭୂତ–ଭବିଷ୍ୟତ ସବୁ କଥା କହି ଦେଇପାରେ । ଝିଅଟି ସେଇୟା ନା କଣ ? ମତେ ଦେଖି ମୋର ସବୁ କଥା କହି ଦେଇ ପାରୁଥିଲା-। ସେ କଣ ମାୟାବିନୀ ?

 

ବିମୂଢ଼ଙ୍କ ଭଳି କହିଥିଲି, “ଆଶ୍ଚର୍ଯ୍ୟ !”

 

“କଣ ଆଶ୍ଚର୍ଯ୍ୟ ?”

 

“ଆପଣ ମୋ ସମ୍ବନ୍ଧରେ ଏତେ କଥା ଜାଣିଲେ କେମିତି” ?

 

“ଜାଣିଲି ।” ଝିଅଟିର ହସ, ଏଥର ପ୍ରଗଳଭ ହେଇଥିଲା । ଉପମା ଦେଇ ସେ କହିଥିଲା, “ଫୁଲ ଯଦି ଫୁଟେ, ତାହେଲେ ତାର ଗନ୍ଧ ସବୁଆଡ଼େ ଖେଳେଇ ହୋଇପଡ଼େ । ତାକୁ ଲୁଚେଇ ରଖି ହୁଏନି ।”

 

ମୁଁ ନୀରବ ।

 

ଝିଅଟି କହି ଯାଉଥିଲା, “ଆପଣଙ୍କ ସଙ୍ଗେ କଥାବାର୍ତ୍ତା କରିବା ପାଇଁ ଭାରି ଇଚ୍ଛା ଥିଲା । ଭାବିଥିଲି, କଲେଜ ହଷ୍ଟେଲକୁ ଯାଇ କଥାବାର୍ତ୍ତା କରି ଆସିବି । ଆଜି ଅଦ୍ଭୁତ ଭାବରେ ସେ ସୁଯୋଗ ମିଳିଗଲା ।”

 

ଏଥର ବି ମୁଁ କିଛି କହିପାରିଲିନି ।

 

ପୁଣି ଝିଅଟି କହିଥିଲା, “ଆପଣଙ୍କର ଜଣେ ବନ୍ଧୁ ଅଛନ୍ତି । ତାଙ୍କ ନାଆଁ ମନମୋହନ କର । ଆପଣଙ୍କର ଘନିଷ୍ଠ ବନ୍ଧୁ, ନୁହେଁ ?”

 

“ଆପଣଙ୍କୁ କିଏ କହିଲା ?”

 

“ଯିଏ କହୁ, ସତ କି ନୁହେଁ ?”

 

“ହଁ ।”

 

“ଆପଣମାନେ କଲେଜ ହଷ୍ଟେଲରେ ଗୋଟାଏ ଘରେ ତ ରହନ୍ତି ?”

 

“ହଁ ।”

 

“ଦଳେଇଘାଟରୁ କେବଳ ଆପଣ ଦୁଇ ଜଣ ଏ କଲେଜକୁ ପଢ଼ିବାକୁ ଆସିଚନ୍ତି, ଏଇୟା ନା ?

 

“ମୁଁ ଯେତେଦୂର ଜାଣେ, ସେଇୟା ।”

 

“ଆପଣଙ୍କର ବନ୍ଧୁ ମନମୋହନ ଭଲ ସ୍ପୋର୍ଟସ ମ୍ୟାନ । ଖୁବ୍ ଭଲ ଫୁଟବଲ ପ୍ରଭୃତି ଖେଳିପାରନ୍ତି ! ନୁହେଁ ?”

 

“ହଁ ।”

“ପହଁରିବାରେ ବି ଓସ୍ତାଦ–”

“ହଁ ।”

ମନୁ ମୋର ପିଲାଦିନର ସାଙ୍ଗ ବାରବର୍ଷ କାଳ; ଅର୍ଥାତ୍ ଗୋଟାଏ ଯୁଗଧରି ଆମେ ଦୁହେଁ ଏକ ସଙ୍ଗେ ଚଳିଚୁ, ବୁଲିଚୁ, ଖେଳିଚୁ । ମନୁକୁ ଖୁବ୍‍ ସମ୍ଭବ ନିଜର ପ୍ରାଣଠାରୁ ବି ବେଶିଭଲ ପାଏ । ତଥାପି ଗୋଟିଏ ଅପରିଚିତା ରୂପସୀ ଝିଅର ମୁହଁରେ ତାର ପ୍ରଶଂସା ଶୁଣି ମୋ ବକ୍ଷ ଭିତରେ କେଉଁଠି ଯେମିତି ତାଳ କଟିଯାଉଥିଲା । ନିଭୃତରେ ବେସୁରା ଜଣାପଡ଼ୁଥିଲା । କେବଳ ଏତିକି ଭାବୁଥିଲି, ମନୁର ପ୍ରସଙ୍ଗ ନ ଉଠିଲେ ଭଲ ହୁଅନ୍ତା । ବୁଲେଇ ବୁଲେଇ ଝିଅଟି ବାରମ୍ବାର କେବଳ ମୋରି କଥା କହୁ, ମୋ’ରି ନାଆ ଧରୁଥାଉ, ଆଉ ମୁହଁ ତଳକୁ କରି ଆରକ୍ତ ମୁହଁରେ ସଂକୋଚ ଆଉ ଶିହରଣ ଭିତରେ ସେସବୁ ଶୁଣିଯାଏ ।

ସେଦିନ ଶେଷ ଫେରନ୍ତି ଗାଡ଼ିରେ ପାଖାପାଖି ବସି ବିଚିତ୍ର ରହସ୍ୟମୟୀ ଝିଅଟି ସାଙ୍ଗରେ ଆଉ କଣ କଣ କଥାବାର୍ତ୍ତା ହେଇଥିଲା, ଏତେକାଳ ପରେ ସେ ସବୁ ଆଉମନେ ପଡ଼ୁନି । ସମୟର ଧୂଳିମାଟି ତା ଉପରେ ବିସ୍ମୃତିର ପ୍ରଚ୍ଛଦ ଟାଣିଦେଇଚି ।

ମାନେପଡ଼ୁଚି କଥାବାର୍ତ୍ତା ହେଉ ହେଉ କେତେବେଳେ ଗାଡ଼ିଟା ଆସି ତୁଣ୍ଡୁଳି ଷ୍ଟେସନରେ ପହଞ୍ଚି ଯାଇଥିଲା ।

ଝରକା ଫିଟେଇ ଷ୍ଟେସନଟାକୁ ଦେଖି ଝିଅଟି କହିଥିଲା, “ଏଇଠି ତ ଆପଣଙ୍କୁ ଓହ୍ଲାଇବାକୁ ପଡ଼ିବ ।”

“ହଁ ।”

“ଚାଲନ୍ତୁ, ଓହ୍ଲାଇବା ।”

“ଆପଣ–” ବକ୍ତବ୍ୟ ଶେଷ ନ କରି ରହିଯାଇଥିଲି ।

ଝିଅଟି କହିଥିଲା, “ମୁଁ କଣ ?”

“ଆପଣ କଣ ଏଇଠି ରହନ୍ତି ?”

“ହଠାତ୍ ଏ ପ୍ରଶ୍ନ ?”

ସିଧା କିଛି କହି ପାରିଲିନି । କୌଣସି ପ୍ରକାର ଢୋକଗିଳି କହିଥିଲି, “ଏଠି ନ ରହୁଥିଲେ ତ ଓହ୍ଲେଇବା ଠିକ୍ ନୁହେଁ ।”

“ଠିକ୍ ନୁହେଁ ।” ଝିଅଟି ଓଠ ଚିପି କେମିତି ଟିକିଏ ହସିଥିଲା ।

ମୁଁ ଉତ୍ତର ଦେଇ ନ ଥିଲି ।

ଝିଅଟି କହିଥିଲା, “ନ ହେଲେ ବି ଆପଣଙ୍କ ପାଇଁ ଏ ଷ୍ଟେସନରେ ଓହ୍ଲେଇଲି ।”

କଣ କହୁଚି ! ଝିଅଟାର ଉଦ୍ଦେଶ୍ୟ କଣ ? ମୋର ହୃତ୍‍ପିଣ୍ଡ ଭିତରେ ଦେଇ କଣ ଗୋଟାଏ ଯେମିତି ଶିରି ଶିରି ହୋଇ ଚାଲିଗଲା । ମୁଁ ଏକାବେଳେ ବିମୂଢ଼ । ବାକ୍ୟହୀନ, ସ୍ତମ୍ଭିତ–ବିହ୍ୱଳ ଭାବରେ କହିଥିଲି, “ମୋ ପାଇଁ !”

“ନିଶ୍ଚୟ ।”

“କିନ୍ତୁ–”

ସେ ମୋର କଥା ଶେଷ ହେବାକୁ ଦେଲାନି । ବ୍ୟସ୍ତଭାବରେ କହିଥିଲା, “ଆପଣଙ୍କର ଏତେ କଥାର ଉତ୍ତର ଦେଇ ପାରିବିନି । ଗାଡ଼ିଟା ଏ ଷ୍ଟେସନରେ ଖୁବ୍ କମ୍ ସମୟ ପାଇଁ ରହେ । ସେ ଖିଆଲ ଯଦି ଥାଏ ଆଉ କୌଣସି କଥା ନ ବଢ଼ାଇ ଚଞ୍ଚଳ ଓହ୍ଲାଇ ପଡ଼ନ୍ତୁ ।”

ଅପ୍ରତିଭ ହୋଇ ମୁହଁ ତଳକୁ କରି ଓହ୍ଲାଇ ପଡ଼ିଥିଲି । ସମସ୍ତ ଡବାଟା ଯେମିତି ସ୍ତବ୍‍ଧ ଶିବିର । ଖୁବ୍ ଚଞ୍ଚଳ ଏକୁ ତାକୁ ଡେଇଁ ଝୁଡ଼ି ଗଣ୍ଡୁଆଆଡ଼େଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲି । ମୋତେ ଅନୁସରଣ କରି ଝିଅଟି ବି ଓହ୍ଲାଇଥିଲା ।

ତୁଣ୍ଡୁଳି ଟାଉନର ଦୀର୍ଘ ସୁବିସ୍ତୃତ ପ୍ଲାଟଫର୍ମଟା ଏକାବେଳେ ଖାଲିପଡ଼ିଚି । ଶେଷ ଫେରନ୍ତି ଗାଡ଼ିରୁ ଆମ ଦୁହିଁଙ୍କ ବ୍ୟତୀତ ଆଉ କେହି ଓହ୍ଲାଇ ନ ଥିଲେ । ଆଉ ଆମେ ଓହ୍ଲେଇବା ମାତ୍ରେ ଗାଡ଼ିଟାର ଯତିଭଙ୍ଗ ହୋଇଥିଲା, ଗାର୍ଡ଼ର ହୁଇସିଲ ବାଜି ଉଠିବା ସଙ୍ଗେ ସଙ୍ଗେ ସେ ଚାଲିବାକୁ ଆରମ୍ଭ କରିଥିଲା । ମୁହୂର୍ତ୍ତକ ମଧ୍ୟରେ ତାର ଦୀର୍ଘ ସର୍ପିଳ ଦେହଟା ଅଙ୍କା ବଙ୍କା ହୋଇ ଡିସ୍‍ଟାଣ୍ଟ ସିଗ୍‍ନାଲ ପାରହୋଇ ଅଦୃଶ୍ୟ ହୋଇ ଯାଇଥିଲା ।

ଗେଟ୍ଆଡ଼େ ଯାଉ ଯାଉ ଝିଅଟି କହିଥିଲା, “ଆପଣ ବର୍ତ୍ତମାନ କଲେଜ ହଷ୍ଟେଲକୁ ଯିବେ ତ ?’

ଆଶ୍ଚର୍ଯ୍ୟ ହୋଇ ମୁଁ ତାଆଡ଼େ ଚାହିଁଥିଲି । ପ୍ରଶ୍ନଟା ପଛରେ କୌଣସି ଉଦ୍ଦେଶ୍ୟ ଆତ୍ମଗୋପନ କରିନି ତ ? ମୋ ସଙ୍ଗେ ହଷ୍ଟେଲକୁ ଯିବାର ଇଚ୍ଛା ଅଛି ନା କଣ ?

ଯେତେ ନିସ୍ତେଜ ଥିଲେ ମଧ୍ୟ ଗାଡ଼ିର ଡବା ଭିତରେ ଗୋଟାଏ ଆଲୁଅ ଥିଲା । ଝିଅଟିର ମୁହଁ ଭଲ ଭାବରେ ଦେଖି ପାରୁଥିଲି । କିନ୍ତୁ ଷ୍ଟେସନରେ କୌଣସିଠାରେ ଆଲୁଅ ନାହିଁ । କୁହୁଡ଼ି ଆଉ ଅନ୍ଧାରର ମଲାଟ ତଳେ ସବୁ ଘୋଡ଼େଇ ପକେଇଚି । ତେଣୁ ମୁହଁ ବା ଆଖି ଦେଖି ମନୋଭାବ ଯେ ଅନୁମାନ କରିବ, ତାର କିଛି ଉପାୟ ନ ଥିଲା । ସଭୟରେ କହିଥିଲି, “ହଁ, ହଷ୍ଟେଲକୁ ଯିବି । ଜାଣନ୍ତି–”

“କଣ ?”

“ଆମର, ହଷ୍ଟେଲଟା ପୁଅ ପିଲାଙ୍କ ହଷ୍ଟେଲ ।”

“ସତେ !”

ଟିକିଏ ଜୋର ଦେଇ କହିଥିଲି, “ହଁ ।”

ଏଥର ଝିଅଟି ଖିଲ୍‍ଖିଲ୍ ହୋଇ ହସିଉଠିଥିଲା । ମନେ ହେଉଥିଲା, ଖୁବ୍ ମୃଦୁତାଳରେ ସ୍ନାୟୁରେ ଛୋଟ ଛୋଟ ଢେଉ ଉଠେଇ ଜଳ ତରଙ୍ଗ ବାଜିଯାଉଚି ।

 

ଚମକି ପଡ଼ିଥିଲି, “ହସୁଚନ୍ତି ଯେ !”

 

ଉତ୍ତର ନ ଦେଇ ଝିଅଟି ଓଲଟା ପଚାରିଲା, ‘‘ଆପଣଙ୍କର ଭାରି ଭୟ ହେଇଚି, ନୁହେଁ-?”

 

“ଭୟ !”

 

“ହଁ... ହଁ, ଭୟ ।”

 

“ଭୟ ପୁଣି କ’ଣ ?”

 

ମୋ କାନ ପାଖକୁ ମୁହଁ ଆଣି ଝିଅଟି କହିଥିଲା, “ଡାହାଣୀ ଭୟ ।”

 

ଗଳା ଭିତରୁ ଗୋଟିଏ ଅର୍ଦ୍ଧସ୍ଫୁଟ ଶବ୍ଦ ଉଠି ଆସିଥିଲା, “ଡାହାଣୀ !”

 

ଝିଅଟି ଏଥର ଆଉ କିଛି କହିଲାନି ।

 

ତାପରେ ଆମେ ଗେଟ୍ ପାଖରେ ପହଞ୍ଚି ଯାଇଥିଲୁ । ଟିକେଟ ମାଗିବା ପାଇଁ ସେଠି କେହି ନ ଥିଲେ । ଟିକେଟ କଲେକ୍ଟର କିମ୍ବା ଷ୍ଟେସନ ମାଷ୍ଟର ଏ ଶୀତ ରାତିରେ ନିଶ୍ଚୟ ମୋଟା ଆବରଣ ତଳର ଉଷ୍ମ ଆରାମରେ ଟିକିଏ ନିଶ୍ଚିନ୍ତ ନିଦରେ ଶୋଇ ପଡ଼ିଥିବେ । ଶେଷ ଗାଡ଼ିର ଯାତ୍ରୀଙ୍କ ମଧ୍ୟରୁ କେତେଜଣ ଫାଙ୍କି ଦେଇ ପଳେଇଲେ, ସେ ସମ୍ୱନ୍ଧରେ ସେମାନଙ୍କର ଆଦୌ ଦୁର୍ଭାବନା ନଥିଲା । ସେମାନେ ବୋଧହୁଏ ବିଶ୍ୱାସ କରୁଥିଲେ, କେତୁଟା ବିନା ଟିକେଟ ଯାତ୍ରୀ ଏତେବଡ଼ ରେଲୱେ ବିଭାଗକୁ କାଙ୍ଗାଳ କରିଦେଇ ପାରିବେନି ।

 

ଷ୍ଟେସନର ଠିକ୍ ବାହାରେ କିଛିଟା ଖୋଲାଜାଗା ରହିଚି । ଦିନବେଳେ ଏଠାରେ ସାଇକେଲ ରିକ୍‍ସା ଆଉ ଖଣ୍ଡେ ପୁରୁଣା ମଡ଼େଲର ଧଦଧଡ଼ିଆ ଟାଉନ୍‍ବସ୍ ଠିଆ ହୋଇଥାଏ । ଏଠିକାର ବାହାନ ବୋଇଲେ ଏଇ କେତେଖଣ୍ଡ ରିକ୍‍ସା ଆଉ ଟାଉନ୍‍ବସ୍ ଖଣ୍ଡିକ । ଶୀତୁଆ ରାତି ଅଧରେ କିନ୍ତୁ କାହାରି ଦେଖା ନ ଥିଲା । ଜାଗାଟା ଏକାବେଳେ ଖାଲି ।

 

ଏକାବେଳେ ଖାଲି କହିଲେ ଭୁଲ୍ ହେଇଯାଉଚି । ହଠାତ୍ ମୋ ଆଖିରେ ପଡ଼ିଥିଲା, ଜାଗାଟାର ଗୋଟାଏ କୋଣରେ ଖଣ୍ଡିଏ ଘୋଡ଼ାଗାଡ଼ି ଠିଆ ହେଇଚି । ଧଳା ଫରଫର ଘୋଡ଼ାଟା କେଶର ଝୁଲେଇ ଆଗରେ ଗୋଡ଼ କଚାଡ଼ୁଥିଲା ।

 

ଏହା ଆଗରୁ ଆଉ ଗୋଟିଏ ଘୋଡ଼ାଗାଡ଼ି ଦେଖିଚି, ସେଇଟା ମନୁଙ୍କର । ଛାପୁରିଆ ଅନ୍ଧାରରେ ବି ମନେ ହେଉଥିଲା, ସବୁ ଦିଗରୁ ଏ ଘୋଡ଼ାଗାଡ଼ିଟା ଖୁବ୍‍ ବେଶି ଅଭିଜାତ, ସୁଦୃଶ୍ୟ ।

 

ରାତିର ଏ ତୃତୀୟ ପ୍ରହରରେ ଏ ଜନଶୂନ୍ୟ ଷ୍ଟେସନରେ ହଠାତ୍‍ କେଉଁଠାରୁ ଘୋଡ଼ାଗାଡ଼ିଟା ଆସିଲା, ମୋଟେ ଭାବିପାରୁ ନ ଥିଲି । ସବୁଗୁଡ଼ାକ ଯେମିତି ଅଲୌକିକ ଭଳି ମନେ ହେଉଥିଲା ।

 

ପାଖରୁ ଝିଅଟି ଡାକିଥିଲା, “ଆସନ୍ତୁ–”

 

କମ୍ପିତ ଗଳାରେ କହିଥିଲି; “କୁଆଡ଼େ ?”

 

“ଆପଣଙ୍କର ଭାରି ବଦ ଅଭ୍ୟାସ ଦେଖୁଚି, ସବୁ କଥାରେ ଗୋଟାଏ ପଚାରିବା ଦରକାର ହେଉଚି । ମୁଁ ଡାକୁଚି ଚାଲି ଆସିବେ, ଏହା ଭିତରେ ‘କୁଆଡ଼େ, କାହିଁକି’, ଏ ସବୁ କହିଲେ ଭାରି ରାଗ ଲାଗେ ।’ ଝିଅଟିର ଗଳାରେ ବିରକ୍ତିର ଆଭାସ ଥିଲା । “ପଚାରିବା, ଯୁକ୍ତି କରିବାଟାକୁ ମୁଁ ମୋଟେ ପସନ୍ଦ କରେନି ।

 

ମୁହୂର୍ତ୍ତକ ଭିତରେ ବୁଝି ପାରିଥିଲି, ଏଇ ଝିଅଟାକୁ ଘେରି ବଳୟ ଭଳି ଗୋଟାଏ ବିଶାଳ ବ୍ୟକ୍ତିତ୍ଵ ରହିଚି କିମ୍ବା ସାମ୍ରାଜ୍ଞୀର ଅହଂକାର ।

 

ସେ ଯାହା କହିବ, ସେଇ ଗୋଟାକ ଚୂଡ଼ାନ୍ତ; ତା ଉପରେ ଆଉ କେହି କଥା କହି ପାରିବେନି । କ୍ରୀତଦାସଙ୍କ ଭଳି ତାର ଆଦେଶ ପାଳନ କରିବା ଆଉ ସମସ୍ତଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେବ । ନ ହେଲେ ସେ ଆସନ୍ତୁଷ୍ଟ ହେବ, ବିରକ୍ତ ହେବ, କ୍ଷୁଣ୍ଣ ହେବ ।

 

ମୋର କଣ ହେଇଥିଲା, କହିପାରିବିନି । ସତ୍ତା ଭିତରେ କୌଣସି ଗୋଟାଏ ପ୍ରବେଶ କରି ସାରିଥିଲା, ସେ କଥା ବି ଜାଣେନି । କ୍ରୀତଦାସ ଭଳି ସେ ଅପରିଚିତା ରହସ୍ୟମୟୀର ପଛେ ପଛେ ଚାଲିବା ଆରମ୍ଭ କରି ଦେଇଥିଲି ।

 

ଗୋଟାଏ ଅଦୃଶ୍ୟ ଆକର୍ଷଣରେ ଟାଣି ହେଇ ହେଇ ଯେମିତି ଚାଲିଥିଲି । ତାଛଡ଼ା ଯେମିତି ମୋର ଅନ୍ୟ କୌଣସି ଗତି ନ ଥିଲା । ଝିଅଟି ଏକାବେଳେ ଘୋଡ଼ାଗାଡ଼ି ପାଖକୁ ଯାଇ ଡାକିଥିଲା, “କାଦର–କାଦର–” ।

 

ସଙ୍ଗେ ସଙ୍ଗେ ଘୋଡ଼ାଗାଡ଼ିର ଦ୍ଵାର ଖୋଲିବା ଶବ୍ଦ ଶୁଣା ଯାଇଥିଲା । ଧଡ଼ପଡ଼ ହୋଇ ଗାଡ଼ି ଭିତରୁ ଯେଉଁ ଲୋକଟା ବାହାରି ଆସିଲା, ଅନ୍ଧାରରେ ବି ତାକୁ କଚୁଆନ ବୋଲି ଚିହ୍ନିବାରେ ଅସୁବିଧା ହୋଇନି ।

 

ଝିଅଟି ପଚାରିଥିଲା, “ଶୋଇଥିଲ ?’’

 

କାଦର ଯେ ଶୋଇଥିଲା, ସନ୍ଦେହ ନାହିଁ । ସେ ପର୍ଯ୍ୟନ୍ତ ତା ଆଖିରୁ ନିଦ ଛାଡ଼ି ନ ଥିଲା-। ଜଡ଼ିତ ସ୍ଵରରେ ସେ କହିଥିଲା, “ହ–”

 

“କେତେବେଳୁ ଷ୍ଟେସନକୁ ଆସିଲେଣି ?

 

“ସାଢ଼େ ସାତଟା ବେଳୁ ।”

 

“ତା’ ହେଲେ ତ ଅନେକ ବେଳୁ ଆସି ଅପେକ୍ଷା କରିଚ !”

 

“ହୁଁ, ମାଆ ପଠେଇଦେଲେ । କହିଥିଲେ ଆପଣ ଆଠଟା ପନ୍ଦରରେ ଯୋଉ ଗାଡ଼ି ଆସୁଚି ସେଥିରେ ଫେରିବେ ।”

 

“ସେଇ ଗାଡ଼ିରେ ତ ଫେରିବା କଥା ଥିଲା, କିନ୍ତୁ ଷ୍ଟେସନକୁ ଆସୁ ଆସୁ ଗାଡ଼ିଟା ଛାଡ଼ିଦେଲା । ଧରି ପାରିଲିନି I ସେ ଗାଡ଼ିଟା ଛାଡ଼ିବା ପରେ ଆଉ କୌଣସି ଗାଡ଼ି ନ ଥିଲା । ବାଧ୍ୟ ହୋଇ ଏ ଶେଷ ଗାଡ଼ିରେ ଫେରିଲି ।”

 

ଗୋଟାଏ ବିଷୟରେ କୌତୁକବୋଧ କରୁଥିଲି । ଝିଅଟି ବି ଗାଡ଼ି ଫେଲ ହୋଇଥିଲା । ମୁଁ ମଧ୍ୟ ସେଇୟା । ଭାଗ୍ୟ ଏ ଦିଗରୁ ଆମ ଦୁହିଙ୍କର ମେଳ ଘଟେଇ ଦେଇଥିଲା । କେବଳ କଣ ଶୀତ ରାତିରେ ଗାଡ଼ି ଫେଲ ହେବା ଘଟଣାରେ, ଆହୁରି ଅନେକ ଦିଗରୁ ଆମମାନଙ୍କର ମେଳ ହୋଇଥିଲା । ସେ ବିଷୟ ଆଉ କାହିଁକି !

 

କାଦର କହିଥିଲା, “ମୋର ବି କିଛି କାମ ନ ଥିଲା । ଭାବିଲି, ଶେଷ ଗାଡ଼ିଟା ଦେଖିଦେଇ ଯିବି । ଶେଷ ଗାଡ଼ିଟା ତ ଆଉ ଘଣ୍ଟାଏ ଅଧ ଘଣ୍ଟାଏ ଭିତରେ ଆସୁନି, ଆସୁ ଆସୁ ରାତି ଅଧକୁ ଗଡ଼ିଯିବ । ଏଣେ ଆଉ କଣ କରିବି, ବାହାରେ ଭାରି ଥଣ୍ଡା ପଡ଼ୁଥିଲା । ତେଣୁ ଭିତରେ ପଶି ଝରକା କବାଟ ବନ୍ଦ କରି ବସିଥିଲି । ବସୁ ବସୁ କେତେବେଳେ ଟିକିଏ ଶୋଇପଡ଼ିଚି, ଖିଆଲ ନାହିଁ, ଆପଣ କେତେବେଳୁ ଡାକୁଚନ୍ତି ?”

 

“କେତେବେଳୁ ଆଉ କଣ ? ଏଇ ତ ବର୍ତ୍ତମାନ ଆସିଲି । ତା ଛଡ଼ା ଗୋଟାଏ ଡାକରେ ତମେ ଉଠିପଡ଼ିଲ । ଶୋଇପଡ଼ି ଭଲ କରିଥିଲ । ଦିଅ, ଚାଲ ଏଥର ।”

 

ଘୋଡ଼ାଗାଡ଼ିଟା କୋଉଠୁ ଆସିଲା, କାହିଁକି ଏଠାରେ ଠିଆ ହେଇଚି ପ୍ରଭୃତି ଅନେକ ପ୍ରଶ୍ନ ଟିକିଏ ଆଗରୁ ମତେ ଚିନ୍ତିତ କରି ପକେଇଥିଲା । ସେଇଟା ଯେ ମୋର ସଙ୍ଗିନୀ ପାଇଁ ଅପେକ୍ଷା କରିଥିଲା, ସେ ସମ୍ବନ୍ଧରେ ବର୍ତ୍ତମାନ ଆଉ ମୋ ମନରେ ସଂଶୟ ନ ଥିଲା ।

 

ଝିଅଟି ମୋଆଡ଼େ ଚାହିଁ କହିଥିଲା, “ଉଠନ୍ତୁ–”

 

ପ୍ରାୟ ଚିତ୍କାର କରି ଉଠିଥିଲି ବୋଧହୁଏ, “କୁଆଡ଼େ, ଏଇ ଗାଡ଼ିରେ ?”

 

“ଗାଡ଼ିଟା ଛଡ଼ା ବର୍ତ୍ତମାନ ଏଠାରେ ତ ଆଉ କିଛି ନାହିଁ, ଯେଉଁଥିରେ କି ଆପଣଙ୍କୁ ଉଠିବାକୁ କହିବି । ଆଉ ଡେରି କରନ୍ତୁ ନି, ଆଉ କିଛି ସମୟ ଥଣ୍ଡାରେ ଠିଆ ହୋଇ ରହିଲେ କାଠ ହୋଇଯିବେ ।”

 

“କିନ୍ତୁ–”

 

“ଆପଣଙ୍କୁ ଆଉ ପାରି ହେଲାନି ।”

 

ମୁଁ ଆଉ ବାଧା ଦେଇପାରିନି । ମୋର ଶକ୍ତି ଯେମିତି ନିଃଶେଷିତ ହୋଇ ଯାଇଥିଲା । ଧମନୀର ଫେଣାୟିତ ରକ୍ତ ସ୍ରୋତରେ କଳରୋଳ ଶୁଣୁଶୁଣୁ ସାମ୍ରାଜ୍ଞୀର ଆଦେଶରେ ମୁଁ ଅନୁରକ୍ତ ପ୍ରଜାଭଳି ଘୋଡ଼ାଗାଡ଼ିରେ ଯାଇ ବସିଥିଲି । ମୁଁ ବସିବା ପରେ ଝିଅଟି ଗାଡ଼ିରେ ଉଠି ଠିକ୍ ମୋ ଆଗରେ ବସିଥିଲା । ମନେ ହେଇଥିଲା ସମସ୍ତ ଭବିଷ୍ୟତ, ସବୁ ସତ୍ତା ଆଉ ଅସ୍ତିତ୍ଵ ତା ହାତରେ ସମର୍ପି ଦେଇ ମୁଁ ଘୋଡ଼ାଗାଡ଼ିରେ ଉଠିଥିଲି ।

 

କାଦର ଯାଇ କଚୁଆନ ଆସନରେ ବସିଥିଲା । ଘୋଡ଼ା ପିଠିରେ ଚାବୁକ ବସେଇବାକୁ ଗଲାବେଳେ ମୋର ସଙ୍ଗିନୀ ଡାକିଥିଲା, “ଆଚ୍ଛା କାଦର–”

 

ଉପରୁ କାଦର ଜବାବ ଦେଇଥିଲା, “ଜୀ–”

 

“ଆଜି ଉପର ବେଳା ତମେ ଘରେ ଥିଲ ?”

 

“ଜୀ ।”

 

“ସଭା ଲାଗିଥିଲା ?”

 

“ହଁ, ତେବେ ଆଗଦିନ ଭଳି ନୁହେଁ ।”

 

“କାହିଁକି ?”

 

“ଆପଣ ପରା ନ ଥିଲେ !”

 

“କବି ଗଙ୍ଗାଧର ଆସିଥିଲେ ?”

 

“ଜୀ ।”

 

“ବ୍ୟବସାୟୀ ପହଲି ସାହୁ ?”

 

“ଜୀ ।”

 

“ବାରିଷ୍ଟର ଚୌଧୁରୀ ?”

 

“ସମସ୍ତେ ଆସିଥିଲେ ।”

 

ଝିଅଟି କୋଉଠି ରହେ, କବି ଗଙ୍ଗାଧର କିମ୍ବା ପହଲି ସାହୁ ଅଥବା ବାରିଷ୍ଟର ଚୌଧୁରୀ–ଏମାନେ କିଏ ସେ ? କୋଉଠି ଆଜି ସଭାଟା ଭଲରେ ହୋଇପାରିଲାନି ପ୍ରଭୃତି ନାନା ବିଷୟରେ ଦୁର୍ବାର କୌତୂହଳ ବୋଧ କରିଥିଲି । କିନ୍ତୁ ଏ ସବୁ ବିଷୟରେ ପଚାରିବା ଉଚିତ ମନେ ହେଇନି, ତେଣୁ ମୁଁ ଚୁପଚାପ୍ ବସିଥାଏ ।

 

ସଙ୍ଗିନୀ ଏଥର କଚୁଆନକୁ ନିର୍ଦ୍ଦେଶ ଦେଇଥିଲା, “ଗାଡ଼ି ଚଲାଅ, କାଦର–”

 

ସଙ୍ଗେ ସଙ୍ଗେ ସାଇଁ କରି ଘୋଡ଼ା ପିଠିରେ ଗୋଟାଏ ଚାବୁକ ବସିଥିଲା ଏବଂ ଗାଡ଼ିଟା ଧାଇଁବାରେ ଲାଗିଥିଲା ।

 

ଷ୍ଟେସନ ବାହାରୁ ଗୋଟାଏ ଚଉଡ଼ା ରାସ୍ତା ସିଧା ପଶ୍ଚିମଆଡ଼କୁ ଲମ୍ବି ଯାଇଚି । ଘୋଡ଼ାଗାଡ଼ିଟା ସେଇ ରାସ୍ତା ଧରି ଆଗେଇ ଯାଉଥିଲା ।

 

ମୋର ଯୌବନରେ ସେ ରାସ୍ତାଟା ତୁଣ୍ଡୁଳି ଟାଉନର ଧମନୀ ଭାବରେ ଗଣା ଯାଉଥିଲା-। ତାର ଦୁଇ ପାଖରେ ଦୋକାନ, ବଜାର, ଥାନା, କଚେରୀ, ଡାକଘର ପ୍ରଭୃତି ରହିଥିଲା-। ଯାଉ ଯାଉ ଥରେ ଅଧେ ବାହାରଟାକୁ ଦେଖି ନେଉଥିଲି । ଏତେ ଶୀତୁଆ ରାତି ଅଧରେ ଦୋକାନ ବଜାର କେତେବେଳୁ ବନ୍ଦ ହେଇଗଲାଣି । ରାସ୍ତାଟା ଜନଶୂନ୍ୟ, ଏମିତି କି ଅନାଥ କୁକୁରଗୁଡ଼ାକ ବି କୋଉଠି ଦେଖାଯାଉ ନଥିଲେ । ଶୀତର ଅସହ୍ୟ ରାତି ଟିକିଏ ଉତ୍ତାପ ପାଇ ସେମାନଙ୍କୁ କୋଉଠି କୋଉ ସନ୍ଧି କନ୍ଧିକି ପଠେଇ ଦେଇଚି, କିଏ କହିବ ।

 

ଏ ରାସ୍ତଟାକୁ ଛାଡ଼ି ଦେଲେ ଏଠାରେ ଶ୍ୱାସରୁଦ୍ଧ, ଅଙ୍କା ବଙ୍କା, ମୋଡ଼ଧରା ଆହୁରି ଗୁଡ଼ାଏ ଛୋଟ ଗଳି ମଧ୍ୟ ଅଛି । କେବଳ ଗଳି ହେଲେ କିଛି କଥା ନ ଥିଲା, ଉପଶିରା ଭଳି ତା ଦେହରୁ ଆହୁରି ସଂକୀର୍ଣ୍ଣ ଏବଂ ସରୁ ରାସ୍ତା ସବୁ ବାହାରିଚି ।

 

ତୁଣ୍ଡୁଳି ଟାଉନଟା ଯେମିତି ଏ କାଳର କୌଣସି ସହର ନୁହେଁ, ଆଦିମ କାଳର ପ୍ରାଚୀନ ନଗରୀ । ଏହାର ସବୁ କିଛି ପୁରୁଣା । ଘରଦ୍ଵାର ଧ୍ୱଂସସ୍ତୂପ ବୋଲି ମନେ ହେଇପାରେ ।

 

ଯାହା ହେଉ ଆମେ ଆଗେଇ ଯାଉଥିଲୁ । ଅନ୍ଧାରିଆ ରାସ୍ତାର ଦୁଇ ପାଖରେ ରୂପ ରାଇଜ ଭଳି ମିଟିମିଟିଆ କିରାସିନି ବତୀ ଜଳୁଥିଲା, ସେଇଟା ଆଉ କୋଉ ଜଳିବାରେ ଲେଖା । ଶୀତର ଘନ କୁହୁଡ଼ି ଆଉ ଅନ୍ଧାର ସେମାନଙ୍କର ଆଖିଗୁଡ଼ାକ ପ୍ରାୟ ଅନ୍ଧ କରି ଦେଇଥିଲା । ହେମାଳ ପବନ ଚାବୁକ ଭଳି ପିଚ୍ ପିଚ୍ ହେଇ ଦୂରନ୍ତ ବେଗରେ ଉତ୍ତରରୁ ଦକ୍ଷିଣକୁ ବୋହି ଯାଉଥିଲା ।

 

ରାସ୍ତାର ଦୁଇ ପାଖରେ କେବଳ କିରାସିନୀ ବତୀ ଖୁଣ୍ଟ ନୁହେଁ, ଧାଡ଼ି ବନ୍ଧା ନିସ୍ତବ୍‍ଧ ଘରଗୁଡ଼ାକ ଯେମିତି ନିଶ୍ଵାସ ବନ୍ଦ କରି ଠିଆ ହେଇଥିଲେ । ସେମାନେ ଯେମିତି କିଛି ଗୋଟାଏ ପ୍ରତୀକ୍ଷା କରିଥିଲେ, କଣ ସେ ପ୍ରତୀକ୍ଷା ?

 

ଏଇ ରାସ୍ତା ଉପରେ ଦେଇ ଯାଉ ଯାଉ ମୋର ମନେ ହେଇଥିଲା, କେବେ ଦିନେ ଯେମିତି ଏଠାରେ ମୁଖର ଜୀବନସ୍ରୋତ ଥିଲା । ଚିରଦିନ ପାଇଁ ସେଇଟା ବୋଧହୁଏ ସ୍ତବ୍‍ଧ ହେଇ ଯାଇଚି । ପୁଣି ମନେ ହେଉଥିଲା, ଗୋଟାଏ ବିଚିତ୍ର ଯାନରେ ଚଢ଼ି ମୁଁ ଆଉ ଅପରିଚିତା ସଙ୍ଗିନୀଟି ପାତାଳର ଅତଳ ଅନ୍ଧକାରରେ କୌଣସି ଗୋଟାଏ ନିର୍ଜନ ପରିତ୍ୟକ୍ତ ନଗରରେ ଘୂରି ବୁଲୁଚୁ ।

 

କିଛି ସମୟ ପରେ ସଙ୍ଗିନୀଟି ଡାକିଥିଲା, “ନରସିଂହ ବାବୁ–”

 

ଚମକି ପଡ଼ି ଝରକା ବାହାରୁ ଦୃଷ୍ଟି ଫେରାଇ ଆଣିଥିଲି ।

 

ସଙ୍ଗିନୀ କହିଥିଲା, “ଆପଣଙ୍କ ସମ୍ୱନ୍ଧରେ ଅନେକ କଥା ଶୁଣିଚି ।”

 

କଣ ସେ ଶୁଣିଚି ଜାଣେନି । ଏଥର ବି କିଛି ନ କହି ଉନ୍ମୁଖ ହୋଇ ଚାହିଁ ରହିଥିଲି ।

 

“ଯାହାକୁ କହନ୍ତି ଭଲ ପିଲା, ଆପଣ ହେଲେ ସେଇ, ବିଡ଼ି ଖାଆନ୍ତି ନି, ସିଗାରେଟ ଖାଆନ୍ତି ନି, କୌଣସି ପ୍ରକାର ନିଶା ନାହିଁ, ଫାଜଲାମୀ ନାହିଁ । ସ୍କୁଲରେ ଥିବା ବେଳେ ସତ୍‍ ଚରିତ୍ର ପାଇଁ ସବୁଗୁଡ଼ା ପ୍ରାଇଜ୍ ପାଇଚନ୍ତି ।”

 

ସେଇ ପୁରୁଣା ବିସ୍ମୟଟା ପୁଣି ମୋଠାରେ ଦେଖା ଦେଇଥିଲା । କେଉଁ ଅଲକ୍ଷ୍ୟରେ ବସି କିଭଳି ଭାବରେ ମୋ ସମ୍ୱନ୍ଧରେ ଏତେ ଖବର ସଂଗ୍ରହ କଲା ?

 

ସଙ୍ଗିନୀ ପୁଣି କହିଥିଲା, “ଯାହାକୁ କହନ୍ତି, ଏକାବେଳେ ଖାଣ୍ଟି ସୁନା, ତେବେ–”

 

“କଣ ?” ଏତେ ସମୟ ପରେ ମୋର ପାଟି ଫିଟିଥିଲା ।

 

“ଅନୁମାନ କରୁଚି, ଆପଣଙ୍କର ବୋଧହୁଏ ଗୋଟାଏ ନିଶା ଅଛି ।”

 

“ନିଶା !”

 

“ହଁ–ହଁ; ନିଶା ଛଡ଼ା ଆଉ କଣ ?”

 

ଆଗ୍ରହରେ ଅନେକଟା ଝୁଙ୍କିପଡ଼ି ପଚାରିଥିଲି, “ଆପଣଙ୍କ କଥା ଠିକ୍ ଭାବରେ କିଛି ବୁଝି ପାରିଲିନି ।”

 

“ବୁଝେଇ ଦେଉଚି ।” ସଙ୍ଗିନୀଟି ବି ମୋଆଡ଼କୁ ଝୁଙ୍କି ପଡ଼ିଥିଲା, ଫୁସ୍ ଫୁସ୍ କରି କହିଥିଲା, “ଝଡ଼ ହେଉ, ବର୍ଷା ହେଉ, ଶୀତ ହେଉ କି ଖରା ହେଉ, ବାରମାସ ଧରି ଶନିବାରର ଶେଷ କ୍ଲାସଟା ସାରି ଆପଣଙ୍କର ଦଳେଇଘାଟ ଧାଇଁବା ଦରକାର । ଏଇୟା ନା ?”

 

“ହଁ, କିନ୍ତୁ–”

 

ବାଧା ଦେଇ ସଙ୍ଗିନୀ ସାଙ୍ଗେ ସାଙ୍ଗେ କହିଥିଲା, “ଆପଣ କଣ କହିବାକୁ ଇଚ୍ଛା କରୁଚନ୍ତି, ବୁଝିଚି । ଶନିବାର ଦିନ ଘରକୁ ଧାଇଁବା ସଙ୍ଗେ ନିଶାର ସମ୍ପର୍କ କଣ, ଏଇୟା ତ ?”

 

ମୁଁ କହିଥିଲି, “ହଁ ।”

 

ସହଚରୀ କହିଥିଲା, “ଏ ବି ଗୋଟାଏ ପ୍ରକାରର ନିଶା । ମାତାଲମାନେ ଯେମିତି ସମୟ ହେଲେ ମଦ ଖଟିକୁ ଧାଆନ୍ତି, ଆପଣ ବି ସେମିତି ଶନିବାରର ଗାଡ଼ି ଧରନ୍ତି ।”

 

ମୁଁ କିଛି କହି ନ ଥିଲି । ଟ୍ରେନରେ ଏ ଝିଅଟିକୁ ମାୟାବିନୀ ବୋଲି ଭାବୁଥିଲି । ଘୋଡ଼ାଗାଡ଼ିରେ ବସି ଯାଉ ଯାଉ ମନେ ହେଇଥିଲା, ସେ ଯେମିତି ଅନ୍ତର୍ଯ୍ୟାମୀ । ନ ହେଲେ ଶନିବାର ଦିନ ଗାଡ଼ି ଧରିବା ଅଲକ୍ଷ୍ୟରେ ଯେ ଗୋଟାଏ ନିଶାର ପ୍ରତିକ୍ରିୟା ରହିଚି, ଆଉ ସେଇ ନିଶାଟା ଯେ ମୋର ସତ୍ତାରେ ସଦାବେଳେ ସଞ୍ଚରିତ, ସେ କଥାଟା ତା ପକ୍ଷେ ଜାଣିବା କେମିତି ସମ୍ଭବ ହୁଅନ୍ତା ?

 

ମନେ ପଡ଼ୁଚି ଏଥର ଆଉ ଝିଅଟି କିଛି କହି ନ ଥିଲା । ମୁଁ ମଧ୍ୟ ଆସ୍ତେ ଆସ୍ତେ ଝରକା ବାହାରକୁ ଦୃଷ୍ଟିଟା ଫେରାଇ ନେଇଥିଲି ।

 

ଚଉଡ଼ା ରାସ୍ତା ଉପରେ ଫଟାଫଟ୍ ଶବ୍ଦ କରି ଘୋଡ଼ାଟା ଧାଇଁବାରେ ଲାଗିଥାଏ । ପବନରେ ତାର ଧ୍ୱନି ତରଙ୍ଗ ଦୋଳି ଖେଳି ଖେଳି କ୍ରମଶଃ ଦୂରକୁ ଦୂରକୁ ଖେଳି ଯାଉଥିଲା । ଅନାୟାସରେ ଭାବି ପାରିଥାନ୍ତି, ମଧ୍ୟ ଯୁଗର ଉଦ୍ଧତ ଦିଗ୍‍ବିଜୟୀ ଭଳି ମୁଁ କୌଣସି ଗୋଟାଏ ପରାଜିତ ଜନଶୂନ୍ୟ ରାଜ୍ୟ ଭିତରେ ଘୂରି ବୁଲୁଛି । ଏଠିକାର ସବୁ ମଣିଷଗୁଡ଼ାକ ଲାଞ୍ଛନା ଏବଂ ଅତ୍ୟାଚାର ଭୟରେ ଆଗରୁ ପଳେଇ ଯାଇଚନ୍ତି ।

 

ଭାବି ପାରିଥାଆନ୍ତି କିନ୍ତୁ ଭାବିନି । ଏଥର ତାର ରୋମାଞ୍ଚକର କଳ୍ପନାକୁ ପ୍ରଶ୍ରୟ ଦେଲାଭଳି ସମୟ ସେଇଟା ନୁହେଁ, ମୁଁ କେବଳ ଏଇ ଝିଅଟି ସାଙ୍ଗରେ ଟ୍ରେନର ଡବାରେ ବିଚିତ୍ର ଭାବରେ କଥାବାର୍ତ୍ତା ହେବା ପରେ ଘୋଡ଼ାଗାଡ଼ିରେ ଆସିବା ପର୍ଯ୍ୟନ୍ତ ଆମୂଳଚୂଳ ସମସ୍ତ ଘଟଣା ମନେ କରିବାକୁ ଚେଷ୍ଟା କରୁଥିଲି । ନିର୍ଜନ ହେମାଳ ରାତିରେ ମୋର ସତ୍ତାକୁ କୁହୁକିତ କରି ସେ ମତେ କୁଆଡ଼େ ନେଇ ଯାଉଚି ? ଥରେ ଭାବିଥିଲି, ଘୋଡ଼ାଗାଡ଼ି ଭିତରୁ ଡ଼େଇଁପଡ଼ି ପଳେଇଯିବି । ପଳେଇବାର ଉଦ୍ୟମ କରିବାକୁ ଯାଇ ଦେଖିଚି, ଅଦୃଶ୍ୟ ଶିକୁଳିରେ ମୁଁ ଆବଦ୍ଧ ହୋଇ ପଡ଼ିଚି । କୌଣସି କୁହୁକମନ୍ତ୍ର ବଳରେ ସେଇ ରହସ୍ୟମୟୀ ନିଶୀଥଚାରିଣୀ ମୋର ପଳେଇ ଯିବା ଶକ୍ତିଟାକୁ ନିର୍ଜୀବ କରି ଦେଇଥିଲା ନା କଣ ?

 

ହଠାତ୍ ଝିଅଟି ଡାକିଥିଲା, “ନରସିଂହ ବାବୁ–”

 

ବାହାରୁ ଦୃଷ୍ଟି ଫେରାଇ ଆଣି ଝିଅଟିଆଡ଼େ ଚାହିଁ ପଚାରିଥିଲି, “କଣ କହୁଚନ୍ତି ?”

 

ଗଳାର ସ୍ୱରରେ ଟିକିଏ ବିଚିତ୍ର ଟାଣ ଦେଇ ସେ କହିଥିଲା, “ପ୍ରତି ସପ୍ତାହରେ ଏମିତି ଦଳେଇଘାଟ ଧାଇଁଚନ୍ତି କାହିଁକି ? ସେଠି କିଏ ଅଛି ?”

 

“ମୋର ବୋଉ, ଅଜା, ଆଈ, ଭାଇ ଭଉଣୀମାନେ–”

 

“ଉହୁଁ–”

 

“କଣ ?”

 

“ଅଜା, ଆଈ, ମାଆ, ଭାଇ ଭଉଣୀଙ୍କ ପାଇଁ ଏମିତି ତ କେହି ଧାଏଁନି ।”

 

“କଣ କହୁଛନ୍ତି ଆପଣ !” ମୁଁ ଆଶ୍ଚର୍ଯ୍ୟ ହେଇ ଯାଇଥିଲି ।

 

“ଅଜା–ଆଈମାନଙ୍କ ଛଡ଼ା ଏମିତି କେହି ଆଉ ଜଣେ ଅଛି, ଯାହା ପାଇଁ ଆପଣ ଏମିତି ଭାବରେ ଦଳେଇଘାଟ ଧାଉଁଚନ୍ତି ।”

 

ମୁଁ ଚମକି ପଡ଼ିଥିଲି, ଝିଅଟି ମାନସୀ କଥା ବି ଜାଣେ ନା କଣ ? ପର ମୁହୂର୍ତ୍ତରେ ଭାବିଥିଲି, ମୋ ସମ୍ବନ୍ଧରେ ଏତେ ଖବର ଯିଏ ରଖିବ, ସେ କଣ ଆଉ ମାନସୀ କଥା ଜାଣି ନ ଥିବ-? କିଛି ଗୋଟାଏ କହିବା ପାଇଁ ଯାଉଥିଲି, କହି ପାରିଲିନି ।

 

ଅନ୍ଧାରରେ ବି ମୋ ମୁହଁର ପ୍ରତିକ୍ରିୟା ବୋଧହୁଏ ଝିଅଟି ଲକ୍ଷ୍ୟ କରିଥିଲା । କହିଥିଲା, “ଏ କଣ, ଏମିତି ଚମକିପଡ଼ିଲେ ଯେ !”

 

ମୁଁ ଚୁପ୍ ।

 

ହଠାତ୍ ମୋର ସଙ୍ଗିନୀ ଶୀତ ରାତିର ମଧ୍ୟ ପ୍ରହରକୁ ଚମକିତ କରି ହସି ଉଠିଥିଲା । ଏହା ପୂର୍ବରୁ ଆଉ ଥରେ ତାର ହସ ଶୁଣିଥିଲି । ସେତେବେଳେ ମନେ ହେଉଥିଲା, ସୁମଧୁର ତାଳରେ ଜଳତରଙ୍ଗ ବାଜି ଯାଉଚି । ଏଥର ମନେ ହେଉଥିଲା, ଜଳତରଙ୍ଗ ନୁହେଁ ତାର ବିଶିଷ୍ଟ କୌଣସି ଯନ୍ତ୍ର ଯେମିତି ବାଜୁଚି ।

 

ଦୂରନ୍ତ ଝଡ଼ ଭଳି ସେ ଉଦ୍ଦାମ ହସ ଟିକିଏ ସ୍ତିମିତ ହେଇ ଆସିବାରୁ ସଙ୍ଗିନୀ ପଚାରିଥିଲା, “କହୁ ନାହାନ୍ତି ସେ କିଏ ?”

 

ମୁଁ ଏଥର ବି ନିରୁତ୍ତର ।

 

ନିଶୀଥର ସହଚରୀ ଆଦରରେ ଅନ୍ତରଙ୍ଗ ସ୍ଵରରେ ପୁଣି ପଚାରିଥିଲା, “ତାର ନାଆଁ କଣ, ନରସିଂହ ବାବୁ ?”

 

ଏଥର ମଧ୍ୟ ପାଟିବନ୍ଦ କରି ବସିଥିଲି ।

 

“କଣ କହିବେନି ?” କପଟ ଅଭିମାନରେ ସଙ୍ଗିନୀର କଣ୍ଠସ୍ୱର ତରଙ୍ଗିତ ହେଇଥିଲା । ଓଠ ଦୁଇଟା ସ୍ଫୁରିତ ହୋଇ ବୋଧହୁଏ ଥରୁଥିଲା । ଅନ୍ଧାରରେ କିଛି ଜାଣି ପାରି ନଥିଲି ।

 

ତାପରେ ଅନେକ ସମୟ ଚୁପ୍‍୍ଚାପ୍ କଟିଯାଇଥିଲା । ଘୋଡ଼ା ଟାପୁର ସମତାଳରେ ଲଗାୟତ ଫଟାଫଟ ଶବ୍ଦ ଛଡ଼ା ପୃଥିବୀ ସେତେବେଳେ ସ୍ତବ୍‍ଧ, ନିଶ୍ଚଳ, ନିର୍ଜୀବ । ସମୟ ଯେମିତି ସେଇ ଶୀତ ରାତିରେ ସମସ୍ତ ଗତି ଆଉ ସ୍ରୋତ ହରେଇ ନିଷ୍ପନ୍ଦ ହୋଇ ଯାଇଥିଲା ।

 

ବାହାରକୁ ଚାହିଁ ରହୁ ରହୁ ହଠାତ୍ ମୋର କଣ ହେଇଥିଲା, ଆଜି ଆଉ ମନେ ନାହିଁ, ନିଜର ଅଜ୍ଞାତରେ ବୋଧହୁଏ କହିଥିଲି, “ଆଚ୍ଛା–”

 

ମୋଆଡ଼େ ଚାହିଁ ଝିଅଟି ପଚାରିଥିଲା, “କଣ କହୁଚନ୍ତି ?”

 

“ହଁ–”

 

“କହୁ ନାହାଁନ୍ତି–”

 

ଟିକିଏ ଇତସ୍ତତଃ ହୋଇ ପଚାରିଥିଲି, “ଆପଣ ଏମିତି ପ୍ରତିଦିନ ଶେଷ ଗାଡ଼ିରେ ଆସନ୍ତି ନା କଣ ?”

 

“କାହିଁକି ?” ଝିଅଟିର ସ୍ଵରରେ ଟିକିଏ ବିସ୍ମୟ ଦେଖାଦେଇଥିଲା ।

 

“ଏମିତି ପଚାରୁଥିଲି ।”

 

ଏଥର ଝିଅଟି ହସି ଉଠିଥିଲା । ସକୌତୁକରେ କହିଥିଲା, “ମୁଁ ଶେଷ ଗାଡ଼ିରେ ଆସିଲେ ଆପଣଙ୍କର କିଛି ସୁବିଧା ହେବ ନା କଣ ?”

 

ମୁଁ ଥଙ୍ଗ ଥଙ୍ଗ ହୋଇ କହିଥିଲି, “ସୁବିଧା ଆଉ କଣ ?”

 

“ସେ କଥା ଆପଣ ଜାଣିଥିବେ ।”

 

କଣ ଉତ୍ତର ଦେବି ବୋଲି ସେତେବେଳେ କିଛି ଭାବି ପାରି ନ ଥିଲି ।

 

ଝିଅଟି ପୁଣି କହିଥିଲା, “ପ୍ରତିଦିନ ତ ମୁଁ ବାହାରେ । ଗଲେ କିନ୍ତୁ ସନ୍ଧ୍ୟା ଗାଡ଼ିରେ ଫେରିଆସେ । କଦବା କେମିତି ଦିନେ ଅଧେ ଗାଡ଼ି ଯଦି ଫେଲ୍ ହେଇଯାଏ, ତା’ହେଲେ ଶେଷ ଗାଡ଼ି ଧରିବାକୁ ବାଧ୍ୟହୁଏ ।

 

ଗୋଟାଏ ଝୁଙ୍କରେ ଶେଷ ଗାଡ଼ି କଥାଟା ପଚାରି ଦେଇଥିଲି । କିନ୍ତୁ ପ୍ରକୃତରେ ଝିଅଟି କୁଆଡ଼େ ଯାଏ, କାହିଁକି ଯାଏ, ଗଭୀର ନିଶୀଥରେ ଏକା ଏକା କାହିଁକି ତାର ଏ ରହସ୍ୟମୟ ସଞ୍ଚରଣ–ଏ ସବୁ ସମ୍ବନ୍ଧରେ ଆଉ କୌଣସି କଥା ପଚାରିଲିନି । ପଚାରିବାଟା ସଙ୍ଗତ ବା ଶୋଭନୀୟ ବୋଲି ମନେ ହେଲାନି ।

 

ଏହାପରେ ଆଉ କଣ କଣ କଥାବାର୍ତ୍ତା ହୋଇଥିଲା, ଏତେକାଳ ପରେ ଆଉ ମନେ ନାହିଁ । ସ୍ମୃତିର ଏଇ ସ୍ଥାନଟା ଏକାବେଳେ ଅନ୍ଧାରିଆ । ତେବେ ଗୋଟାଏ କଥା ମୋର ପରିଷ୍କାର ମନେପଡ଼ୁଚି । ଯେତେବେଳେ ମନେ ହେଉଥିଲା, ଘୋଡ଼ା ଗାଡ଼ିରେ ଶୀତର ଏଇ କୁହୁଡ଼ି ଘେରା ରାତିରେ ରହସ୍ୟମୟୀ ଯାଦୁକରୀର ସଙ୍ଗେ ସେ ଯାତ୍ରାଟା ଶେଷ ହେବନି–ଯେତେବେଳେ ମନେ ହେଇଥିଲା ଯେ ରାସ୍ତା ଆଉ ଶେଷ ହେବନି । ଅଜ୍ଞାତ ଭାଗ୍ୟଚକ୍ର ବିଚିତ୍ର ଗତିରେ ଗଡ଼ି ଗଡ଼ି ମତେ କୁଆଡ଼େ ଟାଣି ଟାଣି ନେଉଥିବାର ଯେତେବେଳେ ବୁଝିପାରୁ ନ ଥିଲି, ଠିକ୍ ସେତିକିବେଳେ ଝିଅଟିର କଣ୍ଠସ୍ୱର ଶୁଣା ଯାଇଥିଲା । ମତେ ଲକ୍ଷ୍ୟ କରି ନୁହେଁ, କଚୁଆନ ଉଦ୍ଦେଶ୍ୟରେ କହିଥିଲା, “ଆଗର ସେ ବତୀଖୁଣ୍ଟଟା ପାଖରେ ଟିକିଏ ରଖିବ, କାଦର ।”

 

ଉପରୁ ଥାଇ କାଦର ଜବାବ ଦେଉଥିଲା, “ଆଚ୍ଛା ଜୀ ।”

 

ବତୀ ଖୁଣ୍ଟଟା ବେଶି ଦୂରରେ ନ ଥିଲା । ତେଣୁ ଟିକିଏ ପରେ ଘୋଡ଼ାଗାଡ଼ି ଖଣ୍ଡକ ଠିଆ ହୋଇପଡ଼ିଥିଲା । ଝିଅଟି ଏଥର ମତେ କହିଥିଲା, “ଆପଣଙ୍କର ହଷ୍ଟେଲ ହୋଇଗଲା ନରସିଂହ ବାବୁ–”

 

ଚମକିପଡ଼ି ଝରକା ଫାଙ୍କରେ ଚାହିଁଥିଲି । ପ୍ରକୃତରେ ଆମେ ଏହା ମଧ୍ୟରେ କେତେବେଳେ କଲେଜ ହଷ୍ଟେଲ ପାଖେ ପହଞ୍ଚି ଯାଇଚୁ, ମୋର ଖିଆଲ ନ ଥିଲା ।

 

ଯାହାହେଉ, ଝିଅଟିର କଥାରେ ଗୋଟାଏ ପ୍ରଚ୍ଛନ୍ନ ଇଙ୍ଗିତ ଥିଲା । ଅର୍ଥାତ୍ ମତେ ଓହ୍ଲାଇବାକୁ ହେବ । ଗାଡ଼ିର ଦ୍ଵାର ଫିଟାଇ ମୁଁ ବି ଓହ୍ଲାଇ ପଡ଼ିଥିଲି ।

 

ଝିଅଟି କହିଥିଲା, “ଯାଉଚି ତାହାଲେ, ନମସ୍କାର–”

 

ମୁଁ ମଧ୍ୟ ଭଦ୍ରତା ଖାତିରିରେ ହାତ ଦୁଇଟା ଯୋଡ଼ିବାକୁ ଯାଉଥିଲି, ଆଉ ଠିକ୍ ସେତିକିବେଳେ ଗୋଟାଏ କଥା ମନେପଡ଼ି ଯାଇଥିଲା । ଝିଅଟିର ମୁହଁଆଡ଼େ ଚାହିଁ କହିଥିଲି, “ଦେଖନ୍ତୁ–”

 

“କଣ କହୁଚନ୍ତି ?”

 

“ହଁ ।”

 

ଆପଣଙ୍କ ସଙ୍ଗେ ଏତେ ଗୁଡ଼ାଏ ବାଟ ଆସିଲି, ଅଥଚ ଆପଣଙ୍କର ପରିଚୟଟା ଏ ପର୍ଯ୍ୟନ୍ତ–” ଏତିକି କହି ବାକ୍ୟଟା ଅସମ୍ପୂର୍ଣ୍ଣ ରଖି ଦେଇଥିଲି ।

 

ମୋର ନ କହିବା କଥା ଭିତରେ ପ୍ରଶ୍ନଟା ଥିଲା । ସେଇଟା ବୁଝିବାରେ ଅସୁବିଧା ହେବାର କଥା ନୁହେଁ । ଝିଅଟି କହିଥିଲା, “ମୋର ପରିଚୟ ଜାଣିବାକୁ ଇଚ୍ଛା କରୁଚନ୍ତି ?”

 

“ହଁ ।”

 

“ଆଚ୍ଛା ନରସିଂହ ବାବୁ–” ମୋ ପ୍ରଶ୍ନର ଉତ୍ତର ନ ଦେଇ ଝିଅଟି ଏକାବେଳେ ଅଲଗା ପ୍ରସଙ୍ଗକୁ ଚାଲି ଯାଇଥିଲା, “ଏ ଟାଉନରେ ଆପଣ କେତେବର୍ଷ ହେଲା ଅଛନ୍ତି ?”

 

ଆକସ୍ମିକ ଏଇ ବିଚିତ୍ର ପ୍ରଶ୍ନରେ ଟିକିଏ ଇତସ୍ତତଃ ହେଇ ପଡ଼ିଥିଲି । ମନେ ମନେ ହିସାବ କରି କହିଥିଲି, “ଦୁଇ ବର୍ଷରୁ ସାମାନ୍ୟ ବେଶି ହେବ । ଇଣ୍ଟରମିଡ଼ିୟେଟରେ ଦୁଇ ବର୍ଷ, ଆଉ ତୃତୀୟ ବର୍ଷର କେତେଟା ମାସ–କାହିଁକି କହନ୍ତୁ ତ ?”

 

“ପ୍ରାୟ ଅଢ଼େଇ ବର୍ଷ ହେଲା ଆପଣ ଏଠାରେ ଅଛନ୍ତି ଅଥଚ ମୋର ପରିଚୟ ଜାଣି ନାହାନ୍ତି ? ଆଶ୍ଚର୍ଯ୍ୟ !” ସାମାନ୍ୟ ହସି କହିଥିଲା, ‘ନାଃ, ପ୍ରକୃତରେ ଆପଣ ଖୁବ୍ ଭଲ ପିଲା ।”

 

ମୁଁ ଚୁପ୍ ।

 

ଝିଅଟି କହିବାରେ ଲାଗିଥିଲା, “ଏ ଟାଉନରେ ମୁଇଁ ଏକମାତ୍ର ଝିଅ ଯିଏକି ଏଭଳି ଭାବରେ ରାତି ଅଧରେ ଡାହାଣୀ ଭଳି ବୁଲିପାରେ । କେବଳ ଏଇ ଟାଉନରେ ନୁହେଁ, ଏ ଜିଲ୍ଲାରେ ବି ବୋଧହୁଏ ଏଭଳି ଅନ୍ୟ କୌଣସି ଝିଅ ବୁଲିପାରେନି ।”

 

ମୁଁ ନିରୁତ୍ତର ।

 

ପୁଣି ଝିଅଟି କହିଥିଲା, “ଅଢ଼େଇ ବର୍ଷ ହେଲା ଅଛନ୍ତି, ଅଥଚ ମୋ କଥା ଶୁଣି ନାହାଁନ୍ତି ! ପ୍ରକୃତରେ ଆଶ୍ଚର୍ଯ୍ୟ କଥା । କାନରେ ଠପି ଦେଇ ବୁଲନ୍ତି ନା କଣ ?”

 

କ୍ଷୀଣ କମ୍ପିତ ଗଳାରେ କହିଥିଲି, “ମାନେ ?”

 

“ମାନେ, ଏଠିକି ଯେ କେହି ଆସୁନା କାହିଁକି, ଦୁଇଦିନ ରହିବା ପରେ ମୋର ଖବର ପାଇଯିବ । କିନ୍ତୁ ଅଢ଼େଇ ବର୍ଷ ରହି ବି ଆପଣ କିଛି ଜାଣିଲେନି । ଏଇଟା ମୋର ଦୁର୍ଭାଗ୍ୟ କହିବାକୁ ହେବ ।”

 

ଏଥର ମଧ୍ୟ ମୋ ମୁହଁରେ କଥା ନ ଥିଲା ।

 

ଝିଅଟି କହିଯାଉଥିଲା, “ମୋ ମୁହଁରୁ ପରିଚୟ ଦେବା ଦରକାର ନାହିଁ । ଯଦି କୌତୂହଳ ହୁଏ ତାହେଲେ ମୋତେ ଖୋଜିବେ । ଆଉ ମୋ ସମ୍ବନ୍ଧରେ ଯଦି ମନରେ କୌଣସି କୌତୂହଳ ନ ଥାଏ, ପରିଚୟ ଜାଣି ଲାଭ କଣ ?”

 

ଆଚ୍ଛନ୍ନ ଭାବରେ କହି ପକେଇଥିଲି, “ନାଆଁ ଜାଣିନି, ଠିକଣା ଜାଣିନି ଆପଣଙ୍କୁ ଖୋଜିବି କେମିତି ?”

 

ଫୁସଫୁସ ହୋଇ ଝିଅଟି କହିଥିଲା, “ଯେବେ ଏତେ ଟିକିଏ ଇଚ୍ଛା ଥାଏ ତାହେଲେ ନାଆଁ ଠିକଣା ନ ଜାଣିଥିଲେ ବି ଖୋଜି ବାହାର କରିପାରିବେ । ଆଉ ସେଇ ଖୋଜିବାଟା ତ ପ୍ରକୃତ ଖୋଜିବା । ସେଥିରେ ଯଦି ମନ ନ ମାନେ, ଏ ଟାଉନର ବାସିନ୍ଦାମାନଙ୍କୁ ପଚାରିବେ, ଯେଉଁ ଝିଅଟା ରାତିରେ ଘୋଡ଼ାଗାଡ଼ିରେ ବସି ନିଶାଚରୀ ଭଳି ବୁଲୁଥାଏ, ସେ କିଏ ?” ଟିକିଏ ରହି ପୁଣି କହିଥିଲା, “ଅନେକ ଗୁଡ଼ାଏ ରାତି ହୋଇଗଲାଣି, ଯାଉଚି ଏଥର । ଆଚ୍ଛା ନମସ୍କାର ।”

 

“ନମସ୍କାର ।”

 

କଚୁଆନ ଉଦ୍ଦେଶ୍ୟରେ ଏଥର ସେ କହିଥିଲା, “ଗାଡ଼ି ଚଲାଅ, କାଦର ।”

 

ବିରାଟକାୟ ଘୋଡ଼ାଟା ଧାଇଁବା ଆରମ୍ଭ କରିଥିଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଘୋଡ଼ାଗାଡ଼ିଟା ରାସ୍ତାର ଦୂର ବାଙ୍କରେ ଗାଢ଼ କୁହୁଡ଼ି ଭିତରେ ବିଲୀନ ହୋଇଯାଇଥିଲା ।

 

ତାପରେ ବି ବିହ୍ୱାଳଙ୍କ ଭଳି ମୁଁ ଅନେକ ସମୟ ଠିଆ ହୋଇଥିଲି । ଭାବି ପାରୁ ନ ଥିଲି, ଯେଉଁ ଅନାୟାସଗାମିନୀ ମାୟାବିନୀ ନିଜର ଅପାର ରହସ୍ୟରୁ ସାମାନ୍ୟ ଟିକିଏ ଉନ୍ମୋଚନକରି ବାକି ସବୁତକ ଆବୃତ୍ତ ରଖି ଅଦୃଶ୍ୟ ହୋଇଗଲା, ସେ କିଏ ?

 

କୋଡ଼ିଏ

 

ତାପରେ ଗୋଟାଏ ସପ୍ତାହ କିଭଳି ଭାବରେ କଟିଥିଲା, ଏବେ ବି ମୋର ମନେ ଅଛି । ସ୍ନାୟୁଗୁଡ଼ାକ ସଦାବେଳେ ଝିମ୍ ଝିମ୍ ହେଉଥାଏ । ଉଠିଲେ, ବସିଲେ, ଚାଲିଲେ, ବୁଲିଲେ ସବୁବେଳେ ନିଶାଚ୍ଛନ୍ନ ଅନ୍ୟମନସ୍କ ଥିଲି । ପଢ଼ା ବହି ନେଇ ଖୋଲି ବସେ ସତ; କିନ୍ତୁ ଅକ୍ଷର ଗୁଡ଼ାକ ମୋଟେ ଦେଖି ପାରେନି । କ୍ଲାସରେ ଅଧ୍ୟାପକମାନେ କଣ କହନ୍ତି ବୁଝିପାରେନି । ଦିନ-ରାତି ମୋର ସମସ୍ତ ସତ୍ତା କୁହୁକିତ, ବିଚିତ୍ର ସମ୍ମୋହନରେ ବିହ୍ୱଳ ।

 

ମନେ ହେଉଥିଲା, କିଏ ଯେମିତି ମୋ ହାତଧରି ଗାଢ଼ ବର୍ଣ୍ଣମୟ ଗୋଟାଏ ସ୍ଵପ୍ନ ଭିତରକୁ ଫିଙ୍ଗି ଦେଇଥିଲା । ତା ଭିତରର ଗୋଟାଏ ଗଭୀରତମ ପ୍ରଦେଶକୁ ମୁଁ ଧୀରେ ଧୀରେ ବୁଡ଼ି ଯାଉଥିଲି । ମୋର ଚାରି ପାଖରେ ଜଗତ ସେତେବେଳକୁ ତାର ଅସଲ ରୂପଛାଡ଼ି କେମିତି ଗୋଟାଏ ରଙ୍ଗୀନ୍ ହେବାକୁ ଆରମ୍ଭ କରି ଦେଇଥିଲା, ଟଳମଳ ହେଉଥିଲା ।

 

ମନୁ ମୋର ପ୍ରାଣର ବନ୍ଧୁ, ଗୋଟାଏ ବସାରେ ରହୁ । ତିନିଥର ଡାକିଲେ ସେ ଥରେ ବୋଧହୁଏ ଉତ୍ତର ପାଉଥିଲା । ତା ଆଖିରେ ମୋର ଭାବାନ୍ତର ପଡ଼ି ଯାଇଥିଲା ।

 

ସେ ପଚାରିଥିଲା, “ତୋର କଣ ହେଇଚି କହିଲୁ, ଡାକିଲେ ଜବାବ୍ ଦେଉନୁ କାହିଁକି ?”

 

ବିବ୍ରତ ବୋଧ କରିଥିଲି । ଜୋର୍ କରି ହସି କହିଥିଲି, “କାଇଁ, କିଛି ହେଇନି ତ ।”

 

ମନୁ ଖୁବ୍ ପାଖକୁ ଆଗେଇ ଆସି ତୀକ୍ଷ୍‍ଣ ଦୃଷ୍ଟିରେ ମତେ ନିଠେଇ ନିଠେଇ ଦେଖୁ ଦେଖୁ କହିଥିଲା, “କିଛି ହେଇନି, କହିଦେଲେ ହେଇଗଲା !” ନିଶ୍ଚୟ ହେଇଚି, ଦିନରାତି କଣ ଏତେ ଭାବୁଚୁ କହିଲୁ–”

“ଆରେ ନାଇଁ–ନାଇଁ, କିଛି ଭାବୁନି । ତୋର ଦେଖିବାର ଭୁଲ ।”

“ମୋର ଭୁଲ୍ ହେଇ ନ ପାରେ ।”

ମୁଁ କଣ କହିବି, ଭାବିପାରେନି । ଜୋର୍ କରି ଉଡ଼େଇ ଦେବାର ଚେଷ୍ଟା କଲେ କଣ ହେବ, ମନୁ ଆଖିରେ ଯେ ଧରାପଡ଼ି ଯାଇଚି, ସେଥିରେ ଆଦୌ ସନ୍ଦେହ ନ ଥିଲା । ତେଣୁ ମନେ ମନେ ଅସ୍ଵସ୍ତିବୋଧ କରୁଥିଲି ।

ମନୁ ପୁଣି ପଚାରିଥିଲା, “ଆଚ୍ଛା, ଗୋଟାଏ ସତ କଥା କହିବୁ ?”

ଡରି ଡରି ପଚାରିଥିଲି, “କଣ ?”

“ଏଥର ଦଳେଇଘାଟ ଯାଇ ମାନସୀ ସାଙ୍ଗେ କଣ ଗଣ୍ଡଗୋଳ ଲଗେଇ ଆସିଚୁ ନା କଣ ?”

କେମିତି ଭାବରେ ତାକୁ ବୁଝେଇବି, ମାନସୀ ସାଙ୍ଗେ ମୋର କିଛି ହେଇନି । ମୁଁ ଯେ ଦୂରମନସ୍କ ହୋଇପଡ଼ିଚି, ମୋ ଉପରେ ଯେଉଁ ଭିନ୍ନ ଭାବର ଛାୟା ପଡ଼ିଚି, ତାର କାରଣ ମାନସୀ ନୁହେଁ । ସେ ଅନ୍ୟଜଣେ । ନିଶୀଥଚାରିଣୀ ସେ ମାୟାବିନୀକୁ ମୁଁ ଚିହ୍ନେନି, କି ତାର ନାଆଁ ଜାଣେନି-। ତେବେ ମୋର ଅସ୍ତିତ୍ୱର ସମସ୍ତ ଦିଗରୁ ଯେ ଦୂରନ୍ତ ଝଡ଼ ବୁହାଇ ଦେଇଥିଲା, ସେଥିରେ ଅଣୁମାତ୍ର ସନ୍ଦେହ ନ ଥିଲା । କିନ୍ତୁ ସେକଥା ମନୁକୁ କହିବାର ନୁହେଁ । କେବଳ କହିଥିଲି, “ଆରେ ନାଇଁମ, ମାନସୀ ସଙ୍ଗେ ଗଣ୍ଡଗୋଳ ହେବ କାହିଁକି ?”

ମନୁ ଆଉ କିଛି କହି ନ ଥିଲା, ତେବେ ତାର ଦୁଇ ଆଖି ଆଉ ମନ ଯେ ସନ୍ଦିଗ୍‍ଧ ହେଇ ରହିଥିଲା, ସେଥିରେ ସନ୍ଦେହ ନାହିଁ । ଆଉ ତା ପାଖରୁ ମୁଁ ସଦାବେଳେଆଡ଼େଇଆଡ଼େଇ ହୋଇ ରହୁଥିଲି ।

ମୋର ଭାବାନ୍ତର କେବଳ ମନୁ ନୁହେଁ, ଅଧ୍ୟାପକଙ୍କ ପାଖରେ ବି ଧରାପଡ଼ି ଯାଇଥିଲା-। ଭଲ ଛାତ୍ର ହିସାବରେ ଅଧ୍ୟାପକମାନଙ୍କର ଦୃଷ୍ଟି ସଦାବେଳେ ମୋ ଉପରେ ଆସି ପଡ଼ୁଥିଲା-। ପଢ଼େଇଲା ବେଳେ ସେମାନେ ଏଭଳି ଭାବରେ ଚାହିଁ ରହିଥାଆନ୍ତି, ଯେଉଁଥିରେ ମନେହୁଏ ସାରା କ୍ଲାସରେ ମୁଁ ଇ ଏକମାତ୍ର ଛାତ୍ର; ମୋ ଛଡ଼ା ଯେମିତି ଆଉ କେହି ନାହାନ୍ତି ।

ମନେଅଛି, ଅନର୍ସ କ୍ଲାସର ଜଣେ ଅଧ୍ୟାପକ କହିଥିଲେ, “ତମର ଦେହ କଣ ଭଲ ନାହିଁ ନରସିଂହ ?”

“ମୁଁ ବିବ୍ରତ ହେଇ କହିଥିଲି, “ଭଲ ଅଛି ତ ସାର୍ ।”

“ତମେ ଭାରି ଅନ୍ୟମନସ୍କ ଦେଖାଯାଉଚ ।

ମୁଁ କୌଣସି ଉତ୍ତର ନ ଦେଇ ଚୁପ୍‍ଚାପ ତଳକୁ ମୁହଁ ପୋତି ବସିଥିଲି ।

 

ଯାହାହେଉ, ମୁଁ ଭାବି ପାରୁ ନ ଥିଲି, ସେଦିନ ରାତିରେ ସତରେ ସେଇ ବିଚିତ୍ର ଝିଅଟି ସଙ୍ଗେ ଶେଷ ଗାଡ଼ିରେ ଆସି ତୁଣ୍ଡୁଳି ଟାଉନ ଷ୍ଟେସନରେ ଓହ୍ଲାଇ ଘୋଡ଼ାଗାଡ଼ିରେ ସାମନା ସାମନି ବସି ହଷ୍ଟେଲକୁ ଆସିଥିଲି କି ନାଇଁ ? ମୋର ଅବଚେତନରେ କଣ ଏଭଳି ଗୋଟିଏ ମୋହିନୀର କାମନା କେଉଁଠି ସୁପ୍ତ ଥିଲା ଏବଂ ସେଇ ଅକାଂକ୍ଷାଟା ମତେ ଗୋଟାଏ ରମଣୀୟ ସ୍ଵପ୍ନ ଦେଖେଇଚି, ଆଉ ସେଇ ମିଥ୍ୟା ଅଳିକ ମଧୁର ସ୍ୱପ୍ନଟାକୁ ସତ ଭାବି ମୁଁ ଆଚ୍ଛନ୍ନ ହେଇଥିଲି ?

 

ସ୍ଵପ୍ନ ଚ୍ଛନ୍ନ ହେଇ ଯାହାକୁ ଦେଖିଥିଲି, ଘୋଡ଼ାଗାଡ଼ିରେ ବସି ନିର୍ଜନ କୁହୁଡ଼ିଘେରା ରାତିରେ ଯିଏ ଆଣି ମତେ ହଷ୍ଟେଲ ପାଖରେ ଓହ୍ଲାଇ ଦେଇ ଯାଇଥିଲା–ଦିନବେଳେ କଣ ତାକୁ ଦେଖି ପାରିବା ସମ୍ଭବ ? ନିଶାର ସ୍ଵପ୍ନ ହେଇ ଯିଏ ମୋ ପାଖକୁ ଆସିଥିଲା, ସେ ଅବଶ୍ୟ କହିଥିଲା, ଯଦି ଟିକିଏ ହେଲେ ଇଚ୍ଛା ଥାଏ, ଅବଶ୍ୟ ତାକୁ ଖୋଜି ବାହାର କରିପାରିବି, କିନ୍ତୁ ଏ ଟାଉନ୍ ଭିତରେ କିଏ ମତେ ତାର ଠିକଣା କହିଦେବ ? କାହାକୁ ଯାଇ ପଚାରିବି ଯେ, ଯେଉଁ ମାୟାବିନୀ ସାଙ୍ଗେ ଟ୍ରେନରେ ଆଉ ଘୋଡ଼ାଗାଡ଼ିରେ ବିହାର କରିବୁଲିଚି ସେ କିଏ, କୋଉଠୁ ତା ଖବର ପାଇବି-?

 

ପ୍ରଥମତଃ ଯାହାର ନାଆଁ କହି ପାରିବିନି, ବଂଶ ପରିଚୟ ଦେଇ ପାରିବିନି, ତାର ସନ୍ଧାନ କରିବାକୁ ଯିବା ନିହାତି ବାତୁଳତା । ତା ଛଡ଼ା ବାସ୍ତବରେ ଯାହାର ଅସ୍ତିତ୍ଵ ସମ୍ବନ୍ଧରେ ମୋ ନିଜ ମନରେ ସଂଶୟ ଥିଲା, ତାକୁ କୋଉଠି ଖୋଜିବାକୁ ଯିବି ?

 

ତାର ଅସ୍ତିତ୍ଵହୀନତା ପ୍ରମାଣ କରିବା ପାଇଁ ଚାରିକରେ ଯୁକ୍ତିର ଅସଂଖ୍ୟ ଖୁଣ୍ଟ ପୋତିଥିଲି ତଥାପି ତ ଆଚ୍ଛନ୍ନତା କଟୁ ନ ଥିଲା । ରାତିର ମଧ୍ୟ ପ୍ରହରରେ କ୍ଷଣକପାଇଁ ଦେଖାଦେଇ ମୋର ଆତ୍ମାକୁ ସେ ବୋଧହୁଏ ଦଖଲ କରି ନେଇଥିଲା । ତାର ଭାବନାରୁ କୌଣସି ପ୍ରକାରେ ନିଜକୁ ମୁକ୍ତ କରି ପାରୁ ନ ଥିଲି ।

 

ଦେଖୁ ଦେଖୁ ଗୋଟାଏ ସପ୍ତାହ କଟିଯାଇଥିଲା । ଶନିବାର ଦିନ କଲେଜ ଛୁଟିହେବା ପରେ ଦଳେଇଘାଟ ଯିବାପାଇଁ ଲୁଗାପଟା ବହିପତ୍ର ସଜାଡ଼ିବାରେ ଲାଗିଚି, ଏତିକିବେଳେ ଦ୍ଵାର ପାଖରେ କେହି ଜଣେ ଠିଆ ହେଲା ପରି ମନେହେଲା । ମୁହଁ ଉଠେଇ ଦେଖିଲି, ସତ୍ୟବ୍ରତ–ସତ୍ୟବ୍ରତ ବସ୍ତିଆ ।

 

ଆଗରୁ ଚିହ୍ନିଥିଲି । ସତ୍ୟବ୍ରତ ଆମରି କଲେଜରେ ପଢ଼େ । ତେବେ ଏକା କ୍ଲାସରେ ନୁହେଁ । ସେତେବେଳେ ସେ ଚତୁର୍ଥ ବାର୍ଷିକ କଳା ଛାତ୍ର । ଅବଶ୍ୟ ଏକା ହଷ୍ଟେଲରେ ଆମେମାନେ ରହିଥାଉ । କିନ୍ତୁ ଅଢ଼େଇ ବର୍ଷ ଭିତରେ ମାତ୍ର ଦୁଇ ଚାରି ଦିନରୁ ବେଶି କଥାବାର୍ତ୍ତା ହେଇନି, ସେ ବି ଖୁବ୍ ମାମୁଲି ପଦେ ଦିପଦ କଥା । ‘କେମିତି ଅଛନ୍ତି’– ‘ଏକପ୍ରକାର’ ଏମିତି କେତେ ପଦରୁ ଆଉ ଆଗକୁ ଗଡ଼ି ନ ଥିଲା । ସେଇଟା ସତ୍ୟବ୍ରତର ଦୋଷରୁ ନୁହେଁ, ମୋର ପୋତାମୁହାଁ ଲାଜୁଆ ସ୍ଵଭାବର ଦୋଷ । ଏଇ କେତେପଦ କଥା ସମ୍ପର୍କ ଗାଢ଼ କରିବା ପାଇଁ ଆଦୌ ଯଥେଷ୍ଟ ନୁହେଁ । ତେଣୁ ସତ୍ୟବ୍ରତ ସଙ୍ଗେ ମୋର ଅନ୍ତରଙ୍ଗତା ନ ଥିଲା ।

 

ସତ୍ୟବ୍ରତ ସୁଦୃଶ୍ୟ–ସୁପୁରୁଷ । କଲେଜ ଭିତରେ ସେ ଥିଲା ପ୍ରଥମ ଶ୍ରେଣୀର ସଉକିଆ ମଣିଷ । ଦିନ ଭିତରେ କେତେଥର ଯେ ସେ ପୋଷାକ ପରିବର୍ତ୍ତନ କରେ, ସେ କଥା କହିହେବନି-। ବାହାରର ସାଜସଜ୍ଜା ଆଉ ରୂପଯଦି ଆର୍ଥିକ ଅବସ୍ଥାର ପ୍ରତିଫଳନ ହୁଏ, ତାହାଲେ ଅନାୟାସରେ କହିହେବ ସତ୍ୟବ୍ରତ ନିଶ୍ଚୟ ଖୁବ୍ ବଡ଼ ଲୋକର ପୁଅ ।

 

ଆଗରୁ ସେ ଆଉ କେବେ ଆମ ରୁମକୁ ଆସି ନ ଥିଲା । ସତ୍ୟବ୍ରତକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇ ଯାଇଥିଲି । ଯେତେବେଳେ ଦେଖିଲି, ମୋଆଡ଼େ ଚାହିଁ ଓଠ ଚିପିଚିପି ସେ କେମିତି ଟିକିଏ ହସୁଚି, ସେତେବେଳେ ବିସ୍ମୟଟା ବଢ଼ିଯାଇଥିଲା ।

 

ମନେ ହେଉଥିଲା, ସେ କିଛି କହିବାକୁ ଇଚ୍ଛା କରୁଚି । ପଚାରିଥିଲି, “ମୋ ପାଖରେ କଣ କିଛି ଦରକାର ଅଛି ?”

 

“ଅଛି ।”

 

“କଣ ?”

 

ଉତ୍ତର ନ ଦେଇ ସତ୍ୟବ୍ରତ ପଚାରିଥିଲା, “ଭିତରକୁ ଯାଇ ପାରେ କି ?”

 

ଆଗରୁ ଏତିକି ଟିକିଏ ଭଦ୍ରତା କରିବା ଉଚିତ ଥିଲା । ଲଜ୍ଜିତ ବିବ୍ରତ ଭାବରେ କହିଥିଲି, “ହଁ–ହଁ, ଆସନ୍ତୁ ।”

 

ମନୁ ସେତେବେଳେ ନଥିଲା, ଦଳବଳ ଧରି ସେ ସେତେବେଳକୁ ଫୁଟବଲ୍ ଖେଳିବା ପାଇଁ ଚାଲିଯାଇଥିଲା । ଯାହା ହେଉ ସତ୍ୟବ୍ରତ ଘର ଭିତରକୁ ଆସି ମନୁର ବିଛଣା ଉପରେ ବସିଥିଲା ।

 

ତାଆଡ଼େ ଚାହିଁ ପଚାରିଲି, ‘‘କଣ କହୁଚନ୍ତି–”

 

“କହିବି, କିନ୍ତୁ ଏ କଣ ?”

 

“କଣ ?”

 

“ଲୁଗାପଟା ବହିପତ୍ର ସୁଟକେଶ ପ୍ରଭୃତି ସଜାଡ଼ୁଚନ୍ତି କାହିଁକି ? କୁଆଡ଼େ ଯିବେନା କଣ-?”

 

“ହଁ ।”

 

“କୁଆଡ଼େ ?”

 

“ଦଳେଇଘାଟ, ଆମ ଘରକୁ । ବର୍ତ୍ତମାନ ଯାଇ ସାଢ଼େ ଚାରିଟା ଗାଡ଼ି ଧରିବାକୁ ହେବ ।

 

“ଆରେ ହଁ–ହଁ, ଶୁଣିଚି ପ୍ରତ୍ୟେକ ଶନିବାର ଦିନ କଲେଜ ଛୁଟି ପରେ ଆପଣ ଘରକୁ ଯାଆନ୍ତି ।”

 

“ହଁ । ସେଠାରେ ଅଜା ଆଈ, ଭାଇ ଭଉଣୀମାନେ ଆଉ ବୋଉ ଅଛି । ସପ୍ତାହ ଶେଷରେ ଯାଇ ସେମାନଙ୍କ ସଙ୍ଗେ କିଛି ସମୟ କଟେଇ ଦେଇ ଆସେ ।”

 

“କିନ୍ତୁ...”

 

କିଛି ନ କହି ପ୍ରଶ୍ନବାଚକ ଦୃଷ୍ଟିରେ ତାକୁ ଚାହିଁଥିଲି ।

 

ସତ୍ୟବ୍ରତ କହିଥିଲା, “ଏ ଶନିବାରଟା ଦଳେଇଘାଟ ନ ଗଲେ କଣ ଚଳିବନି ?”

 

“କାହିଁକି କହନ୍ତୁ ତ ?”

 

“ସବୁ ଶନିବାର ତ ଯାଉଚନ୍ତି । ଏଇ ଶନିବାରଟା ଅନ୍ତତଃ ମୋ ପାଇଁ ନଷ୍ଟ କରି ଦେଉଚନ୍ତି ବୋଲି ଭାବନ୍ତୁ ।”

 

“ଆପଣ କଣ କହୁଛନ୍ତି, ମୁଁ ଠିକ୍ ବୁଝି ପାରୁନି ।”

 

“ବୁଝିପାରୁ ନାହାନ୍ତି ? ଆପଣ ହେଲେ ଖୁବ୍ ଭଲ ଛାତ୍ର, ଆପଣଙ୍କ ସଙ୍ଗେ ଆଜି ଦିନଟା କଟେଇବି ବୋଲି ଭାବିଚି । ଏପର୍ଯ୍ୟନ୍ତ ଭଲ ଭାବରେ ଚିହ୍ନା ପରିଚୟ ହେଇନି, ସେଇଟା ହେବ । ଆପଣଙ୍କ ସଙ୍ଗେ ବନ୍ଧୁତ୍ୱଟା ବି ହେଇଯିବ ।”

 

ଏତେ ଦିନ ହେଲା ତ ହଷ୍ଟେଲରେ ରହିଲିଣି, କିନ୍ତୁ ଆଗରୁ ତ ସତ୍ୟବ୍ରତର ଏମିତି କୌଣସି ଦିନ ଇଚ୍ଛା ହେଇ ନ ଥିଲା ! ତାର ଉଦ୍ଦେଶ୍ୟଟା କଣ ! ସେ ଯାହା ହେଉ, କହିଥିଲି, “ମତେ ଭଲ ଛାତ୍ର ବୋଲି ଆଉ ଲଜ୍ଜା ଦେବେନି । ତେବେ ଯେଉଁ ବନ୍ଧୁତ୍ଵ କଥାଟା କହିଲେ ସେ ଲୋଭ ମୋର ମଧ୍ୟ ଅଛି । କିନ୍ତୁ ଆଜି ମତେ କ୍ଷମା କରିବାକୁ ହେବ । ପ୍ରତ୍ୟେକ ଶନିବାର ଦିନ ଘରକୁ ଯାଏ, ହଠାତ୍ ଏଥର ନ ଗଲେ ସମସ୍ତେ ଖୁବ୍ ଚିନ୍ତିତ ହେଇପଡ଼ିବେ । ନ ଯିବା କଥାଟା ଆଗରୁ ଜଣେଇ ଦେଇଥିଲେ ଅବଶ୍ୟ କହିବାର କିଛି ନ ଥିଲା ।”

 

“କିନ୍ତୁ–”

 

“କହନ୍ତୁ–”

 

“ମୁଁ ଖୁବ୍ ଆଶା କରି ଆସିଥିଲି ନରସିଂହ ବାବୁ, ଗୋଟାଏ ପ୍ରୋଗ୍ରାମ ବି ଠିକ୍ କରିଥିଲି, ଆପଣଙ୍କୁ ସାଙ୍ଗରେ ନେଇ ଗୋଟାଏ ଜାଗାକୁ ବୁଲିବାକୁ ଯିବି । ଜାଗାଟା ଖୁବ୍ ମନୋରମ । ଆପଣଙ୍କୁ ବି ଭଲ ଲାଗିବ–”

 

କୁଣ୍ଠିତ ଭାବରେ କହିଥିଲି, “ମୁଁ ଖୁବ୍ ଲଜ୍ଜିତ ସତ୍ୟବ୍ରତ ବାବୁ, ଏ ସପ୍ତାହରେ କୌଣସି ପ୍ରକାର ସମ୍ଭବ ହେଉନି । ଯଦି କହିବେ, ତାହେଲେ ଆସନ୍ତା ଶନିବାର ଯାଇପାରେ । ବୋଉକୁ କହିଦେଇ ଆସିବି, ଆସନ୍ତା ଶନିବାର ଆଉ ଘରକୁ ଯିବିନି ।”

 

“ତାହେଲେ ଆଉ କଣ ହେବ, ଯାଉଚି ତେବେ ।” ସତ୍ୟବ୍ରତ ଉଠି ଦ୍ୱାରଆଡ଼େ ଆଗେଇ ଯାଇଥିଲା ।

 

ପ୍ରଥମରୁ ମୋର ମନେ ହେଉଥିଲା, ସତ୍ୟବ୍ରତ କ୍ଷୁଣ୍ଣ ହେଇଚି । କିନ୍ତୁ ମୁଁ ନିରୁପାୟ । କିନ୍ତୁ ମୋର ଏ ଧାରଣାଟା ଯେ ନିଶ୍ଚିନ୍ତ ଭ୍ରାନ୍ତ ସେଇଟା ସଙ୍ଗେ ସଙ୍ଗେ ଜାଣିପାରିଲି । ଦ୍ଵାର ବାହାରେ ଗୋଟାଏ ଗୋଡ଼ ଦେଇ ସତ୍ୟବ୍ରତ ପୁଣି ଫେରିଆସି ଠିଆ ହେଇଥିଲା । ତା ମୁହଁରେ କ୍ଷୋଭର କୌଣସି ଚିହ୍ନ ନାହିଁ, ବରଂ ସେଇ ଓଠ ଚିପା ନିଃଶବ୍ଦ ହସଟା ଆହୁରି ଅର୍ଥମୟ ହୋଇ ଉଠିଥିଲା ।

 

ମନେ ମନେ ଆଶ୍ଚର୍ଯ୍ୟ ନ ହେଇ ରହି ପାରିଲିନି । ସତ୍ୟବ୍ରତର ଏ ହସର ଅର୍ଥ କଣ ? ଏହାଦ୍ଵାରା ସେ କଣ ବୁଝାଇବାକୁ ଇଚ୍ଛା କରୁଚି ? ସେ ହସ କି ଇଙ୍ଗିତ ବହନ କରୁଚି ? ବୁଝିପାରୁ ନ ଥିଲି । ଆଉ ବୁଝିପାରୁ ନ ଥିଲି ବୋଲି ଅସ୍ୱସ୍ତିଟା ସମ୍ଭବତଃ କ୍ରମଶଃ ସ୍ଫୀତ ଏବଂ ଫେଣାୟିତ ହୋଇ ଉଠୁଥିଲା ।

 

ସତ୍ୟବ୍ରତର ମୁହଁଆଡ଼େ ଚାହିଁ ରହି ସ୍ଖଳିତ ସ୍ଵରରେ ପଚାରିଥିଲି, “ଆଉ କଣ କିଛି କହୁଚନ୍ତି ?”

 

“ହଁ ।”

 

ବକ୍ଷ ଭିତରେ ଶଙ୍କାର ଅସ୍ତିତ୍ଵ ଅନୁଭବ କରୁ କରୁ ସତ୍ୟବ୍ରତ ଆଉ କଣ କହିବ ସେ ପ୍ରତୀକ୍ଷାରେ ରହିଥିଲି ।

 

ଫୁସଫୁସ୍ କରି ସତ୍ୟବ୍ରତ କହିଥିଲା, “ମୋ ସାଙ୍ଗରେ ଯାଇଥିଲେ ଭଲ ହେଇଥାଆନ୍ତା ନରସିଂହ ବାବୁ–”

 

କହିଥିଲି, “କିନ୍ତୁ–”

 

ଗଳା ଭିତରୁ ଆଉ କୌଣସି କଥା ବାହାରିବା ଆଗରୁ ସତ୍ୟବ୍ରତ କହିଥିଲା, “ମୁଁ ଆପଣଙ୍କୁ କୋଉଠି କି ନେଇ ଯାଇଥାଆନ୍ତି, ଜାଣନ୍ତି ?”

 

“କୋଉଠି କି ?”

 

“କହୁଚି । ତା ଆଗରୁ ମୋର କେତେଟା କଥାର ଉତ୍ତର ଦିଅନ୍ତୁ ତ ।”

 

“କୁହନ୍ତୁ ।”

 

“ଆଜି ତ ଶନିବାର, ଗଲା ଶନିବାର ଦିନ ଆପଣ କଣ କରିଥିଲେ ?”

 

“କାହିଁକି, କଲେଜ ଛୁଟି ପରେ ସାଢ଼େ ଚାରିଟା ଗାଡ଼ି ଧରି ଦଳେଇଘାଟ ଯାଇଥିଲି ।”

“ସେଠାରୁ କେବେ ଫେରିଥିଲେ ?”

 

“ତା ପର ଦିନ ।”

 

“ମାନେ, ରବିବାର ଦିନ ?”

 

“ହଁ, ପ୍ରତି ସପ୍ତାହରେ ଶନିବାର ଦିନ ଦଳେଇଘାଟ ଯାଇ ରବିବାର ସନ୍ଧ୍ୟା ସୁଦ୍ଧା ଏଠିକି ଫେରିଆସେ ।”

 

“ସନ୍ଧ୍ୟା ସୁଦ୍ଧା ଫେରି ଆସନ୍ତି ତ ?”

 

“ହଁ ।”

 

“ସେ ରବିବାର ଦିନ କଣ ସନ୍ଧ୍ୟାସୁଦ୍ଧା ଫେରିଥିଲେ ? ଭଲକରି ମନେ କରନ୍ତୁ ତ ?”

 

ମୁଁ ଚମକି ଉଠିଥିଲି, ଓଲଟ ପାଲଟ କରି ନାନା ପ୍ରକାର ପ୍ରଶ୍ନରେ ବିରୁଦ୍ଧ ପକ୍ଷର ଓକିଲ ଯେମିତି ଅସଲ କଥାଟା ବାହାର କରେ, ସତ୍ୟବ୍ରତର ସେମିତି କିଛି ଉଦ୍ଦେଶ୍ୟ ଅଛି ନା କଣ । ଥଙ୍ଗ ଥଙ୍ଗ ହୋଇ କହିଥିଲି, “ସେଦିନ ସନ୍ଧ୍ୟା ସୁଦ୍ଧା ଫେରି ପାରି ନ ଥିଲି, ଗାଡ଼ି ଫେଲ ହେଇଗଲି । ଏକଥା କାହିଁକି ପଚାରୁଚନ୍ତି କହନ୍ତୁ ତ ?

 

ସତ୍ୟବ୍ରତ ବୋଧହୁଏ ମୋ ପ୍ରଶ୍ନର ଉତ୍ତର ଦେବାଟା ଦରକାର ମନେକଲାନି, ବରଂ ସେ ଓଲଟି ପଚାରିଥିଲା, “ସେଦିନର ସବୁକଥା ଆପଣଙ୍କର ମନେଅଛି ?”

 

“ଅଛି ବୋଧହୁଏ, କାହିଁକି ?”

 

“ମନେ ପକାନ୍ତୁ ତ ଗାଡ଼ି ଫେଲ ହେଲାପରେ ଆପଣ କଣ କରିଥିଲେ ?”

 

ଜେରାରେ ତାର ଅତିଷ୍ଠ ହେଇ ପଡ଼ିଥିଲି । ବୋଧହୁଏ ବିରକ୍ତି ଆଉ ଗୋପନ ରଖି ପାରି ନ ଥିଲି । ସାମାନ୍ୟ ରୁକ୍ଷ ସ୍ଵରରେ କହିଥିଲି “କଣ ଆଉ କରିବି, ଷ୍ଟେସନରେ ବସିବସି ଶେଷକୁ ଲାଷ୍ଟ ଟ୍ରେନଟା ଧରିଥିଲି ।”

 

“ସେଦିନ ତାହେଲେ ଏତେଦିନର ନିୟମ ଭଙ୍ଗକରି ସନ୍ଧ୍ୟା ବଦଳରେ ରାତି ଅଧର ଗାଡ଼ିରେ ଆସିଥିଲେ–”

 

“ହଁ ।”

 

“ଏକା ଆସିଥିଲେ ?”

 

ମନୁର ଟେବୁଲ ଉପରେ ତାର ହାତ ଘଡ଼ିଟା ଥୁଆ ହେଇଥିଲା । ଉତ୍ତର ଦେବାକୁ ଯାଇ ହଠାତ୍ ସେଇଟା ମୋ ଦୃଷ୍ଟିରେ ପଡ଼ିଯାଇ ଥିଲା । ସେତେବେଳକୁ ଚାରିଟା ବାଜିଗଲାଣି । ଅର୍ଥାତ୍ ଆଉ ଅଧ ଘଣ୍ଟାଏ ପରେ ଦଳେଇଘାଟ ଯିବାପାଇଁ ମତେ ଗାଡ଼ି ଧରିବାକୁ ପଡ଼ିବ । ଷ୍ଟେସନକୁ ଯିବାପାଇଁ ବି କିଛି ସମୟ ଲାଗିବ । ତେଣୁ ମୁଁ ବ୍ୟସ୍ତ ହୋଇ କହିଥିଲି, “ଦେଖନ୍ତୁ, ସତ୍ୟବ୍ରତ ବାବୁ, ମୁଁ ଆଉ ଅପେକ୍ଷା କରିପାରୁନି । ଆଉ ଡେରିକଲେ ଗାଡ଼ି ଫେଲ୍ ହେବାକୁ ପଡ଼ିବ ।” କହି ଦ୍ରୁତଗତିରେ ସୁଟକେଶଟା ସଜଡ଼ା ସଜଡ଼ି କରି ତାଲା ପକେଇ ଉଠି ପଡ଼ିଥିଲି ।

 

ମୋର କଥା ଏବଂ ଭାବଭଙ୍ଗୀରେ ପରିଷ୍କାର ଇଙ୍ଗିତ ଥିଲା, ସତ୍ୟବ୍ରତଙ୍କୁ ବୁଝେଇ ଦେଇଥିଲି, ଆଉ ଅନର୍ଥକ ତା ସାଙ୍ଗେ ବକର ବକର ହେଇ ଗାଡ଼ି ଫେଲ ହୋଇପାରିବିନି । ମତେ ମୁକ୍ତି ଦେଇ ଏଥର ତାର ବିଦା ହୋଇଯିବା ଉଚିତ । କିନ୍ତୁ ଏତେ ସ୍ପଷ୍ଟ ଭାବରେ ବୁଝାଇବା ସତ୍ତ୍ୱେ ବି ସେ ଦ୍ଵାର ପାଖରୁ ଚଙ୍କି ନ ଥିଲା । ମୋର ଇଙ୍ଗିତ ସେ ବୁଝିପାରିଚି, ଏଭଳି କୌଣସି ଲକ୍ଷଣ ତାଠାରେ ଦେଖାଯାଉ ନ ଥିଲା ।

 

ସତ୍ୟବ୍ରତ କହିଥିଲା, “କାଇଁ ମୋ କଥାରେ ଉତ୍ତର ଦେଲେନି ତ ?”

 

ତାକୁଆଡ଼େଇଵା ପାଇଁ କହି ଦେଇଥିଲି, “ଏକୁଟିଆ ସେଦିନ ଫେରିଥିଲି ।”

 

“ଉହୁ–”

 

“କଣ ?”

 

“ସେଦିନ ଏକା ଫେରି ନ ଥିଲେ ।”

 

ମୋର ହୃତପିଣ୍ଡ ଭିତରେ ବିଜୁଳି ଚମକିଲା ଭଳି କଣ ଗୋଟାଏ ଯେମିତି ଶିରିଶିରି ହେଇ ବୋହିଯାଇଥିଲା । ବିଭ୍ରାନ୍ତଙ୍କ ଭଳି ସତ୍ୟବ୍ରତ କଥାର ପ୍ରତିଧ୍ୱନି କରି କହିଥିଲି, “ଏକାଫେରି ନ ଥିଲି !”

 

“ନା,”

 

“ତେବେ ?”

 

“ଆପଣଙ୍କ ସାଙ୍ଗରେ ଆଉ ଜଣେ ବି ଏ ଟାଉନ୍ ଯାଏ ଆସିଥିଲା ।”

 

ମୋର ସ୍ନାୟୁଗୁଡ଼ାକ ଝଙ୍କାର ଦେଇ ଉଠିଥିଲା, ବିହ୍ଵଳଙ୍କ ଭଳି ସତ୍ୟବ୍ରତ ମୁହଁକୁ ଚାହିଁ ରହିଥିଲି । କଣ କହିବା ଉଚିତ ସେଇଟା ସେତେବେଳେ ଅଣ୍ଡାଳି ଅଣ୍ଡାଳି ବି ପାଉ ନ ଥିଲି ।

 

ସତ୍ୟବ୍ରତ ଏଥର ଦ୍ଵାର ପାଖରୁ ଆଗେଇ ଆସି ମୋ କାନ୍ଧ ଉପରେ ତାର ହାତଦୁଇଟା ରଖି କହିଥିଲା, “କେବଳ ଆପଣମାନେ ଏକାଠି ଷ୍ଟେସନରେ ଓହ୍ଲାଇ ନ ଥିଲେ, ଗୋଟାଏ ଘୋଡ଼ାଗାଡ଼ିରେ ବସି ହଷ୍ଟେଲ ପର୍ଯ୍ୟନ୍ତ ଆସିଥିଲେ ।”

 

“କିନ୍ତୁ–” ମୋର ସ୍ତବ୍‍ଧ ଧମନୀ ଭିତରୁ ଏଥର ଶବ୍ଦଟା ଡେଇଁ ଉଠି ଆସିଥିଲା ଯେମିତି-

 

“କଣ ?”

 

“ଆପଣ ଏ ସବୁ ଜାଣିଲେ କେମିତି ?

 

ସତ୍ୟବ୍ରତ ମୁହଁରେ ଦୁର୍ବୋଧ୍ୟ ହସ ଦେଖା ଦେଇ ମିଳେଇ ଯାଇଥିଲା । ମୋ କଥାର ଉତ୍ତର ନ ଦେଇ ଫୁସ୍‍୍‍ଫୁସ୍ ହୋଇ କହିଥିଲା, “ସେଦିନ ଯିଏ ଘୋଡ଼ାଗାଡ଼ିରେ ବସେଇ ଆପଣଙ୍କୁ ହଷ୍ଟେଲ ପାଖରେ ପହଞ୍ଚେଇ ଦେଇଥିଲା, ସେ କିଏ ଜାଣନ୍ତି ?”

 

“ନା ।”

 

“ଜାଣିବାକୁ ଇଛା ହେଉଛି ?”

 

ହଁ କିମ୍ବା ନାହିଁ, ମୁଁ କଣ ଉତ୍ତର ଦେଇଥିଲି, ଏତେକାଳ ପରେ ମୋର ଆଉ ମନେପଡ଼ୁନି-

 

ସତ୍ୟବ୍ରତ କହିଥିଲା, “ଜାଣିବାକୁ ଯଦି ଇଚ୍ଛା ହେଉଛି, ତାହେଲେ ମୋ ସାଙ୍ଗରେ ଆସନ୍ତୁ ।” କହି ସେ ବାହାରି ପଡ଼ିଥିଲା ।

 

ତାପରେ କିଛି ସମୟ କଣ ହୋଇଥିଲା, ମୁଁ କଣ କରିଥିଲି ଆଉ ମନେ ନାହିଁ । ସେତେବେଳେ ନିଜର ଚେତନା ଟିକକ ମୋର ଆୟତ୍ତରେ ନ ଥିଲା । କିଛି ସମୟ ପରେ ଆବିଷ୍କାର କରିଥିଲି, ସତ୍ୟବ୍ରତ ପଛେ ପଛେ ମୁଁ ଚାଲିଚି ।

 

Unknown

ଏକୋଇଶ

 

ଏତେଦିନ ଯାଏ ମୁଁ ତୁଣ୍ଡୁଳି ଟାଉନର କିଛି ହେଲେ ଦେଖି ପାରି ନ ଥିଲି । ଷ୍ଟେସନରୁ ହଷ୍ଟେଲ, ହଷ୍ଟେଲରୁ କଲେଜ, କିମ୍ବା କଲେଜରୁ ହଷ୍ଟେଲ ଆଉ ହଷ୍ଟେଲରୁ ଷ୍ଟେସନ–ଏଇ କକ୍ଷ ପଥରେ ଅଢ଼େଇ ବର୍ଷ ହେଲା ଚଲାବୁଲା କରିଛି । ଏତିକି ଭିତରେ ଯାହା ମୋ ଆଖିରେ ପଡ଼ିଛି ସେତିକି ମାତ୍ର ଦେଖିଚି । ଏହା ବ୍ୟତୀତ ଦୁଇପାଦ ଆଗକୁ ବଢ଼ି ଆଉ କିଛି ଦେଖିବି, ମୋ ପ୍ରାଣରେ ସେମିତି କୌଣସି ଇଚ୍ଛା ବା ଆକର୍ଷଣ ଦେଖା ଦେଇ ନ ଥିଲା ।

 

ଯିବା ଆସିବା ବାଟରେ ଯେତିକି ଯାହା ଦେଖିବି, ସେତିକି ମୋର ଚିହ୍ନା । ତା ବ୍ୟତୀତ ଆଉ ସବୁ କିଛି ମୋ ପକ୍ଷେ ଅଜ୍ଞାତ, ଅନାବିଷ୍କୃତ ଥିଲା ।

 

ସତ୍ୟବ୍ରତ ମତେ ଚିହ୍ନା ଜଣା ରାସ୍ତା ଛାଡ଼ି ଅଜଣା ରାସ୍ତାରେ ନେଇ ଯାଇଥିଲା । ଯାଉ ଯାଉ ବାଟରେ ଅସଂଖ୍ୟ ପ୍ରାଚୀନ ଭଗ୍ନାବଶେଷ ଦେଖିବାକୁ ପାଇଥିଲି । ମୁଁ ଦେଖୁଥିଲି ସତ କିନ୍ତୁ ସେ ସବୁ ଦେଖାର ବିଶ୍ଳେଷଣ ନ ଥିଲା, ନୂଆ କିଛି ଦେଖିବାର ଉଦ୍ଦୀପନା ନ ଥିଲା । ଅନ୍ୟ ସମୟ ହେଲେ କଣ ହେଇ ଥାଆନ୍ତା କହି ପାରୁନି କିନ୍ତୁ ସେତେବେଳେ ଏଇ ପୁରୁଣା ନଗରୀଟା ପୁଟୁଳି ଫିଟେଇ ତାର ସମସ୍ତ ପ୍ରାଚୀନତା ଅଜାଡ଼ି ଦେଇ ମଧ୍ୟ ମତେ ଚମତ୍କୃତ କରିପାରିନି । ଆଚ୍ଛନ୍ନଙ୍କ ଭଳି ମୁଁ କେବଳ ସତ୍ୟବ୍ରତକୁ ଅନୁସରଣ କରୁଥିଲି ।

 

ଚାଲି ଚାଲି ଆମେ ତୁଣ୍ଡୁଳିର ଦକ୍ଷିଣାଞ୍ଚଳକୁ ଆସି ଯାଇଥିଲୁ । ଶ୍ଵାସରୁଦ୍ଧ ଘଞ୍ଚ ଟାଉନଟା ଏଠାରେ ଆସି ଗୋଡ଼ ହାତ ଖେଳେଇ ବସି ପାରିଥିଲା । ଜାଗାଟା ବେଶ ଖୋଲା । ପାଚେରୀ ଘେରା ବଡ଼ ବଡ଼ ହତା ଭିତରେ ଗୋଟାଏ ଗୋଟାଏ ସୁଦୃଶ୍ୟ ଘର । ଏଇଟା ବୋଧହୁଏ ଟାଉନର ଅଭିଜାତ ଅଂଶ ।

 

ଚାଲୁ ଚାଲୁ ହଠାତ୍ ଗୋଟାଏ ଘର ଆଗରେ ସତ୍ୟବ୍ରତ ଆସି ଠିଆ ହୋଇ ପଡ଼ିଥିଲା । ମୁହଁ ବୁଲେଇ ମତେ କହିଥିଲା, “ଆମେ ଆସିଗଲେ ।”

 

ଧମନୀର ରକ୍ତ ସ୍ରୋତ ମୁହୂର୍ତ୍ତକ ପାଇଁ ବୋଧହୁଏ ବନ୍ଦ ହେଇ ଯାଇଥିଲା, ମୁଁ କିଛି କହି ନ ଥିଲି ।

 

ସତ୍ୟବ୍ରତ ଡାକିଥିଲା, “ଆସନ୍ତୁ–”

 

ଦୁଇ ଜଣଯାକ ଭିତରେ ପଶିଥିଲୁ । ଫାଟକ ପରେ ଗୋଡ଼ି ବିଛା ଗୋଟାଏ ଦୀର୍ଘ ରାସ୍ତା ସିଧା ଆଗକୁ ଚାଲିଯାଇଚି, ଦୁଇପଟେ ଧାଡ଼ି ଧାଡ଼ି ଗୋଟାଏ ମାପର ଅନେକଗୁଡ଼ାଏ ଅଚିହ୍ନା ଗଛ ଠିଆ ହେଇଚି ।

 

ହତାଟା ମନୁଙ୍କ ଘରର ପ୍ରାୟ ସାତ ଆଠ ଗୁଣ ହେବ । ଦେଖିଲେ ମନେ ହେଉଥିଲା, ଆଗେ ରାସ୍ତାର ଦୁଇପାଖେ ଖୁବ୍ ସୁନ୍ଦର ଫୁଲ ବଗିଚା ଥିଲା, ମଝିରେ ମଝିରେ ମର୍ମର ନଗ୍ନିକା ଆଉ ଫୁଆରା, ଛୋଟ ଛୋଟ କୁଞ୍ଜଭଳି ଲାଲ ସିମେଣ୍ଟର ଛାତ ଦିଆ ବସିବା ଜାଗା ଦେଖା ଯାଉଥିଲା ।

 

ବର୍ତ୍ତମାନ ଆଉ ଫୁଲର ସମାରୋହ ନାହିଁ, ଜଙ୍ଗଲିଆ ବୁଦା ଅରମା ମାଡ଼ି ଯାଇ ଫୁଲମାନଙ୍କୁ ଯେମିତି ବେଦଖଲ କରି ବଗିଚାଟାକୁ ଅଧିକାର କରି ସାରିଚନ୍ତି । ଶୁଭ୍ର ଦେହରେ ଅସୀମ ମାଦକତା ଫୁଟେଇ ଦିନେ ମର୍ମର ନଗ୍ନିକା ହୁଏତ ବିଭ୍ରାନ୍ତ କରୁଥିଲା, କିନ୍ତୁ ସେଦିନ ମୁଁ ଯେତେବେଳେ ପ୍ରଥମେ ଦେଖିଲି, ସେତେବେଳେ ସେଗୁଡ଼ାକ ଝଡ଼, ବର୍ଷା, ଗ୍ରୀଷ୍ମର ପ୍ରାକୃତିକ ଅତ୍ୟାଚାରରେ ମଳିନ ପଡ଼ି ଆସିଥିଲେ । ଫୁଆରା ଗୁଡ଼ିକ ଉଚ୍ଛ୍ୱାସ ହରେଇ ମୂକ ଭାବରେ ଠିଆ ହେଇଥାଏ । ଲାଲ୍ ସିମେଣ୍ଟର ଛାତ ବନ୍ଧା ବସିବା କୁଞ୍ଜଗୁଡ଼ାକ ଭାଙ୍ଗି ଯାଇଥିଲା ।

 

ଗୋଡ଼ି ବିଛା ରାସ୍ତାଟାର ସବୁ ଜାଗାରେ ସମାନ ଭାବରେ ଗୋଡ଼ି ଗୁଡ଼ାକ ନ ଥିଲା । ଅଧିକାଂଶ ଜାଗାରୁ ଗୋଡ଼ି ଉଠିଯାଇ ମାଟି ବାହାରି ପଡ଼ିଥିଲା । ଦୁଇ ପାଖର ଅଚିହ୍ନା ଗଛଗୁଡ଼ାକ ଯେ ବୟୋବୃଦ୍ଧ, ପ୍ରାଚୀନ–ଦେଖିଲେ ଜାଣି ହେଉଥିଲା । ଅନେକର ଦେହରେ ଡାଳପତ୍ର ନ ଥିଲା, ଧାଡ଼ି ବନ୍ଧା କଙ୍କାଳ ଭଳି ରାସ୍ତାର ଦୁଇ ପାଖରେ ସେଗୁଡ଼ିକ ଠିଆ ହୋଇଥିଲେ ।

 

ସେତେବେଳକୁ ଆମେମାନେ ଯେଉଁଠାରେ ପହଞ୍ଚି ଯାଇଥିଲୁ, ସେଇଟା ଗୋଟାଏ ବିଶାଳକାୟ ଦୋମହଲା ଘର । ଅସଂଖ୍ୟ ପାହାଚ ଆଉ ଖମ୍ବରେ ଭରପୁର । ମନେ ହେଉଥିଲା, ଦିନେ ସମ୍ଭୋଗ ଆଉ ସମୃଦ୍ଧିର ଦେବତା ତାର ସମସ୍ତ ଆଶୀର୍ବାଦ ଏ ଘର ଖଣ୍ଡକ ଉପରେ ଅଜାଡ଼ି ଦେଇଥିଲା । କିନ୍ତୁ ସେ ଇତିହାସ ବୋଧହୁଏ ଅନେକ ଆଗର । ମୋ ଦୃଷ୍ଟିରେ ଯେତେବେଳେ ଘରଟା ପଡ଼ିଥିଲା, ସେତେବେଳକୁ ଖିଲାଣଗୁଡ଼ାକ ଭାଙ୍ଗି ଆସିଲାଣି । ବୃହତ୍‍କାୟ ଖମ୍ବଗୁଡ଼ାକରୁ ପଲସ୍ତରା ଖସି ଇଟାଗୁଡ଼ାକ ଦେଖାଯାଉଚି । ତାର ଫାଙ୍କ ଗୁଡ଼ାକରେ ବରଓସ୍ତର ଚେର ପଞ୍ଚମ ବାହିନୀ ଭଳି ଭଙ୍ଗାରୁଜା କାମରେ ଅନେକ ଗୁଡ଼ାଏ ଆଗେଇ ଯାଇଥିଲା ।

 

ଖିଲାଣର ଖୋପଗୁଡ଼ାକରେ ପାରାମାନଙ୍କର ରାଜଧାନୀ ଦୃଷ୍ଟିରେ ପଡ଼ିଥିଲା । ବଂଶ ପରମ୍ପରା ଅନୁସାରେ ଏମାନେ ଏଠାରେ ନିଶ୍ଚୟ ସଂଖ୍ୟା ବୃଦ୍ଧି କରିବାରେ ଲାଗି ଯାଇଚନ୍ତି । ମୋ ମନରେ କେମିତି ଗୋଟାଏ ଧାରଣା ହେଉଥିଲା, ଆଉ କିଛିଦିନ ଏମିତି ଚାଲିଲେ ପାରାମାନଙ୍କ ହାତକୁ ଏ ଘରର ସମସ୍ତ ସ୍ୱତ୍ୱ ଚାଲିଯିବ ।

 

କୋଉଠି ଜଣେ ହେଲେ ମଣିଷ ଦୃଷ୍ଟିରେ ପଡ଼ୁ ନ ଥିଲା । ବାସିନ୍ଦାମାନେ ବହୁଦିନ ଆଗରୁ ଏ ଘର ଛାଡ଼ି ଚାଲିଯାଇଚନ୍ତି । ପରିତ୍ୟକ୍ତ ଜନଶୂନ୍ୟ ଘର ଭିତରକୁ ସତ୍ୟବ୍ରତ ମତେ କାହିଁକି ନେଇ ଆସିଚି ? କଣ ତାର ଉଦ୍ଦେଶ୍ୟ ? ମୋଟେ କିଛି ବୁଝି ପାରୁ ନ ଥିଲି । ମତେ କେମିତି ଟିକିଏ ଭୟ ଲାଗୁଥିଲା ।

 

ଶେଷକୁ ଆମେମାନେ ଯେଉଁଠି ଆସି ପହଞ୍ଚିଲୁ, ସେଠାରୁ ଧାଡ଼ିଏ ପାହାଚ ଉପରଆଡ଼କୁ ଉଠିଯାଇଚି । ମୁଁ ଥକ୍‍କା ହୋଇ ଠିଆ ହୋଇ ପଡ଼ିଥିଲି ।

 

ମୁହଁ ବୁଲେଇ ସତ୍ୟବ୍ରତ ପଚାରିଲା, “ଏ କଣ, ରହିଗଲେ ଯେ ?”

 

ଅସ୍ପଷ୍ଟ ଗଳାରେ କହିଥିଲି, “ମାନେ–”

 

“କଣ ?”

 

“ଏଠି ତ କାହାରିକୁ ଦେଖୁନି । କେହି ଥିଲା ଭଳି ବି ମନେ ହେଉନି ?”

 

“ଆଚ୍ଛା, ଆସନ୍ତୁ–”

 

“କୁଆଡ଼େ ?”

 

“ଆରେ, ଦୁଆର ପାଖରେ ଠିଆ ହେଲେ କଣ ମଣିଷର ଦେଖା ମିଳନ୍ତା ନା କଣ ? ଭିତରକୁ ଚାଲନ୍ତୁ ।” କହୁ କହୁ ସତ୍ୟବ୍ରତ ପାହାଚ ଉପରେ ଚଢ଼ିବା ଆରମ୍ଭ କରିଦେଇଥିଲା ।

 

ଦ୍ଵିଧାନ୍ୱିତ ଭାବରେ ମୁଁ ବି ତା ପଛେ ପଛେ ଅନୁସରଣ କରିଥିଲି । ଏତେଦୂର ଯେତେବେଳେ ଆସିଚି, ସେତେବେଳେ ଶେଷପର୍ଯ୍ୟନ୍ତ କଣ ହେଉଚି ଦେଖେଁ ।

 

ମୋଟ କୋଡ଼ିଏଟା ପାହାଚ । ତାପରେ ଗୋଟାଏ ବିଶାଳ ବାରଣ୍ଡା । ବାରଣ୍ଡା କଡ଼ରେ ଦୀର୍ଘକାୟ ସ୍ତମ୍ଭଗୁଡ଼ାଏ ଛାତରେ ଯାଇ ଲାଗିଚି । ଆମେ ସେ ବାରଣ୍ଡା ପାର ହୋଇ ଗୋଟାଏ ପ୍ରକାଣ୍ଡ ହଲ ଘର ଭିତରେ ପହଞ୍ଚିଲୁ ।

 

ହଲର ଚାରିପାଖର ନୀଳାଭ ଗୋଲାକାର କାନ୍ଥ ଦେହରେ ଅନେକଗୁଡ଼ାଏ ପ୍ରାଚୀନ ଚିତ୍ର ଅଙ୍କା ଯାଇଚି । ଆଜିର ରୁଚି ନେଇ ସେତେବେଳେ ଯେ ଛବି ଅଙ୍କାଯାଇ ପାରୁଥିଲା, ତାର ପ୍ରମାଣ ମୁଁ ସେଇଠି ପାଇଥିଲି ।

 

ମଝିରେ ଗୋଟାଏ ଗାଲିଚା ପଡ଼ିଚି, ଯାଗାଏ ଯାଗାଏ ସେଇଟା ଛିଣ୍ଡିଗଲାଣି । ଗୋଟାଏ ପାଖରେ ସିଂହାସନ ଭଳି ଖଣ୍ଡେ ବଡ଼ ଚଉକି ପଡ଼ିଚି, ତାରି କଡ଼େ ଅନେକ କାରୁକାର୍ଯ୍ୟ ହେଇଥିବା ସୋଫା । ମଝିରେ ସିଂହ ଗୋଡ଼ିଆ ଶିଶୁ କାଠର ଗୋଟାଏ ଟେବୁଲ ପଡ଼ିଥାଏ । ମୁଣ୍ଡ ଉପରେ ହାତଟଣା ପଙ୍ଖା ଆଉ ଝାଡ଼ ଲଣ୍ଠନ । ଗୋଟାଏ ପାଖରେ ପ୍ରକାଣ୍ଡକାୟ ହାରମୋନିୟମ ଏବଂ ଅନ୍ୟ ପାଖେ ବଡ଼ବଡ଼ ଫୁଲଦାନି ଥୁଆ ହେଇଚି ।

 

ସତ୍ୟବ୍ରତ କହିଥିଲା, “ବସନ୍ତୁ–”

 

ନିଃଶବ୍ଦରେ, ଖୁବ୍ ସନ୍ତର୍ପଣରେ ଡରିଡ଼ରି ଗୋଟାଏ ସୋଫା ଉପରେ ଯାଇ ବସିଥିଲି ।

 

ସତ୍ୟବ୍ରତ ପୁଣି କହିଲା, “ଟିକିଏ ଅପେକ୍ଷା କରନ୍ତୁ, ମୁଁ ଆସୁଚି ।”

 

“କୁଆଡ଼େ ଯାଉଚନ୍ତି ?”

 

“ଘର ଭିତରକୁ,” କହି ସେ ଅନ୍ୟ ଗୋଟାଏ ଦ୍ଵାର ଦେଇ କୁଆଡ଼େ ଚାଲିଯାଇଥିଲା ।

 

ମୋର ମନେ ହେଉଥିଲା, ଏ ଘରର ସର୍ବତ୍ର ତାର ଅବାଧ ଅନାୟାସ ଗତି । ଟିକିଏ ପରେ ସତ୍ୟବ୍ରତ ଫେରି ଆସି କହିଥିଲା, “ଆପଣ ଥାଆନ୍ତୁ, ମୁଁ ଯାଉଚି ।”

 

“ମାନେ ?”

 

“ମାନେ ଆପଣଙ୍କୁ ଏଠାରେ ପହଞ୍ଚେଇ ଦେବାର କଥା ଥିଲା, ପହଞ୍ଚେଇ ଦେଇଚି । ଏଥର ମୋ କାମ ଶେଷ ହେଲା, ଅନ୍ୟ ଯାଗାରେ ଟିକିଏ ଜରୁରୀ କାମ ଅଛି, ବର୍ତ୍ତମାନ ମତେ ଯିବାକୁ ହେବ ।”

 

“କଣ କହୁଚନ୍ତି, କିଛି ବୁଝି ପାରୁନି ।”

 

“ମୋର ଆଉ ଏଠାରେ ରହିବା ଦରକାର ନାହିଁ । ଯାହାକୁ ଦେଖିବାକୁ ଆସିଛନ୍ତି ତାକୁ ଖବର ଦେଇ ଆସିଚି । ବର୍ତ୍ତମାନ ଆସିଯିବ, ଆପଣ ବସନ୍ତୁ ।”

 

କହିଦେଇ ସତ୍ୟବ୍ରତ ଚାଲିଗଲା ।

 

ଆଉ ବକ୍ଷ ଭିତରେ ମୋର ଡେଙ୍ଗୁରା ପିଟା ଆରମ୍ଭ ହେଇଗଲା । ମନେ ହେଉଥିଲା, ମତେ ଏକୁଟିଆ ଛାଡ଼ି ଯିବାଟା ଉଚିତ ହେଲାନି । ମତେ ଭାରି ଭୟ ଲାଗୁଥିଲା, କପାଳ ଆଉ ହାତ ପାପୁଲି ଝାଳେଇ ଯାଇଥିଲା, ଥରେ ମନେ ହେଇଥିଲା, ଏଭଳି ଭାବରେ ଏଠିକି ଆସିବାଟା ଠିକ୍ ହେଇନି । ଭାବିଥିଲି ପଳେଇଯିବି । କିନ୍ତୁ ପଳେଇ ଯାଇ ପାରିଲିନି ।

 

ଏତେକାଳ ପରେ ମନେପଡ଼ୁଚି–ଖୁବ୍ କମ୍ ସମୟ ମତେ ଅପେକ୍ଷା କରିବାକୁ ପଡ଼ିଥିଲା । କିନ୍ତୁ ମଝିରେ ପ୍ରତ୍ୟେକଟି ମୁହୂର୍ତ୍ତ ମତେ ସେତେବେଳେ ଗୋଟାଏ ଗୋଟାଏ ଯୁଗପରି ମନେ ହେଉଥିଲା ।

 

ଝରକାର ରଙ୍ଗିନ୍ କାଚ ଦେହରେ ଦିନର ଆଲୁଅ ମଳିନ ଦେଖା ଯାଉ ଯାଉ ଯେତେବେଳେ ଛାୟାଚ୍ଛନ୍ନ ହୋଇ ଆସୁଥିଲା, ଠିକ୍ ସେତିକିବେଳେ ଭିତରପଟ ଦ୍ଵାର ଆଡ଼ୁ କବାଟ ପିଟିବାର ଛୋଟ ଶବ୍ଦଟିଏ ଶୁଣା ଯାଇଥିଲା । ଚମକି ପଡ଼ି ଦେଖେ ତ ସେଦିନର ସେଇ ମାୟାବିନୀ ଧୀରେ ଧୀରେ ହଲ ଭିତରକୁ ଆସୁଚି ।

 

ଦୁଇହାତ ଯୋଡ଼ି ସେ କହିଥିଲା, “ନମସ୍କାର–”

 

ନିଜର ଅଜ୍ଞାତରେ ଉଠି ଠିଆ ହୋଇପଡ଼ିଥିଲି । ହୁଏତ ଦୁଇ ହାତ ଉଠାଇ ପ୍ରତିନମସ୍କାର ଜଣେଇଥିଲି, ହୁଏତ ଜଣେଇନି । କଣ ସେତେବେଳେ କରିଥିଲି ଏତେ କାଳ ପରେ ଆଉ ମନେ ପଡ଼ୁନି । କେବଳ ଏତିକି ମନେ ଅଛି ଯେ, ଅପଲକ ଦୃଷ୍ଟିରେ ତାଆଡ଼େ ଚାହିଁ ରହିଥିଲି-

 

ପ୍ରଥମ ଦିନ ଗାଡ଼ିର ସେଇ ସ୍ଵଳ୍ପାଲୋକରେ ତାକୁ ଯାହା ଦେଖିଥିଲି, ଆଜି ତା ଅପେକ୍ଷା ଅଧିକ ମାଦକତାମୟୀ ଜଣା ପଡ଼ୁଥିଲା । ଦିନ ଶେଷର ବିଷର୍ଣ୍ଣ ରକ୍ତିମ ଆଲୋକର ଛଟା ତାର ସର୍ବାଙ୍ଗରେ ଛିଞ୍ଚାଡ଼ି ହେଇ ପଡ଼ିଥିଲା । ମନେ ହେଉଥିଲା, ଯେମିତି ଗୋଟାଏ ଆଉଟା ସୁନାର ମୂର୍ତ୍ତି ମୋ ଆଗରେ ଠିଆ ହେଇଚି ।

 

ସେ ହସିଥିଲା, ଓଠ ଦୁଇଟି ସାମାନ୍ୟ ଦ୍ୱିଧା ବିଭକ୍ତ ହୋଇ କେତୋଟି ମୁକ୍ତା ଭଳି ଦାନ୍ତ ଦେଖା ଯାଇଥିଲା । କହିଥିଲା, “ଆପଣ ତ ଆଉ ନିଜ ଆଡ଼ୁ ଖୋଜିଲେନି । ତେଣୁ ସତ୍ୟବ୍ରତ ବାବୁଙ୍କ ଦ୍ଵାରା ଆପଣଙ୍କୁ ଧରି ଆଣିବାକୁ ପଡ଼ିଲା । ଏ କଣ, ଠିଆ ହେଇଚନ୍ତି କାହିଁକି, ବସନ୍ତୁ–” କହି ମଝିରେ ପଡ଼ିଥିବା ସେଇ ସିଂହାସନ ଭଳି ଚଉକିଟା ଉପରେ ସେ ବସିଥିଲା ।

 

ମୁଁ ମଧ୍ୟ ମୋ ନିଜ ଯାଗାରେ ପୁଣି ବସିଥିଲି । କମ୍ପିତ ଗଳାରେ କହିଥିଲି, “ଖୋଜିବାର ଖୁବ୍ ଇଚ୍ଛା ଥିଲା, କିନ୍ତୁ–”

 

“କଣ ?”

 

“ଆପଣଙ୍କ ନାଆଁଟା ଯଦି ଜାଣି ଥାଆନ୍ତି–”

 

“ନାଆଁ ଛଡ଼ା ତ ଅନେକ ଠିକଣା ଦେଇଥିଲି । ସେଗୁଡ଼ିକ ଧରି ଯଦି ଖୋଜି ଥାଆନ୍ତେ, ତାହେଲେ ସହଜରେ ପାଇ ଯାଇ ଥାଆନ୍ତେ । ଅସଲ କଥା–” କଥା ଶେଷ ନ କରି ସେ ରହିଯାଇଥିଲା ।

 

ମୁଁ ପ୍ରଶ୍ନବାଚକ ଦୃଷ୍ଟିରେ ତାକୁ ଚାହିଁଥିଲି ।

 

ସେ ପୁଣି କହିଥିଲା, “ଅସଲ କଥା ହେଲା ମତେ ଖୋଜି ବାହାର କରିବା ପାଇଁ ଆପଣଙ୍କର ମୋଟେ ଇଚ୍ଛା ନଥିଲା ।”

 

ତାର ଅଭିଯୋଗ କିନ୍ତୁ ସତ ନୁହେଁ । ତାକୁ ଆଉ ଥରେ ଅନ୍ତତଃ ଦେଖିବା ପାଇଁ ମୁଁ ମନେ ମନେ ସପ୍ତାହେ କାଳ କି ଅସ୍ଥିର ନହେଇଚି ! ମୋର ଭାବାନ୍ତର ଆଖପାଖର ପ୍ରାୟ ସମସ୍ତଙ୍କ ଦୃଷ୍ଟିରେ ପଡ଼ିଯାଇ ଥିଲା । କିନ୍ତୁ ସେ ସବୁ ପ୍ରମାଣ କରିବା ସମ୍ଭବ ନୁହେଁ । ତେଣୁ ଚୁପ୍ ହୋଇ ରହିବାକୁ ପଡ଼ିଥିଲା ।

 

ସେ ପୁଣି କହିଥିଲା, “ଛାଡ଼ନ୍ତୁ, ମୋର ନାଆ ଜାଣିବା ପାଇଁ ଆପଣଙ୍କର ଭାରି ଇଚ୍ଛା ହେଉଚି ବୋଧହୁଏ ?”

 

ମୁଣ୍ଡ ହଲେଇ ସମ୍ମତି ଜଣେଇଥିଲି ।

 

“ମୋ ନାଁ ମନୋରମା ।”

 

ମୁଁ କଣ କହିବି, ଭାବି ପାରୁ ନ ଥିଲି ।

 

କିଛି ସମୟ ଚୁପଚାପ୍ କଟି ଯାଇଥିଲା । ତା ପରେ ହଠାତ୍ ମୋର ଗୋଟାଏ କଥା ମନେ ପଡ଼ିଯାଇ ଥିଲା । ପଚାରିଥିଲି, “ଆଚ୍ଛା, ସତ୍ୟବ୍ରତ ବାବୁ ଆପଣଙ୍କର କଣ ହୁଅନ୍ତି ?”

 

“ନା, କାହିଁକି ?”

 

“ଏମିତି ପଚାରୁଥିଲି ।”

 

“ଏମିତି ନୁହେଁ, କହନ୍ତୁ ।”

 

ଟିକିଏ ଇତସ୍ତତଃ ହୋଇ ଦ୍ଵିଧାନ୍ଵିତ ଭାବରେ କହିଥିଲି “ତାଙ୍କ ସାଙ୍ଗରେ ଆପଣଙ୍କର କେମିତି ପରିଚୟ ହେଲା ?”

 

ଆଖିରେ କେମିତି ଗୋଟାଏ କମ୍ପନ ଫୁଟେଇ ସାମାନ୍ୟ ହସି ସେ କହିଥିଲା “ଆପଣଙ୍କ ସଙ୍ଗେ ଯେମିତି ପରିଚୟ ହେଲା, ତାଙ୍କ ସଙ୍ଗେ ସେମିତି ଦିନେ ହଠାତ୍ ହେଇଯାଇଥିଲା ।”

 

ଆଉ ମୋର କହିବାର କିଛି ନ ଥିଲା ।

 

ଏଣେ ଝରକାର କାଚ ଉପରୁ ଦିନ ଶେଷର ଆଲୁଅ ଟିକକ ପୋଛି ହୋଇଯାଇଥିଲା । ବାହାରେ ଯେ ସନ୍ଧ୍ୟା ହେଇଗଲାଣି । ସେଇଟା ସ୍ପଷ୍ଟ ଜାଣି ହେଉଥିଲା । ଘର ଭିତରଟା ଅନ୍ଧାରିଆ ଜଣା ପଡ଼ୁଥିଲା ।

ମନୋରମା ଠିଆ ହୋଇ ଡାକିଥିଲା, “ଅନାଦି, ଅନାଦି–”

ପ୍ରାୟ ସଙ୍ଗେ ସଙ୍ଗେ ମଧ୍ୟବୟସ୍କ ଚାକର ଶ୍ରେଣୀର ଗୋଟାଏ ଲୋକ ଘର ଭିତରକୁ ଆସିଥିଲା । ମନୋରମା ତାକୁ କହିଥିଲା, “ଆଲୁଅ ଜଳେଇ ଦେ ।”

ଏ ଘର ଭିତରକୁ ବିଜୁଳୀ ଆଲୁଅ ଆସିନି, ଖୁବ୍ ସମ୍ଭବ ଦୁଆର ଡିଆଇଁ ତାକୁ ଭିତରକୁ ଆସିବାର ସୁଯୋଗ ଦିଆ ଯାଇନି । ମଧ୍ୟଯୁଗ ଭଳି ଝାଡ଼ ଲଣ୍ଠନ ଭିତରେ ବଡ଼ ବଡ଼ ମହମବତୀ ଥିଲା । ସେଗୁଡ଼ାକ ଜଳେଇ ଦେଇ ଚାକରଟା ଟିକିଏ ପରେ ଚାଲି ଯାଇଥିଲା ।

ରଙ୍ଗିନ୍ ଝାଡ଼ ଭିତରେ ଦୋଳାୟିତ ମହମବତୀ ଆଲୁଅ ହଲ ଭିତରେ ସ୍ୱପ୍ନାଲୋକର ବିଭ୍ରମ ଖେଳେଇ ଦେଇଥିଲା ।

ମନୋରମା ପଚାରିଥିଲା, “ଚା ଖାଇବେ ?”

କହିଥିଲି, “ମୁଁ ଚା, ଖାଏନି ।”

“ଚା’ ତ ଖାଇବେନି, ତାହେଲେ କଣ ଖାଇବେ କହନ୍ତୁ ?

“ଏଇଲେ କିଛି ଖାଇବିନି ।”

“ଆଚ୍ଛା, ସମସ୍ତେ ଆସନ୍ତୁ, ସେତେବେଳେ ଏକାଠି ଖାଇବେ ।”

 

“ସମସ୍ତେ ମାନେ ?”

 

ମନୋରମା କହିଥିଲା,. “ଟିକିଏ ଅପେକ୍ଷା କରନ୍ତୁ, ଦେଖିବେ ।”

 

ପ୍ରତୀକ୍ଷା କରିବାକୁ ପଡ଼ି ନ ଥିଲା । ପ୍ରାୟ ସଙ୍ଗେ ସଙ୍ଗେ ଭାରି ଜୋତା ମଚମଚ କରି ଯିଏ ଆସି ପହଞ୍ଚିଲେ ପ୍ରଥମେ ତାଙ୍କୁ ଦେଖିବା ମାତ୍ରେ କୌଣସି ଉଚ୍ଚ ପଦସ୍ଥ ମିଲିଟାରୀ ଅଫିସର ବୋଲି ମନେ ହେଉଥିଲା । ବୟସ ଚାଳିଶି ପାଖାପାଖି ହେବ । ତାଳୁ ଉପରେ ଗୋଟାଏ ବିରାଟ କଟା ଦାଗ, ନାକତଳେ ବାଘୁଆ ନ ହେଲେ ବି ମୋଟା ନିଶ ହଳେ ମୋଡ଼ି ହେଇ ରହିଥିଲା । ଆଖି ଦୁଇଟାରେ ଉଦ୍ଧତ ଚାହାଣୀ । ପିଠିରେ ଗୋଟାଏ ଦୁଇନଳ ବିଶିଷ୍ଟ ରାଇଫଲ୍ ଝୁଲୁଚି । ଭଦ୍ରଲୋକଙ୍କର ପୋଷାକ, ତାଳୁର କଟାଦାଗ, ଆଖିର ଉଦ୍ଧତ ଚାହାଣୀ ଏବଂ ସଙ୍ଗୀ ରାଇଫଲଟାକୁ ଘେରି ସୀମାହୀନ ନିଷ୍ଠୁରତା ଥିଲା ।

 

ତା ଛଡ଼ା ତାଙ୍କର ଚଉଡ଼ା କାନ୍ଧ, ବିଶାଳ ପେଶିଯୁକ୍ତ ବକ୍ଷ, ଦୀର୍ଘ ଛଅ ଫୁଟର ଶରୀର ଏବଂ ଆଜାନୁଲମ୍ବିତ ବାହୁ–ସବୁଗୁଡ଼ାକ ଯେମିତି ଅଫୁରନ୍ତ ବଳଶାଳୀତାର ପ୍ରତୀକ ।

 

ଭଦ୍ରଲୋକ ଘର ଭିତରେ ପଶି ସିଧା ମନୋରମା ପାଖକୁ ଚାଲି ଯାଇଥିଲେ । କହିଥିଲେ, “ଏପର୍ଯ୍ୟନ୍ତ ତମର ସଭା ବସିନି, ଦେଖୁଚି । ସନ୍ଧ୍ୟା ହେଇଗଲାଣି । ଭାବିଥିଲି, ଡେରି ହେଇଯାଇଛି । ଏହା ମଧ୍ୟରେ ହୁଏତ ତୁମର ପୋଷା କୁକୁରଗୁଡ଼ାକ ସମସ୍ତେ ଆସି ସାରିଥିବେ । ବର୍ତ୍ତମାନ ଦେଖୁଚି ମୁଁ ହିଁ ପ୍ରଥମ ।”

 

“ଉଁ ହୁ”–ଆଖି ଦୁଇଟା ଅଧା ବୁଜାକରି ଓଠରେ ନିଃଶବ୍ଦ ହସ ଖେଳାଇ ମନୋରମା ମୁଣ୍ଡ ହଲେଇଥିଲା ।

 

“କଣ ?”

 

“ଏଠିକି ଆସିବାରେ ଆପଣ କୌଣସି ଦିନ ପ୍ରଥମ ହେଇଚନ୍ତି ?”

 

“ଅନ୍ୟ ଦିନ ଅବଶ୍ୟ ହେଇନି କିନ୍ତୁ ଆଜି ହେଇଚି ।”

 

“ନା ।”

 

“ତା ମାନେ ?”

 

ମନୋରମାର ସେ ହସଟା ଢେଉ ଭଳି ତାର ମୁହଁସାରା ଖେଳି ଯାଇଥିଲା । “ମୋ ଛଡ଼ା ତ ଆପଣଙ୍କର ଆଉ କୌଣସିଆଡ଼େ ନଜର ନ ଥାଏ । ଥରେ ପଛକୁ ଚାହିଁ ଦେଖନ୍ତୁ ତ–”

 

“ପଛରେ କଣ ଅଛି ?” ଭଦ୍ରଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ହୁଏତ ଭାବିଥିଲେ, ମନୋରମା ତାଙ୍କ ସଙ୍ଗେ ରହସ୍ୟ ଖେଳୁଚି ।

 

“ଦେଖନ୍ତୁ ନା–”

 

ଅଗତ୍ୟା ଭଦ୍ରଲୋକ ମୁହଁ ବୁଲାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କର ଦୃଷ୍ଟି ମୋ ଉପରେ ପଡ଼ିଥିଲା । କିଛି ସମୟ ଚାହିଁ ରହିବା ପରେ ବିସ୍ମୟର ସହିତ ପଚାରିଥିଲେ, “ଏ–”

 

ମନୋରମା ହସି ହସି କହିଥିଲା, “ଦେଖିଲେ ତ, ଆଜି ବି ଆପଣ ପ୍ରଥମ ହେଇ ପାରିଲେନି ।”

 

ଭଦ୍ରଲୋକଙ୍କର ବିସ୍ମୟତା କଟି ନ ଥିଲା, ସେ କହିଥିଲେ, “କିନ୍ତୁ ଏ କିଏ ସେ ? ଆଗରୁ କେବେହେଲେ ତ ତମର ଏଠିକି ଆସିବାର ଦେଖିଚି ବୋଲି ମନେପଡ଼ୁନି ।”

 

“ମନେପଡ଼ିବା କଥା ନୁହେ, ସେ ଆଜି ପ୍ରଥମ ଆସିଚନ୍ତି । ଆସନ୍ତୁ ଆପଣମାନଙ୍କୁ ପରିଚୟ କରେଇଦିଏ ।” ଭଦ୍ରଲୋକଙ୍କ ପରିଚୟ ଦେବାକୁ ଯାଇ ମନୋରମା କହିଥିଲା, “ଏ ହେଉଚନ୍ତି ଶ୍ରୀଯୁକ୍ତ ହରେନ୍ଦ୍ର ମୋହନ ଧଳ, ଯୋଡ଼ିପାଟର ଜମିଦାର, ତା ଛଡ଼ା ତାଙ୍କର ବଡ଼ ପରିଚୟ ହେଉଚି ପିଠିରେ ଝୁଲୁଥିବା ଏଇ ବନ୍ଧୁକଟା । ସେଇଟା କଣ କହିଲେ ନରସିଂହ ବାବୁ ?”

 

ପ୍ରଶ୍ନଟା ମୋ ଉଦ୍ଦେଶ୍ୟରେ ହେଇଥିଲା, ଉତ୍ତରଟା ମୋର ଦେବା ଉଚିତ । କିନ୍ତୁ କଣ ଉତ୍ତର ଦେବି ଭାବିପାରୁ ନଥିଲି । କେବଳ ବୋକାଙ୍କ ପରି ଚାହିଁ ରହିଥିଲି ।

 

ଆଗନ୍ତୁକ ଭଦ୍ରଲୋକ ଅର୍ଥାତ୍ ହରେନ୍ଦ୍ର ମୋହନ ଧଳ କହିଥିଲେ, “ବନ୍ଧୁକଟା ଦେଖି ବି ବୁଝି ପାରୁନାହାନ୍ତି ? ମୁଁ ଶିକାରୀ । ବାଘ ଭାଲୁ ପ୍ରଭୃତି ମାରିବାରେ ମୋର ବଡ଼ ସଉକ–ଅଭ୍ୟାସ । ନିଶା ବି କହି ପାରନ୍ତି ।”

 

ମନୋରମା କହିଥିଲା, “କେବଳ ଶିକାରୀ ନୁହନ୍ତି, ମସ୍ତବଡ଼ ଶିକାରୀ । ଦଶଟା ବାଘ ଗୋଟାଏ ହାତୀ, ବାଇଶଟା ଭାଲୁ ଏମିତି ଆଉ କେତେ କଣ ମାରିବା ପରେ ବଡ଼ ଧରଣର ଶିକାର ଛାଡ଼ି ଦେଇଚନ୍ତି । ଏଥର ଗୋଟାଏ ଛୋଟ କପୋତୀକୁ ଲକ୍ଷ୍ୟ କରୁଚନ୍ତି ।” କହି ସେ କେମିତି ଟିକିଏ ହସିଥିଲା ।

 

ହରେନ୍ଦ୍ର ମୋହନ ଧଳ ବି ହସି ହସି କହିଥିଲେ, “ବାଘ, ଭାଲୁ ମାରିବା ତ ଅନେକ ସହଜ ଥିଲା; କିନ୍ତୁ କପୋତୀକୁ ଲକ୍ଷ୍ୟ ଭେଦ କରିବା ଅନେକ କଠିନ କାମ ।”

 

ସେମାନଙ୍କ ସାଙ୍କେତିକ କଥାବାର୍ତ୍ତାରୁ ମୁଁ କିଛି ବୁଝି ପାରୁ ନ ଥିଲି । ବିମୁଢ଼ଙ୍କ ଭଳି କେବଳ ଚାହିଁ ରହିଥିଲି ।

 

ପରିଚୟ ପାଇବା ପରେ ଭଦ୍ରତା ଦୃଷ୍ଟିରୁ ମୁଁ ସମ୍ମାନ ଜଣେଇବା ପାଇଁ ହାତ ଦୁଇଟା ଉଠାଇ ଆଣୁଥିଲି, ହରେନ୍ଦ୍ର ମୋହନ କହିଥିଲେ, “ନା–ନା, ସେମିତି ନୁହେଁ ।” କହି କରମର୍ଦ୍ଦନ କରିବା ପାଇଁ ମୋଆଡ଼କୁ ଡାହାଣ ହାତଟା ବଢ଼ାଇ ଦେଇଥିଲେ ।

 

କଣ ଆଉ କରନ୍ତି, ବାଧ୍ୟ ହୋଇ ମତେ ବି ହାତ ବଢ଼ାଇବାକୁ ହେଇଥିଲା । ଆଉ ମୋଟ ହାତଟାକୁ ହରେନ୍ଦ୍ର ମୋହନ ନିଜର ବିଶାଳ ହାତ ମୁଠାରେ ଧରି ପ୍ରଚଣ୍ତ ଭାବରେ ଚାପ ଦେଇଥିଲେ-। ମନେ ହେଉଥିଲା, ହାଡ଼ଗୁଡ଼ାକ ଭାଙ୍ଗି ଯେମିତି ଗୁଣ୍ଡ ହେଇଯାଉଚି ।

 

“ଓ.....” କାତର ଶବ୍ଦ କରି ହାତଟା ଟାଣି ଆଣିବାକୁ ଇଚ୍ଛା କରିଥିଲି, ହରେନ୍ଦ୍ର ମୋହନ ହାତଟା ଛାଡ଼ି ନ ଥିଲେ । ତାଙ୍କ ଆଖିର ଡୋଳା ଦୁଇଟା ମୋ ଉପରେ ନିବଦ୍ଧ ଥିଲା, ସେଥିରେ ଯେମିତି ଗୋଟାଏ ବିଚିତ୍ର ନିଷ୍ଠୁରତା ଖେଳୁଥିଲା । କିନ୍ତୁ ଖୁବ୍ ନିରୀହ ସଦୟ ସ୍ଵରରେ ସେ ପଚାରିଥିଲେ, “କଣ ହେଲା, କାଟିଲା ?”

 

ଉତ୍ତର ଦେଇ ନ ଥିଲି, ହରେନ୍ଦ୍ର ମୋହନଙ୍କ ଆଖି ଦୁଇଟା ଦେଖି ମୋ ପ୍ରାଣର କେଉଁ ଏକ ଅଜ୍ଞାତ ପ୍ରଦେଶରେ ଛାୟା ଦେଖା ଦେଇଥିଲା । ମନେ ହେଉଥିଲା, ମଣିଷଟା ମୋଟେ ସହଜ ନୁହେଁ । ଭୟରେ ମୋର ହୃତପିଣ୍ଡ ପଡ଼ିବା ଉଠିବା ଆରମ୍ଭ କରି ଦେଇଥିଲା ।

 

ଯାହା ହେଉ ହରେନ୍ଦ୍ର ମୋହନଙ୍କ ଉଗ୍ରଚାପ ଫଳରେ ମୋ ଆଖିରୁ ପାଣି ଗଡ଼ି ପଡ଼ିଥିଲା । ସେ ବୋଧହୁଏ ସେଇଟା ଲକ୍ଷ୍ୟ କରିଥିଲେ । ମୋର ହାତ ଛାଡ଼ିଦେଇ ଖୁବ୍ ଆସ୍ତେ, କେବଳ ମୁଁ ଯେମିତି ଶୁଣିପାରେ, ସେମିତି ଚୁପ୍ ଚୁପ୍ ହୋଇ କହିଥିଲେ, “ଏଇ ସାହସ ଧରି କମ୍ପିଟେଶନ କରିବାକୁ ଆସିଚନ୍ତି ?”

 

କମ୍ପିଟେଶନ ଅର୍ଥାତ୍ ପ୍ରତିଯୋଗିତା । ସେ ପ୍ରତିଯୋଗିତାଟା କେଉଁ ବିଷୟରେ ବୁଝିପାରୁ ନ ଥିଲି, ତେବେ ଟିକିଏ ଚମକି ଉଠିଥିଲି ।

 

ହରେନ୍ଦ୍ର ମୋହନ ଏଥର ଶୁଣିଲା ଭଳି କହିଥିଲେ, “ବସନ୍ତୁ ।” ମୁଁ ବସିବା ପରେ ସେ ପାଖରେ ପଡ଼ିଥିବା ଆଉ ଗୋଟାଏ ସେଫା ଉପରେ ବସି ପଡ଼ିଲେ ।

 

ସାମାନ୍ୟ ନୀରବତା ।

 

ତା ପରେ ହରେନ୍ଦ୍ର ମୋହନ ମନୋରମାକୁ ଲକ୍ଷ୍ୟ କରି କହିଥିଲେ, “ତା’ହାଲେ ଆଉ ଜଣେ ସଦସ୍ୟ ବଢ଼ାଇଲ ରମା ?”

 

ଭୁରୁ ନଚେଇ ମନୋରମା କହିଥିଲା, “ଡରି ଯାଉଛ ନା କଣ ?”

 

ହରେନ୍ଦ୍ର ମୋହନ ସୋଫା ଉପରେ ଆଉଜି ବସିଥିଲେ, ଏକଥା ଶୁଣି ସିଧା ହୋଇ ବସୁ ବସୁ କଣ କହିବାକୁ ଯାଉଥିଲେ । କିନ୍ତୁ କହି ପାରିଲେନି । ତା ପୂର୍ବରୁ ସଉକିଆ ପତଳା ଚପଲ ହଳେ ପିନ୍ଧି, ରୀତିମତ ଜୁଆଇଁ ବେଶ ଧରି ଜଣେ ଦୁର୍ବଳକାୟ ଭଦ୍ରବ୍ୟକ୍ତି ଦେଖାଦେଲେ ।

 

ଭିତରକୁ ଆସୁ ଆସୁ ଆଗନ୍ତୁକ ଆବୃତ୍ତି କରିଥିଲେ–

 

‘ତମ ପାଖେ ଅମଉଳା ମନ ମୋର

ଭଲ ପାଇବାରେ

ହାର ମାନେ, ହାରି ହାରି ହଜିବା ସପନେ ପ୍ରିୟା

କେତେ ଆଶା ଧରେ ।

ତମେ ମତେ ଭଲ ପାଅ ଏତିକି ଭରସା ସିନା

ନିଶିଦିନ ଘାରେ,

 

ସତେ ପ୍ରିୟା–

 

କବିତାର ଉଚ୍ଛ୍ୱାସ ଶେଷ ହେବା ଆଗକୁ ଶିକାରୀ ହରେନ୍ଦ୍ର ମୋହନ ହୁଙ୍କାରି ଉଠିଥିଲେ, “ଏକଦମ ବାଜେ–”

 

ଚମକି ଆବୃତ୍ତି ବନ୍ଦ କରିଦେଇ ନବାଗତ କହିଲେ, “କଣ ହେଲା ଏମିତି ବଣ ଭାଲୁ ଭଳି ଖିଙ୍କାରି ଉଠିଲ କାହିଁକି ?”

 

“ତମର ହଡ଼ା ଦେହକୁ ଛେରା ରୋଗ–ସେଥିରେ ପୁଣି ଏ ଯେଉଁ ପେଁ–ପେଁ, ସେଗୁଡ଼ା ଏକଦମ୍ ବାଜେ ।”

 

ଆଗନ୍ତୁକ ନିଜର ଲମ୍ବା ବେକଟା ହଲେଇ କହିଥିଲେ, “କାବ୍ୟ କବିତା ବିଷୟରେ ତମ ଭଳି ଗୋବର ଗଣେଶଙ୍କର ଜ୍ଞାନ କେଉଁଠି ଅଛି ! ଏ ସବୁ ତ ତମ ମୁଣ୍ଡରେ ମୋଟେ ପଶିବନି ।”

 

“ମୁଁ ବି ପଶିବାକୁ ଦେଉନି, ତମେ ନିଶ୍ଚିନ୍ତ ରହିପାର । ତେବେ–”

 

“କଣ ?”

 

“ସଭାର ସଦସ୍ୟ ଆଉ ଜଣେ ବଢ଼ିଗଲେ ।”

 

“ମାନେ ?”

 

“ଏଇ ଦେଖ ନା, ମୋର ଡାହାଣ ପାଖେ ବସିଚନ୍ତି ।” କହି ହରେନ୍ଦ୍ର ମୋହନ ମୋଆଡ଼େ ଦେଖାଇ ଦେଇଥିଲେ ।

 

ଆଗନ୍ତୁକଙ୍କର ଦୃଷ୍ଟି ଏଥର ମୋ ଉପରେ ପଡ଼ିଥିଲା । ସେ ବିସ୍ମୟରେ କିଛି ସମୟ ଚାହିଁ କହିଲେ, “ଏଇ ! ନୂଆଭଳି ମନେ ହେଉଚି–”

 

ମୋର ପରିଚୟ ଦେଇ ହରେନ୍ଦ୍ର ମୋହନ ଆଗନ୍ତୁକଙ୍କର ପରିଚୟ ଦେଇଥିଲେ, କବି ରଙ୍ଗାଧର ବଡ଼ପଣ୍ଡା ।

 

ନମସ୍କାର ବିନିମୟ ପରେ କବି ରଙ୍ଗାଧର ମୋ ଉଦ୍ଦେଶ୍ୟରେ କହିଥିଲେ, “ହେ ନବାଗତ, ମନୋରମା ଦେବୀଙ୍କ ଇନ୍ଦ୍ରାଣୀ ସଭାରେ ଆପଣଙ୍କୁ ବରଣ କରି ନେଇଚି ।” କହି ଗୋଟାଏ ସୋଫା ଉପରେ ଯାଇ ବସିଥିଲେ ।

 

କବି ରଙ୍ଗାଧରଙ୍କ ପରେ ଜଣ ଜଣ ହୋଇ ଆହୁରି ଚାରି ପାଞ୍ଚ ଜଣ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବ୍ୟବସାୟୀ ପହଲି ସାହୁ । ବାରିଷ୍ଟର ସି: କେ: ଚୌଧୁରୀ । ଜିଲ୍ଲାର୍ବୋଡ଼ ଚେୟାରମ୍ୟାନ୍ ହରିଶଙ୍କର ଦୟାଲ୍ । ଆଉ କିଏ କିଏ ସେ ଦିନ ଆସିଥିଲେ, ଏତେକାଳ ପରେ ଆଉ ସେମାନଙ୍କ ନାଆ ମୋର ମନେପଡ଼ୁନି ।

 

ତେବେ ଏତିକି ମନେ ଅଛି, ସମସ୍ତେ ମତେ ଦେଖି ପ୍ରଥମରୁ ବିସ୍ମିତ ହେଇଥିଲେ । ମନୋରମା ସମସ୍ତଙ୍କ ସହିତ ପରିଚୟ ଦିଆ ନିଆ କରେଇ ଦେଇଥିଲା ।

 

ଆଉ ଗୋଟାଏ କଥା ମନେପଡ଼ୁଚି, ମନୋରମାର ସଭାକୁ ଯେଉଁମାନେ ଆସିଥିଲେ ସେମାନେ ସମସ୍ତେ କୃତୀ, ବାଣିଜ୍ୟ, ଶିକାର, ଶିକ୍ଷା, ଶିଳ୍ପ, କାବ୍ୟ–ଜୀବନର ସମସ୍ତ କ୍ଷେତ୍ରରେ ସେମାନେ ସଫଳତା ଲାଭ କରିଚନ୍ତି । ଅକୃତୀ, ଅସଫଳ ଏମିତି କୌଣସି ଗୋଟିଏ ମଣିଷକୁ ବି ସେଠି ଦେଖିବାକୁ ପାଇଲିନି ।

 

ମୋ ବ୍ୟତୀତ ସମସ୍ତେ ସଉକିଆ, ଧନୀ । ସେମାନଙ୍କର ବେଶ ପୋଷାକ ଖୁବ୍ ଚକଚକିଆ । ସେଇ କୁଳୀନ ଧନବାନ୍ ଆଉ କୃତୀ ମଣିଷଙ୍କ ମେଳରେ ମୁଁ ଭୀତ, କୁଣ୍ଠିତ ସଙ୍କୁଚିତ ହେଇଥିଲି । ମୁଁ ଥିଲି ସେଠାରେ ସର୍ବାପେକ୍ଷା ଦରିଦ୍ର । ମୋର ପୋଷାକପତ୍ର ସମସ୍ତଙ୍କ ଅପେକ୍ଷା ଦୀନ, ମଳିନ । ଅଭାବ ଯୋଗୁ ପୁରା ଦେହ ଧରିପାରି ନ ଥିଲା । ଯୌବନ ତାର ଦୁର୍ବାର ଢେଉ ଉଠେଇ ଆଣି ବି ମୋର ସ୍ୱାସ୍ଥ୍ୟ ପୂରଣ କରିପାରି ନ ଥିଲା । ବଂଶଗତ ରୂପ ଟିକକ ବାଦ ଦେଲେ ସେତେବେଳେ ବି ମୁଁ କୃଶ କରୁଣ ଥିଲି ।

 

ସମସ୍ତେ ଏକତ୍ରିତ ହେବା ପରେ ମନୋରମାର ସେ ଚାକରଟା ଆସି ମଝିରେ ପଡ଼ିଥିବା ଟେବୁଲଟା ଉପରେ ଚା’ ଏବଂ ଲୋଭନୀୟ ମୁଖରୋଚକ ଜଳଖିଆର ପାହାଡ଼ ସଜେଇଦେଇ ଗଲା-

 

ଖାଉ ଖାଉ ସମସ୍ତେ ପଦେ ଅଧେ କଥାବାର୍ତ୍ତା କରିବାରେ ଲାଗି ଥାଆନ୍ତି । ମୁଁ କିନ୍ତୁ ସ୍ୱଚ୍ଛନ୍ଦ ହେଇପାରୁ ନ ଥିଲି, ଜଳଖିଆ କିମ୍ଵା ଚା’ଆଡ଼େ ହାତ ବଢ଼ାଉ ନ ଥିଲି । ସେ କଥା ମନୋରମାର ଦୃଷ୍ଟିରେ ପଡ଼ିଥିଲା । ସେ କହିଥିଲା, “ଏ କଣ, ଆପଣ ହାତ ବାନ୍ଧି ବସିଚନ୍ତି କାହିଁକି-? ନିଅନ୍ତୁ–ଖାଆନ୍ତୁ ।”

 

ଅସ୍ଫୁଟ ଭାବରେ କହିଥିଲି, “ମୋର କିଛି ଦରକାର ନାହିଁ–”

 

“ଆପଣ ଭାରି ଲାଜୁଆ ଲୋକ ଦେଖୁଚି ! ଖାଆନ୍ତୁ କହୁଚି–” କୃତ୍ରିମ ଭ୍ରୂଭଙ୍ଗୀ କରି ମନୋରମା ଯେମିତି ଆଦେଶ ଦେଇଥିଲା ।

 

ମହାରାଣୀର ଆଦେଶ ପାଳନ ପାଇଁ ମୁହଁ ତଳକୁ ପୋତି ଏଥର ଜଳଖିଆଆଡ଼େ ହାତ ବଢ଼ାଇ ଦେଇଥିଲି ।

 

ଖାଇବା ପିଇବା ପର୍ବ ଶେଷ ହେବା ପରେ ମନୋରମାକୁ ଉପହାର ଦେବା ପର୍ବ ଆରମ୍ଭ ହେଇଯାଇଥିଲା । କବି ରଙ୍ଗାଧର ଗୋଟିଏ ସୁଦୃଶ୍ୟ ଫାଉଣ୍ଟେନ ପେନ୍ ଦେଇଥିଲେ । ବ୍ୟବସାୟୀ ପହଲି ସାହୁ ଦାମିକା ମୁଦିଟିଏ ମନୋରମା ହାତରେ ପିନ୍ଧାଇ ଦେଲେ । ବାରିଷ୍ଟର ଚୌଧୁରୀ ଦେଇଥିଲେ ଗୋଟିଏ ସୁଦୃଶ୍ୟ ବ୍ରୁଚ, ଆଉ ଜିଲ୍ଲାର୍ବୋଡ଼ ଚେୟାରମ୍ୟାନ ଖଣ୍ଡେ ଶୁଭ୍ର ଶିଲ୍‍କ ଶାଢ଼ୀ । ଅନ୍ୟମାନେ ଆଉ କିଏ କଣ ଦେଇଥିଲେ, ମୋର ଠିକ୍ ମନେ ପଡ଼ୁନି ।

 

କେବଳ ମନେ ପଡ଼ୁଚି ସର୍ବ ଶେଷରେ ଉଠିଥିଲେ ଶିକାରୀ ହରେନ୍ଦ୍ର ମୋହନ । ପ୍ୟାଣ୍ଟ ପକେଟରୁ ଗୋଟାଏ ଦାମୀ ପଥରବସା ହାର ବାହାର କରି ମନୋରମା ବେକରେ ନିଜେ ଯାଇ ପିନ୍ଧାଇ ଦେଇଥିଲେ ।

 

ମୋର ମନେ ହେଉଥିଲା, ବିଶ୍ଵସ୍ତ ପ୍ରଜାମାନେ ତାଙ୍କର ରାଜେଶ୍ଵରୀକୁ ଭେଟି ଦେଇ କୃତାର୍ଥ ହେଉଚନ୍ତି । ମନେ ହେଉଥିଲା, ଏତେ ଗୁଡ଼ାଏ ମଣିଷଙ୍କ ଭିତରେ ପ୍ରାଣାନ୍ତ ପ୍ରତିଯୋଗିତା ଚାଲିଚି, ମନୋରମାକୁ ଉପହାର ଦେବା ପ୍ରତିଯୋଗିତା । ଆଉ ଗୋଟାଏ ଘଟଣା ଲକ୍ଷ୍ୟ କରୁଥିଲି, ମନୋରମା କାହାରିକୁ ପ୍ରତ୍ୟାଖ୍ୟାନ କରିନି । ଏକାଭଳି ଖୁସି ହୋଇ ସେ ସମସ୍ତଙ୍କର ଉପହାର ନେଇଚି, ସମସ୍ତଙ୍କୁ ଧନ୍ୟ କରିଚି ।

 

ସେତେବେଳେ ମୋର ମନେ ହେଇଥିଲା, ଏଠିକି ଆସିବାକୁ ହେଲେ ମନୋରମା ହାତରେ ଦେଲା ଭଳି କିଛି ଜିନିଷ ନେଇ ଆସିବାକୁ ହୁଏ । ସେଇଟା ବୋଧହୁଏ ଏଠିକାର ଆଲିଖିତ ନିୟମ । ମୁଁ କିଛି ଆଣିନି, ସେଥିପାଇଁ ଲାଜରେ ମୋର ମୁଣ୍ଡ ଛିଣ୍ଡି ପଡ଼ୁଥିଲା ।

 

ଉପହାର ପର୍ବ ପରେ ବାରିଷ୍ଟର ଚୌଧୁରୀ କହିଥିଲେ, “ଏଥର ଭାଗ୍ୟ ପରୀକ୍ଷା ଆରମ୍ଭ ହେଉ !”

 

ବାରିଷ୍ଟରଙ୍କ କଥା ଶୁଣି ସମସ୍ତେ ଏକାଥରେ କହି ଉଠିଥିଲେ, “ଅନେକ ରାତି ହେଲାଣି-। ଭାଗ୍ୟ ପରୀକ୍ଷା ଆରମ୍ଭ ହେଉ । ଦେଖିବା କାହା ଭାଗ୍ୟ ଖୋଲୁଚି ।”

 

କେଉଁ ଭାଗ୍ୟ ପରୀକ୍ଷା ପାଇଁ ସମସ୍ତେ ଲାଗିଚନ୍ତି–ବୁଝିପାରୁ ନ ଥିଲି । ତେଣୁ ବିମୂଢ଼ଙ୍କ ଭଳି ୟା ତା’ ମୁହଁକୁ କେବଳ ଚାହୁଁଥାଏ ।

 

ମନୋରମା କହିଥିଲା, “ହଉ, ସମସ୍ତେ ଯେତେବେଳେ କହୁଛନ୍ତି ସେଇଟା ଆରମ୍ଭ କରୁଚି । ଆପଣମାନେ ଟିକିଏ ବସନ୍ତୁ, ମୁଁ କାଗଜ କଲମ ନେଇ ଆସୁଚି ।”

 

ମନୋରମା ଉଠି ଭିତରକୁ ଚାଲି ଯାଇଥିଲା । ପ୍ରାୟ ସଙ୍ଗେ ସଙ୍ଗେ କାଗଜ, ଛୁରୀ ଆଉ କଲମ ନେଇ ଫେରି ଆସିଥିଲା । ସିଂହାସନ ଭଳି ସେଇ ଚଉକିଟା ଉପରେ ପୁଣି ବସି ଧୀରେ ସୁସ୍ଥେ କାଗଜଟା କାଟି ଛୋଟ ଛୋଟ, ଚିଠା ଭଳି କଲା । ଆମେ ସେ ହଲ୍ ଭିତରେ ଯେତେ ଜଣ ପୁରୁଷ ଥିଲୁ, ସମସ୍ତଙ୍କ ନାଆଁ ସେ ଖଣ୍ଡେ ଖଣ୍ଡେ କାଗଜ ଦେହରେ ଲେଖି ଚଉତି ଦେଇଥିଲା । ଅନେକ ଗୁଡ଼ାଏ ନାଆଁ ଲେଖା ନ ଥିବା ଖାଲି କାଗଜ ମଧ୍ୟ ଚଉତି ତା ସଙ୍ଗେ ମିଶାଇ ଦେଲା । ତା ପରେ ସେଗୁଡ଼ାକୁ ଭଲ ଭାବରେ ଗୋଳାଇ ଦେଇ ପ୍ଲେଟ ଦେହରେ ରଖି ଆଗରେ ପଡ଼ିଥିବା ଟେବୁଲଟା ଉପରେ ଥୋଇଦେଲା । କହିଥିଲା, ‘‘ପହଲୀ ବାବୁ, ଏଥର ଖଣ୍ଡେ ଉଠାଇ ଦିଅନ୍ତୁ ।”

 

କଥା ଅନୁସାରେ ପହଲୀ ସାହୁ ଯାଇ ପ୍ଲେଟ ଦେହରୁ ଖଣ୍ଡେ କାଗଜ ଉଠାଇ ମନୋରମା ହାତରେ ଦେଇଥିଲେ । କାଗଜଟା ଖାଲି, କୌଣସି ନାଆଁ ସେଥିରେ ଲେଖା ହୋଇ ନଥିଲା । ଲକ୍ଷ୍ୟ କରିଥିଲି, ହତାଶରେ ପହଲୀ ସାହୁଙ୍କର ମୁହଁଟା କଳାପଡ଼ି ଯାଇଥିଲା ।

 

ଏଥର ମନୋରମା ବାରିଷ୍ଟରଙ୍କୁ କାଗଜ ଉଠାଇବା ପାଇଁ କହିଥିଲା । ଏ କାଗଜ ଖଣ୍ଡକ ବି ଖାଲି ।

 

ବାରିଷ୍ଟରଙ୍କ ପରେ କବି, ଚେୟାରମ୍ୟାନ, ଶିକାରୀ ପ୍ରଭୃତି ଜଣକ ପରେ ଜଣେ ପ୍ଲେଟ ଦେହରୁ କାଗଜ ଉଠାଇଥିଲେ । ସବୁ କାଗଜଗୁଡ଼ାକ ଖାଲି, ନାଆଁର ଚିହ୍ନ ନାହିଁ । ଲକ୍ଷ୍ୟ କରିଥିଲି, ପହଲୀ ସାହୁଙ୍କ ଭଳି ସମସ୍ତଙ୍କ ମୁହଁ ନୈରାଶ୍ୟରେ ଅନ୍ଧାରିଆ ହୋଇ ଯାଇଥିଲା ।

 

ସମସ୍ତଙ୍କ ପରେ ମନୋରମା ମତେ ଡାକିଥିଲା, “ଆପଣ ବସଚନ୍ତି କାହିଁକ, ଆସନ୍ତୁ ।”

 

ପଚାରିଥିଲି, “କ’ଣ ଏ ଭାଗ୍ୟ ପରୀକ୍ଷା ? “

 

“ପରେ କହିବି, ଆଗେ ଖଣ୍ଡେ କାଗଜ ଉଠାନ୍ତୁ ନା ।”

 

କିଛି ନ ବୁଝି ମଧ୍ୟ ଅସୀମ କୌତୂହଳରେ ପ୍ଲେଟ ଉପରୁ ଖଣ୍ଡେ କାଗଜ ଉଠାଇ ମନୋରମା ହାତରେ ଦେଇଥିଲି ।

 

କାଗଜର ଚଉଡ଼ା ଖୋଲି ମୋଆଡ଼କୁ ଚାହିଁ ମନୋରମା ଓଠ ଚିପି ଚିପି ହସିଥିଲା । ସେ ହସର ଅର୍ଥ ବୁଝି ନ ପାରି ମୁଁ କେବଳ ଜଳ ଜଳ ହୋଇ ଚାହିଁ ରହିଥାଏ ।

 

ବାରିଷ୍ଟର ପଚାରିଥିଲେ, “କଣ, କୌଣସି ନାଆଁ ଉଠିଚି ? “

 

“ହଁ ।” ମନୋରମା ମୁଣ୍ଡ ହଲେଇଥିଲା ।

 

“କାହାର, କାହାର ?” ହଲର ପ୍ରାୟ ସମସ୍ତେ ସମସ୍ୱରରେ ଚିତ୍କାର କରି ଉଠିଥିଲେ ।

 

ମନୋରମା ମୋ ଆଡ଼ୁ ଦୃଷ୍ଟି ଫେରାଇ ନଥିଲା । ଦୃଷ୍ଟି ନିବଦ୍ଧ ରଖି ଖୁବ୍ ନିମ୍ନ ଗଳାରେ କହିଥିଲା, ‘‘ଆଜି ଯିଏ ନୂଆ ଆସିଛନ୍ତି, ତାଙ୍କରି ନାଆଁ ଉଠିଚି ।”

 

ସଙ୍ଗେ ସଙ୍ଗେ ଚାରି ପାଖରୁ ଦୁଇ ଦୁଇଟି ତିକ୍ଷ୍‍ଣ ଈର୍ଷାକାତର ଦୃଷ୍ଟି ମୋ ଉପରକୁ ଝାମ୍ଫି ପଡ଼ିଥିଲା । ସମସ୍ତଙ୍କୁ ଦେଖୁ ଦେଖୁ କେମିତି ଟିକିଏ ବିଚଳିତ ବୋଧ କରିଥିଲି । ମୋ ନାଆଁ ଉଠିବାରେ କଣ ଏମିତି ଘଟଣା ଘଟିଥିଲା, ଯେଉଁଥିରେ ମୁଁ ସମସ୍ତଙ୍କର ମର୍ମଦାହର କାରଣ ହେଇଥିଲି ! କିଛି ବୁଝିପାରୁ ନ ଥିଲି ।

 

ସମସ୍ତକୁ ଦେଖୁ ଦେଖୁ ଶିକାରୀ ହରେନ୍ଦ୍ର ମୋହନଙ୍କ ଆଖିରେ ମୋର ଆଖି ପଡ଼ି ଯାଇଥିଲା । ତାଙ୍କର ଆଖି ଦୁଇଟା ଭୋକିଲା ବାଘର ଆଖି ଭଳି ଜଳି ଉଠୁଥିଲା । ମୁଁ ଡରି ଯାଇଥିଲି, ଛାତି ଭିତରଟା ଧକ୍‍ଧକ୍ ହେବା ଆରମ୍ଭ କରି ଦେଇଥିଲା ।

 

ଚେୟାରମ୍ୟାନ ଅସୀମ ନୈରାଶ୍ୟ ସ୍ୱରରେ କହିଥିଲେ, “ଆଉ କାହିଁକି, ନାଆଁ ଯେତେବେଳେ ଉଠିଗଲା, ଅକାରଣରେ ଆଉ ବସି ରହି ଲାଭ କଣ ହେବ ! ରାତି ବେଶି ହେଇ ଯାଇଚି, ଚାଲନ୍ତୁ ଯିବା–”

 

ଈର୍ଷାଜର୍ଜର ହତାଶ ଦଳ କଣ କଣ ହେଇ ବିଦା ହେଇ ଯାଇଥିଲେ । ସମସ୍ତେ ଚାଲିଯିବା ପରେ ମୁଁ କହିଥିଲି, “ଏଥର ମୁଁ ବି ଯାଉଛି । ଆଉ ଡେରି କଲେ ହଷ୍ଟେଲ ଫାଟକ ବନ୍ଦ ହୋଇଯିବ ।”

 

“ସେ କି କଥା, ଆପଣ କାହିଁକି ଯିବେ ! ଲଟେରୀରେ ଆପଣଙ୍କ ନାଆଁ ଉଠିଲା ପରା-?”

 

“ଲଟେରୀରେ ନାଆଁ ଉଠିଲେ କଣ ହୁଏ ?”

 

“ସେ ଆଉ ଯାଆନ୍ତିନି । ତାଙ୍କୁ ନେଇ ମୁଁ–”

 

“କଣ ?”

 

ମନୋରମା କହିଥିଲା, “ତାଙ୍କୁ ନେଇ ମୁଁ ଘୋଡ଼ାଗାଡ଼ିରେ ବୁଲିବାକୁ ଯାଏ । ଅନେକ ସମୟ ବୁଲାବୁଲି କରି ପୁଣି ଘରକୁ ଫେରି ଆସେ । ତା ପରେ ବାକି ରାତିତକ ଏଇଠି କଟେଇଦିଏ-।”

 

ଆଚ୍ଛନ୍ନ ଭଳି ମନୋରମାଆଡ଼େ ଚାହିଁ ରହିଥିଲି । ସେ ଯାହା କହିଥିଲା, ତାର ଅର୍ଥ ବୁଝି ବି ବୁଝିପାରୁ ନ ଥିଲି । ଯେଉଁ ଅନୁଭୂତି ଦେଇ ମଣିଷ ବୁଝିପାରେ, ସେଇଟା ଯେମିତି ମୋର ଝା୍ପସା ହେଇ ଯାଇଥିଲା । ତେବେ ଜାଣି ପାରିଥିଲି, ମୋର ହୃତପିଣ୍ଡ ଭିତର ଦେଇ କଣ ଗୋଟାଏ ଶିହରଣ ଖେଳି ଯାଉଥିଲା ।

 

ମନୋରମା କହିଥିଲା, “ଚାଲନ୍ତୁ ଆଗେ ଖାଇବା ପିଇବା ସାରି ଦେବା । ତାପରେ ବାହାରିବା ।”

 

“ଏଇଠି ଖାଇବା !”

 

“ସେଥିରେ ଜାତି ଯିବନି । ଆମର ପୂଜାରୀ ଖାଣ୍ଟି ବ୍ରାହ୍ମଣ ।”

 

“ଜାତି କଥା କହୁନି, କହୁଥିଲି ହଷ୍ଟେଲକୁ ଫେରିଯାଇ–”

 

“ରାତି ସାରା ମୋ ପାଖରେ ରହିବେ, ହଷ୍ଟେଲକୁ ଫେରିବାର ତ ପ୍ରଶ୍ନ ଉଠୁନି । ଆସନ୍ତୁ–” ମନୋରମା ଉଠି ଠିଆ ହେଇଥିଲା ।

 

ତାପରେ ବିମୁଗ୍ଧଙ୍କ ଭଳି ମନୋରମାର ପଛେ ପଛେ କେତେ କେତେ ବାରଣ୍ଡା, ଆଳିନ୍ଦ, ଦ୍ୱାର ଅତିକ୍ରମ କରି ଭିତରର ଗୋଟାଏ ଘରେ ପହଞ୍ଚିଥିଲି । ବର୍ତ୍ତମାନ ଯଦି ପୌଢ଼ ବୟସରେ କେହି ମତେ ସେ ଘରଟା ଖୋଜି ବାହାର କରିବାକୁ କହିବ, ମୁଁ ହୁଏତ ପାରିବିନି ।

 

ସେ ଘର ଭିତରେ ଜଣେ ମଧ୍ୟବୟସ୍କା ମହିଳା ବସିଥିଲା । ବୋଧହୁଏ ମନୋରମାର ମାଆ ହେବ । ମତେ ଦେଖିବା ମାତ୍ରେ ସେ ପଚାରିଥିଲା, “ଆଜି ୟାଙ୍କର ନାଆଁ ଉଠିଲା ନା କଣ-?” ତାର ସ୍ୱରରେ କେମିତି ଟିକିଏ ବିସ୍ମୟତା ଫୁଟି ଉଠିଥିଲା ।

 

ମନେହେଇଥିଲା ଭାଗ୍ୟ ପରୀକ୍ଷା କଥା ମନୋରମାର ମାଆ ଜାଣେ ।

 

ମନୋରମା କହିଥିଲା, “ହଁ, ୟାଙ୍କରି ନାଆଁ ଉଠିଲା ।”

 

“କିନ୍ତୁ–”

 

“କଣ ?”

 

“ସେଇ ଶିକାରୀ ଜମିଦାରଙ୍କ ନାଆଁ କ’ଣଟି ?”

 

“ଧଳବାବୁ–”

 

“ହଁ–ହଁ, ଧଳବାବୁଙ୍କ ଛଡ଼ା ଆଜିଯାଏ ତ କାହାରି ନାଆଁ ଉଠି ନ ଥିଲା । ଆଜି ଏ ନୂଆ ଆସିବା ମାତ୍ରେ ଉଠିଗଲା ?”

 

ମନୋରମା ମାଆର କଥାରେ କେଉଁ ସଂଶୟର ଆଭାସ ଥିଲା, ସେ ଉତ୍ତର ଏତେ କାଳ ପରେ ଦେବା ମୋ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ସେଇ ମୁହୂର୍ତ୍ତରେ ମୁଁ ଶିକାରୀ ହରେନ୍ଦ୍ର ମୋହନଙ୍କ ମୁହଁଟା ଭାବିବାକୁ ଚେଷ୍ଟା କରୁଥିଲି । ସବୁଦିନେ ତାଙ୍କର ନାଆଁ ଲଟରୀରେ ଉଠୁଛି, ମୁଁ ଆସିବାରୁ ତାଙ୍କର ଦୁର୍ଭାଗ୍ୟର ଆରମ୍ଭ ହେଇଗଲା, ସେଇଥିପାଇଁ କଣ ଏମିତି ବାଘ ଭଳି ହିଂସ୍ର ଚାହାଣି ପକେଇ ତାଙ୍କ ଭାଗ୍ୟର ନୂଆ ଭାଗୀଦାରକୁ ଆଘାତ କରୁଥିଲେ ? ଯେତିକି ଭାବୁଥିଲି ମୋର ସମସ୍ତ ସତ୍ତା ସେତିକି ସନ୍ତ୍ରସ୍ତ ହୋଇ ଉଠୁଥିଲା ।

 

ମନୋରମା କହିଥିଲା, “ପ୍ରତିଦିନ ଧଳାବାବୁଙ୍କ ନାଆଁ ଉଠିବ ବୋଲି କଣ ଲେଖାଅଛି । ଅନ୍ୟ ଲୋକଙ୍କ ଭାଗ୍ୟ ବି ତ ଦିନେ ଫିଟିବ ।”

 

ମୋର କେମିତି ମନେ ହେଉଥିଲା, ଭାଗ୍ୟ ପରୀକ୍ଷା ନାଆ ଉଠିବାରେ ମନୋରମା ହାତର କିଛି ବାହାଦୂରି ଅଛି ।

 

ଯାହାହେଉ ଭାଗ୍ୟ ପରୀକ୍ଷା ବିଷୟରେ ମନୋରମାର ମାଆ ଆଉ କୌଣସି କଥା ପ୍ରଶ୍ନ ନକରି ଅନ୍ୟ ପ୍ରସଙ୍ଗ ଉଠେଇଥିଲା, “ତା’ହାଲେ ଆଜି କିଏ କଣ ଦେଲେ ?”

 

ହାର, ମୁଦି, ଶାଢ଼ୀ, କଲମ–ଯିଏ ଯାହା ଦେଇଥିଲେ, ମନୋରମା ସେସବୁ ଧରି ଆସିଥିଲା । ମାଆ ହାତରେ ସେଗୁଡ଼ାକ ଦେଇ କହିଲା, ‘‘ଏଇ ନେ–”

 

ଉପହାର ଗୁଡ଼ିକ ଗୋଟିଏ ପାଖରେ ଟେବୁଲ୍ ଉପରେ ରଖୁ ରଖୁ ହଠାତ୍ ମନୋରମାର ମାଆ ପଚାରିଥିଲେ, “ଆଜିର ଭାଗ୍ୟବାନ କଣ ଦେଇଚନ୍ତି ?”

 

ଭାଗ୍ୟବାନ କହିଲେ ଯେ ମତେ ବୁଝାଉଥିଲା ସେଇଟା ଅନାୟାସରେ ବୁଝିପାରିଥିଲି । ମୁହୂର୍ତ୍ତକ ପାଇଁ ମୋର ହୃତ୍‍ସ୍ପନ୍ଦନ ଯେମିତି ଅଟକି ଯାଇଥିଲା । ମନୋରମାର ସଭାକୁ ସେଦିନ ମୁଁ ନୂଆ ଆସିଥିଲି । ଉପହାର ଦେବାଟା ଯେ ଏଠିକାର ଗୋଟାଏ ନିୟମ, ସେଇଟା ଜାଣିବା ମୋ ପକ୍ଷେ ସମ୍ଭବ ନ ଥିଲା । ଆଉ ଜଣା ଥିଲେ ବି କଣ ହେଇଥାଆନ୍ତା, ଉପହାର ବା ଦିଅନ୍ତି କୋଉଠୁ-? ମୋର ସେ ସାମର୍ଥ୍ୟ ବା ଆର୍ଥିକ ସ୍ୱଚ୍ଛଳତା କୋଉଠି ଥିଲା ?

 

ମାଆର କଥା ଶୁଣି ମନୋରମା ସଙ୍ଗେ ସଙ୍ଗେ ହରେନ୍ଦ୍ର ମୋହନ ଦେଇଥିବା ଦାମୀ ପଥରବସା ହାରଟା ଦେଖାଇ କହିଥିଲା, “ଏଇ ଗୋଟାକ ଦେଇଛନ୍ତି ।” କହିଲାବେଳେ ତାର ସ୍ୱର ଟିକିଏହେଲେ ଥରି ନଥିଲା ।

 

ମୋ ଉପରେ ମନୋରମାର କାହିଁକି ଏ ଅସୀମ ଅନୁଗ୍ରହ, ବୁଝିପାରୁ ନଥିଲି । ତେବେ ଏଇଟା ଯେ ମିଛ, ନିହାତି ନିର୍ଭେଜାଲ ମିଛ–ଏ କଥାଟା ବଡ଼ ପାଟିରେ ଚିତ୍କାର କରି କହିବା ପାଇଁ ଇଚ୍ଛା କରିଥିଲି; କିନ୍ତୁ କିଏ ବୋଧହୁଏ ଭିତରୁ କଣ୍ଠ ସ୍ୱରଟାକୁ ସମସ୍ତ ଶକ୍ତି ଖଟେଇ ଦୃଢ଼ ମୁଷ୍ଟିରେ ଚାପି ଧରିଥିଲା । ଫଳରେ ଟିକିଏ ହେଲେ ବି ଶବ୍ଦ ବାହାରିପାରି ନ ଥିଲା ।

 

ଏଥର ମନୋରମାର ମାଆ ହଠାତ୍ ଯେମିତି ମୋ ସମ୍ବନ୍ଧରେ ସଚେତନ ହୋଇ ଉଠିଥିଲା । ଗୋଟାଏ ଟେବୁଲ୍ ଚାରିକରେ କେତେ ଖଣ୍ଡ ସୂକ୍ଷ୍ମ କାମ ହୋଇଥିବା ଚଉକି ପଡ଼ିଥିଲା । ଦେଖି, ଅନୁମାନ କରିଥିଲି, ସେଇଟା ଖାଇବା ଟେବୁଲ୍ । ଗୋଟାଏ ଚଉକି ଦେଖାଇ ମନୋରମାର ମାଆ କହିଥିଲା, “ବସନ୍ତୁ–”

 

ମୁଁ ବସିଥିଲି । ଅନୁମାନ କରୁଥିଲି, ଉପହାରର ଓଜନ ଅନୁସାରେ ଏଠାରେ ଆପ୍ୟାୟନର କମ୍ ବେଶି ହେଇଥାଏ ।

 

କିଛି ସମୟ ଏଣୁ ତେଣୁ କଥାବାର୍ତ୍ତା ପରେ ମନୋରମାର ମାଆ ପଚାରିଥିଲେ, “ରାତି କେତେଟାରେ ତମେ ଖାଅ ?”

 

“ସାଢ଼େ ନଅଟା ସୁଦ୍ଧା ।”

 

“ପ୍ରାୟ ସାଢ଼େ ନଅଟା ତ ହେଇଗଲା । ଏଥର ଖାଇବା ବ୍ୟବସ୍ଥା କରୁଚି ?”

 

ମୁଁ କିଛି କହି ନଥିଲି ।

 

ମନୋରମା କହୁଥିଲା, “ହଁ–ହଁ, ବ୍ୟବସ୍ଥା କର ।”

 

ମନେ ଅଛି, ସେ ଦିନର ଖାଇବାଟା ନିମନ୍ତ୍ରଣ ଖାଇଲା ଭଳି ହେଇଥିଲା । ପ୍ରାୟ ରାଜସିକ । ମନୋରମାର ମାଆ ପାଖରେ ବସି ବଳେଇ ବଳେଇ ଆକଣ୍ଠ ଖୁଆଇଥିଲା । ମନୋରମା ବି ମୋ ପାଖରେ ବସି ଖାଇଥିଲା ।

 

ଖାଇବା ପିଇବା ପରେ ମନୋରମା ଖଣ୍ଡେ ଖୁବ୍ ସୁଗନ୍ଧ ମସଲା ଦିଆ ପାନ ଆଣି ଜବରବସ୍ତ ମୋ ପାଟିରେ ପୁରାଇ ଦେଇଥିଲା । ଜୀବନରେ ସେଇ ମୋର ପ୍ରଥମ ପାନ ଖାଇବା ।

 

ପାନ ଖଣ୍ଡକ ଦେଇସାରି ମନୋରମା କହିଥିଲା, “ଚାଲନ୍ତୁ, ଟିକିଏ ବୁଲି ଆସିବା ।”

 

ମୁଁ ତା ପଛେ ପଛେ ଅଳିନ୍ଦ, ବାରଣ୍ଡା ପାର ହୋଇ କିଛି ସମୟ ପରେ ବାହାରର ସେଇ ଉଚ୍ଚା ଉଚ୍ଚା ଖମ୍ବଗୁଡ଼ାକ ପାଖରେ ଆସି ଠିଆ ହେଇଥିଲି । ଦେଖିବାକୁ ପାଇଲି, ପାହାଚ ତଳେ ସେ ଦିନର ସେଇ ଘୋଡ଼ାଗାଡ଼ି ଖଣ୍ଡକ ଥୁଆ ହେଇଚି । ଘୋଡ଼ାଗାଡ଼ିଟାକୁ କିଏ କେତେବେଳେ ଏଠାରେ ଆସି ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲା, କିଏ କହିବ !

 

ମନୋରମା ଡାକିଥିଲା, “କାଦର–”

 

କଚୁଆନ ସ୍ଥାନରୁ କାଦର ଜବାବ୍ ଦେଇଥିଲା “ଜୀ–”

 

ଏଥର ମନୋରମା ମତେ କହିଥିଲା, “ଚାଲନ୍ତୁ ଗାଡ଼ିରେ ବସିବ ।”

 

ପ୍ରଥମ ଦିନ ଭଳି ସେଦିନ ବି ଦୁହେଁ ପାଖାପାଖି ହୋଇ ବସିଥିଲୁ । ଠିକ୍ ପ୍ରଥମ ଦିନ ଭଳି ନୁହେଁ, ସେଦିନ ଶେଷ ଫେରନ୍ତି ଗାଡ଼ିରୁ ଓହ୍ଲାଇ ଘୋଡ଼ାଗାଡ଼ିରେ ଆମେ ଦୁହେଁ ମୁହାଁମୁହିଁ ହୋଇ ବସିଥିଲୁ ସତ; କିନ୍ତୁ ମଝିରେ ସାମାନ୍ୟ ବ୍ୟବଧାନ ଥିଲା । ଆଜି କିନ୍ତୁ ମନେରମା ପାଖକୁ ଲାଗି ଗୋଟାଏ ସିଟରେ ନିବିଡ଼ ଭାବରେ ବସିଥିଲି ।

 

ଉପରୁ କାଦର ପଚାରିଥିଲା, “କୁଆଡ଼େ ଯିବା ?”

 

“କୁଆଡ଼େ ଯିବା ?” ମନୋରମା ଟିକିଏ ଭାବି କହିଥିଲା, ନଈ କୂଳଆଡ଼େ ଯୋଉ ରାସ୍ତାଟା, ସେଇଆଡ଼େ ଚାଲ–”

 

ମନୋରମା ମୋ ଦେହକୁ ଲାଗି ବସିଥିବାରୁ ଗାଡ଼ିର ପକା ଉଠା ଗତିରେ ବାରମ୍ଵାର ସେ ମୋ ଉପରକୁ ଢଳି ପଡ଼ୁଥିଲା, ତାର ନିଶ୍ୱାସ ଆସି ମୋ କାନ୍ଧରେ ବାଜୁଥିଲା । ତାର ଦେହ ଆଉ କେଶାରଣ୍ୟ ମଧ୍ୟରୁ ଗୋଟାଏ ଉଗ୍ର ମାଦକ ଗନ୍ଧ ମତେ ଯେମିତି ମାତାଲ କରିବା ଆରମ୍ଭ କରି ଦେଇଥିଲା ।

 

ମନୋରମା ପାଖରେ ବସି ଥରେ, ମାତ୍ର ଥରୁଟିଏ ମାନସୀ କଥା ମୋର ମନେ ପଡ଼ିଥିଲା । ମାନସୀଙ୍କର ବି ଗୋଟାଏ ଘୋଡ଼ାଗଡ଼ି ଥିଲା । କିନ୍ତୁ କୌଣସି ଦିନ ସେ ମତେ ଏଭଳି ପାଖରେ ବସେଇ ବୁଲିବାକୁ ଯାଇନି ।

 

ଗାଡ଼ିର ତାଳେ ତାଳେ ମନୋରମା ଆହୁରି ନିବିଡ଼ରୁ ନିବିଡ଼ତମ ହେଉଥିଲା । କେବଳ ତାର ବାହୁ ପ୍ରଭୃତିର ସ୍ପର୍ଶ ପାଉ ନ ଥିଲି: ଅଜସ୍ର ଅପର୍ଯ୍ୟାପ୍ତ କେଶ ମଝିରେ ମଝିରେ ମୋର ମୁହଁ ଆଖି ଘୋଡ଼େଇ ଦେଉଥିଲା । ବୁଝି ପାରୁଥିଲି, ମୋର ସମସ୍ତ ସତ୍ତା କେଉଁ ଏକ ଅତଳ ଗଭୀରତାରେ ଧୀରେ ଧୀରେ ନିମଜ୍ଜିତ ହେଇ ଯାଉଥିଲା ।

 

ନିଜର ଆଚ୍ଛନ୍ନ ବିହ୍ୱଳତା କିମ୍ଵା ସମ୍ପୂର୍ଣ୍ଣ ଆତ୍ମବିଲୁପ୍ତି ଘଟିବା ଆଗରୁ ମନଟାକୁ ଅନ୍ୟ ଦିଗକୁ ଫେରାଇବା ଦରକାର । ପ୍ରାୟ ଜୋର୍ କରି କହିଥିଲି, “ଆଚ୍ଛା–”

 

“କଣ ?”

 

“ସେତେବେଳେ ମାଆଙ୍କୁ ମିଛ କଥାଟା କାହିଁକି କହିଲେ, ପ୍ରକୃତରେ ସେ ହାରଟା ତ ମୁଁ ଆପଣଙ୍କୁ ଦେଇନି–”

 

ଚୁପ୍ ଚୁପ୍ କରି ମନୋରମା କହିଥିଲା, “ମୋ ଇଚ୍ଛାହେଲା ବୋଲି କହିଥିଲି ।”

 

“କିନ୍ତୁ କାହିଁକି ?”

 

“ଆପଣଙ୍କୁ ଆଜି ରାତିର ରାଜା କରିବି ବୋଲି ।”

 

ଟିକିଏ ଚୁପ୍ ରହିବା ପରେ କହିଥିଲି, “ଆପଣଙ୍କ ସଭା ତ ଦେଖିଲି । ଏଠିକି ଆସିବାକୁ ହେଲେ ମହାରଣୀଙ୍କ ପାଇଁ ଭେଟି ଆଣିବା ବୋଧହୁଏ ନିୟମ ଅଛି ?”

 

“ମହାରାଣୀ ବୋଲି ଯେତେବେଳେ କହୁଚନ୍ତି, ସେତେବେଳେ ନିଶ୍ଚୟ କିଛି ଭେଟି ଦେବାର କଥା ।”

 

ଯେଉଁଦିନ ରାତିରେ ଶେଷ ଗାଡ଼ିରେ ଆସିଥିଲୁ, ସେ ଦିନ ଭଳି ଆକାଶରେ କୁହୁଡ଼ି ନ ଥିଲା । ତୁଳା ଚଦର ଭଳି ଚକ ଚକିଆ ଶୁଭ୍ର ଜ୍ୟୋତ୍ସା ଚାରିଆଡ଼ ଧୋଇ ଦେଉଥିଲା । ଶୀତଟା ବି ଯେମିତି କମି ଯାଇଥିଲା । ପାଖରେ ବସିଥିବା ମନୋରମାକୁ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଥିଲି । ତାର ଶୁଭ୍ର ଜର୍ଜେଟ ଶାଢ଼ୀର ଢିଲା ଫେର ଗୁଡ଼ାକ ସ୍ତୂପୀକୃତ ଫେଣଭଳି ମନେ ହେଉଥିଲା । ତା ଭିତରେ ତା ମୁହଁଟା ଦେଖିଲେ ମନେ ହେଉଥିଲା ଗଭୀର ନିଶୀଥରେ ସମସ୍ତଙ୍କ ଦୃଷ୍ଟି ଅନ୍ତରାଳରେ ଯେମିତି କୌଣସି ଗୋଟାଏ ଶୁଭ୍ର ପୁଷ୍ପ ପ୍ରସ୍ଫୁଟିତ ହେଇଚି ।

 

କୁଣ୍ଠିତ ଭାବରେ କହିଥିଲି, “କିନ୍ତୁ ମୁଁ କିଛି ତ ନେଇ ଯାଇ ନ ଥିଲି । ମୁଁ ଯଦି ଜାଣି ଥାଆନ୍ତି ଯେ–”

 

“ଭୟ ନାହିଁ, ସେଥିପାଇଁ ଆପଣଙ୍କ ମୁଣ୍ଡ କେହି କାଟି ଦେଉନି । ଆଉ ବର୍ତ୍ତମାନ ସେ ସବୁ କଥା ଭାବିବା କିଛି ଦରକାର ନାହିଁ ।” କହୁ କହୁ ମୋର ଗୋଟାଏ ହାତ ତାର କୋଳ ଉପରକୁ ଟାଣି ନେଇ ଆଙ୍ଗୁଠିରେ ଆଙ୍ଗୁଠି ମିଶେଇ ଖେଳିବା ଆରମ୍ଭ କରି ଦେଇଥିଲା ।

 

ମୋର ମୁହଁ ଆଖି, ନାକ, କାନ ଝିମ୍ ଝିମ୍ ହୋଇ ଉଠୁଥିଲା । କଣ କରିବି ଭାବି ପାରୁ ନ ଥିଲି । ନିର୍ଜୀବ ଦେହରେ ଅବଶ ଅନୁଭୂତିରେ କାଠ ହୋଇ ବସିଥିଲି ।

 

ମୋର ଆଙ୍ଗୁଠି ସନ୍ଧିରେ ଆଙ୍ଗୁଠି ଗଳେଇ ଛନ୍ଦୁ ଛନ୍ଦୁ ମନୋରମା ହଠାତ୍ କହିଥିଲା, “ଆପଣଙ୍କ କୋଳରେ ଟିକିଏ ଶୋଇବି ?”

 

ଉତ୍ତର ଦେଇ ପାରି ନ ଥିଲି । କିଛି ଗୋଟାଏ କହିବି ବୋଲି ଅବଶ୍ୟ ଚେଷ୍ଟା କରିଥିଲି, କିନ୍ତୁ କହିପାରି ନ ଥିଲି । କାହିଁକି ଯେ ଏମିତି ହେଇଥିଲା, ସେଇଟା ଏପର୍ଯ୍ୟନ୍ତ ଭାବି ପାରିନି ।

 

ମୋର ଉତ୍ତରକୁ ମନୋରମା ଆଉ ଅପେକ୍ଷା କରି ବସି ନ ଥିଲା । କୋଳ ଉପରେ ମୁଣ୍ଡରଖି ଶୋଇ ପଡ଼ିଥିଲା ।

 

ରମଣୀ ସମ୍ବନ୍ଧରେ ମୋର ଅଭିଜ୍ଞତା ଭଣ୍ଡାରରେ ସେ ଦିନ ମାତ୍ର କିଶୋରୀଟିଏ ହିଁ ଥିଲା, ସେ ହେଉଚି ମାନସୀ । ଠିକ୍ କିଶୋରୀ ନୁହେଁ; କୈଶୋର ଆଉ ଯୌବନ ମଝିରେ ସେତେବେଳେ ସେ ଗୋଡ଼ ଥୋଇଥିଲା ।

 

ଏଭଳି ମାନସୀର ରସନା ଶାଣିତ, ତୀକ୍ଷ୍‍ଣ । ସେ ମୁଖରା, ସ୍ୱଚ୍ଛନ୍ଦ, ସାବଲୀଳା । କିନ୍ତୁ ଗୋଟାଏ ଯାଗାରେ ଆଶ୍ଚର୍ଯ୍ୟ କୁଣ୍ଠିତ, ଦ୍ୱିଧାଗ୍ରସ୍ତ । ସେଠାରେ ସେ ଭୀରୁ ହରିଣୀ କିମ୍ବା ଲାଜକୁଳି ଲତା–ଛୁଇଁଦେଲେ ଯାହାର ପତ୍ରଗୁଡ଼ା ବୁଜି ହେଇଯାଏ । ଜୀବନର ବାଞ୍ଛିତ ପୁରୁଷ ପାଖରେ ନିଜର ହୃଦୟଟାକୁ ଖୋଲି ଧରିବାପାଇଁ ତାକୁ ଦଶବର୍ଷ ଲାଗିଯାଇଥିଲା । ପ୍ରାଣର ଅନ୍ତରାଳରେ ଅସ୍ଫୁଟ ରକ୍ତିମ କଳିକାଟିକୁ ପରିପୂର୍ଣ୍ଣ ପ୍ରସ୍ଫୁଟିତ ଫୁଲରେ ପରିଣତ କରିବାପାଇଁ ମନେ ମନେ କେତେ କାଳ ସାଧନା କରିଚି, କେବଳ ସେଇ ଜାଣେ ।

କିନ୍ତୁ ଏଇ ଝିଅ, ମନୋରମା–ପ୍ରଥମ ପରିଚୟରେ ସେ ମତେ ଘୋଡ଼ାଗାଡ଼ିରେ ବସେଇଥିଲା । ଦ୍ୱିତୀୟ ଦିନ ଦେଖା ହେବା ପରେ ସେ ମୋ କୋଳରେ ମୁଣ୍ଡରଖି ଶୋଇଥିଲା । ମୋର ସଂକ୍ଷିପ୍ତ ସୀମାବଦ୍ଧ ଅଭିଜ୍ଞତା ଜଗତରେ ଏଭଳି ରମଣୀୟ ଅସ୍ତିତ୍ଵ କେଉଁଠି ବି ନ ଥିଲା । ଅଭିଜ୍ଞତା ଦୂରେ ଥାଉ, କୌଣସିଦିନ ଏମିତି ପ୍ରମତ୍ତା, ମଦାଳସା, ସ୍ଵେଚ୍ଛାଚାରିଣୀ କଥା ବି ଶୁଣି ନ ଥିଲି ।

 

ସେତେବେଳେ ମନେହେଉଥିଲା, ମୋର ହୃତପିଣ୍ଡ ଜମାଟ ବାନ୍ଧିଯାଇଚି । ମୋ କୋଳରେ ଶାୟିତା ଯେଉଁ ରୂପସୀ ଉର୍ଦ୍ଧ୍ଵମୁଖରେ ଅପଲକ ଭାବରେ ମୁହଁକୁ ଚାହିଁ ରହିଥିଲା, ତାକୁ ନେଇ କଣ କରିବି ବୋଲି ଭାବି ପାରୁ ନ ଥିଲି । ମୋର ବିମୁଢ଼ ଅସ୍ତିତ୍ଵ, ମୋର ବିହ୍ୱଳ ଇନ୍ଦ୍ରିୟ ସମସ୍ତେ ଯେମିତି ସମସ୍ୱରରେ ଚିତ୍କାର କରି କହୁଥିଲେ, ଦୁଇ ଉନ୍ମାଦ ବାହୁ ବେଷ୍ଟନରେ ଏଇ ଦୁର୍ଲଭାକୁ ଛାତି ପାଖକୁ ଟାଣି ଆଣି ଚାପିଧର ! ଓଷ୍ଠର ସ୍ୱାଦୁ ଉଷ୍ମତା ଶୋଷି ଶୋଷି ମାତାଲ ହେଇଯାଅ । କିନ୍ତୁ ମୋର ଚିରନ୍ତନ ଭୀରୁତା ବାଦ ସାଧିଥିଲା, ବାଧା ଦେଉଥିଲା । ମୋର ଇଚ୍ଛା ଶକ୍ତିକୁ, ମୋର ସମସ୍ତ ପୌରୁଷକୁ ସେ ଦୁର୍ବଳ, ଶକ୍ତିହୀନ, ନିର୍ଜୀବ କରି ରଖିଥିଲା ।

 

କିଛି ସମୟ ପରେ ଅଳସ ମନ୍ଥର ଗଳାରେ ମନୋରମା ଫୁସ୍ ଫୁସ୍ ହୋଇ କହିଥିଲା, “ଏମିତି ଚୁପ୍ ହେଇ ବସିଚନ୍ତି କାହିଁକି ?”

 

ଏତେ ସମୟ ପରେ ମୋ ତୁଣ୍ଡରୁ କଥା ବାହାରିଥିଲା । କମ୍ପିତ ଶିଥିଳ ସ୍ଵରରେ କହିଥିଲି, “କଣ କରିବି ?”

 

“କଣ କରିବେ !” ଅତର୍କିତ ଗୁଣ ଛିଣ୍ଡା ଧନୁ ଭଳି ମନୋରମା ବିଦ୍ୟୁତ ବେଗରେ ଉଠି ବସିଥିଲା । ଉତ୍ତେଜନାରେ ବକ୍ଷ ଘନଶ୍ୱାସିତ, ଆଖି ଦୁଇଟା ତାର ଯେମିତି ଜଳି ଉଠୁଥିଲା ।

 

ମନୋରମାର ରୂପାନ୍ତର ମତେ ସନ୍ତ୍ରସ୍ତ କରି ପକେଇଥିଲା । କଣ କରିବି ବୋଲି ସେତେବେଳେ କିଛି ଠିକ୍ କରି ପାରି ନ ଥିଲି ।

 

ସାପ ଭଳି ଫଁ ଫଁ ହୋଇ ମନୋରମା ମତେ କହିଥିଲା, “ଅପଦାର୍ଥ କୋଉଠିକାର ! ମୋର ଭୁଲ୍ ହେଇଗଲା, ଆଗରୁ ଜାଣିଥିଲେ ଆଜି ରାତିଟା ଏମିତି ନଷ୍ଟ ହୋଇଯାଇ ନ ଥାନ୍ତା ।”

 

ମୁଁ ନୀରବ । ମୋର ଅପଦାର୍ଥତାର ପ୍ରମାଣ କିଭଳି ଭାବରେ ମନୋରମା ପାଇଥିଲା, କିଭଳି ଭାବରେ ମୁଁ ତାର ଗୋଟାଏ ରାତି ନଷ୍ଟ କରି ଦେଇଥିଲି; ସେଇଟା ବୁଝି ପାରି ନ ଥିଲି । ନ ବୁଝି ମଧ୍ୟ ଅପରାଧୀଙ୍କ ଭଳି ତଳକୁ ମୁହଁ କରି ବସିଥିଲି ।

 

ମନୋରମ ଏଥର ଚିତ୍କାର କରି କଚୁଆନକୁ କହିଥିଲା, “ଗାଡ଼ି ଫେରାଅ କାଦର–”

 

କାଦର ଗାଡ଼ିର ମୁହଁ ବୁଲାଇ ଘରଆଡ଼େ କରି ଦେଇଥିଲା ।

 

ମନୋରମା କହିଥିଲା, “ଆପଣଙ୍କୁ ଆଗେ ଘରକୁ ନେଇଯାଏ, ତା ପରେ ଦେଖିବି ପ୍ରକୃତରେ ଆପଣ ଅପଦାର୍ଥ ନା କିଛି ଅଛି ?”

 

ମୁଁ ଡରି ଯାଇଥିଲି । ମୋର ଆତଙ୍କ ପ୍ରାୟ ଶୀର୍ଷ ବିନ୍ଦୁରେ ପହଞ୍ଚିଯାଇଥିଲା । ମୁଁ ନିରୀହ, ଆତ୍ମକୈନ୍ଦ୍ରିକ, ମୁହଁଲୁଚା ମଣିଷ । ସମସ୍ତଙ୍କ ପାଖରୁ ଚିରଦିନ ସନ୍ତର୍ପଣରେ ନିଜକୁ ଲୁଚେଇ ରଖିଚି । ନିଭୃତ ନିର୍ଜନତାରୁ ଛିଣ୍ଡେଇ ଆଣି ମତେ ନେଇ ମନୋରମା କି ଭୟଙ୍କର ଖେଳରେ ମାତିଥିଲା ? କାହିଁକି ଝଡ଼ର ଦୋଳିରେ ମତେ ଝୁଲେଇ ଦେଇଥିଲା । କଣ ତାର ଉଦ୍ଦେଶ୍ୟ ?

 

ଅସ୍ପଷ୍ଟ ଭାବରେ କହିଥିଲି, “ମୁଁ ହଷ୍ଟେଲକୁ ଯିବି ।”

 

“ହଷ୍ଟେଲକୁ ଯିବ ମାନେ ।” ତୀକ୍ଷଣ ଚିତ୍କାରରେ ମନୋରମା ରାତ୍ରୀଟାକୁ ବିଦୀର୍ଣ୍ଣ କରି ଦେଇଥିଲା ।

 

“ମୋର ଭାରି ଭୟ ହେଉଚି ।”

 

“ଭୟ ହେଉଚି !”

 

“ହଁ–” ମୋର ସ୍ୱର ଗଭୀର ଅତଳରେ ବୁଡ଼ିଯାଇଥିଲା ।

 

“ଛେରୁଆ କୋଉଠିକାର ।”

 

ତାପରେ ଆଉ କୌଣସି କଥାବାର୍ତ୍ତା ହେଇଥିଲା କି ନାଇଁ, ମୋର ମନେ ନାହିଁ । କେବଳ ମନେ ପଡ଼ୁଚି, ସେଦିନ ଆଉ ମନୋରମା ଘରକୁ ଯାଇ ରାତି କଟେଇବାକୁ ପଡ଼ିନି । ଏଇ ଟିକକ ଅନୁଗ୍ରହ ସେ କରିଥିଲା, ଫେରିବା ବାଟରେ ମତେ ହଷ୍ଟେଲ ପାଖରେ ଓହ୍ଲେଇ ଦେଇ ଯାଇଥିଲା ।

 

ଓହ୍ଲେଇ ଦେଇ ଗଲାବେଳେ ସେ ମୋ ମୁହଁକୁ ଚାହିଁ ନ ଥିଲା, ପଦେ କଥା ବି କହି ନ ଥିଲା । ତେବେ ଅନୁମାନ କରୁଥିଲି, ମୁହଁରେ ଯେମିତି ଜ୍ଵଳନ୍ତ ଘୃଣା ଲେପି ହୋଇଯାଇଥିଲା ।

 

ଏତେ ରାତିରେ ହଷ୍ଟେଲରେ ଆଉ କେହି ଚାହିଁ ନ ଥିଲେ । ସନ୍ତର୍ପଣରେ ଗୋଡ଼ ଚିପି ଚିପି ନିଜ ରୁମ୍ ପାଖକୁ ଯାଇ ମନୁକୁ ଉଠେଇଥିଲି ।

 

ମତେ ଦେଖି ମନୁ ଏକାବେଳେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲା । ପଚାରିଥିଲା, “କିରେ, ତୁ ଘରକୁ ଯାଇନୁ ?”

 

ମୁହଁ ଲୁଚେଇ କୌଣସି ପ୍ରକାର ଉତ୍ତର ଦେଇଥିଲି, “ନାଇଁ ।”

 

“ଯାଇନୁ ତ, ଏତେ ରାତିଯାଏ କୋଉଠି ଥିଲୁ ?”

 

ଜଡ଼ିତ ସ୍ୱରରେ କଣ ଉତ୍ତର ଦେଇଥିଲି, ମନେ ନାହିଁ ।

 

ମନୁ ସାମାନ୍ୟ ଉଦବିଗ୍ନ ହୋଇ ପଚାରିଥିଲା, “ତୋ ଦେହ କଣ ଭଲ ନାହିଁ ?”

 

“ଭଲ ଅଛି ।”

 

ମନୁ କଣ ଅନ୍ଦାଜ କରିଥିଲା କେଜାଣି, କହିଥିଲା, “ତୋର କଣ ହେଇଚି କହିଲୁ ?”

 

“କିଛି ନାଇଁ ।” ମନୁଆଡ଼େ ମୁହଁ ଟେକି ଚାହିଁ ପାରୁ ନ ଥିଲି । ମନେ ହେଉଥିଲା, ଚାହିଁଲେ ଧରା ପଡ଼ିଯିବି । ଉପର ବେଳାଠାରୁ ରାତି ଅଧ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଯାହା ଘଟି ଯାଇଚି, ସବୁ ଯେମିତି ମୋ ମୁହଁରେ କିଏ ଛାପି ଦେଇଚି ।

 

“କିଛି ନାଇଁ କହିଲେ ହେଲା !” ମନୁ ଆସି ମୋ କାନ୍ଧରେ ଗୋଟାଏ ହାତ ରଖିଥିଲା ।

 

ମନୁକୁ ଆହୁରି ଆଶ୍ଚର୍ଯ୍ୟକରି ଦେଇ ତା ହାତଟା କାନ୍ଧ ଉପରୁ କାଢ଼ି ବିଛଣା ଉପରେ ଗଡ଼ି ପଡ଼ିଥିଲି । ମନୁର ପ୍ରତିକ୍ରିୟା ଯେମିତି ଦେଖି ନ ପାରେ ସେଥିପାଇଁ କମ୍ବଳ ଘୋଡ଼ି ହେଇ କଡ଼ ଲେଉଟାଇ ଦେଇଥିଲି ।

 

ବାଇଶ

 

ମନେଅଛି, ଦଳେଇଘାଟ ବାହାରେ, ଅଜା ଆଈ, ବୋଉ ଭାଇଭଉଣୀମାନଙ୍କୁ ଛାଡ଼ି ଶନିବାର ରାତି କଟେଇବା ସେଇ ମୋର ପ୍ରଥମ ।

 

ପରଦିନ ରବିବାର । ଠିକ୍ ସାଢ଼େ ନଅଟା ବେଳକୁ ମୋ ତଳଭାଇ ନିରଞ୍ଜନ ଆସି ହାଜର ହେଇ ଯାଇଥିଲା ।

 

ନିରଞ୍ଜନ ଦଳେଇଘାଟରେ ଦଶମ ଶ୍ରେଣୀରେ ପଢ଼ୁଥିଲା । ଏହା ପୂର୍ବରୁ ସେ କେବେ କୌଣସି ଦିନ ଏମିତି ଏକୁଟିଆ ମୋ ପାଖକୁ ଆସି ନ ଥିଲା । ତାକୁ ଦେଖିବାମାତ୍ରେ ଛାତି ଭିତରଟା ମୋର ଥରି ଉଠିଥିଲା । ମନେ ହେଇଥିଲା, କିଛି ଗୋଟାଏ ଅଶୁଭ ଘଟଣାର ଦୂତ ହେଇ ସେ ଦଳେଇଘାଟରୁ ଧାଇଁ ଆସିଚି । ଡରି ଡରି ଉଦବିଗ୍ନ ସ୍ଵରରେ ପଚାରିଥିଲି, “କଣରେ, ହଠାତ୍ ତୁ କୁଆଡ଼େ ଆସିଲୁ ?”

 

“କାଲି ତମେ ଗଲନି, ତେଣେ–” କହୁ କହୁ ନିରଞ୍ଜନ ହଠାତ୍ ରହିଯାଉଥିଲା ।

 

“କଣ ?”

 

“ତମେ ଗଲା ଶନିବାର ଦିନ ଘରକୁ ଯାଇ ରବିବାର ଦିନ ଏଠିକି ଆସିଲ । ଆଉ ସୋମବାର ଦିନଠାରୁ ଅଜାଙ୍କୁ ଭାରି ଜର; ଏତେଦିନ ଗୋଟାଏ ପ୍ରକାର ଥିଲା । କାଲି ରାତିଠାରୁ ଦେହ ବେଶି ଖରାପ ହେଇଯାଇଚି, ଜ୍ଞାନ ନାହିଁ । ବୋଉ ମତେ ପଠେଇ ଦେଲା; ଚଞ୍ଚଳ ଚାଲ ।”

 

ଯାହା ଆଶଙ୍କା କରୁଥିଲି, ସେଇୟା । ରୁଦ୍ଧଶ୍ଵାସରେ କହିଥିଲି, “ସୋମବାର ଦିନଠୁ ଜର ହେଲାଣି, ଆଗରୁ ଖବର ଦେଲନି କାହିଁକି ?”

 

“ଶନିବାର ଦିନ ତ ତମେ ଯାଅ, ସେଥିପାଇଁ ବୋଉ ମତେ ପଠେଇ ନ ଥିଲା । ତା ଛଡ଼ା ଏମିତି ବିଶେଷ କିଛି ହେଇ ନ ଥିଲା ।”

 

“ଚାଲ । ଘଣ୍ଟାଏ ଭିତରେ ଗୋଟାଏ ଗାଡ଼ି ଅଛି, ସେଇଥିରେ ଚାଲିଯିବା ।”

 

ମନୁ ପାଖରେ ଠିଆ ହେଇ ସବୁକଥା ଶୁଣୁଥିଲା । ଘର ଭିତରୁ ବାହାରିଲା ବେଳକୁ ସେ କହିଥିଲା, “ମୁଁ ତମମାନଙ୍କ ସାଙ୍ଗରେ ଯିବି ।”

 

ମୁଁ କହିଥିଲି, “ମୁଁ ଦେଖେ କଣ ହେଇଚି । ଦରକାର ହେଲେ ତୋ ପାଖକୁ ଖବର ପଠେଇବି ।”

 

“ହଉ । ଆଉ ଶୁଣ–”

 

“କହ ।”

 

“ଯଦି ଦେଖୁ ବିଶେଷ କୌଣସି ଅସୁବିଧା ହୁଏ, ତାହେଲେ ନାନାଙ୍କୁ ଜଣେଇବୁ । କୌଣସି ସଙ୍କୋଚ କରିବୁନି ।”

 

“ହଉ ।”

 

ଆମେମାନେ ବାହାରିପଡ଼ିଥିଲୁ ।

 

ମୃତ୍ୟୁ ଯେ ତାର ରଥ ଧରି ଅଜାଙ୍କ ମୁଣ୍ଡ ପାଖରେ ଆସି ପହଞ୍ଚି ଯାଇଥିଲା, ସେ କଥା କିଏ ଜାଣିଥିଲା ! ମତେ ନିରଞ୍ଜନ ଯାଇ ହଷ୍ଟେଲରେ ଖବର ଦେଇଥିଲା । ଶନିବାରଠାରୁ ଅଜାଙ୍କର ଜ୍ଞାନ ନାହିଁ । ଜ୍ଞାନ ଆଉ ଫେରି ନ ଥିଲା । ମୁଁ ଦଳେଇଘାଟରେ ଆସି ପହଞ୍ଚିବାର ତିନିଘଣ୍ଟା ପରେ ଅଜା ଆମମାନଙ୍କୁ ଛାଡ଼ି ଚିରଦିନ ପାଇଁ ଚାଲି ଯାଇଥିଲେ ।

 

ଅଜା–ମୋର ଜୀବନକୁ ଆନନ୍ଦମୟ, ଭୋଜନବିଳାସୀ, ରସିକ ମଣିଷଟିର ଭୂମିକା ଶେଷ ହୋଇଗଲା ।

 

ଅଜାଙ୍କ ମୃତ୍ୟୁପରେ ଆଈ ବି ବେଶିଦିନ ବଞ୍ଚି ନ ଥିଲେ । ମାତ୍ର ସାତଦିନ ପରେ ସେ ବି ଆମ ପାଖରୁ ବିଦାୟ ନେଇଥିଲେ ।

 

ଗୋଟାଏ କଥା ମୁଁ ନିର୍ଭୁଲ ଭାବରେ ସ୍ମରଣ କରିପାରୁଚି । ଅଜାଙ୍କ ମୃତ୍ୟୁରେ ଆଈ ଟିକିଏ ହେଲେ କାନ୍ଦି ନ ଥିଲେ । ତାଙ୍କ ଆଖିରେ ଟୋପାଏ ଲୁହ କେହି ଦେଖି ନଥିଲା । ଅଜାଙ୍କୁ ଯେତେବେଳେ ଶ୍ମଶାନକୁ ନିଆଗଲା, ସେତେବେଳେ କେବଳ ଥରକ ପାଇଁ କହିଥିଲେ, “ଏମିତି ମତେ ପକେଇ ଦେଇଗଲେ, ଶେଷକୁ ତମ ମନରେ ଏଇୟା ଥିଲା ! ମୁଁ ଏକୁଟିଆ କେମିତି ରହିବି-?”

 

ଆଈଙ୍କର ସେଇ ହେଲା ଶେଷ କଥା । ତା ପରେ ସେ ଏକାବେଳେ ସ୍ତବ୍‍ଧ ହେଇ ଯାଇଥିଲେ । କେବଳ କଥା ନୁହେଁ, ଖାଇବା ପିଇବା ବି ବନ୍ଦ କରି ଦେଇଥିଲେ । ହଜାର ବଳାବଳି କରି ମଧ୍ୟ ତାଙ୍କୁ ପାଣି ଟୋପାଏ ପିଆଇ ହେଲାନି । ଗୋଟାଏ ସପ୍ତାହ ଏଭଳି ଭାବରେ କଟିବା ପରେ ଦିନେ ରାତିରେ ସେ ଶୋଇଥିଲେ, ସେଇ ଶୋଇବାଟା ତାଙ୍କର କାଳନିଦ୍ରା ହୋଇଗଲା । ନିଦ ଭିତରେ ତାଙ୍କର ଜୀବନର ସମାପ୍ତି ଦେଖା ଦେଇଥିଲା ।

 

କୈଶୋରର ଆରମ୍ଭରୁ ଅଜାଙ୍କ ସଙ୍ଗେ ଆଈ ନିଜକୁ ନିବିଡ଼ ଭାବରେ ଗୁଡ଼େଇ ଦେଇଥିଲେ । ତା ପରେ କାୟା ସଙ୍ଗେ ଛାୟା ଭଳି ଦୀର୍ଘ ପଚାଶଟା ବର୍ଷ କଟି ଯାଇଥିଲା । ସ୍ଵାମୀଙ୍କର ପ୍ରତିଟି କଥାରେ, କାମରେ ସେ ସମତାଳରେ କଦମ୍ ଉଠେଇଥିଲେ । ସାରା ଜୀବନ ଭିତରେ ଦିନେ ହେଲେ ବି କୌଣସି କଥାରେ ତାଙ୍କର ମତର ଅମେଳ ହେଇନି । ପରସ୍ପରକୁ ଛାଡ଼ି ଗୋଟାଏ ଦିନ ବି ସେମାନେ ରହି ନାହାନ୍ତି । ମୃତ୍ୟୁର କି ସାଧ୍ୟ ଥିଲା ଯେ, ସାତଦିନରୁ ଅଧିକା ସେମାନଙ୍କୁ ବିଚ୍ଛିନ୍ନ କରି ରଖନ୍ତା !

 

ଟିକିଏ ହେଲେ ଭୂମିକା ନ କରି, ଅଭାବନୀୟ ରୂପରେ ଲାଗି ଲାଗି ଦୁଇଟା ମୃତ୍ୟୁ ଆସିଥିଲା । ସେଥିପାଇଁ ଆମେମାନେ ପ୍ରସ୍ତୁତ ନ ଥିଲୁ । ହଠାତ୍ ଆଲୁଅ ଲିଭିଗଲା ପରି ଆମ ଚାରିପାଖେ ଅନ୍ଧାର ନିବିଡ଼ ହୋଇ ଯାଇଥିଲା ।

 

ପରିଣତ ବୟସର ମୃତ୍ୟୁ–ସେଇଟା ଏକାନ୍ତ ସ୍ଵାଭାବିକ । ତଥାପି ଆମମାନଙ୍କର ଭିନ୍ନ ପ୍ରତ୍ୟାଶା ଥିଲା । ଭାବିଥିଲୁ ଅଜା-ଆଈ ଆହୁରି ଦୀର୍ଘାୟୁ ହେବେ । ମୃତ୍ୟୁ ମାତ୍ରକେ ଅପୂରଣୀୟ କ୍ଷତି । ତାର ଶୂନ୍ୟତା ସହଜରେ ପୂରଣ ହେବାର ନାହିଁ । କିନ୍ତୁ ଅଜା-ଆଈଙ୍କର ସମାପ୍ତି ଆମମାନଙ୍କୁ ଯେଉଁଠିକି ଠେଲିଥିଲା, ତାର ଗୋଟାଏ ନାଆଁ–ଅନାହାର । ଦୁଇଟା ମୃତ୍ୟୁ, ବିଶେଷ କରି ଅଜାଙ୍କ ମୃତ୍ୟୁରେ ସଂସାରର ମୂଳଦୁଆ ଦୋହଲି ଯାଇଥିଲା । ଆଗରେ–ପଛରେ, ବାମରେ ବା ଡାହାଣରେ କୌଣସି ଆଡ଼େ ବଞ୍ଚିଲା ଭଳି ରାସ୍ତା ନ ଥିଲା ।

 

ଆମର ଏଇ ଚରମ ଦୁର୍ଦ୍ଦିନରେ ମନୁର ନନା ସଦାବେଳେ ଆମ ପାଖେ ପାଖେ ରହିଥିଲେ । ଅଜାଙ୍କର ଅସୁସ୍ଥତା ଖବର ପାଇ ସେ ଧାଇଁ ଆସିଥିଲେ । ତା ପରଦିନଠାରୁ ସେ ଦୁଇଓଳି ଯିବା ଆସିବା କରନ୍ତି । ଅଜା–ଆଈଙ୍କ ମୃତ୍ୟୁରେ ମନୁର ନନା ବୋଉ ଆମମାନଙ୍କୁ ସାନ୍ତ୍ଵନା ଦେଇଥିଲେ । ସଜଳ ଦୃଷ୍ଟିରେ ସହାନୁଭୂତି ମିଶେଇ ମାନସୀ ବାରମ୍ବାର ବୁଲେଇ ବୁଲେଇ ମୋ ଆଡ଼େ ଚାହିଁଥିଲା । କଲେଜରୁ ଛୁଟି ନେଇ ମନୁ ମଧ୍ୟ ଆସିଥିଲା ।

 

ସଂସାରରେ ପୁରୁଷ ମଣିଷ କହିଲେ ଅନଭିଜ୍ଞ ମୁଁ, ଆଉ ନାବାଳକ ଭାଇମାନେ । ତେଣୁ ମନୁଙ୍କର ନନା ଶ୍ମଶାନକୁ ଯିବା ବ୍ୟବସ୍ଥା, ଶୁଦ୍ଧ ଶ୍ରାଦ୍ଧର ଆୟୋଜନ, ସବୁ ନିଜେ କରିଥିଲେ । କେତେଟା ଦିନ ସେ ଅପାର ସମବେଦନାରେ ଆମମାନଙ୍କୁ ଆବୃତ କରି ରଖିଥିଲେ ।

 

ସେଇ ଦିନଠାରୁ ସେମାନଙ୍କର ଯିବା ଆସିବା ବନ୍ଦ ହେଇ ନ ଥିଲା । ଅନ୍ତତଃ ପ୍ରତିଦିନ ଥରେ ହେଲେ ଆସନ୍ତି । ବୋଉକୁ କହନ୍ତି, “କିଛି ଦରକାର ହେଲେ ମତେ କହିବେ, ମୋଟେ ସଙ୍କୋଚ କରିବେନି ।”

 

ବୋଉ ଖୁବ୍ ଧୀର ଗଳାରେ କହିଥିଲା, “ଆପଣ ଆଉ ସଙ୍କୋଚ କରିବାର ବାଟ କୋଉଠି ରଖିଚନ୍ତି ଯେ ?”

 

ଯାହା ହେଉ, ଶୁଦ୍ଧ ଶ୍ରାଦ୍ଧ ପରେ ଶୋକର ପ୍ରାଥମିକ ପ୍ରବଳ ଉଚ୍ଛ୍ଵାସଟା ଟିକିଏ ସ୍ତିମିତ ହୋଇ ଆସିବାରୁ ଗୋଟାଏ ଜଟିଳ ପ୍ରଶ୍ନ ଆମମାନଙ୍କ ଆଗରେ ଆସି ଦେଖା ଦେଇଥିଲା । ଏଣିକି ସଂସାରଟା କେମିତି ଚଳିବ ?

 

ମୁଁ ସେତେବେଳେ ଭାଇ-ଭଉଣୀ ଆଉ ସଂସାର ଚିନ୍ତାରେ ଅସ୍ଥିର ହେଇ ପଡ଼ିଥିଲି । କହିଥିଲି, “ପଢ଼ା ଛାଡ଼ି ଦେଇ ଚାକିରି କରିବି ।”

 

ବୋଉ ତୀକ୍ଷଣ ସ୍ୱରରେ ଚିତ୍କାର କରି ଉଠିଥିଲା, “କଣ କହିଲୁ ପଢ଼ା ଛାଡ଼ିଦେବୁ ! ଏଡ଼େ ସାହସ ତୋର, ମୋ ମୁହଁରେ ତୁ ଏ କଥା କହି ପାରିଲୁ !!”

 

“ନ କହି ଆଉ କଣ କରନ୍ତି ! ସମସ୍ତଙ୍କୁ ତ ପୁଣି ବଞ୍ଚିବାକୁ ହେବ । ମାଟ୍ରିକ ପରୀକ୍ଷା ପରେ ଅଜା ଯେତେବେଳେ ଚାକିରି କରିବାକୁ କହୁଥିଲେ, ସେତେବେଳେ ତୁ ଯଦି ରାଜି ହେଇ ଥାଆନ୍ତୁ–”

 

ମୋ କଥା ଶେଷ ହେବା ଆଗରୁ ବୋଉ ତାର ସମସ୍ତ ଶକ୍ତି ସଞ୍ଚୟ କରି ଚିତ୍କାର କରି ଉଠିଥିଲା, “ନରି– !”

 

ଡରିଯାଇ ପଚାରିଥିଲି, “କଣ କହୁଚୁ ?”

 

“ମନେରଖ, ମୁଁ ଏବେ ବି ବଞ୍ଚିଚି । ଯେତେଦିନ ଯାଏ କିଛି ନ କହିଚି, ସେତେଦିନ ଯାଏ ତତେ ପଢ଼ିବାକୁ ହେବ ।”

 

“କିନ୍ତୁ–”

 

“କହିଚି ନା, ମୋ ମୁହଁ ଉପରେ କଥା କହିବୁନି । ପିଲାଦିନେ ମାଡ଼ ଖାଉଥିଲୁ, ଏ ଦିନେ ବି ମାଡ଼ ଖାଇବାକୁ ଇଚ୍ଛା ହେଉଚି ନା କଣ ?”

 

ମୁଁ ଚୁପ୍ ହୋଇ ଯାଇଥିଲି । ବୋଉ କଣ ଟିକିଏ ଭାବି କହିଥିଲା, “ଗୋଟାଏ କାମ କର, ମାନସୀ ନନାଙ୍କୁ ଟିକିଏ ଡାକି ଆଣ ତ । ଆଛା, ତୋର ଯିବା ଦରକାର ନାହିଁ, ନିରଞ୍ଜନକୁ ପଠୋଉଚି ।”

 

କିଛି ସମୟ ପରେ ମନୁର ନନା ଆସିଥିଲେ । ତାଙ୍କୁ ଘର ଭିତରେ ଖଣ୍ଡେ ଚଉକି ଉପରେ ବସେଇ ବୋଉ ଦ୍ଵାର ଆଢ଼ୁଆଳରେ ଟିକିଏ ଓଢ଼ଣା ଟାଣି ଠିଆ ହେଇଥିଲା । ମୁଁ ମନୁ ନନାଙ୍କ ପାଖରେ ଥିଲି ।

 

ମନୁର ନନା କହିଥିଲେ, “ଆପଣ ମତେ କାହିଁକି ଡକେଇଲେ, କଣ କିଛି କହିବାର ଅଛି-?”

 

“ହଁ ।” ଓଢ଼ଣା ତଳୁ ବୋଉ ମୁଣ୍ଡ ହଲେଇଥିଲା ।

 

“କହନ୍ତୁ–”

 

“ନରି ପିଲାଲୋକ, ସେ ପାରିବନି । ଦୟାକରି ମୋର ଗୋଟାଏ କାମ କରିଦେବାକୁ ହେବ । ଆଉ ଗୋଟାଏ ବିଷୟରେ ପରାମର୍ଶ ଦେବାକୁ ହେବ । ଟିକିଏ ଭାବିଚିନ୍ତି ପରାମର୍ଶଟା ଦେବେ । ମନେ ରଖିବେ, ଏଥିରେ ଆପଣଙ୍କର ବି ସ୍ଵାର୍ଥ ଅଛି ।”

 

“ଆଗେ କାମ କଥାଟା କଣ କହନ୍ତୁ ।”

 

“ନନାଙ୍କ ପ୍ରୋଭିଡ଼େଣ୍ଟ ଫଣ୍ଡରେ ଦୁଇ ହଜାର କି ଅଢ଼େଇ ହଜାର ଟଙ୍କା ରହିଚି । ଆଇନତଃ ଉତ୍ତରାଧିକାରୀ ସୂତ୍ରରେ ସେଇଟା ମୋର ପାଇବା କଥା । ଟିକିଏ ଚଞ୍ଚଳ ବ୍ୟବସ୍ଥା କରି ନନାଙ୍କ ଅଫିସରୁ ସେଇଟା ଉଠାଇବାକୁ ହେବ ।”

 

“ନିଶ୍ଚୟ । ଦଶ ପନ୍ଦର ଦିନ ଭିତରେ ଯେମିତି ଟଙ୍କାଟା ମିଳିଯାଏ, ତାର ବ୍ୟବସ୍ଥା କରିବି ।” ତା ପରେ କହିଥିଲେ, “କାମର କଥା ତ ଗଲା । ଏଥର ପରାମର୍ଶ କଥା କହନ୍ତୁ ।”

 

ସଙ୍ଗେ ସଙ୍ଗେ ବୋଉ କିଛି କହି ନ ଥିଲା । ଟିକିଏ ଚୁପରହି ମନେ ମନେ ବକ୍ତବ୍ୟଟାକୁ ଯେତେ ଦୂର ସମ୍ଭବ ସଜାଡ଼ି ନେଉଥିଲା । ତା ପରେ କହିଥିଲା, “ଆପଣ ବୋଧହୁଏ ଜାଣନ୍ତି ନି, ନନା ହିଁ ସଂସାରର ଏକମାତ୍ର ରୋଜଗାରିଆ ମଣିଷ ଥିଲେ । ଏଥିରୁ ବୁଝୁଥିବେ, ନନାଙ୍କ ମୃତ୍ୟୁରେ ଆମେ କି ବିପଦରେ ପଡ଼ିଚୁ ।”

 

ଚିନ୍ତିତ ଭାବରେ ମନୁର ନନା କହିଥିଲେ, “କିନ୍ତୁ–”

 

“କଣ ?”

“ଆପଣଙ୍କର ସ୍ଵାମୀ ମାନେ ନରିଙ୍କ ନନା, ସେ ତ ଅଛନ୍ତି ।” କହୁ କହୁ ହଠାତ୍ ତାଙ୍କର କଣ ଯେମିତି ମନେ ପଡ଼ି ଯାଇଥିଲା, । “ଭଲ କଥା ! ଦୁଇ ଦୁଇଟା ମଣିଷ ମରିଗଲେ, ଶୁଦ୍ଧ ଶ୍ରାଦ୍ଧ ହେଲା । କାଇଁ, ତାଙ୍କୁ ତ ଦେଖିଲିନି ।”

ବୋଉ ଏଥର ଚୁପ୍ ହୋଇ ରହିଥିଲା ।

ମନୁର ନନା ପୁଣି କହିଥିଲେ, “ନରିଙ୍କଠାରୁ ଶୁଣିଚି, ସେପରା ଓଡ଼ିଶା ବାହାରେ କୋଉଠି ଚାକିରି କରିଚନ୍ତି । ତାଙ୍କୁ କଣ ଖବର ଦିଆ ଯାଇନି ?”

ବୋଉ ଖୁବ୍ ଆସ୍ତେ କହିଥିଲା, “ନା”

ଆଶ୍ଚର୍ଯ୍ୟ ହୋଇ ଯାଇ ମନୁର ନନା ପଚାରିଥିଲେ, “କାହିଁକି ?”

“ସେ ନାହାନ୍ତି । “ଓଢ଼ଣା ତଳେ ବୋଉର ମୁହଁ ଏବଂ ସ୍ୱର ନିଷ୍ଠୁର ହୋଇ ଉଠିଥିଲା । ମୁଁ ଚିତ୍କାର କରି ଉଠିଥିଲି, “ବୋଉ !”

ମନୁର ନନା ବିଭ୍ରାନ୍ତଙ୍କ ଭଳି ବୋଉର ଶେଷ କଥା ପଦକ ପ୍ରତିଧ୍ଵନି କରିଥିଲେ, “ନାହାନ୍ତି ?”

“ଅଛନ୍ତି କି ନାଇଁ, ଠିକ୍ କହି ପାରୁନି । ତେବେ ମୋ ପାଖରେ ସେ ମୃତ ।” ବୋଉ ଦେହରେ କୌଣସି ଅଶରୀରୀ ଯେମିତି ପ୍ରବେଶ କରି ଯାଇଥିଲା । ନିଜର ଜାଣନ୍ତାରେ ନୁହେଁ ଅଜାଣନ୍ତରେ ଯେମିତି କହିଥିଲା ।

ମୋ ଗଳାରୁ ବି ଆଉ ଥରେ ତୀକ୍ଷ୍‍ଣ ଚିତ୍କାର ବାହାରି ଆସିଥିଲା, “ବୋଉ !”

ଧମକ ଦେଇ ବୋଉ କହିଥିଲା, “ତୁ ତୁନି ହ ।”

ମନୁର ନନା କହିଥିଲେ, “ଆପଣ କଣ କହୁଚନ୍ତି, ମୁଁ କିନ୍ତୁ ବୁଝିପାରୁନି ।”

ବୋଉ କହିଥିଲା, “ଆପଣ ଦୁଇଦିନ ପରେ ଆମମାନଙ୍କର ବନ୍ଧୁ ହେବାକୁ ଯାଉଚନ୍ତି । ଆପଣଙ୍କୁ ସବୁକଥା ଖୋଲି କହିବା ଦରକାର ।”

ଘରଭିତରୁ ଥାଇ ମୁଁ କହିଥିଲି, “ସେ ସବୁ କଥା ଥାଉ, ବୋଉ ।”

“ନାଇଁ ଥିବ କାହିଁକି ? ତୁ ମତେ ମନା କରନି ନରି ।” କହି ସେ ପୁଣି ମନୁର ନନାଙ୍କୁ କହିଥିଲା, “ଆପଣ ସବୁ ଶୁଣନ୍ତୁ, ଆପଣଙ୍କର ସବୁକଥା ଜାଣିବା ଦରକାର ।”

ମନୁର ନନା କିଛି କହି ନ ଥିଲେ ।

ତାପରେ ବୋଉ ବିଷଦ ଭାବରେ ନନାଙ୍କ ସ୍ୱଭାବ ବ୍ୟାଖ୍ୟା କରିଥିଲା । ସାରାଜୀବନ ତାଙ୍କର ଦାୟିତ୍ଵହୀନତା ଯୋଗୁ କେମିତି ପିଲାଛୁଆଙ୍କୁ ଧରି ବାପଘରେ ମୁହଁ ତଳକୁ କରି ପଡ଼ି ରହିବାକୁ ହେଇଚି, ସବୁ କଥା ବୋଉ ଖୋଲାଖୋଲି କହିଥିଲା । ଶେଷରେ ଆମମାନଙ୍କ ସହିତ ନନାଙ୍କ ସମ୍ପର୍କ ଯେ ଚିରଦିନ ପାଇଁ କଟି ଯାଇଚି ଏବଂ ସେ ଆଉ କୌଣସି ଦିନ ଫେରିବେନି, ସେ କଥା ବି ଜଣେଇ ଦେଇଥିଲା । ଅବଶ୍ୟ ଦିନେ ରାତିରେ ବୋଉ ସେ ତାଙ୍କୁ ଘରୁ ବାହାର କରି ଦେଇଥିଲା, ସେଇଟା ଅକୁହା ରହିଗଲା ।

 

ବୋଉ ଯେଉଳି ଭାବରେ ନନାଙ୍କର ସ୍ଵଭାବ ବିଶ୍ଳେଷଣ କରିଥିଲା, ତା ଦୃଷ୍ଟିରୁ ସେଇଟା ଠିକ୍ । କିନ୍ତୁ ମୁଁ ନନାଙ୍କୁ ଅନ୍ୟ ଭାବରେ ଆବିଷ୍କାର କରିଥିଲି । ତାଙ୍କର ଦାୟିତ୍ଵହୀନତା, ଉଦାସୀନ ଅନ୍ୟମନସ୍କ ବାଉଳାଙ୍କ ଭଳି ଘୂରି ବୁଲିବା–ଏଗୁଡ଼ାକ କୌଣସିଟା ଇଚ୍ଛାକୃତ ନୁହେଁ । ଏହାର ନେପଥ୍ୟରେ ଗଭୀର ବ୍ୟାପକ କୌଣସି ତାତ୍ପର୍ଯ୍ୟ ଥିଲା । କିନ୍ତୁ ଏ ସବୁ କଥା ସେଦିନ ସେଠାରେ କହିବାରେ କିଛି ଲାଭ ନ ଥିଲା । ତେଣୁ ମୁହଁ ବୁଜି ରହିଥିଲି ।

 

ବୋଉ କହିଥିଲା, “ଆମର ତ ସବୁକଥା ଶୁଣିଲେ, ନନାଙ୍କ ମରିବା ପରେ ଆମେ କି ଅବସ୍ଥାରେ ଆସି ପହଞ୍ଚିଚୁ ସେଇଟା ନିଶ୍ଚୟ ଅନୁମାନ କରି ପାରିଥିବେ । ଏ ଅବସ୍ଥାରେ ନରି କଣ କହୁଚି, ଶୁଣିଚନ୍ତି–”

 

“କଣ ?”

 

“ପଢ଼ା ଶୁଣା ଛାଡ଼ିଦେଇ ଚାକିରି କରିବ ?”

 

“ଚାକିରି ! କିନ୍ତୁ–“କିଛି ଗୋଟାଏ କହିବେ ବୋଲି ମନୁର ନନା ଇଚ୍ଛା କରିଥିଲେ, କିନ୍ତୁ ଅଧେ କହି ରହିଯାଇଥିଲେ ।

 

ତାଙ୍କ ମନର କଥା ଟିକିଏ ଅନୁମାନ କରି ପାରିଥିଲି । ମୋର ଚାକିରି ସମ୍ବନ୍ଧରେ ବୋଉର ମନୋଭାବ ନ ଜାଣି ସେ କୌଣସି ମନ୍ତବ୍ୟ ଦେବେନି ।

 

ବୋଉ ପଚାରିଥିଲା, “ଏ ବିଷୟରେ ଆପଣ କଣ କହୁଚନ୍ତି ?”

 

ମନୁର ନନା କହିଥିଲେ, “ନରିଙ୍କ ବିଷୟରେ ମୋ କହିବା ଅପେକ୍ଷା ଆପଣଙ୍କ କହିବାର ଗୁରୁତ୍ଵ ବେଶି । ଆପଣ ଯାହା କହିବେ, ସେଇୟା ହେବ ।”

 

“ମୁଁ ଏକୁଟିଆ କହିଲେ କିଛି ହେବନି, ଆପଣଙ୍କୁ ବି କହିବାକୁ ହେବ ।”

 

“ଦେଖନ୍ତୁ, ଏ ସମ୍ବନ୍ଧରେ ମୋର ଯଦି କିଛି କହିବାର ଥାଏ, ତା ହେଲେ କହିବି–”

 

“କୌଣସି ଦ୍ୱିଧା ନ କରି କହନ୍ତୁ ।”

 

ଅଭୟ ପାଇବା ପରେ ବି ମନୁର ନନା ଡରି ଡରି କହିଥିଲେ, “ନରି ଏତେ ଭଲ ଛାତ୍ର, ମୋର ତ ଇଚ୍ଛା, ସେ ପଢ଼ନ୍ତୁ ।”

 

“ମୋର ବି ସେଇ ଇଚ୍ଛା । ନନାଙ୍କର ପ୍ରୋଭିଡ଼େଣ୍ଟ ଫଣ୍ଡରୁ ଦୁଇ ହଜାର କି ଅଢ଼େଇ ହଜାର ଟଙ୍କା ମିଳିବ । ଟାଣିଟୁଣି ଚଳିଲେ ଦେଢ଼ଟା ବର୍ଷ କଟେଇ ଦେଇ ପାରିବି । ୟା ଭିତରେ ନରିଟା ବି.ଏସସି. ପାଶ୍ କରିଯିବ । ଅନ୍ତତଃ ସେତିକି ଆଗେ ପଢ଼ୁ । ତାପରେ ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ । ଆପଣ କଣ କହୁଚନ୍ତି ?”

 

“ବି.ଏସସି. ତ ପାଶ୍ କରିବେ । ଇଞ୍ଜିନିୟରି°ଟା ବି ପାଶ୍ କରିବାକୁ ହେବ । ଏ ବିଷୟରେ ମୋର କିନ୍ତୁ ଗୋଟାଏ ଅଳି ଅଛି, ସେଇଟା ଆପଣଙ୍କୁ ରଖିବାକୁ ହେବ ।” ଏକା ନିଃଶ୍ୱାସକେ କଥାଗୁଡ଼ାକ କହି ମନୁର ନନା ହାତ ଦୁଇଟା ଯୋଡ଼ିଥିଲେ ।

 

“କଣ ?”

 

“ଆପଣଙ୍କ ଉପରେ ମୋର ଅସୀମ ଶ୍ରଦ୍ଧା ଅଛି । ଆପଣଙ୍କ ସମ୍ମାନ ରଖି କହୁଚି ନରିଙ୍କର ପଢ଼ାଶୁଣାର ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅନ୍ତୁ । ସେ ଯଦି ବଡ଼ ହୁଅନ୍ତି, ମଣିଷ ହୁଅନ୍ତି, ସେଥିରେ ଆପଣଙ୍କର ମୋର ଉଭୟଙ୍କର ସ୍ଵାର୍ଥସିଦ୍ଧି ହେବ ।”

 

ଏହା ପୂର୍ବରୁ ମନୁର ନନା ଥରେ ମୋର ପଢ଼ାଶୁଣାର ଦାୟିତ୍ୱ ନେବାକୁ ଇଚ୍ଛା କରିଥିଲେ । ବୋଉ ସେତେବେଳେ ଅସନ୍ତୁଷ୍ଟ ହେଇଥିଲା, ମନେ ହେଉଥିଲା, ଏଥର ମଧ୍ୟ ସେ ରାଗିଯିବ ।

 

କିନ୍ତୁ ନା, ବୋଉ ରାଗିଲାନି । ଟିକିଏ ସମୟ ଚୁପ୍ ରହି କହିଥିଲା, “ହଉ ସେଇୟା ହେବ । ତେବେ ଏଇଲେ ନୁହେଁ, ଯେତେବେଳେ ଦରକାର ହେବ ଆପଣଙ୍କୁ କହିବି ।”

 

ସାଗ୍ରହରେ ମନୁର ନନା କହିଲେ, “ଏଇକଥା ତାହେଲେ ରହିଲା । ଆପଣ ଯେତେବେଳେ ଯୋଉ ମୁହୂର୍ତ୍ତରେ କହିବେ, ମୁଁ ପ୍ରସ୍ତୁତ ଅଛି । ଆଉ ଗୋଟାଏ କଥା–”

 

“କହନ୍ତୁ ।”

 

“ଆପଣ କଣ ଭାବିବେ କହି ପାରୁନି, ତେବେ ଶୁଭଦିନ ମାତ୍ର ଆଉ ମାସେ ଭିତରେ କଟିଯାଉଚି । ଭାବୁଥିଲି, ଏହା ଭିତରେ ନିର୍ବନ୍ଧଟା ସାରି ଦେଲେ ଭଲ ହୁଅନ୍ତା ।”

 

“ଦେଖିବା ।”

 

“ଆଉ ଦେଖିବାର କଣ ଅଛି ? ପିଲାଏ ପଢ଼ୁଚନ୍ତି ତ ପଢ଼ନ୍ତୁ, ଆମ ଦାୟିତ୍ଵଟା ଆମେ ଯେତେ ଶୀଘ୍ର ସାରିବା ସେତେ ଭଲ ।”

 

“କହୁଚନ୍ତି ତ–ହଉ ।”

 

ତେଇଶ

 

ଅଜାଙ୍କର ପ୍ରୋଭିଡ଼େଣ୍ଟ ଫଣ୍ଡ ଟଙ୍କାରେ ସଂସାରଟାକୁ ଦେଢ଼ବର୍ଷକାଳ ସରଳ ରଖିହେବ-। ସେ ଟଙ୍କାଟା ଉଠାଇବା ଦାୟିତ୍ୱ ମନୁର ନନା ନେଇଚନ୍ତି ।

 

ଦେଢ଼ବର୍ଷ ଖଣ୍ଡେ ସଂସାର ବିଷୟରେ ଅନ୍ତତଃ ଭାବିବାର ଆଉ କିଛି ନାହିଁ । ବୋଉ କହିଥିଲା, “ସବୁ ତ ତୁଟିଲା, ଏଥର ତୁ କଲେଜକୁ ଚାଲିଯା । ଘରେ ବସି ରହି ପଢ଼ାଶୁଣାରେ କ୍ଷତି କଲେ କଣ ହେବ ?”

 

ସେ କଥା ମୁଁ ବୁଝି ପାରିଥିଲି । କିନ୍ତୁ ବୋଉ କହିବା ସଙ୍ଗେ ସଙ୍ଗେ ମୁଁ କଲେଜକୁ ଫେରିଯାଇ ପାରି ନ ଥିଲି । ସେଦିନ କେଜାଣି କାହିଁକି ମନୋରମା କଥା ମୋର ମନେ ପଡ଼ିଥିଲା । ତାର ସଭାକୁ ଗଲେ କିଛି ଗୋଟାଏ ଉପହାର ନେଇ ଯିବାକୁ ହୁଏ, ଯେମିତି ଶାଢ଼ୀ, ହାର, ପେନ୍, ବ୍ରୁଚ୍‍ ଏମିତି କିଛି । ଆଉ ମୁଁ ଯାଇଥିଲି ଖାଲି ହାତରେ । ଭାଗ୍ୟ ପରୀକ୍ଷାରେ ସେଦିନ ମୋର ନାଆଁ ଉଠିଥିଲା । ହୋଇପାରେ, ଜାଣିଶୁଣି ମନୋରମା ନିଜର ହାତର କୌଶଳରେ ସେଦିନ ମତେ ଭାଗ୍ୟଜୟୀ କରେଇଥିଲା ।

 

କିନ୍ତୁ କାହିଁକି ? ହୁଏତ ସେ ଗଣିକା–ବହୁବିଳାସିନୀ । ଦେହ ବିନିମୟରେ ସେ ଉପହାର ପାଉଥିଲା । ହେଲେ ମୋ ପ୍ରତି ଏତେଟା ଉଦାରତା ଦେଖା ଦେଇଥିଲା କାହିଁକି ? ଗୋଟିଏ ରିକ୍ତ ଯୁବକ ପାଇଁ ହରେନ୍ଦ୍ର ମୋହନ ପ୍ରଦତ୍ତ ହାରଟାକୁ ତାର ମାଆ ଆଗରେ ମୁଁ ଦେଇଚି ବୋଲି କହିଲା କାହିଁକି ?

 

ହୁଏତ ନୂତନର ଆସ୍ଵାଦରେ ଲାଳାୟିତ ହୋଇ ସେ ସବୁ କିଛିକୁ ସେଦିନ ଅବଜ୍ଞା ଜଣେଇଥିଲା । କିନ୍ତୁ କଣ ପାଇଲା ! ତାର ସେ ଦିନର ହତାଶା ଜର୍ଜର ଚିତ୍କାର ମନେ ପଡ଼ିଥିଲା–’ମୋର ଭୁଲ୍ ହେଇଗଲା, ଆଗରୁ ଜାଣିଥିଲେ ଆଜି ରାତିଟା ଏମିତି ନଷ୍ଟ ହୋଇ ଯାଇ ନଥାନ୍ତା ।’

 

ମୋ ପାଇଁ ସେ ଯେଉଁ କ୍ଷତିଗ୍ରସ୍ତ ହେଲା, ସେଥିରେ ମୁଁ ତା ପାଖେ ଋଣୀ ରହିଯାଇଚି । ପୁଣି ମତେ ସେଠିକି ଯିବାକୁ ହେବ । ତାର ଭାଗ୍ୟ ପରୀକ୍ଷାରେ ନିଜର ନାଆଁ ଉଠେଇବାକୁ ନୁହେଁ, ସୁଦୃଶ୍ୟ ଚେୟାରରେ ବସି ସୁଖାଦ୍ୟ ଲାଳସାରେ ନୁହେଁ, ଘୋଡ଼ାଗାଡ଼ିରେ ବସି ନଈ କୂଳ ଆଡ଼େ ବୁଲିବା ପାଇଁ ନୁହେଁ । ସେ ଦିନର ଋଣମୁକ୍ତ ହେବା ପାଇଁ କିଛି ଗୋଟାଏ ଉପହାର ନେଇ ଦେଇ ଆସିବାକୁ ହେବ । ସେଦିନ ପାଇଁ ଏତିକି ହେଲେ ମୋଠାରୁ ସେ ପାଉ ।

 

ହଠାତ୍ ଭାବନା ବାଧା ପ୍ରାପ୍ତ ହେଇଥିଲା । ଦେବି କଣ, କୋଉଠୁ ଦେବି ! ଦେବା ପାଇଁ ମୋ ପାଖରେ ବା କଣ ଅଛି ! ହରେନ୍ଦ୍ର ମୋହନ ଭଳି ଜମିଦାର ହୋଇଥିଲେ–ଭାବି ପାରି ନ ଥିଲି-। ଲୋକଟାର ନାଆଁ ମନେ ପଡ଼ିବା ମାତ୍ରେ କେମିତି ଟିକିଏ ଉତ୍ତେଜନା ଅନୁଭବ କରିଥିଲି-। ସେ କେବଳ ନିଷ୍ଠୁର ନୁହେଁ, ଗର୍ବୀ ।

 

ହଠାତ୍ ମୋର ମନେପଡ଼ିଥିଲା, ନନା ତାଙ୍କ ଡେଣାରୁ ଖୋଲି ଗୋଟାଏ ସୁନାର ତାବିଜ ମୋତେ ଦେଇଥିଲେ । ସେଇ ଗୋଟାକ ମୋ ପାଖରେ ଥିଲା, ନନାଙ୍କର ଏକମାତ୍ର ଏବଂ ଶେଷ ସ୍ମୃତି ଚିହ୍ନ ।

 

ତାବିଜ କଥା ମନେ ପଡ଼ିବାମାତ୍ରେ ଭାଇ–ଭଉଣୀ ବୋଉ ସମସ୍ତଙ୍କୁ ଲୁଚେଇ ସେଇଟାକୁ ଖୋଜିବାକୁ ଆରମ୍ଭ କରିଥିଲି । ବାକ୍‍ସ ସୁଟ୍‍କେଶ ଯାହା ଯେଉଁଠି ଥିଲା, ସବୁଗୁଡ଼ା ଖୋଜିଥିଲି । କିଛି ବାକି ରଖି ନ ଥିଲି ।

 

ଖୋଜୁ ଖୋଜୁ ଗୋଟାଏ ସୁଟକେଶ ଭିତରୁ ତାବିଜଟା ସଙ୍ଗେ ଖଣ୍ଡେ ଛୋଟ ଫଟୋ ପାଇଥିଲି । ନାନାଙ୍କ ବିବାହ ବେଳର ଫଟୋ । କିନ୍ତୁ ନାନାଙ୍କ ପାଖରେ ଏ ମହିଳାଟି କିଏ ? ବୋଉ ତ ନୁହେଁ । ବିଭ୍ରାନ୍ତଙ୍କ ଭଳି କିଛି ସମୟ ଦେଖିବା ପରେ ରୁଦ୍ଧ ଶ୍ଵାସରେ ଧୀରେ ଧୀରେ ରୋଷେଇ ଘର ଉଦ୍ଦେଶ୍ୟରେ ଆଗେଇ ଯାଇଥିଲି ।

 

ବୋଉ କଡ଼େଇ ବସେଇ କଣ ଗୋଟାଏ ଭାଜିବାକୁ ଯାଉଥିଲା । ମୁଁ ପଛରୁ ଡାକିଲି, “ବୋଉ–”

 

ମୁହଁ ନ ବୁଲେଇ ସେ ଜବାବ ଦେଇଥିଲା, “କଣ ?”

 

“ସୁଟକେଶରୁ ମୁଁ ଗୋଟାଏ ଫଟୋ ପାଇଚି ।”

 

“କି ଫଟୋ ?”

 

“ଏଇ ଦେଖୁନୁ–”

 

ଭଜାଟା ବସେଇ ଦେଇ ମୋ ହାତରୁ ଫଟୋଟା ନେଇ ବୋଉ ଚମକି ପଡ଼ିଥିଲା । ଅସହ୍ୟ ଆବେଗରେ ତାର ଓଠ ଦୁଇଟା ଥରୁଥିଲା, ଆଖି ଦୁଇଟା ଫାଟି ଯେମିତି ରକ୍ତ ବାହାରି ପଡ଼ିବ ବୋଧହୁଏ । ମନେ ହେଉଥିଲା, ତା ଛାତି ଭିତରେ ଯେମିତି ନିଃଶ୍ୱାସ ରୁନ୍ଧି ହେଇଯାଉଚି ।

 

ଖୁବ୍ ଆସ୍ତେ ପଚାରିଥିଲି, “ନନାଙ୍କ ପାଖରେ ଏ କିଏ ବୋଉ ?”

 

ଉଦଭ୍ରାନ୍ତଙ୍କ ଭଳି ବୋଉ କହିଥିଲା, “ଡାହାଣୀ ।”

 

“ଡାହାଣୀ !”

 

“ହଁ, ହଁ, ଡାହାଣୀ । ତୋ ନନାଙ୍କୁ ମୋ ପାଖରୁ ଏଇ ଡାହାଣୀଟା ଛଡ଼େଇ ନେଇଯାଇଚି-।”

 

ମୋ ପକ୍ଷେ ଘଟଣାଟା ଯେମିତି ଟିକିଏ ଟିକିଏ ସ୍ପଷ୍ଟ ହେବାକୁ ଆରମ୍ଭ କରିଥିଲା । ବୋଉ ପାଇଁ ସମବେଦନାରେ କରୁଣାରେ ମନ ଆର୍ଦ୍ର ଆଚ୍ଛନ୍ନ ହେଇ ଉଠିଥିଲା । ହୃତ୍‍ପିଣ୍ଡର ଉତଥାନ–ପତନ କିଛି ସମୟ ପାଇଁ ଯେମିତି ବନ୍ଦ ହେଇ ଯାଇଥିଲା । ତାପରେ ଝାପ୍‍ସା ଗଳାରେ ପଚାରିଥିଲି, “ଆଚ୍ଛା ବୋଉ–”

 

କିଛି ନ କହି ବୋଉ ମୋ ଆଡ଼େ ଚାହିଁଥିଲା, ଆଖି ଦୁଇଟା ତାର ଲୁହରେ ଟଳମଳ ହେଇ ଉଠିଥିଲା ।

 

ପଚାରିଥିଲି, “ଏ ଘଟଣା ତୁ କେବେ ଜାଣିଲୁ ?”

 

“ଶେଷଥର ସେ ଯେତେବେଳେ ଆସିଥିଲେ ।”

 

“କେମିତି ଜାଣିଲୁ ?”

 

“ସେ ନିଜେ କହିଥିଲେ । ରାତିରେ ଏ ଫଟୋଟା କାଢ଼ି କହିଥିଲେ, କେଉଁଠି ଗୋଟାଏ ଜାଗାରେ ରାସ୍ତାରେ ଯାଉ ଯାଉ କାନ୍ଦ ବୋବା ଶୁଣି ଗୋଟାଏ ଘର ଭିତରକୁ ଯାଇଥିଲେ । କାନ୍ଦ ବୋବାର କାରଣ ପଚାରିଥିଲେ । ସେ ଘରର ଝିଅ ବାହାହେବା କଥା, କିନ୍ତୁ ବିବାହ ଲଗ୍ନ ଗଡ଼ିବା ଉପରେ, ଅଥଚ ବର କିମ୍ବା ବରଯାତ୍ରୀ କାହାରି ଦେଖାନାହିଁ । ଲୋକ ପଠେଇ ବୁଝିବାରେ ଜଣାଗଲା, ସେମାନେ କେହି ଆସିବେନି । ଝିଅ ସମ୍ବନ୍ଧରେ କଣ ଗୋଟାଏ ବେନାମୀ ଖବର ପାଇ ସେମାନେ ବିଭାଘର ବନ୍ଦ କରି ଦେଇଥିଲେ ।”

 

ରୁଦ୍ଧଶ୍ୱାସରେ ପଚାରିଥିଲି, “ତା ପରେ ?”

 

ଭଙ୍ଗା ଗଳାରେ ବୋଉ କହିଥିଲା, “ତା ପରେ ଆଉ କଣ, ଗୋଟାଏ ଝିଅ ମଙ୍ଗୁଳିତି ଖାଇ ବସିଚି, ଏଣେ ବାହାଘର ଭାଙ୍ଗିଯିବାରୁ ଘରସାରା କାନ୍ଦ ବୋବା ଲାଗିଚି । ତୋ ନନା ସେଗୁଡ଼ିକ କଣ ଦେଖି ପାରିବେ ! ଦୟାର ଅବତାର ଏକାବେଳେ ତରଳିଗଲେ । ଝିଅଟାକୁ ଉଦ୍ଧାର କରିବା ପାଇଁ ସେ ବାହା ବେଦୀରେ ଯାଇ ବସି ପଡ଼ିଲେ ।”

 

ବୋଉ ଯେମିତି ଏ କଥାଗୁଡ଼ାକ ମତେ କହୁ ନ ଥିଲା । ମତେ ଉପଲକ୍ଷ୍ୟ କରି ମନେ ମନେ ନନାଙ୍କ ସଙ୍ଗେ ଯୁଦ୍ଧ କରିବାରେ ଲାଗିଥିଲା ।

 

ଆଉ ମୁଁ ବୋଉ ପାଇଁ ଦୁଃଖ ପାଇଲେ, ଅପାର ବେଦନା ଅନୁଭବ କଲେ ମଧ୍ୟ ଟିକିଏ ହେଲେ ସ୍ତମ୍ଭିତ ହେଇ ନ ଥିଲି । ନନାଙ୍କୁ ଆସାମୀର କାଠଗଡ଼ାରେ ଠିଆ କରେଇ ହାତ ବଢ଼ାଇ କହି ପାରୁ ନ ଥିଲି ଯେ, ଏ ଲୋକଟା ଅପରାଧୀ । ଆଙ୍କର ଶାସ୍ତି ପାଇବା ଉଚିତ୍ । ମୁଁ ନନାଙ୍କୁ ଯେତିକି ଚିହ୍ନିଚି, ଯେତିକି ଦେଖିଚି, ସେଥିରେ ମନେ ହେଇଚି ଏଇଟା ସ୍ଵାଭାବିକ । ଆବେଗମୟ ଅନ୍ୟମନସ୍କ ମଣିଷଟି ହୁଏତ ଜ୍ଞାତସାରରେ ଯାଇ ଦ୍ଵିତୀୟଥର ବିବାହ ବେଦୀରେ ବସିନାହାନ୍ତି । ଭିତରୁ ଅନ୍ୟ କେହି, ଦୁର୍ଜୟ କୌଣସି ସତ୍ତା ତାଙ୍କୁ ଠେଲି ଠେଲି ବିବାହ ଉତ୍ସବ ଭିତରକୁ ନେଇଯାଇଥିଲା । ଯିଏ ନିର୍ମୋହ ଆଚ୍ଛନ୍ନତାରେ ଗୋଟାଏ ଦିଗରୁ ଅନ୍ୟ ଦିଗଯାଏ ଜୀବନସାରା ଘୂରି ବୁଲୁଚନ୍ତି, ପାହାଡ଼ ଦେଖିଚନ୍ତି, ସମୁଦ୍ର ଦେଖିଚନ୍ତି, ମରୁଭୂମି ଦେଖିଚନ୍ତି, ଏ ବିବାହଟା ସେମିତି ଗୋଟାଏ କିଛି । କ୍ଷଣିକ ଆବେଗରେ ଏଇଟା କରି ପକେଇଚନ୍ତି । ନନାଙ୍କୁ ମୁଁ ଯେତିକି ଜାଣେ, ସେଥିରେ ମୁଁ ନିଃସନ୍ଦେହ । ବିବାହଟା ସେ କରିଥିଲେ, ତା ପଛରେ ତାଙ୍କର କୌଣସି ଗାଢ଼ ଆସକ୍ତି ଥିଲା ବୋଲି ମନେ ହୁଏନି ।

 

କିନ୍ତୁ ଏ ସବୁ କଥା ମୋର ନିଜସ୍ଵ । ମୋର ଅନୁଭୂତି, ମୋର ବିଚାରବୋଧ ଏଭଳି ଭାବରେ ନନାଙ୍କର ଦ୍ଵିତୀୟଥର ବିବାହଟାକୁ ବିଶ୍ଳେଷଣ କରିଥିଲା । କିନ୍ତୁ ବୋଉ ପାଖରେ ଏ ସବୁ କହିବା ଅସମ୍ଭବ ।

 

ହଠାତ୍ ଗୋଟାଏ କଥା ମନେପଡ଼ିବାରୁ ପଚାରିଥିଲି, “ଆଚ୍ଛା ବୋଉ, ତୁ ଯୋଉଦିନ ରାତି ଅଧରେ ନନାଙ୍କୁ ତଡ଼ିଦେଲୁ, ସେଇଦିନ କଣ ଏ କଥା ଜାଣି ପାରିଲୁ ?”

 

ଅନ୍ୟଆଡ଼େ ଚାହିଁ ବୋଉ କହିଥିଲା, “ହଁ ।”

 

ଚବିଶ

 

କଲେଜ ହଷ୍ଟେଲକୁ ଫେରି ଆସିବାର ପ୍ରାୟ ପନ୍ଦର ଦିନ ହେଇ ଗଲାଣି । ଏଇ ଦୁଇଟା ସପ୍ତାହ ହଷ୍ଟେଲରୁ କଲେଜ, ଆଉ କଲେଜରୁ ହଷ୍ଟେଲ ଏବଂ ଶନିବାର ଦିନ ଦଳେଇଘାଟ ଯିବା ଲାଗିରହିଥିଲା । ଏହା ବ୍ୟତୀତ ଅନ୍ୟ ଆଡ଼େ ବାହାରି ପାରି ନ ଥିଲି । ଅଜା–ଆଈଙ୍କର ମୃତ୍ୟୁର ଖବର ଏଠିକି ଆସି ଯାଇଥିଲା ।

 

ଉପର ବେଳା ହେଇ ଯିବା ମାତ୍ରେ କେହି ନା କେହି ମୋ ପାଖକୁ ଆସନ୍ତି, ସାନ୍ତ୍ଵନା ଦିଅନ୍ତି । ତା ଛଡ଼ା ଏତେକାଳ ଧରି ଯେଉଁ ମନୁ ଫୁଟବଲ ଖେଳ ପ୍ରଭୃତିରେ ନିଜକୁ ଖେଳେଇ ଦେଇଥିଲା, ହଠାତ୍ ସବୁକିଛି ଛାଡ଼ି ମୋର ପାଖେ ପାଖେ ରହୁଥିଲା । ଦିନସାରା କେତେବେଳେ ମତେ ପାଖଛଡ଼ା କରୁ ନ ଥିଲା ସେ ସମସ୍ତଙ୍କର ଧାରଣା, ଦୁଃଖ ଶୋକରେ ମୁଁ ମୂହ୍ୟମାନ ହେଇଯାଇଚି ।

 

କିନ୍ତୁ ମନେ ମନେ ସେ ସବୁ ସାନ୍ତ୍ଵନା, ମନୁର ସଙ୍ଗ ପ୍ରଭୃତିରୁ ଟିକିଏ ମୁକ୍ତି ପାଇବା ପାଇଁ ମୁଁ ଅସ୍ଥିର ହୋଇ ଉଠିଥିଲି । ମନୋରମାର ଋଣ ଯେତେ ଶୀଘ୍ର ପାରେ ତୁଟେଇ ଦେବା ଭଲ ।

 

ଗଲା ଶନିବାର ଦିନ ଯେତେବେଳେ ଦଳେଇଘାଟ ଯାଇଥିଲି, ବୋଉର ଇଙ୍ଗିତରୁ ଅନୁମାନ କରିଥିଲି, ଆମ ଘରେ ବିବାହର ଯୋଗାଡ଼ ରୀତିମତ ଚାଲିଚି । ମାନସୀଙ୍କ ଘରେ ମଧ୍ୟ ତଦନୁରୂପ । ଅନୁମାନ କରିଥିଲି, ମୋ ପ୍ରତି ମନୁର ନନା ବୋଉଙ୍କର ସ୍ନେହ ଶ୍ରଦ୍ଧା ପୂର୍ବାପେକ୍ଷା ସହସ୍ରଗୁଣ ବଢ଼ିଯାଇଛି । ମାନସୀ ସଙ୍ଗେ ଦେଖା ହେଇଥିଲା । ତେବେ ଖୁବ୍ ନିକଟରୁ ନୁହେଁ–ଅନେକ ଦୂରରୁ । ମୁହଁ ଫିଟେଇ ଅନେକ କିଛି କହିବାର ଇଚ୍ଛା ତାର ଉଛୁଳି ଉଠୁଥିଲେ ମଧ୍ୟ, ପଦେ ହେଲେ କିଛି କହି ପାରି ନ ଥିଲା, କି ଏକ ଅଜ୍ଞାତ ଲଜ୍ଜା ତା ମୁହଁରେ ଯେମିତି ଚଉଡ଼ା ହାତର ଚାପା ଦେଇଥିଲା । ସେଇ ଲାଜର ଆଖିରେ ସେ ଅନେକ ଦୂରରୁ ଅନେକ କଥା କହି ଯାଇଥିଲା । ତା ଦେହରେ ମୋ ପାଇଁ ଯେ ସାନ୍ତ୍ୱନାର ଉତ୍ସ ଥିଲା ସେଇଟା ଠିକ୍ ପଢ଼ି ପାରିଥିଲି । ବୁଝି ପାରିଥିଲି, ସେ ଯେ ମୋ ପାଖକୁ ଆସୁନି, ମୋ ସଙ୍ଗେ କଥାବାର୍ତ୍ତା କରୁନି–ତାର କାରଣ, ସେ ଆହୁରି ପାଖକୁ ଆସୁଚି ଆଉ ଖୁବ୍ ଶୀଘ୍ର ।

 

ମାନସୀ ଆସୁଚି । ନିର୍ବନ୍ଧ ସରିଯାଇଚି । ବାକି ଅଛି ମୋର ଋଣ ମୁକ୍ତ ହେବାଟା । ସେ ଝୁଙ୍କି କାହିଁକି ମୋ ମୁଣ୍ଡରେ ଉଠିଥିଲା, ଏତେ ଦିନପରେ ସେଇଟା ଠିକ୍ ଭାବରେ ଭାବି ପାରୁନି । ହୁଏତ ଏଇ ଝୁଙ୍କି ଟିକକ ମତେ ଗୋଟାଏ ସର୍ବନାଶର ସୂଚନା ଦେଇଥିଲା । ମୋର ସୁଧାମୟ ଜୀବନ ଭାଣ୍ଡ ଭିତରକୁ ଖସି ପଡ଼ିବା ପାଇଁ ଯେମିତି ଚାହିଁ ରହିଥିଲା ଚିନାଏ ବିଷ ।

 

ଯାହା ହେଉ, ପନ୍ଦର ଦିନ ପରେ ସମବେଦନାର ସ୍ରୋତ ସ୍ତିମିତ ହେଇଥିଲା । ମନୁ ବି ତାର ଉଦ୍ଦାମତାକୁ ଖେଳକୁଦରେ ଲଗେଇ ଦେବା ଆରମ୍ଭ କରିଥିଲା । ମୁଁ ମୁକ୍ତି ପାଇଯାଇଥିଲି ।

 

ଆଉ ମୁକ୍ତି ପାଇବା ମାତ୍ରେ ଅପେକ୍ଷା କରି ନ ଥିଲି । ନନାଙ୍କର ସେ ତାବିଜଟା ଖୁବ୍ ଓଜନିଆ ଥିଲା, ତିନି ଭରି ଯାଏ ସୁନା ସେଥିରେ ଥିଲା । ସେଇଟାକୁ ଗୋଟାଏ ଗହଣା ଦୋକାନରେ ଅଶି ଟଙ୍କାକୁ ବନ୍ଧା ଦେଇ ମନୋରମା ପାଇଁ ଗୋଟାଏ ହାତୀ ଦାନ୍ତର ହାର କିଣିଥିଲି-। ସୁନା ତାର ବନ୍ଧେଇ ପଥର ବସା ହାରଟା ଖୁବ୍ ସୁନ୍ଦର ଦେଖା ଯାଉଥିଲା ।

 

ମନୋରମା ଘରେ ପହଞ୍ଚି ଦେଖିଥିଲି, ଶିକାରୀ ହରେନ୍ଦ୍ର ମୋହନ ସେଦିନର ସେଇ ପରିଚିତ ବେଶରେ ବନ୍ଧୁକଟା କାନ୍ଧରେ ପକେଇ ଆଗରୁ ଆସି ବସିଛନ୍ତି । ତାଙ୍କୁ ଦେଖିବା ମାତ୍ରେ ବିଦ୍ୱେଷ ବିତୃଷ୍ଣାରେ ମୋର ସମସ୍ତ ଅସ୍ତିତ୍ଵ ନିମିଷକ ମଧ୍ୟରେ ଯେମିତି ଜଳି ଉଠିଥିଲା ।

 

ହରେନ୍ଦ୍ର ମୋହନଙ୍କ ବ୍ୟତୀତ ସେତେବେଳେ ଆଉ କେହି ଆସି ନ ଥିଲେ । ମନୋରମା ବି ଆସି ନ ଥିଲା । ଯେତେଦୂର ସମ୍ଭବ ସେ ଘର ଭିତରେ ଥିଲା । ଗୋଟାଏ ବିଜାତୀୟ ଘୃଣାରେ ହରେନ୍ଦ୍ର ମୋହନଙ୍କଠାରୁ ସବୁଠାରୁ ଦୂରରେ ପଡ଼ିଥିବା ସୋଫା ଉପରେ ଯାଇ ମୁଁ ବସିଥିଲି ।

 

ଆମେମାନେ ବସିଥିଲୁ କିନ୍ତୁ କାହାରି ମୁହଁରେ କଥା ନାହିଁ । ଦେଖୁ ଦେଖୁ ଲମ୍ବା ଲମ୍ବା ଗୋଡ଼ ପକେଇ ଶୀତୁଆ ସନ୍ଧ୍ୟାଟା ମାଡ଼ି ଆସିଥିଲା ।

 

ଘରଟା ଝାପ୍‍ସା ଅନ୍ଧାରରେ ବୁଡ଼ି ଯିବାକୁ ଆରମ୍ଭ କରିଥିଲା, ସେ ପର୍ଯ୍ୟନ୍ତ ଘରର ଚାକରଟା ଆସି ଝାଡ଼ ଲଣ୍ଠନଟା ଜଳେଇ ଦେଇ ଯାଇନି ।

 

ଅନେକ ସମୟ ଚୁପ୍‍ଚାପ୍‍ ବସିରହିବା ପରେ ହରେନ୍ଦ୍ର ମୋହନ ହଠାତ୍ ମୋ ଆଡ଼େ ଚାହିଁ କହିଥିଲେ, “ଶୁଣିଚି ଆପଣ ଖୁବ୍ ଭଲ ଛାତ୍ର ।”

 

ଭଦ୍ରଲୋକ କଣ କହିବାକୁ ଭାବୁଚନ୍ତି ବୁଝି ନ ପାରି ତାଙ୍କ ଆଡ଼େ ଚାହିଁ କହିଥିଲି, “ଭଲ ଆଉ କଣ–”

 

“ଭଲ ପିଲାଙ୍କର ଏ ବଦ ଖିଆଲ କାହିଁକି ?”

 

“ବଦ ଖିଆଲ ?”

 

ମୁରବୀ ପଣିଆ ଦେଖାଇ ହରେନ୍ଦ୍ର ମୋହନ କହିଥିଲେ, “ହଁ, ପଢ଼ାଶୁଣା ଛାଡ଼ି ମାଇକିନା ପଛରେ ଏମିତି ଲାଗିଚନ୍ତି କାହିଁକି ?”

 

ଭଦ୍ରଲୋକ ଠିକ୍ କଥା କହିଚନ୍ତି, ଅନ୍ୟ କେହି ସେକଥା କହିଥିଲେ ହୁଏତ ମୁହଁ ତଳକୁ କରି ରହିଥାଆନ୍ତି । କିନ୍ତୁ ଗୋଟାଏ ନଷ୍ଟ ଚରିତ୍ର ଉଦ୍ଧତ ବ୍ୟକ୍ତିର ଏ ପ୍ରଶ୍ନ ଶୁଣି ରାଗରେ ଜଳି ଯାଇଥିଲି । ରୁକ୍ଷ ଗଳାରେ କହିଥିଲି, “କଣ କରୁଚି ବା ନ କରୁଚି ସେ ବିଷୟରେ ଆପଣ ପଚାରିବାକୁ କିଏ ?

 

“ଅନ୍ୟ ଝିଅ ହେଇଥିଲେ ପଚାରି ନ ଥାଆନ୍ତି । ତେବେ–”

 

“କଣ ?”

 

“ମନୋରମା ବୋଲି ପଚାରୁଚି ।”

 

“କାହିଁକି, ମନୋରମାକୁ ଆପଣ କିଣିଚନ୍ତି ନା କଣ ?”

 

“କିଣିନି ସତ । ତେବେ ଇଚ୍ଛା କଲେ ତାକୁ କିଣି ନେବାଭଳି କ୍ଷମତା ମୋର ଅଛି ।”

 

ମୁଁ କିଛି କହି ନ ଥିଲି ।

 

ଟିକିଏ ସମୟ ଚୁପ୍‍ ରହିବା ପରେ ହରେନ୍ଦ୍ର ମୋହନ କହିଥିଲେ, “ଏଠିକି ନ ଆସି ବରଂ ପଢ଼ାଶୁଣାରେ ଯାଇ ମନ ଦିଅ । ମନୋରମା ପଛରେ ଲାଗି କୌଣସି ଫଳ ହେବନି ।”

 

ମୁଁ ଅସନ୍ତୁଷ୍ଟ ହୋଇ କହିଥିଲି, “କୌଣସି ବିଷୟରେ ମୁଁ ଆପଣଙ୍କୁ ପରାମର୍ଶ ମାଗୁନି । ଲାଭ ଲୋକସାନ କଥା ମୁଁ ବୁଝିବି ।”

 

“ନା, ସେତକ ବୁଝିବା ଶକ୍ତି ଆପଣଙ୍କର ନାହିଁ ।”

 

“ସତେ ନା କଣ ?”

 

ହରେନ୍ଦ୍ର ମୋହନ ଟାଣି ଟାଣି କହିଥିଲା, “ହଁ ସତ । ଏଠିକି ତ ଆସୁଚ, ନିଜ ଆଡ଼େ କେବେ ନଜର ପକେଇଚ ?”

 

ହରେନ୍ଦ୍ର ମୋହନଙ୍କ କଥାଗୁଡ଼ାକ ଆଉ ତାଙ୍କର କହିବାର ଭଙ୍ଗୀ ଖୁବ୍ ଅପମାନଜନକ । ଲକ୍ଷ୍ୟ କରିଥିଲି, ସମ୍ବୋଧନଟାକୁ ସେ ‘ଆପଣ’ରୁ ତମକୁ ଖସେଇ ଦେଇଚନ୍ତି । ଅସହ୍ୟ ରାଗରେ ମୁଁ କିଛି କହିପାରି ନ ଥିଲି । ଆଖି ଦୁଇଟା ମୋର କେବଳ ଦପ୍ ଦପ୍ ହୋଇ ଜଳୁଥିଲା ।

 

“ପ୍ରଥମ ଯେଉଁଦିନ ଆସିଥିଲି, ସେତେବେଳେ ଯେଉଁ ମଇଳା ଲୁଗାପଟା ପିନ୍ଧି ଆସିଥିଲି, ଆଜିବି ଦେଖୁଚି ସେଇୟା ପିନ୍ଧି ଆସିଚ । ମୋର ମନେହୁଏ ତମର ଏଇ ଖଣ୍ଡକ ବୋଲି ସାର୍ଟ ଧୋତି ଆଉ ହଳେ ଚପଲ ହେଉଚି ସମ୍ବଳ, ଏହା ବ୍ୟତୀତ ତମର ଆଉ କିଛି ନାହିଁ । ତା ଛଡ଼ା ଖାଲି ହାତରେ ଏଠିକି ଆସିଲେ ମନୋରମା ସଙ୍ଗେ ଦେଖା କରିହୁଏନି ।”

 

ହରମୋହନଙ୍କ କଥା ସବୁ ସତ । କିନ୍ତୁ ସେଦିନ ଭଳି ମୁଁ ଆଜି ଖାଲି ହାତରେ ଆସିନି । ଯାହା ନେଇ ଆସିଚି, ଶୁଭ୍ରପ୍ରେମୀ ମନୋରମା ପାଇଁ ଯେ ସେଇଟା ଖୁବ୍ ଉପଯୁକ୍ତ ଏଥିରେ ସନ୍ଦେହ ନାହିଁ । ତେବେ ତା ବିନିମୟରେ ମୁଁ କୌଣସି ପ୍ରତ୍ୟାଶା ଧରି ଆସିନି, ଏ ସବୁ କଥା ହରେନ୍ଦ୍ର ମୋହନ ଜାଣିବେ କୁଆଡ଼ୁ ? ତାଙ୍କର ଏ କାଟିଲା ଭଳି କଥାଗୁଡ଼ାକରେ ମୋର ସର୍ବାଙ୍ଗରେ କମ୍ପନ ଦେଖା ଦେଇଥିଲା । ଇଚ୍ଛା ହେଉଥିଲା, ଉଠିଯାଇ ଲୋକଟାର ଗାଲରେ ଠାଇ ଠାଇ ଦୁଇ ଚାରି ଚାପୁଡ଼ା ବସେଇ ଦିଅନ୍ତି । ଦ୍ଵିଗୁଣ ବିରକ୍ତିରେ କହିଥିଲି, “ଦେଖା ହେବ କି ନ ହେବ ସେ କଥା ମୁଁ ବୁଝିବି । ଏ ବିଷୟରେ ଆପଣ ମୁଣ୍ଡ ନ ଖେଳେଇଲେ ଚଳିବ ।”

 

“ସେତ ସତ । ତେବେ, କେବଳ ଧାଇଁବା ତୁମର ସାର ହେବ । ମନେରଖ, କୌଣସି ଦିନ ଆଉ ମନୋରମାର ଭାଗ୍ୟ ପରୀକ୍ଷାରେ ତୁମର ନାଆଁ ଉଠିବନି । ଏଣିକି ଦେଖିବ, ପ୍ରତ୍ୟେକ ଦିନ କେବଳ ମୋର ନାଆଁ ଉଠିବ ।”

 

“ଧନ୍ୟବାଦ ! ଉପହାର ବିନିମୟରେ ଗୋଟାଏ ଗଣିକାର ପଦଲେହନ କରିବା ତୁମ ଭଳି ମୋର ଧର୍ମ ନୁହେଁ; ତେଣୁ ତୁମ ଭଳି ଗର୍ବ କରିପାରୁନି ।”

 

“ହ୍ୱାଟ୍– ?

 

“ସେଇଟା ମୋର ମାତୃଭାଷା ନୁହେଁ । “

 

“ଶଟ୍ଅପ ଇଡ଼ିୟଟ, ଆଇ ଉଇଲ୍ ଶୁଟ୍ ୟୁ, କିଲ ୟୁ ଲାଇକ୍ ଏ ଡଗ୍–” କହି କାନ୍ଧ ଉପରେ ଝୁଲୁଥିବା ବନ୍ଧୁକଟା ବାହାର କରି ହରେନ୍ଦ୍ର ମୋହନ ମୋ ଆଡ଼କୁ ଲକ୍ଷ୍ୟ କରିଥିଲେ ।

 

ମୁହୂର୍ତ୍ତକ ପାଇଁ ମୋର ମେରୁଦଣ୍ଡ ଭିତର ଦେଇ ଥଣ୍ଡା ବରଫର ସ୍ରୋତ ବୋହି ଯାଇଥିଲା । କିଛି ସମୟ ନିଶ୍ଚେତନ ପାଷାଣ ଭଳି ଠିଆ ହୋଇ ରହିଥିଲି, ତା ପରେ ସବୁ ନିଷ୍କ୍ରିୟତା ବିଲୁପ୍ତ ହୋଇ ଶିରାରେ ଶିରାରେ ତୁରନ୍ତ ବେଗରେ ବୋଧହୁଏ ଗୁଡ଼ାଏ ନିଆଁ ଖେଳେଇ ହୋଇ ଯାଇଥିଲା । ଗୋଟାଏ କୁଦାରେ ହରେନ୍ଦ୍ର ମୋହନଙ୍କ ଉପରକୁ ଝାମ୍ପି ପଡ଼ିଥିଲି ।

 

ସେଦିନ କେଉଁଠୁ ଯେମିତି ଦୁର୍ଜୟ ଅଲୌକିକ ଶକ୍ତି ଏବଂ ଦୁଃସାହସ ମୋତେ ଘେରି ଯାଇଥିଲା । ଝାମ୍ପି ପଡ଼ିବା ମାତ୍ରେ ହରେନ୍ଦ୍ର ମୋହନଙ୍କ ଦୁଇ ନଳିଆ ବନ୍ଧୁକଟା ମୋ ହାତରେ ପଡ଼ି ଯାଇଥିଲା । ସେଇଟାକୁ ଧରି ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ପାଇଁ ଟଣାଟଣି ଧସ୍ତାଧସ୍ତି ଲାଗିଥିଲା । ତାପରେ ଗୁଡ଼ୁମ୍ କରି ଗୋଟାଏ ଗୁଳି ଫୁଟିବାର ଶବ୍ଦ ତା ସଙ୍ଗେ ସଙ୍ଗେ ଗୋଟାଏ ମର୍ମଭେଦୀ ଚିତ୍କାର ଶୁଣା ଯାଇଥିଲା । ମୋ ଆଖି ଆଗରେ ହରେନ୍ଦ୍ର ମୋହନ ଚଟାଣ ଉପରେ ଲୋଟି ପଡ଼ିଥିଲେ । ପିଚକାରୀ ମାରିବା ଭଳି ରକ୍ତଗୁଡ଼ାକ ଘରସାରା ଖଳେଇ ହେଇଯାଇଥିଲା ।

 

ତାପରେ କିଛି ସମୟ ମୋ ଦେହଟା ଅନୁଭୂତିଶୂନ୍ୟ ହୋଇ ଯାଇଥିଲା । ସମସ୍ତ ଶକ୍ତି ବୋଧହୁଏ କିଏ ହରଣ କରି ନେଇ ଚେତନାହୀନ ଶରୀରଟାକୁ ଘରର ମଝିରେ ଠିଆ କରେଇ ରଖିଥିଲା । କଣ କରିଚି, ମୋ ଆଖି ଆଗରେ କଣ ଘଟିଯାଇଚି, କିଛି ବୁଝିପାରୁ ନ ଥିଲି । ଅଭିଭୂତ, ବିହ୍ୱଳ, ବିମୂଢ଼ ଭଳି ମୁଁ କେବଳ ରକ୍ତ ସରୋବରେ ଭାସମାନ ଗୋଟାଏ ମଣିଷକୁ ଦେଖୁଥିଲି ।

 

ସାମାନ୍ୟ ବିହ୍ୱଳତା କଟିବା ମାତ୍ରେ ପ୍ରଥମେ ଯେଉଁ କଥାଟା ମୋର ସ୍ନାୟୁରେ ଆଘାତ ଦେଇଥିଲା, ତାର ନାମ ପଳାୟନ । ହଁ, ପଳେଇ ଯିବାକୁ ହେବ । ଏଇ ମୁହୂର୍ତ୍ତରେ ଏଠାରୁ ଅଦୃଶ୍ୟ ହେଇ ଯିବାକୁ ପଡ଼ିବ । କଥାଟା ମନେପଡ଼ିବା ମାତ୍ରେ ଆଉ ଅପେକ୍ଷା କରି ନ ଥିଲି, ଏକ ନିଶ୍ୱାସକେ ଧାଇଁବା ଆରମ୍ଭ କରି ଦେଇଥିଲି ।

 

ଧାଇଁ ଧାଇଁ କେତେବେଳେ ଷ୍ଟେସନକୁ ଆସିଥିଲି, କେତେବେଳେ କୋଉ ଗାଡ଼ି ଧରି ଦଳେଇଘାଟରେ ଓହ୍ଲାଇ ଘରକୁ ଆସିଥିଲି, ଏତେ କାଳ ପରେ ଆଉ ମନେକରି ପାରୁନି ।

 

କେବଳ ମନେଅଛି, ଆଚ୍ଛନ୍ନଙ୍କ ଭଳି ଟଳି ଟଳି ଯେତେବେଳେ ଘରକୁ ଆସି ପହଞ୍ଚିଥିଲି, ସେତେବେଳେ ବୋଉ କହିଥିଲା, “ପଅରଦିନ ବାହାଘର, ଯାହାହେଉ ତୁ ଆଜି ଆସିଗଲୁ ଭଲ ହେଲା, ମୁଁ କାଲି ସକାଳେ ନିରଞ୍ଜନକୁ ପଠେଇବି ବୋଲି ଭାବିଥିଲି ।” ବୋଉ ବୋଧହୁଏ ମୋର ଦେହ ମୁଁହ ଆଡ଼େ ଭଲ ଭାବରେ ଚାହିଁ ନ ଥିଲା । ଚାହିଁଥିଲେ ବୋଧହୁଏ ଏ କଥା କହି ଥାଆନ୍ତା କି ନାଇଁ ସନ୍ଦେହ ।

 

ମୁଁ ସେତେବେଳେ କଣ ଉତ୍ତର ଦେଇଥିଲି, କହି ପାରିବିନି । ତେବେ ଏତିକି ମନେଅଛି, ବୋଉର ନଜର ଆଡ଼େଇ ଭାଇଭଉଣୀମାନଙ୍କ ଦୃଷ୍ଟିରୁ ନିଜକୁ ଲୁଚେଇ ଯେତେ ଚଞ୍ଚଳ ସମ୍ଭବ ବିଛଣାର ଆଶ୍ରୟ ନେଇଥିଲି ।

 

ପଚିଶ

 

ପରଦିନଟା କି ଭଳି ଭାବରେ କଟିଥିଲା, ଏତେକାଳ ପରେ ଆଉ ମନେ କରିପାରୁନି । ମୋର ସ୍ମୃତିର ଏ ସ୍ଥାନଟା ଝାପ୍‍ସା ହେଇ ଯାଇଚି ।

 

ତାପର ଦିନ ବାହାଘର । ମନୋରମାର ସେଇ ହଲ ଘରୁ ପଳାଇ ଆସିବା ପରେ ମୁଁ ବୋଧହୁଏ ସଜ୍ଞାନରେ କିଛି କରିନି । ଯେଭଳି ଭାବରେ ମତେ ଚଳା ଯାଉଥିଲା, ସେଭଳି ଭାବରେ ଚଳିଥିଲି, ଯାହା କୁହା ଯାଉଥିଲା ସେଇୟା କରିଥିଲି, ବିଚିତ୍ର ଆଚ୍ଛନ୍ନତା ଭିତରେ ବିଭାଘର ସରିଯାଇଥିଲା ।

 

ବିବାହ ପରଦିନ ମାନସୀକୁ ନେଇ ଆମ ଘରକୁ ଆସିଥିଲି । ଠିକ୍ ହେଇଥିଲା ଦଶମଙ୍ଗଳା ଗଲେ ମାନସୀ ତା ବାପ ଘରକୁ ଚାଲିଯିବ । ମୋର ପଢ଼ାଶୁଣା ଶେଷ ହେଇ ଚାକିରି ବାକିରୀ କଲେ, ସେ ସ୍ଥାୟୀ ଭାବରେ ଆସି ଆମ ଘରେ ରହିବ ।

 

ଯାହାହେଉ ବୋଉ ବୋହୂ ବନ୍ଧାଣ କରିବା ପାଇଁ ଯେତେବେଳେ ଆସିଥିଲା ଠିକ୍ ସେତିକିବେଳେ ଘଟଣାଟା ଘଟିଥିଲା । ରକ୍ତର ଦାଗ ଶୁଙ୍ଘି ଶୁଙ୍ଘି ଯେମିତି କୁକୁର ଆସେ, ସେମିତି ପୋଲିସ ଆସିଥିଲା । ଆସି ମତେ ଖୋଜିଥିଲା, “ନରସିଂହ ରଥ କିଏ ?”

 

ମୋର ସମସ୍ତ ଅସ୍ତିତ୍ଵ ଦୋହଲି ଉଠିଥିଲା । ଅସହ୍ୟ କମ୍ପିତ ଗଳାରେ କହିଥିଲି, “ମୁଁ, କାହିଁକି–କଣ ହେଲା ?”

 

“ଆପଣଙ୍କ ନାଆଁରେ ୱାରଣ୍ଟ ଅଛି ।”

ମୁଁ ଆଉ କିଛି କହି ପାରି ନ ଥିଲି । ଗୋଡ଼–ହାତ–ସମଗ୍ର ଶରୀର ଥରୁଥିଲା । ସେ ଥରିଲା ଭାବଟାକୁ କୌଣସି ପ୍ରକାର ସମ୍ଭାଳି ପାରୁ ନ ଥିଲି । ପୁରା ଝାଳେଇ ଯାଇଥିଲି, ବିବାହର ନୂଆ ଲୁଗା ପଟା ସବୁ ଝାଳରେ ସର ସର ହୋଇଯାଇଥିଲା । ମୋର ହୃତ୍‍ପିଣ୍ଡ ସେତେବେଳେ ସ୍ତବ୍‍ଧ ନିର୍ଜୀବ । ଇନ୍ଦ୍ରିୟ ଆଉ ସ୍ନାୟୁଗୁଡ଼ାକ ଜଡ଼ ହୋଇ ଯାଇଥିଲା । ଶ୍ୱାସକ୍ରିୟା ବନ୍ଦ ହୋଇ ଯାଇଥିଲା । ସେଇ ଭୟଙ୍କର ମୁହୂର୍ତ୍ତଟାରେ ମୋର ବୋଧହୁଏ ମୃତ୍ୟୁ ହେଇ ଯାଇଥିଲା । ତାପରେ ବି ଯେ ଦୀର୍ଘଦିନ ବଞ୍ଚି ରହିଚି, ସେଇଟା ଯେମିତି ମଣିଷର ବଞ୍ଚିବା ନୁହେଁ । ଜୀବନ ଆଉ ମୃତ୍ୟୁର ମଝିରେ ସେଇଟା ଗୋଟାଏ ନିଦାରୁଣ ପ୍ରେତର ଜୀବନ ।

ମାନସୀଙ୍କ ଘରୁ ତା ସାଙ୍ଗରେ ମନୁ ଆସିଥିଲା । ପୋଲିସଙ୍କ ପାଖକୁ ଆଗେଇ ଆସି ସେ ପଚାରିଥିଲା, “କଣ–ଘଟଣା କଣ ? ୱାରଣ୍ଟ କାହିଁକି ?”

ପୋଲିସ ଜଣେଇଥିଲା, “ନରସିଂହ ରଥଙ୍କୁ ଆରେଷ୍ଟ କରାଯିବ ।”

“ଆରେଷ୍ଟ ! କାହିଁକି ? ସେ କଣ କରିଚି ?”

“ତାଙ୍କ ବିରୁଦ୍ଧରେ ମର୍ଡ଼ର ଚାର୍ଜ ଅଛି ।”

ମନେଅଛି ସେତିକିବେଳେ ମାନସୀ ପାଲିଙ୍କି ଉପରେ ଢଳିପଡ଼ି ଅଜ୍ଞାନ ହୋଇ ଯାଇଥିଲା । ବୋଉ ହାତରୁ ବନ୍ଦାଣ ଥାଳିଟା ଖସି ପଡ଼ିଥିଲା । ସରା, ଦୀପଗୁଡ଼ା ପଡ଼ି ଗୁଣ୍ଡ ହେଇଯାଇଥିଲା । ଚିତ୍କାର କରି ବୋଉ କହିଥିଲା, “କଣ–କଣ ଆପଣ କହୁଚନ୍ତି ?”

ପୋଲିସ ବୋଉ କଥାର କୌଣସି ଜବାବ୍ ଦେଇ ନ ଥିଲା, କେବଳ ଆଗେଇ ଆସି ମୋ ହାତରେ ହାତକଡ଼ା ଲଗେଇ ଦେଇଥିଲା ।

ବୋଉ ବାରଣ୍ଡା ଉପରେ କଚାଡ଼ି ହୋଇ ପଡ଼ିଥିଲା । ବଡ଼ ପାଟିରେ କାନ୍ଦି କାନ୍ଦି କହିଥିଲା, “ଏ କଣ ହେଲାରେ ନରି ! ତୋ ଛଡ଼ା ମୋର ଆଉ କେହି ନାହିଁ ।”

ଭାଇ ଭଉଣୀମାନେ ସମସ୍ୱରରେ କାନ୍ଦି ଉଠିଥିଲେ ।

ଶୁଭ ହୁଳହୁଳି ପରିବର୍ତ୍ତେ ବିଶାଦର କ୍ରନ୍ଦନରୋଳ ଭିତରେ ପୋଲିସ ମୋତେ ଧରି ଥାନାକୁ ଚାଲି ଯାଇଥିଲା ।

ମୁଁ ହତ୍ୟାପରାଧରେ ଅଭିଯୁକ୍ତ ଆସାମୀ । ପୋଲିସ ପକ୍ଷରୁ ମତେ ଜାମିନ ଦିଆଗଲାନି-। ମୋର ବୋଉ କି ମାନସୀର ନନା କେହି ମୋ ପାଇଁ ଜାମିନ ଦରଖାସ୍ତ କରି ନ ଥିଲେ-

ମନେପଡ଼ୁଚି ହାଜତରେ ରହିବା ପରେ କେସ୍ ଆରମ୍ଭ ହେଇଥିଲା । ନିମ୍ନକୋର୍ଟରେ ପ୍ରଥମେ କେସଟାର ଆନୁଷ୍ଠାନିକ ଉଦବୋଧନ ହୋଇଥିଲା, ପରେ ସେଇଟା ସେସନ୍‍ସ କୋର୍ଟକୁ ଯାଇଥିଲା ।

ମୋ ସପକ୍ଷରେ ଲଢ଼ିବା ପାଇଁ କୌଣସି ଓକିଲ ନ ଥିଲେ, ଓକିଲର ବ୍ୟବସ୍ଥା କିଏ ବା କରିବ । ଅବଶ୍ୟ ଓକିଲ ପାଇଁ ମୁଁ ଲାଳାୟିତ ହେଇ ନ ଥିଲି । ମୁଁ ଭାବୁଥିଲି ମୃତ୍ୟୁ ଆସୁ । ଫାଶିରେ ଝୁଲିବା ହେଉଚି ମୋର ଯୋଗ୍ୟ ଶାସ୍ତି । ଯେତେ ଚଞ୍ଚଳ ଜୀବନଟାର ଅବସାନ ହୁଏ, ସେତିକି ମଙ୍ଗଳ । ତାହାହିଁ ଏକାନ୍ତ କାମ୍ୟ ।

 

ଦୀର୍ଘ ଚାରିମାସ ଧରି କୋର୍ଟରେ କେସ୍ ଚାଲିଥିଲା । ସେତେବେଳେ କିଏ କିଏ ସାକ୍ଷୀ ଦେଇଥିଲେ, କାହାକୁ କଣ ପଚରା ଯାଇଥିଲା, କିଏ କଣ ଉତ୍ତର ଦେଇଥିଲା କିଛି ମନେ ନାହିଁ ।

 

ମୋ ବିରୁଦ୍ଧରେ ମର୍ଡ଼ର ଚାର୍ଜ କଥା ଶୁଣି ମାନସୀ ପାଲିଙ୍କି ଉପରେ ଅଜ୍ଞାନ ହୋଇ ପଡ଼ିଥିଲା । ତାର ଜ୍ଞାନ ହେବାରୁ ମନୁ ତାକୁ ତାଙ୍କ ଘରକୁ ନେଇ ଯାଇଥିଲା । ବୋଉର ଆଉ ବୋହୂ ବନ୍ଧାଣ ହେଇ ପାରିଲାନି ।

 

ମୋର କେସ୍ ଚାଲିଥିବା ଭିତରେ ଦିନେ ବୋଉ ଆଉ ଦିନେ ମନୁ ଆସିଥିଲା । ବୋଉ କାଠ ଗଡ଼ା ପାଖରେ ଠିଆ ହୋଇ ଅନୁଚ୍ଚ ଗଳାରେ କହିଥିଲା, “ତୁ ମରିଯା ।” ବୋଉର ଏ କଥା ପଦକ ଆଶୀର୍ବାଦ କିମ୍ବା ଅଭିଶାପ କୌଣସି ଆକାରରେ ଫଳ ଦେଇ ନ ଥିଲା । ମୁଁ ମରିବାକୁ ଚାହୁଁଥିଲେ ମଧ୍ୟ ମରିପାରିନି ।

 

ମନୁ ଆସି କହିଥିଲା, “ସରଳ ବନ୍ଧୁତାର ପ୍ରତିଫଳ ଯଥେଷ୍ଟ ମିଳିଗଲା । ମାନସୀ ସଙ୍ଗେ ତୋର ବାହାଘର ଆମେ ମାନିବୁନି । ଅନ୍ୟ ଜାଗାରେ ଆମେ ତାକୁ ବିବାହ ଦେବୁ ।”

 

ଯାହାହେଉ ଶୁଣାଣୀ ଏବଂ ସାକ୍ଷୀମାନଙ୍କୁ ଜେରାପରେ ବିଚାରପତି ମତେ ପଚାରିଥିଲେ, “ନିଜ ସପକ୍ଷରେ କିଛି କହିବାର ଅଛି ?”

 

ମୁଣ୍ଡ ହଲେଇ ଅସମ୍ମତି ଜଣେଇଥିଲି ।

 

ଏହାପରର ଘଟଣା ଖୁବ୍ ସଂକ୍ଷିପ୍ତ । ଜୁରୀମାନଙ୍କର ବିଚକ୍ଷଣ ମତାମତ ନେଇ ବିଚାରପତି ମତେ ସାତବର୍ଷ କାରାଦଣ୍ଡ ଦେଇଥିଲେ ।

 

ରାୟ ବାହାରିବା ପରେ ଗୋଟାଏ ନିବୁଜ ଗାଡ଼ିରେ ମତେ ଜେଲକୁ ପଠେଇ ଦିଆଯାଇଥିଲା ।

 

ଛବିଶ

 

ମୁଁ ଖୁଣୀ ଆସାମୀ, ମଣିଷ ରକ୍ତରେ ମୋର ହାତ କଳଙ୍କିତ ହେଇଚି ।

 

ମଣିଷର ଇତିହାସରେ ଯେତେ ଦୁଷ୍କୃତି ଅଛି, ତା ଭିତରେ ନରହତ୍ୟା ବୋଧହୁଏ ସର୍ବାପେକ୍ଷା ନିକୃଷ୍ଟ । ଜଘନ୍ୟତମ । ହତ୍ୟା ଅପରାଧରେ ସାତବର୍ଷ କାରାଦଣ୍ଡ ଭୋଗ କରିବା ପାଇଁ ମତେ ଜେଲକୁ ଆସିବାକୁ ହେଇଥିଲା ।

 

କଥାଟା ବୋଧହୁଏ ଠିକ୍ ହେଲାନି । ଏମିତି ଅନେକ ହତ୍ୟାଅଛି, ଯାହା କି ଜୀବନକୁ ଗୌରବାନ୍ଵିତ କରେ । ଯେମିତି ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଧ୍ଵଂସ ପ୍ରଭୃତି । କିନ୍ତୁ ଗୋଟାଏ ପତିତା ପାଇଁ ହତ୍ୟା । ଜଗତରେ ସେ ଅପରାଧର ଆଉ ସୀମା ନାହିଁ ।

 

ସାତବର୍ଷ ଅର୍ଥାତ୍ ଗୋଟାଏ ଯୁଗର ଦୁଇ ତୃତୀୟାଂଶରୁ ଗୋଟାଏ ବର୍ଷ କମ୍ । ଦୀର୍ଘ ମିଆଦର ସବୁଗୁଡ଼ାକ ବର୍ଷ କଟିଯାଇଥିଲା । ଆଉ ମାତ୍ର କେତୁଟା ଘଣ୍ଟା । ତାପରେ କାରାଗାରର ବାହାରେ ଅସୀମ ମୁକ୍ତିର ମଝିରେ ଯାଇ ଠିଆ ହେଇ ପାରିବି । କିନ୍ତୁ ମୁକ୍ତି ପାଇଁ କଣ ମୁଁ ଏତେ ଲାଳାୟିତ ଥିଲି ? ସେଦିନ ବୁଝି ପାରିନି ।

 

ମୋ ଦ୍ଵାରା ଯେଉଁ ଅପରାଧ ଘଟିଯାଇଚି ମୃତ୍ୟୁ ହିଁ ଥିଲା ତାର ଯୋଗ୍ୟତମ ଦଣ୍ଡ । ମୃତ୍ୟୁ ଥିଲା ମୋ ପାଖରେ ସର୍ବାପେକ୍ଷା ବାଞ୍ଛିତ; ପ୍ରାର୍ଥିତ–ପ୍ରଥମ କାମ୍ୟ । ଫାଶି ଦଉଡ଼ିରେ ଜୀବନର ପରିସମାପ୍ତି ଘଟୁ–ସେଇୟା ମୁଁ ଇଚ୍ଛା କରିଥିଲି । କିନ୍ତୁ ନ୍ୟାୟର ବିଚାରକ ମୋର ବୟସ କଥା ଭାବିଚନ୍ତି, ମୁଁ ଯେ ସ୍ଵଭାବ ଅପରାଧୀ ନୁହେ ସେ କଥା ଚିନ୍ତା କରିଚନ୍ତି ଏବଂ ସବୁଦିଗ ବିବେଚନା କରି ଅପେକ୍ଷାକୃତ ଲଘୁ ଶାସ୍ତିର ବ୍ୟବସ୍ଥା କରିଚନ୍ତି । ତାଙ୍କର ହୁଏ ତ ବିଶ୍ଵାସ, ମୁକ୍ତି ପରେ ମୋର ଚରିତ୍ର ସଂଶୋଧନ ହେଇଯିବ । ସତ୍ ଏବଂ ସୁସ୍ଥ ଭାବରେ ମୁଁ ପୁଣି ଜୀବନ ଯାପନ କରିପାରିବି କିନ୍ତୁ ଆମମାନଙ୍କର ଯେଉଁ ସମାଜ, ସେଥିରେ କାରାଦଣ୍ଡ ଭୋଗୀ ଗୋଟାଏ ମଣିଷ ପକ୍ଷରେ ମର୍ଯ୍ୟାଦାର ଜୀବନକୁ ନୂଆ ହେଇ ଫେରିଆସିବା କଣ ସମ୍ଭବ ।

 

ମୋର ଯାହା ଜୀବନ, ସେଥିରେ ଜେଲଖାନାରେ ପହଞ୍ଚିବା କଥା କୌଣସି ଦିନ ଭାବିବାର ନୁହେଁ । ଜନ୍ମବେଳଠାରୁ ଥାର୍ଡ଼ ଇୟରରେ ପଢ଼ିବା ପର୍ଯ୍ୟନ୍ତ ପ୍ରାୟ କୋଡ଼ିଏଟା ବର୍ଷ ଯେଉଁ ରାସ୍ତାରେ ଚାଲିଚି, ତାର ଶେଷ ପ୍ରାନ୍ତରେ କିମ୍ବା ଦୁଇ ପାଖରେ, କେଉଁଠି କାରାଗାର ବୋଲି କିଛି ରହିବାର କଥା ନୁହେଁ । ଏ ଶବ୍ଦଟା ମୋ ପାଖରେ ଅପରିଚିତ ଥିଲା, ଗୋଟାଏ ଅଜଣା ଗ୍ରହାନ୍ତରର ଭାଷା । ତଥାପି ମତେ କାରାଗାରକୁ ଆସିବାକୁ ହେଇଥିଲା । କିଏ ଜାଣିଥିଲା, ଜେଲର ଏ ଠିକଣାଟା ଶେଷକୁ ମୋର ସବୁକିଛିର ଉପରେ ଯବନିକା ଟାଣିଦେବ ?

 

ଜେଲର କର୍ତ୍ତୃପକ୍ଷ ମୋ ପ୍ରତି ଖୁବ୍ ସଦୟ ଥିଲେ । ଅନେକ ଥର ସେ ମତେ ପଢ଼ା ଶୁଣା ଆରମ୍ଭ କରିବାପାଇଁ କହିଚନ୍ତି, ବୁଝେଇଚନ୍ତି ବିଶ୍ଵବିଦ୍ୟାଳୟର ଯେଉଁ ପରୀକ୍ଷାଗୁଡ଼ାକ ମୁଁ ଦେଇ ପାରିନି, ସେଗୁଡ଼ାକ ଗୋଟି ଗୋଟି କରି ଦେଇ ଦେବାକୁ । ଭବିଷ୍ୟତରେ ସେଗୁଡ଼ା ବିଶେଷ ଦରକାରୀ । ସରକାରୀ ଚାକିରି ନ ହେଉ–ଅନ୍ତତଃ ଡିଗ୍ରୀ ବଳରେ ଅନ୍ୟ କିଛି କରିପାରିବି । ମୁଁ ଯଦି ପଢ଼େ, ତାହେଲେ ସେ ସବୁ ବ୍ୟବସ୍ଥା କରିଦେବେ ।

 

ତାଙ୍କର ବୁଝେଇବାରେ, ସାନ୍ତ୍ଵନା ଦେବାରେ ଅଭିଭୂତ ହୋଇପଡ଼େ । କିନ୍ତୁ ମତେ କିଛି ଭଲ ଲାଗେନି । ନୂଆ କରି ଯେ ପଢ଼ା ଶୁଣା ଆରମ୍ଭ କରିବି, ସେଭଳି କୌଣସି ଉଦ୍ୟମ ବା ଉତ୍ସାହ ମୋ ମଧ୍ୟରେ ସଞ୍ଜୀବିତ ନ ଥିଲା । ମୋର ଜୀବନୀ ଶକ୍ତିର ସବୁ କିଛି ନିର୍ଜୀବ, ସ୍ତିମିତ ଏବଂ ବିବର୍ଣ୍ଣ ହେଇଯାଇଥିଲା । କାରାଗାର ବାହାରେ ମୋର ଦିନେ ଯାହା ଜୀବନ ଥିଲା, କାରାଗାରରେ ବସି ସେଠିକି ଫେରିଯିବା ଅସମ୍ଭବ ।

 

ଦିନେ ନିଜ ବିଷୟରେ ମୋର ଅନେକ ସ୍ଵପ୍ନଥିଲା, ସେ ଦିନ ଆତ୍ମବିଳାସ ହିଁ ଥିଲା ଏକମାତ୍ର ବ୍ୟସନ । ଶିକ୍ଷାରେ, ବ୍ୟବହାରରେ ଏବଂ ଛାତ୍ର ଜୀବନର ଅପରିମିତ ସାଫଲ୍ୟରେ ନିଜକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା । ନିଜକୁ ବଡ଼ କରିବି, ମହତ୍ କରିବି, ସବୁର ଆଦର୍ଶ ହେବି । ଅର୍ଜ୍ଜୁନର ଲକ୍ଷ୍ୟ ଭେଦ ଭଳି ମୋର ଦୃଷ୍ଟି ଜୀବନର ଚୂଡ଼ାଗ୍ରରେ ଥିଲା ।

 

କିନ୍ତୁ ଚୂଡ଼ାନ୍ତରେ ପହଞ୍ଚି ପାରିବିନି ବୋଲି କିଏ ଜାଣିଥିଲା ! ଗୋଟାଏ ଦୁଇଟା ପାହାଚ ଉଠିବାପରେ ମତେ ରସାତଳକୁ ଖସିପଡ଼ିବାକୁ ହେଇଥିଲା । ସେ ଯାହାହେଉ, କାରାଗାରରେ ଜୀବନଟା ରଙ୍ଗିନ୍ ବେଲୁନ୍ ଭଳି ଫାଟି ଯାଇଚି । ସେ ସମ୍ବନ୍ଧରେ ମୋର ଆଉ ବୋଧହୁଏ ମାୟା ନ ଥିଲା, କିମ୍ବା ଜଗତର ସବୁକିଛି ସମ୍ଭବତଃ ମୋ ପାଖରେ ବିସ୍ୱାଦ ହେଇ ଯାଇଥିଲା । ତୀବ୍ର ଅମ୍ଳ–ଉଗ୍ର–କଷାୟ,ଶରୀରରେ ଏବଂ ମନରେ ଯେତେ ଅନୁଭୂତି ଅଛି, ସେଥିରେ କୌଣସିଟାକୁ ଠିକ୍ ଭାବରେ ଅନୁଭବ କରିପାରୁ ନ ଥିଲି । ଅସ୍ତିତ୍ଵ ତାର ଆସ୍ଵାଦନର କ୍ଷମତା ହରେଇ ବସିଥିଲା । ଦୀର୍ଘ କାରାବାସରେ ହୃତ୍‍ପିଣ୍ଡ ମୋର ଏତେ ନିର୍ଜୀବ ହେଇଯାଇଥିଲା ଯେ, ସେଥିରେ କୌଣସି ତରଙ୍ଗ ଦେଖାଯାଉ ନ ଥିଲା । ହଜାର ଆଘାତ କଲେ ବି ଝଙ୍କାର ତୋଳିପାରୁ ନ ଥିଲା ।

 

ତେଣୁ ଦିନେ ଆଦର୍ଶ ହେବାର ଯେଉଁ ସ୍ଵପ୍ନ ଦେଖୁଥିଲି, ସେଥିର ତିଳେ ହେଲେ ଆଉ ଅବଶିଷ୍ଟ ନ ଥିଲା । ସେଥିପାଇଁ ପୂର୍ବର ଜୀବନ ଆଉ ଦରକାର ବୋଲି ମନେ କରୁ ନ ଥିଲି ।

 

କର୍ତ୍ତୃପକ୍ଷ ଯେତେବେଳେ ସଦୟ ହୋଇ ପଢ଼ାଶୁଣା କଥା କହନ୍ତି, ସେତେବେଳେ ଚୁପ୍ ହୋଇ ରହେ । କେବେ କେମିତି ସବିନୟରେ ପ୍ରତ୍ୟାଖ୍ୟାନ କରେ । ବୁଝିପାରେ, ସେ ଦୁଃଖ କଲେ, ମୋ ପାଇଁ ବେଦନା ଅନୁଭବ କଲେ; କିନ୍ତୁ ମୁଁ ନିରୁପାୟ । ଜଗତରେ ମୋର କୌଣସିଟା ପ୍ରତି ଆକର୍ଷଣ ନାହିଁ । ଉଜ୍ଜ୍ଵଳ ଛାତ୍ର ଜୀବନ, ସମସ୍ତଙ୍କର ଶ୍ରଦ୍ଧା, ମର୍ଯ୍ୟାଦା, ସମ୍ମାନ, ସାମାଜିକ ପ୍ରତିଷ୍ଠା–ମଣିଷର କ୍ଷୁଦ୍ର ଜୀବନରେ ଯାହା ଯାହା କାମ୍ୟ, ସେଗୁଡ଼ାକର ଦାମ ଆଉ ମୋ ପାଖେ କାଣି କଉଡ଼ି ସଙ୍ଗେ ସମାନ ନୁହେଁ । ଦିନେ ଏ ସବୁକୁ ଅମୂଲ୍ୟନିଧି ବୋଲି ମୁଣ୍ଡରେ ନେଇ ଥୋଇଥିଲି । କାରାଗାରକୁ ଆସିବା ପରେ ଏଗୁଡ଼ାକୁ ଘସରା ପଇସା ଭଳି ରାସ୍ତା ଧୂଳିରେ ଫୋପାଡ଼ି ଦେଇଚି । କିଭଳି ଭାବରେ ତାଙ୍କୁ ବା ଏ ସବୁ ବୁଝେଇବି ।

 

ସତେଇଶ

 

ଊଣିଶଶହ ତେୟାଳିଶ ଅଗଷ୍ଟ ବାଇଶ ତାରିଖ ରବିବାରର ଅପରାହଣ ସନ୍ଧ୍ୟାର ଅଭ୍ୟର୍ଥନା ପାଇଁ ପ୍ରସ୍ତୁତ ହେଲାବେଳେ ବିକଟ ଚିତ୍କାର କରି ଜେଲର କବାଟ ଫିଟିଯାଇଥିଲା । ମୁଁ.....ବନ୍ଦୀମୁକ୍ତ ।

 

ଜେଲଖାନା ବାହାରକୁ ଆସି ମୁଁ ପଛକୁ ଫେରି ଚାହିଁଥିଲି । ଦୀର୍ଘ ସାତବର୍ଷର ନିର୍ମାୟା ଶିବିରର ମନ ମୋର ହଠାତ୍ ଯେମିତି ଆଗକୁ ଆଗକୁ ବଢ଼ିପାରୁ ନ ଥିଲା । ହଠାତ୍ ଆଖି ମୋର ଅନ୍ଧହେଇ ଯାଇଥିଲା । ଶିଥିଳ କମ୍ପିତ ପାଦରେ ମୁଁ ଯେ କେତେବେଳେ ବାହାରି ଆସିଚି, ସେଇଟା ମନେ ପଡ଼ୁ ନ ଥିଲା ।

 

ଗାମ୍ଭୀର ଧାତବ ଶବ୍ଦ କରି ଫାଟକଟା ବନ୍ଦ ହେଇଯିବା ପରେ ମୁଁ ଆଉ କିଛିଟା ଆଗେଇ ଆସିଥିଲି । ବେଶି ନୁହେଁ, କାରାଗାରଠାରୁ ମାତ୍ର ଦଶ ପନ୍ଦର ଫୁଟ ହେବ । ଶୀତ ସନ୍ଧ୍ୟା ଆଗେଇ ଆସୁଚି ।

 

ତା ସଙ୍ଗେ ସଙ୍ଗେ ରାସ୍ତା କଡ଼ର ନିମଗଛ ତଳୁ କିଏ ଗୋଟିଏ ଆଗେଇ ଆସୁଚି । କ୍ରମେ ଅସ୍ପଷ୍ଟତା କଟି ଯାଇଥିଲା । ଦୀର୍ଘ ସାତ ବର୍ଷ ପରେ ବି ତାକୁ ଚିହ୍ନି ପାରିଥିଲି । ସେ ଆଉ କେହି ନୁହେଁ, ମାନସୀ ।

 

ଚିହ୍ନିବାମାତ୍ରେ ମୋର ହୃତ୍‍ପିଣ୍ଡ ଭିତର ଦେଇ ଝଡ଼ ଭଳି କଣ–ଗୋଟାଏ ଯେମିତି ଦେଖା ଦେଇଥିଲା । ସମସ୍ତ ଚେତନା ନିଜର ଅଜ୍ଞାତସାରରେ ଅତଳତା ମଧ୍ୟରେ ନିମଜ୍ଜିତ ହେଇ ଯାଉଥିଲା, ଆଉ ସମୟ ତାର ଗତି ହରେଇ ଥକକା ହୋଇ ରହିଯାଇଥିଲା । କଣ ଗୋଟାଏ ଅଲୌକିକ ଇଙ୍ଗିତରେ ଚରାଚରର ସବୁ କିଛି ସ୍ତବ୍ଧ ଅଚଳ ହେଇ ଯାଇଥିଲା ।

 

ମୁଁ ଭଲଭାବରେ ଜାଣିଥିଲି, ମୋର ମୁକ୍ତି ଦିନ କେହି ମତେ ନେବା ପାଇଁ ଆସିବେନି । ବୋଉ–ଭାଇଭଉଣୀମାନେ, ମନୁ ଏବଂ ତାର ନନା–ବୋଉ–ସମସ୍ତେ ଯେ ମୋ ଉପରେ ବିମୁଖ, ଚିରଦିନ ପାଇଁ ଯେ ମୋଠାରୁ ସମସ୍ତ ସମ୍ପର୍କ ତୁଟେଇ ଦେଇଚନ୍ତି, ମୋ ଅପେକ୍ଷା ସେ କଥା ଆଉ ଭଲ ଭାବରେ କିଏ ଜାଣନ୍ତା !

 

ଆଶ୍ଚର୍ଯ୍ୟର କଥା, ଜଗତରେ ଯାହାର ସବୁଠାରୁ ବେଶି ଘୃଣା କରିବାର କଥା, ସେଇ ମାନସୀ ପୁଣି ଏତେଦୂର ଆସି ନିମଗଛ ତଳେ ମୋର ମୁକ୍ତି ପାଇଁ ଅପେକ୍ଷା କରିଥିଲା ।

 

ପଶ୍ଚିମ ଆକାଶ ଛାତିରୁ ଦିନର ରକ୍ତିମା ହଜିଗଲାଣି । ଲମ୍ବା ଲମ୍ବା ରୋଡ଼ ପକେଇ ଶୀତୁଆ ସନ୍ଧ୍ୟା ମାଡ଼ି ଆସୁଥିଲା, ଆଉ କିଏ ଯେମିତି ଗାଢ଼ ବିଷାଦର ଛାୟା ଆକାଶ ସେପଟରୁ ଅଜାଡ଼ି ଦେଉଥିଲା ।

 

ଆକାଶରେ–ପବନରେ ଶୀତର ସନ୍ଧ୍ୟା ଦ୍ରୁତ ସଞ୍ଚରିତ ହେଇ ଯାଉଥିଲା । ସେଆଡ଼େ ମୋର ଲକ୍ଷ୍ୟ ନ ଥିଲା । ନିଶ୍ଚେତନଙ୍କ ଭଳି କେତେ ସମୟ ଠିଆ ହେଇଥିଲି, ମନେ ନାହିଁ ।

 

ତାପରେ ମୃଦୁ କଣ୍ଠସ୍ୱର ଶୁଣାଯାଉଥିଲା, “ମୁଁ ଆସିଚି ।”

 

ସ୍ନାୟୁଗୁଡ଼ାକରେ ତୀବ୍ର ଆଘାତ ଲାଗିଥିଲା ବୋଧହୁଏ । ଚମକି ପଡ଼ି ଦେଖିଥିଲି, ନିମଗଛ ତଳୁ ଆସି ମାନସୀ କେତେବେଳେ ନିଶବ୍ଦରେ ମୋ ନିକଟରେ ଠିଆ ହେଇଚି । ବକ୍ଷ ଭିତରେ ନିଶ୍ୱାସଟା ଘୂରିବୁଲୁଥିଲା । ଧୀରେ ଧୀରେ ସେଇଟାକୁ ମୁକ୍ତି ଦେଇ ଅବରୁଦ୍ଧ ଗଳାରେ କହିଥିଲି, “ତମେ !”

 

“ହଁ, ମୁଁ । ମୋ ଛଡ଼ା ଆଉ କିଏ ଆସନ୍ତା କହ !”

 

ଉତ୍ତର ଦେଇ ନ ଥିଲି । ଅପଲକ ଦୃଷ୍ଟିରେ କେବଳ ମାନସୀ ଆଡ଼େ ଚାହିଁ ରହିଥିଲି । ସାମାନ୍ୟ କେଇଟା ବର୍ଷ ବଢ଼ିବା ବ୍ୟତୀତ ଠିକ୍ ସାତବର୍ଷ ଆଗର ମାନସୀ ଭଳି ତାକୁ ଦେଖିଥିଲି । ତେବେ ମୁହଁରେ ଟିକିଏ ଗାମ୍ଭୀର୍ଯ୍ୟ ଥିଲା । ସର୍ବାଙ୍ଗ ଘେରି ଗୋଟାଏ ବ୍ୟକ୍ତିତ୍ଵ ମଧ୍ୟ ଅନୁଭବ କରି ପାରୁଥିଲି । ତେବେ ସବୁଠାରୁ ଯେଉଁ ବଡ଼ ପରିବର୍ତ୍ତନଟା ବିଶେଷ ଭାବରେ ଦୃଷ୍ଟିରେ ପଡ଼ିଥିଲା, ସେଇଟା ହେଲା ମାନସୀର ବେଶ ପୋଷାକ । ଜଣେ ଜମିଦାରଙ୍କର ଅଲ୍ୟଳ ଝିଅର ଦେହରେ ସେଦିନ ଥିଲା ଖୁବ୍ ସାଧାରଣ ଧଳା ଶାଢ଼ୀ ଆଉ ସୂତାରେ ହାତକାମ କରାଯାଇଥିବା ଖଣ୍ଡେ ବ୍ଲାଉଜ, ଗୋଡ଼ରେ ହଳେ ଶସ୍ତା ଚପଲ । ହାତରେ ଦୁଇପଟ କରି ଚୁଡ଼ି । ଦେହରେ ଗୋଟାଏ ସରୁ ଚେନ୍ । କପାଳରେ ଆଉ ସୀମନ୍ତରେ ସିନ୍ଦୁର ଚିହ୍ନ । ପ୍ରାୟ ନିରଳଙ୍କାରା ମାନସୀକୁ ଏ ରୂପ, ଏ ବେଶରେ ମହିମାମୟୀ ମନେ ହେଉଥିଲା ।

 

ଯେଉଁଦିନ କୋର୍ଟରେ ମନୁ ସଙ୍ଗେ ଦେଖା ହେଇଥିଲା, ସେଦିନ ସେ କହୁଥିଲା, ସେମାନେ ଆଉ କୌଣସି ଜାଗାରେ ପୁଣି ମାନସୀକୁ ବିବାହ ଦେବେ । ମୋ ସହିତ ଯେ ତାର ବିବାହ ହେଇଥିଲା ସେଇଟା ସେମାନେ ମାନିବେନି । ତାହେଲେ ମାନସୀର କପାଳ ଉପରେ ଆଜି ଏ ଯେଉଁ ଚିହ୍ନ, ସେଇଟା କାହାର ସ୍ମୃତି ଚିହ୍ନ । ସେ କିଏ ହେଇପାରେ ?

 

ମାନସୀ ପୁଣି କହିଥିଲା, “ସାତ ବର୍ଷ ହେଲା ଗୋଟି ଗୋଟି କରି ଦିନ ଗଣୁଚି । ବୁଝାବୁଝି କରି ଜାଣିଚି, ଆଜି ତମେ ଖଲାସ ପାଇବ । ଦୁଇଟା ବେଳୁ ଆସି ଏଠାରେ ଠିଆ ହେଇଚି-।”

 

ମୁଁ ଆଶ୍ଚର୍ଯ୍ୟ ହେଇ ଯାଇଥିଲି । ମୋର ବିଚାର ଚାଲିଥିଲା ବେଳେ ମାନସୀ ଦେଖାକରିବା ପାଇଁ ଆସିନି । ଜେଲକୁ ଆସିବାର ସାତ ବର୍ଷ ଭିତରେ ଥରେ ହେଲେ ଆସି ଦେଖା କରିନି । ଖଣ୍ଡେ ଚିଠି ମଧ୍ୟ ଲେଖି ନ ଥିଲା, ଅଥଚ କେବେ ମୁଁ ଖଲାସ ହେବି ଠିକ୍ ସେଇ ଦିନଟା ମନେ ରଖିଚି । ତାହେଲେ କଣ ଖଲାସ ବେଳେ ମତେ ଟିକିଏ କେବଳ ଆଶ୍ଚର୍ଯ୍ୟ କରିଦେବା ପାଇଁ-?

 

କହିଥିଲି, “କିନ୍ତୁ–”

 

“କଣ ?” ଉନ୍ମୁଖ ହୋଇ ମାନସୀ ମୋ ଆଡ଼େ ଚାହିଁଥିଲା

 

“ତମେ କାହିଁକି ଆସିଲ ?”

 

“ମୁଁ ନ ଆସିଲେ ତମକୁ ଏଠାରୁ କିଏ ନେଇଯାଇ ଥାଆନ୍ତା ? ଦିନେ ଅଗ୍ନି ସାକ୍ଷୀ ରଖି ସହଧର୍ମ୍ମିଣୀର ଦୀକ୍ଷା ନେଇଥିଲି । ତାର ମର୍ଯ୍ୟାଦା ରଖିବାକୁ ହେଲେ ମୋର ତ ଆସିବା ଉଚିତ ।”

 

ମୋର ସତ୍ତା ଭିତରେ ପ୍ରବଳ ପ୍ରଳୟ ଆରମ୍ଭ ହେଇଥିଲା । ଝଣ ଝଣ ହୋଇ କଣ ଯେମିତି ଅବିରାମ ଭାଙ୍ଗି ପଡ଼ୁଥିଲା । ମୁଁ ଚିତ୍କାର କରି କହି ଉଠିଥିଲି, “କଣ କହିଲ !”

 

“ମୁଁ ତମର ସ୍ତ୍ରୀ । ସ୍ତ୍ରୀର କର୍ତ୍ତବ୍ୟ ପାଳନ କରିବାକୁ ଏଠିକି ଆସିଚି ।”

 

ଆଚ୍ଛନ୍ନଙ୍କ ଭଳି କହିଥିଲି, “କିନ୍ତୁ–”

 

“କଣ ?”

 

“ତମର ଭାଇନା ସେଦିନ କୋର୍ଟରେ ଆସି କହୁଥିଲେ, ତୁମ ସହିତ ମୋର ବିବାହ–” ଏତିକି କହି ରହି ଯାଇଥିଲି । କିଏ ବୋଧହୁଏ ତଣ୍ଟି ଭିତରୁ ମୋର ଅବଶିଷ୍ଟ କଥା ଗୁଡ଼ାକୁ ମୋର ଖୁବ୍ ଶକ୍ତ ମୁଠାରେ ଟାଣି ଧରିଥିଲା ।

 

ମାନସୀ କହିଥିଲା, “ଭାଇନା କଣ କହିଥିଲା, ଜାଣିଚି । କିନ୍ତୁ ଏ ବିବାହ ଅସ୍ୱୀକାର କରାଯାଇ ପାରେ ବୋଲି ତ ମୁଁ କହି ନ ଥିଲି !”

 

“ତେବେ–”

 

“ଥାଉ ସେ ସବୁ । ମୋ ସାଙ୍ଗରେ ଆସ ।”

 

“ତମ ସାଙ୍ଗେ କୁଆଡ଼େ ଯିବି ?”

 

“ଦେଖୁଚି ଏବେ ବି ତମେ ସେଇ କିଏ–କଣ କାହିଁକି ଛାଡ଼ି ପାରିନ । ମୁଁ ଯେଉଁଠିକି ନେଇ ଯିବି, ସେଠିକି ଯିବ ଆସ ।”

 

ନିଜ ଇଚ୍ଛା ଶକ୍ତିର ଅବଶିଷ୍ଟ ବୋଧହୁଏ ଆଉ ମୋ ଭିତରେ ନ ଥିଲା । ମାନସୀର ଇଚ୍ଛାରେ ନିଜକୁ ସମର୍ପି ଦେଇ କହିଥିଲି, “ଚାଲ ।”

 

ମାନସୀ ମତେ ନେଇ କଟକ ଚାଲି ଆସିଥିଲା । କାଠଯୋଡ଼ି କୂଳରେ ମାତ୍ର ତିନି ବଖରା ଘର । ଦୁଇଟା ଘର ବଡ଼, ଅନ୍ୟଟା ଛୋଟ । ଛୋଟଟା ରୋଷେଇ ଘର । ବଡ଼ ଦୁଇଟାରୁ ଗୋଟାଏ ବସିବା ଘର, ଗୋଟାଏ ବୃତ୍ତାକାର ଟେବୁଲ ଚାରିଆଡ଼େ କେତେ ଖଣ୍ଡ ଚଉକି ପଡ଼ିଚି । କାନ୍ଥରେ କେତେଟା ଓଡ଼ିଶାର ପ୍ରାକୃତିକ ଦୃଶ୍ୟର ଛବି ଝୁଲୁଚି । ଦକ୍ଷିଣ ପଟର ଶେଷ ଘରଟା ଶୋଇବା ଘର । ଜିନିଷ ପତ୍ରର ବିଶେଷ କିଛି ବାହୁଲ୍ୟ ନ ଥିଲା, କାନ୍ଥ ପାଖକୁ ଲାଗି ଗୋଟାଏ ବଡ଼ ଖଟ, ତା ଉପରେ ପରିଷ୍କାର ବିଛଣା ପଡ଼ିଚି । ମୁଣ୍ଡ ପାଖରେ ଗୋଟାଏ ଟେବୁଲ ଉପରେ ଦର୍ପଣ, ପାନିଆ, ସିନ୍ଦୂର ଡବା, ତାଛଡ଼ା ମୋର ପ୍ରଥମ ଯୌବନର ଗୋଟାଏ ଫଟୋ । ମନୁର ନନା ମୋର ମାଟ୍ରିକ ପାଶ କଲା ପରେ ଏ ଫଟୋଟା ଉଠେଇଥିଲେ ।

 

ଦେଖୁ ଦେଖୁ ମନେ ହେଇଥିଲା, ମୋର ଏଠାକୁ ଆସିବାର ଅଧିକାର ନାହିଁ । ଏ ଶୁଚିମୟ ଶୁଭ୍ର ପରିବେଶରେ ମୋର ଶ୍ୱାସ ଯେମିତି ରୁଦ୍ଧ ହୋଇ ଆସୁଥିଲା ।

 

ସେଦିନ ମୋ ପାଇଁ ଯଦିଓ ପୂର୍ଣ୍ଣ ବିଶ୍ରାମର ଆବଶ୍ୟକ ଥିଲା ତଥାପି ଶୋଇ ପାରି ନ ଥିଲି । ଛାତି ଉପରେ ମୁଣ୍ଡ ଥୋଇ ମାନସୀ ସାତ ବର୍ଷ ଭିତରର କଥାଗୁଡ଼ା କହି ଯାଉଥିଲା–

 

ପୋଲିସ ଆସି ଯେତେବେଳେ ମୋ ସମ୍ବନ୍ଧରେ ହତ୍ୟା ଅପରାଧର କଥା କହିଥିଲା, ପାଲିଙ୍କି ଦେହରେ ସେ ସେତେବେଳେ ଅଜ୍ଞାନ ହୋଇ ଯାଇଥିଲା । ଜ୍ଞାନ ହେବା ପରେ ମନୁ ଆଉ ତାର ନନା–ବୋଉ ତାକୁ ତାଙ୍କ ଘରକୁ ନେଇ ଯାଇଥିଲେ । ସେଠିକି ନେଇଯାଇ ତାର ଭାଇନା ପ୍ରଭୃତି କହିଥିଲେ, ଏ ବିବାହ ସେମାନେ ଅସ୍ୱୀକାର କରିବେ । ମାନସୀ କିଛି ନ କହି କେବଳ ମୁହଁ ଲୁଚେଇ କାନ୍ଦୁଥିଲା । ଏ ବିବାହ ଅସ୍ୱୀକାର କରିବା କଥା ଶୁଣି ତାର ଛାତି ଫାଟି ଯାଉଥିଲା ।

 

ଯେତେବେଳେ ମୋର ବିଚାର ଚାଲିଥିଲା, ସେତେବେଳେ ମାନସୀ କୋର୍ଟକୁ ଯିବାପାଇଁ ଲଗେଇଥିଲା । ମନୁ ପ୍ରଭୃତି ତାକୁ ଛାଡ଼ିଲେନି, ଗୋଟାଏ ଘରେ ତାକୁ ବନ୍ଦ କରି ଦେଇଥିଲେ । ତାର ନନା–ବୋଉ ଦିନ ରାତି ତାକୁ ବୁଝାଇବାରେ ଲାଗିଥାଆନ୍ତି, ମତେ ଯେମିତି ସେ ଭୁଲିଯାଏ । ଗୋଟାଏ ଖୁଣୀକୁ ଯଦି ସେ ଜାମାତା ବୋଲି ମାନନ୍ତି, ପାରିବାରିକ ସମ୍ମାନ, ମର୍ଯ୍ୟାଦା, ପ୍ରତିଷ୍ଠା–ସବୁ ଧୂଳିରେ ମିଶିଯିବ । ଲୋକେ ଦେଖିଲେ ଛି–ଛାକର କରିବେ । ମନୁ ଦିନ ରାତି ଶାସନ କରେ । ଭିତରେ ଭିତରେ ସେମାନେ ଅନ୍ୟ ବିବାହର ଯୋଗାଡ଼ରେ ଲାଗି ଥାଆନ୍ତି । ଗୋଟାଏ ଦୁଇଟା ସମ୍ବନ୍ଧ ଆସିଥିଲା, କିନ୍ତୁ ମାନସୀ ଆଦୌ ରାଜି ହେଇ ନ ଥିଲା ।

 

ଯଦି କୌଣସି ପକ୍ଷ ଆସେ ତାହେଲେ ମାନସୀ ଭିତରୁ କବାଟ ବନ୍ଦ କରି ଘର ଭିତରେ ରହେ । ନନା–ବୋଉ ଭାଇନା ବାହାରେ ଥାଇ ରାଗ ହୁଅନ୍ତି । ଚିତ୍କାର କରନ୍ତି, ଶେଷରେ ଅନୁନୟ କରି କହନ୍ତି, ସେ ନ ଗଲେ ଭଦ୍ର ଲୋକଙ୍କ ପାଖରେ ଅପମାନିତ ହେବାକୁ ପଡ଼ିବ । ତଥାପି ମାନସୀ ଦ୍ଵାର ଫିଟାଏନି ।

 

ଯେତେବେଳେ କୁଆଡ଼ୁ କିଛି ହେଲାନି, ସେତେବେଳେ ନନା ବୋଉ ଜଣେଇ ଦେଇଥିଲେ, ସେମାନଙ୍କ ପାଖରେ ରହିବାକୁ ହେଲେ ସେମାନଙ୍କର ଇଚ୍ଛା ଅନୁସାରେ ଚଳିବାକୁ ହେବ । ମାନସୀର ଅନେକ ଅନ୍ୟାୟ ବ୍ୟବହାର ସେମାନେ ସହିଚନ୍ତି କିନ୍ତୁ ଆଉ ନୁହେଁ, ଧୈର୍ଯ୍ୟର ଗୋଟାଏ ସୀମା ଅଛି ।

 

ବାପ–ମାଆ ଭାଇ ସଙ୍ଗେ ଯୁଦ୍ଧ କରି କରି ମାନସୀର ଶକ୍ତି ଶେଷ ହୋଇ ଆସିଥିଲା । ଏଣେ ମନୁ ପ୍ରଭୃତିଙ୍କର ନିଗ୍ରହ ବି କ୍ରମଶଃ ବଢ଼ି ଯାଉଥିଲା । ଶେଷକୁ ଦିନେ ନିରୁପାୟ ମାନସୀ କଟକ ପଳେଇ ଆସିଥିଲା । ଆଗରୁ ମାଟ୍ରିକ୍ ପାଶ୍‍ କରିଥିଲା । ଏଠିକାର ଗୋଟାଏ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହୋଇ ବ୍ୟକ୍ତିଗତ ଭାବେ ପଢ଼ାଶୁଣା କରିଥିଲା । ଧୀରେ ଧୀରେ ଏମ୍:ଏ: ଖଣ୍ଡକ ପାଶ୍ କରି ସେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହେଇଚି ।

 

ଏପର୍ଯ୍ୟନ୍ତ ମାନସୀ ସ୍କୁଲ୍‍ର ହଷ୍ଟେଲରେ ରହୁଥିଲା । ମୋର ଖଲାସ ହେବା ଖବର ପାଇ କାଠଯୋଡ଼ି କୂଳରେ ଏ ଘରଟା ଭଡ଼ା ନେଇ ମତେ ଜେଲଖାନାଠାରୁ ଆଣିବାକୁ ଯାଇଥିଲା ।

 

ସବୁ ଶୁଣିବାପରେ ମୁଁ ଚିତ୍କାର କରି ଉଠିଥିଲି, “ତମେ ଏ କଣ କଲ ମାନସୀ ! ମୋ ପାଇଁ ଜୀବନଟାକୁ ଏମିତି ନଷ୍ଟ କରିଦେଲ ?”

 

“କିଏ କହିଲା ନଷ୍ଟ କରି ଦେଇଚି ?”

 

“କିନ୍ତୁ–”

 

“କଣ ?”

 

“କାହା କଥାରେ ତମେ ଏ ସବୁ କରିବାକୁ ଗଲ ?”

 

ମୋର ଗୋଟାଏ ହାତ ଟାଣି ନେଇ ବକ୍ଷ ଉପରେ ରଖି କହିଥିଲା, “ୟାରି ଭିତରେ ସିଏ ଅଛି ତାରି କଥାରେ ।”

 

ମୁଁ କିଛି କହିପାରି ନ ଥିଲି ।

 

ମାନସୀ ପୁଣି କହିଥିଲା, “ଗୋଟାଏ କଥା ଭାବି ଦେଖିଚ ନା ? ମୁଁ ଯଦି ଏସବୁ କରି ନ ଥାନ୍ତି, ତାହେଲେ ସାତବର୍ଷ ପରେ ଫେରି ତମେ କୋଉଠି ଯାଇ ଠିଆ ହୋଇଥାଆନ୍ତ ? ଅର୍ଦ୍ଧାଙ୍ଗିନୀ ଭାବରେ ମୋର କଣ କିଛି କର୍ତ୍ତବ୍ୟ ନ ଥିଲା !”

 

କିଛି କହିପାରି ନ ଥିଲି । ଅନ୍ଧାର ଭିତରେ ସ୍ଖଳିତ ହାତ ବୁଲେଇ ମାନସୀ ମୁଣ୍ଡରେ ବାଳଗୁଡ଼ାକ ଘାଣ୍ଟିବାରେ ଲାଗିଥିଲି ।

 

ତାପରେ ଦେଖୁ ଦେଖୁ କେତେଟା ମାସ କଟି ଯାଇଥିଲା । ଦିନେ ସକାଳୁ ନିଦରୁ ଉଠିବା ପରେ ଭାରି ଇଚ୍ଛା ହେଉଥିଲା, ବୋଉ ସାଙ୍ଗେ ଟିକିଏ ଦେଖା କରିବି । ମନୁ ଆଉ ତାର ନନା–ବୋଉଙ୍କୁ ଟିକିଏ ଦେଖା କରି ଆସିବି । ମୋର ଦୁଷ୍କୃତି ପାଇଁ ମୁଁ କିଛି ତ କମ୍ ଶାସ୍ତି ପାଇନି । ହୁଏତ ଏଥର ସେମାନେ କ୍ଷମା କରିପାରନ୍ତି ।

 

ମାନସୀକୁ ନ ଜଣେଇ ଦଳେଇଘାଟ ଯାଇଥିଲି । ମନୁ ସଙ୍ଗେ ଦେଖା କରିବା ମାତ୍ରେ ସେ କହିଥିଲା, “ଗେଟ୍ ଆଉଟ୍ ।”

 

ମନୁର ନନା ବୋଉ କହିଥିଲେ, “ଏଠିକି ଆଉ ଦିନେ ଆସିବନି ।”

 

ନିଜର ବୋଉ ସଙ୍ଗେ ଦେଖା କରିବାରୁ ସେ ଶୂନ୍ୟ ଦୃଷ୍ଟିରେ କିଛି ସମୟ ଚାହିଁ ରହିବା ପରେ ପଚାରିଥିଲା, “କିଏ ?”

 

“ନରି–”

 

“ସେ ତ ସାତ ବର୍ଷ ହେଲା ମରିଗଲାଣି ।” କହି ଧଡ଼ କରି କବାଟଟା ବନ୍ଦ କରି ଦେଇଥିଲା ।

 

ଦଳେଇ ଘାଟରୁ ଫେରି ମାନସୀକୁ ମୋର ଅଭିଜ୍ଞତା କଥା କହିଥିଲି । ଶୁଣିବା ପରେ ସେ କହିଥିଲା, “କାହିଁକି କାହିଁକି, ତମେ ସେଠିକି ଯାଇଥିଲ ? ମତେ ନ ଜଣେଇ କୁଆଡ଼େ ଯିବନି-।”

 

ଆଉ ଦିନେ ମାନସୀ ପାଖରୁ ଟଙ୍କା ନେଇ ତୁଣ୍ଡୁଳି ଯାଇଥିଲି ଉଦ୍ଦେଶ୍ୟ ଥିଲା ନନାଙ୍କର ସେ ତାବିଜଟା ମୁକୁଳେଇ ଆଣିବି । ଯାହା ହେଉ ଗହଣା ଦୋକାନୀ କୌଣସି ବିଶ୍ଵାସଘାତକତା ନ କରି ବନ୍ଧକ ତାବିଜଟା ଫେରେଇ ଦେଇଥିଲା ।

 

କେଜାଣି କାହିଁକି ତାବିଜଟା ନେଇ ଗୋଟାଏ ବିଚିତ୍ର ଅନ୍ଧ ଆକର୍ଷଣରେ ମନୋରମାର ସେଇ ଘରଟାଆଡ଼େ ଯାଇଥିଲି । ଖୁବ୍ ଆଶା ଥିଲା ମନୋରମାର ଦେଖା ପାଇବି । କିନ୍ତୁ ସେ ନ ଥିଲା, ଘରଟାର ଅବସ୍ଥା ପୁରା ବଦଳି ଯାଇ କୌଣସି ଗୋଟାଏ ଫ୍ୟାକ୍ଟରୀର ସାଇନ୍‍ବୋର୍ଡ଼ ଝୁଲୁଥିଲା । ଗେଟ୍ ପାଖର ଦରୁଆନ୍‍କୁ ପଚାରିବାରୁ ସେ କହିଥିଲା, “ୟେ ତୋ କପଡ଼ାକା ଫ୍ୟାକ୍ଟରୀ ସାହାବ । ଔର ତ କୋଇ ନହିଁ ।”

 

ଫେରି ଆସି ନନାଙ୍କର ସ୍ମୃତି ଚିହ୍ନ ସେଇ ତାବିଜଟା ମାନସୀକୁ ଦେଇଥିଲି । ମନୋରମାକୁ ଯେ ଖୋଜିବାକୁ ଯାଇଥିଲି, ସେ କଥା ଅବଶ୍ୟ କହି ନି–ସେଇତକ ଗୋପନ ରଖିଥିଲି । ସାତ ବର୍ଷ କାଳ କାରାଗାରରେ କଟେଇ ଆସିଲା ପରେ ବି ମାନସୀ ସଙ୍ଗେ ପ୍ରତାରଣାର ଖେଳ ଖେଳିବାକୁ ବାଧି ନ ଥିଲା । ଜଗତରେ ମୋ ଠାରୁ ବଳି ଶଠ ଅନ୍ୟ ବୋଧହୁଏ କେହି ନ ଥିବ ।

 

ତାପରେ ମାନସୀର ଆଶ୍ରୟରେ ବର୍ଷ ପରେ ବର୍ଷ କଟି ଯାଇଚି । ବର୍ତ୍ତମାନ ମୁଣ୍ଡଟା ମୋର କଳା ଧଳାର ଅରଣ୍ୟ । ମାନସୀ କେଶାରଣ୍ୟରେ ଗୋଟାଏ ଗୋଟାଏ ସରୁ ରୂପା ତାର ଦେଖା ଦେବା ଆରମ୍ଭ କରି ଦେଇଚି । ଦୁଇଜଣଙ୍କ ଦେହରେ ବୟସ ତାର ନିର୍ଭୁଲ ଛାପ ମାରି ଦେଇଚି । ଅଦୃଶ୍ୟ ମାଙ୍କଡ଼ସା ମୁହଁସାରା ଜାଲ ବୁଣି ଯାଉଚି ।

 

ପ୍ରାଚୀରଘେରା ଜେଲ୍ ପିଞ୍ଜରା ଭିତରେ ବସି ଦିନେ ମନେ ହେଉଥିଲା, ଜୀବନଟା ଶୂନ୍ୟ ହେଇ ଯାଇଚି । କିନ୍ତୁ ବାହାରକୁ ଆସିବା ପରେ ମାନସୀ ସମସ୍ତ ଶୂନ୍ୟତାକୁ ଅପାର ମମତାରେ ପୂର୍ଣ୍ଣ କରି ଦେଇଚି । ମୋର ଦଗଧ୍, ତାପିତ କ୍ଷତ ବିକ୍ଷତ ଜୀବନରେ ସଞ୍ଜିବନୀ ଭଳି ତାର ଆବିର୍ଭାବ ହେଇଚି ।

 

ମୁଁ ଶଠ, ପ୍ରତାରକ, ପ୍ରବଞ୍ଚକ । ପ୍ରେମକୁ ମୁଁ ତାର ଯୋଗ୍ୟ ମର୍ଯ୍ୟାଦା ଦେଇପାରିନି । କିନ୍ତୁ ମାନସୀ ପାରିଚି । ସମସ୍ତ ଜୀବନ ଦେଇ ପ୍ରେମକୁ ସେ ଇନ୍ଦ୍ରାସନରେ ବସେଇଚି । ଗ୍ଳାନି, ଅନ୍ଧକାର, ଅସମ୍ମାନ–ସବୁ କିଛି ଉତ୍ତୀର୍ଣ୍ଣ ହୋଇ ମୋ ପାଇଁ ସେ ସୁଧାମୟ ପୂର୍ଣ୍ଣ କରି ରଖିଚି । ଆଉ ମୁଁ–ଚିନାଏ ବିଷ ଛଡ଼ା କ’ଣ ପିଇପାରେ ?

 

Image